ଶାଗ

ଉଇକିପିଡ଼ିଆ ରୁ
ଏହି ଲେଖାଟି ଖାଦ୍ୟ ରୂପେ ବ୍ୟବହୃତ ଶାଗ ବିଷୟରେ ମୋଟାମୋଟି ସୂଚନା ଦେବାପାଇଁ ଉଦ୍ଦିଷ୍ଟ । ନାନା କିସମର ଶାଗ ପାଇଁ "ବିଭିନ୍ନ ପ୍ରକାର ଶାଗର ତାଲିକା" ଦେଖନ୍ତୁ ।
ଶାଗ
ସୁନୁସୁନିଆ ଶାଗ
ଆରମ୍ଭ
ମୂଳ ଜାଗା ଭାରତ, ପାକିସ୍ଥାନ
ଅଞ୍ଚଳ ଓଡ଼ିଶା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନ ସୋରିଷ

ଗୁଳ୍ମ ବା ଲତାର ପତ୍ରକୁ ଶାକ ବା ଶାଗ କୁହାଯାଏ । ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେତେକ ସ୍ଥାନରେ ଏହାକୁ ରୋଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ ।[୧]

ମୁଖ୍ୟ ଖାଦ୍ୟ[ସମ୍ପାଦନା]

ଶାଗ ଓଡ଼ିଶା ସମେତ ଭାରତର ବାକି ରାଜ୍ୟମାନଙ୍କରେ ଓ ପାକିସ୍ଥାନରେ ଖିଆଯାଇଥାଏ ।ଏହା ଓଡ଼ିଶା ଓ ପାଖାପାଖି ରାଜ୍ୟରେ ଭାତ ସହ ଖିଆଯାଉଥିବାବେଳେ ପଞ୍ଜାବ ଓ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ରୋଟି ସହ ଖିଆଯାଇଥାଏ । ଦକ୍ଷିଣ ଭାରତରେ ସମ୍ବର (ଖାଦ୍ୟ) ତିଆରି ବେଳେ ମଧ୍ୟ ଶାଗର ବ୍ୟବହାର କରାଯାଏ । ଓଡ଼ିଶାର ଗାଁ ଗହଳିରେ ଲୋକମାନଙ୍କର ରୋଷଘରେ କିଛି ପନି ପରିବା ନଥିଲେ ମଧ୍ୟ ବାଡ଼ିର ସଜନା ଶାଗ ଅଥବା ପଟାଳିରୁ ପୁଞ୍ଜାଏ ଲେଉଟିଆ ଶାଗରେ କାମ ଚଳିଯାଏ। କଥିତ ଅଛି ଭକ୍ତ ବିଦୁରର ଶାଗଭଜା ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁର୍ଯ୍ୟୋଧନର ରାଜସିକ ବ୍ୟଂଜନଠାରୁ ଅଧିକ ପ୍ରିୟଥିଲା। ଏହା ଅନେକ ଜାତିର ହେଲେ ବି ପ୍ରତ୍ୟେକ ପ୍ରକାରର ଶାଗ ପୁଷ୍ଟିକର ଓ ଲୌହସାରର ଭଣ୍ଡାର।

ଶାଗ ଓ ପରମ୍ପରା[ସମ୍ପାଦନା]

ଶାଗ କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଶାର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଗ। କୁହାଯାଏ ସୃଷ୍ଟିର ପ୍ରାରମ୍ଭ ସୂକ୍ଷ୍ମ ଶିଉଳିରୁ ହୋଇଅଛି। ଶାସ୍ତ୍ରରେ ବର୍ଣ୍ଣିତ ଅଛି, ‘‘ଶାକମ୍ବରିତ ବିଖ୍ୟାତଂ ତନ୍ମେ ନାମ ଭବିଷ୍ୟତି।’’ ଅର୍ଥାତ୍ ଜଗଜ୍ଜନନୀ ଦେବୀ କହିଛନ୍ତି, ଯେତେବେଳେ ସୃଷ୍ଟିରେ ଜୀବମାନଙ୍କୁ କିଛି ବି ଖାଇବାକୁ ମିଳିବ ନାହିଁ, ସେତେବେଳେ ସେ ‘ଶାକ’ ବା ‘ଶାଗ’ରୂପରେ ସେ ଜଗତକୁ ରକ୍ଷା କରିବେ।

