ଦ ଲାଷ୍ଟ୍ ସପ୍ପର୍ (ଲିଓନାର୍ଡ଼ୋ)

ଉଇକିପିଡ଼ିଆ‌ରୁ
(The Last Supperରୁ ଲେଉଟି ଆସିଛି)
ସାନ୍ତା ମାରିଆ ଡେଲ୍ଲେ ଗ୍ରାଜି ଗୀର୍ଜା (ମିଲାନ)ରେ ଥିବା ପ୍ରସିଦ୍ଧ “ଦ ଲାଷ୍ଟ୍ ସପ୍ପର୍” ଚିତ୍ର

ଦ ଲାଷ୍ଟ୍ ସପ୍ପର୍ (ଇଂରାଜୀ ଭାଷାରେ The Last Supper) ପଞ୍ଚଦଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରସିଦ୍ଧ ଇଟାଲୀୟ ଚିତ୍ରକର ଲିଓନାର୍ଡ଼ୋ ଦା ଭିନ୍‍ସିଙ୍କଦ୍ୱାରା ମିଲାନ ସହରର ସାନ୍ତା ମାରିଆ ଡେଲ୍ଲେ ଗ୍ରାଜି ଗୀର୍ଜାଘରର କାନ୍ଥରେ ଅଙ୍କିତ ଏକ ଚିତ୍ର । ଏହି ଚିତ୍ରଟି ପାଶ୍ଚାତ୍ୟ ଜଗତର ଏକ ଅତି ପ୍ରସିଦ୍ଧ କଳାକୃତି ।[୧]

୧୪୯୫-୯୬ ମସିହାରେ ଏହି ଚିତ୍ରର ଅଙ୍କନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ମିଲାନର ରାଜା ଲୁଡୋଭିକୋ ଫୋର୍ଜାଙ୍କ ପୃଷ୍ଠପୋଷକତାରେ ଗୀର୍ଜାଘରର ନବୀକରଣ ସମୟରେ ଏହି ଚିତ୍ରଟି ପ୍ରତିଷ୍ଠିତ ହୋଇଥିଲା । ବାଇବେଲ ଧର୍ମଗ୍ରନ୍ଥର ଗସ୍ପେଲ୍ ଅଫ୍ ଜନ୍ (Gospel of John – ଜନ୍‍ଙ୍କ ଶିକ୍ଷା) ପୁସ୍ତକର ୧୩:୨୧ ଅଂଶରେ ଯୀଶୁଙ୍କୁ କୃଶବିଦ୍ଧ କରିବା ପୂର୍ବରୁ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଏକତ୍ର କରିଥିବା ଶେଷ ରାତ୍ରି ଭୋଜନର ଦୃଶ୍ୟ ବା କଥା ଏହି ଚିତ୍ରରେ ଦର୍ଶିତ ।[୨] ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବରେ ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ।

ସେ କାଳର ଚିତ୍ରାଙ୍କନ ମାଧ୍ୟମ ଓ ପ୍ରଣାଳୀ, ପାରିବେଶିକ ପ୍ରଭାବ ଓ ଚିତ୍ରକୁ ନଷ୍ଟ କରିବାର କୁପ୍ରଚେଷ୍ଟା ଯୋଗୁଁ ବର୍ତ୍ତମାନ ମୂଳ ଚିତ୍ରର ଖୁବ୍ କମ୍ ଅଂଶ ତିଷ୍ଠି ରହିଛି । ତେବେ ଏହି ଚିତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ଏବଂ ତନ୍ମଧ୍ୟରୁ ସର୍ବଶେଷ ପ୍ରକଳ୍ପ ୧୯୯୯ରେ ସମ୍ପୂର୍ଣ୍ଣ ହୋଇଥିଲା ।

ଚିତ୍ରର ବର୍ଣ୍ଣନା[ସମ୍ପାଦନା]

