ମେହେରାନଗଡ଼

Coordinates: 26°17′52″N 73°01′06″E / 26.29784°N 73.01842°E / 26.29784; 73.01842
ଉଇକିପିଡ଼ିଆ‌ରୁ
ମେହେରାନଗଡ଼ ଦୁର୍ଗ
ଯୋଧପୁର, ରାଜସ୍ଥାନ, ଭାରତ
ମେହେରାନଗଡ଼ ଦୁର୍ଗର ଦୃଶ୍ୟ
ମେହେରାନଗଡ଼ ଦୁର୍ଗ is located in India
ମେହେରାନଗଡ଼ ଦୁର୍ଗ
ମେହେରାନଗଡ଼ ଦୁର୍ଗ
Coordinates26°17′52″N 73°01′06″E / 26.29784°N 73.01842°E / 26.29784; 73.01842
Typeଦୁର୍ଗ
Site information
Controlled byଯୋଧପୁର ମହାରାଜା ଗଜସିଂହ
Open to
the public
ହଁ (ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା)
Site history
Built byଯୋଧପୁର ରାଜ ପରିବାର

ମେହେରାନଗଡ଼ ବା ମେହେରାନ୍ ଦୁର୍ଗ ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ । ଭାରତର ସର୍ବବୃହତ୍ ଦୁର୍ଗମାନଙ୍କ ମଧ୍ୟରେ ଏହାର ଗଣନା କରାଯାଇଥାଏ । ୧୪୬୦ ମସିହାରେ ରାଓ ଯୋଧା ଏହି ଦୁର୍ଗର ନିର୍ମାଣ କରାଇଥିଲେ । ସହରର ସ୍ତରରୁ ପ୍ରାୟ ୧୨୫ ମିଟର୍ ଉଚ୍ଚ ସ୍ଥାନରେ ଦୁର୍ଗଟି ନିର୍ମିତ ଓ ଏହାର କାନ୍ଥ ବହୁ ବଳିଷ୍ଠ । ଦୁର୍ଗରେ ପଥରର କାରୁକାର୍ଯ୍ୟ ଖଚିତ ଅନେକ ମହଲ, ରାଜସଭା ରହିଛି । ଦୁର୍ଗ ଓ ଖାଲୁଆ ସ୍ଥାନରେ ରହିଥିବା ଯୋଧପୁର ସହର ଏକ ସର୍ପିଳ ସଡ଼କଦ୍ୱାରା ସଂଯୁକ୍ତ । ଜୟପୁରର ଶାସକମାନଙ୍କ ମେହେରାନଗଡ଼ ଦୁର୍ଗ ଅକ୍ତିଆର କରିବା ଚେଷ୍ଟା ସମୟର ଯୁଦ୍ଧ ଓ ତୋପ ଗୋଳାର ଚିହ୍ନ ଦୁର୍ଗର ଦ୍ୱିତୀୟ ପ୍ରବେଶ ଦ୍ୱାରରେ ଏବେ ସୁଦ୍ଧା ଦେଖାଯାଇପାରିବ । ମେହେରାନଗଡ଼ର ପ୍ରତିରକ୍ଷା ସମୟରେ ସହୀଦ ହୋଇଥିବା ସୈନ୍ୟ କିରତ୍ ସିଂହ ସୋଡ଼ାଙ୍କର ଉଦ୍ଦେଶ୍ୟରେ ନିର୍ମିତ ଛତ୍ରି (ଛତ୍ର ସ୍ମାରକ) ଦୁର୍ଗର ବାମ ପଟେ ଅବସ୍ଥିତ ।

ଦୁର୍ଗର ୭ଟି ଦ୍ୱାର ରହିଛି । ଏଥିରୁ ଗୋଟିଏର ନାମ ହେଲା – ଜୟପୋଲ । ଜୟପୁର ଓ ବିକାନେର୍‍ର ସେନାକୁ ପରାସ୍ତ କରିବା ପରେ ମହାରାଜା ମାନସିଂହ ଏହି ବିଜୟ ଦ୍ୱାରର ନିର୍ମାଣ କରାଇଥିଲେ । ଆଉ ଏକ ଦ୍ୱାରର ନାମ ହେଲା – ଫତେପୋଲ । ମହାରାଜା ଅଜିତସିଂହଜୀ ମୋଗଲମାନଙ୍କୁ ପରାସ୍ତ କରିବା ପରେ ଏହି ବିଜୟ ଦ୍ୱାରର ନିର୍ମାଣ କରାଇଥିଲେ । ମେହେରାନଗଡ଼ରେ ରହିଥିବା ହାତ ପାପୁଲି ଛାପ ଏବେ ମଧ୍ୟ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ମେହେରାନଗଡ଼ର ସଂଗ୍ରହାଳୟ ରାଜସ୍ଥାନର ସମସ୍ତ ସଂଗ୍ରହାଳୟଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହି ସଂଗ୍ରହାଳୟର ଗୋଟିଏ ଅଂଶରେ ବିଭିନ୍ନ ପ୍ରକାରର ରାଜକୀୟ ପାଲିଙ୍କି ପ୍ରଦର୍ଶିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଗମ୍ବୁଜ ରହିଥିବା ମହାଦୋଳ ପାଲିଙ୍କି ୧୭୩୦ ମସିହାର ଯୁଦ୍ଧରେ ରାଜସ୍ଥାନର ତତ୍ତ୍ୱାବଧାରକଙ୍କଠାରୁ ଅଧିକାରକୁ ନିଆଯାଇଥିଲା । ସଂଗ୍ରହାଳୟରେ ରାଠୋର୍ ରାଜବଂଶର ଐତିହାସିକ ଗାଥା ବହନ କରୁଥିବା ବହୁ ହାତହତିଆର, କବଚ, ଚିତ୍ର ଇତ୍ୟାଦି ମଧ୍ୟ ରହିଛି ।

