ୟାଲୁ ନଦୀ
ୟାଲୁ ନଦୀ | |
---|---|
Native name | 鸭绿江 |
Other name(s) | ଆମରୋକ ବା ଆମନୋକ (압록강 ବା 鴨綠江) |
ଦେଶ | ଚୀନ ଓ ଉତ୍ତର କୋରିଆ |
ପ୍ରାନ୍ତ (ପ୍ରଦେଶ) | ଜିଲିନ୍, ଲ୍ୟାଓନିଂଗ୍ (ଚୀନ) ଏବଂ ରିଆଂଗାଗ୍, ଚାଗାଂଗ୍, ଉତ୍ତର ପ୍ୟାଂଗାନ୍, ସିନୁଇଜୁ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ (ଉତ୍ତର କୋରିଆ) |
Basin | |
Main source | 41°58′8″N 128°4′24″E / 41.96889°N 128.07333°Eଉପସାଗର |
River mouth | 39°52′N 124°19′E / 39.867°N 124.317°E |
Physical characteristics | |
Length | ୭୯୦ କିଲୋମିଟର |
ୟାଲୁ ନଦୀ (ଇଂରାଜୀ ଭାଷାରେ Yalu River) ଉତ୍ତର କୋରିଆ ଏବଂ ଚୀନ ଦେଶର ଭୌଗୋଳିକ ସୀମାରେ ପ୍ରବାହିତ ଏକ ନଦୀ । ଏହାକୁ କୋରୀୟ ଲୋକେ ଆମ୍ରୋକ୍ ନଦୀ ବା ଆମ୍ନୋକ୍ ନଦୀ ବୋଲି ମଧ୍ୟ କହିଥାନ୍ତି । ପୂର୍ବ ପଟକୁ ରହିଥିବା ତୁମେନ୍ ନଦୀ ଓ ପେକ୍ଟୁ ପର୍ବତ ସହିତ ମିଶି ୟାଲୁ ନଦୀ ଉତ୍ତର କୋରିଆ ଓ ଚୀନ ମଧ୍ୟରେ ଏକ ପ୍ରାକୃତିକ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିଥାଏ । ଅତୀତରେ ଏହି ନଦୀର ଉପତ୍ୟକାରେ ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪-୧୮୯୫), ଋଷ-ଜାପାନ ଯୁଦ୍ଧ (୧୯୦୪-୧୯୦୫), ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କୋରିଆ ଯୁଦ୍ଧ (୧୯୫୦-୧୯୫୩) ପରି ଅନେକ ଯୁଦ୍ଧ ମଧ୍ୟ ଘଟିଛି ।
ନାମକରଣ
[ସମ୍ପାଦନା]ଏହି ନଦୀର ନାମକରଣ ପଛରେ ଦୁଇଟି ମତ ରହିଛି ।
- ପ୍ରଥମ ମତଟି ହେଲା ଯେ, ଏହି ନଦୀର ନାମ ଏକ ମାଞ୍ଚୁ ଭାଷାର ଶବ୍ଦ ୟାଲୁ ଉଲା (ᠶᠠᠯᡠ ᡠᠯᠠ)ରୁ ଉଦ୍ଧୃତ । ମାଞ୍ଚୁ ଶବ୍ଦ ୟାଲୁର ଅର୍ଥ ହେଲା ଦୁଇଟି ଦେଶ ମଧ୍ୟରେ ରହିଥିବା ସୀମା । ମାଣ୍ଡାରିନ୍ ଚୀନୀ ଭାଷାରେ ମଧ୍ୟ ୟାଲୁ ବୋଲି ଏକ ଶବ୍ଦ ରହିଛି ଓ ମାଣ୍ଡାରିନ୍ ୟାଲୁ ଶବ୍ଦର ଅର୍ଥ ହେଲା ବତକ ପରି ସବୁଜ ରଙ୍ଗ । ୟାଲୁ ନଦୀର ପାଣିର ରଙ୍ଗ ପୂର୍ବେ ଏପରି ସବୁଜ ଥିଲା ବୋଲି କଥିତ ଅଛି ।
