ରାବଣ

ଉଇକିପିଡ଼ିଆ ରୁ
ରାବଣ
ସଂସ୍କୃତ ଅନୁବାଦ Rāvaṇa
ଉପାଧି ରାକ୍ଷସ
ବାସସ୍ଥାନ ଲଙ୍କା
ସାଥି ମନ୍ଦୋଦରୀ

ରାବଣ, ଲଙ୍କାର ରାଜା ଓ ରାମାୟଣର ଜଣେ ଚରିତ୍ର ବା ପାତ୍ର ।

ଜନ୍ମ ଓ ମତବାଦ[ସମ୍ପାଦନା]

ରାବଣ ଲଙ୍କାର ରାଜା ଥିବାରୁ ଅନେକ ଏବେକାର ଶ୍ରୀଲଙ୍କାରେ ତାର ଜନ୍ମ ବୋଲି ମତ ଦେଉଥିଲେ ମଧ୍ୟ ପ୍ରକୃତରେ ସେ ଭାରତରେ ଜନ୍ମ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି । କେତେକ ଗବେଷକ ରାବଣର ଜନ୍ମ ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଇଡା ଅନ୍ତର୍ଗତ ବିଶ୍ରାକ ଗ୍ରାମରେ କହନ୍ତି ।[୧] ଏହି ଅଞ୍ଚଳରେ ୨୪ ନମ୍ବର ଜାତୀୟ ରାଜପଥର ହିଣ୍ଡର ନଦୀ କୂଳରେ ରାବଣର ବାପା ବିଶ୍ରବାଙ୍କ ଦ୍ଵାରା ପ୍ରତିଷ୍ଠିତ ଏକ ଶିବ ମନ୍ଦିର ରହିଛି । ଗ୍ରାମବାସୀ ପ୍ରତିବର୍ଷ ଦଶହରା ସମୟରେ ଏଠାରେ ରାବଣର ମୃତ୍ୟୁ ଦିବସ ପାଳନ କରନ୍ତି ।[୨] ଏଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।[୩]

ତେବେ ରାବଣର ଜନ୍ମ ଓଡ଼ିଶା ରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି । ଅନେକ ବର୍ଷ ପୂର୍ବେ ଭଗବାନ ପତି ଓଡ଼ିଶାରେ ଲଙ୍କା ବୋଲି ପ୍ରମାଣ ଦେଇ ‘ ମୁକୁର’ ରେ ଲେଖା ପ୍ରକାଶ କରିଥିଲେ । ମଧ୍ୟ ପ୍ରଦେଶର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି ଇନ୍ଦୋରର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ । ରାବଣର ଜନ୍ମସ୍ଥାନ ସ୍ଵର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ସହକାର ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢି ତତ୍କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନ ଦ୍ଵାରା ଅନେକ ତଥ୍ୟ ପାଇଥିଲେ । ବିଶ୍ରବା ଋଷି ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି । ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ । ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ରାବଣର ଏନ୍ତୁଡିଶାଳ’ ବୋଲି ଉପମା ଦେଇଥାନ୍ତି । ସୁବର୍ଣ୍ଣପୁରୀ ବା ସ୍ଵର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି । ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ଵରୀ କହିବା ଯୁକ୍ତିଯୁକ୍ତ । ସ୍ଵର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା । ଅଦ୍ୟାପି ମହାନଦୀ ଗର୍ଭସ୍ଥ ଲଙ୍କେଶ୍ଵରୀ ପାହାଡ଼ ଉପରେ ଲଙ୍କେଶ୍ଵରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ଵର୍ଯ୍ୟବାନ୍ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ ତେଲନଦୀ ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ଵର ମନ୍ଦିର ଅବସ୍ଥିତ । ରାବଣ ଯେ ଶକ୍ତି ଉପାସକ ଥିଲେ । ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ଵର୍ଣ୍ଣପୁର (ସୁବର୍ଣ୍ଣପୁର)ରେ ଦେଖିବାକୁ ମିଳେ । ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ଵର୍ଣ୍ଣ ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ । ବଲାଙ୍ଗୀର ‘ କଳିଙ୍ଗ ସାହିତ୍ୟ ସମିତି ’ ର ମୁଖପତ୍ର (ହାତଲେଖା)

