ଦୁଧ୍ୱା ଜାତୀୟ ଉଦ୍ୟାନ
ଦୁଧ୍ୱା ଜାତୀୟ ଉଦ୍ୟାନ ଦୁଧ୍ୱା ବ୍ୟାଘ୍ର ଅଭୟାରଣ୍ୟ | |
---|---|
IUCN Category II (National Park) | |
ଭାରତରେ ଦୁଧ୍ୱା ଜାତୀୟ ଉଦ୍ୟାନର ଅବସ୍ଥିତି | |
ଅବସ୍ଥାନ | ଲକ୍ଷ୍ମୀପୁର ଖେରୀ, ଉତ୍ତର ପ୍ରଦେଶ, ଭାରତ |
ପାଖ ସହର | ପାଲିୟା କଲାଁ (ପୂର୍ବ ଦିଗରେ ୯ କିଲୋମିଟର୍ ଦୂର) |
ଦିଗବାରେଣି | 28°30.5′N 80°40.8′E / 28.5083°N 80.6800°E |
କ୍ଷେତ୍ରଫଳ | ୪୯୦.୩ ବର୍ଗ କି.ମି. |
ସ୍ଥାପିତ | ୧୯୭୭ |
Official website |
ଦୁଧ୍ୱା ଜାତୀୟ ଉଦ୍ୟାନ ଭାରତର ଉତ୍ତର ପ୍ରଦେଶ ରାଜ୍ୟର ତେରାଇ ଅଞ୍ଚଳରେ ଥିବା ଏକ ଜାତୀୟ ଉଦ୍ୟାନ । ଏହି ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ୪୯୦.୩ ବର୍ଗ କି.ମି. ଓ ଏହାର ବଫର୍ ଜୋନ୍ ପ୍ରାୟ ୧୯୦ ବର୍ଗ କି.ମି. । ଏହା ମଧ୍ୟରେ ଦୁଧ୍ୱା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ ରହିଛି ।[୧] I ଭାରତ-ନେପାଳ ସୀମାବର୍ତ୍ତୀ ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଜାତୀୟ ଉଦ୍ୟାନର ଉତ୍ତର ଓ ଦକ୍ଷିଣ ପଟକୁ ଏହାର ଅଣ-କୋର୍ ବା ବଫର୍ ଜୋନ୍ ରହିଛି । ପ୍ରାକୃତିକ ତେରାଇ ଜଙ୍ଗଲ ଖୁବ୍ କମ୍ ରହିଯାଇଥିବା ବେଳେ ଏହି ଜାତୀୟ ଉଦ୍ୟାନ ଏପରି ଜଙ୍ଗଲର ସଂରକ୍ଷଣରେ ଏକ ଅଗ୍ରଣୀ ଭୂମିକୀ ଗ୍ରହଣ କରିଛି । ଏଠାରେ ଅନେକ ବିରଳ, ଲୁପ୍ତପ୍ରାୟ ଜୀବ ରହିଛନ୍ତି ଯାହାଙ୍କ ଭୌଗୋଳିକ ବ୍ୟାପ୍ତି ବର୍ତ୍ତମାନ ଖୁବ୍ ସୀମିତ ।[୨]
ଇତିହାସ
[ସମ୍ପାଦନା]୧୯୫୮ ମସିହାରେ ବାରାଶିଂଘା ହରିଣଙ୍କ ସୁରକ୍ଷା ପାଇଁ ଦୁଧ୍ୱା ଏକ ବନ୍ୟଜୀବ ଅଭୟାରଣ୍ୟ ରୂପେ ପ୍ରତିଷ୍ଠିତ ହୋଇଥିଲା । ସଂରକ୍ଷଣବାଦୀ ବିଲୀ ଅର୍ଜନ୍ ସିଂଙ୍କ ପ୍ରଚେଷ୍ଟା ଯୋଗୁଁ ଜାନୁଆରୀ ୧୯୭୭ ମସିହାରେ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା ।[୨] ୧୯୮୭ ମସିହାରେ ଏହାକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରାଯାଇ ବ୍ୟାଘ୍ର ପରିଯୋଜନାର ଅଧୀନକୁ ଅଣାଗଲା । ଦୁଧ୍ୱା, କିସନ୍ପୁର ବନ୍ୟଜୀବ ଅଭୟାରଣ୍ୟ ଓ କଟାର୍ଣ୍ଣିଆଘାଟ ବନ୍ୟଜୀବ ଅଭୟାରଣ୍ୟକୁ ମିଶାଇ ଦୁଧ୍ୱା ବ୍ୟାଘ୍ର ଅଭୟାରଣ୍ୟ ଭାବେ ଜଣାଯାଏ ।[୧]
