ଶ୍ୟାମସୁନ୍ଦର ରାଜଗୁରୁ

ଉଇକିପିଡ଼ିଆ‌ରୁ
ଶ୍ୟାମସୁନ୍ଦର ରାଜଗୁରୁ
ପ୍ରାବନ୍ଧିକ
Born(1866-02-12)୧୨ ଫେବୃଆରୀ ୧୮୬୬
ପାରଳାଖେମୁଣ୍ଡି
Died୧୭ ଜୁଲାଇ ୧୯୦୯(1909-07-17) (ବୟସ ୪୩)
ପାରଳାଖେମୁଣ୍ଡି
Nationalityଭାରତୀୟ
Occupation(s)ଅଧ୍ୟାପକ, ସାହିତ୍ୟିକ, ସଙ୍ଗୀତଜ୍ଞ ଓ ପ୍ରାବନ୍ଧିକ
Known forସାହିତ୍ୟ ବିଷୟରେ ଗବେଷଣା ଓ ପ୍ରବନ୍ଧ, ଅବିଭକ୍ତ ଗଞ୍ଜାମର ପ୍ରଥମ ସ୍ନାତକ ଧାରୀ
Notable workପ୍ରବନ୍ଧାବଳୀ
Familyରାଜଗୁରୁ ବଂଶ

ଶ୍ୟାମସୁନ୍ଦର ରାଜଗୁରୁ (୧୨ ଫେବୃଆରୀ ୧୮୬୬- ୧୭ ଜୁଲାଇ ୧୯୦୯) ଓଡ଼ିଶାର ଜଣେ ପ୍ରାବନ୍ଧିକ ଥିଲେ ।[୧]

ଜୀବନୀ[ସମ୍ପାଦନା]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

୧୮୬୬ ଖ୍ରୀଷ୍ଟାବ୍ଦରେ ପାରଳାର ରାଜଗୁରୁ ବଂଶରେ ଶ୍ୟାମସୁନ୍ଦର ରାଜଗୁରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରଘୁନାଥ ରାଜଗୁରୁ,ବାଲ୍ୟ ସମୟରେ ପ୍ରାଥମିକ ଶିକ୍ଷା ସମାପନ କରି କିଶୋର ବୟସରେ ସେ ସଂସ୍କୃତ ଓ ପରୋହିତ ଉଚିତ କର୍ମକାଣ୍ଡ ଅଧ୍ୟୟନ କରିଥିଲେ । ଏହା ପରେ ୧୮୮୨ରେ ଷୋହଳ ବର୍ଷ ବୟସରେ ସେ ଇଂରାଜୀ ଶିକ୍ଷା ପ୍ରାରମ୍ଭ କରି ୧୮୮୭ ମସିହାରେ ଖ୍ରୀଷ୍ଟାବ୍ଦରେ ପାରଳା ହାଇସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ବ୍ରହ୍ମପୁର କଲେଜରୁ ୧୮୯୦ରେ ଏଫ୍ ଏ ଓ ରାଜମହେନ୍ଦ୍ର ଗଭର୍ଣ୍ଣମେଣ୍ଟ କଲେଜରୁ ୧୮୯୨ ଖ୍ରୀଷ୍ଟାବ୍ଦରେ ବି ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୨]

ରାଜବଂଶର ଅଧ୍ୟାପକ[ସମ୍ପାଦନା]

ଏହା ପରେ ଶ୍ୟାମସୁନ୍ଦର ତତ୍କାଳିନ ପାରଳାର ଦ୍ୱିତୀୟ ରାଜକୁମାର ପଦ୍ମନାଭ ନାରାୟଣ ଦେବଙ୍କର ଅଧ୍ୟାପକ କାର୍ଯ୍ୟରେ ୧୮୯୨ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ୫ ତାରିଖରୁ ନିଯୁକ୍ତ ହୋଇଥିଲେ । ପରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅଧ୍ୟାପନା ଭାର ମଧ୍ୟ ସେ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାକୁ ଗଞ୍ଜାମର ଅନ୍ୟତମ କଚେରି ଭାଷା ସ୍ୱରୂପରେ ଗୃହୀତ କରାଇବା ପାଇଁ ସେତେବେଳେ କେତେକ ନେତୃସ୍ଥାନୀୟ ଓଡ଼ିଆମାନେ ଉଦ୍ୟମ କରୁଥିଲେ । ଶ୍ୟାମସୁନ୍ଦର କଲେଜରେ ପଢ଼ି ସୁଦ୍ଧା ଏହି ଆନ୍ଦୋଳରେ ଯୋଗଦାନ କରିଥିଲେ । ଏହା କରାଇବା ଲାଗି ସେ ନିଜ ଛାତ୍ରାବାସରେ ପାରଳାର 'ଉତ୍କଳହିତୈଷିଣୀ ସଭା' ସଂସ୍ଥାପନ କରି ଆଜୀବନ ତାହାର ସଭାପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଏହା ପରେ ନିଜ ଅକ୍ଷୁର୍ଣ୍ଣ ପନ୍ଦର ବର୍ଷ କାଳ ପାରଳା ମ୍ୟୁନିସିପାଲିଟିର ସଭାପତି ରୂପେ ପରିଚାଳନ କରିଥିଲେ । ଏହା ଛଡ଼ା ସେ କିଛି ସମୟ ପାଇଁ ଶ୍ରୀକାକୋଲ ତାଲୁକା ବୋର୍ଡ଼ ଓ ଗଞ୍ଜାମ ଜିଲ୍ଲା ବୋର୍ଡ଼େ ସଭ୍ୟ ହୋଇ ସେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ ।

