ସିରିଆ

ଉଇକିପିଡ଼ିଆ‌ରୁ

ସିରିଆ (ଆନୁଷ୍ଠାନିକ ନାମ ସିରିଆ ଆରବ ଗଣରାଜ୍ୟ) , ପଶ୍ଚିମ ଏସିଆର ଦକ୍ଷିଣ-ପଶ୍ଚିମ ଲେବାନନ୍ ସୀମାରେ ଅବସ୍ଥିତ ଏକ ଦେଶ | ଏହର ପଶ୍ଚିମରେ ଭୂମଧ୍ୟସାଗର, ଉତ୍ତରରେ ତୁର୍କୀ, ପୂର୍ବରେ ଇରାକ, ଦକ୍ଷିଣରେ ଜୋର୍ଡାନ ଏବଂ ଦକ୍ଷିଣ-ପଶ୍ଚିମରେ ଇସ୍ରାଏଲ୍ ଅବସ୍ଥିତ । ଉର୍ବର ସମତଳ ଭୂମି, ଉଚ୍ଚ ପର୍ବତ ଏବଂ ମରୁଭୂମିରେ ଭର ଏହା ଏକ ଦେଶ । ସିରିଆରେ ବିଭିନ୍ନ ଜାତି ଏବଂ ଧାର୍ମିକ ଗୋଷ୍ଠୀ ବାସ କରନ୍ତି, ଯେପରିକି ସିରିଆ ଆରବ, କୁର୍ଦ୍ଦ, ତୁର୍କମେନ, ଆସିରୀୟ, ଆର୍ମେନିଆ, ସର୍କାସିଆନ୍, ମାଣ୍ଡିଆନ୍ ଏବଂ ଗ୍ରୀକ୍ । ସିରିଆ ହେଉଛି ଏକ ଐକିକ ଗଣତନ୍ତ୍ର ଯାହାକି ୧୪ଟି ରାଜ୍ୟକୁ ନେଇ ଗଠିତ ଏବଂ ଏହା ହେଉଛି ଏକମାତ୍ର ଦେଶ ଯିଏ ବାଥ-ପନ୍ଥକୁ ସମର୍ଥନ କରେ।ଏହା ମିଳିତ ଜାତିସଂଘ ବ୍ୟତୀତ ଗୋଷ୍ଠି ନିରପେକ୍ଷ ସଂଗଠନ (ନାମ୍)ର ସଦସ୍ୟ । ଏହା ନଭେମ୍ବର ୨୦୧୧ରେ ଆରବ ଲିଗରୁ ନିଲମ୍ବିତ ହୋଇଥିଲା ଏବଂ ଇସଲାମିକ୍ ସହଯୋଗ ସଂଗଠନ ଏବଂ ଭୂମଧ୍ୟସାଗରୀୟ ସଂଘରୁ ଆତ୍ମ-ନିଲମ୍ବିତ ହୋଇଥିଲା।

ଇତିହାସ[ସମ୍ପାଦନା]

ବର୍ତ୍ତମାନର ସିରିଆ ଅଞ୍ଚଳ , ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀରେ ନବ-ଆସିରିୟ ସାମ୍ରାଜ୍ୟ ଅଧୀନରେ ଏକୀଭୂତ ହୋଇଥିଲା, ଯାହାର ରାଜଧାନୀ ଥିଲା ଆସ୍ସର ସହର । ବର୍ତ୍ତମାନର "ସିରିଆ" ନାମ "ଆସ୍ସର"ରୁ ଉଦ୍ଭବ | ଏହି ଅଞ୍ଚଳ ସମୟ କ୍ରମେ ବିଭିନ୍ନ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅନେକ ଜାତୀୟ ବାସିନ୍ଦା ଏଠାରେ ବସବାସ କରିବାକୁ ଲାଗିଲେ |[୧] ସିରିଆ ସରକାରଙ୍କଦ୍ୱାରା ମିଳିତ ଜାତିସଂଘର ଚାର୍ଟର୍ ସ୍ୱାକ୍ଷର ହେବା ପରେ ୨୪ ଅକ୍ଟୋବର ୧୯୪୫ରେ ପ୍ରଥମ ଥର ପାଇଁ ସିରିଆ ଏକ ସ୍ୱାଧୀନ ଦେଶ ଭାବରେ ଅସ୍ତିତ୍ବକୁ ଆସିଥିଲା । ୨୧ ଫେବୃଆରୀ ୧୯୫୮ରେ , ସିରିଆ ଓ ଇଜିପ୍ଟ ସହିତ ମିଶି "ମିଳିତ ଆରବ ଗଣରାଜ୍ୟ" ସୃଷ୍ଟି କରିଥିଲେ। ୧୯୬୧ ମସିହାରେ ସିରିୟା ଏଥିରୁ ଅଲଗା ହୋଇ ଏହାର ସମ୍ପୂର୍ଣ୍ଣ ସ୍ୱାଧୀନତା ପୁନର୍ବାର ପାଇଥିଲା। 1963 ପରଠାରୁ, ସିରିଆ ଆସାଦ୍ ପରିବାରଦ୍ୱାରା ପରିଚାଳିତ ବାଥ୍ ପାର୍ଟିଦ୍ୱାରା ଶାସିତ ହୋଇଆସୁଛି । ବର୍ତ୍ତମାନ ସିରିଆରେ ଏକ ବହୁପାକ୍ଷିକ ଗୃହଯୁଦ୍ଧ ହେତୁ ସିରିଆ ବିକ୍ଷୁବଧ ସ୍ଥିତିରେ ଅଛି।[୨]

ଭୂଗୋଳ[ସମ୍ପାଦନା]

ଜଳବାୟୁ ମାନଚିତ୍ର

ସିରିଆ ୩୨°ରୁ ୩୮° ଉତ୍ତର ଅକ୍ଷାଂଶ ଏବଂ ୩୫°ରୁ ୪୩° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ | ଏହାର ଜଳବାୟୁ ବିଭିନ୍ନ ପ୍ରକାରର, ଯଥା -: ଆର୍ଦ୍ର ଭୂମଧ୍ୟସାଗରୀୟ ଉପକୁଳାଞ୍ଚଳ, ଅର୍ଧ୍ଧ ଶୁଷ୍କ ଷ୍ଟେପ୍ ତୃଣ ଭୁମି , ପୂର୍ବରେ ଶୁଷ୍କ ମରୁଭୂମି । ଦେଶର ଅଧିକାଂଶ ଅଞ୍ଚଳ ଶୁଷ୍କ ମାଳଭୂମିକୁ ନେଇ ଗଠିତ, ଯଦିଓ ଭୂମଧ୍ୟସାଗରର ସୀମାନ୍ତ ଉତ୍ତର-ପଶ୍ଚିମ ଭାଗ ଯଥେଷ୍ଟ ସବୁଜ ଅଟେ | ଉତ୍ତର-ପୂର୍ବରେ ଅଲ-ଜାଜିରା ଏବଂ ଦକ୍ଷିଣରେ ହାୱାରନ୍ ଏହାର ଏକ ଗୁରୁତ୍ୱପୂର୍ଣ୍ଣ କୃଷି କ୍ଷେତ୍ର ଅଟେ | ୟୁଫ୍ରେଟିସ୍ , ସିରିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନଦୀ, ପୂର୍ବରେ ଦେଶ ଅତିକ୍ରମ କରେ | ତଥାକଥିତ "ସଭ୍ୟତାର ଏନ୍ତୁଡିଶାଳ" ଭାବେ ପରିଚିତ ପନ୍ଦରଟି ଦେଶ ମଧ୍ୟରୁ ସିରିଆ ଅନ୍ୟତମ। [୩]

ସରକାର[ସମ୍ପାଦନା]

