ନହୁଷ

ଉଇକିପିଡ଼ିଆ ରୁ
Jump to navigation Jump to search

ନହୁଷ ପ୍ରସିଦ୍ଧ ଚନ୍ଦ୍ରବଂଶୀ ରାଜା ପୁରୁରବାଙ୍କ ନାତି ତଥା ଯଯାତିଙ୍କ ପିତା ଥିଲେ । ପୁଣ୍ୟବଳରେ ସେ ଇନ୍ଦ୍ରତ୍ୱ ଲାଭ କରିଥିଲେ, କିନ୍ତୁ ପରେ ବ୍ରାହ୍ମଣମାନଙ୍କୁ ପୀଡ଼ା ଦେବାରୁ ଅଗସ୍ତିଙ୍କ ଶାପରେ ସ୍ୱର୍ଗଚ୍ୟୁତ ହୋଇ ସର୍ପ ଯୋନି ପ୍ରାପ୍ତ ହେଲେ ।[୧]

ଜନ୍ମ[ସମ୍ପାଦନା]

ଥରେ ପାର୍ବତୀ ଏବଂ ଶିବ ସ୍ୱର୍ଗସ୍ଥିତ ନନ୍ଦନକାନନରେ ଭ୍ରମଣ କରୁକରୁ ପାର୍ବତୀ କଳ୍ପବୃକ୍ଷ ନିକଟରେ ଏକ କନ୍ୟା ପ୍ରାପ୍ତିର ଇଚ୍ଛା ପ୍ରକାଶ କଲେ । କଳ୍ପବୃକ୍ଷଙ୍କ ଆଶୀର୍ବାଦରୁ ସଙ୍ଗେ ସଙ୍ଗେ ଅଶୋକସୁନ୍ଦରୀ ନାମକ ଏକ କନ୍ୟା ଜାତ ହେଲେ । ପାର୍ବତୀଙ୍କ ଇଚ୍ଛା ଥିଲା ଯେ ଅଶୋକସୁନ୍ଦରୀଙ୍କ ବିବାହ ଆୟୁଙ୍କ ପୁଅ ସହିତ ହେବ । ତେବେ ଯେତେବେଳେ ହୁନ୍ଦ ଅସୁର ନନ୍ଦନକାନନରେ ପ୍ରବେଶ କଲା, ସେତେବେଳେ ସେ ଲୋଭନୀୟ ହୋଇ ଅଶୋକସୁନ୍ଦରୀର ରୂପରେ ମୋହିତ ହୋଇ ବିବାହ କରିବା ଆଶାରେ ତାକୁ ଅପହରଣ କରିନେଇଥିଲେ । କିନ୍ତୁ ଅଶୋକସୁନ୍ଦରୀ ତାଙ୍କୁ କହିଥିଲେ ଯେ ସେ କେବଳ ଆୟୁଙ୍କ ପୁଅକୁ ହିଁ ବିବାହ କରିବେ । ଅଶୋକସୁନ୍ଦରୀ ହୁନ୍ଦକୁ ଅଭିଶାପ ଦେଇଥିଲେ ଯେ ଆୟୁଙ୍କ ପୁଅ ହିଁ ତାଙ୍କୁ ହତ୍ୟା କରିବ । ଏହା ପରେ ଅଶୋକସୁନ୍ଦରୀ କଠୋର ତପ ଆରମ୍ଭ କଲେ ।

ଏହି ସମୟରେ, ସମସ୍ତ ଚନ୍ଦ୍ରବଂଶୀ ରାଜବଂଶର ପୂର୍ବଜ ପୁରୁରବା ପ୍ରୟାଗ ରାଜ ଶାସନ କରୁଥିଲେ । ରାଜପଦରୁ ଅବସର ନେବା ପରେ ସେ ନିଜ ରାଜ୍ୟଭାର ନିଜ ପୁତ୍ରକୁ ଦେଇ ସେ ସ୍ୱର୍ଗକୁ ଯିବାପରେ ତାଙ୍କ ବଡ଼ପୁଅ ଆୟୁ ରାଜା ହେଲେ । ଆୟୁ ରାହୁଙ୍କ ଝିଅ ପ୍ରଭାଙ୍କୁ ବିବାହ କରିଥିଲେ । ତଥାପି, ସେ ନିଃସନ୍ତାନ ରହିଲେ ।