ଜଳବାୟୁ
[ସମ୍ପାଦନା]ଉତ୍ତର-ଭାରତର ପ୍ରାୟ ସବୁ ସ୍ଥାନ ପରି ଦୁଧ୍ୱାରେ ମଧ୍ୟ ଉପ-କ୍ରାନ୍ତୀୟ ଆର୍ଦ୍ର ଜଳବାୟୁ ଓ ଶୁଷ୍କ ଶୀତଋତୁ ଅନୁଭୂତ ହୋଇଥାଏ । ଏଠାରେ ଗ୍ରୀଷ୍ମ କାଳରେ ତାପମାତ୍ରା ବଢ଼ି ୪୦° ସେଲ୍ସିୟସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ ଓ ପ୍ରବଳ ଗରମ ଅନୁଭୂତ ହୁଏ । ମଧ୍ୟ-ଅକ୍ଟୋବରରୁ ମଧ୍ୟ-ମାର୍ଚ୍ଚ୍ ଏଠାରେ ଶୀତ ଦିନ ଓ ସେତେବେଳେ ତାପମାତ୍ରା ୨୦°-୩୦° ସେଲ୍ସିୟସ୍ ମଧ୍ୟରେ ରହେ । ଜାତୀୟ ଉଦ୍ୟାନ ବୁଲିବା ପାଇଁ ଫେବୃଆରୀରୁ ଅପ୍ରେଲ୍ ପ୍ରକୃଷ୍ଟ ସମୟ ।
ଏଠାରେ ପ୍ରାୟତଃ ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହୋଇଥାଏ । ମଧ୍ୟ-ଅପ୍ରେଲ୍ରୁ ମଇ ଶେଷ ପର୍ଯ୍ୟନ୍ତ ଲୁ ନାମକ ଉତ୍ତପ୍ତ ବାୟୁ ପ୍ରବାହିତ ହୁଏ । ମଧ୍ୟ-ଜୁନ୍ ମାସରୁ ନେଇ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହୁଏ । ବାର୍ଷିକ ହାରାହାରି ୧୫୦ ସେ.ମି. ବୃଷ୍ଟିପାତର ୯୦% ବର୍ଷା ଏହି ସମୟ ମଧ୍ୟରେ ହୋଇଯାଏ । ଶୀତଦିନେ ସର୍ବନିମ୍ନ ତାପମାତ୍ରା ୯° ସେଲ୍ସିୟସ୍ ଓ ଖରାଦିନେ ସର୍ବାଧିକ ୪୫° ସେଲ୍ସିୟସ୍ ପର୍ଯ୍ୟନ୍ତ ରେକର୍ଡ଼୍ କରାଯାଇଛି ।[୨]
ଅରଣ୍ୟ ଅଧିବାସ
[ସମ୍ପାଦନା]ଗାଙ୍ଗେୟ ଉପତ୍ୟକାର ଉପର ଅଂଶରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ବିଭିନ୍ନ ନଦୀର ପଟୁମାଟିରେ ଗଠିତ ଏହି ସମତଳ ଅଞ୍ଚଳ ସମୁଦ୍ର ପତନରୁ ପ୍ରାୟ ୧୫୦-୧୮୨ ମିଟର୍ ଉଚ୍ଚତାରେ ରହିଛି । ଦକ୍ଷିଣାଂଶର ଉଚ୍ଚତା କମ୍ ଓ ଉତ୍ତରାଂଶର ଉଚ୍ଚତା ଅଧିକ । ତେରାଇ ଭୌଗୋଳିକ ପରିବେଶ ଓ ଜଙ୍ଗଲ ବ୍ୟବସ୍ଥାର ଏହା ଏକ ନମୁନା । ଦୁଧ୍ୱା ଜଙ୍ଗଲ ଘଞ୍ଚ ବନରେ ପରିପୂର୍ଣ୍ଣ । ଏହି ଜଙ୍ଗଲକୁ ଉତ୍ତରୀୟ କ୍ରାନ୍ତୀୟ ଅର୍ଦ୍ଧ-ଚିରହରିତ୍, ଉତ୍ତରୀୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ, କ୍ରାନ୍ତୀୟ ସନ୍ତସନ୍ତିଆ ଜଙ୍ଗଲ ଓ ଉତ୍ତରୀୟ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ମିଶ୍ରଣ ବୋଲି କୁହାଯାଇପାରେ । ଶାଳ, ଅସନ, ଶିଶୁ, ଜାମୁକୋଳି, ଡିମିରି, ସାହାଡ଼ା (Streblus asper), ବାହାଡ଼ା (Terminalia belerica) ପ୍ରଭୃତି ଦୁଧ୍ୱା ଜଙ୍ଗଲର ମୁଖ୍ୟ ଗଛ । ଜାତୀୟ ଉଦ୍ୟାନର ୧୯% ତୃଣଭୂମିରେ ଆଚ୍ଛାଦିତ । ପୁଣି ଏଠାକାର ଜଳାଶୟ, ଆର୍ଦ୍ରଭୂମି ଓ ସନ୍ତସନ୍ତିଆ ସ୍ଥାନ ତୃତୀୟ ପ୍ରକାରର ଅଧିବାସ । କିଛି ଆର୍ଦ୍ର ଅଞ୍ଚଳ ସାରା ବର୍ଷ ଆର୍ଦ୍ର ରହୁଥିବା ବେଳେ ଆଉ କିଛି ପ୍ରବଳ ଗ୍ରୀଷ୍ମ ଋତୁରେ ଶୁଖି ଯାଇଥାଏ ।[୨] ଏହି ଜାତୀୟ ଉଦ୍ୟାନର କିଛି ବୃକ୍ଷ ୧୫୦ ବର୍ଷ ପୁରୁଣା ଓ ୭୦ ଫୁଟ୍ରୁ ଅଧିକ ଉଚ୍ଚା ।
ବନ୍ୟଜନ୍ତୁ
[ସମ୍ପାଦନା]ଏହି ଜାତୀୟ ଉଦ୍ୟାନର ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାବଳ ବାଘ ଓ ବାରାଶିଂଘା ହରିଣ । ୧୯୯୫ ମସିହାରେ ଦୁଧ୍ୱା ଉଦ୍ୟାନରେ ୯୮ଟି ମହାବଳ ବାଘ ଓ ୧୬୦୦ରୁ ଅଧିକ ବାରାଶିଂଘା ରହିଥିବା ଜଣା ପଡ଼ିଥିଲା । ବିଲୀ ଅର୍ଜନ୍ ସିଂ ଚିଡ଼ିଆଖାନାରେ ଜାତ ମହାବଳ ବାଘ ଓ କଲରାପତରିଆ ବାଘଙ୍କୁ ଦୁଧ୍ୱାର ଜଙ୍ଗଲରେ ସଫଳତାର ସହିତ ଛାଡ଼ିଥିଲେ ଓ ଏହି ଜଙ୍ଗଲରେ ସେମାନଙ୍କ ପୁନରୁତ୍ଥାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ କିଛି ବିରଳ ପ୍ରଜାତୀର ପ୍ରାଣୀ ମଧ୍ୟ ଦୁଧ୍ୱାରେ ଦେଖିବାକୁ ମିଳନ୍ତି । ହିସ୍ପିଡ୍ ଠେକୁଆ ବିଲୋପ ହୋଇଯାଇଛନ୍ତି ବୋଲି ଧରିନିଆଯାଇଥିଲା କିନ୍ତୁ ୧୯୮୪ ମସିହାରେ ପୁଣି ଦୁଧ୍ୱା ଜଙ୍ଗଲରେ ଏମାନଙ୍କୁ ଠାବ କରାଯାଇଥିଲା ।
୧୯୮୪ ମାର୍ଚ୍ଚ୍ ମାସରେ ଆସାମର ପୋବିତୋରା ଅଭୟାରଣ୍ୟ ଓ ନେପାଳରୁ କିଛି ଗଣ୍ଡାଙ୍କୁ ଆଣି ଦୁଧ୍ୱା ଜଙ୍ଗଲରେ ଛଡ଼ା ଯାଇଥିଲା ।[୩]