ନାମକରଣ[ସମ୍ପାଦନା]

ସଂସ୍କୃତ ଶବ୍ଦ “ମିହିର” (ସୂର୍ଯ୍ୟ ଦେବତାଙ୍କର ଆଉ ଏକ ନାମ) ଓ “ଗଡ଼” (ଦୁର୍ଗ ବା କିଲ୍ଲା)ର ମିଶ୍ରଣରୁ 'ମିହିରଗଡ଼' ଶବ୍ଦର ସୃଷ୍ଟି । ସ୍ଥାନୀୟ ରାଜସ୍ଥାନୀ ଉଚ୍ଚାରଣରେ ‘ମିହିରଗଡ଼’ ଶବ୍ଦ ଅପଭ୍ରଷ୍ଟ ବା ପରିବର୍ତ୍ତିତ ହୋଇ ‘ମେହେରାନଗଡ଼’ ହୋଇଯାଇଛି । ସୂର୍ଯ୍ୟ ଦେବ ରାଠୋର୍ ରାଜବଂଶର ଇଷ୍ଟ ଦେବତା ଥିଲେ ।[୧]

ଇତିହାସ[ସମ୍ପାଦନା]

ରାଠୋର୍ ରାଜବଂଶର ମୁଖିଆ ରାଓ ଯୋଧା ୧୪୫୯ ମସିହାରେ ଯୋଧପୁର ରାଜ୍ୟର ସ୍ଥାପନ କରିଥିଲେ । ଯୋଧପୁର ତାହା ପୂର୍ବରୁ ମାରୱାର୍ ନାମରେ ଜଣାଶୁଣା ଥିଲା । ତାଙ୍କ ପିତା ରାଣା ରଣମଲ୍ଲଙ୍କର ୨୪ ଜଣ ପୁତ୍ର ଥିଲେ ଓ ରାଓ ଯୋଧା ରାଠୋର୍ ବଂଶର ୧୫ତମ ରାଜା ରୂପେ ଅଭିଷିକ୍ତ ହୋଇଥିଲେ । ସେ ରହୁଥିବା ୧୦୦୦ ବର୍ଷ ପୁରୁଣା “ମଣ୍ଡୋର୍ ଦୁର୍ଗ” ସୁରକ୍ଷା ଦୃଷ୍ଟିରୁ ଆଉ ଉତ୍କୃଷ୍ଟ ନଥିଲା । ତେଣୁ ସିଂହାସନ ଆରୋହଣର ବର୍ଷେ ପରେ ରାଓ ଯୋଧା ଏକ ସୁରକ୍ଷିତ ସ୍ଥାନକୁ (ଯୋଧପୁରକୁ) ନିଜ ରାଜଧାନୀ ଉଠାଇନେବାକୁ ନିଷ୍ପତ୍ତି ନେଲେ ।

ରାଓ ସମରଙ୍କ ପୁତ୍ର ରାଓ ନରଙ୍କ ସହାୟତାରେ ମଣ୍ଡୋର୍‍ଠାରେ ମେୱାର୍‍ର ଆକ୍ରମଣକୁ ପ୍ରତିହତ କରାଯାଇପାରିଲା । ତାହା ପରେ ରାଓ ଯୋଧା ରାଓ ନରଙ୍କୁ “ଦିୱାନ୍” ଉପାଧୀରେ ମଣ୍ଡିତ କରିଥିଲେ । ରାଓ ନରଙ୍କ ସାହାଯ୍ୟ ଓ ପରାମର୍ଶରେ ୧୪୫୯ ମସିହା ମଇ ମାସ ୧୨ ତାରିଖରେ ରାଓ ଯୋଧାଙ୍କଦ୍ୱାରା ମେହେରାନଗଡ଼ ଦୁର୍ଗର ଆଧାର ଶିଳା ସ୍ଥାପିତ ହେଲା ।[୨] ମଣ୍ଡୋର୍‍ର ଦକ୍ଷିଣ ଦିଗରେ ପ୍ରାୟ ୯ କିଲୋମିଟର୍ ଦୂରରେ ଥିବା ଭକୁର୍‍ଚିଡ଼ିଆ (ଚଢ଼େଇଙ୍କ ପାହାଡ଼) ନାମକ ଏକ ପଥୁରିଆ ପାହାଡ଼କୁ ଦୁର୍ଗ ପାଇଁ ଚୟନ କରାଯାଇଥିଲା ।

