ରସ୍କିନ ବଣ୍ଡ
ରସ୍କିନ ବଣ୍ଡ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କସୌଲୀ, ହିମାଚଳ ପ୍ରଦେଶ,(ପରାଧିନ ଭାରତରେ ଏହ ପଞ୍ଜାବ ପ୍ରଦେଶରେ ଥିଲା) | ୧୯ ମଇ ୧୯୩୪
ବୃତ୍ତି | ସାହିତ୍ୟିକ |
ଶିକ୍ଷାନୁଷ୍ଠାନ | ବିଶପ କଟନ ସ୍କୁଲ, ସିମଳା |
ସମୟ | ୧୯୫୧ରୁ ଏପର୍ଯ୍ୟନ୍ତ |
ସାହିତ୍ୟ କୃତି | ଦ ରୁମ ଅନ ଦ ରୁଫ ଆୱାର ଟ୍ରିଜ ଷ୍ଟିଲ ଗ୍ରୋ ଇନ ଡେହେରା ଏ ଫ୍ଲାଇଟ ଅଫ ପିଜିୟନ୍ସ ଦ ବ୍ଲୁ ଅମ୍ବ୍ରେଲା |
ରସ୍କିନ ବଣ୍ଡ (ଜନ୍ମ : ୧୯ ମଇ ୧୯୩୪) ଜଣେ ବ୍ରିଟିଶ-ଭାରତୀୟ ଲେଖକ । ସେ ୫୦୦ରୁ ଅଧିକ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସିକା ଆଦି ଲେଖିଛନ୍ତି । ତାଙ୍କ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫକୁ ୧୯୫୭ ମସିହାରେ ଯୁକ୍ତରାଜ୍ୟର ପ୍ରତିଷ୍ଠିତ ଜନ ଲେୱେଲିନ ରାଏସ ପୁରସ୍କାର ଲାଭ କରିଥିଲା । ରସ୍କିନ ନିଜ ଗୃହିତ ପରିବାର ସହିତ ମଶୋରୀର ଲଣ୍ଡୋରଠାରେ ରୁହନ୍ତି ।
୧୯୯୨ ମସିହାରେ ରସ୍କିନ ନିଜ ଲିଖିତ ପୁସ୍ତକ ଆୱାର ଟ୍ରିଜ ଷ୍ଟିଲ ଗ୍ରୋ ଇନ ଡେହେରା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୧୪ ମସିହାରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧] ୨୦୨୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ତାଙ୍କୁ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପ୍ରଦାନ କରାଯାଇଥିଲା ।[୨]
ଜୀବନୀ
[ସମ୍ପାଦନା]ରସ୍କିନ ବଣ୍ଡ ୧୯୩୪ ମସିହା ମଇ ମାସ ୧୯ ତାରିଖରେ ହିମାଚଳ ପ୍ରଦେଶର କସୌଲୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅବ୍ରେ ଆଲେକ୍ସାଣ୍ଡର ବଣ୍ଡ[୩][୪] ଓ ମାତାଙ୍କ ନାମ ଏଡ଼ିଥ କ୍ଲାର୍କ । ତାଙ୍କର ଏକମାତ୍ର ଭଉଣୀଙ୍କର ନାମ ଏଲେନ । ତାଙ୍କ ପିତା ଜାମନଗରର ରାଜକୁମାରୀଙ୍କୁ ଇଂରାଜୀ ପଢ଼ାଉଥିଲେ । ସେଥିନିମନ୍ତେ ରସ୍କିନଙ୍କୁ ୬ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ ଗୁଜରାଟର ଜାମନଗରଠାରେ ରହୁଥିଲେ । ୧୯୩୯ ମସିହାରେ ରସ୍କିନଙ୍କ ପିତା ରୟାଲ ଏୟାର ଫୋର୍ସରେ ଯୋଗ ଦେଇଥିଲେ ଓ ଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଥିଲେ । ରସ୍କିନ ତାଙ୍କ ମା ଓ ଭଉଣୀଙ୍କୁ ତାଙ୍କ ମାମୁଘର ଡେରାଡୁନ ଯିବାକୁ ପଡ଼ିଥିଲା । କିଛିଦିନ ପରେ ରସ୍କିନ ମସୁରୀରେ ଏକ ବୋଡିଂ ସ୍କୁଲରେ ପାଠ ପଢ଼ିବାକୁ ଚାଲିଯାଇଥିଲେ । ତାଙ୍କୁ ଆଠ ବର୍ଷ ହୋଇଥିବା ବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ଓ ମାତା ଜଣେ ପଞ୍ଜାବୀ ହିନ୍ଦୁ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ପିତା ରସ୍କିନକୁ ନିଜ ପାଖକୁ ଦିଲ୍ଲୀ ନେଇ ଆସିଥିଲେ ଓ ସେଠାରେ ରସ୍କିନ ଦୁଇ ବର୍ଷ ରହିଥିଲେ । ଏହି ଦୁଇବର୍ଷ ରସ୍କିନ ନିଜ ପିତାଙ୍କର ଖୁବ ନିକଟତ୍ତର ହୋଇଥିଲେ ଓ ସେହି ସମୟ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ବୋଲି ସେ କହିଛନ୍ତି । ରସ୍କିନଙ୍କୁ ଦଶ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କ ପିତା ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ରସ୍କିନ ସିମଳାର ଏକ ବୋଡିଂ ସ୍କୁଲରେ ପଢ଼ୁଥିଲେ । ପିତାଙ୍କ ମୃତ୍ୟୁପରେ ତାଙ୍କ ମା ତାଙ୍କୁ ଡେରାଡୁନ ନେଇ ଆସିଥିଲେ ।
ରସ୍କିନ, ସିମଳାର ବିଶପ କଟନ ସ୍କୁଲରେ ପଢ଼ୁଥିଲେ ଓ ୧୯୫୦ ମସିହାରେ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍କୁଲରେ ପଢ଼ିବା ସମୟରେ ସେ ଅନେକ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିଲେ । ଈରୱିନ ଡିଭିନିଟି ପୁରସ୍କାର ଓ ହେଲି ଲିଟରେଚର ପୁରସ୍କାର ସେଥିମଧ୍ୟରୁ ଅନ୍ୟତମ । ୧୯୫୧ରେ, ୧୬ ବର୍ଷ ବୟସରେ ସେ କ୍ଷୁଦ୍ରଗଳ୍ପ ଅନଟଚେବୁଲ ଲେଖିଥିଲେ ।
ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ୧୯୫୧ ମସିହାରେ ରସ୍କିନ ଯୁକ୍ତରାଜ୍ୟର ଚ୍ୟାନେଲ ଆଇସଲାଣ୍ଡରେ ଥିବା ନିଜ ମାଉସୀ ଘରକୁ ଚାଲିଯାଇଥିଲେ । ସେଠାରେ ସେ ଦୁଇବର୍ଷ ରହିଥିଲେ ଓ ନିଜ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫ ଲେଖିଥିଲେ । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ରୁଷ୍ଟି ଏକ ବ୍ରିଟିଶ-ଭାରତୀୟ ଅନାଥ ପିଲା ଥିଲା । ଏହି ପୁସ୍ତକଟିକୁ ୧୯୫୭ ମସିହାରେ ଜନ ଲେୱେଲିନ ରାଏସ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି ଛପେଇବା ପାଇଁ ପ୍ରକାଶକ ଖୋଜିବା ପାଇଁ ସେ ଲଣ୍ଡନ ଚାଲିଯାଇଥିଲେ । ପୁସ୍ତକ ପ୍ରକାଶନ ପୂର୍ବରୁ ମିଳିଥିବା ଅଗ୍ରିମ ରାଶିରୁ ସେ ଡେରାଡୁନ ଫେରିବା ପାଇଁ ବମ୍ବେକୁ ଜଳପଥରେ ଟିକେଟ କିଣିଥିଲେ ।[୫]
