Jump to content

ଫାତିମା ଜିନ୍ନା

ଉଇକିପିଡ଼ିଆ‌ରୁ
Madar-e-Millat
Khatun-e-Pakistan

ଫାତିମା ଜିନ୍ନା
فَاطِمَہْ جِنَاحْ
ବିରୋଧୀ ଦଳର ନେତ୍ରୀ
କାର୍ଯ୍ୟକାଳ
1 January 1960 – 9 July 1967
ପୂର୍ବ ଅଧିକାରୀPosition established
ପର ଅଧିକାରୀନୁରୁଲ ଅମିନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1893-07-31)୩୧ ଜୁଲାଇ ୧୮୯୩
Kathiawar, Bombay Presidency, British India (Now, Gujarat, India)
ମୃତ୍ୟୁ୯ ଜୁଲାଇ ୧୯୬୭(1967-07-09) (ବୟସ ୭୩)
କରାଚୀ, West Pakistan, Pakistan (Now, Sindh, Pakistan)
ସମାଧି ସ୍ଥଳMazar-e-Quaid
ରାଜନୀତିକ ଦଳAll-India Muslim League (1947)
ମୁସଲିମ ଲିଗ୍‌ (1947–1958)
ସ୍ଵାଧୀନ(1960–1967)
ସମ୍ପର୍କSee Jinnah family
ବାପା/ବୋଉJinnahbhai Poonja
Mitthibhai Jinnah
ଶିକ୍ଷାନୁଷ୍ଠାନକଲିକତା ବିଶ୍ଵବିଦ୍ୟାଳୟ (D.D.S)
ବୃତ୍ତିମହିଳା ଦନ୍ତ ଚିକିତ୍ସକ, ରାଜନେତ୍ରୀ

ଫାତିମା ଜିନ୍ନା (୩୧ ଜୁଲାଇ ୧୮୯୩- ୯ ଜୁଲାଇ ୧୯୬୭) ଜଣେ ପାକିସ୍ତାନୀ ରାଜନେତ୍ରୀ, ଲେଖିକା ଏବଂ ସାମାଜିକ କର୍ମୀ ଥିଲେ । ସେ ପାକିସ୍ତାନର ପ୍ରତିଷ୍ଠାତା ତଥା ପ୍ରଥମ ଗଭର୍ଣ୍ଣର-ଜେନେରାଲ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସାନ ଭଉଣୀ ଥିଲେ। ସେ ୧୯୬୦ ରୁ ୧୯୬୭ ପର୍ଯ୍ୟନ୍ତ (ମୃତ୍ୟୁ ପର୍ଯ୍ୟନ୍ତ) ପାକିସ୍ତାନ ବିରୋଧୀ ଦଳର ନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