ଯଦିଓ ଯୋଧପୁରର ପ୍ରତିଷ୍ଠାତା ରାଓ ଯୋଧା ୧୪୫୯ ମସିହାରେ ମେହେରାନଗଡ଼ର ନିର୍ମାଣ ଆରମ୍ଭ କରାଇଥିଲେ, ବର୍ତ୍ତମାନ ସୁଦ୍ଧା ଅତୁଟ ରହିଥିବା ଦୁର୍ଗର ଅଧିକାଂଶ ଭାଗର ନିର୍ମାଣର ଶ୍ରେୟ ମାରୱାର୍‍ର ରାଜା ଯଶୋବନ୍ତ ସିଂହଙ୍କୁ (ରାଜୁତି କାଳ : ୧୬୩୮-୧୬୭୮) ଯାଏ । ସହରର ମଧ୍ୟ ଭାଗରେ ଏକ ପାହାଡ଼ ଉପରେ ୫ କିଲୋମିଟର୍ ବ୍ୟାପ୍ତ ଏହି ଦୁର୍ଗର କାନ୍ଥଗୁଡ଼ିକ ପ୍ରାୟ ୩୬ ମିଟର୍ (୧୧୮ ଫୁଟ୍) ଉଚ୍ଚ ଓ ୨୧ ମିଟର୍ (୬୯ ଫୁଟ୍) ପ୍ରସ୍ଥ ବିଶିଷ୍ଟ । ରାଜସ୍ଥାନର କିଛି ମହତ୍ତ୍ୱପୂର୍ଣ୍ଣ ଇତିହାସ ଏହି ଦୁର୍ଗର ଚାରି କାନ୍ଥ ମଧ୍ୟରେ ବଦ୍ଧ ।

କିମ୍ବଦନ୍ତୀ[ସମ୍ପାଦନା]

ମେହେରାନଗଡ଼ର ସୁଉଚ୍ଚ ଓ ସୁଦୃଢ଼ ଦୁର୍ଗର ଚିତ୍ର ଏବଂ ପ୍ରଚ୍ଛଦପଟ୍ଟରେ ସୁନ୍ଦର ମେଘମାଳ

କିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ ନିର୍ମାଣ କରିବା ପାଇଁ ରାଓ ଯୋଧାଙ୍କୁ ପାହାଡ଼ରେ ପୂର୍ବରୁ ବାସ କରୁଥିବା ଚିଡ଼ିଆନାଥଜୀ ନାମକ ଜଣେ ସାଧୁଙ୍କୁ ସେଠାରୁ ବିସ୍ଥାପିତ କରିବାକୁ ପଡ଼ିଥିଲା । ଚିଡ଼ିଆନାଥଜୀ ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ସାଧୁ ଥିଲେ ଓ ଆଖପାଖର ଅନେକ ଲୋକ ତାଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ । ରାଓ ଯୋଧା ଅନେକ ଥର ଯାଇ ଚିଡ଼ିଆନାଥଜୀଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେ ପାହାଡ଼ ଛାଡ଼ି ଅନ୍ୟତ୍ର କେଉଁଠାକୁ ଯିବେନାହିଁ ବୋଲି ଜିଦ୍ ଧରି ବସିଲେ । ତେଣୁ ରାଓ ଯୋଧା ଚରଣ ସମ୍ପ୍ରଦାୟର ଜଣେ ମହିୟସୀ ଯୋଦ୍ଧା ତଥା ସାଧ୍ୱୀ ଦେଶ୍ନୋକ୍‍ନିବାସିନୀ ଶ୍ରୀ କର୍ଣ୍ଣୀ ମାତାଙ୍କ ସାହାଯ୍ୟ ଲୋଡ଼ିଲେ । ରାଜାଙ୍କ ଇଚ୍ଛାନୁସାରେ କର୍ଣ୍ଣୀ ମାତା ଆସି ଚିଡ଼ିଆନାଥଜୀଙ୍କୁ ତୁରନ୍ତ ପାହାଡ଼ ଛାଡ଼ି ଚାଲିଯିବାକୁ କହିଥିଲେ । କର୍ଣ୍ଣୀ ମାତା ଜଣେ ମହିୟସୀ ଓ ଅଧିକ ପ୍ରଭାବଶାଳିନୀ ତପସ୍ୱିନୀ ହୋଇଥିବାର ଦେଖି ଚିଡ଼ିଆନାଥଜୀ ପାହାଡ଼ ଛାଡ଼ି ଅବିଳମ୍ବେ ଚାଲିଯିବାକୁ ବସିଲେ । କିନ୍ତୁ ଗଲାବେଳେ ସେ ରାଓ ଯୋଧାଙ୍କୁ ଅଭିଶାପ ଦେଇ କହିଲେ, “ଯୋଧା ! ତୁମ ଦୁର୍ଗରେ ସର୍ବଦା ଜଳାଭାବ ଲାଗି ରହୁ !” ଏହା ଶୁଣି ରାଓ ଯୋଧା ସାଧୁଙ୍କ ପାଇଁ ଦୁର୍ଗ ମଧ୍ୟରେ ଏକ ମନ୍ଦିର ଓ ଏକ ଘର ନିର୍ମାଣ କରାଇବାର ପ୍ରତିଜ୍ଞା କରି ତାଙ୍କ ରାଗ ଶାନ୍ତ କରିଥିଲେ । କର୍ଣ୍ଣୀ ମାତାଙ୍କ ପ୍ରଭାବ ଦେଖି ରାଓ ଯୋଧା ମାତାଙ୍କ ହାତରେ ମେହେରାନଗଡ଼ର ଆଧାର ଶିଳା ସ୍ଥାପନ କରାଇଥିଲେ । ବର୍ତ୍ତମାନ ସମୟରେ ରାଠୋର୍ ବଂଶୀୟ ରାଜାମାନେ କେବଳ ଯୋଧପୁର ଓ ବିକାନେର୍ ଅଞ୍ଚଳରେ ସୀମିତ । ଉଭୟ ଦୁର୍ଗର ଭିତ୍ତି ପ୍ରସ୍ତର କର୍ଣ୍ଣୀ ମାତାଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ରାଜସ୍ଥାନର ଅନ୍ୟ ସମସ୍ତ ଦୁର୍ଗ କୌଣସି ନା କୌଣସି କାରଣରୁ ରାଜପୁତ ଶାସକମାନେ ପରିତ୍ୟାଗ କରିଥିଲେ । କେବଳ ରାଠୋର୍‍ମାନେ ନିଜର ଦୁର୍ଗର ଉପଯୋଗ କରୁଛନ୍ତି । ଏହାକୁ ସ୍ଥାନୀୟ ଲୋକେ କର୍ଣ୍ଣୀ ମାତାଙ୍କ ଚମତ୍କାର ବୋଲି ବିଶ୍ୱାସ କରନ୍ତି । କର୍ଣ୍ଣୀ ମାତାଙ୍କ ନିକଟକୁ ଆଗମନର ନିମନ୍ତ୍ରଣ ନେଇ ଯାଇଥିବା ଦୁଇ ଚରଣ ଯୋଦ୍ଧାଙ୍କୁ ରାଜା ରାଓ ଯୋଧା ମଥାନିଆ ଓ ଚୋପାସନି ଗ୍ରାମ ଦୁଇଟି ଦାନ କରିଥିଲେ ।

