ଛାଡ଼ଖାଇ
ଛାଡ଼ଖାଇ | |
---|---|
ନାମ | ଛାଡ଼ଖାଇ |
ଆରମ୍ଭ | କାର୍ତ୍ତିକ ପୂର୍ଣ୍ଣିମା ପର ଦିନ |
୨୦୨୪ ତାରିଖ | ୧୬ ନଭେମ୍ବର (ଶନିବାର) |
ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି ।[୧] ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ (ମାର୍ଗଶିର କୃଷ୍ଣ ପ୍ରତିପଦା) ପାଳନ କରାଯାଏ ।[୨] କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ବହୁ ଲୋକ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । ଅବଶିଷ୍ଟ ଲୋକ କେବଳ ମାସର ଶେଷ ପାଞ୍ଚଦିନ --- ପଞ୍ଚୁକରେ ଆମିଷ ଭକ୍ଷଣରୁ ନିବୃତ୍ତ ରହନ୍ତି ।[୩] ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ୍ତ ରହି କାର୍ତ୍ତିକ ମାସ ଉପରାନ୍ତେ, ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।[୪] କିନ୍ତୁ ଯେତେ ଛାଡ଼ଖାଇ ଥିଲେ ମଧ୍ୟ, ଯଦି ବାର ନଥିବ, ସଂକ୍ରାନ୍ତି ଥିବ, ତାହେଲେ ଉପଯୁକ୍ତ ଦିନ ଦେଖି ଛାଡ଼ଖାଇ ପାଳିବା ଉଚିତ୍ ।
କାର୍ତ୍ତିକ ମାସ ଓ ମାର୍ଗଶୀର ମାସରେ ପବନର ଗତିପଥ ବଦଳିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁତ୍ରମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ଐତିହାସିକମାନଙ୍କ ମତରେ, ଛାଡ଼ଖାଇରୁ ଶୀତ ଋତୁର ମାତ୍ରା ପ୍ରବଳ ହୋଇଯାଏ । ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆର୍ଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ସମୟ ବୋଲି କଲିକତାର ପ୍ରତିଷ୍ଠିତ ରୋଷେୟା ଶରତ ଦିୱାନଙ୍କ ମତ ।[୫]
ଆଧାର
[ସମ୍ପାଦନା]- ↑ Orissa Review. Published and issued by Home (Public Relations) Department, Government of Orissa. February 2008.
- ↑ T. K. Suman Kumar (1992). India: Unity in Diversity. Anmol Publications. ISBN 978-81-7041-667-8.
- ↑ S. Gajrani (2004). History, Religion and Culture of India. Gyan Publishing House. pp. 209–. ISBN 978-81-8205-063-1.
- ↑ Surendra Mahanty (1982). Lord Jagannatha: The Microcosm of Indian Spiritual Culture. Orissa Sahitya Akademi.
- ↑ "Chhadakhai: The 'Meatier' of Festivals in Odisha". www.newindianexpress.com. The New Indian Express. Archived from the original on 5 December 2020. Retrieved 5 December 2020.