ଶାଗ ଓ ଓଡ଼ିଶାର ପର୍ବପର୍ବାଣୀ[ସମ୍ପାଦନା]

ଓଡ଼ିଶାର ପର୍ବପର୍ବାଣୀ ସହିତ ଶାଗର ପ୍ରଚଳନ ଅଂଗାଅଂଗି ଭାବେ ଜଡ଼ିତ।

  • କାର୍ତ୍ତିକ ମାସ ସୋମବାର ଓ ମାର୍ଗଶିର ମାସ ଗୁରୁବାର ପରି ପବିତ୍ର ଦିନ ମାନଙ୍କରେ ଶାଗ ବ୍ୟଂଜନଟିଏ କରିବାର ପ୍ରଥା ପ୍ରଚଳିତ।
  • ଗର୍ଭଣା ସଂକ୍ରାନ୍ତିରେ ସାତ ପ୍ରକାରର ଶାଗ ପ୍ରସ୍ତୁତ କରିବାର ବିଧି ରହିଅଛି।
  • ମାର୍ଗଶିର ମାସ ଗୁରୁବାରଦିନ ମା ଲକ୍ଷ୍ମୀଙ୍କ ପାଖରେ କଳମ ଶାଗର ଭଜା ଭୋଗ ଦିଆଯାଇଥାଏ।
  • ଭାଦ୍ରବ ମାସରେ ସାତ ଶାଗ ପର୍ବ ପାଳନ କରାଯାଏ। ସାତ ଦିନ ପର୍ଯ୍ୟନ୍ତ ଶାଗ ଖରଡ଼ା ଖିଆଯାଏ ନାହିଁ। ସପ୍ତମ ଦିନରେ ସାତ ପ୍ରକାର ଶାଗ ଖରଡ଼ି ଗାଁର ଛକ ସ୍ଥାନରେ ଲାଗି କରିବା ପରେ ଭୋଜନ କରାଯାଏ।
  • ରାତିରେ କୂଳବଧୁ ଭାତ ପିଣ୍ଡ ଦେବାବେଳେ ସଜନା ଶାଗର ସମର୍ପଣର ବିଧି ରହିଛି।
  • କେନ୍ଦୁଝର ଅଞ୍ଚଳରେ ଅକ୍ଷୟ ତୃତୀୟୋ ଦିନ ଶାଗ ଭୋଜନ ନିଷେଧ।
  • ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାବେଳେ କଞ୍ଚା ଲେଉଟିଆ ଶାଗ ଦରକାର ହୋଇଥାଏ।
  • ଝିଅ ବାହାଘର ପରେ ଚତୁର୍ଥୀବେଳକୁ ସ୍ୱତନ୍ତ୍ର ଶାଗଭାର ବାପଘରୁ ଆସିଥାଏ। ବୋହୁଟି ଶାଗ ରନ୍ଧନ କରି, ଶାଶୁଘରର ଇଷ୍ଟଦେବତା (ଇଶାନେଶ୍ୱର)ଙ୍କ ପାଖରେ ଶାଗ ଭୋଗ ଲଗାଇ ଆଶୀର୍ବାଦ ପାଏ। ବୋହୂର ଶାଗ ରାନ୍ଧଣାରୁ ଶାଶୁଘର ଲୋକେ ତା’ର ରାନ୍ଧଣା ଶୈଳୀ ଓ ସଣ୍ଠଣା ଠଉର କରନ୍ତି।
  • ମାଘମାସ ସୋମବାର ଓ କାର୍ତ୍ତିକ ସୋମବାରରେ ଶାଗର ବିଶେଷ ଗୁରୁତ୍ୱ ରହିଛି।

ଶାଗର ପୌଷ୍ଟିକ ତତ୍ତ୍ୱ[ସମ୍ପାଦନା]