ମେହେରାନଗଡ଼ ସର୍ବଦା ମଙ୍ଗଳମୟ ସ୍ଥାନ ରହୁ ବୋଲି ମେଘୱାଲ୍ ଗୋଷ୍ଠୀର ରାଜା ରାମ ମେଘୱାଲଙ୍କୁ ଜୀବିତାବସ୍ଥାରେ ମେହେରାନଗଡ଼ରେ ସମାଧି ଦିଆଯାଇଥିଲା । ରାଜା ରାମ ସ୍ୱଇଚ୍ଛାରେ ସମାଧି ଗ୍ରହଣ କରିଥିଲେ ଓ ଏହି ପ୍ରକାର ବଳିଦାନ ସେତେବେଳେ ପବିତ୍ର ବୋଲି ବିଶ୍ୱାସ କରାଯାଉଥିଲା । ରାଠୋର୍ ରାଜାମାନେ ରାଜା ରାମ ମେଘୱାଲଙ୍କ ପରିବାରର ଚିର ଦାୟିତ୍ୱ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ରାଜା ରାମ ମେଘୱାଲଙ୍କ ପରପୁରୁଷ ଓ ଦାୟାଦମାନେ ଏବେ ମଧ୍ୟ “ରାଜ ବାଗ୍”ରେ ରହି ଆସୁଛନ୍ତି । ରାଜା ରାମ ମେଘୱାଲଙ୍କ ବଗିଚ଼ାକୁ “ରାଜ ବାଗ୍” ବୋଲି କୁହାଯାଉଛି ।

ଦୁର୍ଗର କିଛି ମୁଖ୍ୟ ଦ୍ୱାର[ସମ୍ପାଦନା]

୭ଟି ଭିନ୍ନ ଭିନ୍ନ ପ୍ରବେଶ ଦ୍ୱାର ଦେଇ ଦୁର୍ଗକୁ ଯାଇହେବ । ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ଦ୍ୱାରଗୁଡ଼ିକ ହେଲେ :

  • ଜୟ ପୋଲ୍ ("ବିଜୟ ଦ୍ୱାର") ମହାରାଜା ମାନସିଂହଙ୍କଦ୍ୱାରା ୧୮୦୬ ମସିହାରେ ନିର୍ମିତ ହୋଇଥିଲା । ଜୟପୁର ଓ ବିକାନେର୍ ରାଜ୍ୟ ବିରୁଦ୍ଧରେ ହୋଇଥିବା ଯୁଦ୍ଧରେ ଜୟଯୁକ୍ତ ହେବା ପରେ ତାହାର ବିଜୟ ସମାରୋହ ଓ ସ୍ମାରକ ପୂର୍ବକ ଏହି ଦ୍ୱାର ନିର୍ମିତ ହେଲା ।
  • ଫତେ ପୋଲ୍ ୧୭୦୭ ମସିହାରେ ମୋଗଲଙ୍କୁ ପରାସ୍ତ କରିବା ଖୁସିରେ ନିର୍ମିତ ହୋଇଥିଲା ।
  • ଦେଢ଼ କମ୍‍ଗ୍ରା ପୋଲ୍ ନାମକ ଦ୍ୱାରରେ ଏବେ ମଧ୍ୟ ତୋପଗୋଳାରୁ ସୃଷ୍ଟ କ୍ଷତ ଦାଗ ଦେଖିବାକୁ ମିଳେ ।
  • ଲୋହା ପୋଲ୍ ଦ୍ୱାର ଦୁର୍ଗର ମୁଖ୍ୟ ଅଂଶକୁ ଯିବା ପାଇଁ ନିର୍ମିତ ହୋଇଥିଲା । ସତୀମାନଙ୍କ ହାତ ଚିହ୍ନ ଥିବା ସ୍ଥାନ ଲୋହା ପୋଲ୍‍ର ଠିକ୍ ବାମ ପାଖରେ ରହିଛି । ୧୮୪୩ ମସିହାରେ ମହାରାଜ ମାନସିଂହଙ୍କ ମୃତ୍ୟୁ ପରେ ରାଜାଙ୍କ ସବୁ ରାଣୀ ତାଙ୍କ ଚିତାଗ୍ନିରେ ଯେଉଁ ଝାସ ଦେଇ ସତୀ ହେବା ବରଣ କରିଥିଲେ ।

