ନହୁଷ
ନହୁଷ ପ୍ରସିଦ୍ଧ ଚନ୍ଦ୍ରବଂଶୀ ରାଜା ପୁରୁରବାଙ୍କ ନାତି ତଥା ଯଯାତିଙ୍କ ପିତା ଥିଲେ । ପୁଣ୍ୟବଳରେ ସେ ଇନ୍ଦ୍ରତ୍ୱ ଲାଭ କରିଥିଲେ, କିନ୍ତୁ ପରେ ବ୍ରାହ୍ମଣମାନଙ୍କୁ ପୀଡ଼ା ଦେବାରୁ ଅଗସ୍ତ୍ୟ ମୁନିଙ୍କ ଶାପରେ ସ୍ୱର୍ଗଚ୍ୟୁତ ହୋଇ ସର୍ପ ଯୋନି ପ୍ରାପ୍ତ ହେଲେ ।[୧]
ଜନ୍ମ
[ସମ୍ପାଦନା]ଥରେ ପାର୍ବତୀ ଏବଂ ଶିବ ସ୍ୱର୍ଗସ୍ଥିତ ନନ୍ଦନକାନନରେ ଭ୍ରମଣ କରୁକରୁ ପାର୍ବତୀ କଳ୍ପବୃକ୍ଷ ନିକଟରେ ଏକ କନ୍ୟା ପ୍ରାପ୍ତିର ଇଚ୍ଛା ପ୍ରକାଶ କଲେ । କଳ୍ପବୃକ୍ଷଙ୍କ ଆଶୀର୍ବାଦରୁ ସଙ୍ଗେ ସଙ୍ଗେ ଅଶୋକସୁନ୍ଦରୀ ନାମକ ଏକ କନ୍ୟା ଜାତ ହେଲେ । ପାର୍ବତୀଙ୍କ ଇଚ୍ଛା ଥିଲା ଯେ ଅଶୋକସୁନ୍ଦରୀଙ୍କ ବିବାହ ଆୟୁଙ୍କ ପୁଅ ସହିତ ହେବ । ତେବେ ଯେତେବେଳେ ହୁନ୍ଦ ଅସୁର ନନ୍ଦନକାନନରେ ପ୍ରବେଶ କଲା, ସେତେବେଳେ ସେ ଲୋଭନୀୟ ହୋଇ ଅଶୋକସୁନ୍ଦରୀର ରୂପରେ ମୋହିତ ହୋଇ ବିବାହ କରିବା ଆଶାରେ ତାକୁ ଅପହରଣ କରିନେଇଥିଲେ । କିନ୍ତୁ ଅଶୋକସୁନ୍ଦରୀ ତାଙ୍କୁ କହିଥିଲେ ଯେ ସେ କେବଳ ଆୟୁଙ୍କ ପୁଅକୁ ହିଁ ବିବାହ କରିବେ । ଅଶୋକସୁନ୍ଦରୀ ହୁନ୍ଦକୁ ଅଭିଶାପ ଦେଇଥିଲେ ଯେ ଆୟୁଙ୍କ ପୁଅ ହିଁ ତାଙ୍କୁ ହତ୍ୟା କରିବ । ଏହା ପରେ ଅଶୋକସୁନ୍ଦରୀ କଠୋର ତପ ଆରମ୍ଭ କଲେ ।
ଏହି ସମୟରେ, ସମସ୍ତ ଚନ୍ଦ୍ରବଂଶୀ ରାଜବଂଶର ପୂର୍ବଜ ପୁରୁରବା ପ୍ରୟାଗ ରାଜ ଶାସନ କରୁଥିଲେ । ରାଜପଦରୁ ଅବସର ନେବା ପରେ ସେ ନିଜ ରାଜ୍ୟଭାର ନିଜ ପୁତ୍ରକୁ ଦେଇ ସେ ସ୍ୱର୍ଗକୁ ଯିବାପରେ ତାଙ୍କ ବଡ଼ପୁଅ ଆୟୁ ରାଜା ହେଲେ । ଆୟୁ ରାହୁଙ୍କ ଝିଅ ପ୍ରଭାଙ୍କୁ ବିବାହ କରିଥିଲେ । ତଥାପି, ସେ ନିଃସନ୍ତାନ ରହିଲେ ।
ଆୟୁ ଦତ୍ତାତ୍ରେୟଙ୍କ ନିକଟକୁ ଆସିଲେ ଏବଂ ଜଣେ ରାଜାଙ୍କ ପାଇଁ ଉପଯୁକ୍ତ ଗୁଣମାନ ଧାରଣ କରିଥିବା ଏକ ପୁତ୍ର ବରରୂପେ ପ୍ରଦାନ କରିବାକୁ ଅନୁରୋଧ କଲେ । ଋଷିଙ୍କ ଆଶୀର୍ବାଦରୁ ଆୟୁଙ୍କର ଏକ ପୁତ୍ର ଜନ୍ମ ହେଲା । ହୁଦ୍ନ କେବଳ ଆୟୁଙ୍କ ପୁଅର ଜନ୍ମକୁ ଅପେକ୍ଷା କରିଥିଲା କାରଣ ସେ ଭୟଭୀତ ଥିଲେ ଯେ ଅଶୋକସୁନ୍ଦରୀଙ୍କ ଅଭିଶାପ ସତ ହେବ । ତେଣୁ ଶିଶୁକୁ ହୁନ୍ଦ ଅପହରଣ କରି ନେଇଥିଲା ଏବଂ ସେ ତାଙ୍କ ଅନୁଚରମାନଙ୍କୁ ପିଲାଟିକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ, ଅନୁଚରମାନେ ପିଲାଟିକୁ ନ ମାରି ବଶିଷ୍ଠ ଋଷିଙ୍କ ଆଶ୍ରମରେ ଛାଡି ଆସିଥିଲେ । ବଶିଷ୍ଠ ପିଲାଟିକୁ ନେଇ ନହୁଷ (ଅର୍ଥ- "ନିର୍ଭୀକ") ନାମକରଣ କଲେ । ନହୁଷ ବଶିଷ୍ଠଙ୍କ ଶିଷ୍ୟ ଭାବରେ ବଢ଼ି ଜଣେ ଯୁବକ ହେବାପରେ ବଶିଷ୍ଠ ନହୁଷଙ୍କୁ ତାଙ୍କର ପ୍ରକୃତ ପିତାମାତାଙ୍କ ପରିଚୟ ପ୍ରକାଶ କଲେ । ନହୁଷ ଦେବତାମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ହାସଲ କରି ଯୁଦ୍ଧରେ ହୁନ୍ଦକୁ ହତ୍ୟା କରି ନିଜ ପିତାମାତାଙ୍କ ନିକଟକୁ ଫେରିଗଲେ । ତା’ପରେ ସେ ଅଶୋକସୁନ୍ଦରୀଙ୍କୁ ବିବାହ କରିଥିଲେ ।[୨]
ଇନ୍ଦ୍ରପଦ ଲାଭ
[ସମ୍ପାଦନା]ଇନ୍ଦ୍ର ବୃତ୍ତସୁରର ବଧ କରିବାପରେ ବ୍ରାହ୍ମଣ ହତ୍ୟା ପାପରେ ଭାଗୀ ହୋଇଥିଲେ । ଏହି ମହାପାପ କାରଣରୁ ସେ ସ୍ୱର୍ଗ ଛାଡି କିଛି ଅଜ୍ଞାତ ସ୍ଥାନରେ ଲୁଚି ରହିଥିଲେ । ଫଳରେ ଖାଲି ରହିଥିବା ଇନ୍ଦ୍ରାସନ ପଦରେ ଦେବତାମାନେ ମର୍ତ୍ତ୍ୟର ଧର୍ମପ୍ରାଣ ରାଜା ନହୁଷଙ୍କୁ ଇନ୍ଦ୍ର ପଦରେ ଆସୀନ କରାଇଲେ । ବର୍ତ୍ତମାନ ନହୁଷ ସମସ୍ତ ଦେବତା, ସାଧୁ ଏବଂ ଗନ୍ଧର୍ବଙ୍କଠାରୁ ଶକ୍ତି ପାଇ ସ୍ୱର୍ଗରେ ଇନ୍ଦ୍ରପଦ ଉପଭୋଗ କରିବାକୁ ଲାଗିଲେ । ହଠାତ୍ ଦିନେ ତାଙ୍କ ଆଖି ଇନ୍ଦ୍ରଙ୍କ ସାଧ୍ୱୀ ପତ୍ନୀ ଶଚୀଙ୍କ ଉପରେ ପଡିଗଲା । ଶଚୀଙ୍କ ରୂପ ଲାବଣ୍ୟକୁ ଦେଖି ସେ କାମାନ୍ଧ ହୋଇଗଲେ ଏବଂ ତାଙ୍କୁ ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ ।