୧୯୨୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଦନ୍ତ ଚିକିତ୍ସାରେ ଡିଗ୍ରୀ ହାସଲ କରିବା ପରେ ସେ ଅବିଭକ୍ତ ଭାରତର ପ୍ରଥମ ମହିଳା ଦନ୍ତ ଚିକିତ୍ସକ ହୋଇଥିଲେ । ସେ ତାଙ୍କ ଭାଇ ମହମ୍ମଦ ଅଲି ଜିନ୍ନାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏବଂ ପରାମର୍ଶଦାତା ଥିଲେ | ପାକିସ୍ତାନର ସ୍ଵାଧୀନତା ପରେ ସେ ଅଖିଳ ପାକିସ୍ତାନ ମହିଳା ସଙ୍ଗଠନର ସହ-ପ୍ରତିଷ୍ଠାତ୍ରୀ ଥିଲେ ଯାହାକି ନୂତନ ଭାବରେ ଗଠିତ ଦେଶରେ ପ୍ରବାସୀ ମହିଳା ଭାରତୀୟଙ୍କ ବସବାସରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥିଲା । ସେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଭାଇର ନିକଟତମ ବିଶ୍ୱାସୀ ରହିଲେ | ତାଙ୍କ ମୃତ୍ୟୁ ପରେ, ଫାତିମାଙ୍କୁ ୧୯୫୧ ପର୍ଯ୍ୟନ୍ତ ଦେଶକୁ ସମ୍ବୋଧନ କରିବାକୁ ବାରଣ କରାଯାଇଥିଲା; ତାଙ୍କର ୧୯୫୧ର ଦେଶପ୍ରତି ରେଡିଓ ମାଧ୍ୟମରେ ବାର୍ତ୍ତା ବାଧାପ୍ରାପ୍ତ ହୋଇଥିଲା, ଯାହାକୁ ଅନେକେ ବିଶ୍ଵାସ କରନ୍ତି ଯେ ଲିଆକତ ପ୍ରଶାସନର ପ୍ରାୟୋଜିତ ଭାବେ ତାଙ୍କୁ ଆକଟ କରିବା ପାଇଁ ଏହା ଏକ ପ୍ରୟାସ ଥିଲା । ସେ ୧୯୫୫ ମସିହାରେ 'My brother' (ମୋ ଭାଇ) ପୁସ୍ତକ ଲେଖିଥିଲେ, କିନ୍ତୁ ଏହା କେବଳ ୩୨ ବର୍ଷ ପରେ, ଅର୍ଥାତ ୧୯୮୭ ରେ ହିଁ ପ୍ରକାଶିତ ହୋଇଥିଲା । ପୁଣି ପ୍ରକାଶନ ପୂର୍ବରୁ, କୁଏଡ-ଇ-ଆଜାମ ଏକାଡେମୀର ସରିଫ ଅଲ ମୁଜାହିଦ୍‌ଙ୍କ ଦ୍ଵାରା ଏ ବହିର ଅନେକ ପୃଷ୍ଠା ହଟାଯାଇଥିଲା, କାରଣ ସେମାନେ ଏହିସବୁ ତଥ୍ୟକୁ ବିରୋଧ କରିଥିଲେ ।[] ଜିନ୍ନା ୧୯୬୫ ମସିହାରେ ସେ ନିଜ ଆତ୍ମଘୋଷିତ ରାଜନୈତିକ ଅବସରରୁ ବାହାରି ଆସି ରାଷ୍ଟ୍ରପତି ଆୟୁବ ଖାନଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନରେ ​​ଭାଗ ନେଲେ । ଭୋଟରେ ଲୋକପ୍ରିୟତା ହାସଲ କରିବା ସତ୍ତ୍ୱେ ସେ ନିର୍ବାଚନରେ ତାଙ୍କର ପ୍ରତିଦ୍ଵନ୍ଦୀ ଆୟୁବ ଖାନଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଫାତିମା ୯ ଜୁଲାଇ ୧୯୬୭ରେ କରାଚିରେ ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ପାକିସ୍ତାନରେ ଅସ୍ୱାଭାବିକ କାରଣ ବିଷୟରେ ଗୁଜବ ସୃଷ୍ଟି ହୋଇଥିଲା ​​| କରାଚିରେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ଅଢେଇ ଲକ୍ଷ ଲୋକ ଯୋଗ ଦେଇଥିଲେ ।[]

