ଦୁଧ୍‍ୱା ଜାତୀୟ ଉଦ୍ୟାନ

Coordinates: 28°30.5′N 80°40.8′E / 28.5083°N 80.6800°E / 28.5083; 80.6800
ଉଇକିପିଡ଼ିଆ‌ରୁ
ଦୁଧ୍‍ୱା ଜାତୀୟ ଉଦ୍ୟାନ
ଦୁଧ୍‍ୱା ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
ଦୁଧ୍‍ୱା ଜାତୀୟ ଉଦ୍ୟାନର ଜଙ୍ଗଲରେ କିଛି ଚିତଲ୍ ହରିଣ
Map showing the location of ଦୁଧ୍‍ୱା ଜାତୀୟ ଉଦ୍ୟାନ ଦୁଧ୍‍ୱା ବ୍ୟାଘ୍ର ଅଭୟାରଣ୍ୟ.
Map showing the location of ଦୁଧ୍‍ୱା ଜାତୀୟ ଉଦ୍ୟାନ ଦୁଧ୍‍ୱା ବ୍ୟାଘ୍ର ଅଭୟାରଣ୍ୟ.
ଭାରତରେ ଦୁଧ୍‍ୱା ଜାତୀୟ ଉଦ୍ୟାନର ଅବସ୍ଥିତି
ଅବସ୍ଥାନଲକ୍ଷ୍ମୀପୁର ଖେରୀ, ଉତ୍ତର ପ୍ରଦେଶ, ଭାରତ
ପାଖ ସହରପାଲିୟା କଲାଁ (ପୂର୍ବ ଦିଗରେ ୯ କିଲୋମିଟର୍ ଦୂର)
ଦିଗବାରେଣି28°30.5′N 80°40.8′E / 28.5083°N 80.6800°E / 28.5083; 80.6800
କ୍ଷେତ୍ରଫଳ୪୯୦.୩ ବର୍ଗ କି.ମି.
ସ୍ଥାପିତ୧୯୭୭
Official website

ଦୁଧ୍‍ୱା ଜାତୀୟ ଉଦ୍ୟାନ ଭାରତର ଉତ୍ତର ପ୍ରଦେଶ ରାଜ୍ୟର ତେରାଇ ଅଞ୍ଚଳରେ ଥିବା ଏକ ଜାତୀୟ ଉଦ୍ୟାନ । ଏହି ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ୪୯୦.୩ ବର୍ଗ କି.ମି. ଓ ଏହାର ବଫର୍ ଜୋନ୍ ପ୍ରାୟ ୧୯୦ ବର୍ଗ କି.ମି. । ଏହା ମଧ୍ୟରେ ଦୁଧ୍‍ୱା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ ରହିଛି ।[୧] I ଭାରତ-ନେପାଳ ସୀମାବର୍ତ୍ତୀ ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଜାତୀୟ ଉଦ୍ୟାନର ଉତ୍ତର ଓ ଦକ୍ଷିଣ ପଟକୁ ଏହାର ଅଣ-କୋର୍ ବା ବଫର୍ ଜୋନ୍ ରହିଛି । ପ୍ରାକୃତିକ ତେରାଇ ଜଙ୍ଗଲ ଖୁବ୍ କମ୍ ରହିଯାଇଥିବା ବେଳେ ଏହି ଜାତୀୟ ଉଦ୍ୟାନ ଏପରି ଜଙ୍ଗଲର ସଂରକ୍ଷଣରେ ଏକ ଅଗ୍ରଣୀ ଭୂମିକୀ ଗ୍ରହଣ କରିଛି । ଏଠାରେ ଅନେକ ବିରଳ, ଲୁପ୍ତପ୍ରାୟ ଜୀବ ରହିଛନ୍ତି ଯାହାଙ୍କ ଭୌଗୋଳିକ ବ୍ୟାପ୍ତି ବର୍ତ୍ତମାନ ଖୁବ୍ ସୀମିତ ।[୨]

ଇତିହାସ[ସମ୍ପାଦନା]