- ଦ୍ୱିତୀୟ ମତଟି ହେଲା ଯେ, ନଦୀର ଉପରମୁଣ୍ଡରେ ରହିଥିବା ଦୁଇଟି ଉପନଦୀ ୟା ଓ ଲୁ କିମ୍ବା ଆପ୍ ଓ ରୋକ୍ ବା ନୋକ୍ ନାମକୁ ମିଶାଇ ଏହି ନଦୀର ନାମ ସୃଷ୍ଟି ହୋଇଛି ।
ରୋମାନୀକୃତ କୋରୀୟ ଭାଷାରେ ଏହି ନଦୀକୁ ଆମ୍ନୋକ୍ଗାଂଗ୍ (ବା ଆମ୍ନୋକ୍ ନଦୀ) ଏବଂ ରୋମାନୀକୃତ ହାଂଗ୍ୟୁଲ୍ ଭାଷାରେ ଏହାକୁ ଆପ୍ରୋକ୍ଗାଂଗ୍ (ଆପ୍ରୋକ୍ ନଦୀ) ବୋଲି କୁହାଯାଏ ।
ଭୌଗୋଳିକ ତଥ୍ୟ
[ସମ୍ପାଦନା]ଚୀନ-ଉତ୍ତର କୋରିଆ ସୀମାରେ ଥିବା ପେକ୍ଟୁ ପର୍ବତରେ ସମୁଦ୍ର ପତନରୁ ପ୍ରାୟ ୨୫୦୦ ମିଟର୍ ଉଚ୍ଚତାରୁ ୟାଲୁ ନଦୀ ନିଃସୃତ ହେବାପରେ ଲିନ୍ଜିଆଂଗ୍ର ଉତ୍ତର-ପୂର୍ବରେ ୧୩୦ କି.ମି. ପ୍ରବାହିତ ହୋଇ ହ୍ୟେସାନ୍ର ଦକ୍ଷିଣରେ ୩୦୦ କି.ମି. ପ୍ରବାହିତ ହେଲା ପରେ ଚୀନର ଡାଣ୍ଡୋଂଗ୍ ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟରେ କୋରିଆ ଉପସାଗରରେ ନିଷ୍କାସିତ ହେଉଛି । ନଦୀ ସୀମାବର୍ତ୍ତୀ ଚୀନର ପ୍ରାନ୍ତଗୁଡ଼ିକ ହେଲେ ଜିଲିନ୍ ଓ ଲିଆଓନିଂଗ୍ ।
ନଦୀର ଦୈର୍ଘ୍ୟ ପ୍ରାୟ ୭୯୫ କିଲୋମିଟର ଓ ୩୦୦୦୦ ବର୍ଗ କି.ମି. ଅଞ୍ଚଳର ବିଭିନ୍ନ ଉପନଦୀ ଓ ସ୍ରୋତ ଏହି ନଦୀକୁ ପରିପୁଷ୍ଟ କରିଥାନ୍ତି । ୟାଲୁର ମୁଖ୍ୟ ଉପନଦୀମାନଙ୍କ ମଧ୍ୟରେ କୋରିଆରେ ପ୍ରବାହିତ ଚାଂଗ୍ଜିନ୍ ନଦୀ, ହୋଚୋନ୍ ନଦୀ, ଟୋଗ୍ରୋ ନଦୀ ଏବଂ ଚୀନରେ ପ୍ରବାହିତ ଆଇ ନଦୀ, ହୁଣ ନଦୀ ପ୍ରମୁଖ । ୟାଲୁ ନଦୀର ଅଧିକାଂଶ ଭାଗ ନୌଚାଳନା ପାଇଁ ଉପଯୁକ୍ତ ନୁହଁ ।[୧] ଶୀତ ଋତୁରେ ନଦୀର ପାଣି ବରଫ ପାଲଟିଯାଏ ଓ ଏହି ସମୟରେ ନଦୀ ଉପରେ ଚାଲି ପାର କରିବା ସମ୍ଭବପର ।[୨]
ନଦୀର ଗଭୀରତା ପୂର୍ବ ପଟେ କେଉଁ ସ୍ଥାନରେ ୧ ମିଟର ତ ପୀତ ସାଗର ପାଖରେ ଏହାର ଗଭୀରତା ୨.୫ ମିଟର ।[୩] ନଦୀର ମୁହାଣରେ ଆମ୍ରୋକ୍ ନଦୀ ମୁହାଣ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ ।[୪]