ଲଣ୍ଡନରୁ ଫେରି ସେ କିଛି ବର୍ଷ ଦିଲ୍ଲୀ ଓ ଡେରାଡୁନରେ କାର୍ଯ୍ୟ କରିଥିଲେ ।[୬] ୧୯୬୩ ମସିହାରେ ସେ ମଶୋରୀରେ ରହିବା ଆରମ୍ଭ କରିଥିଲେ । ମଶୋରୀ ସହର ଦିଲ୍ଲୀର ନିକଟତ୍ତର ହୋଇଥିବାରୁ, ଦିଲ୍ଲୀର ପ୍ରକାଶକ ଓ ସମ୍ପାଦକମାନଙ୍କ ସହିତ ସମ୍ପର୍କରେ ରହିବାକୁ ସୁବିଧା ହୋଇଥିଲା । ୧୯୮୦ ମସିହାରେ ପେଙ୍ଗୁଇନ ପ୍ରକାଶନା ସଂସ୍ଥା ଭାରତରେ ନିଜର ପ୍ରକାଶନ କାର୍ଯ୍ୟ ଆରମ୍ଭ କରିଥିଲା । ୧୯୯୩ ମସିହାରେ ପେଙ୍ଗୁଇନ ରସ୍କିନଙ୍କର ଦ ରୁମ ଅନ ଦ ରୁଫ ଓ ତାହାର ଦ୍ୱିତୀୟ ଭାଗ ଭାଗ୍ରାଣ୍ଟସ ଇନ ଦ ଭ୍ୟାଲି (୧୯୫୬)କୁ ଏକତ୍ର ଛାପିଥିଲେ । ଅତିଭୌତିକ କଥାକୁ ନେଇ ସେ ଘୋଷ୍ଟ ଷ୍ଟୋରୀସ ଫ୍ରମ ଦ ରାଜ, ଏ ସିଜିନ ଅଫ ଘୋଷ୍ଟସ, ଏ ଫେସ ଇନ ଦ ଡାର୍କ ଓ ଅଦର ହଣ୍ଟିଙ୍ଗଜ ଆଦି ପୁସ୍ତକ ଲେଖିଛନ୍ତି । ତାଙ୍କ ଆତ୍ମଜୀବନୀ ସିନସ ଫ୍ରମ ଏ ରାଇଟରସ ଲାଇଫ ଓ ଲୋନ ଫକ୍ସ ଡାନସିଂ ନାମରେ ପ୍ରକାଶିତ ।
୧୯୬୩ ମସିହାରୁ ସେ ଫ୍ରିଲାନ୍ସ ଲେଖକ ଭାବରେ ଲଣ୍ଡୌରଠାରେ ନିଜ ଆଶ୍ରିତ ପରିବାର ସହ ରହି ଆସୁଛନ୍ତି । ୧୯୮୦ ମସିହାରୁ ସେ ଲଣ୍ଡୌରର ଆଭି କଟେଜଠାରେ ରହୁଛନ୍ତି ।[୭][୮] ତାଙ୍କ ଭଉଣୀ ଏଲେନ ଲୁଧିଆନାରେ ରହୁଥିଲେ ଓ ୨୦୧୪ ମସିହାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ଅନ୍ୟ ଜଣେ ଭାଇ ଉଇଲିୟମ, କାନାଡ଼ାରେ ରୁହନ୍ତି ।
ଲିଖନ ଶୈଳୀ
[ସମ୍ପାଦନା]ରସ୍କିନଙ୍କର ପିଲାଦିନ ହିମାଳୟର ପାଦଦେଶରେ ବିତିଥିଲା । ତାଙ୍କ ଲେଖାରେ ହିମାଳୟର ପାଦଦେଶ ଅଞ୍ଚଳର କଥା ବର୍ଣ୍ଣିତ ହୋଇଛି । ତାଙ୍କ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫ ଲେଖାଯିବା ବେଳକୁ ତାଙ୍କର ବୟସ ଥିଲା ୧୬ ଓ ଏହି ବହି ପ୍ରକାଶିତ ହେଲାବେଳକୁ ତାଙ୍କୁ ୨୧ ବର୍ଷ ହୋଇଥିଲା । ଏହି ପୁସ୍ତକରେ ଡେରାଡୁନରେ ଥିବା ତାଙ୍କ ଭଡ଼ାଘର ଓ ତାଙ୍କ ସାଙ୍ଗସାଥିଙ୍କ କଥା ଲେଖାଯାଇଛି । ୭୦ ଦଶକରେ ପ୍ରକାଶ ପାଇଥିବା ତାଙ୍କ ପୁସ୍ତକ ଆଙ୍ଗ୍ରି ରିଭର ପିଲାମାନଙ୍କ ପାଇଁ ଲେଖାଯାଇଥିବା ତାଙ୍କର ପ୍ରଥମ ପୁସ୍ତକ ।[୯] ବଣ୍ଡଙ୍କ ଲେଖାରେ ତାଙ୍କ ବ୍ରିଟିଶ-ଭାରତୀୟ ପରିବାର, ଚଳଣି, ଭାରତର ସାମାଜିକ, ରାଜନୈତିକ, ବ୍ରିଟିଶ ମାନଙ୍କର ଭାରତ ଉପରେ ପ୍ରଭାବ, ଭାରତ ସ୍ୱାଧିନତା ପୂର୍ବ ଓ ପର କଥା ଲେଖାଯାଇଛି ।[୩]
ବଣ୍ଡଙ୍କ ଲେଖାର ଚଳଚ୍ଚିତ୍ର ରୂପାନ୍ତରଣ
