ୟାଲୁ ନଦୀ

Coordinates: 39°52′N 124°19′E / 39.867°N 124.317°E / 39.867; 124.317
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ୟାଲୁ ନଦୀ
ୟାଲୁ ନଦୀର ଅବସ୍ଥିତି
Native name鸭绿江
Other name(s)ଆମରୋକ ବା ଆମନୋକ (압록강 ବା 鴨綠江)
ଦେଶଚୀନଉତ୍ତର କୋରିଆ
ପ୍ରାନ୍ତ (ପ୍ରଦେଶ)ଜିଲିନ୍, ଲ୍ୟାଓନିଂଗ୍ (ଚୀନ) ଏବଂ ରିଆଂଗାଗ୍, ଚାଗାଂଗ୍, ଉତ୍ତର ପ୍ୟାଂଗାନ୍, ସିନୁଇଜୁ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ (ଉତ୍ତର କୋରିଆ)
Basin
Main source41°58′8″N 128°4′24″E / 41.96889°N 128.07333°E / 41.96889; 128.07333ଉପସାଗର
River mouth39°52′N 124°19′E / 39.867°N 124.317°E / 39.867; 124.317
Physical characteristics
Length୭୯୦ କିଲୋମିଟର

ୟାଲୁ ନଦୀ (ଇଂରାଜୀ ଭାଷାରେ Yalu River) ଉତ୍ତର କୋରିଆ ଏବଂ ଚୀନ ଦେଶର ଭୌଗୋଳିକ ସୀମାରେ ପ୍ରବାହିତ ଏକ ନଦୀ । ଏହାକୁ କୋରୀୟ ଲୋକେ ଆମ୍ରୋକ୍ ନଦୀ ବା ଆମ୍ନୋକ୍ ନଦୀ ବୋଲି ମଧ୍ୟ କହିଥାନ୍ତି । ପୂର୍ବ ପଟକୁ ରହିଥିବା ତୁମେନ୍ ନଦୀ ଓ ପେକ୍‍ଟୁ ପର୍ବତ ସହିତ ମିଶି ୟାଲୁ ନଦୀ ଉତ୍ତର କୋରିଆ ଓ ଚୀନ ମଧ୍ୟରେ ଏକ ପ୍ରାକୃତିକ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିଥାଏ । ଅତୀତରେ ଏହି ନଦୀର ଉପତ୍ୟକାରେ ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪-୧୮୯୫), ଋଷ-ଜାପାନ ଯୁଦ୍ଧ (୧୯୦୪-୧୯୦୫), ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କୋରିଆ ଯୁଦ୍ଧ (୧୯୫୦-୧୯୫୩) ପରି ଅନେକ ଯୁଦ୍ଧ ମଧ୍ୟ ଘଟିଛି ।

ନାମକରଣ[ସମ୍ପାଦନା]

ଏହି ନଦୀର ନାମକରଣ ପଛରେ ଦୁଇଟି ମତ ରହିଛି ।

  • ପ୍ରଥମ ମତଟି ହେଲା ଯେ, ଏହି ନଦୀର ନାମ ଏକ ମାଞ୍ଚୁ ଭାଷାର ଶବ୍ଦ ୟାଲୁ ଉଲା (ᠶᠠᠯᡠ ᡠᠯᠠ)ରୁ ଉଦ୍ଧୃତ । ମାଞ୍ଚୁ ଶବ୍ଦ ୟାଲୁର ଅର୍ଥ ହେଲା ଦୁଇଟି ଦେଶ ମଧ୍ୟରେ ରହିଥିବା ସୀମା । ମାଣ୍ଡାରିନ୍ ଚୀନୀ ଭାଷାରେ ମଧ୍ୟ ୟାଲୁ ବୋଲି ଏକ ଶବ୍ଦ ରହିଛି ଓ ମାଣ୍ଡାରିନ୍ ୟାଲୁ ଶବ୍ଦର ଅର୍ଥ ହେଲା ବତକ ପରି ସବୁଜ ରଙ୍ଗ । ୟାଲୁ ନଦୀର ପାଣିର ରଙ୍ଗ ପୂର୍ବେ ଏପରି ସବୁଜ ଥିଲା ବୋଲି କଥିତ ଅଛି ।
  • ଦ୍ୱିତୀୟ ମତଟି ହେଲା ଯେ, ନଦୀର ଉପରମୁଣ୍ଡରେ ରହିଥିବା ଦୁଇଟି ଉପନଦୀ ୟା ଓ ଲୁ କିମ୍ବା ଆପ୍ ଓ ରୋକ୍ ବା ନୋକ୍ ନାମକୁ ମିଶାଇ ଏହି ନଦୀର ନାମ ସୃଷ୍ଟି ହୋଇଛି ।