ପାରଳାଖେମୁଣ୍ଡିର ଶ୍ରୀ ପଦ୍ମନାଭ ରଙ୍ଗାଳୟର ସକଳ ବନ୍ଦୋବସ୍ତ ଓ ପରିଚାଳନା ଭାର ଶ୍ୟାମସୁନ୍ଦର ନିଭାଉଥିଲେ । 'ଗଞ୍ଜାମ ନିଉସ୍' ନାମକ ଇଂରାଜୀ ସାପ୍ତାହିକ ପତ୍ରିକାର ସମ୍ପାଦକ ଭାବେ ମଧ୍ୟ କାମ କରିଥିଲେ ।[୨]

ସାହିତ୍ୟ ପ୍ରତି ଅବଦାନ[ସମ୍ପାଦନା]

ଓଡ଼ିଆ ସାହିତ୍ୟ ପ୍ରତି ଶ୍ୟାମସୁନ୍ଦରଙ୍କ ଗଭୀର ଆଗ୍ରହ ଥିଲା । ପୁରାତନ ତାଳପତ୍ର ପୋଥି ଆଦି ସଙ୍ଗ୍ରହ କରି ପଢ଼ିବାରେ ସେ ସୁଖ ପାଉଥିଲେ । କର୍ଣ୍ଣାଟ ରାଗରାଗିଣୀରେ କେତେକ ଗୀତ ରଚନା କରି ସେ ଓଡ଼ିଶୀ ସଙ୍ଗୀତର ଦାକ୍ଷିଣାତ୍ୟ ରୀତିକୁ ଉନ୍ନତ କରିଥିଲେ । 'Feasts and Fasts of the Oriyas' ନାମକ ଖଣ୍ଡିଏ କ୍ଷୁଦ୍ର ସଂକଳନଟିଏ ରାଜଗୁରୁ ଲେଖିଥିଲେ । ଗଞ୍ଜାମ ଜିଲ୍ଲାରେ କଚେରୀରେ ତେଲୁଗୁ ବଦଳରେ ଓଡ଼ିଆ ଭାଷା ପ୍ରଚଳନ ପାଈଁ ରାଜଗୁରୁଙ୍କ ଭୂମିକା ଅତୁଳନୀୟ ।

ଦେହତ୍ୟାଗ[ସମ୍ପାଦନା]

ପାରଳାର କୀର୍ତ୍ତିଚନ୍ଦ୍ର ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜ ସି ଆଇ ଇଙ୍କ ଅକାଳ ବିଯୋଗ ହେତୁ ନାବାଳକ ଯୁବରାଜ ମହୋଦୟ ମାନ୍ଦ୍ରାଜ ନଗରସ୍ଥ ନ୍ୟୁଇଂଟନ ରାଜକୁମାର ସ୍କୁଲରେ ସର୍କାରଙ୍କ ଆଦେଶମତେ ଶିକ୍ଷା ପ୍ରାପ୍ତ ହୋଇଥିଲେ । ସେହି ଦିନରୁ ରାଜଗୁରୁଙ୍କ ରାଜକୀୟ ସମ୍ପର୍କ ବନ୍ଦ ରହିଲା । ଏହା ଯୋଗୁଁ ରାଜଗୁରୁ ପୀଡ଼ିତ ହୋଇ ରୁଗ୍ଣ ହୋଇପଡ଼ିଲେ ।

୧୯୦୯ ମସିହାରେ ଶ୍ୟାମସୁନ୍ଦରଙ୍କ ପରଲୋକ ଗମନରେ ଦୁଃଖ ପ୍ରକାଶ କରି ଜିଲ୍ଲା କଲେକ୍ଟର ମ୍ୟୁନିସିପାଲିଟିର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଥିଲେ -

ଶ୍ୟାମସୁନ୍ଦର ରାଜଗୁରୁଙ୍କ ଅକାଳ ବିଯୋଗରେ କେବଳ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ନୁହେଁ ମାତ୍ର ସମଗ୍ର ଗଞ୍ଜାମ କ୍ଷତିଗ୍ରସ୍ତ ହୋଇଛି ।

ରଚନାବଳୀ[ସମ୍ପାଦନା]

ଓଡ଼ିଆ ଛନ୍ଦ ଓ ସାହିତ୍ୟ ଉପରେ ଶ୍ୟାମସୁନ୍ଦର ରାଜଗୁରୁ ଉତ୍କଳ ସାହିତ୍ୟ ପତ୍ରିକାରେ ଅନେକ ପ୍ରବନ୍ଧ ଲେଖିଥିଲେ । ତାଙ୍କ ଲିଖିତ ପ୍ରବନ୍ଧଗୁଡ଼ିକର ସଂକଳନ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା 'ପ୍ରବନ୍ଧାବଳୀ' ନାମରେ ପ୍ରକାଶିତ ହୋଇଛି ।

ଆଧାର[ସମ୍ପାଦନା]

  1. "ଓଡ଼ିଆ ଭାଷା ସାହିତ୍ୟର ଆଦି ଗବେଷକ". sambadepaper.com. Archived from the original on 13 February 2024. Retrieved 12 February 2024.
  2. ୨.୦ ୨.୧ ପ୍ରବନ୍ଧାବଳୀ - ଶ୍ୟାମସୁନ୍ଦର ରାଜଗୁରୁ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪ ।