ମେହେରାନଗଡ଼
ମେହେରାନଗଡ଼ ଦୁର୍ଗ | |
---|---|
ଯୋଧପୁର, ରାଜସ୍ଥାନ, ଭାରତ | |
Coordinates | 26°17′52″N 73°01′06″E / 26.29784°N 73.01842°E |
Type | ଦୁର୍ଗ |
Site information | |
Controlled by | ଯୋଧପୁର ମହାରାଜା ଗଜସିଂହ |
Open to the public | ହଁ (ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା) |
Site history | |
Built by | ଯୋଧପୁର ରାଜ ପରିବାର |
ମେହେରାନଗଡ଼ ବା ମେହେରାନ୍ ଦୁର୍ଗ ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ । ଭାରତର ସର୍ବବୃହତ୍ ଦୁର୍ଗମାନଙ୍କ ମଧ୍ୟରେ ଏହାର ଗଣନା କରାଯାଇଥାଏ । ୧୪୬୦ ମସିହାରେ ରାଓ ଯୋଧା ଏହି ଦୁର୍ଗର ନିର୍ମାଣ କରାଇଥିଲେ । ସହରର ସ୍ତରରୁ ପ୍ରାୟ ୧୨୫ ମିଟର୍ ଉଚ୍ଚ ସ୍ଥାନରେ ଦୁର୍ଗଟି ନିର୍ମିତ ଓ ଏହାର କାନ୍ଥ ବହୁ ବଳିଷ୍ଠ । ଦୁର୍ଗରେ ପଥରର କାରୁକାର୍ଯ୍ୟ ଖଚିତ ଅନେକ ମହଲ, ରାଜସଭା ରହିଛି । ଦୁର୍ଗ ଓ ଖାଲୁଆ ସ୍ଥାନରେ ରହିଥିବା ଯୋଧପୁର ସହର ଏକ ସର୍ପିଳ ସଡ଼କଦ୍ୱାରା ସଂଯୁକ୍ତ । ଜୟପୁରର ଶାସକମାନଙ୍କ ମେହେରାନଗଡ଼ ଦୁର୍ଗ ଅକ୍ତିଆର କରିବା ଚେଷ୍ଟା ସମୟର ଯୁଦ୍ଧ ଓ ତୋପ ଗୋଳାର ଚିହ୍ନ ଦୁର୍ଗର ଦ୍ୱିତୀୟ ପ୍ରବେଶ ଦ୍ୱାରରେ ଏବେ ସୁଦ୍ଧା ଦେଖାଯାଇପାରିବ । ମେହେରାନଗଡ଼ର ପ୍ରତିରକ୍ଷା ସମୟରେ ସହୀଦ ହୋଇଥିବା ସୈନ୍ୟ କିରତ୍ ସିଂହ ସୋଡ଼ାଙ୍କର ଉଦ୍ଦେଶ୍ୟରେ ନିର୍ମିତ ଛତ୍ରି (ଛତ୍ର ସ୍ମାରକ) ଦୁର୍ଗର ବାମ ପଟେ ଅବସ୍ଥିତ ।
ଦୁର୍ଗର ୭ଟି ଦ୍ୱାର ରହିଛି । ଏଥିରୁ ଗୋଟିଏର ନାମ ହେଲା – ଜୟପୋଲ । ଜୟପୁର ଓ ବିକାନେର୍ର ସେନାକୁ ପରାସ୍ତ କରିବା ପରେ ମହାରାଜା ମାନସିଂହ ଏହି ବିଜୟ ଦ୍ୱାରର ନିର୍ମାଣ କରାଇଥିଲେ । ଆଉ ଏକ ଦ୍ୱାରର ନାମ ହେଲା – ଫତେପୋଲ । ମହାରାଜା ଅଜିତସିଂହଜୀ ମୋଗଲମାନଙ୍କୁ ପରାସ୍ତ କରିବା ପରେ ଏହି ବିଜୟ ଦ୍ୱାରର ନିର୍ମାଣ କରାଇଥିଲେ । ମେହେରାନଗଡ଼ରେ ରହିଥିବା ହାତ ପାପୁଲି ଛାପ ଏବେ ମଧ୍ୟ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।
ମେହେରାନଗଡ଼ର ସଂଗ୍ରହାଳୟ ରାଜସ୍ଥାନର ସମସ୍ତ ସଂଗ୍ରହାଳୟଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହି ସଂଗ୍ରହାଳୟର ଗୋଟିଏ ଅଂଶରେ ବିଭିନ୍ନ ପ୍ରକାରର ରାଜକୀୟ ପାଲିଙ୍କି ପ୍ରଦର୍ଶିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଗମ୍ବୁଜ ରହିଥିବା ମହାଦୋଳ ପାଲିଙ୍କି ୧୭୩୦ ମସିହାର ଯୁଦ୍ଧରେ ରାଜସ୍ଥାନର ତତ୍ତ୍ୱାବଧାରକଙ୍କଠାରୁ ଅଧିକାରକୁ ନିଆଯାଇଥିଲା । ସଂଗ୍ରହାଳୟରେ ରାଠୋର୍ ରାଜବଂଶର ଐତିହାସିକ ଗାଥା ବହନ କରୁଥିବା ବହୁ ହାତହତିଆର, କବଚ, ଚିତ୍ର ଇତ୍ୟାଦି ମଧ୍ୟ ରହିଛି ।
