ବିଶ୍ୱକର୍ମା

ଉଇକିପିଡ଼ିଆ ରୁ

ଦେବଶିଳ୍ପୀ ବିଶ୍ୱକର୍ମା ପୁରାଣମତେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ଵକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କ ଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।

ବଂଶାବଳୀ[ସମ୍ପାଦନା]

ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ - ୬୫ /୧୦୨) । ତ୍ୱଷ୍ଟା - ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।

ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା
ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।

ବ୍ରହ୍ମବୈବର୍ତ୍ତ ପୁରାଣକାର କହନ୍ତି ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ସେ ସକଳ ଶିଳ୍ପଶାସ୍ତ୍ରରେ ଧୂରୀଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ପୁତ୍ରମାନଙ୍କୁ ଉପଯୁକ୍ତ ଶିକ୍ଷାଦାନକରି ପୁନଶ୍ଚ ସ୍ୱର୍ଗାଲୋକକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର(ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କ ଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି ନଳଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-

ତସ୍ମିନ୍ ଗୋଦାବରୀ ତୀର୍ଥେ ପ୍ରସୂତା ତନୟଂ ନଳମ୍
ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ ବିଶ୍ୱକର୍ମଣ୍ୟପ୍ୟପ୍ୟୁତ୍ୱାତ୍ । (ବାମନ ପୁରାଣ - ୬୫ / ୧୫୪)

ନଳ ରାମାୟଣ ଯୁଗରେ ସାଗର ମଧ୍ୟରେ ସେତୁ ବାନ୍ଧିବାରେ ସଫଳ ହୋଇଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି ।

ତେନୈବମୁକ୍ତୋ ଦିନ କୃତ୍ ତଥେତି
ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ
ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ
କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ । (ନରସିଂହ ପୁରାଣ -୧୯ / ୨୨)

ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ-

ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ
ଯତ୍ନୋଲିଖିତୋ ବିଭାତି । (ରଘୁ - ୬ / ୩୨)

ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଦପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବିନିର୍ମିତ ।[୧]

  • ବିଶ୍ୱକର୍ମାଙ୍କର କନ୍ୟା ସଂଜ୍ଞା ଓ ପୁତ୍ର ନଳ ନାମକ ବାନର।
  • ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ ।
  • ବାନର ସେନାପତି ନଳ ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥର ଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କୀ ମୂହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍‌ ଠକ୍‌ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” ।

ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ ।

ବିଶ୍ଵକର୍ମା ପୂଜା[ସମ୍ପାଦନା]

ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ଵରୂପ ଏଇ ଉତ୍ସବ ପାଳନ କରାଯାଏ । । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ଵୀପରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ।

ଆଧାର[ସମ୍ପାଦନା]

  1. ଲଛମନ ରାଉତ, ସଂଚାର, ପୃଷ୍ଠା-୧୪, ମଙ୍ଗଳବାର ୧୭ ସେପ୍ଟେମ୍ବର ୨୦୧୩