ଦେଶର ସାଧାରଣ ନାଗରିକଙ୍କ ଅଧିକାର ନିଶ୍ଚିତ କରିବା ଦିଗରେ ସେ ଅନେକ ପ୍ରଚେଷ୍ଟା କରିଥିଲେ । ତାଙ୍କରି ଜନହିତକର କାର୍ଯ୍ୟପାଇଁ ସେ ସାଧାରଣତଃ "ମଦର ଅଫ୍ ଦି ନେସନ", ଏବଂ ଖାଟୁନ-ଇ-ପାକିସ୍ଥାନ ("ଲେଡି ଅଫ୍ ପାକିସ୍ଥାନ") ଭାବରେ ଜଣାଶୁଣା । ପାକିସ୍ତାନର ଅନେକ ଅନୁଷ୍ଠାନ ଏବଂ ସର୍ବସାଧାରଣ ସ୍ଥାନ ତାଙ୍କ ସମ୍ମାନରେ ତାଙ୍କ ନାମରେ ନାମିତ ହୋଇଛି |[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ବ୍ରିଟିଶ ଭାରତର ଗୁଜରାଟ ଅନ୍ତର୍ଗତ କାଠିଆୱାଡରେ ଫାତିମା ୩୧ ଜୁଲାଇ ୧୮୯୩ରେ ଜିନ୍ନା ପରିବାରରେ ଜନ୍ମଗ୍ରହଣ କରିତ୍ଘିଲେ । ପିତା ଜିନ୍ନାହଭାଇ ପୁଞ୍ଜା ଏବଂ ମାତା ମିଥିବାଇଙ୍କ ସାତୋଟି ସନ୍ତାନ ମଧ୍ୟରୁ ଫତିମା ଥିଲେ କନିଷ୍ଠ ସନ୍ତାନ । ଅନ୍ୟ ଛଅଜଣ ଭାଇଭଉଣୀ ହେଲେ: ମହମ୍ମଦ ଅଲି, ଅହମ୍ମଦ ଅଲି, ବୁନ୍ଦେ ଅଲି, ରହମତ ଅଲି, ମରିୟମ, ଏବଂ ଶିରିନ୍ ଜିନ୍ନା ।[] ତାଙ୍କ ଭାଇଭଉଣୀଙ୍କ ମଧ୍ୟରୁ ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନିକଟତମ ଥିଲେ । ସେ ୧୯୦୨ ମସିହାରେ ବମ୍ବେର ବାନ୍ଦ୍ରା କନଭେଣ୍ଟରେ ଶିକ୍ଷା ଆରମ୍ଭ କରିଥିଲେ । ୧୯୧୯ ମସିହାରେ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଡକ୍ଟର ଆର ଅହମ୍ମଦ ଡେଣ୍ଟାଲ କଲେଜରେ ପଢିଥିଲେ । ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୨୩ ମସିହାରେ ବମ୍ବେରେ ଏକ ଦନ୍ତ ଚିକିତ୍ସାଳୟ ଖୋଲିଥିଲେ ।[]

୧୯୧୮ପର୍ଯ୍ୟନ୍ତ ଅର୍ଥାତ ରତନଭାଇ ପେଟିଟଙ୍କୁ ବିବାହ କରିବା ଯାଏଁ ଫାତିମା ତାଙ୍କ ଭାଇ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ରହୁଥିଲେ । ଫେବୃଆରୀ ୧୯୨୯ରେ ରତନଭାଇଙ୍କ ଦେହାନ୍ତ ପରେ ସେ ତାଙ୍କ ଦନ୍ତ ଚିକିତ୍ସାଳୟ ବନ୍ଦ କରି ତାଙ୍କ ଭାଇ ମହମ୍ମଦ ଅଲି ଜିନ୍ନାଙ୍କ ବଙ୍ଗଳାକୁ ଯାଇ ତାଙ୍କ ଘରର ଦାୟିତ୍ୱ ନେଇଥିଲେ । ଏହିଭଳି ଭାବରେ ସେ ଭାଇଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ ୧୧ ସେପ୍ଟମ୍ବର ୧୯୪୮ ପର୍ଯ୍ୟନ୍ତ ତାଙ୍କରି ନିକଟରେ ରହିଥିଲେ ।[][]

ରାଜନୈତିକ ଜୀବନ

[ସମ୍ପାଦନା]
ଲଣ୍ଡନସ୍ଥିତ ମାଡାମ ତୁଷାଦ୍‌ଙ୍କ ମ୍ୟୁଜିୟମରେ ଫାତିମା ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମହମ ପ୍ରତିକୃତି