ନାମକରଣ
[ସମ୍ପାଦନା]ସଂସ୍କୃତ ଶବ୍ଦ “ମିହିର” (ସୂର୍ଯ୍ୟ ଦେବତାଙ୍କର ଆଉ ଏକ ନାମ) ଓ “ଗଡ଼” (ଦୁର୍ଗ ବା କିଲ୍ଲା)ର ମିଶ୍ରଣରୁ 'ମିହିରଗଡ଼' ଶବ୍ଦର ସୃଷ୍ଟି । ସ୍ଥାନୀୟ ରାଜସ୍ଥାନୀ ଉଚ୍ଚାରଣରେ ‘ମିହିରଗଡ଼’ ଶବ୍ଦ ଅପଭ୍ରଷ୍ଟ ବା ପରିବର୍ତ୍ତିତ ହୋଇ ‘ମେହେରାନଗଡ଼’ ହୋଇଯାଇଛି । ସୂର୍ଯ୍ୟ ଦେବ ରାଠୋର୍ ରାଜବଂଶର ଇଷ୍ଟ ଦେବତା ଥିଲେ ।[୧]
ଇତିହାସ
[ସମ୍ପାଦନା]ରାଠୋର୍ ରାଜବଂଶର ମୁଖିଆ ରାଓ ଯୋଧା ୧୪୫୯ ମସିହାରେ ଯୋଧପୁର ରାଜ୍ୟର ସ୍ଥାପନ କରିଥିଲେ । ଯୋଧପୁର ତାହା ପୂର୍ବରୁ ମାରୱାର୍ ନାମରେ ଜଣାଶୁଣା ଥିଲା । ତାଙ୍କ ପିତା ରାଣା ରଣମଲ୍ଲଙ୍କର ୨୪ ଜଣ ପୁତ୍ର ଥିଲେ ଓ ରାଓ ଯୋଧା ରାଠୋର୍ ବଂଶର ୧୫ତମ ରାଜା ରୂପେ ଅଭିଷିକ୍ତ ହୋଇଥିଲେ । ସେ ରହୁଥିବା ୧୦୦୦ ବର୍ଷ ପୁରୁଣା “ମଣ୍ଡୋର୍ ଦୁର୍ଗ” ସୁରକ୍ଷା ଦୃଷ୍ଟିରୁ ଆଉ ଉତ୍କୃଷ୍ଟ ନଥିଲା । ତେଣୁ ସିଂହାସନ ଆରୋହଣର ବର୍ଷେ ପରେ ରାଓ ଯୋଧା ଏକ ସୁରକ୍ଷିତ ସ୍ଥାନକୁ (ଯୋଧପୁରକୁ) ନିଜ ରାଜଧାନୀ ଉଠାଇନେବାକୁ ନିଷ୍ପତ୍ତି ନେଲେ ।
ରାଓ ସମରଙ୍କ ପୁତ୍ର ରାଓ ନରଙ୍କ ସହାୟତାରେ ମଣ୍ଡୋର୍ଠାରେ ମେୱାର୍ର ଆକ୍ରମଣକୁ ପ୍ରତିହତ କରାଯାଇପାରିଲା । ତାହା ପରେ ରାଓ ଯୋଧା ରାଓ ନରଙ୍କୁ “ଦିୱାନ୍” ଉପାଧୀରେ ମଣ୍ଡିତ କରିଥିଲେ । ରାଓ ନରଙ୍କ ସାହାଯ୍ୟ ଓ ପରାମର୍ଶରେ ୧୪୫୯ ମସିହା ମଇ ମାସ ୧୨ ତାରିଖରେ ରାଓ ଯୋଧାଙ୍କଦ୍ୱାରା ମେହେରାନଗଡ଼ ଦୁର୍ଗର ଆଧାର ଶିଳା ସ୍ଥାପିତ ହେଲା ।[୨] ମଣ୍ଡୋର୍ର ଦକ୍ଷିଣ ଦିଗରେ ପ୍ରାୟ ୯ କିଲୋମିଟର୍ ଦୂରରେ ଥିବା ଭକୁର୍ଚିଡ଼ିଆ (ଚଢ଼େଇଙ୍କ ପାହାଡ଼) ନାମକ ଏକ ପଥୁରିଆ ପାହାଡ଼କୁ ଦୁର୍ଗ ପାଇଁ ଚୟନ କରାଯାଇଥିଲା ।
ଯଦିଓ ଯୋଧପୁରର ପ୍ରତିଷ୍ଠାତା ରାଓ ଯୋଧା ୧୪୫୯ ମସିହାରେ ମେହେରାନଗଡ଼ର ନିର୍ମାଣ ଆରମ୍ଭ କରାଇଥିଲେ, ବର୍ତ୍ତମାନ ସୁଦ୍ଧା ଅତୁଟ ରହିଥିବା ଦୁର୍ଗର ଅଧିକାଂଶ ଭାଗର ନିର୍ମାଣର ଶ୍ରେୟ ମାରୱାର୍ର ରାଜା ଯଶୋବନ୍ତ ସିଂହଙ୍କୁ (ରାଜୁତି କାଳ : ୧୬୩୮-୧୬୭୮) ଯାଏ । ସହରର ମଧ୍ୟ ଭାଗରେ ଏକ ପାହାଡ଼ ଉପରେ ୫ କିଲୋମିଟର୍ ବ୍ୟାପ୍ତ ଏହି ଦୁର୍ଗର କାନ୍ଥଗୁଡ଼ିକ ପ୍ରାୟ ୩୬ ମିଟର୍ (୧୧୮ ଫୁଟ୍) ଉଚ୍ଚ ଓ ୨୧ ମିଟର୍ (୬୯ ଫୁଟ୍) ପ୍ରସ୍ଥ ବିଶିଷ୍ଟ । ରାଜସ୍ଥାନର କିଛି ମହତ୍ତ୍ୱପୂର୍ଣ୍ଣ ଇତିହାସ ଏହି ଦୁର୍ଗର ଚାରି କାନ୍ଥ ମଧ୍ୟରେ ବଦ୍ଧ ।
କିମ୍ବଦନ୍ତୀ