ରୋମାନୀକୃତ କୋରୀୟ ଭାଷାରେ ଏହି ନଦୀକୁ ଆମ୍ନୋକ୍‍ଗାଂଗ୍ (ବା ଆମ୍ନୋକ୍ ନଦୀ) ଏବଂ ରୋମାନୀକୃତ ହାଂଗ୍ୟୁଲ୍ ଭାଷାରେ ଏହାକୁ ଆପ୍ରୋକ୍‍ଗାଂଗ୍ (ଆପ୍ରୋକ୍ ନଦୀ) ବୋଲି କୁହାଯାଏ ।

ୟାଲୁ ନଦୀ ତ୍ରିକୋଣଭୂମିରେ ରହିଥିବା ଏକ ଉତ୍ତର କୋରୀୟ ଗ୍ରାମ

ଭୌଗୋଳିକ ତଥ୍ୟ[ସମ୍ପାଦନା]

ଚୀନ-ଉତ୍ତର କୋରିଆ ସୀମାରେ ଥିବା ପେକ୍‍ଟୁ ପର୍ବତରେ ସମୁଦ୍ର ପତନରୁ ପ୍ରାୟ ୨୫୦୦ ମିଟର୍ ଉଚ୍ଚତାରୁ ୟାଲୁ ନଦୀ ନିଃସୃତ ହେବାପରେ ଲିନ୍‍ଜିଆଂଗ୍‍ର ଉତ୍ତର-ପୂର୍ବରେ ୧୩୦ କି.ମି. ପ୍ରବାହିତ ହୋଇ ହ୍ୟେସାନ୍‍ର ଦକ୍ଷିଣରେ ୩୦୦ କି.ମି. ପ୍ରବାହିତ ହେଲା ପରେ ଚୀନର ଡାଣ୍ଡୋଂଗ୍ ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟରେ କୋରିଆ ଉପସାଗରରେ ନିଷ୍କାସିତ ହେଉଛି । ନଦୀ ସୀମାବର୍ତ୍ତୀ ଚୀନର ପ୍ରାନ୍ତଗୁଡ଼ିକ ହେଲେ ଜିଲିନ୍ ଓ ଲିଆଓନିଂଗ୍ ।

ନଦୀର ଦୈର୍ଘ୍ୟ ପ୍ରାୟ ୭୯୫ କିଲୋମିଟର ଓ ୩୦୦୦୦ ବର୍ଗ କି.ମି. ଅଞ୍ଚଳର ବିଭିନ୍ନ ଉପନଦୀ ଓ ସ୍ରୋତ ଏହି ନଦୀକୁ ପରିପୁଷ୍ଟ କରିଥାନ୍ତି । ୟାଲୁର ମୁଖ୍ୟ ଉପନଦୀମାନଙ୍କ ମଧ୍ୟରେ କୋରିଆରେ ପ୍ରବାହିତ ଚାଂଗ୍‍ଜିନ୍ ନଦୀ, ହୋଚୋନ୍ ନଦୀ, ଟୋଗ୍ରୋ ନଦୀ ଏବଂ ଚୀନରେ ପ୍ରବାହିତ ଆଇ ନଦୀ, ହୁଣ ନଦୀ ପ୍ରମୁଖ । ୟାଲୁ ନଦୀର ଅଧିକାଂଶ ଭାଗ ନୌଚାଳନା ପାଇଁ ଉପଯୁକ୍ତ ନୁହଁ ।[୧] ଶୀତ ଋତୁରେ ନଦୀର ପାଣି ବରଫ ପାଲଟିଯାଏ ଓ ଏହି ସମୟରେ ନଦୀ ଉପରେ ଚାଲି ପାର କରିବା ସମ୍ଭବପର ।[୨]

ନଦୀର ଗଭୀରତା ପୂର୍ବ ପଟେ କେଉଁ ସ୍ଥାନରେ ୧ ମିଟର ତ ପୀତ ସାଗର ପାଖରେ ଏହାର ଗଭୀରତା ୨.୫ ମିଟର ।[୩] ନଦୀର ମୁହାଣରେ ଆମ୍ରୋକ୍ ନଦୀ ମୁହାଣ ପକ୍ଷୀ ଅଭୟାରଣ୍ୟ ଅବସ୍ଥିତ ।[୪]