ସିରିଆର ସଂସଦ ଗୃହ, ମଧ୍ୟ-ବିଂଶ ଶତାବ୍ଦିରେ

ସିରିଆ ଆନୁଷ୍ଠାନିକ ଭାବରେ ଏକ ଏକ ଗଣତନ୍ତ୍ର ଅଟେ | ୨୦୧୨ରେ ଗ୍ରହଣ କରାଯାଇଥିବା ସିରିଆର ବର୍ତ୍ତମାନର ସମ୍ବିଧାନ ଏହାକୁ ଏକ ଅର୍ଦ୍ଧ-ରାଷ୍ଟ୍ରପତି ପ୍ରଧାନ ଗଣତନ୍ତ୍ରରେ ପରିଣତ କରିଛି। ରାଷ୍ଟ୍ରପତି ହେଉଛନ୍ତି ରାଜ୍ୟ ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରୀ ମୁଖ୍ୟ।ଏହାର ସଂସଦର ନାମ ହେଉଛି "ପିପୁଲ୍ସ କାଉନସିଲ୍" ହେଉଛି ଆଇନ ପ୍ରଣୟନ, ସରକାରୀ ଅର୍ଥ ଆବଣ୍ଟନ ଅନୁମୋଦନ ଏବଂ ସରକାରୀ ନୀତି ବିତର୍କ ପାଇଁ ଉତ୍ତରଦାୟୀ । ମହାଭିଯୋଗ ପ୍ରସ୍ତାବ ସାଧାରଣ ସଂଖ୍ୟାଗରିଷ୍ଠତାଦ୍ୱାରା ସଂସଦରେ ଗୃହିତ ହେଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେବା ଆବଶ୍ୟକ। ସିରିଆ ଗୃହଯୁଦ୍ଧ ସମୟରେ ଗଠିତ ଦୁଇଟି ବିକଳ୍ପ ସରକାର, ସିରିଆର ମଧ୍ୟବର୍ତ୍ତୀକାଳୀନ ସରକାର (୨୦୧୩ରେ ଗଠିତ) ଏବଂ ସିରିଆ ସାଲଭେସନ୍ ସରକାର (୨୦୧୭ରେ ଗଠିତ) ଦେଶର ଉତ୍ତର-ପଶ୍ଚିମ ଭାଗକୁ ନିୟନ୍ତ୍ରଣ କରୁଛନ୍ତି।[୨]

ସ୍ୱାଧୀନତା ପରର ସିରିଆର ପ୍ରଥମ ରାଷ୍ଟ୍ରପତି ଶୁକ୍ରି ଆଲ୍-କୁଆତ୍ଲି

ପ୍ରଶାସନିକ ବିଭାଜନ[ସମ୍ପାଦନା]

ସିରିଆ ୧୪ଟି ରାଜ୍ୟରେ ବିଭକ୍ତ, ଯାହାକି ୬୧ଟି ଜିଲ୍ଲାରେ ଉପବିଭକ୍ତ। ପ୍ରତ୍ୟେକ ଜିଲ୍ଲା ଅନେକ ଉପ-ଜିଲ୍ଲାରେ ବିଭକ୍ତ | ଉତ୍ତର ସିରିଆର ଡେମୋକ୍ରାଟିକ୍ ଫେଡେରେସନ୍, ବାସ୍ତବରେ ସ୍ୱୟଂଶାସିତ ମାତ୍ର ଏହ ସିରିଆର ସରକାରଙ୍କଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ |[୨]

ଅର୍ଥନୀତି[ସମ୍ପାଦନା]