[ସମ୍ପାଦନା]କିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ ନିର୍ମାଣ କରିବା ପାଇଁ ରାଓ ଯୋଧାଙ୍କୁ ପାହାଡ଼ରେ ପୂର୍ବରୁ ବାସ କରୁଥିବା ଚିଡ଼ିଆନାଥଜୀ ନାମକ ଜଣେ ସାଧୁଙ୍କୁ ସେଠାରୁ ବିସ୍ଥାପିତ କରିବାକୁ ପଡ଼ିଥିଲା । ଚିଡ଼ିଆନାଥଜୀ ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ସାଧୁ ଥିଲେ ଓ ଆଖପାଖର ଅନେକ ଲୋକ ତାଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ । ରାଓ ଯୋଧା ଅନେକ ଥର ଯାଇ ଚିଡ଼ିଆନାଥଜୀଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେ ପାହାଡ଼ ଛାଡ଼ି ଅନ୍ୟତ୍ର କେଉଁଠାକୁ ଯିବେନାହିଁ ବୋଲି ଜିଦ୍ ଧରି ବସିଲେ । ତେଣୁ ରାଓ ଯୋଧା ଚରଣ ସମ୍ପ୍ରଦାୟର ଜଣେ ମହିୟସୀ ଯୋଦ୍ଧା ତଥା ସାଧ୍ୱୀ ଦେଶ୍ନୋକ୍ନିବାସିନୀ ଶ୍ରୀ କର୍ଣ୍ଣୀ ମାତାଙ୍କ ସାହାଯ୍ୟ ଲୋଡ଼ିଲେ । ରାଜାଙ୍କ ଇଚ୍ଛାନୁସାରେ କର୍ଣ୍ଣୀ ମାତା ଆସି ଚିଡ଼ିଆନାଥଜୀଙ୍କୁ ତୁରନ୍ତ ପାହାଡ଼ ଛାଡ଼ି ଚାଲିଯିବାକୁ କହିଥିଲେ । କର୍ଣ୍ଣୀ ମାତା ଜଣେ ମହିୟସୀ ଓ ଅଧିକ ପ୍ରଭାବଶାଳିନୀ ତପସ୍ୱିନୀ ହୋଇଥିବାର ଦେଖି ଚିଡ଼ିଆନାଥଜୀ ପାହାଡ଼ ଛାଡ଼ି ଅବିଳମ୍ବେ ଚାଲିଯିବାକୁ ବସିଲେ । କିନ୍ତୁ ଗଲାବେଳେ ସେ ରାଓ ଯୋଧାଙ୍କୁ ଅଭିଶାପ ଦେଇ କହିଲେ, “ଯୋଧା ! ତୁମ ଦୁର୍ଗରେ ସର୍ବଦା ଜଳାଭାବ ଲାଗି ରହୁ !” ଏହା ଶୁଣି ରାଓ ଯୋଧା ସାଧୁଙ୍କ ପାଇଁ ଦୁର୍ଗ ମଧ୍ୟରେ ଏକ ମନ୍ଦିର ଓ ଏକ ଘର ନିର୍ମାଣ କରାଇବାର ପ୍ରତିଜ୍ଞା କରି ତାଙ୍କ ରାଗ ଶାନ୍ତ କରିଥିଲେ । କର୍ଣ୍ଣୀ ମାତାଙ୍କ ପ୍ରଭାବ ଦେଖି ରାଓ ଯୋଧା ମାତାଙ୍କ ହାତରେ ମେହେରାନଗଡ଼ର ଆଧାର ଶିଳା ସ୍ଥାପନ କରାଇଥିଲେ । ବର୍ତ୍ତମାନ ସମୟରେ ରାଠୋର୍ ବଂଶୀୟ ରାଜାମାନେ କେବଳ ଯୋଧପୁର ଓ ବିକାନେର୍ ଅଞ୍ଚଳରେ ସୀମିତ । ଉଭୟ ଦୁର୍ଗର ଭିତ୍ତି ପ୍ରସ୍ତର କର୍ଣ୍ଣୀ ମାତାଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ରାଜସ୍ଥାନର ଅନ୍ୟ ସମସ୍ତ ଦୁର୍ଗ କୌଣସି ନା କୌଣସି କାରଣରୁ ରାଜପୁତ ଶାସକମାନେ ପରିତ୍ୟାଗ କରିଥିଲେ । କେବଳ ରାଠୋର୍ମାନେ ନିଜର ଦୁର୍ଗର ଉପଯୋଗ କରୁଛନ୍ତି । ଏହାକୁ ସ୍ଥାନୀୟ ଲୋକେ କର୍ଣ୍ଣୀ ମାତାଙ୍କ ଚମତ୍କାର ବୋଲି ବିଶ୍ୱାସ କରନ୍ତି । କର୍ଣ୍ଣୀ ମାତାଙ୍କ ନିକଟକୁ ଆଗମନର ନିମନ୍ତ୍ରଣ ନେଇ ଯାଇଥିବା ଦୁଇ ଚରଣ ଯୋଦ୍ଧାଙ୍କୁ ରାଜା ରାଓ ଯୋଧା ମଥାନିଆ ଓ ଚୋପାସନି ଗ୍ରାମ ଦୁଇଟି ଦାନ କରିଥିଲେ ।
ମେହେରାନଗଡ଼ ସର୍ବଦା ମଙ୍ଗଳମୟ ସ୍ଥାନ ରହୁ ବୋଲି ମେଘୱାଲ୍ ଗୋଷ୍ଠୀର ରାଜା ରାମ ମେଘୱାଲଙ୍କୁ ଜୀବିତାବସ୍ଥାରେ ମେହେରାନଗଡ଼ରେ ସମାଧି ଦିଆଯାଇଥିଲା । ରାଜା ରାମ ସ୍ୱଇଚ୍ଛାରେ ସମାଧି ଗ୍ରହଣ କରିଥିଲେ ଓ ଏହି ପ୍ରକାର ବଳିଦାନ ସେତେବେଳେ ପବିତ୍ର ବୋଲି ବିଶ୍ୱାସ କରାଯାଉଥିଲା । ରାଠୋର୍ ରାଜାମାନେ ରାଜା ରାମ ମେଘୱାଲଙ୍କ ପରିବାରର ଚିର ଦାୟିତ୍ୱ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ରାଜା ରାମ ମେଘୱାଲଙ୍କ ପରପୁରୁଷ ଓ ଦାୟାଦମାନେ ଏବେ ମଧ୍ୟ “ରାଜ ବାଗ୍”ରେ ରହି ଆସୁଛନ୍ତି । ରାଜା ରାମ ମେଘୱାଲଙ୍କ ବଗିଚ଼ାକୁ “ରାଜ ବାଗ୍” ବୋଲି କୁହାଯାଉଛି ।