ୟାଲୁ ନଦୀରେ ପ୍ରାୟ ୨୦୫ଟି ନଦୀ ଦ୍ୱୀପ ରହିଛି । ଉତ୍ତର କୋରିଆ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଏହି ଦ୍ୱୀପଗୁଡ଼ିକୁ ସେଠାକାର ମୂଳ ଅଧିବାସୀଙ୍କ ଅନୁସାରେ ଆବଣ୍ଟିତ କରି ଦିଆଯାଇଥିଲା । ବର୍ତ୍ତମାନ ଉତ୍ତର କୋରିଆ ଅଧୀନରେ ୧୨୭ ଓ ଚୀନ ଅଧୀନରେ ୭୮ଟି ଦ୍ୱୀପ ରହିଛି । ଏପରି ଆବଣ୍ଟନ କାରଣରୁ ହ୍ୱାଂଗଗୁମ୍ପ୍ୟୋଂଗ୍ ପରି କିଛି ଦ୍ୱୀପ ନଦୀର ଚୀନୀ ଭୌଗୋଳିକ ସୀମା ମଧ୍ୟରେ ଥିଲେ ସୁଦ୍ଧା ଉତ୍ତର କୋରିଆଦ୍ୱାରା ପ୍ରଶାସିତ ହୁଅନ୍ତି ।
ଐତିହାସିକ ତଥ୍ୟ
[ସମ୍ପାଦନା]ୟାଲୁ ନଦୀ ଅବବାହିକାରେ କୋରିଆର ପ୍ରଚୀନ ଗୋଗୁରିଓ ସାମ୍ରାଜ୍ୟ ଗଢ଼ି ଉଠିଥିଲା । ନଦୀ କୂଳରେ ଅନେକ ପ୍ରଚୀନ ଦୁର୍ଗ ଅବସ୍ଥିତ । ଜିଲିନ୍ ପ୍ରାନ୍ତର ଜି’ ଆନ୍ଠାରେ ଏହି ସାମ୍ରାଜ୍ୟର ରାଜଧାନୀ ରହିଥିଲା । ଜି’ ଆନ୍ ସହରରେ ପ୍ରଚୀନ ଗୋଗୁରିଓ ସାମ୍ରାଜ୍ୟର ଅନେକ ସ୍ମୃତି ଚିହ୍ନ ରହିଛି ।
ୱିହୱା ଦ୍ୱୀପ ମଧ୍ୟ ଐତିହାସିକ ଦୃଷ୍ଟିକୋଣରୁ ପ୍ରସିଦ୍ଧ । ୧୩୮୮ ମସିହାରେ ସେନାଧ୍ୟକ୍ଷ ୟି ସୋଂଗୟେ ଏହି ସ୍ଥାନରୁ ବିପ୍ଳବୀମାନଙ୍କ ସେନାକୁ ଦକ୍ଷିଣ ପଟକୁ ଫେରାଇ ନେଇଥିଲେ ଓ ପରେ ୟି ବଂଶର ଆରମ୍ଭ ହୋଇଥିଲା ।[୫]
ଏହି ନଦୀ କୋରିଆ ଓ ଚୀନ ମଧ୍ୟରେ ଘଟିଥିବା ଅନେକ ଯୁଦ୍ଧର ସାକ୍ଷୀ । ସେଗୁଡ଼ିକ ହେଲେ :
- ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪)
- ଋଷ-ଜାପାନ ଯୁଦ୍ଧ (୧୯୦୪)
- କୋରିଆ ଯୁଦ୍ଧ (୧୯୫୦)
୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ କୋରିଆ ଜାପାନର ଅଧୀନରେ ଥିବା ସମୟରେ ୟାଲୁର ଦକ୍ଷିଣ ପଟେ ଅନେକ ଶିଳ୍ପୋଦ୍ୟୋଗ ଗଢ଼ି ଉଠିଥିଲା । ୧୯୪୫ ମସିହା ବେଳକୁ ଜାପାନ ସାମ୍ରାଜ୍ୟର ଔଦ୍ୟୋଗିକ ଉତ୍ପାଦନର ଶତକଡ଼ା ୨୦ ଭାଗ କୋରିଆର ଏହି ଅଂଶରୁ ମିଳୁଥିଲା ।
କୋରିଆ ଯୁଦ୍ଧରେ ମିଳିତ ଜାତିସଂଘର ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ସେ ସମୟରେ ଗୋଟିଏ ବ୍ୟତୀତ ୟାଲୁ ନଦୀ ଉପରେ ଥିବା ସମସ୍ତ ପୋଲକୁ ଧ୍ୱଂସ କରିଦିଆଯାଇଥିଲା । ଯେଉଁ ଗୋଟିଏ ପୋଲ ବଞ୍ଚି ଯାଇଥିଲା ତାହାକୁ ଚୀନ-କୋରିଆ ବନ୍ଧୁତା ପୋଲର ନାମ ଦିଆଗଲା । ଏହି ପୋଲ ଚୀନର ଡାଣ୍ଡୋଂଗ୍କୁ ଉତ୍ତର କୋରିଆର ସିନୁଇଜୁ ସହିତ ସଂଯୁକ୍ତ କରିଥାଏ । ଏହି ଯୁଦ୍ଧ ସମୟରେ ୟାଲୁର ପଶ୍ଚିମ ସୀମାରେ ବାୟୁ ସେନା ବିମାନମାନଙ୍କ ମଧ୍ୟରେ ପ୍ରଭୁତ୍ୱ ପାଇଁ ଅନେକ ଲଢ଼େଇ (ଡଗ୍ ଫାଇଟ୍) ହୋଇଥିବାରୁ ସେହି ଉପତ୍ୟକାକୁ ‘’ମିଗ୍ ଆଲେ’’ ବୋଲି ମଧ୍ୟ କୁହନ୍ତି ।