ଦୁଧ୍ୱା ଜଙ୍ଗଲରେ ଦେଖାଯାଉଥିବା ଆଉ କିଛି ଜୀବ ହେଲେ – ବାରାଶିଂଘା ହରିଣ, ସମ୍ବର ହରିଣ, କୁଟୁରା, ଚିତଲ୍ ହରିଣ, କୁଜି ହରିଣ, ଭାଲୁ, ବିଲୁଆ, ଶାଳିଆପତିନି, ବଣଭୁଆ, ମାଛଧରା ବିରାଡ଼ି, ଚିତା ବିରାଡ଼ି ଇତ୍ୟାଦି ।
ବାରାଶିଂଘା ହରିଣଙ୍କ ପାଇଁ ଦୁଧ୍ୱା ଅଭୟାରଣ୍ୟ ପ୍ରସିଦ୍ଧ । ସମଗ୍ର ବିଶ୍ୱର ସର୍ବମୋଟ ବାରାଶିଂଘା ସଂଖ୍ୟାର ୫୦% ଦୁଧ୍ୱା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିବେ । ବାରାଶିଂଘା ହରିଣ ସମ୍ବରଠାରୁ ଆକାରରେ ଅଳ୍ପ ଛୋଟ ଓ ଏମାନଙ୍କ ମୁଣ୍ଡରେ ମୋଡ଼ିମୋଡ଼ିକା ୧୨ଟି ସାନ ବଡ଼ ଶିଂଘ ଥାଏ । ସବୁ ଶିଂଘ ମିଶି ଲମ୍ବ ପ୍ରାୟ ୧୦୦ ସେ.ମି. ହେବ । ଦୁଧ୍ୱାର ଖୋଲା ତୃଣଭୂମିରେ ବାରାଶିଂଘା ଗୋଠ ସହଜରେ ଦେଖିହେବ । ଏହି ହରିଣମାନଙ୍କ ଓଜନ ପ୍ରାୟ ୧୮୦ କିଲୋଗ୍ରାମ୍ । ନିଜର ଗାଢ଼ ମାଟିଆ, ଫିକା ହଳଦିଆ ରଙ୍ଗର ଚମଡ଼ା ଯୋଗୁଁ ଏମାନଙ୍କ ଅପୂର୍ବ ଛଳାବରଣ ଦୁଧ୍ୱା ଜଙ୍ଗଲର ତୃଣଭୂମିରେ ଲୁଚି ରହିଯାଏ ।
-
ବାରାଶିଂଘା ହରିଣ
-
ବାବ୍ଲର୍ ଚଢ଼େଇର ଏକ ଉପ-ପ୍ରଜାତି
-
ଶାଗୁଣା
-
କଳାଧଳା ମାଛରଙ୍କା
-
ଲମ୍ବା ଘାସ ଭିତରେ ଏକ ଭାରତୀୟ ଗଣ୍ଡା
-
ଏକାକୀ ଦନ୍ତାହାତୀ
-
ମାଙ୍କଡ଼
ପକ୍ଷୀ
[ସମ୍ପାଦନା]ଦୁଧ୍ୱା ଜାତୀୟ ଉଦ୍ୟାନରେ କାଦୁଅ ତିତିରି (swamp francolin), ବଡ଼ କାଠହଣା (Great slaty woodpecker), ବେଙ୍ଗଲ୍ ଫ୍ଲୋରିକାନ୍ ସମେତ ୩୫୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ପକ୍ଷୀ ବାସ କରନ୍ତି । ଶୀତ ଦିନରେ ଦୁଧ୍ୱାକୁ ଅନେକ ବିଦେଶୀ ପକ୍ଷୀ ଆସନ୍ତି । ଚିତ୍ରିତ ସାରଙ୍ଗ, କଳାଧଳା ବେକିଆ ସାରଙ୍ଗ, ସାରସ, କାଠହଣା, ବାର୍ବେଟ୍, ମାଛରଙ୍କା, ବୁଲ୍ବୁଲ୍, ବତକ, କଜଳପାତୀ, କୋଚିଲାଖାଇ, ବଗ, ପାଣିକୁଆ, ପେଚା, ମିନିଭେଟ୍ (ହିନ୍ଦୀ ନାମ ସହେଲି) ଓ ଅନେକ ରାତ୍ରିଚର ଶିକାରୀ ପକ୍ଷୀ ମଧ୍ୟ ଦୁଧ୍ୱାରେ ଦେଖାଯାନ୍ତି ।