ଦୁଧ୍‍ୱା ଜାତୀୟ ଉଦ୍ୟାନର ଏକ ମହାବଳ ବାଘ
ଦୁଧ୍‍ୱା ଜଙ୍ଗଲର ହରିଣ

୧୯୫୮ ମସିହାରେ ବାରାଶିଂଘା ହରିଣଙ୍କ ସୁରକ୍ଷା ପାଇଁ ଦୁଧ୍‍ୱା ଏକ ବନ୍ୟଜୀବ ଅଭୟାରଣ୍ୟ ରୂପେ ପ୍ରତିଷ୍ଠିତ ହୋଇଥିଲା । ସଂରକ୍ଷଣବାଦୀ ବିଲୀ ଅର୍ଜନ୍ ସିଂଙ୍କ ପ୍ରଚେଷ୍ଟା ଯୋଗୁଁ ଜାନୁଆରୀ ୧୯୭୭ ମସିହାରେ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା ।[୨] ୧୯୮୭ ମସିହାରେ ଏହାକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରାଯାଇ ବ୍ୟାଘ୍ର ପରିଯୋଜନାର ଅଧୀନକୁ ଅଣାଗଲା । ଦୁଧ୍‍ୱା, କିସନ୍‍ପୁର ବନ୍ୟଜୀବ ଅଭୟାରଣ୍ୟ ଓ କଟାର୍ଣ୍ଣିଆଘାଟ ବନ୍ୟଜୀବ ଅଭୟାରଣ୍ୟକୁ ମିଶାଇ ଦୁଧ୍‍ୱା ବ୍ୟାଘ୍ର ଅଭୟାରଣ୍ୟ ଭାବେ ଜଣାଯାଏ ।[୧]

ଜଳବାୟୁ[ସମ୍ପାଦନା]

ଉତ୍ତର-ଭାରତର ପ୍ରାୟ ସବୁ ସ୍ଥାନ ପରି ଦୁଧ୍‍ୱାରେ ମଧ୍ୟ ଉପ-କ୍ରାନ୍ତୀୟ ଆର୍ଦ୍ର ଜଳବାୟୁ ଓ ଶୁଷ୍କ ଶୀତଋତୁ ଅନୁଭୂତ ହୋଇଥାଏ । ଏଠାରେ ଗ୍ରୀଷ୍ମ କାଳରେ ତାପମାତ୍ରା ବଢ଼ି ୪୦° ସେଲ୍‍ସିୟସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ ଓ ପ୍ରବଳ ଗରମ ଅନୁଭୂତ ହୁଏ । ମଧ୍ୟ-ଅକ୍ଟୋବରରୁ ମଧ୍ୟ-ମାର୍ଚ୍ଚ୍ ଏଠାରେ ଶୀତ ଦିନ ଓ ସେତେବେଳେ ତାପମାତ୍ରା ୨୦°-୩୦° ସେଲ୍‍ସିୟସ୍ ମଧ୍ୟରେ ରହେ । ଜାତୀୟ ଉଦ୍ୟାନ ବୁଲିବା ପାଇଁ ଫେବୃଆରୀରୁ ଅପ୍ରେଲ୍ ପ୍ରକୃଷ୍ଟ ସମୟ ।

ଏଠାରେ ପ୍ରାୟତଃ ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହୋଇଥାଏ । ମଧ୍ୟ-ଅପ୍ରେଲ୍‍ରୁ ମଇ ଶେଷ ପର୍ଯ୍ୟନ୍ତ ଲୁ ନାମକ ଉତ୍ତପ୍ତ ବାୟୁ ପ୍ରବାହିତ ହୁଏ । ମଧ୍ୟ-ଜୁନ୍ ମାସରୁ ନେଇ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହୁଏ । ବାର୍ଷିକ ହାରାହାରି ୧୫୦ ସେ.ମି. ବୃଷ୍ଟିପାତର ୯୦% ବର୍ଷା ଏହି ସମୟ ମଧ୍ୟରେ ହୋଇଯାଏ । ଶୀତଦିନେ ସର୍ବନିମ୍ନ ତାପମାତ୍ରା ୯° ସେଲ୍‍ସିୟସ୍‍ ଓ ଖରାଦିନେ ସର୍ବାଧିକ ୪୫° ସେଲ୍‍ସିୟସ୍ ପର୍ଯ୍ୟନ୍ତ ରେକର୍ଡ଼୍ କରାଯାଇଛି ।[୨]

ଅରଣ୍ୟ ଅଧିବାସ[ସମ୍ପାଦନା]

ଗାଙ୍ଗେୟ ଉପତ୍ୟକାର ଉପର ଅଂଶରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ବିଭିନ୍ନ ନଦୀର ପଟୁମାଟିରେ ଗଠିତ ଏହି ସମତଳ ଅଞ୍ଚଳ ସମୁଦ୍ର ପତନରୁ ପ୍ରାୟ ୧୫୦-୧୮୨ ମିଟର୍ ଉଚ୍ଚତାରେ ରହିଛି । ଦକ୍ଷିଣାଂଶର ଉଚ୍ଚତା କମ୍ ଓ ଉତ୍ତରାଂଶର ଉଚ୍ଚତା ଅଧିକ । ତେରାଇ ଭୌଗୋଳିକ ପରିବେଶ ଓ ଜଙ୍ଗଲ ବ୍ୟବସ୍ଥାର ଏହା ଏକ ନମୁନା । ଦୁଧ୍‍ୱା ଜଙ୍ଗଲ ଘଞ୍ଚ ବନରେ ପରିପୂର୍ଣ୍ଣ । ଏହି ଜଙ୍ଗଲକୁ ଉତ୍ତରୀୟ କ୍ରାନ୍ତୀୟ ଅର୍ଦ୍ଧ-ଚିରହରିତ୍, ଉତ୍ତରୀୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ, କ୍ରାନ୍ତୀୟ ସନ୍ତସନ୍ତିଆ ଜଙ୍ଗଲ ଓ ଉତ୍ତରୀୟ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ମିଶ୍ରଣ ବୋଲି କୁହାଯାଇପାରେ । ଶାଳ, ଅସନ, ଶିଶୁ, ଜାମୁକୋଳି, ଡିମିରି, ସାହାଡ଼ା (Streblus asper), ବାହାଡ଼ା (Terminalia belerica) ପ୍ରଭୃତି ଦୁଧ୍‍ୱା ଜଙ୍ଗଲର ମୁଖ୍ୟ ଗଛ । ଜାତୀୟ ଉଦ୍ୟାନର ୧୯% ତୃଣଭୂମିରେ ଆଚ୍ଛାଦିତ । ପୁଣି ଏଠାକାର ଜଳାଶୟ, ଆର୍ଦ୍ରଭୂମି ଓ ସନ୍ତସନ୍ତିଆ ସ୍ଥାନ ତୃତୀୟ ପ୍ରକାରର ଅଧିବାସ । କିଛି ଆର୍ଦ୍ର ଅଞ୍ଚଳ ସାରା ବର୍ଷ ଆର୍ଦ୍ର ରହୁଥିବା ବେଳେ ଆଉ କିଛି ପ୍ରବଳ ଗ୍ରୀଷ୍ମ ଋତୁରେ ଶୁଖି ଯାଇଥାଏ ।[୨] ଏହି ଜାତୀୟ ଉଦ୍ୟାନର କିଛି ବୃକ୍ଷ ୧୫୦ ବର୍ଷ ପୁରୁଣା ଓ ୭୦ ଫୁଟ୍‍ରୁ ଅଧିକ ଉଚ୍ଚା ।

ବନ୍ୟଜନ୍ତୁ[ସମ୍ପାଦନା]

ଏହି ଜାତୀୟ ଉଦ୍ୟାନର ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାବଳ ବାଘ ଓ ବାରାଶିଂଘା ହରିଣ । ୧୯୯୫ ମସିହାରେ ଦୁଧ୍‍ୱା ଉଦ୍ୟାନରେ ୯୮ଟି ମହାବଳ ବାଘ ଓ ୧୬୦୦ରୁ ଅଧିକ ବାରାଶିଂଘା ରହିଥିବା ଜଣା ପଡ଼ିଥିଲା । ବିଲୀ ଅର୍ଜନ୍ ସିଂ ଚିଡ଼ିଆଖାନାରେ ଜାତ ମହାବଳ ବାଘ ଓ କଲରାପତରିଆ ବାଘଙ୍କୁ ଦୁଧ୍‍ୱାର ଜଙ୍ଗଲରେ ସଫଳତାର ସହିତ ଛାଡ଼ିଥିଲେ ଓ ଏହି ଜଙ୍ଗଲରେ ସେମାନଙ୍କ ପୁନରୁତ୍ଥାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ କିଛି ବିରଳ ପ୍ରଜାତୀର ପ୍ରାଣୀ ମଧ୍ୟ ଦୁଧ୍‍ୱାରେ ଦେଖିବାକୁ ମିଳନ୍ତି । ହିସ୍ପିଡ୍ ଠେକୁଆ ବିଲୋପ ହୋଇଯାଇଛନ୍ତି ବୋଲି ଧରିନିଆଯାଇଥିଲା କିନ୍ତୁ ୧୯୮୪ ମସିହାରେ ପୁଣି ଦୁଧ୍‍ୱା ଜଙ୍ଗଲରେ ଏମାନଙ୍କୁ ଠାବ କରାଯାଇଥିଲା ।

୧୯୮୪ ମାର୍ଚ୍ଚ୍ ମାସରେ ଆସାମର ପୋବିତୋରା ଅଭୟାରଣ୍ୟ ଓ ନେପାଳରୁ କିଛି ଗଣ୍ଡାଙ୍କୁ ଆଣି ଦୁଧ୍‍ୱା ଜଙ୍ଗଲରେ ଛଡ଼ା ଯାଇଥିଲା ।[୩]

ଦୁଧ୍‍ୱା ଜଙ୍ଗଲରେ ଦେଖାଯାଉଥିବା ଆଉ କିଛି ଜୀବ ହେଲେ – ବାରାଶିଂଘା ହରିଣ, ସମ୍ବର ହରିଣ, କୁଟୁରା, ଚିତଲ୍ ହରିଣ, କୁଜି ହରିଣ, ଭାଲୁ, ବିଲୁଆ, ଶାଳିଆପତିନି, ବଣଭୁଆ, ମାଛଧରା ବିରାଡ଼ି, ଚିତା ବିରାଡ଼ି ଇତ୍ୟାଦି ।

ବାରାଶିଂଘା ହରିଣଙ୍କ ପାଇଁ ଦୁଧ୍‍ୱା ଅଭୟାରଣ୍ୟ ପ୍ରସିଦ୍ଧ । ସମଗ୍ର ବିଶ୍ୱର ସର୍ବମୋଟ ବାରାଶିଂଘା ସଂଖ୍ୟାର ୫୦% ଦୁଧ୍‍ୱା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିବେ । ବାରାଶିଂଘା ହରିଣ ସମ୍ବରଠାରୁ ଆକାରରେ ଅଳ୍ପ ଛୋଟ ଓ ଏମାନଙ୍କ ମୁଣ୍ଡରେ ମୋଡ଼ିମୋଡ଼ିକା ୧୨ଟି ସାନ ବଡ଼ ଶିଂଘ ଥାଏ । ସବୁ ଶିଂଘ ମିଶି ଲମ୍ବ ପ୍ରାୟ ୧୦୦ ସେ.ମି. ହେବ । ଦୁଧ୍‍ୱାର ଖୋଲା ତୃଣଭୂମିରେ ବାରାଶିଂଘା ଗୋଠ ସହଜରେ ଦେଖିହେବ । ଏହି ହରିଣମାନଙ୍କ ଓଜନ ପ୍ରାୟ ୧୮୦ କିଲୋଗ୍ରାମ୍ । ନିଜର ଗାଢ଼ ମାଟିଆ, ଫିକା ହଳଦିଆ ରଙ୍ଗର ଚମଡ଼ା ଯୋଗୁଁ ଏମାନଙ୍କ ଅପୂର୍ବ ଛଳାବରଣ ଦୁଧ୍‍ୱା ଜଙ୍ଗଲର ତୃଣଭୂମିରେ ଲୁଚି ରହିଯାଏ ।