ଦୁର୍ଗର କିଛି ମୁଖ୍ୟ ଦ୍ୱାର
[ସମ୍ପାଦନା]୭ଟି ଭିନ୍ନ ଭିନ୍ନ ପ୍ରବେଶ ଦ୍ୱାର ଦେଇ ଦୁର୍ଗକୁ ଯାଇହେବ । ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ଦ୍ୱାରଗୁଡ଼ିକ ହେଲେ :
- ଜୟ ପୋଲ୍ ("ବିଜୟ ଦ୍ୱାର") ମହାରାଜା ମାନସିଂହଙ୍କଦ୍ୱାରା ୧୮୦୬ ମସିହାରେ ନିର୍ମିତ ହୋଇଥିଲା । ଜୟପୁର ଓ ବିକାନେର୍ ରାଜ୍ୟ ବିରୁଦ୍ଧରେ ହୋଇଥିବା ଯୁଦ୍ଧରେ ଜୟଯୁକ୍ତ ହେବା ପରେ ତାହାର ବିଜୟ ସମାରୋହ ଓ ସ୍ମାରକ ପୂର୍ବକ ଏହି ଦ୍ୱାର ନିର୍ମିତ ହେଲା ।
- ଫତେ ପୋଲ୍ ୧୭୦୭ ମସିହାରେ ମୋଗଲଙ୍କୁ ପରାସ୍ତ କରିବା ଖୁସିରେ ନିର୍ମିତ ହୋଇଥିଲା ।
- ଦେଢ଼ କମ୍ଗ୍ରା ପୋଲ୍ ନାମକ ଦ୍ୱାରରେ ଏବେ ମଧ୍ୟ ତୋପଗୋଳାରୁ ସୃଷ୍ଟ କ୍ଷତ ଦାଗ ଦେଖିବାକୁ ମିଳେ ।
- ଲୋହା ପୋଲ୍ ଦ୍ୱାର ଦୁର୍ଗର ମୁଖ୍ୟ ଅଂଶକୁ ଯିବା ପାଇଁ ନିର୍ମିତ ହୋଇଥିଲା । ସତୀମାନଙ୍କ ହାତ ଚିହ୍ନ ଥିବା ସ୍ଥାନ ଲୋହା ପୋଲ୍ର ଠିକ୍ ବାମ ପାଖରେ ରହିଛି । ୧୮୪୩ ମସିହାରେ ମହାରାଜ ମାନସିଂହଙ୍କ ମୃତ୍ୟୁ ପରେ ରାଜାଙ୍କ ସବୁ ରାଣୀ ତାଙ୍କ ଚିତାଗ୍ନିରେ ଯେଉଁ ଝାସ ଦେଇ ସତୀ ହେବା ବରଣ କରିଥିଲେ ।
ଦୁର୍ଗ ମଧ୍ୟରେ ଅନେକ ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ ମହଲ ରହିଛି । ତନ୍ମଧ୍ୟରୁ ମୋତି ମହଲ, ଫୁଲ ମହଲ, ଶୀଶା ମହଲ, ସିଲେଖାନା ଓ ଦୌଲତଖାନା ଅନ୍ୟତମ । ମେହେରାନଗଡ଼ର ସଂଗ୍ରହାଳୟ ମଧ୍ୟରେ ବିଭିନ୍ନ ଭାରବୁହା ପାଲିଙ୍କି, ହାତୀ ପାଲିଙ୍କି, ବାଦ୍ୟ ଯନ୍ତ୍ର, ବସ୍ତ୍ର, ଆସବାବପତ୍ର, ରାଜଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଝୁଲଣା ଇତ୍ୟାଦି ରହିଛି । ଦୁର୍ଗର ଏକ ଅଂଶରେ ପ୍ରସିଦ୍ଧ କିଲିକିଲା ତୋପ ଓ ଅନ୍ୟ ବହୁତଗୁଡ଼ିଏ ତୋପ ରଖାଯାଇଛି ଯେଉଁଠାରୁ ଯୋଧପୁର ସହରର ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ ।
ମେହେରାନଗଡ଼ ସଂଗ୍ରହାଳୟ
[ସମ୍ପାଦନା]ହାତୀ ହୌଦା ବା ହାତୀପିଠିରେ ବସିବା ପାଲିଙ୍କି
[ସମ୍ପାଦନା]“ହୌଦା” ଶବ୍ଦର ଅର୍ଥ ହେଲା ହାତୀପିଠିରେ ବନ୍ଧା ଯାଉଥିବା ପାଲିଙ୍କି । ଦୁଇଟି ଖୋପ ବିଶିଷ୍ଟ ଏକ କାଠ ତିଆରି ପାଲିଙ୍କିରେ ସୁନା ରୂପାର ପତଳା ପାତ ଚଢ଼ାଯାଇ ଏହି ପାଲିଙ୍କି ତିଆରି ହେଉଥିଲା । ଆଗ ପଟର ବଡ଼ ଖୋପରେ ରାଜା ବା ତାଙ୍କ ପରିବାରର ଲୋକଙ୍କ ବସିବା ପାଇଁ ଏବଂ ପଛ ପଟର ଖୋପଟି ଦାସ ପରି ଛଦ୍ମବେଶରେ ଥିବା ରାଜାଙ୍କ ଜଣେ ଅଙ୍ଗରକ୍ଷକ ପାଇଁ ଉଦ୍ଦିଷ୍ଟ ଥିଲା ।
ପାଲିଙ୍କି
[ସମ୍ପାଦନା]ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ରାଣୀ ବା ରାଜ ପରିବାରର ନାରୀମାନେ ଗମନାଗମନ ପାଇଁ ପାଲିଙ୍କିର ବ୍ୟବହାର କରୁଥିଲେ । କିଛି ପୁରୁଷ ସଭାଷଦ ଓ ରାଜ ପରିବାରର ବ୍ୟକ୍ତି ମଧ୍ୟ ବିଶେଷ ଅବସରରେ ପାଲିଙ୍କି ବ୍ୟବହାର କରୁଥିଲେ ।
ଦୌଲତଖାନା (ଖଜଣାଘର)
[ସମ୍ପାଦନା]ଏଠାରେ ମୋଗଲ ଶାସନ କାଳର କିଛି କଳାକୃତି ସୁସଂରକ୍ଷିତ ରଖାଯାଇଛି । ଯୋଧପୁରର ରାଠୋର୍ ଶାସକମାନେ ମୋଗଲମାନଙ୍କ ସହ ଭଲ ସମ୍ପର୍କ ରଖିଥିଲେ । ସମ୍ରାଟ ଆକବରଙ୍କ କିଛି ବ୍ୟବହୃତ ଜିନିଷ ଏଠାରେ ରହିଛି ।
ଅସ୍ତ୍ରାଗାର
[ସମ୍ପାଦନା]ଯୋଧପୁରରେ ବିଭିନ୍ନ ସମୟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ଏଠାରେ ସଂଗୃହିତ ଏବଂ ପ୍ରଦର୍ଶିତ । କିଛି ଖଣ୍ଡାର ହାତର ବେଣ୍ଟ ହରିତାଶ୍ମ, ଗଣ୍ଡା ଶିଙ୍ଗ, ହାତୀ ଦାନ୍ତ, ରୂପା ଆଦି ବହୁ ମୂଲ୍ୟ ବସ୍ତୁରେ ନିର୍ମିତ । ପୁଣି କିଛି ଢାଲରେ ରୁବି, ମୋତି, ପନ୍ନା ଆଦି ଖଚିତ ହୋଇଛନ୍ତି । ଏଠାରେ ରହିଥିବା କିଛି ବନ୍ଧୁକର ନଳୀରେ ସୁନା ରୂପାରେ କାରୁକାର୍ଯ୍ୟ ହୋଇଛି । ବିଭିନ୍ନ ରାଜା ଓ ସମ୍ରାଟଙ୍କ ଖଣ୍ଡା ଏଠାରେ ପ୍ରଦର୍ଶିତ ହୋଇଛି । ତନ୍ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଉଛି ସମ୍ରାଟ ଆକବରଙ୍କ ଖଣ୍ଡା, ତୈମୁରଲଂଗଙ୍କ ଖଣ୍ଡା ଓ ରାଓ ଯୋଧାଙ୍କ ଖଣ୍ଡା (ଯାହାର ଓଜନ ୩ କିଲୋଗ୍ରାମ୍ରୁ ଅଧିକ) ।
ଚିତ୍ରକଳା କକ୍ଷ
[ସମ୍ପାଦନା]ମାରୱାର୍-ଯୋଧପୁର ରାଜ୍ୟରେ ରଙ୍ଗବିରଙ୍ଗ ସୁନ୍ଦର ମାରୱାର ଚିତ୍ରକଳାର ଏକ ସଂଗ୍ରହ ଏଠାରେ ଦେଖିବାକୁ ମିଳେ ।
ପଗଡ଼ି କକ୍ଷ
[ସମ୍ପାଦନା]ରାଜସ୍ଥାନର ବିଭିନ୍ନ ଗୋଷ୍ଠୀ, ବିଭିନ୍ନ ଅଞ୍ଚଳର ତଥା ବିଭିନ୍ନ ଉତ୍ସବରେ ଲୋକେ ପିନ୍ଧୁଥିବା ପଗଡ଼ିମାନଙ୍କର ଏକ ସଂଗ୍ରହ ମେହେରାନଗଡ଼ରେ ଦେଖିବାକୁ ମିଳେ ।
ମେହେରାନଗଡ଼ ଆଖପାଖର ପର୍ଯ୍ୟଟନ ସ୍ଥଳୀ
[ସମ୍ପାଦନା]ଜାତୀୟ ଭୂବୈଜ୍ଞାନିକ ସ୍ମାରକ
[ସମ୍ପାଦନା]ମଲାନି ଇଗ୍ନେୟସ୍ ସୁଇଟ୍ କଣ୍ଟାକ୍ଟ (ଯୋଧପୁର ଗୋଷ୍ଠୀ)କୁ (ଇଂରାଜୀରେ Jodhpur Group - Malani Igneous Suite Contact) ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣଦ୍ୱାରା ଏକ ଜାତୀୟ ଭୂବୈଜ୍ଞାନିକ ସ୍ମାରକ ଭାବେ ମାନ୍ୟତା ଦିଆଯାଇଛି । ୪୩୫୦୦ କି.ମି.୨ ଅଞ୍ଚଳରେ ବ୍ୟାପ୍ତ ଏହି ସୁଇଟ୍ ଏକ ସ୍ୱତନ୍ତ୍ର ଭୂବୈଜ୍ଞାନିକ ନମୁନା । ଭାରତୀୟ ଉପମହାଦେଶରେ ଆଗ୍ନେୟ ଗତିବିଧିର ଶେଷ ସମୟରେ ଏହି ମଲାନି ଇଗ୍ନେୟସ୍ ସୁଇଟ୍ ସୃଷ୍ଟି ହୋଇଥିଲା ।[୩][୪]