ଏଠାକାର ପକ୍ଷୀମାନଙ୍କ ମଧ୍ୟରେ ବେଙ୍ଗଲ୍ ଫ୍ଲୋରିକାନ୍ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ । ଏଠାକାର ସନ୍ତସନ୍ତିଆ ସ୍ଥାନମାନଙ୍କରେ ମଧ୍ୟ ଅନେକ ପ୍ରଜାତିର ପକ୍ଷୀ ରହନ୍ତି । ଦୁଧ୍ୱା ଜଙ୍ଗଲରେ ପାଣିରେ ରହୁଥିବା ପକ୍ଷୀଙ୍କ ସଂଖ୍ୟା ଗଛରେ ରହୁଥିବା ପକ୍ଷୀଙ୍କ ସଂଖ୍ୟାରୁ ଅଧିକ ହୋଇପାରେ । ଏଠାରେ ଥିବା ବାଂକେ ହ୍ରଦ ଓ ଅନ୍ୟାନ୍ୟ ଜଳାଶୟ ପକ୍ଷୀଙ୍କ ଆବାସ ସ୍ଥାନ ।
ବର୍ତ୍ତମାନ ସମୟରେ ବିରଳ ବଙ୍ଗଳା ଶାଗୁଣା (white-rumped vulture) ପ୍ରଜାତିର ୧୧୫ଟି ପକ୍ଷୀ ଦୁଧ୍ୱାରେ ଦେଖାଯାଇଥିଲେ ।[୪]
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ଏଠାକାର ଏକ କଇଁଛ; ଇଂରାଜୀ ନାମ Indian narrow-headed softshell turtle ।
-
ଅଜଗର ସାପ
-
ନଦୀ କୂଳ
-
ଜାତୀୟ ଉଦ୍ୟାନର ଏକ ସନ୍ତସନ୍ତିଆ ସ୍ଥାନ
-
ଜାତୀୟ ଉଦ୍ୟାନର ଏକ କଚ୍ଚା ସଡ଼କ
-
ନିଜ ଶିକାର ସହିତ ମାଛରଙ୍କା ଚଢ଼େଇ
-
ଜାତୀୟ ଉଦ୍ୟାନର ଏକ ସନ୍ତସନ୍ତିଆ ତୃଣଭୂମି
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Mathur, P. K. and N. Midha (2008). Mapping of National Parks and Wildlife Sanctuaries, Dudhwa Tiger Reserve. WII – NNRMS - MoEF Project, Final Technical Report. Wildlife Institute of India, Dehradun.
- ↑ ୨.୦ ୨.୧ ୨.୨ ୨.୩ Kumar, S. (2009). Retrieval of forest parameters from Envisat ASAR data for biomass inventory in Dudhwa National Park, U.P., India (PDF). Indian Institute of Remote Sensing and International Institute for Geo-information Science and Earth Observation.
- ↑ Kazirnga, The Rhino Land by CP Oberai ISBN 8176462594
- ↑ Singh, K. (2017). 115 endangered vultures sighted on a tree in Dudhwa National Park. The Times of India, 7 June 2017