ଫାତିମା ତାଙ୍କ ଭାଇଙ୍କ ସହିତ ପ୍ରତ୍ୟେକ ସଭା ସମିତିରେ ଜନସାଧାରଣଙ୍କ ନିକଟରେ ଉପସ୍ଥିତ ରହୁଥିଲେ। ସେ ୧୯୩୦ ମସିହାରେ ଇଂଲଣ୍ଡର ଲଣ୍ଡନ ଯାତ୍ରା କରିଥିଲେ, ଏବଂ ପରେ ଏକ ବର୍ଷ ପାଇଁ ବମ୍ବେକୁ ଫେରିଥିଲେ । ଏହାପରେ ସେ ୧୯୩୧ ମସିହାରେ ଇଂଲଣ୍ଡ ଯାଇ ସେଠାରେ ଚାରି ବର୍ଷ ରହିଥିଲେ । ସେ ଭାରତକୁ ଫେରିବା ପରେ ଦେଖିଲେ ଯେ ମହମ୍ମଦ ଅଲି ଜିନ୍ନା ଭାରତୀୟ ମୁସଲମାନମାନଙ୍କ ପାଇଁ ଏକ ସ୍ଵାଧୀନ ମାତୃଭୂମି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ। ସେ ସକ୍ରିୟ ଭାବରେ ତାଙ୍କୁ ସମର୍ଥନ କରିଥିଲେ । ଯଦିଓ ସେ କୌଣସି ପ୍ରକାର ସକ୍ରିୟ ରାଜନୀତିରେ କାର୍ଯ୍ୟ କରିନାହାଁନ୍ତି, ତଥାପି ଫାତିମା ଜିନ୍ନା ମହମ୍ମଦ ଅଲି ଜିନ୍ନାଙ୍କୁ ସମର୍ଥନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶେଷ କରି ୧୯୪୩ ମସିହାରେ ଭାଇଙ୍କର ଅସୁସ୍ଥତା ସମୟରେ ତାଙ୍କୁ ପାକିସ୍ତାନ ସୃଷ୍ଟି ଦିଗରେ ଉଦ୍ୟମ ଜାରି ରଖିବାରେ ସେ ବିଶେଷ ସାହାଯ୍ୟ କରିଥିଲେ । ସେ ଦୁଇ-ରାଷ୍ଟ୍ର ସିଦ୍ଧାନ୍ତକୁ ସମର୍ଥନ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ୧୯୪୭ ମସିହାରେ ପାକିସ୍ତାନ ସୃଷ୍ଟିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

୧୯୪୭ ମସିହାରେ ଭାରତ ବିଭାଜନ ବେଳେ କ୍ଷମତା ହସ୍ତାନ୍ତର ସମୟରେ ଫତିମା ମହିଳା ରିଲିଫ୍ କମିଟି ଗଠନ କରିଥିଲେ, ଯାହା ପରେ ଅଖିଳ ପାକିସ୍ତାନ ମହିଳା ସଙ୍ଗଠନ (APWA) ପାଇଁ ମୂଳଦୁଆ ଗଠନ କରିଥିଲା । ସେ ନବ ଗଠିତ ପାକିସ୍ତାନରେ ମୁହାଜିର ମାନଙ୍କ ଥଇଥାନ ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[]

ମହିଳା ଆନ୍ଦୋଳନରେ ଭୂମିକା

[ସମ୍ପାଦନା]

ପାକିସ୍ତାନ ଆନ୍ଦୋଳନ ସମୟରେ ମୁସଲମାନ ମହିଳାମାନଙ୍କୁ ଏକତ୍ର କରିବାରେ ଜିନ୍ନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏକ ସମୟରେ ଯେତେବେଳେ ଅଧିକାଂଶ ମୁସଲମାନ ମହିଳା ପର୍ଦା ଆଢୁଆଳରେ ଘରୋଇ କାର୍ଯ୍ୟରେ ସୀମିତ ରହି ରାଜନୀତିରେ ସକ୍ରିୟ ଭାବରେ ଜଡିତ ନଥିଲେ, ତାଙ୍କ ନେତୃତ୍ୱ ଏ ଦିଗରେ ଏକ ଗତିଶୀଳ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କଲା | ଅଲ-ଇଣ୍ଡିଆ ମୁସଲିମ ଲିଗ୍ ମଧ୍ୟରେ ଏକ ପୃଥକ ମହିଳା ସଂଗଠନ ସେହି ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଥିଲା | ଏହା ପରେ ଭାଇ ଜିନ୍ନାଙ୍କ ନେତୃତ୍ୱରେ ସେ କେନ୍ଦ୍ରୀୟ କମିଟିର ଏକ ଶୋଭାଯାତ୍ରାର ନେତୃତ୍ୱ ମଧ୍ୟ ନେଇଥିଲେ । ସେ ମୁସଲମାନ ମହିଳାମାନଙ୍କୁ ପାକିସ୍ତାନ ଆନ୍ଦୋଳନରେ ଯୋଗଦେବାକୁ ଅନୁରୋଧ କରିଥିଲେ ।