ଚାମୁଣ୍ଡା ମାତାଜୀ ମନ୍ଦିର
[ସମ୍ପାଦନା]ଚାମୁଣ୍ଡା ମାତାଜୀ ରାଓ ଯୋଧାଙ୍କ ଅତି ପ୍ରିୟ ଦେବୀ ଥିଲେ । ସେ ୧୪୬୦ ମସିହାରେ ଦେବୀଙ୍କ ପ୍ରତିମା ନିଜ ପୁରୁଣା ରାଜଧାନୀ ମଣ୍ଡୋର୍ରୁ ଆଣି ମେହେରାନଗଡ଼ରେ ସ୍ଥାପନ କରିଥିଲେ । ମା’ ଚାମୁଣ୍ଡା ପୂର୍ବରୁ ମଣ୍ଡୋର୍ର ଶାସନ କରୁଥିବା ପ୍ରତିହାର ରାଜବଂଶୀୟ ଶାସକଙ୍କର କୁଳ ଦେବୀ ଥିଲେ । ମା’ ଚାମୁଣ୍ଡା ବର୍ତ୍ତମାନ ସୁଦ୍ଧା ଯୋଧପୁର ମହାରାଜଙ୍କ ଇଷ୍ଟ ଦେବୀ । ଯୋଧପୁରର ଅଧିକାଂଶ ଜନତା ମା’ ଚାମୁଣ୍ଡାଙ୍କୁ ମାନନ୍ତି ଏବଂ ତାଙ୍କର ପୂଜା କରନ୍ତି । ବିଜୟାଦଶମୀ ବା ଦଶହରା ଉପଲକ୍ଷେ ଏହି ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଥାଏ ।
ରାଓ ଯୋଧା ଡେଜର୍ଟ୍ ରକ୍ ପାର୍କ୍
[ସମ୍ପାଦନା]ମେହେରାନଗଡ଼ ଦୁର୍ଗକୁ ଲାଗି ୭୨ ହେକ୍ଟର୍ ପରିମିତ ଅଞ୍ଚଳରେ ରାଓ ଯୋଧା ଡେଜର୍ଟ୍ ରକ୍ ପାର୍କ୍ ଅବସ୍ଥିତ । ଏହି ପାର୍କ ପରିସରରେ ଶୁଷ୍କ ମରୁଭୂମି ଓ ତା’ର ଉଦ୍ଭିଦ ଇତ୍ୟାଦି ଦେଖିବାକୁ ମିଳେ ।[୫][୬] ଏଠାକାର ଏକ ବୃହତ୍ ଅଞ୍ଚଳର ସଂରକ୍ଷଣକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ଏହି ପାର୍କ୍ ସ୍ଥାପିତ ହୋଇଥିଲା ଓ ପରେ ୨୦୧୧ ମସିହା ଫେବୃଆରୀ ମାସରେ ଜନସାଧାରଣଙ୍କ ନିମନ୍ତେ ଖୋଲାଯାଇଥିଲା । ପାର୍କ୍ ଆଖପାଖରେ ରାୟୋଲାଇଟ୍ ପରି ବିଭିନ୍ନ ଆଗ୍ନେୟ ଶିଳା, ବାଲୁକା ପଥର ବ୍ରେସିଆ ଆଦି ପଥରର ଭୂଗଠନ ଦେଖିବାକୁ ମିଳେ । ପାର୍କ୍ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସୂଚନା କେନ୍ଦ୍ର, ଦୋକାନ ଓ କଫି ଦୋକାନ ନଧ୍ୟ ରହିଛି ।
୨୦୦୮ ମସିହାର ଦଳାଚକଟା ଦୁର୍ଘଟଣା
[ସମ୍ପାଦନା]୨୦୦୮ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ମେହେରାନଗଡ଼ ଦୁର୍ଗ ପରିସରରେ ଥିବା ଚାମୁଣ୍ଡା ଦେବୀ ମନ୍ଦିରରେ ଦଳାଚକଟା ଘଟି ୨୪୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।[୭]
ସଂସ୍କୃତି ଓ ଜନଜୀବନରେ ମେହେରାନଗଡ଼
[ସମ୍ପାଦନା]ମେହେରାନଗଡ଼ର ପ୍ରବେଶ ଦ୍ୱାର ନିକଟରେ ବହୁ କଳାକାର ସ୍ଥାନୀୟ ଲୋକସଙ୍ଗୀତ ପରିବେଷଣ କରୁଥାନ୍ତି ଏବଂ ଦୁର୍ଗରେ ସଂଗ୍ରହାଳୟ, ଭୋଜନାଳୟ, ହସ୍ତଶିଳ୍ପ ବଜାର ଓ ବିଭିନ୍ନ ପ୍ରଦର୍ଶନୀ ସାମଗ୍ରୀ ରହିଛି ।[୮] ୧୯୯୪ ମସିହାରେ ଡିସ୍ନିଦ୍ୱାରା ନିର୍ମିତ “ଦ ଜଙ୍ଗଲ୍ ବୁକ୍” ନାମକ ଇଂରାଜୀ ଚଳଚ୍ଚିତ୍ରରେ ଏହି ଦୁର୍ଗର କିଛି ଅଂଶ ସ୍ଥାନ ପାଇଥିଲା । ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା “ଦ ଡାର୍କ୍ ନାଇଟ୍ ରାଇଜେସ୍” ନାମକ ଇଂରାଜୀ ଚଳଚ୍ଚିତ୍ରରେ ବ୍ରୁସ୍ ୱେନ୍ ଚରିତ୍ରଟି କାରାଗାରରୁ ମୁକ୍ତ ହେବା ସମୟର କିଛି ଅଂଶ ମେହେରାନଗଡ଼ ଦୁର୍ଗରେ ନିର୍ମିତ ହୋଇଥିଲା ।