ବୁଢ଼ା ମହାରଣା
ବୁଢ଼ା ମହାରଣା | |
---|---|
ଜନ୍ମ | ୧୯୫୩ ଚିତ୍ରକାର ସାହି, ପୁରୀ |
ମୃତ୍ୟୁ | ଫେବୃଆରୀ ୭, ୨୦୧୭[୧] ପୁରୀ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଅନ୍ନପୂର୍ଣ୍ଣା ମହାରଣା |
ପିତାମାତା | ହାତୀ ମହାରଣା, ରତ୍ନମଣୀ |
ବୁଢ଼ା ମହାରଣା, ଓଡ଼ିଆ କଥାଚିତ୍ର ଜଗତର ଜଣେ କଳା ନିର୍ଦ୍ଦେଶକ[୨] ଓ ଜଗନ୍ନାଥଙ୍କ ସେବକ ଥିଲେ ।[୩] ଜଗନ୍ନାଥ ମନ୍ଦିରରେ ଶାଢିବନ୍ଧା ସେବକ ଓ ଚିତ୍ରକର ସେବାୟତ ଭାବରେ କାର୍ଯ୍ୟ କରିଥିଲେ ।[୪]
ବୁଢ଼ା ମହାରଣା, ୧୯୫୩ ମସିହାରେ ପୁରୀର ଚିତ୍ରକର ସାହିରେ ଜନ୍ମଗ୍ରହଣ କରିଥିଲେ । ନିଜ ପିତାଙ୍କୁଠାରୁ ସେ ପଟ୍ଟଚିତ୍ର କଳା ଶିକ୍ଷା କରିଥିଲେ । ୧୪ବର୍ଷ ବୟସରୁ ସେ କଳାପ୍ରେମରେ ପଡ଼ିଥିଲେ । ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହ ସେ ପିଲା ଦିନରୁ ଜଡ଼ିତ ରହିଥିଲେ । ଘନଶ୍ୟାମ ମହାପାତ୍ର ତାଙ୍କୁ ଚଳଚ୍ଚିତ୍ର ଜଗତ ସହ ପରିଚୟ କରାଇଥିଲେ ।[୫] ୧୯୭୩ ମସିହାର କନକଲତା ଚଳଚ୍ଚିତ୍ରରୁ ସେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । କନକଲତାରୁ ଆରମ୍ଭ କରି, ସ୍ୱୟଂସିଦ୍ଧା ପର୍ଯ୍ୟନ୍ତ ପ୍ରାୟ ୧୨୦ଟି ଚଳଚ୍ଚିତ୍ରରେ ସେ କଳା ନିର୍ଦ୍ଦେଶନା କରିଥିଲେ ।[୬] କଳା ନିର୍ଦ୍ଦେଶନା କ୍ଷେତ୍ରରେ ସେ ବହୁବାର ପୁରସ୍କୃତ ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ବ୍ୟତିତ, ସେ ବଙ୍ଗଳା, ତାମିଲ ଚଳଚ୍ଚିତ୍ର ଏବଂ ହିନ୍ଦୀ ଧାରାବାହିକରେ ମଧ୍ୟ କାମ କରିଥିଲେ ।
କଳା ନିର୍ଦ୍ଦେଶନା ଭିନ୍ନ ଜଗନ୍ନାଥଙ୍କ ସେବକ ଭାବରେ ତାଙ୍କର ଅନ୍ୟ ପରିଚୟ ରହିଥିଲା । ସ୍ନାନ ପୂର୍ଣ୍ଣିମା ପରେ, ଠାକୁର ଅଣସର ଘରକୁ ଯିବା ପରେ, ଯେଉଁ ଅଣସର ପଟି ପ୍ରସ୍ତୁତ କରାଯାଏ, ବୁଢ଼ା ମହାରଣା ସେହି ଆଦ୍ୟ ଚିତ୍ରକାର ବଂଶର ସେବକ ଥିଲେ । ତାଙ୍କ ପରିବାର ବଳଭଦ୍ରଙ୍କ ବାଡ଼ର ଅଣସର ପଟି ଚିତ୍ର କରୁଥିଲେ । ପରେ ସେ ନିଜ ସେବାକୁ ଛାଡ଼ି ତାହା ପରିବାରର ସଦସ୍ୟ ଅନନ୍ତ ମହାରଣାଙ୍କୁ ପ୍ରଦାନ କରି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେବକ ଭାବରେ, ରଥରେ ବିଭିନ୍ନ ଚିତ୍ର ମଧ୍ୟ ଆଙ୍କିଥିଲେ ।[୭]
ଓଡ଼ିଆ କଥାଚିତ୍ରରେ କଳା ନିର୍ଦ୍ଦେଶନା
[ସମ୍ପାଦନା]- ଜୀଅନ୍ତା ଭୂତ[୮]
- ସତମିଛ
- କନକଲତା
- ଗଙ୍ଗା ଯମୁନା
- ସହର ଜଳୁଛି
- ବାପା
- ସ୍ୱୟଂସିଦ୍ଧା
- ଦାଦାଗିରି
- ଶାସ୍ତି
- ରଜନୀଗନ୍ଧା
- ପଞ୍ଚୁପାଣ୍ଡବ
- ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା
- ସବୁ ମାୟାରେ ବାୟା
- ସତ କେବେ ଲୁଚି ରହେନା
- ଦଣ୍ଡାବାଳୁଙ୍ଗା
- ମମତା ମାଗେ ମୂଲ
- ଯାହାକୁ ରଖିବେ ଅନନ୍ତ
- ନାଗ ପଞ୍ଚମୀ
- ତୋ ବିନା ଅନ୍ୟ ଗତି ନାହିଁ
- କି ହେବ ଶୁଆ ପୋଷିଲେ
- କୋଟିଏ ମଣିଷ ଗୋଟିଏ ଜଗା
ମୃତ୍ୟୁ