ଆୟୁ ଦତ୍ତାତ୍ରେୟଙ୍କ ନିକଟକୁ ଆସିଲେ ଏବଂ ଜଣେ ରାଜାଙ୍କ ପାଇଁ ଉପଯୁକ୍ତ ଗୁଣମାନ ଧାରଣ କରିଥିବା ଏକ ପୁତ୍ର ବରରୂପେ ପ୍ରଦାନ କରିବାକୁ ଅନୁରୋଧ କଲେ । ଋଷିଙ୍କ ଆଶୀର୍ବାଦରୁ ଆୟୁଙ୍କର ଏକ ପୁତ୍ର ଜନ୍ମ ହେଲା । ହୁଦ୍ନ କେବଳ ଆୟୁଙ୍କ ପୁଅର ଜନ୍ମକୁ ଅପେକ୍ଷା କରିଥିଲା ​​କାରଣ ସେ ଭୟଭୀତ ଥିଲେ ଯେ ଅଶୋକସୁନ୍ଦରୀଙ୍କ ଅଭିଶାପ ସତ ହେବ । ତେଣୁ ଶିଶୁକୁ ହୁନ୍ଦ ଅପହରଣ କରି ନେଇଥିଲା ଏବଂ ସେ ତାଙ୍କ ଅନୁଚରମାନଙ୍କୁ ପିଲାଟିକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ, ଅନୁଚରମାନେ ପିଲାଟିକୁ ନ ମାରି ବଶିଷ୍ଠ ଋଷିଙ୍କ ଆଶ୍ରମରେ ଛାଡି ଆସିଥିଲେ । ବଶିଷ୍ଠ ପିଲାଟିକୁ ନେଇ ନହୁଷ (ଅର୍ଥ- "ନିର୍ଭୀକ") ନାମକରଣ କଲେ । ନହୁଷ ବଶିଷ୍ଠଙ୍କ ଶିଷ୍ୟ ଭାବରେ ବଢି ଜଣେ ଯୁବକ ହେବାପରେ ବଶିଷ୍ଠ ନହୁଷଙ୍କୁ ତାଙ୍କର ପ୍ରକୃତ ପିତାମାତାଙ୍କ ପରିଚୟ ପ୍ରକାଶ କଲେ । ନହୁଷ ଦେବତାମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ହାସଲ କରି ଯୁଦ୍ଧରେ ହୁନ୍ଦକୁ ହତ୍ୟା କରି ନିଜ ପିତାମାତାଙ୍କ ନିକଟକୁ ଫେରିଗଲେ । ତା’ପରେ ସେ ଅଶୋକସୁନ୍ଦରୀଙ୍କୁ ବିବାହ କରିଥିଲେ ।[୨]

ଇନ୍ଦ୍ରପଦ ଲାଭ[ସମ୍ପାଦନା]