ଶାଗକୁ ସବୁଜ ପରିବା ରୂପେ ଗ୍ରହଣ କରାଯାଏ। ଏଥିଲେ ଖାଦ୍ୟସାର A, C, K, B2, B12 ସହିତ ପ୍ରଚୁର ପରିମାଣରେ ଲୌହ ଜାତୀୟ ଶକ୍ତିସାର ରହିଥାଏ। ଏଥିରେଥିବା ତନ୍ତୁ ଜାତୀୟ ପଦାର୍ଥ ଶରୀର ଗଠନ କ୍ରିୟାରେ ସାହାଯ୍ୟ କରେ। ଶାଗର ଜଳଧାରଣର କ୍ଷମତା ଅଧିକ। ଏହା ଶରୀରର ପାଚନ ପ୍ରକିୟାକୁ ପ୍ରତ୍ୟକ୍ଷ ବା ପରୋକ୍ଷରୂପେ ପ୍ରଭାବିତ କରିଥାଏ। ପ୍ରତ୍ୟେକଟି ଶାଗ ଔଷଧୀୟ ଗୁଣ ସମ୍ପନ୍ନ।

ଶାଗ ସେବନରେ ସତର୍କତା[ସମ୍ପାଦନା]

ଶାଗ ପତ୍ର ଜାତୀୟ ଖାଦ୍ୟ ହୋଇଥିବାରୁ ଏଥିରେ ବିଭିନ୍ନ ପ୍ରକାରର କୀଟ ଲାଗିଥାଆନ୍ତି। ଏଥିପାଇଁ ଏହାକୁ ଭଲଭାବେ ପରିସ୍କାର କରି ସେବନ କରିବା ବିଧେୟ। ଏହାଛଡ଼ା ରାତ୍ରିକାଳରେ ଶାକ ସେବନ ସ୍ୱାସ୍ଥ୍ୟପକ୍ଷେ ଅହିତ କର ବୋଲି କେହି କେହି ମତ ଦେଇଥାନ୍ତି।

ପ୍ରକାର ଭେଦ[ସମ୍ପାଦନା]

  • ଓଡ଼ିଶା
    • କଳମ ଶାଗ
    • କୋସଳା ଶାଗ/ଖଡା ଶାଗ
    • ଲେଉଟିଆ ଶାଗ
    • ପାଳଙ୍ଗ ଶାଗ
    • ପିତାଗମା ଶାଗ
    • ପିଡଙ୍ଗ ଶାଗ
    • ପୋଇ ଶାଗ
    • ବାରମାସି/ ସଜନା ଶାଗ
    • ସୁନୁସୁନିଆ ଶାଗ
    • ଅଗସ୍ତି ଶାଗ (କାର୍ତ୍ତିକ ମାସରେ ଖିଆଯାଏ)
    • ପୁରୁଣି ଶାଗ
    • ହିଳମୋଚା/ହିଡ଼ିମିଚା ଶାଗ
    • ସୋରିଷ ଶାଗ
    • ଆମ୍ବିଳିତି ଶାଗ
    • ମୁଟି ଶାଗ/ମୁଠି ଶାଗ
    • ଫିରିକି ଶାଗ
    • ବଥୁଆ ଶାଗ
    • ମେଥି ଶାଗ
ମେଥି ପତ୍ର, ବେସର ବଟା ଓ ନାନାଦି ପରିବା ସହ ରାନ୍ଧି ଏହା ତିଆରି କରାଯାଏ [୨]
  • ପଞ୍ଜାବ
    • ଶାଗ ପନିର
    • ଶାଗ ଆଳୁ
    • ଶାଗ ଗୋଷ୍ଟ

ଶାଗରୁ ପ୍ରସ୍ତୁତ ଅନ୍ୟାନ୍ୟ ବ୍ୟଞ୍ଜନ[ସମ୍ପାଦନା]

  • ଶାଗକୁ, ମୁଖ୍ୟତଃ ପତ୍ର ଶାଗକୁ ଏକାଠି କରି କଖାରୁ ପତ୍ର ମଝିରେ ରଖି, ସେଥିରେ ଆବଶ୍ୟକ ପରିମାଣରେ ଲୁଣ, ତେଲ, ରସୁଣ, ଦେଇ ଚୁଲୀ ନିଆଁରେ ପତ୍ର ସହିତ ପୋଡ଼ି ପତ୍ରପୋଡ଼ା କରି ଖାଇଲେ ଭାରି ଭଲ ଲାଗେ।
  • ଶାଗ ସହିତ ବଢ଼ି ପକାଇ ଭାଜିରେ ତା’ର ସ୍ୱାଦ ନିଆରା ହୋଇଥାଏ।