ଦୁର୍ଗ ମଧ୍ୟରେ ଅନେକ ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ ମହଲ ରହିଛି । ତନ୍ମଧ୍ୟରୁ ମୋତି ମହଲ, ଫୁଲ ମହଲ, ଶୀଶା ମହଲ, ସିଲେଖାନା ଓ ଦୌଲତଖାନା ଅନ୍ୟତମ । ମେହେରାନଗଡ଼ର ସଂଗ୍ରହାଳୟ ମଧ୍ୟରେ ବିଭିନ୍ନ ଭାରବୁହା ପାଲିଙ୍କି, ହାତୀ ପାଲିଙ୍କି, ବାଦ୍ୟ ଯନ୍ତ୍ର, ବସ୍ତ୍ର, ଆସବାବପତ୍ର, ରାଜଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଝୁଲଣା ଇତ୍ୟାଦି ରହିଛି । ଦୁର୍ଗର ଏକ ଅଂଶରେ ପ୍ରସିଦ୍ଧ କିଲିକିଲା ତୋପ ଓ ଅନ୍ୟ ବହୁତଗୁଡ଼ିଏ ତୋପ ରଖାଯାଇଛି ଯେଉଁଠାରୁ ଯୋଧପୁର ସହରର ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ ।

କିଲିକିଲା ତୋପ

ମେହେରାନଗଡ଼ ସଂଗ୍ରହାଳୟ[ସମ୍ପାଦନା]

ହାତୀ ହୌଦା ବା ହାତୀପିଠିରେ ବସିବା ପାଲିଙ୍କି[ସମ୍ପାଦନା]

ମେହେରାନଗଡ଼ ସଂଗ୍ରହାଳୟର ମହାଦୋଳ ପାଲିଙ୍କି

“ହୌଦା” ଶବ୍ଦର ଅର୍ଥ ହେଲା ହାତୀପିଠିରେ ବନ୍ଧା ଯାଉଥିବା ପାଲିଙ୍କି । ଦୁଇଟି ଖୋପ ବିଶିଷ୍ଟ ଏକ କାଠ ତିଆରି ପାଲିଙ୍କିରେ ସୁନା ରୂପାର ପତଳା ପାତ ଚଢ଼ାଯାଇ ଏହି ପାଲିଙ୍କି ତିଆରି ହେଉଥିଲା । ଆଗ ପଟର ବଡ଼ ଖୋପରେ ରାଜା ବା ତାଙ୍କ ପରିବାରର ଲୋକଙ୍କ ବସିବା ପାଇଁ ଏବଂ ପଛ ପଟର ଖୋପଟି ଦାସ ପରି ଛଦ୍ମବେଶରେ ଥିବା ରାଜାଙ୍କ ଜଣେ ଅଙ୍ଗରକ୍ଷକ ପାଇଁ ଉଦ୍ଦିଷ୍ଟ ଥିଲା ।

ପାଲିଙ୍କି[ସମ୍ପାଦନା]

ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ରାଣୀ ବା ରାଜ ପରିବାରର ନାରୀମାନେ ଗମନାଗମନ ପାଇଁ ପାଲିଙ୍କିର ବ୍ୟବହାର କରୁଥିଲେ । କିଛି ପୁରୁଷ ସଭାଷଦ ଓ ରାଜ ପରିବାରର ବ୍ୟକ୍ତି ମଧ୍ୟ ବିଶେଷ ଅବସରରେ ପାଲିଙ୍କି ବ୍ୟବହାର କରୁଥିଲେ ।

ଦୌଲତଖାନା (ଖଜଣାଘର)[ସମ୍ପାଦନା]

ଏଠାରେ ମୋଗଲ ଶାସନ କାଳର କିଛି କଳାକୃତି ସୁସଂରକ୍ଷିତ ରଖାଯାଇଛି । ଯୋଧପୁରର ରାଠୋର୍ ଶାସକମାନେ ମୋଗଲମାନଙ୍କ ସହ ଭଲ ସମ୍ପର୍କ ରଖିଥିଲେ । ସମ୍ରାଟ ଆକବରଙ୍କ କିଛି ବ୍ୟବହୃତ ଜିନିଷ ଏଠାରେ ରହିଛି ।

ଅସ୍ତ୍ରାଗାର[ସମ୍ପାଦନା]