ଇନ୍ଦ୍ର ବୃତ୍ତସୁରର ବଧ କରିବାପରେ ବ୍ରାହ୍ମଣ ହତ୍ୟା ପାପରେ ଭାଗୀ ହୋଇଥିଲେ । ଏହି ମହାପାପ କାରଣରୁ ସେ ସ୍ୱର୍ଗ ଛାଡି କିଛି ଅଜ୍ଞାତ ସ୍ଥାନରେ ଲୁଚି ରହିଥିଲେ । ଫଳରେ ଖାଲି ରହିଥିବା ଇନ୍ଦ୍ରାସନ ପଦରେ ଦେବତା ମାନେ ମର୍ତ୍ତ୍ୟର ଧର୍ମପ୍ରାଣ ରାଜା ନହୁଷଙ୍କୁ ଇନ୍ଦ୍ର ପଦରେ ଆସୀନ କରାଇଲେ । ବର୍ତ୍ତମାନ ନହୁଷ ସମସ୍ତ ଦେବତା, ସାଧୁ ଏବଂ ଗନ୍ଧର୍ବଙ୍କଠାରୁ ଶକ୍ତି ପାଇ ସ୍ୱର୍ଗରେ ଇନ୍ଦ୍ରପଦ ଉପଭୋଗ କରିବାକୁ ଲାଗିଲେ । ହଠାତ୍ ଦିନେ ତାଙ୍କ ଆଖି ଇନ୍ଦ୍ରଙ୍କ ସାଧ୍ୱୀ ପତ୍ନୀ ଶଚୀଙ୍କ ଉପରେ ପଡିଗଲା । ଶଚୀଙ୍କ ରୂପ ଲାବଣ୍ୟକୁ ଦେଖି ସେ କାମାନ୍ଧ ହୋଇଗଲେ ଏବଂ ତାଙ୍କୁ ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ ।

ଯେତେବେଳେ ଶଚୀ ନହୁଷର ମନ୍ଦ ଉଦ୍ଦେଶ୍ୟ ବୁଝି ପାରିଲେ, ସେତେବେଳେ ସେ ଭୟଭୀତ ହୋଇ ଦେବ-ଗୁରୁ ବୃଷଷ୍ପତିଙ୍କ ଆଶ୍ରୟସ୍ଥଳକୁ ଯାଇ ନହୁଷଙ୍କ କାମେଚ୍ଛା ବିଷୟରେ କହିଥିଲେ, "ହେ ଗୁରୁଦେବ ! ବର୍ତ୍ତମାନ ତୁମେ ହିଁ ମୋର ସତୀତ୍ୱର ସୁରକ୍ଷା କର । " ଗୁରୁ ବୃହଷ୍ପତି ସାନ୍ତ୍ୱନା ଦେଇ କହିଲେ, “ହେ ଇନ୍ଦ୍ରାଣୀ ! ବ୍ୟସ୍ତ ହୁଅ ନାହିଁ, ମୋ ସହିତ ଏଠାରେ ରହି ଆପଣ ସବୁ କ୍ଷେତ୍ରରେ ସୁରକ୍ଷିତ ଅଛନ୍ତି । "

ଏହିପରି ଶଚୀ ଗୁରୁଦେବଙ୍କ ନିକଟରେ ରହିବାକୁ ଲାଗିଲେ ଏବଂ ବୃହସ୍ପତିଙ୍କୁ ପ୍ରକୃତ ଇନ୍ଦ୍ରଙ୍କୁ ଖୋଜିବାକୁ ଲାଗିଲେ । ଶେଷରେ, ଅଗ୍ନିଦେବ ଏକ ପଦ୍ମନାଡରେ ଏକ ସୂକ୍ଷ୍ମ ରୂପ ନେଇ ଲୁଚି ରହିଥିବା ଇନ୍ଦ୍ରଙ୍କୁ ଆବିଷ୍କାର କରି ତାଙ୍କୁ ଦେବଗୁରୁ ବୃହଷ୍ପତିଙ୍କ ନିକଟକୁ ଆଣିଥିଲେ । ଦେବ-ଗୁରୁ ବୃହଷ୍ପତି ଇନ୍ଦ୍ରଙ୍କ ଉପରୁ ବ୍ରହ୍ମହତ୍ୟା ପାଇଁ ଦୋଷ ହଟାଇବା ପାଇଁ ତାଙ୍କଦ୍ୱାରା ଅଶ୍ୱମେଧ ଯଜ୍ଞ କରାଇଥିଲେ । ସେହି ଯଜ୍ଞଦ୍ୱାରା ଇନ୍ଦ୍ରଙ୍କ ଉପରେ ଲାଗିଥିବା ବ୍ରହ୍ମହତ୍ୟା ପାପ ଚାରି ଭାଗରେ ବିଭକ୍ତ ହୋଇ ଗଛ, ନଦୀ, ପୃଥିବୀ ଏବଂ ନାରୀ ମଧ୍ୟରେ ବାଣ୍ଟି ହୋଇଗଲା ।