ଓଡ଼ିଆ ଢଗ ଢମାଳି ଓ ଲୋକ ସାହିତ୍ୟରେ ଶାଗ[ସମ୍ପାଦନା]

କୁମାର ହାସନଙ୍କ ଦ୍ୱାରା ରଚିତ ‘ସମ୍ବଲପୁରୀ ଲୋକ ସାହିତ୍ୟ’, ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳ ଗାଉଁଲି ଗୀତ’, ‘ଲୋକବାଣୀ ସଞ୍ଚୟନ’ ଓ ଡକ୍ଟର କୁଞ୍ଜବିହାରୀ ଦାଶଙ୍କଦ୍ୱାରା ଶାଗ ଉପରେ ଅନେକ ସୁନ୍ଦର କବିତା ରଚନା କରାଯାଇଅଛି। ଶାଶୁ ବୋହୂର ସମ୍ପର୍କ, ଯାନିଯାତ୍ରା, ପର୍ବ ପର୍ବାଣୀ ଗୀତ, ହଳିଆ ଗୀତ, କେନ୍ଦରା ଗୀତ, ଦୋଳି, କଳି, ଗାଳି, କନିଆଁ କାନ୍ଦଣା ଆଦିରେ ଶାଗର ପ୍ରତିଛବି ଦେଖିବାକୁ ମିଳେ।

  • ଶାଗତୋଳିବା ପରି କଷ୍ଟକର କାମରେ ନୂଆ ବୋହୂକୁ ଆକ୍ଷେପ କରି :
କାଳିଆ ଘୋଡ଼ାର ପିଠି
ଶାଗତୋଳାର ତ ନାଁ ନାହିଁ
ହାତ କରୁ ମୁଠି ମୁଠି॥
ଶାଗ ତୋଳି ତୋଳି ନଖନାଇଁ
ଘଇତା ଆଗରେ ସକେଇ କାନ୍ଦୁଛି
ମଦରଙ୍ଗା ମୂଳ ଚିହ୍ନି ନାଇଁ ॥
  • ସମ୍ବଲପୁରର ରସରକେଲି ଗୀତରେ
ଶାଗ୍ ଧୁଆ ଛଟନା କି ଗୋ ଶାଗ୍ ଧୁଆ ଛଟନା
ତୁଇମୁଇଁ ପଲାଇଯିବା ରାଏଗଡ଼ ବସନା
ରାଏଗଡ ବସନା ଗଲେ କାଣା ଖାଏମା
ହାତେ ଅଛି ହୀରାମୁଦି ଭଂଜାଇ ଖାଏମା
ଖଁଜେ ଅଛି ଲାଲ ଗାମୁଛା ନାଗର
ପକାଇ ଶୁଇମା ରସ ଖଂସରି ବସର॥
  • ରଜ ସମୟରେ ଭାଉଜକୁ ଚିଡ଼ାଇ
ପିତାଶାଗ ବୁଦି ବୁଦି
ଭାଇ କାହାସଙ୍ଗେ କଲେ ପୀରତି ହୋ
ହାତୁ ଦେଇ ସୁନା ମୁଦି॥