ଯୋଧପୁରରେ ବିଭିନ୍ନ ସମୟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ଏଠାରେ ସଂଗୃହିତ ଏବଂ ପ୍ରଦର୍ଶିତ । କିଛି ଖଣ୍ଡାର ହାତର ବେଣ୍ଟ ହରିତାଶ୍ମ, ଗଣ୍ଡା ଶିଙ୍ଗ, ହାତୀ ଦାନ୍ତ, ରୂପା ଆଦି ବହୁ ମୂଲ୍ୟ ବସ୍ତୁରେ ନିର୍ମିତ । ପୁଣି କିଛି ଢାଲରେ ରୁବି, ମୋତି, ପନ୍ନା ଆଦି ଖଚିତ ହୋଇଛନ୍ତି । ଏଠାରେ ରହିଥିବା କିଛି ବନ୍ଧୁକର ନଳୀରେ ସୁନା ରୂପାରେ କାରୁକାର୍ଯ୍ୟ ହୋଇଛି । ବିଭିନ୍ନ ରାଜା ଓ ସମ୍ରାଟଙ୍କ ଖଣ୍ଡା ଏଠାରେ ପ୍ରଦର୍ଶିତ ହୋଇଛି । ତନ୍ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଉଛି ସମ୍ରାଟ ଆକବରଙ୍କ ଖଣ୍ଡା, ତୈମୁରଲଂଗଙ୍କ ଖଣ୍ଡା ଓ ରାଓ ଯୋଧାଙ୍କ ଖଣ୍ଡା (ଯାହାର ଓଜନ ୩ କିଲୋଗ୍ରାମ୍‍ରୁ ଅଧିକ) ।

ଚିତ୍ରକଳା କକ୍ଷ[ସମ୍ପାଦନା]

ମେହେରାନଗଡ଼ ସଂଗ୍ରହାଳୟରେ ଥିବା ଶିବ ପୁରାଣର ଏକ ପାଣ୍ଡୁଲିପି (ପ୍ରାୟ ୧୮୨୮ ମସିହା ବେଳର)

ମାରୱାର୍-ଯୋଧପୁର ରାଜ୍ୟରେ ରଙ୍ଗବିରଙ୍ଗ ସୁନ୍ଦର ମାରୱାର ଚିତ୍ରକଳାର ଏକ ସଂଗ୍ରହ ଏଠାରେ ଦେଖିବାକୁ ମିଳେ ।

ପଗଡ଼ି କକ୍ଷ[ସମ୍ପାଦନା]

ରାଜସ୍ଥାନର ବିଭିନ୍ନ ଗୋଷ୍ଠୀ, ବିଭିନ୍ନ ଅଞ୍ଚଳର ତଥା ବିଭିନ୍ନ ଉତ୍ସବରେ ଲୋକେ ପିନ୍ଧୁଥିବା ପଗଡ଼ିମାନଙ୍କର ଏକ ସଂଗ୍ରହ ମେହେରାନଗଡ଼ରେ ଦେଖିବାକୁ ମିଳେ ।

ମେହେରାନଗଡ଼ ଆଖପାଖର ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ଜାତୀୟ ଭୂବୈଜ୍ଞାନିକ ସ୍ମାରକ[ସମ୍ପାଦନା]

ମଲାନି ଇଗ୍ନେୟସ୍ ସୁଇଟ୍ କଣ୍ଟାକ୍ଟ (ଯୋଧପୁର ଗୋଷ୍ଠୀ)କୁ (ଈଂରାଜୀରେ Jodhpur Group - Malani Igneous Suite Contact) ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣଦ୍ୱାରା ଏକ ଜାତୀୟ ଭୂବୈଜ୍ଞାନିକ ସ୍ମାରକ ଭାବେ ମାନ୍ୟତା ଦିଆଯାଇଛି । ୪୩୫୦୦ କି.ମି. ଅଞ୍ଚଳରେ ବ୍ୟାପ୍ତ ଏହି ସୁଇଟ୍ ଏକ ସ୍ୱତନ୍ତ୍ର ଭୂବୈଜ୍ଞାନିକ ନମୁନା । ଭାରତୀୟ ଉପମହାଦେଶରେ ଆଗ୍ନେୟ ଗତିବିଧିର ଶେଷ ସମୟରେ ଏହି ମଲାନି ଇଗ୍ନେୟସ୍ ସୁଇଟ୍ ସୃଷ୍ଟି ହୋଇଥିଲା ।[୩][୪]

ଚାମୁଣ୍ଡା ମାତାଜୀ ମନ୍ଦିର[ସମ୍ପାଦନା]