[ସମ୍ପାଦନା]୭ ଫେବୃଆରୀ ୨୦୧୭ ସନ୍ଧ୍ୟାରେ ବୁଢ଼ା ମହାରଣା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେହତ୍ୟାଗ କରିଥିଲେ ।[୯] ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଓ କଟକର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କାଘାତ ଯୋଗୁଁ ସେ ଏକରକମ ପଙ୍ଗୁ ହୋଇଯାଇଥିଲେ । ମସ୍ତିଷ୍କରେ ୪ଟି ସ୍ଥାନରେ ରକ୍ତ ଜମାଟ ବାନ୍ଧି ଥିଲା, ଯାହା ଫଳରେ ସେ ୨୦୧୬ ମସିହା ମଇ ମାସରୁ ଚିକିତ୍ସିତ ହେଉଥିଲେ । ଏପରିକି କଟକ ଏସ୍ସିବିରେ ତାଙ୍କୁ ଗୋଟିଏ ବେଡ୍ ବି ମିଳିନଥିଲା, ସେଥିପାଇଁ ତାଙ୍କୁ କଟକର ମହାନଦୀବିହାରସ୍ଥିତ ମୁନ୍ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଚିକିତ୍ସା ଖର୍ଚ୍ଚ ପାଇଁ ସଂସ୍କୃତି ବିଭାଗ ଓ ଓମ୍ପଟା ଭଳି ସଂଗଠନ ମେ ମାସରେ ସହଯୋଗ କରିଥିଲେ ।[୧୦]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସିନେ କ୍ରିଟିକ ପୁରସ୍କାର
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର(୧୦ରୁ ଅଧିକ ଥର)
- ଲଳିତ କଳା ଏକାଡେମୀ ପୁରସ୍କାର
- ଚଳଚ୍ଚିତ୍ର ଜଗତ ପୁରସ୍କାର
- ବାଣୀଚିତ୍ର ପୁରସ୍କାର
- ଅଭିନନ୍ଦିକା ପୁରସ୍କାର
ଆଧାର
[ସମ୍ପାଦନା]- ↑ "ବିଶିଷ୍ଟ କଳା ନିର୍ଦ୍ଦେଶକ ବୁଢ଼ା ମହାରଣାଙ୍କ ପରଲୋକ". Odisha Reporters. 7 February 2017. Retrieved 9 February 2017.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ http://www.telegraphindia.com/1130706/jsp/odisha/story_17085784.jsp#.VzWfHjV97IU
- ↑ http://www.telegraphindia.com/1140617/jsp/odisha/story_18519158.jsp#.VzWpiTV97IU
- ↑ http://www.telegraphindia.com/1120105/jsp/odisha/story_14963094.jsp#.VzWpjTV97IU
- ↑ http://www.newindianexpress.com/states/odisha/article310137.ece[permanent dead link]?
- ↑ ସମ୍ବାଦ ୧୩/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬ରେ ପ୍ରକାଶିତ ଖବର "ଆଇସିୟୁରେ ବୁଢ଼ା ମହାରଣା"
- ↑ http://www.thehindu.com/todays-paper/tp-national/tp-otherstates/jayadev-puraskar-for-2008-and-2009-announced/article2330028.ece
- ↑ "Odisha Briefs/Artiste dead". The Telegraph. Calcutta. 9 February 2017. Retrieved 9 February 2017.
- ↑ "ଭେଣ୍ଟିଲେଟରରେ ବୁଢ଼ା ମହାରଣା". ସମ୍ବାଦ. 20 December 2016. Archived from the original on 12 February 2017. Retrieved 9 February 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବୁଢ଼ା ମହାରଣା