ଦ ଲାଷ୍ଟ୍ ସପ୍ପର୍ ବିପରୀତ କାନ୍ଥରେ ଅଙ୍କିତ କୃଶ ବିଦ୍ଧ ଯୀଶୁଙ୍କ ଚିତ୍ର
ଦ ଲାଷ୍ଟ୍ ସପ୍ପର୍ ଆଙ୍କିବା ପୂର୍ବରୁ ଲିଓନାର୍ଡ଼ୋଙ୍କ ନମୁନା ପ୍ରସ୍ତୁତି[a] । ଏଗୁଡ଼ିକ ଲିଓନାର୍ଡ଼ୋଙ୍କ ପାଣ୍ଡୁଲିପିରୁ ମିଳିଥିଲା ଯେଉଁଥିରେ ୧୨ ଜଣ ଶିଷ୍ୟଙ୍କ ଚିତ୍ର ରହିଛି ଓ ସମସ୍ତଙ୍କ ନାମ ସେମାନଙ୍କ ଚିତ୍ର ଉପରେ ଲିଖିତ ହୋଇଛି । ମେଜର ବିପରୀତ ପାର୍ଶ୍ୱରେ ଜୁଡାସ୍ ବସିଥିବା ଏହି ନମୁନାରେ ପ୍ରଥମେ ପରିକଳ୍ପିତ ହୋଇଥିଲା ।[୩]
ଲିଓନାର୍ଡ଼ୋଙ୍କଦ୍ୱାରା ପରିକଳ୍ପିତ ଯୀଶୁଙ୍କ ମୁହଁ ଓ ମୁଣ୍ଡର ଏକ ନମୁନା ଚିତ୍ର (ଆନୁମାନିକ ୧୪୯୪ ସମୟର)
ବର୍ତ୍ତମାନ ସମୟରେ ଗୀର୍ଜା କାନ୍ଥରେ ଚିତ୍ର ଯେପରି ଦିଶୁଛି ତାହାର ଏକ ଫଟୋ ଚିତ୍ର

ଦ ଲାଷ୍ଟ୍ ସପ୍ପର୍ ଚିତ୍ରର ମାପ ୪୬୦ ସେ.ମି. × ୮୮୦ ସେ.ମି. ଓ ଏହା ସାନ୍ତା ମାରିଆ ଗୀର୍ଜାଘରର ଗୋଟିଏ କାନ୍ଥକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ଅଙ୍କିତ । ଲିଓନାର୍ଡ଼ୋ ଏହି ଚିତ୍ରଟି ଆଙ୍କିବା ସମୟରେ ଏହି ଘରଟି ଏକ ଭୋଜନ କକ୍ଷ ନଥିଲା । ୧୪୯୮ରେ ଗୀର୍ଜାର ନିର୍ମାଣ ସରିଥିଲା । ଫୋର୍ଜା ଏହି ଅଂଶକୁ ପରିବାର ସମାଧିପୀଠ ରୂପେ ନିର୍ମାଣ କରିବାର ଯୋଜନା ରଖିଥିଲେ ।[୪] ଫୋର୍ଜା ଏହି ଚିତ୍ରଟିକୁ ସମାଧିପୀଠର ମୁଖ୍ୟ ଆକର୍ଷଣ ରୂପେ ପ୍ରତିଷ୍ଠା କରାଇବାର ଲକ୍ଷ୍ୟ ରଖିଥିଲେ ।[୫] ଚିତ୍ର ଉପରେ ଥିବା ଅର୍ଦ୍ଧ ଚନ୍ଦ୍ରାକାର ଅଂଶରେ ଫୋର୍ଜା ରାଜକୀୟ ସଙ୍କେତ ଅଙ୍କିତ ହୋଇଛି । ଦ ଲାଷ୍ଟ୍ ସପ୍ପର୍ ଚିତ୍ରର ବିପରୀତ କାନ୍ଥରେ ଯୀଶୁଙ୍କୁ କୃଶ ବିଦ୍ଧ କରିବା ସମୟର ଚିତ୍ର ରହିଛି ଯାହା ଜିଓଭାନି ଡୋନାଟୋ ଦା ମୋଣ୍ଟୋର୍ଫାନୋଙ୍କଦ୍ୱାରା ଅଙ୍କିତ । ଲିଓନାର୍ଡ଼ୋ ଏହି ଚିତ୍ରରେ ଫୋର୍ଜା ପରିବାରର କିଛି ସଦସ୍ୟଙ୍କ ଚିତ୍ର ଯୋଡ଼ିଥିଲେ ଓ ଏହି ଚିତ୍ର ମଧ୍ୟ ଲାଷ୍ଟ୍ ସପ୍ପର୍ ଚିତ୍ର ପରି କାଳକ୍ରମେ ବିଲୀନ ହେବାରେ ଲାଗିଛି ।[୬]


ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ ବୋଲି ଯୀଶୁ କହିବା ପରେ ଶିଷ୍ୟମାନଙ୍କ ପ୍ରତିକ୍ରିୟା ଦ ଲାଷ୍ଟ୍ ସପ୍ପର୍ ଚିତ୍ରରେ ଦର୍ଶିତ । ସମସ୍ତ ୧୨ ଶିଷ୍ୟଙ୍କ ପ୍ରତିକ୍ରିୟା ଭିନ୍ନ ଭିନ୍ନ ବୋଲି ଦର୍ଶାଯାଇଛି । ସଭିଙ୍କ ମୁହଁର କ୍ରୋଧ ଓ ଆଶ୍ଚର୍ଯ୍ୟର ଭାବ ଅଲଗା । ଲିଓନାର୍ଡ଼ୋଙ୍କ ପାଣ୍ଡୁ ଲିପିରୁ ଶିଷ୍ୟମାନଙ୍କ ପରିଚୟ ମିଳିଥିଲା ।[୭][୮] ଏହି ପାଣ୍ଡୁଲିପିକୁ ଉନବିଂଶ ଶତାବ୍ଦୀରେ ଉଦ୍ଧାର କରାଯାଇଥିଲା । ପାଣ୍ଡୁଲିପି ମିଳିବା ପୂର୍ବରୁ ଚିତ୍ରରେ କେବଳ ଜୁଡାସ୍, ପିଟର୍, ଜନ୍ ଓ ଯୀଶୁଙ୍କ ପରିଚୟ ଜଣାଥିଲା । ମୂଳ ଚିତ୍ରରେ ବାମରୁ ଡାହାଣକୁ ବସିଥିବା ବ୍ୟକ୍ତିମାନେ ହେଲେ :