ପକ୍ଷୀ[ସମ୍ପାଦନା]

ଦୁଧ୍‍ୱା ଜାତୀୟ ଉଦ୍ୟାନରେ କାଦୁଅ ତିତିରି (swamp francolin), ବଡ଼ କାଠହଣା (Great slaty woodpecker), ବେଙ୍ଗଲ୍ ଫ୍ଲୋରିକାନ୍ ସମେତ ୩୫୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ପକ୍ଷୀ ବାସ କରନ୍ତି । ଶୀତ ଦିନରେ ଦୁଧ୍‍ୱାକୁ ଅନେକ ବିଦେଶୀ ପକ୍ଷୀ ଆସନ୍ତି । ଚିତ୍ରିତ ସାରଙ୍ଗ, କଳାଧଳା ବେକିଆ ସାରଙ୍ଗ, ସାରସ, କାଠହଣା, ବାର୍ବେଟ୍, ମାଛରଙ୍କା, ବୁଲ୍‍ବୁଲ୍, ବତକ, କଜଳପାତୀ, କୋଚିଲାଖାଇ, ବଗ, ପାଣିକୁଆ, ପେଚା, ମିନିଭେଟ୍ (ହିନ୍ଦୀ ନାମ ସହେଲି) ଓ ଅନେକ ରାତ୍ରିଚର ଶିକାରୀ ପକ୍ଷୀ ମଧ୍ୟ ଦୁଧ୍‍ୱାରେ ଦେଖାଯାନ୍ତି ।

ଏଠାକାର ପକ୍ଷୀମାନଙ୍କ ମଧ୍ୟରେ ବେଙ୍ଗଲ୍ ଫ୍ଲୋରିକାନ୍ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ । ଏଠାକାର ସନ୍ତସନ୍ତିଆ ସ୍ଥାନମାନଙ୍କରେ ମଧ୍ୟ ଅନେକ ପ୍ରଜାତିର ପକ୍ଷୀ ରହନ୍ତି । ଦୁଧ୍‍ୱା ଜଙ୍ଗଲରେ ପାଣିରେ ରହୁଥିବା ପକ୍ଷୀଙ୍କ ସଂଖ୍ୟା ଗଛରେ ରହୁଥିବା ପକ୍ଷୀଙ୍କ ସଂଖ୍ୟାରୁ ଅଧିକ ହୋଇପାରେ । ଏଠାରେ ଥିବା ବାଂକେ ହ୍ରଦ ଓ ଅନ୍ୟାନ୍ୟ ଜଳାଶୟ ପକ୍ଷୀଙ୍କ ଆବାସ ସ୍ଥାନ ।

ବର୍ତ୍ତମାନ ସମୟରେ ବିରଳ ବଙ୍ଗଳା ଶାଗୁଣା (white-rumped vulture) ପ୍ରଜାତିର ୧୧୫ଟି ପକ୍ଷୀ ଦୁଧ୍‍ୱାରେ ଦେଖାଯାଇଥିଲେ ।[୪]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Mathur, P. K. and N. Midha (2008). Mapping of National Parks and Wildlife Sanctuaries, Dudhwa Tiger Reserve. WII – NNRMS - MoEF Project, Final Technical Report. Wildlife Institute of India, Dehradun.
  2. ୨.୦ ୨.୧ ୨.୨ ୨.୩ Kumar, S. (2009). Retrieval of forest parameters from Envisat ASAR data for biomass inventory in Dudhwa National Park, U.P., India (PDF). Indian Institute of Remote Sensing and International Institute for Geo-information Science and Earth Observation.
  3. Kazirnga, The Rhino Land by CP Oberai ISBN 8176462594
  4. Singh, K. (2017). 115 endangered vultures sighted on a tree in Dudhwa National Park. The Times of India, 7 June 2017

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]