ଯେତେବେଳେ ଶଚୀ ନହୁଷର ମନ୍ଦ ଉଦ୍ଦେଶ୍ୟ ବୁଝି ପାରିଲେ, ସେତେବେଳେ ସେ ଭୟଭୀତ ହୋଇ ଦେବ-ଗୁରୁ ବୃଷଷ୍ପତିଙ୍କ ଆଶ୍ରୟସ୍ଥଳକୁ ଯାଇ ନହୁଷଙ୍କ କାମେଚ୍ଛା ବିଷୟରେ କହିଥିଲେ, "ହେ ଗୁରୁଦେବ ! ବର୍ତ୍ତମାନ ତୁମେ ହିଁ ମୋର ସତୀତ୍ୱର ସୁରକ୍ଷା କର । " ଗୁରୁ ବୃହଷ୍ପତି ସାନ୍ତ୍ୱନା ଦେଇ କହିଲେ, “ହେ ଇନ୍ଦ୍ରାଣୀ ! ବ୍ୟସ୍ତ ହୁଅ ନାହିଁ, ମୋ ସହିତ ଏଠାରେ ରହି ଆପଣ ସବୁ କ୍ଷେତ୍ରରେ ସୁରକ୍ଷିତ ଅଛନ୍ତି । "
ଏହିପରି ଶଚୀ ଗୁରୁଦେବଙ୍କ ନିକଟରେ ରହିବାକୁ ଲାଗିଲେ ଏବଂ ବୃହସ୍ପତିଙ୍କୁ ପ୍ରକୃତ ଇନ୍ଦ୍ରଙ୍କୁ ଖୋଜିବାକୁ ଲାଗିଲେ । ଶେଷରେ, ଅଗ୍ନିଦେବ ଏକ ପଦ୍ମନାଡରେ ଏକ ସୂକ୍ଷ୍ମ ରୂପ ନେଇ ଲୁଚି ରହିଥିବା ଇନ୍ଦ୍ରଙ୍କୁ ଆବିଷ୍କାର କରି ତାଙ୍କୁ ଦେବଗୁରୁ ବୃହଷ୍ପତିଙ୍କ ନିକଟକୁ ଆଣିଥିଲେ । ଦେବ-ଗୁରୁ ବୃହଷ୍ପତି ଇନ୍ଦ୍ରଙ୍କ ଉପରୁ ବ୍ରହ୍ମହତ୍ୟା ପାଇଁ ଦୋଷ ହଟାଇବା ପାଇଁ ତାଙ୍କଦ୍ୱାରା ଅଶ୍ୱମେଧ ଯଜ୍ଞ କରାଇଥିଲେ । ସେହି ଯଜ୍ଞଦ୍ୱାରା ଇନ୍ଦ୍ରଙ୍କ ଉପରେ ଲାଗିଥିବା ବ୍ରହ୍ମହତ୍ୟା ପାପ ଚାରି ଭାଗରେ ବିଭକ୍ତ ହୋଇ ଗଛ, ନଦୀ, ପୃଥିବୀ ଏବଂ ନାରୀ ମଧ୍ୟରେ ବାଣ୍ଟି ହୋଇଗଲା ।
ଏହିପରି ଭାବରେ ବ୍ରହ୍ମହତ୍ୟା ପାପ ନିବାରଣ ପରେ ଇନ୍ଦ୍ର ପୁନର୍ବାର ଶକ୍ତିରେ ପରିପୂର୍ଣ୍ଣ ହେଲେ, କିନ୍ତୁ ଇନ୍ଦ୍ରାସନ ଉପରେ ନହୁଷ ରହିଥିବା ହେତୁ ତାଙ୍କର ପୂର୍ଣ୍ଣ ଶକ୍ତି ଫେରି ପାଇଲେ ନାହିଁ । ସେଥିପାଇଁ ସେ ତାଙ୍କ ପତ୍ନୀ ଶଚୀଙ୍କୁ କହିଥିଲେ ଯେ ଆପଣ ଆଜି