[ସମ୍ପାଦନା]ବଣ୍ଡଙ୍କ ଐତିହାସିକ ଉପନ୍ୟାସ ଏ ଫ୍ଲାଇଟ ଅଫ ପିଜିୟନସକୁ ନେଇ ୧୯୭୮ ମସିହାରେ ହିନ୍ଦୀ ଜୁନୁନ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଶଶି କପୁର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ଶ୍ୟାମ ବେନେଗଲ ନିର୍ଦ୍ଦେଶକ ଥିଲେ । ତାଙ୍କର ଲୋକପ୍ରିୟ ରୁଷ୍ଟି କାହାଣୀକୁ ନେଇ ଦୂରଦର୍ଶନରେ ଏକ ଥା ରୁଷ୍ଟି ନାମରେ ଧାରାବାହିକ ନିର୍ମାଣ କରାଯାଇଥିଲା । ୨୦୦୫ ମସିହାରେ ବିଶାଳ ଭାରଦ୍ୱାଜ, ବଣ୍ଡଙ୍କ ପୁସ୍ତକ ଦ ବ୍ଲୁ ଅମ୍ବ୍ରେଲାକୁ ନେଇ ସମାନ ନାମରେ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୨୦୧୧ ମସିହାରେ ବିଶାଳ ଭାରଦ୍ୱାଜ ବଣ୍ଡଙ୍କ ଗପ ସୁଜାନାସ ସେଭେନ ହଜବ୍ୟାଣ୍ଡକୁ ନେଇ ୭ ଖୁନ ମାଫ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଥିଲେ ।
ରୁଷ୍ଟି
[ସମ୍ପାଦନା]ବଣ୍ଡ, ରୁଷ୍ଟି ନାମକ ଏକ କାଳ୍ପନିକ ଚରିତ୍ର ତିଆରି କରି, ଅନେକ କାହାଣୀ ରଚନା କରିଛନ୍ତି । ରୁଷ୍ଟି ଡେରାଡୁନରେ ରହୁଥିବା ଏକ ୧୬/୧୭ ବର୍ଷ ବୟସ୍କ ଅନାଥ ବ୍ରିଟିଶ-ଭାରତୀୟ ପିଲା । ସେ ନିଜ ପରିଚାୟକ ଜନ ହାରିସନଙ୍କ ସହିତ ରହେ । ଜନ ଜଣେ କଠୋର ଓ ନିର୍ଦ୍ଦୟ ବ୍ୟକ୍ତି ଥିଲେ । ରୁଷ୍ଟି ବାଧ୍ୟ ହେଇ ଜନଙ୍କର ସବୁ କଥା ମାନୁଥିଲେ, ନହେଲେ ତାଙ୍କୁ ବେତ୍ରାଘାତର ଭୟ ଥିଲା । ରୁଷ୍ଟିର କେହି ବନ୍ଧୁ ନଥିଲେ ଓ ସେ ଜନଙ୍କ ଘରେ ଏକୁଟିଆ ଅନୁଭବ କରୁଥିଲା । ସେ ଡେରାଡୁନରେ ୟୁରୋପିୟ ଲୋକଙ୍କ ଅଞ୍ଚଳରେ ରହୁଥିଲା କିନ୍ତୁ ତାକୁ ଭାରତୀୟମାନଙ୍କ ସହିତ ମିଶିବାକୁ ବହୁତ ଇଚ୍ଛା ଥିଲା । ସେ ଲୁଚି ଲୁଚି କିଛି ଭାରତୀୟ ପିଲାଙ୍କ ସହିତ ସାଙ୍ଗ ହେଲା । କ୍ରମେ ସେ ଜନଙ୍କଠାରୁ ଲୁଚି ଇଂଲାଣ୍ଡ ପଳେଇଯାଇଥିଲା । ରୁଷ୍ଟି ଚରିତ୍ର ମାଧ୍ୟମରେ, ବଣ୍ଡ ଏକ କିଶୋରର ଜୀବନକୁ ନେଇ ସଂଗ୍ରାମ, ତାର ସମ୍ପର୍କ, ଖୁସି ଓ ପ୍ରେମ ଦର୍ଶାଇଛନ୍ତି ।
ରୁଷ୍ଟି ମାଧ୍ୟମରେ, ବଣ୍ଡ ନିଜର ପିଲାଦିନ କଥା ଲେଖିବାକୁ ଚେଷ୍ଟା କରିଛନ୍ତି । ୧୭ ବର୍ଷ ବୟସରେ ଲେଖିଥିବା ତାଙ୍କ ପ୍ରଥମ ଆତ୍ମଜୀବନୀମୂଳକ ଉପନ୍ୟାସ ଦ ରୁମ ଅନ ଦ ରୁଫର ମୁଖ୍ୟ ଚରିତ୍ର ଥିଲା ରୁଷ୍ଟି ।[୧୦] ଏହି ଉପନ୍ୟାସରେ ରୁଷ୍ଟିର ଡେରାଡୁନର ରହଣୀ ଓ ସାଙ୍ଘସାଥିଙ୍କ କଥା ଲେଖାଯାଇଛି ।[୧୧]
କାହାଣୀରେ ରୁଷ୍ଟି
[ସମ୍ପାଦନା]ରୁଷ୍ଟି ଚରିତ୍ରକୁ ନେଇ ଲେଖାଯାଇଥିବା, ବଣ୍ଡଙ୍କର ଲେଖା :
- ଦ ରୁମ ଅନ ଦ ରୁଫ
- ରୁଷ୍ଟି ରନ୍ସ ଆୱେ
- ରୁଷ୍ଟି କମ୍ସ ହୋମ
- ଭାଗ୍ରାଣ୍ଟସ ଇନ ଦ ଭ୍ୟାଲି
- ରୁଷ୍ଟି ଆଣ୍ଡ ଦ ମ୍ୟାଜିକ ମାଉଣ୍ଟେନ
- ଦ ଆଡଭେଣ୍ଚରସ ଅଫ ରୁଷ୍ଟି
- ରୁଷ୍ଟି, ଦ ବୟ ଫ୍ରମ ଦ ହିଲ୍ସ
- ରୁଷ୍ଟି ଗୋସ ଟୁ ଲଣ୍ଡନ
ଆଧାର
[ସମ୍ପାଦନା]- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