୧୯୯୦ ଦଶନ୍ଧିରେ ଚୀନକୁ ପଳାୟନ କରିବା ପାଇଁ ଅନେକ ଉତ୍ତର କୋରୀୟ ନାଗରିକ ଏହି ନଦୀ ପାର କରୁଥିଲେ । ତେବେ ତୁମେନ ନଦୀକୁ ମଧ୍ୟ ବହୁସଂଖ୍ୟକ ଉତ୍ତର କୋରୀୟ ଶରଣାର୍ଥୀ ପାର କରି ଚୀନକୁ ପଳାୟନ କରିଥିଲେ ।[୬][ଆଧାର ଲୋଡ଼ା]
ଜଣେ ବିଶେଷଜ୍ଞଙ୍କ ମତରେ କୋରିଆ ଓ ଚୀନ ମଧ୍ୟରେ ଥିବା ୟାଲୁ ନଦୀ ବିଶ୍ୱର ସର୍ବାଧିକ ସମୟ ଧରି ରହିଥିବା ତାରବାଡ଼ ଘେରା ନଥିବା ଅନ୍ତର୍ଜାତୀୟ ସୀମା ଯାହାର ଅବସ୍ଥିତି ପ୍ରାୟ ୧୦୦୦ ବର୍ଷ ପୁରୁଣା ।[୭][୮][୯][୧୦]
ଅର୍ଥନୀତିରେ ୟାଲୁର ମହତ୍ତ୍ୱ
[ସମ୍ପାଦନା]ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ଦୃଷ୍ଟିରୁ ୟାଲୁ ନଦୀ ମହତ୍ତ୍ୱପୂର୍ଣ୍ଣ । ଏସିଆର ଏକ ପ୍ରମୁଖ ଜଳବିଦ୍ୟୁତ୍ ଉତ୍ପାଦନକାରୀ ୧୦୬ ମିଟର ଉଚ୍ଚ ଓ ୮୫୦ ମିଟର ଦୀର୍ଘ ସୁପୁଂଗ୍ ନଦୀବନ୍ଧ ପ୍ରକଳ୍ପ ଉତ୍ତର କୋରିଆର ସିନୁଇଜୁରୁ ନଦୀର ଉପର ମୁଣ୍ଡରେ ଅବସ୍ଥିତ । ଏହି ନଦୀ ବନ୍ଧ ଯୋଗୁଁ ସୁପୁଂଗ୍ ହ୍ରଦ (ଜଳାଶୟ) ମଧ୍ୟ ସୃଷ୍ଟି ହୋଇଛି । ନଦୀ କୂଳିଆ ଜଙ୍ଗଲରୁ କଟା କାଠଗଣ୍ଡି ପରିବହନ, ମାଛ ଧରିବା ଇତ୍ୟାଦି ପାଇଁ ୟାଲୁ ନଦୀ ବ୍ୟବହୃତ ହୁଏ । ସୁପୁଂଗ୍ରୁ ତଳ ମୁଣ୍ଡକୁ ତାଇପିଂଗ୍ୱାନ୍ ନଦୀବନ୍ଧ ଓ ଉପର ମୁଣ୍ଡକୁ ଉନବୋଂଗ୍ ନଦୀବନ୍ଧ ରହିଛନ୍ତି । ଉଭୟ ବନ୍ଧ ଜଳ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିଥାନ୍ତି ।
ଡାଣ୍ଡୋଂଗରୁ ତ୍ରିକୋଣଭୂମିରୁ ଉପର ମୁଣ୍ଡରେ ହୁଶାନ ନିକଟରେ ଅନେକ ଉତ୍ତର କୋରୀୟ ଗ୍ରାମ ରହି ଆସିଛନ୍ତି । ଏହି ସମସ୍ତ ଗ୍ରାମର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିରୁ ଅନେକ ଗ୍ରାମ ବିଦ୍ୟୁତ୍ ଯୋଗାଣ ସେବାରୁ ମଧ୍ୟ ବଞ୍ଚିତ ରହିଛନ୍ତି ।[୧୧]
ପ୍ରମୁଖ ସେତୁ
[ସମ୍ପାଦନା]- ଚୀନ-କୋରିଆ ବନ୍ଧୁତା ସେତୁ : ଚୀନର ଡାଣ୍ଡୋଂଗ୍ ସହରକୁ ଉତ୍ତର କୋରିଆର ସିନୁଇଜୁ ସହରକୁ ଯୋଡ଼ିଥାଏ ।