  • ବାର୍ଥୋଲୋମ୍ୟୁ, ଆଲଫାଏୟସ୍‍ଙ୍କ ପୁତ୍ର ଜେମ୍‍ସ୍ (କନିଷ୍ଠ), ସେଣ୍ଟ୍ ଆଣ୍ଡ୍ର୍ୟୁ – ଏହି ତିନି ଜଣ ଗୋଟିଏ ଦଳରେ ବସିଛନ୍ତି ଓ ତିନି ଜଣଙ୍କ ମୁହଁରେ ଆଶ୍ଚର୍ଯ୍ୟର ଭାବ ରହିଛି ।
  • ଜୁଡାସ୍ ଇସ୍କାରିୟଟ୍, ସେଣ୍ଟ୍ ପିଟର୍ ଓ ଜନ୍ ଆଉ ଏକ ତିନିଜଣିଆ ଦଳରେ ବସିଛନ୍ତି । ଜୁଡାସ୍ ନାଲି, ନେଳି, ସାଗୁଆ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି ଓ ଯୀଶୁଙ୍କ ଅକସ୍ମାତ ଘୋଷଣା ପରେ ତାଙ୍କ ଯୋଜନା ଖୋଲିଯାଇଥିବା ଦେଖି ଆଶ୍ଚର୍ଯ୍ୟ ଓ ବିରକ୍ତ ଅଛନ୍ତି । ସେ ଏକ ଥଳୀ ଧରିଛନ୍ତି । ଏହି ଥଳୀ “ଯୀଶୁଙ୍କ ସହ ବିଶ୍ୱାସଘାତକତା କରିବା ପାଇଁ ଜୁଡାସ୍‍ଙ୍କୁ ମିଳିଥିବା ରୂପାର ପୁରସ୍କାର” କିମ୍ବା “ଜୁଡାସ୍ ଜଣେ କୋଶାଧ୍ୟକ୍ଷ ଥିବାରୁ ତାଙ୍କ ପରିଚୟର ସଙ୍କେତ” ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିବ ।[୯] ଜୁଡାସଙ୍କ ହାତ ବାଜି ଲୁଣ ପଡ଼ି ରହିଥିବା ପ୍ରାଚ୍ୟ ଦେଶରେ ପ୍ରଚଳିତ “ନମକ ହରାମୀ” ସମ୍ପର୍କିତ ପରିଭାଷା । ଜୁଡାସଙ୍କ ମୁହଁର ସ୍ତର ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁହ୍ଁର ସ୍ତରଠାରୁ ନିମ୍ନରେ ଦର୍ଶାଯାଇଛି । ପିଟର୍ ନାମକ ଶିଷ୍ୟ ରାଗରେ ଏକ ଛୁରି ଧରିଥିବା ଦର୍ଶାଯାଇଛି । ପିଟର୍‍ଙ୍କ ମୁଣ୍ଡ ଯୀଶୁଙ୍କ ପ୍ରିୟ ଶିଷ୍ୟ ଜନ୍‍ଙ୍କ ଆଡ଼କୁ ଢଳି ରହିଛି । ଜନ୍‍ଙ୍କ କାନ୍ଧରେ ହାତ ରଖି ପିଟର୍ ତାଙ୍କୁ ଯୀଶୁଙ୍କୁ ସେ ବିଶ୍ୱାସଘାତକର ପରିଚୟ ପଚାରିବାକୁ ଅନୁରୋଧ କରୁଛନ୍ତି । ସର୍ବକନିଷ୍ଠ ଶିଷ୍ୟ ଜନ୍ ଭାବ ବିହ୍ୱଳିତ ଅବସ୍ଥାରେ ପିଟର୍‍ଙ୍କ ପଟକୁ ଢଳି ବସିଛନ୍ତି ।
  • ଯୀଶୁ ଖ୍ରୀଷ୍ଟ
  • ଯୀଶୁଙ୍କ ବାମ ପଟକୁ ଥୋମାସ୍, ଜେମ୍‍ସ୍ (ଜ୍ୟେଷ୍ଠ) ଓ ଫିଲିପ୍ ନାମକ ତିନି ଶିଷ୍ୟ ଦଳରେ ବସିଛନ୍ତି । ଥୋମାସ୍‍ ଦୁଃଖିତ ଥିବା ଜଣାପଡ଼ୁଛି । ଅଙ୍ଗୁଳି ଉଠାଇ ବସିଥିବା ତାଙ୍କ ପୁନରୁତ୍ଥାନ ସମ୍ପର୍କିତ ଆଶଙ୍କା ଦର୍ଶାଉଛି । ଜେମ୍‍ସ୍ (ଜ୍ୟେଷ୍ଠ) ସମ୍ପୂର୍ଣ୍ଣ ସ୍ତବ୍ଧ ଓ ତାଙ୍କ ହାତ ଚଉକି ଉପରେ ରହିଛି । ଫିଲିପ୍ କିଛି ପଚାରୁଥିବା ପରି ପ୍ରତୀତ ହେଉଛି ।
  • ତା’ ନିକଟରେ ମ୍ୟାଥ୍ୟୁ, ଜୁଡ୍ ଓ ସାଇମନ୍ ନାମକ ତିନି ଶିଷ୍ୟ ଉପବିଷ୍ଟ । ମ୍ୟାଥ୍ୟୁ ଓ ଜୁଡ୍ ସାଇମନ୍‍ଙ୍କ ଆଡ଼କୁ ଚାହିଁ ନିଜ ପ୍ରଶ୍ନର ଉତ୍ତର ପଚାରୁଥିବା ପରି ମନେହୁଏ ।


ଯୀଶୁଙ୍କ ଅନ୍ତିମ ରାତ୍ରିଭୋଜନର ଦୃଶ୍ୟ ବର୍ଣ୍ଣନା କରୁଥିବା ସମସ୍ତ ସମସାମୟିକ ଚିତ୍ରଙ୍କ ପରି ଲିଓନାର୍ଡୋଙ୍କ ଚିତ୍ରରେ ସମସ୍ତ ଶିଷ୍ୟ ଓ ଯୀଶୁ ଗୋଟିଏ ପଟେ ବସିଛନ୍ତି ଯେପରିକି କେହି ଦର୍ଶକଙ୍କୁ ପଛ କରି ନବସିବେ । ପୂର୍ବ ଚିତ୍ରମାନଙ୍କରେ ଜୁଡାସ୍ ଯୀଶୁଙ୍କ ବିପରୀତ ପଟେ ବସିଥିବା କିମ୍ବା ଜୁଡାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁଣ୍ଡ ଉପରେ ବୃତ୍ତଦ୍ୱାରା ଚିହ୍ନିତ କରାଯାଇଥିଲା ।