ସିରିଆର ଅର୍ଥନୀତି ୨୦୧୫ ଅନିୟମିତ ରାଜସ୍ୱ ଉତ୍ସ ଉପରେ ନିର୍ଭର କରେ । ଯେପରିକି କଷ୍ଟମ୍ ଶୁଳ୍କ ଏବଂ ଆୟକର ଯାହା ଇରାନରୁ ଆସିଥିବା ଋଣ ଉପରେ ନିର୍ଭରଶୀଳ। ସିରିଆର ଗୃହଯୁଦ୍ଧ ସମୟରେ ଇରାନ ସିରିଆ ପାଇଁ ବର୍ଷକୁ ୬ ବିଲିୟନରୁ ୨୦ ବିଲିୟନ ଡ଼ଲାର ମଧ୍ୟରେ ଖର୍ଚ୍ଚ କରିଥିବାର ବିଶ୍ୱାସ କରାଯାଏ । ଗୃହଯୁଦ୍ଧ ସମୟରେ ସିରିଆର ଅର୍ଥନୀତି ୬୦% ସଂକୁଞ୍ଚିତ ହୋଇଛି ଏବଂ ସିରିଆ ପାଉଣ୍ଡ ଏହାର ୮୦% ମୂଲ୍ୟ ହରାଇଛି । ଏହି ସମୟରେ ଏହାର ଅର୍ଥନୀତି ରାଷ୍ଟ୍ରାୟତ୍ତ ଏବଂ ଯୁଦ୍ଧ ଅର୍ଥନୀତିରେ ପରିଣତ ହୋଇଛି। ସିରିଆକୁ ବିଶ୍ୱ ବ୍ୟାଙ୍କଦ୍ୱାରା "ନିମ୍ନ ମଧ୍ୟମ ଆୟ ଦେଶ" ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ୨୦୧୦ ମସିହାରେ ସିରିଆ ତୈଳ ଏବଂ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ରହିଥିଲା। ରପ୍ତାନି ଆୟର ପ୍ରାୟ ୪୦% ତୈଳ କ୍ଷେତ୍ର ଯୋଗାଇଥାଏ |[୪]

ଜନସମୂହ[ସମ୍ପାଦନା]

ଅଧିକାଂଶ ଲୋକ ୟୁଫ୍ରେଟିସ୍ ନଦୀ ଉପତ୍ୟକା ଏବଂ ଉପକୂଳ ସମତଳ ଅଞ୍ଚଳରେ ବାସ କରନ୍ତି। ଏହା ଉପକୂଳ ପର୍ବତ ଏବଂ ମରୁଭୂମି ମଧ୍ୟରେ ଏକ ଉର୍ବର ସ୍ଥାନ । ସିରିଆରେ ସମୁଦାୟ ଜନସଂଖ୍ୟା ଘନତା ବର୍ଗ କିଲୋମିଟର ପ୍ରତି ୯୯ (ବର୍ଗ ମାଇଲ ପ୍ରତି ୨୫୮) | ଯୁକ୍ତରାଷ୍ଟ୍ର ଆମେରିକାର ଶରଣାର୍ଥୀ ତଥା ପ୍ରବାସୀ କମିଟିଦ୍ୱାରା ପ୍ରକାଶିତ "ୱାର୍ଲ୍ଡ ରିଫ୍ୟୁଜି ସର୍ଭେ" ୨୦୦୮ ଅନୁଯାୟୀ ସିରିଆରେ ପ୍ରାୟ ୧,୮୫୨,୩୦୦ ସଂଖ୍ୟାରେ ଶରଣାର୍ଥୀ ବାସକରନ୍ତି । ଏହି ଜନସଂଖ୍ୟାର ଅଧିକାଂଶ ଅଂଶ ଇରାକ (୧,୩୦୦,୦୦୦)ରୁ ଆସିଥିଲେ, ଏହାସହ ପାଲେଷ୍ଟାଇନ (୫୪୩,୪୦୦) ଏବଂ ସୋମାଲିଆ (୫,୨୦୦)ର ବହୁ ସଂଖ୍ୟାରେ ଶରଣାର୍ଥୀ ଏଠାରେ ରହୁଥିଲେ।

ଆଧାର[ସମ୍ପାଦନା]

  1. Roux, G. (1972). Ancient Iraq... A pelican book. History and archaeology. Penguin Books. p. 381. Retrieved 2020-11-09.
  2. ୨.୦ ୨.୧ ୨.୨ "Syria (05/07)". U.S. Department of State. 2009-01-20. Retrieved 2020-11-09.
  3. Egyptian Journal of Geology – Volume 42, Issue 1 – Page 263, 1998
  4. Lobel, Mark (2015-06-23). "Syria's economy cut in half by conflict". BBC News. Retrieved 2020-11-09.