ୟାଲୁ ନଦୀରେ ପ୍ରାୟ ୨୦୫ଟି ନଦୀ ଦ୍ୱୀପ ରହିଛି । ଉତ୍ତର କୋରିଆ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଏହି ଦ୍ୱୀପଗୁଡ଼ିକୁ ସେଠାକାର ମୂଳ ଅଧିବାସୀଙ୍କ ଅନୁସାରେ ଆବଣ୍ଟିତ କରି ଦିଆଯାଇଥିଲା । ବର୍ତ୍ତମାନ ଉତ୍ତର କୋରିଆ ଅଧୀନରେ ୧୨୭ ଓ ଚୀନ ଅଧୀନରେ ୭୮ଟି ଦ୍ୱୀପ ରହିଛି । ଏପରି ଆବଣ୍ଟନ କାରଣରୁ ହ୍ୱାଂଗଗୁମ୍ପ୍ୟୋଂଗ୍ ପରି କିଛି ଦ୍ୱୀପ ନଦୀର ଚୀନୀ ଭୌଗୋଳିକ ସୀମା ମଧ୍ୟରେ ଥିଲେ ସୁଦ୍ଧା ଉତ୍ତର କୋରିଆଦ୍ୱାରା ପ୍ରଶାସିତ ହୁଅନ୍ତି ।

ଐତିହାସିକ ତଥ୍ୟ[ସମ୍ପାଦନା]

ଡାଣ୍ଡୋଂଗ୍ ଓ ସିନୁଇଜୁ ମଧ୍ୟରେ ଥିବା ଏକ ଭଙ୍ଗା ପୋଲ । ୧୯୧୧ରେ ନିର୍ମିତ ଏହି ପୋଲ କୋରିଆ ଯୁଦ୍ଧ ସମୟରେ ଧ୍ୱଂସ କରି ଦିଆଯାଇଥିଲା । ଚିତ୍ରରେ ବାମ ପଟେ ଚୀନ-କୋରିଆ ବନ୍ଧୁତା ସେତୁ ଦେଖାଯାଉଛି । ୧୯୪୩ରେ ଖୋଲିଥିବା ଏହି ସେତୁ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁ ସେନା ଆକ୍ରମଣରେ ନଷ୍ଟ ହୋଇଯାଇଥିଲା ଓ ୧୯୫୩ରେ ମରାମତି କାର୍ଯ୍ୟ ପରେ ପୁଣି ଖୋଲାଗଲା ।
ୟାଲୁ ନଦୀ ଉପରେ ନିର୍ମିତ ଚୀନ-କୋରିଆ ବନ୍ଧୁତା ସେତୁ

ୟାଲୁ ନଦୀ ଅବବାହିକାରେ କୋରିଆର ପ୍ରଚୀନ ଗୋଗୁରିଓ ସାମ୍ରାଜ୍ୟ ଗଢ଼ି ଉଠିଥିଲା । ନଦୀ କୂଳରେ ଅନେକ ପ୍ରଚୀନ ଦୁର୍ଗ ଅବସ୍ଥିତ । ଜିଲିନ୍ ପ୍ରାନ୍ତର ଜି’ ଆନ୍‍ଠାରେ ଏହି ସାମ୍ରାଜ୍ୟର ରାଜଧାନୀ ରହିଥିଲା । ଜି’ ଆନ୍ ସହରରେ ପ୍ରଚୀନ ଗୋଗୁରିଓ ସାମ୍ରାଜ୍ୟର ଅନେକ ସ୍ମୃତି ଚିହ୍ନ ରହିଛି ।

ୱିହୱା ଦ୍ୱୀପ ମଧ୍ୟ ଐତିହାସିକ ଦୃଷ୍ଟିକୋଣରୁ ପ୍ରସିଦ୍ଧ । ୧୩୮୮ ମସିହାରେ ସେନାଧ୍ୟକ୍ଷ ୟି ସୋଂଗୟେ ଏହି ସ୍ଥାନରୁ ବିପ୍ଳବୀମାନଙ୍କ ସେନାକୁ ଦକ୍ଷିଣ ପଟକୁ ଫେରାଇ ନେଇଥିଲେ ଓ ପରେ ୟି ବଂଶର ଆରମ୍ଭ ହୋଇଥିଲା ।[୫]

ଏହି ନଦୀ କୋରିଆ ଓ ଚୀନ ମଧ୍ୟରେ ଘଟିଥିବା ଅନେକ ଯୁଦ୍ଧର ସାକ୍ଷୀ । ସେଗୁଡ଼ିକ ହେଲେ :

  • ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪)
  • ଋଷ-ଜାପାନ ଯୁଦ୍ଧ (୧୯୦୪)
  • କୋରିଆ ଯୁଦ୍ଧ (୧୯୫୦)

୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ କୋରିଆ ଜାପାନର ଅଧୀନରେ ଥିବା ସମୟରେ ୟାଲୁର ଦକ୍ଷିଣ ପଟେ ଅନେକ ଶିଳ୍ପୋଦ୍ୟୋଗ ଗଢ଼ି ଉଠିଥିଲା । ୧୯୪୫ ମସିହା ବେଳକୁ ଜାପାନ ସାମ୍ରାଜ୍ୟର ଔଦ୍ୟୋଗିକ ଉତ୍ପାଦନର ଶତକଡ଼ା ୨୦ ଭାଗ କୋରିଆର ଏହି ଅଂଶରୁ ମିଳୁଥିଲା ।

କୋରିଆ ଯୁଦ୍ଧରେ ମିଳିତ ଜାତିସଂଘର ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ସେ ସମୟରେ ଗୋଟିଏ ବ୍ୟତୀତ ୟାଲୁ ନଦୀ ଉପରେ ଥିବା ସମସ୍ତ ପୋଲକୁ ଧ୍ୱଂସ କରିଦିଆଯାଇଥିଲା । ଯେଉଁ ଗୋଟିଏ ପୋଲ ବଞ୍ଚି ଯାଇଥିଲା ତାହାକୁ ଚୀନ-କୋରିଆ ବନ୍ଧୁତା ପୋଲର ନାମ ଦିଆଗଲା । ଏହି ପୋଲ ଚୀନର ଡାଣ୍ଡୋଂଗ୍‍କୁ ଉତ୍ତର କୋରିଆର ସିନୁଇଜୁ ସହିତ ସଂଯୁକ୍ତ କରିଥାଏ । ଏହି ଯୁଦ୍ଧ ସମୟରେ ୟାଲୁର ପଶ୍ଚିମ ସୀମାରେ ବାୟୁ ସେନା ବିମାନମାନଙ୍କ ମଧ୍ୟରେ ପ୍ରଭୁତ୍ୱ ପାଇଁ ଅନେକ ଲଢ଼େଇ (ଡଗ୍ ଫାଇଟ୍) ହୋଇଥିବାରୁ ସେହି ଉପତ୍ୟକାକୁ ‘’ମିଗ୍ ଆଲେ’’ ବୋଲି ମଧ୍ୟ କୁହନ୍ତି ।

୧୯୯୦ ଦଶନ୍ଧିରେ ଚୀନକୁ ପଳାୟନ କରିବା ପାଇଁ ଅନେକ ଉତ୍ତର କୋରୀୟ ନାଗରିକ ଏହି ନଦୀ ପାର କରୁଥିଲେ । ତେବେ ତୁମେନ ନଦୀକୁ ମଧ୍ୟ ବହୁସଂଖ୍ୟକ ଉତ୍ତର କୋରୀୟ ଶରଣାର୍ଥୀ ପାର କରି ଚୀନକୁ ପଳାୟନ କରିଥିଲେ ।[୬][ଆଧାର ଲୋଡ଼ା]

ଜଣେ ବିଶେଷଜ୍ଞଙ୍କ ମତରେ କୋରିଆ ଓ ଚୀନ ମଧ୍ୟରେ ଥିବା ୟାଲୁ ନଦୀ ବିଶ୍ୱର ସର୍ବାଧିକ ସମୟ ଧରି ରହିଥିବା ତାରବାଡ଼ ଘେରା ନଥିବା ଅନ୍ତର୍ଜାତୀୟ ସୀମା ଯାହାର ଅବସ୍ଥିତି ପ୍ରାୟ ୧୦୦୦ ବର୍ଷ ପୁରୁଣା ।[୭][୮][୯][୧୦]

ଅର୍ଥନୀତିରେ ୟାଲୁର ମହତ୍ତ୍ୱ[ସମ୍ପାଦନା]

ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ଦୃଷ୍ଟିରୁ ୟାଲୁ ନଦୀ ମହତ୍ତ୍ୱପୂର୍ଣ୍ଣ । ଏସିଆର ଏକ ପ୍ରମୁଖ ଜଳବିଦ୍ୟୁତ୍ ଉତ୍ପାଦନକାରୀ ୧୦୬ ମିଟର ଉଚ୍ଚ ଓ ୮୫୦ ମିଟର ଦୀର୍ଘ ସୁପୁଂଗ୍ ନଦୀବନ୍ଧ ପ୍ରକଳ୍ପ ଉତ୍ତର କୋରିଆର ସିନୁଇଜୁରୁ ନଦୀର ଉପର ମୁଣ୍ଡରେ ଅବସ୍ଥିତ । ଏହି ନଦୀ ବନ୍ଧ ଯୋଗୁଁ ସୁପୁଂଗ୍ ହ୍ରଦ (ଜଳାଶୟ) ମଧ୍ୟ ସୃଷ୍ଟି ହୋଇଛି । ନଦୀ କୂଳିଆ ଜଙ୍ଗଲରୁ କଟା କାଠଗଣ୍ଡି ପରିବହନ, ମାଛ ଧରିବା ଇତ୍ୟାଦି ପାଇଁ ୟାଲୁ ନଦୀ ବ୍ୟବହୃତ ହୁଏ । ସୁପୁଂଗ୍‍ରୁ ତଳ ମୁଣ୍ଡକୁ ତାଇପିଂଗ୍ୱାନ୍ ନଦୀବନ୍ଧ ଓ ଉପର ମୁଣ୍ଡକୁ ଉନବୋଂଗ୍ ନଦୀବନ୍ଧ ରହିଛନ୍ତି । ଉଭୟ ବନ୍ଧ ଜଳ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିଥାନ୍ତି ।

ଡାଣ୍ଡୋଂଗରୁ ତ୍ରିକୋଣଭୂମିରୁ ଉପର ମୁଣ୍ଡରେ ହୁଶାନ ନିକଟରେ ଅନେକ ଉତ୍ତର କୋରୀୟ ଗ୍ରାମ ରହି ଆସିଛନ୍ତି । ଏହି ସମସ୍ତ ଗ୍ରାମର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିରୁ ଅନେକ ଗ୍ରାମ ବିଦ୍ୟୁତ୍ ଯୋଗାଣ ସେବାରୁ ମଧ୍ୟ ବଞ୍ଚିତ ରହିଛନ୍ତି ।[୧୧]

ପ୍ରମୁଖ ସେତୁ[ସମ୍ପାଦନା]

  • ଚୀନ-କୋରିଆ ବନ୍ଧୁତା ସେତୁ : ଚୀନର ଡାଣ୍ଡୋଂଗ୍ ସହରକୁ ଉତ୍ତର କୋରିଆର ସିନୁଇଜୁ ସହରକୁ ଯୋଡ଼ିଥାଏ ।
  • ଜି’ ଆନ୍ ୟାଲୁ ନଦୀ ସୀମାନ୍ତ ରେଳ ସେତୁ : ଚୀନର ଜି’ ଆନ୍ ସହରକୁ ଉତ୍ତର କୋରିଆର ମାଂପୋ ସହରକୁ ସଂଯୁକ୍ତ କରେ ।
  • ନୂତନ ୟାଲୁ ନଦୀ ସେତୁ : ଚୀନର ଡାଣ୍ଡୋଂଗ୍ ସହର ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟବର୍ତ୍ତୀ ଆଉ ଏକ ପୋଲ ର୍ତ୍ତମାନ ନିର୍ମାଣାଧୀନ ।

ଆହୁରି ଦେଖିବା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Entire paragraph taken from Earth Snapshot Website. (March 25, 2011). Sediments in Korea Bay and Incheon Bay, North and South Korea. Retrieved from http://www.eosnap.com/tag/yalu-river/ Archived 2019-11-05 at the Wayback Machine.
  2. "A trip to the North Korea-China border, in photos". NK News. 29 May 2015.
  3. Encyclopædia Britannica. (December 5, 2011). Yalu River. Retrieved from http://www.britannica.com/EBchecked/topic/651445/Yalu-River
  4. "Amrok River estuary". Important Bird Areas factsheet. BirdLife International. 2013. Retrieved 2013-04-25.
  5. Jeong Woo-sang (10 June 2011). "What Is Hwanggumpyong Island?". Digital Chosun. Retrieved 1 March 2012.
  6. https://www.youtube.com/watch?v=DyqUw0WYwoc
  7. http://www.koreatimes.co.kr/www/opinion/2020/06/739_287299.html
  8. https://www.pressreader.com/korea-republic/the-korea-times/20200405/281646782251441
  9. https://www.youtube.com/watch?v=sc4s2it6HVE
  10. https://www.youtube.com/watch?v=kBHRaYuHP4A
  11. "We took a boatride on the Yalu River across the Sino-Korean Border. Here's what we saw". visitthedprk.org. Archived from the original on 2020-11-13. Retrieved 2020-11-12.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

"Ya-lu-kiang" . New International Encyclopedia. 1905.