ସେହି ପରି

ମଦରଙ୍ଗା ଶାଗ ରାଇତା
ନନା ଭୁଞ୍ଜନ୍ତି ନାହିଁ
ଜଳିକି ମାଇଲି ଗୋଇଠା
ଜଳି ଖୋଲିଲା ନାହିଁ॥
  • ରଜଦୋଳି ଗୀତରେ
ମଦରଙ୍ଗା ଶାଗ ରାଇ
ପଖାଳ ଭାତକୁ ଚିଲିକା ଶୁଖୁଆ
ମାଣିକ ପାଟଣା ଦହି॥
  • ବାହାପରେ ଝିଅର ମର୍ମବେଦନା କାନ୍ଦଣା ମାଧ୍ୟମରେ ପ୍ରକାଶ ପାଇଥାଏ।
ବାଡ଼ି କାନିସିରି ଆଦର ନାହିଁ ....ମୋ ମାଆ
ଝିଅ ଚାଲିଗଲେ ଖୋଜିବୁ ଯାହା ...ମୋ ମାଆ
ମୋତେ କରିଦେଲୁ ତୁ କାନିସିରି...ମୋ ମାଆ
କରିଦେଲୁ ମୋତେ ଆଜି ଭଗାରି...ମୋ ମାଆ
  • ବିବାହ ପରେ ପୁଅ ସ୍ତ୍ରୀ ବଶରେ ନ ରହି ମା’ ବୋଲ ମାନୁଥାଉ ଏଇ ଆଶଂକାରେ ଶ୍ୱଶୁର ଘରକୁ ବୁଲି ଯିବା ଆଗରୁ ମା’ କହେ:
ନ ଖାଇବୁ ବାବୁ ତୁରେ ଗୋଡମୋଡ଼ା ଶାଗ
କନିଆଁର ମାଆ ତୋତେ ପରଶିବ ଆଗ
ନଖକଟା ପାତ୍ରେ ତୋତେ ଦେଇଥିବେ ଲୁଣ
ଜାଣିଶୁଣି ବାବୁ ତୁରେ କରିବା ଭୋଜନ
  • ଶାଶୁ ନଣନ୍ଦଙ୍କଠାରୁ ରାନ୍ଧଣାରେ ତ୍ରୁଟି ହେବା ଜନିତ ରୋଷଭରା ଗାଳିଶୁଣି ନିଜ ଭାବକୁ ନୂଆ ବୋହୂଟିଏ ପରିପ୍ରକାଶ ଶାଗ ମାଧ୍ୟମରେ:
ଶାଗ ଖରଡ଼ିଲି ଡାଙ୍ଗେ
ଶାଶୁ ଗାଳିଦେଲେ ନଣନ୍ଦ କହିଲେ
କାଲି ଯିବି ଭାଇ ସଙ୍ଗେ
ଶାଗ ଖରଡ଼ିଲି ଜିରା ପରଜିଲି
ତହିଁରେ ବାସନା ନାହିଁରେ
ଶାଶୁ ଗାଳିଦେଲେ ନଣନ୍ଦ କହିଲେ
ତହିଁରେ ତ ସୁଖ ନାହିଁରେ
  • କିଶୋରୀ ମାନଙ୍କ ପୁଚିଖେଳ ଗୀତରେ:
ପୁଚିଲୋ, ଯା ଘୁଞ୍ଚି ଲୋ
ପୁଚିଲୋ, ଯା ଘୁଞ୍ଚି ଲୋ
ମଦରଙ୍ଗା ଶାଗ ରାଇତା
ମୋର କଳା ମଚମଚ ଘଇତା
  • ଦଣ୍ଡନାଚରେ ଶାଗର ବର୍ଣ୍ଣନା:
ଲେଉଟିଆ ଶାଗ ପଟାଳି ପଟାଳି
ଅଧା ମାଡ଼ିଗଲା କାକର
ଷୋଳ ବୟସର ଯୁବତୀ ଟୋକି
କେତେ କରୁଅଛୁ ଚାତର
ସଜନା ଗଛର ଅଠା
କେତେ କହିଥିଲି ଗୁପତ କଥା
ଦାଣ୍ଡେ କଲୁ ହଟହଟା – ସଜନୀ ଲୋ
ଦାଣ୍ଡେ କଲୁ ହଟହଟା

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. S.P. Sharma; Seema Gupta (3 October 2006). Fairs & Festivals Of India. Pustak Mahal. ପୃଷ୍ଠା. 103–. ISBN 978-81-223-0951-5. http://books.google.com/books?id=54MSg3a63WgC&pg=PA103. Retrieved 15 July 2012. 
  2. ମେଥି ଶାଗ

ଆହୁରି ପଢ଼ନ୍ତୁ[ସମ୍ପାଦନା]

ସଚିତ୍ର ବିଜୟା - ନଭେମ୍ବର ୨୦୦୨

ବାହାର ଲିଙ୍କ[ସମ୍ପାଦନା]