ଚାମୁଣ୍ଡା ଦେବୀ ମନ୍ଦିର

ଚାମୁଣ୍ଡା ମାତାଜୀ ରାଓ ଯୋଧାଙ୍କ ଅତି ପ୍ରିୟ ଦେବୀ ଥିଲେ । ସେ ୧୪୬୦ ମସିହାରେ ଦେବୀଙ୍କ ପ୍ରତିମା ନିଜ ପୁରୁଣା ରାଜଧାନୀ ମଣ୍ଡୋର୍‍ରୁ ଆଣି ମେହେରାନଗଡ଼ରେ ସ୍ଥାପନ କରିଥିଲେ । ମା’ ଚାମୁଣ୍ଡା ପୂର୍ବରୁ ମଣ୍ଡୋର୍‍ର ଶାସନ କରୁଥିବା ପ୍ରତିହାର ରାଜବଂଶୀୟ ଶାସକଙ୍କର କୁଳ ଦେବୀ ଥିଲେ । ମା’ ଚାମୁଣ୍ଡା ବର୍ତ୍ତମାନ ସୁଦ୍ଧା ଯୋଧପୁର ମହାରାଜଙ୍କ ଇଷ୍ଟ ଦେବୀ । ଯୋଧପୁରର ଅଧିକାଂଶ ଜନତା ମା’ ଚାମୁଣ୍ଡାଙ୍କୁ ମାନନ୍ତି ଏବଂ ତାଙ୍କର ପୂଜା କରନ୍ତି । ବିଜୟାଦଶମୀ ବା ଦଶହରା ଉପଲକ୍ଷେ ଏହି ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଥାଏ ।

ରାଓ ଯୋଧା ଡେଜର୍ଟ୍ ରକ୍ ପାର୍କ୍[ସମ୍ପାଦନା]

ମେହେରାନଗଡ଼ ଦୁର୍ଗକୁ ଲାଗି ୭୨ ହେକ୍ଟର୍ ପରିମିତ ଅଞ୍ଚଳରେ ରାଓ ଯୋଧା ଡେଜର୍ଟ୍ ରକ୍ ପାର୍କ୍ ଅବସ୍ଥିତ । ଏହି ପାର୍କ ପରିସରରେ ଶୁଷ୍କ ମରୁଭୂମି ଓ ତା’ର ଉଦ୍ଭିଦ ଇତ୍ୟାଦି ଦେଖିବାକୁ ମିଳେ ।[୫][୬] ଏଠାକାର ଏକ ବୃହତ୍ ଅଞ୍ଚଳର ସଂରକ୍ଷଣକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ଏହି ପାର୍କ୍ ସ୍ଥାପିତ ହୋଇଥିଲା ଓ ପରେ ୨୦୧୧ ମସିହା ଫେବୃଆରୀ ମାସରେ ଜନସାଧାରଣଙ୍କ ନିମନ୍ତେ ଖୋଲାଯାଇଥିଲା । ପାର୍କ୍ ଆଖପାଖରେ ରାୟୋଲାଇଟ୍ ପରି ବିଭିନ୍ନ ଆଗ୍ନେୟ ଶିଳା, ବାଲୁକା ପଥର ବ୍ରେସିଆ ଆଦି ପଥରର ଭୂଗଠନ ଦେଖିବାକୁ ମିଳେ । ପାର୍କ୍ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସୂଚନା କେନ୍ଦ୍ର, ଦୋକାନ ଓ କଫି ଦୋକାନ ନଧ୍ୟ ରହିଛି ।

୨୦୦୮ ମସିହାର ଦଳାଚକଟା ଦୁର୍ଘଟଣା[ସମ୍ପାଦନା]

୨୦୦୮ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ମେହେରାନଗଡ଼ ଦୁର୍ଗ ପରିସରରେ ଥିବା ଚାମୁଣ୍ଡା ଦେବୀ ମନ୍ଦିରରେ ଦଳାଚକଟା ଘଟି ୨୪୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।[୭]

ସଂସ୍କୃତି ଓ ଜନଜୀବନରେ ମେହେରାନଗଡ଼[ସମ୍ପାଦନା]