[୯] ଯୋଧପୁରରେ ୨୦୧୧ ମସିହା ମଇ ମାସ ୬ ତାରିଖରୁ ଚଳଚ୍ଚିତ୍ରର ଚିତ୍ରଗ୍ରହଣ ଆରମ୍ଭ ହୋଇସାରିଥିଲା ।[୧୦][୧୧] ଇମ୍ରାନ ହାସମୀଙ୍କ ଅଭିନୀତ ଆୱାରାପନ୍ ଚଳଚ୍ଚିତ୍ରର କିଛି ଅଂଶ ମଧ୍ୟ ଏହି ଦୁର୍ଗରେ ନିର୍ମିତ ହୋଇଛି ।[୧୨] ୨୦୧୫ ମସିହାରେ ଜଣେ ଇସ୍ରାଏଲୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ୟେ ବେନ୍ ଜୁର୍, ଇଂରାଜୀ ଗିଟାର୍ ବାଦକ ଓ ସଙ୍ଗୀତ ନିର୍ଦ୍ଦେଶକ ଜନି ଗ୍ରୀନ୍ୱୁଡ୍, ରେଡିଓହେଡ୍ ରକ୍ ବ୍ୟାଣ୍ଡ୍ ପ୍ରଯୋଜକ ନାଇଜେଲ୍ ଗଡ୍ରିଚ୍ ମିଳିତ ଭାବେ ଏଠାରେ ଏକ ସଙ୍ଗୀତ ଆଲ୍ବମ୍ ରେକର୍ଡ୍ କରିଥିଲେ । ଆମେରିକୀୟ ନିର୍ଦ୍ଦେଶକ ପଲ୍ ଥୋମାସ୍ ଏଣ୍ଡର୍ସନ୍ଙ୍କ “ଜୁନୁନ୍” ନାମକ ବୃତ୍ତଚିତ୍ରରେ ଏହି ରେକର୍ଡିଂ ପ୍ରଦର୍ଶିତ ହୋଇଥିଲା ।[୧୩][୧୪] ୨୦୧୮ ମସିହା ମାର୍ଚ୍ଚ ମାସରେ “ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ” ଚଳଚ୍ଚିତ୍ର କିଛି ଅଂଶର ନିର୍ମାଣ ପାଇଁ ମେହେରାନଗଡ଼ ଦୁର୍ଗର ବ୍ୟବହାର କରାଯାଇଥିଲା ।[୧୫] ଅଭିନେତା ଅମିତାଭ ବଚ୍ଚନ ଏଠାରେ କାମ କରିବାର ଅନୁଭୁତି ନିଜ ବ୍ଲଗ୍ ମାଧ୍ୟମରେ ପ୍ରକାଶ କରିଥିଲେ ।[୧୬]
ଟୀକା
[ସମ୍ପାଦନା]- ↑ Mr Yashwant Singh, an official guide to the Fort.
- ↑ Mehrangarh Fort-Jodhpur Archived 20 November 2008 at the Wayback Machine.
- ↑ "Monuments of Stratigraphic Significance, Malani volcanics overlain by Jodhpur sandstone". Geological Survey of India. 2001. Retrieved 2009-03-23.
- ↑ "Regional Geological and Tectonic Setting" (PDF). pp. 68–73. Archived from the original (PDF) on 2011-10-05. Retrieved 2009-03-25.
- ↑ "Reclaiming the desert". The Hindu (in Indian English). 2014-07-30. ISSN 0971-751X. Retrieved 2016-09-04.
- ↑ "Rao Jodhpur desert rock park - Xinhua | English.news.cn". news.xinhuanet.com. Retrieved 2016-09-04.
- ↑ "2008 Stampede at Chanmunda Devi Temple in Mehrangarh Fort Sep 30, 2008". Archived from the original on 2016-11-10. Retrieved 2019-01-16.