କଳିଙ୍ଗର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ । ଜଗବନ୍ଧୁ ସିଂହ ପ୍ରାଚୀନ ଉତ୍କଳ ର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ । ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ଼ ଅଛି, ସ୍ଥାନଟି ମହାରାଜାଙ୍କ ନଅରଠାରୁ ବେଶି ଦୂର ନୁହେଁ । ଏ ପାହାଡ଼ରେ ଖୋଦିତ ଲିପି ଅଛି । ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି । ଯୋଗେଶ୍ଵର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି’ । ( ୫୪୨ – ୫୪୩ ପୃଷ୍ଠା ) । ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ଵର ଦେବଙ୍କ ସମୟର । ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ । ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ । ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ । ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘କୁମାରାଥିରାଜ ସୋମେଶ୍ଵର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ’ । ସ୍ଵର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ବନ୍ଧରେ ଇତିହାସ ନିରବ । ଗବେଷକମାନେ ଅନୁମାନ କରନ୍ତି ଯେ ସ୍ଵର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ । ଲଙ୍କା ସମ୍ବନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ –

  1. କୀବେ - ମଧ୍ୟପ୍ରଦେଶ (ବସ୍ତର)[୪]
  2. ଅପୂର୍ବକୁମାର ମଲ୍ଲିକ - ଅଷ୍ଟ୍ରେଲିଆ (ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା )
  3. ଅକ୍ଷୟ କୁମାର ମଜୁମଦାର - ସିଲୋନର ଉତ୍ତର ପଶ୍ଚିମ ଉପକୂଳବର୍ତ୍ତୀ ଏକ କ୍ଷୁଦ୍ର ଦ୍ଵୀପ, ମାତ୍ର ସିଲୋନ ନୁହେଁ ।
  4. ପ୍ରଫେସର ଏସ୍ . ଏନ୍ . ଅଧିକାରୀ -ସୁମାତ୍ରା ।[୫]

ଲଙ୍କା ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ଵର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ । ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡ଼ିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ପତ୍ର ଦେଇଥିଲେ, ‘ସହକାର’ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ରାବଣର ଜନ୍ମସ୍ଥାନ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ ।

କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ବନ୍ଧ ଥିଲା, ତାହା ବ୍ରହ୍ମବିଦ୍ୟାବିତ୍ ମାନେ ସ୍ଥିର କରିପାରିବେ । ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ ଲକ୍ଷ୍ମଣଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ । ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ । ଖରାସୁର ସ୍ଵଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ । ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ । ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ । ରାମ ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ଵେଷଣ କରୁକରୁ ବାଳୀ ନଗର (ବଲାଙ୍ଗୀର)ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ । ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଟା ମହାନଦୀ (ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ । ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ, ପୋଢ଼, ବାଘ ଇତ୍ୟାଦି ଉପାଧି ବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି । କିଛିକାଳ ପୂର୍ବେ ଏଠାରେ କନ୍ଧ, ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର, ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ । ଧନୁଶର ଦ୍ଵାରା ବିଶାଳ ତରୁ, ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ । ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି । କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି । ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ (କାଳ୍ପନିକ ବାନର ସେନା) ପ୍ରଭୃତିଙ୍କ ଦ୍ଵାରା ଲଙ୍କା (ସ୍ଵର୍ଣ୍ଣପୁର) ଜୟ କରିଥିବେ । ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ । ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ । ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ । ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି । ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ନୃସିଂହ ମାହାତ୍ମ୍ୟ’ ରେ ମିଳେ । ଗଙ୍ଗାଧର ମିଶ୍ର ବି. ଏ. ‘ହରିଶଙ୍କର ଦର୍ଶନ’ ପ୍ରବନ୍ଧରେ ‘ସହକାର’ ରେ ଏ ବିଷୟଟି ବର୍ଣ୍ଣନା କରିଥିଲେ । ବୋଧହୁଏ ରାମଚନ୍ଦ୍ର ପଞ୍ଚବଟୀରେ (ମଧ୍ୟ ପ୍ରଦେଶରେ) ବାସ କରୁଥିବା ସମୟରେ ନୃସିଂହନାଥରେ ଉକ୍ତ ଦୈତ୍ୟକୁ ବଧ କରିଥିଲେ । ଆର୍ଯ୍ୟଋଷି ଅଗସ୍ତି ଏବଂ ବ୍ରାହ୍ମଣବୀର ପର୍ଶୁରାମ ପ୍ରଥମେ ଦକ୍ଷିଣାତ୍ୟରେ ଆର୍ଯ୍ୟୋପନିବେଶ ସ୍ଥାପନ କରିଥିଲେ । ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଆର୍ଯ୍ୟ ସଭ୍ୟତା ଉଚ୍ଚତମ ସୋପାନ ଆରୂଢ ହେବା ପରେ ପରେ ଆର୍ଯ୍ୟମାନେ ସରଳ ଭାବରେ ଜୀବନଯାପନ କରି ମହତି ଭାବନାରେ କାଳାତିପାତ କରିବାକୁ ଭଲ ପାଉଥିବେ I ତେଣୁ ଏହି ସବୁ ସ୍ଥାନ ସେମାନଙ୍କର ନିତାନ୍ତ ଅନୁକୂଳ ଥିଲା । ବିଶ୍ରବା ଋଷି ପ୍ରଭୃତି ଏହି ସମୟର ଲୋକ । ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ । ସୀତା ହରଣ ଆଦି ଚରିତ୍ରହୀନତାର ବିଷୟ ଏହାର ଉଦାହରଣ । ମାତ୍ର ରାଜନୀତିରେ ରାବଣ ଅତିଶୟ ଦକ୍ଷ ଥିଲେ । ଦାକ୍ଷିଣାତ୍ୟରେ ଏ ପ୍ରକାର ରାଜନୀତିକୁଶଳ ବିକ୍ରମଶାଳୀ ରାବଣଙ୍କ ରାଜ୍ୟ ବେଦ ପରବର୍ତ୍ତୀ ବ୍ରାହ୍ମଣ ଯୁଗରେ ମହାନଦୀ ନିକଟବର୍ତ୍ତୀ ସୋନପୁର ହେବା ନିତାନ୍ତ ଅଯୌକ୍ତିକ ନୁହେଁ । [୬]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. K Dutta, Prabhass (2009). "India News - Special Reports - India Special Report, Ravana, no less important !". headlinesindia.mapsofindia.com. http://headlinesindia.mapsofindia.com/special-reports/rep-ravana.html. Retrieved 9 January 2013. "the birth place of Ravana called 'Bisharakh' (Around 15 km from greater Noida, Uttar Pradesh)" 
  2. Aradhak, Purusharth (2011). "Temple for demon in ‘native’ Bisrakh - Times Of India". indiatimes.com. http://articles.timesofindia.indiatimes.com/2011-10-06/noida/30250279_1_ravana-dussehra-festivities-shiva-temple. Retrieved 9 January 2013. "Bisrakh villagers mourn the death of Ravana." 
  3. Agrawal, Premendra (2012). "Welcome to newsanalysisindia.com newsanalysis views reviews on current affair No Burning of Ravan in his birth place Bisrakh and Laxamn’s Lucknow". newsanalysisindia.com. http://www.newsanalysisindia.com/118102007.htm. Retrieved 9 January 2013. "Bisrakh near Greater Noida doesn't celebrate Dussehra because Ravan was born in the village." 
  4. "Full text of 'Location Of Lanka'". archive.org. http://archive.org/stream/locationoflanka035096mbp/locationoflanka035096mbp_djvu.txt. Retrieved 9 January 2013. "Recently, however, some scholars are inclined to place it in the Chhattisgarh District of the Central Provinces." 
  5. R.K. Ramakrishnan (1 August 2003). Ravana And Lanka. Global Vision Publishing Ho. pp. 82–. ISBN 978-81-87746-79-9. Retrieved 9 January 2013. 
  6. ସମାଜ ସାପ୍ତାହିକ, ଅଗଷ୍ଟ ୨୪ – ୩୦, ୨୦୦୫, ପୃଷ୍ଠା: ୩୪-୩୫

ଅଧିକ ତଥ୍ୟ[ସମ୍ପାଦନା]