ବିଶ୍ରବା

ଉଇକିପିଡ଼ିଆ‌ରୁ
(Vishravaରୁ ଲେଉଟି ଆସିଛି)

ବିଶ୍ରବା ହେଉଛନ୍ତି ହିନ୍ଦୁ ପୁରାଣ ରାମାୟଣରେ ବର୍ଣ୍ଣିତ ପ୍ରସିଦ୍ଧ ଋଷି ପୁଲସ୍ତ୍ୟ ମୁନିଙ୍କ ପୁତ୍ର ତଥା ବ୍ରହ୍ମାଙ୍କ ନାତି । ବିଶ୍ରବାଙ୍କ ମାତା ଥିଲେ ହବିର୍ଭୁବା । ତପସ୍ୟା ମାଧ୍ୟମରେ ସେ ମହାନ ଶକ୍ତି ଅର୍ଜନ କରି ସେ ସମସାମୟିକ ଋଷିମାନଙ୍କ ମଧ୍ୟରେ ଜଣେ ବେଦବିତ୍‌ ତଥା ଧର୍ମାତ୍ମା ଭାବେ ଖ୍ୟାତି ଅର୍ଜନ କରିଥିଲେ । ବିଶେଷ କରି ଭରଦ୍ୱାଜ ଋଷି ବିଶ୍ରବାଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ତାଙ୍କ ଝିଅ ଇଲାବିଦାଙ୍କ ସହ ବିବାହ କରିଥିଲେ । ଇଲାବିଦା ବିଶ୍ରବାଙ୍କୁ କୁବେର ନାମକ ଏକ ପୁତ୍ର ଜନ୍ମ ଦେଇଥିଲେ ଯିଏକି ଲଙ୍କାର ପ୍ରକୃତ ଶାସକ ଥିଲେ ।[୧]

ବିଶ୍ରବା ଋଷିଙ୍କ ତପଶକ୍ତି ତଥା ଧୀଶକ୍ତି ବିଷୟ ସୁମାଳି ଏବଂ ତାଙ୍କ ପତ୍ନୀ କେତୁମତିଙ୍କ କାନରେ ପହଞ୍ଚିଥିଲା । ଉଭୟ ଶକ୍ତିଶାଳୀ ରାଜା ଏବଂ ଋଷିଙ୍କ ସହ ବନ୍ଧୁତା ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ । ସେମାନେ ସ୍ଥିର କଲେ ଯେ ସେମାନଙ୍କ ଝିଅ କେଶିନୀ (କୈକେସୀ) ବିଶ୍ରବାଙ୍କ ପାଇଁ ଜଣେ ଯୋଗ୍ୟ ପତ୍ନୀ ହେବେ । ଏହି ଆଶାରେ ଏକ ସୂଯୋଗ ନେଇ ସେମାନେ ନିଜ ଝିଅ ସହ ବିଶ୍ରବାଙ୍କ ସାକ୍ଷାତ କରାଇଥିଲେ । କେଶିନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବିଶ୍ରବା ତାଙ୍କୁ ଭଲପାଇ ବିବାହ କଲେ ଏବଂ ତାଙ୍କ ସହିତ ଚାରିଗୋଟି ସନ୍ତାନ ଜନ୍ମ କରିଥିଲେ । ଏହିପରି ବିଶ୍ରବାଙ୍କ ଦୁଜଣ ପତ୍ନୀ ଥିଲେ । ଯେତେବେଳେ ରାକ୍ଷସ ସୁମାଲିଙ୍କ ଝିଅ କୈକେସୀ ବିଶ୍ରବା ଋଷିଙ୍କୁ ତାଙ୍କ ପତ୍ନୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେତେବେଳେ ବିଶ୍ରବା କହିଥିଲେ ଯେ ଏପରି ଅଶୁଭ ସମୟରେ ସେ ଏହି କାମନା କରିଥିବାରୁ ସେମାନଙ୍କର ପିଲାମାନେ ଭୟଙ୍କର ଶରୀର ଏବଂ ନିଷ୍ଠୁର ପ୍ରକୃତି ସହିତ ଜନ୍ମ ହେବେ । ଏହା ଶୁଣି କୈକେସୀ ଋଷିଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ । ଏହା ଦେଖି ବିଶ୍ରବା କହିଛନ୍ତି ଯେ ଭାଗ୍ୟ ପରିବର୍ତ୍ତନ ହୋଇପାରିବ ନାହିଁ, ତେବେ କୈକେସୀଙ୍କର ଭକ୍ତି ଏବଂ ଜଣେ କର୍ତ୍ତବ୍ୟ ପରାୟଣତା କାରଣରୁ କେବଳ ସେମାନଙ୍କର ସାନପୁଅ ସାଧାରଣ ଶରୀର ଏବଂ ଧାର୍ମିକ ମନ ସହିତ ଜନ୍ମ ହେବ । ଏହିପରି ଭାବେ କୈକେସୀ ଏବଂ ବିଶ୍ରବା ଋଷିଙ୍କ କନିଷ୍ଠ ପୁତ୍ରଭାବେ ବିଭୀଷଣଙ୍କ ଜନ୍ମ ।

ଜ୍ୟେଷ୍ଠ ପୁତ୍ର ରାବଣ ତାଙ୍କ ଭାଇ କୁବେରକୁ ଲଙ୍କାର ରାଜପଦରୁ ବହିଷ୍କାର କରି ଲଙ୍କାର ସିଂହାସନ ଆରୋହଣ କରିଥିଲେ । ରାବଣ ବ୍ୟତୀତ, ବିଶ୍ରବାଙ୍କ ଅନ୍ୟ ଦୁଇ ପୁତ୍ର ଥିଲେ କୁମ୍ଭକର୍ଣ୍ଣ ଓ ବିଭୀଷଣ ଏବଂ ଦୁର୍ପଣଖା ନାମ୍ନୀ ଏକ ଝିଅ ଥିଲା ।


ଆଧାର[ସମ୍ପାଦନା]

  1. "Viśravas". www.mythfolklore.net. Retrieved 26 March 2021.