ଏହିପରି ଭାବରେ ବ୍ରହ୍ମହତ୍ୟା ପାପ ନିବାରଣ ପରେ ଇନ୍ଦ୍ର ପୁନର୍ବାର ଶକ୍ତିରେ ପରିପୂର୍ଣ୍ଣ ହେଲେ, କିନ୍ତୁ ଇନ୍ଦ୍ରାସନ ଉପରେ ନହୁଷ ରହିଥିବା ହେତୁ ତାଙ୍କର ପୂର୍ଣ୍ଣ ଶକ୍ତି ଫେରି ପାଇଲେ ନାହିଁ । ସେଥିପାଇଁ ସେ ତାଙ୍କ ପତ୍ନୀ ଶଚୀଙ୍କୁ କହିଥିଲେ ଯେ ଆପଣ ଆଜି ରାତିରେ ଆପଣଙ୍କୁ ଭେଟିବା ପାଇଁ ନହୁଷଙ୍କୁ ସୂଚାଇ ଦିଅନ୍ତୁ, କିନ୍ତୁ ଏହି ସର୍ତ୍ତ କହି ରଖନ୍ତୁ ଯେ ସେ ସପ୍ତଋଷିଙ୍କଦ୍ୱାରା ବୁହାହୋଇଥିବା ପାଲିଙ୍କିରେ ବସି ଆପଣଙ୍କୁ ଭେଟିବାକୁ ଆସିବେ । ଶଚୀଙ୍କ ସଙ୍କେତ ଅନୁଯାୟୀ, ରାତିରେ ନହୁଷ ଶଚିଙ୍କୁ ଭେଟିବା ପାଇଁ ସପ୍ତଋଷି ଧାରନ କରିଥିବା ପାଲିଙ୍କିରେ ବସି ଆସିବାକୁ ଲାଗିଲେ । ସପ୍ତଋଷି ଧୀରେ ଧୀରେ ଚାଲୁଥିବାର ଦେଖି ସେ 'ସର୍ପ-ସର୍ପ' (ଶୀଘ୍ର ଚାଲନ୍ତୁ) କହି ଅଗସ୍ତ୍ୟ ମୁନିଙ୍କୁ ଏକ ଗୋଇଠା ମାରିଥିଲେ । ଅଗସ୍ତ୍ୟ ମୁନି ଏଥିରେ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେ, "ମୂର୍ଖ! ତୁମର ଧର୍ମ ବିନଷ୍ଟ ହେଉ ଏବଂ ତୁମେ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ସର୍ପଯୋନୀରେ ପଡିରୁହ । ” ଋଷିଙ୍କ ​​ଅଭିଶାପରେ ସଙ୍ଗେ ସଙ୍ଗେ ନହୁଷ ସାପ ରୂପରେ ପୃଥିବୀରେ ପଡ଼ିଯାଇଥିଲେ ଏବଂ ଦେବରାଜ ଇନ୍ଦ୍ର ପୁନର୍ବାର ଇନ୍ଦ୍ରାସନ ଫେରି ପାଇଲେ ।[୩]

ଆଧାର[ସମ୍ପାଦନା]

  1. "Story of Nahusha | Mahabharata Stories, Summary and Characters from Mahabharata". www.mahabharataonline.com. Retrieved 19 January 2021.
  2. Anant Pai, ed. (April 1971). Nahusha. Amar Chitra Katha Private limited. ISBN 9788184821901.
  3. "The Mahabharata, Book 13: Anusasana Parva: Section C". www.sacred-texts.com. Retrieved 19 January 2021.