ଲିଓନାର୍ଡୋଙ୍କ ଚିତ୍ରରେ ଜୁଡାସ୍ ଛାୟା ମଧ୍ୟରେ ରହିଛନ୍ତି । ଯୀଶୁ ତାଙ୍କ ନିକଟରେ ଥିବା ରୁଟିକୁ ଇଙ୍ଗିତ କରି ଥୋମାସ୍ ଓ ଜେମ୍‍ସ୍ (ଜ୍ୟେଷ୍ଠ)ଙ୍କୁ କହୁଛନ୍ତି ଯେ ତାଙ୍କ ବିଶ୍ୱାସଘାତକ ଓ ସେ ଏକା ସମୟରେ ରୁଟି (ବ୍ରେଡ଼୍) ଉଠାଇବେ । ଜନ୍ ଓ ପିଟର୍‍ଙ୍କ ବାର୍ତ୍ତାଳାପ ଶୁଣୁଥିବା ଜୁଡାସଙ୍କ ହାତ ମଧ୍ୟ ନିକଟସ୍ଥ ରୁଟି ଆଡ଼କୁ ବଢ଼ିଛି । ଯୀଶୁ ରୁଟି ଆଡ଼କୁ ହାତ ବଢ଼ାଉଥିବା ବିଷୟ ଜୁଡାସ୍ ଲକ୍ଷ୍ୟ କରିନାହାନ୍ତି (ମ୍ୟାଥ୍ୟୁଙ୍କ ଶିକ୍ଷାବାଣୀ ୨୬:୨୩) । ଚିତ୍ରର କେନ୍ଦ୍ରବିନ୍ଦୁ ଯୀଶୁଙ୍କ ମୁହଁରେ ରହିଛି ।[୧୦] ଏହି ଚିତ୍ରରେ ଲିଓନାର୍ଡ଼ୋଙ୍କ ଚିତ୍ରକଳାର ନିଖୁଣତା ଦେଖିହେବ । ଚିତ୍ରର କେନ୍ଦ୍ରରେ ଯୀଶୁଙ୍କ ମୁହଁ, ସେ ତଳକୁ ଚାହିଁଥିବାରୁ ବାମ ହାତ ଓ ରୁଟି ଉପରକୁ ଦର୍ଶକର ଦୃଷ୍ଟି ସ୍ୱତଃପ୍ରବୃତ୍ତ ଯାଇଥାଏ ।

ଲିଓନାର୍ଡ଼ୋ ମିଲାନର ଅନାମଧେୟ ସାଧାରଣ ଲୋକଙ୍କ ମୁହଁ ଏହି ଚିତ୍ରରେ ବ୍ୟବହାର କରିଥିଲେ । ଅଳସୁଆ ପରି ଲିଓନାର୍ଡ଼ୋ ମିଲାନର ଗଳିକନ୍ଦିରେ ବୁଲି ଜୁଡାସଙ୍କ ମୁହଁ ପାଇଁ ଏକ ଉପଯୁକ୍ତ ଆସାମୀକୁ ଖୋଜୁଥିବା ଗୀର୍ଜାର ମୁଖ୍ୟ ଫୋର୍ଜା ରାଜାଙ୍କୁ ଅଭିଯୋଗ କରିଥିଲେ । ଯଦି କେହି ନ ମିଳନ୍ତି ତେବେ ମୁଖିଆଙ୍କ ଚେହେରା ପରି ହିଁ ଜୁଡାସଙ୍କ ଚେହେରା ହୋଇପାରିବ ବୋଲି ଲିଓନାର୍ଡ଼ୋ ପ୍ରତ୍ୟୁତ୍ତରରେ କହିଥିଲେ ।[୧୧] ଚିତ୍ରଟି ଅଙ୍କିତ ହେଉଥିବା ସମୟରେ ଲିଓନାର୍ଡ଼ୋଙ୍କ ଜଣେ ଗାଣିତିକ ବନ୍ଧୁ ଲୁକା ପାଚ୍ୟୋଲି ଏହି ଚିତ୍ରକୁ "ମୋକ୍ଷପ୍ରାପ୍ତି ପାଇଁ ମନୁଷ୍ୟର ଦୃଢ଼ ଆକାଂକ୍ଷାର ଚିହ୍ନ (a symbol of man's burning desire for salvation)" ବୋଲି କହିଥିଲେ ।[୧୨]