ସେ ଏକ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ଯାହା ହଜାର ହଜାର ମହିଳାଙ୍କୁ ମୁସଲିମ ଲିଗର ଧାରା ମଧ୍ୟକୁ ଆଣିଥିଲା; ଏହି ଆନ୍ଦୋଳନକୁ ମହିଳା ଆନ୍ଦୋଳନ ବୋଲି କୁହାଯାଉଥିଲା । ମହିଳା ଆନ୍ଦୋଳନ ଜିନ୍ନାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ ଆଗାମୀ ଦିନର ସମସ୍ତ ଆହ୍ଵାନକୁ ସାମନା କରିବାକୁ ମହିଳାମାନଙ୍କୁ ନ୍ୟାସନାଲ ଗାର୍ଡ, ପ୍ରାଥମିକ ଚିକିତ୍ସା ଇତ୍ୟାଦି ତାଲିମ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ପାଇଁ କିଛି ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଥିଲେ |

ମୃତ୍ୟୁ

[ସମ୍ପାଦନା]

ଜିନ୍ନା ୯ ଜୁଲାଇ ୧୯୬୭ରେ କରାଚିରେ ମୃତ୍ୟୁ ବରଣ କରିଥିଲେ । ଅସ୍ଵାଭାବିକ କାରଣରେ ମୃତ୍ୟୁ ଯୋଗୁଁ ତାଙ୍କ ମୃତ୍ୟୁ ବିବାଦର ବିଷୟ ପାଲଟିଥିଲା ​​। ତେବେ ଏହି ଦାବୀଗୁଡିକ ସପକ୍ଷରେ କୌଣସି ପ୍ରମାଣ ନାହିଁ | ତାଙ୍କର ଅନ୍ତିମ ସଂସ୍କାର ବିଧି ଶିହା ରୀତିନୀତି ଅନୁଯାୟୀ କରାଯାଇଥିଲା ।[][୧୦] ତାଙ୍କୁ ତାଙ୍କ ଭାଇ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସମାଧି ନିକଟରେ କରାଚିର ମଜାର-ଏ-କୁଏଡରେ ସମାଧି ଦିଆଯାଇଛି ।

ତାଙ୍କ ଅନ୍ତିମ ସଂସ୍କାର ସମୟରେ ସାଧାରଣ ଲୋକଙ୍କୁ ତାଙ୍କ ଶରୀର ନିକଟକୁ ଯିବାକୁ ବାରଣ କରାଯାଇଥିଲା ଏବଂ ସମାଧି ପୂର୍ବରୁ କାହାକୁ ମଧ୍ୟ ତାଙ୍କ ମୁହଁ ଦେଖିବାକୁ ଦିଆଯାଇନଥିଲା । ଗୁଜବ ପ୍ରଚାରିତ ହେଲା ଯେ ତାଙ୍କ ଶରୀରରେ ଦୃଶ୍ୟମାନ କ୍ଷତ ଥିଲା, ଯାହା ତାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ଚିନ୍ତାର କାରଣ ହୋଇଥିଲା | ଖବରକାଗଜ ଏବଂ ସମ୍ପାଦକୀୟମାନେ ମଧ୍ୟ ତାଙ୍କ ମୃତ୍ୟୁ ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ।[୧୧]

  1. ୧.୦ ୧.୧ "Fatima Jinnah: A Pivotal Figure in Pakistan's Creation". Sapphire Builders and Associates (in ଆମେରିକୀୟ ଇଂରାଜୀ). 2023-11-12. Retrieved 2024-11-21.
  2. Balouch 2014.
  3. Pirbhai 2017, p. 250.
  4. Ekbal 2009.
  5. Commire 2000.
  6. Ravikumar 2024.
  7. Shaikh 2021.
  8. "Nation remembers Fatima Jinnah on 55th death anniversary". The Nation (in ଆମେରିକୀୟ ଇଂରାଜୀ). 2022-07-09. Retrieved 2024-11-21.
  9. "The Quaid and the Quetta massacre". 5 July 2012.
  10. "Shias And Their Future In Pakistan".
  11. Balouch, Akhtar (2015-01-24). "How Fatima Jinnah died — an unsolved criminal case". DAWN.COM (in ଇଂରାଜୀ). Retrieved 2024-11-21.