- ↑ "The Fantastic 5 Forts: Rajasthan Is Home to Some Beautiful Forts, Here Are Some Must-See Heritage Structures". DNA : Daily News & Analysis. 28 January 2014. Archived from the original on 24 September 2015. Retrieved 5 July 2015 – via High Beam.
{{cite news}}
: Unknown parameter|subscription=
ignored (|url-access=
suggested) (help) - ↑ "Shooting in India was nice adventure: Christian Bale". INDIATIMES. Retrieved 6 March 2014.
- ↑ Dasgupta, Priyanka (April 30, 2011). "Christopher Nolan to shoot in Jodhpur". The Times of India. Archived from the original on July 10, 2013. Retrieved August 10, 2011.
- ↑ Molino, Rachel (April 27, 2011). "'The Dark Knight Rises' Heads to India". MTV. Archived from the original on February 12, 2022. Retrieved May 8, 2011.
- ↑ "Awarapan Locations". BOLLYLOCATIONS. Archived from the original on 18 July 2018. Retrieved 18 January 2015.
- ↑ "NYFF Review: Paul Thomas Anderson is Trying Something Different With 'Junun'". Indiewire. Retrieved 2015-10-09.
- ↑ "Film Review: 'Junun'". Variety. Retrieved 2015-10-09.
- ↑ https://www.indiatvnews.com/entertainment/bollywood-thugs-of-hindostan-amitabh-bachchan-gets-smitten-by-the-beauty-of-jodhpur-s-mehrangarh-fort-431513
- ↑ http://srbachchan.tumblr.com/post/171634120571
ଆହୁରି ପଢ଼ିପାରିବେ
[ସମ୍ପାଦନା]- Crump, Vivien; Toh, Irene (1996). Rajasthan. London: Everyman Guides. p. 400. ISBN 1-85715-887-3.
- Beny, Rolof; Matheson, Sylvia (1984). Rajasthan - Land of Kings. New York: The Vendome Press. p. 200 pages. ISBN 0-86565-046-2.
- Tillotson, G.H.R (1987). The Rajput Palaces - The Development of an Architectural Style (First ed.). New Haven and London: Yale University Press. p. 224 pages. ISBN 0-300-03738-4.
- SuryanagariJodhpur by Prem Bhandari
- Maharaja Umaid Singhji by Prem Bhandari
- Paintings from the royal collection of the Mehrangarh Museum Trust, Jodhpur British Museum