- ଜି’ ଆନ୍ ୟାଲୁ ନଦୀ ସୀମାନ୍ତ ରେଳ ସେତୁ : ଚୀନର ଜି’ ଆନ୍ ସହରକୁ ଉତ୍ତର କୋରିଆର ମାଂପୋ ସହରକୁ ସଂଯୁକ୍ତ କରେ ।
- ନୂତନ ୟାଲୁ ନଦୀ ସେତୁ : ଚୀନର ଡାଣ୍ଡୋଂଗ୍ ସହର ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟବର୍ତ୍ତୀ ଆଉ ଏକ ପୋଲ ର୍ତ୍ତମାନ ନିର୍ମାଣାଧୀନ ।
ଆହୁରି ଦେଖିବା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Entire paragraph taken from Earth Snapshot Website. (March 25, 2011). Sediments in Korea Bay and Incheon Bay, North and South Korea. Retrieved from http://www.eosnap.com/tag/yalu-river/ Archived 2019-11-05 at the Wayback Machine.
- ↑ "A trip to the North Korea-China border, in photos". NK News. 29 May 2015.
- ↑ Encyclopædia Britannica. (December 5, 2011). Yalu River. Retrieved from http://www.britannica.com/EBchecked/topic/651445/Yalu-River
- ↑ "Amrok River estuary". Important Bird Areas factsheet. BirdLife International. 2013. Retrieved 2013-04-25.
- ↑ Jeong Woo-sang (10 June 2011). "What Is Hwanggumpyong Island?". Digital Chosun. Retrieved 1 March 2012.
- ↑ https://www.youtube.com/watch?v=DyqUw0WYwoc
- ↑ http://www.koreatimes.co.kr/www/opinion/2020/06/739_287299.html
- ↑ https://www.pressreader.com/korea-republic/the-korea-times/20200405/281646782251441
- ↑ https://www.youtube.com/watch?v=sc4s2it6HVE
- ↑ https://www.youtube.com/watch?v=kBHRaYuHP4A
- ↑ "We took a boatride on the Yalu River across the Sino-Korean Border. Here's what we saw". visitthedprk.org. Archived from the original on 2020-11-13. Retrieved 2020-11-12.