ମେହେରାନଗଡ଼ର ପ୍ରବେଶ ଦ୍ୱାର ନିକଟରେ ବହୁ କଳାକାର ସ୍ଥାନୀୟ ଲୋକସଙ୍ଗୀତ ପରିବେଷଣ କରୁଥାନ୍ତି ଏବଂ ଦୁର୍ଗରେ ସଂଗ୍ରହାଳୟ, ଭୋଜନାଳୟ, ହସ୍ତଶିଳ୍ପ ବଜାର ଓ ବିଭିନ୍ନ ପ୍ରଦର୍ଶନୀ ସାମଗ୍ରୀ ରହିଛି ।[୮] ୧୯୯୪ ମସିହାରେ ଡିସ୍‍ନିଦ୍ୱାରା ନିର୍ମିତ “ଦ ଜଙ୍ଗଲ୍ ବୁକ୍” ନାମକ ଈଂରାଜୀ ଚଳଚ୍ଚିତ୍ରରେ ଏହି ଦୁର୍ଗର କିଛି ଅଂଶ ସ୍ଥାନ ପାଇଥିଲା । ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା “ଦ ଡାର୍କ୍ ନାଇଟ୍ ରାଇଜେସ୍” ନାମକ ଈଂରାଜୀ ଚଳଚ୍ଚିତ୍ରରେ ବ୍ରୁସ୍ ୱେନ୍ ଚରିତ୍ରଟି କାରାଗାରରୁ ମୁକ୍ତ ହେବା ସମୟର କିଛି ଅଂଶ ମେହେରାନଗଡ଼ ଦୁର୍ଗରେ ନିର୍ମିତ ହୋଇଥିଲା ।[୯] ଯୋଧପୁରରେ ୨୦୧୧ ମସିହା ମଇ ମାସ ୬ ତାରିଖରୁ ଚଳଚ୍ଚିତ୍ରର ଚିତ୍ରଗ୍ରହଣ ଆରମ୍ଭ ହୋଇସାରିଥିଲା ।[୧୦][୧୧] ଇମ୍ରାନ ହାସମୀଙ୍କ ଅଭିନୀତ ଆୱାରାପନ୍ ଚଳଚ୍ଚିତ୍ରର କିଛି ଅଂଶ ମଧ୍ୟ ଏହି ଦୁର୍ଗରେ ନିର୍ମିତ ହୋଇଛି ।[୧୨] ୨୦୧୫ ମସିହାରେ ଜଣେ ଇସ୍ରାଏଲୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ୟେ ବେନ୍ ଜୁର୍‍, ଈଂରାଜୀ ଗିଟାର୍ ବାଦକ ଓ ସଙ୍ଗୀତ ନିର୍ଦ୍ଦେଶକ ଜନି ଗ୍ରୀନ୍‍ୱୁଡ୍, ରେଡିଓହେଡ୍ ରକ୍ ବ୍ୟାଣ୍ଡ୍ ପ୍ରଯୋଜକ ନାଇଜେଲ୍ ଗଡ୍‍ରିଚ୍ ମିଳିତ ଭାବେ ଏଠାରେ ଏକ ସଙ୍ଗୀତ ଆଲ୍‍ବମ୍ ରେକର୍ଡ୍ କରିଥିଲେ । ଆମେରିକୀୟ ନିର୍ଦ୍ଦେଶକ ପଲ୍ ଥୋମାସ୍ ଏଣ୍ଡର୍ସନ୍‍ଙ୍କ “ଜୁନୁନ୍” ନାମକ ବୃତ୍ତଚିତ୍ରରେ ଏହି ରେକର୍ଡିଂ ପ୍ରଦର୍ଶିତ ହୋଇଥିଲା ।[୧୩][୧୪] ୨୦୧୮ ମସିହା ମାର୍ଚ୍ଚ ମାସରେ “ଠଗ୍‍ସ୍ ଅଫ୍ ହିନ୍ଦୁସ୍ତାନ” ଚଳଚ୍ଚିତ୍ର କିଛି ଅଂଶର ନିର୍ମାଣ ପାଇଁ ମେହେରାନଗଡ଼ ଦୁର୍ଗର ବ୍ୟବହାର କରାଯାଇଥିଲା ।[୧୫] ଅଭିନେତା ଅମିତାଭ ବଚ୍ଚନ ଏଠାରେ କାମ କରିବାର ଅନୁଭୁତି ନିଜ ବ୍ଲଗ୍ ମାଧ୍ୟମରେ ପ୍ରକାଶ କରିଥିଲେ ।[୧୬]

ଟୀକା[ସମ୍ପାଦନା]

  1. Mr Yashwant Singh, an official guide to the Fort.
  2. Mehrangarh Fort-Jodhpur Archived 20 November 2008 at the Wayback Machine.
  3. "Monuments of Stratigraphic Significance, Malani volcanics overlain by Jodhpur sandstone". Geological Survey of India. 2001. Retrieved 2009-03-23.
  4. "Regional Geological and Tectonic Setting" (PDF). pp. 68–73. Archived from the original (PDF) on 2011-10-05. Retrieved 2009-03-25.
  5. "Reclaiming the desert". The Hindu (in Indian English). 2014-07-30. ISSN 0971-751X. Retrieved 2016-09-04.
  6. "Rao Jodhpur desert rock park - Xinhua | English.news.cn". news.xinhuanet.com. Retrieved 2016-09-04.
  7. 2008 Stampede at Chanmunda Devi Temple in Mehrangarh Fort Sep 30, 2008
  8. "The Fantastic 5 Forts: Rajasthan Is Home to Some Beautiful Forts, Here Are Some Must-See Heritage Structures". DNA : Daily News & Analysis. 28 January 2014. Archived from the original on 24 September 2015. Retrieved 5 July 2015 – via High Beam. {{cite news}}: Unknown parameter |subscription= ignored (|url-access= suggested) (help)
  9. "Shooting in India was nice adventure: Christian Bale". INDIATIMES. Retrieved 6 March 2014.
  10. Dasgupta, Priyanka (April 30, 2011). "Christopher Nolan to shoot in Jodhpur". The Times of India. Archived from the original on July 10, 2013. Retrieved August 10, 2011.
  11. Molino, Rachel (April 27, 2011). "'The Dark Knight Rises' Heads to India". MTV. Retrieved May 8, 2011.
  12. "Awarapan Locations". BOLLYLOCATIONS. Archived from the original on 18 July 2018. Retrieved 18 January 2015.
  13. "NYFF Review: Paul Thomas Anderson is Trying Something Different With 'Junun'". Indiewire. Retrieved 2015-10-09.
  14. "Film Review: 'Junun'". Variety. Retrieved 2015-10-09.
  15. https://www.indiatvnews.com/entertainment/bollywood-thugs-of-hindostan-amitabh-bachchan-gets-smitten-by-the-beauty-of-jodhpur-s-mehrangarh-fort-431513
  16. http://srbachchan.tumblr.com/post/171634120571

ଆହୁରି ପଢ଼ିପାରିବେ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]