ସଜନା

ଉଇକିପିଡ଼ିଆ ରୁ
ସଜନା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Brassicales
କୁଳ: Moringaceae
ପ୍ରଜାତି: Moringa
ଜାତି: M. oleifera
ବାଇନୋମିଆଲ ନାଆଁ
Moringa oleifera
Lam.

ସଜନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତ ଓ ରକ୍ତ ଭେଦରେ ଏହା ଦୁଇ ପ୍ରକାରର। ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ଥାଏ। ଏ ଦୁଇ ଜାତିର ସଜନାର ଗୁଣ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି। ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ।

ସଜନା ପତ୍ର ଓ ଫୁଲ

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ସଜନା
ସଂସ୍କୃତ ଶିଗ୍ରୁ, ଶୋଭାଞ୍ଜନ, ତୀକ୍ଷ୍ଣ ଗନ୍ଧକ, ଅକ୍ଷୀବ
ହିନ୍ଦୀ ସୈଜିନା सैजिना
ବଙ୍ଗଳା ସଜୋନା সেজানা

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁ ତିକ୍ତ ମିଶ୍ରିତ ମଧୁର ରସ। ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ, ରୁଚିକର, ତୀକ୍ଷ୍ଣ, ଚକ୍ଷୁ ହିତକାରି, ବୀର୍ଯ୍ୟ ବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତ ପିତ୍ତକର, ବାୟୁବର୍ଦ୍ଧକ, ଗଳଗଣ୍ଡ, ପ୍ଳୀହା, ମେଦରୋଗ, ଗୁଳ୍ମ, ବ୍ରଣ ଓ ପିତ୍ତଦୋଷ ବିନାଶକ।

ବ୍ୟବହାର[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ।
  • ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ। ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ।
ସଜନା ଛୁଇଁ
  • ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ।
  • ସଜନା ଛେଲି ଓ ଶ୍ୱେତସୋରିଷ ଏ ଦୁଇ ପଦାର୍ଥକୁ ଗୋମୂତ୍ରରେ ବାଟି ଲଗାଇଲେ ଗୋଡ଼ଫୁଲା ଭଲହୁଏ।
  • ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଯାଏ।
  • ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଲଗାଯାଏ।
  • ବାଗୀ, ଭଗନ୍ଦର, ବିଇଞ୍ଚି ଓ ବିବର୍ଚ୍ଚିକା ଆଦିରେ ସଜନା ଛାଲିକୁ ଜଳରେ ସିଝାଇ ସେଇ ଜଳରେ ଉଷୁମ ଥାଉଁଣୁ ଧୋଇଲେ ଉପକାର ମିଳେ।
  • ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ।
  • ବାୟୁ, ଅଜୀର୍ଣ୍ଣ, ମେଦବୃଦ୍ଧିରେ ସୋରିଷ ଓ ସଜନା ଛେଲିକୁ ଏକତ୍ର ବାଟି ସେବନ କରି କିଛି ଉଷୁମ ଜଳ ସେବନ କଲେ ଉପକାର ମିଳେ।
କଟା ସଜନା ଛୁଇଁ

ଅନ୍ୟାନ୍ୟ[ସମ୍ପାଦନା]

  • ସଜନା ଏକ ଭଲ ପରିବା। ଏହାର ଛୁଇଁରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ତରକାରୀ ପ୍ରସ୍ତୁତ ହୁଏ। ଏହାଛଡା ସଜନା ଶାଗ ମଧ୍ୟ ଖୁବ୍ ସ୍ୱାଦିଷ୍ଠ।
ଛୁଈଁ ଭଜା

ପୌଷ୍ଟିକତତ୍ତ୍ୱ[ସମ୍ପାଦନା]

ସଜନା ପୌଷ୍ଟିକ ଗୁଣରେ ଭରା। ନିମ୍ନ ତାଲିକାରୁ ଏହା ସୁସ୍ପଷ୍ଟ। [୧]

ପୌଷ୍ଟିକତତ୍ତ୍ୱ ସାଧାରଣ ଖାଦ୍ୟ ସଜନାର ସଜ ପତ୍ର ସଜନାର ଶୁଖିଲା ପତ୍ର
ଭିଟାମିନ୍ ଏ ଗାଜର 1.8 mg 6.8 mg 18.9 mg
କ୍ୟାଲସିୟମ କ୍ଷୀର 120 mg 440 mg 2003 mg
ପଟାସିୟମ୍ କଦଳୀ 88 mg 259 mg 1324 mg
ପ୍ରୋଟିନ୍ ବସାଦହି 3.1 g 6.7 g 27.1 g
ଭିଟାମିନ୍ ସି କମଳା ଲେମ୍ବୁ 30 mg 220 mg 17.3 mg

ଆଧାର[ସମ୍ପାଦନା]

  1. C. Gopalan, B. V. Rama Sastri, S. C. Balasubramanian (1989). Nutritive Value of Indian Foods. National Institute of Nutrition, Indian Council of Medical Research. 

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।