ମାଧ୍ୟମ[ସମ୍ପାଦନା]

ପାରମ୍ପରିକ ଚିତ୍ରଠାରୁ ଲିଓନାର୍ଡ଼ୋ ନିଜର ଏହି ଚିତ୍ରରେ ଆଲୋକ ଓ ଛାୟାର ସଠିକ ମାତ୍ରା ଓ ପ୍ରାଞ୍ଜଳ ବିବରଣୀ ଦର୍ଶାଇବାକୁ ଚେଷ୍ଟା କରିଥିଲେ ।[୧୩] ଲାଷ୍ଟ୍ ସପ୍ପର୍ ଚିତ୍ରଟି ଆର୍ଦ୍ର ଚୂନଯୁକ୍ତ କାନ୍ଥ ପରିବର୍ତ୍ତେ ଏକ ଶୁଷ୍କ କାନ୍ଥରେ ଅଙ୍କା ଯାଇଥିଲା । ଆଙ୍କିବା ସମୟରେ ଚିତ୍ର ବଦଳାଇ ହେବନାହିଁ ବୋଲି ଲିଓନାର୍ଡ଼ୋ ଦୁଇ ସ୍ତରର ଶୁଖିଲା ଚୂନବିଶିଷ୍ଟ କାନ୍ଥଟିକୁ ଚୟନ କରିଥିଲେ ।[୧୩] ସେ କାନ୍ଥରେ ଦୁଇଟି ସ୍ତରରେ ଗେସ୍ସୋ, ପିଚ୍ ଓ ମାଷ୍ଟିକ୍ ଲେପ ଦିଆଯାଇଥିଲା ।[୧୪] ଚିତ୍ରକୁ ଅଧିକ ଉଜ୍ଜ୍ୱଳ କରି ଦେଖାଇବା ପାଇଁ ସେ ଧଳା ସୀସାର ଏକ ଲେପ ମଧ୍ୟ ବ୍ୟବହାର କରିଥିଲେ । ଚତୁର୍ଦ୍ଦଶ ଶତାବ୍ଦୀରେ ସେନ୍ନିନୋ ସେନ୍ନିନି ଭିନ୍ନ ଉପାଦାନ ବ୍ୟବହାର କରି ଏହି ପ୍ରଣାଳୀର ବର୍ଣ୍ଣନା କରିଥିଲେ ।[୧୫] ଲିଓନାର୍ଡ଼ୋଙ୍କ ପଦ୍ଧତି ତାଙ୍କୁ ବହୁ ସମୟ ପ୍ରଦାନ କରିଥିଲା ଯାହା ଫଳରେ ସେ ଚିତ୍ରମାନଙ୍କୁ କ୍ରମଶଃ ରଞ୍ଜିତ କରିପାରିଥିଲେ ଓ ତାଙ୍କ ଶୈଳୀ ପାଇଁ ଏହା ଆବଶ୍ୟକ ମଧ୍ୟ ଥିଲା ।

ଲିଓନାର୍ଡ଼ୋଙ୍କ ଚିତ୍ରରୁ ଅନୁପ୍ରାଣୀତ କିଛି ମହତ୍ୱପୂର୍ଣ୍ଣ ନକଲ ଚିତ୍ର[ସମ୍ପାଦନା]