ରାତିରେ ଆପଣଙ୍କୁ ଭେଟିବା ପାଇଁ ନହୁଷଙ୍କୁ ସୂଚାଇ ଦିଅନ୍ତୁ, କିନ୍ତୁ ଏହି ସର୍ତ୍ତ କହି ରଖନ୍ତୁ ଯେ ସେ ସପ୍ତଋଷିଙ୍କଦ୍ୱାରା ବୁହାହୋଇଥିବା ପାଲିଙ୍କିରେ ବସି ଆପଣଙ୍କୁ ଭେଟିବାକୁ ଆସିବେ । ଶଚୀଙ୍କ ସଙ୍କେତ ଅନୁଯାୟୀ, ରାତିରେ ନହୁଷ ଶଚିଙ୍କୁ ଭେଟିବା ପାଇଁ ସପ୍ତଋଷି ଧାରନ କରିଥିବା ପାଲିଙ୍କିରେ ବସି ଆସିବାକୁ ଲାଗିଲେ । ସପ୍ତଋଷି ଧୀରେ ଧୀରେ ଚାଲୁଥିବାର ଦେଖି ସେ 'ସର୍ପ-ସର୍ପ' (ଶୀଘ୍ର ଚାଲନ୍ତୁ) କହି ଅଗସ୍ତ୍ୟ ମୁନିଙ୍କୁ ଏକ ଗୋଇଠା ମାରିଥିଲେ । ଅଗସ୍ତ୍ୟ ମୁନି ଏଥିରେ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେ, "ମୂର୍ଖ! ତୁମର ଧର୍ମ ବିନଷ୍ଟ ହେଉ ଏବଂ ତୁମେ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ସର୍ପଯୋନୀରେ ପଡିରୁହ । ” ଋଷିଙ୍କ ଅଭିଶାପରେ ସଙ୍ଗେ ସଙ୍ଗେ ନହୁଷ ସାପ ରୂପରେ ପୃଥିବୀରେ ପଡ଼ିଯାଇଥିଲେ ଏବଂ ଦେବରାଜ ଇନ୍ଦ୍ର ପୁନର୍ବାର ଇନ୍ଦ୍ରାସନ ଫେରି ପାଇଲେ ।[୩]
ଆଧାର
[ସମ୍ପାଦନା]- ↑ "Story of Nahusha | Mahabharata Stories, Summary and Characters from Mahabharata". www.mahabharataonline.com. Archived from the original on 22 October 2020. Retrieved 19 January 2021.
- ↑ Anant Pai, ed. (April 1971). Nahusha. Amar Chitra Katha Private limited. ISBN 9788184821901.
- ↑ "The Mahabharata, Book 13: Anusasana Parva: Section C". www.sacred-texts.com. Retrieved 19 January 2021.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |