ସୁଦର୍ଶନ ଶିଳ୍ପକଳା ସଂଗ୍ରହାଳୟ

ଉଇକିପିଡ଼ିଆ‌ରୁ

ସୁଦର୍ଶନ ଶିଳ୍ପକଳା ସଂଗ୍ରହାଳୟ ଓଡ଼ିଶାର ପୁରୀସ୍ଥିତ ଷ୍ଟେସନ ରୋଡ଼ଠାରେ ଅବସ୍ଥିତ ଏକ ଶିଳ୍ପକଳା ସଂଗ୍ରହାଳୟ । ଭାରତୀୟ ମୂର୍ତ୍ତିକାର ସୁଦର୍ଶନ ସାହୁ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ । ଏଠାରେ ମୂର୍ତ୍ତି, ହସ୍ତଶିଳ୍ପ ସାମଗ୍ରୀ, ପଥର ଓ କାଠରେ କାରୁକାର୍ଯ୍ୟ, ଫାଇବରଗ୍ଲାସ ଏବଂ ଚିତ୍ରକଳାର ସଂଗ୍ରହ ରହିଛି ।

ଇତିହାସ[ସମ୍ପାଦନା]

ସୁଦର୍ଶନ ସାହୁ ଜଣେ ଅଣପାରମ୍ପରିକ ମୂର୍ତ୍ତିକାର ଓ ପୁରୀସ୍ଥିତ ନିଜ ପୈତୃକ ବାସଭବନରେ ସେ କାଠ ଓ ପଥରରେ ଏହି କଳା ଅଭ୍ୟାସ ଆରମ୍ଭ କରିଥିଲେ । ସମଗ୍ର ଭାରତ ଭ୍ରମଣ କରିବା ଏବଂ ବିଭିନ୍ନ ଅଞ୍ଚଳର ମୂର୍ତ୍ତି କଳାର ବିଭିନ୍ନ ଦିଗକୁ ବୁଝିବା ପରେ ସେ ଏକ କର୍ମଶାଳା ଏବଂ ସୋ'ରୁମ୍ ସ୍ଥାପନ କରିବାକୁ ସ୍ଥିର କରିଥିଲେ । ୧୯୭୭ ମସିହାରେ ସେ ଏବଂ ଅନ୍ୟ ସମସାମୟିକ କଳାକାରମାନେ କଳାକାରମାନଙ୍କୁ ସେମାନଙ୍କ କଳାକୃତି ତିଆରି ଏବଂ ପ୍ରଦର୍ଶନ କରିବା ପାଇଁ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ ।[୧][୨]

ସଂଗ୍ରହ[ସମ୍ପାଦନା]

ସୁଦର୍ଶନ ଶିଳ୍ପକଳା ସଂଗ୍ରହାଳୟରେ ମୂର୍ତ୍ତି, ହସ୍ତଶିଳ୍ପ ସାମଗ୍ରୀ, ପଥର ଓ କାଠରେ କାରୁକାର୍ଯ୍ୟ, ଫାଇବରଗ୍ଲାସ ଏବଂ ଚିତ୍ରକଳାର ସଂଗ୍ରହ ରହିଛି । ଏଠାରେ କାଠ କଳାକୃତି ଓ ମୂର୍ତ୍ତି, ପଥର ଖୋଦେଇ, ଚିତ୍ରକଳା ଓ ହସ୍ତଶିଳ୍ପ ସାମଗ୍ରୀ ଆଦି ରଖାଯାଇଛି । ଏଠାରେ ଥିବା ଦୋକାନରେ ପଥର କାରୁକାର୍ଯ୍ୟ ଏବଂ ଧାତବ ମୂର୍ତ୍ତି ବିକ୍ରୀ ମଧ୍ୟ ହୋଇଥାଏ । ସଂଗ୍ରହାଳୟ ଭିତରେ ଥିବା ବୌଦ୍ଧ ମନ୍ଦିର ଜାପାନୀ ସ୍ଥାପତ୍ୟ ଶୈଳୀରେ ନିର୍ମିତ । ମନ୍ଦିର ପରିସରରେ ପାଠାଗାର, କର୍ମଶାଳା, ସୋ'ରୁମ୍, ପ୍ରଶିକ୍ଷଣ ଓ ଆବାସିକ ସୁବିଧା ମଧ୍ୟ ରହିଛି ।[୧]

ମୁଖ୍ୟ ବ୍ୟକ୍ତିବିଶେଷ[ସମ୍ପାଦନା]

ସୁଦର୍ଶନ ଶିଳ୍ପକଳା ସଂଗ୍ରହାଳୟ ପ୍ରତିଷ୍ଠା ପଛରେ ସୁଦର୍ଶନ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୨୧ ମସିହାରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ଏବଂ ୧୯୮୮ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।[୧]

ପରିଚାଳନା[ସମ୍ପାଦନା]

ପ୍ରବେଶ[ସମ୍ପାଦନା]

ଏହି ସଂଗ୍ରହାଳୟ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାରହିଥାଏ । ସଂଗ୍ରହାଳୟକୁ ଯିବା ପାଇଁ ଭାରତୀୟଙ୍କ ପାଇଁ ୫ ଟଙ୍କା ଏବଂ ବିଦେଶୀ ନାଗରିକଙ୍କ ପାଇଁ ୫୦ ଟଙ୍କା ପ୍ରବେଶ ଶୁଳ୍କ ରହିଛି ।[୨]

ଅବସ୍ଥାନ[ସମ୍ପାଦନା]

ସଂଗ୍ରହାଳୟଟି ପୁରୀ ସହରର ଷ୍ଟେସନ ରୋଡ଼ରେ ଅବସ୍ଥିତ । ଏଠାରୁ ପୁରୀ ରେଳ ଷ୍ଟେସନଠାରୁ ୪୦୦ ମିଟର ଦୂର । ପୁରୀ ବସଷ୍ଟାଣ୍ଡ ସଂଗ୍ରହାଳୟଠାରୁ ପ୍ରାୟ ୧.୪ କିଲୋମିଟର ଦୂରରେ ଅବସ୍ଥିତ । ସଂଗ୍ରହାଳୟର ନିକଟତମ ବିମାନବନ୍ଦର ହେଉଛି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଏହା ଆନୁମାନିକ ୫୯ କିଲୋମିଟର ଦୂରରେ ଅବସ୍ଥିତ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sudarshan Crafts Museum Puri (Entry Fee, Timings, History, Images, Location & Entry ticket cost price) - Bhubaneswar Tourism 2023". bhubaneswartourism.in. Retrieved 2023-04-17.
  2. ୨.୦ ୨.୧ "Sudarshan Craft Museum, Puri - Timings, Entry Fee, History & Artifacts". Trawell.in. Retrieved 2023-04-17.