ଦ ଲାଷ୍ଟ୍ ସପ୍ପର୍ ଚିତ୍ରର କିଛି ସୁନ୍ଦର ନକଲ ଚିତ୍ର ରହିଛି । ଏଗୁଡ଼ିକ ଲିଓନାର୍ଡ଼ୋଙ୍କ ସହଯୋଗୀମାନେ ଆଙ୍କିଥିବା ଅନୁମାନ କରାଯାଏ । ନକଲ ଚିତ୍ରଗୁଡ଼ିକ ଆକାରରେ ପ୍ରାୟ ମୂଳ ଚିତ୍ର ପରି ଓ ମୂଳ ଚିତ୍ରର ସମସ୍ତ ବର୍ଣ୍ଣନା ସଠିକ ରୂପେ ଦର୍ଶାଇଥାନ୍ତି ।[୧୭]

  • ୧) ପ୍ରଥମଟି ଜ୍ୟାମ୍ପିଏଟ୍ରିନୋଙ୍କଦ୍ୱାରା ଅଙ୍କିତ । ଲଣ୍ଡନର ରାଜକୀୟ କଳା ଏକଡେମୀର ସଂଗ୍ରହାଳୟରେ ଏହାକୁ ରଖାଯାଇଛି ।
  • ୨) ଦ୍ୱିତୀୟଟି ସିଜାରେ ଦା ସେଷ୍ଟୋଙ୍କ ଅଙ୍କିତ ନକଲ ଚିତ୍ର ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ ଆମ୍ବ୍ରୋଜିଓ ଗୀର୍ଜା ଘରେ ରହିଛି ।
  • ୩) ତୃତୀୟଟି ଆଣ୍ଡ୍ରିଆ ସୋଲାରିଙ୍କଦ୍ୱାରା ଅଙ୍କିତ ଓ ଏହାକୁ ବେଲଜିୟମ୍‍ର ଲିଓନାର୍ଡ଼ୋ ଦା ଭିନ୍‍ସି ସଂଗ୍ରହାଳୟରେ ରଖାଯାଇଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଟୀକା

  1. ତଳ ଧାଡ଼ିର ଚାରି ଶିଷ୍ୟଙ୍କ ଚିତ୍ର ଉପର ଧାଡ଼ିର ବାମ ପଟର ଅବଶେଷ ଅଂଶ ମାତ୍ର[୩]

ଆଧାର

  1. "Leonardo Da Vinci's 'The Last Supper' reveals more secrets". sciencedaily.com. Retrieved 3 March 2014.
  2. The Last Supper by Leonardo da Vinci –. "Santa Maria delle Grazie – Milan". Inexhibit. Retrieved 10 November 2017.
  3. ୩.୦ ୩.୧ Wallace 1972, p. 86.
  4. "Santa Maria delle Grazie & The Last Supper". Timeout.com. Archived from the original on 29 March 2013. Retrieved 30 June 2019.
  5. "Leonardo's Itinerary: Early maturity in Milan (1482-1499)". Museo Galileo. 5 March 2008. Retrieved 21 December 2012.
  6. King, Ross (2012). Leonardo and the Last Supper. New York: Bloomsbury. p. 271. ISBN 9781620403082.
  7. "The Notebooks of Leonardo Da Vinci—Complete by Leonardo da Vinci". Gutenberg.org. 1 January 2004. Retrieved 14 February 2012.
  8. The Notebooks of Leonardo da Vinci p. 232)
  9. Cfr. ଛାଞ୍ଚ:Bibleref2 and ଛାଞ୍ଚ:Bibleref2.
  10. White, Susan D. (2006). Draw Like Da Vinci. London: Cassell Illustrated, p.132. ISBN 9781844034444.
  11. Wallace 1972, p. 81.
  12. Wallace 1972, p. 82.
  13. ୧୩.୦ ୧୩.୧ "Leonardo's Last Supper". Smart history presented by the Khan Academy. Archived from the original on 15 February 2014. Retrieved 25 February 2014.
  14. Wallace 1972, p. 83.
  15. "The Last Supper". The Last Supper. Retrieved 25 February 2014.
  16. "Chapel with return Renaissance painrefting". Oxford Times. 14 September 2017. p. 19.
  17. "Last Supper (copy after Leonardo)". University of the Arts, London. Retrieved 11 August 2008.

ଉତ୍ସ[ସମ୍ପାଦନା]

  • Wallace, Robert (1972) [1966]. The World of Leonardo: 1452–1519. New York: Time-Life Books. {{cite book}}: Invalid |ref=harv (help)

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]