- ↑ "Ruskin Bond awarded Sahitya Akademi Fellowship". www.thehindu.com. the hindu. Archived from the original on 19 May 2024. Retrieved 19 May 2024.
- ↑ ୩.୦ ୩.୧ Khorana, Meena G. (2003). The Life and Works of Ruskin Bond. Praegar, Greenwood. p. 1–10. ISBN 9780313311857.
- ↑ Pant, Neha (19 May 2015). "At 81, Ruskin Bond's tryst with his tireless pen continues". Hindustan Times. Retrieved 2015-10-22.
- ↑ Mishra, Prachi Raturi (19 May 2014). "The name is Bond, Ruskin Bond". Hindustan Times. Retrieved 2015-10-21.
- ↑ Sinha, Arpita (18 May 2010). "The name is Bond, Ruskin Bond". Archived from the original on 7 October 2011. Retrieved 3 March 2011.
- ↑ Bond, Ruskin (24 November 2012). "Walk the Talk with Ruskin Bond" (Interview). Interviewed by Shekhar Gupta. Delhi: NDTV. Retrieved 18 July 2013.
- ↑ Dhir, L. Aruna (2018-04-02). "The interview that Ruskin Bond called his finest". DailyO.in. Retrieved 2020-01-13.
- ↑ Zachariah, Preeti (2019-12-02). "How Ruskin Bond keeps the magic of boyhood alive". The Hindu (in Indian English). ISSN 0971-751X. Retrieved 2020-01-13.
Though 'Children's Author' is a tag that he is usually associated with, Bond began writing for children only in his forties. "I was always good at writing about children. But I wrote those stories without a reader in mind",
- ↑ Singh, Tanaya (2016-01-03). "Ruskin Bond Brings Back Rusty. After More than a Decade". The Better India (in ଆମେରିକୀୟ ଇଂରାଜୀ). Retrieved 2017-05-30.
- ↑ "5 popular books by Ruskin Bond you shouldn't miss : Art and Culture". India Today. 18 May 2016. Archived from the original on 2017-05-30. Retrieved 2017-05-30.