ରେଣ୍ଡୋ ମାଝି

ଉଇକିପିଡ଼ିଆ‌ରୁ
(Rindo Majhiରୁ ଲେଉଟି ଆସିଛି)
ରେଣ୍ଡୋ ମାଝି
Born
ଉର୍ଲାଦାନୀ, ରାମ‌ପୁର, କଳାହାଣ୍ଡି
Diedଡିସେମ୍ବର ୧୦, ୧୮୫୫(୧୮୫୫-୧୨-୧୦)
Nationalityଭାରତୀୟ
Occupationସ୍ୱାଧୀନତା ସଂଗ୍ରାମୀ
Parentଡାବିଶ ମାଝି

ରେଣ୍ଡୋ ମାଝି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମୁକ୍ତି ସଂଗ୍ରାମୀ ଆଦିବାସୀ ସର୍ଦ୍ଦାର ।[୧][୨] ସେ ନିଜ ଭିଟାମାଟି ଏବଂ ଆଦିବାସୀମାନଙ୍କ ସୁରକ୍ଷା ତଥା ଡଙ୍ଗରିଆଝରଣିଆ କନ୍ଧଙ୍କ ଜୀବନଜୀବିକା ପାଇଁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବିଟିଶଙ୍କ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ସହିଦ ହୋଇଥିଲେ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରେଣ୍ଡୋ ମାଝି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକର ଉର୍ଲାଦାନୀ ଗ୍ରାମରେ ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରନ ଯୋଗୁ ସେ ରେଣ୍ଡୋ ମାଝି ନାମରେ ପରିଚିତ ହେଲେ । ପିଲା ଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଭାବେ ନିଜକୁ କନ୍ଧ ସମାଜ ସର୍ଦ୍ଦାର ଭାବେ ପ୍ରତିପାଦିତ କରିଥିଲେ ।[୩]

ସେତେବେଳେ ବ୍ରିଟିଶମାନଙ୍କ ଜନସ୍ୱାର୍ଥ ବିରୋଧୀ ଭୂରାଜସ୍ୱ ଆଇନ ବଳରେ ଚାଷଜମି ଉପରେ କର ବସାଯାଇଥିଲା । ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୁଚନା ଜାରିକରି ଇଂରେଜମାନେ କନ୍ଧମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ । ୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଗଲାପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ମାଝିଙ୍କ ନେତୃତ୍ୱରେ ୧୮୩୭ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଥିଲା । ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ । ଏହି ସମୟରେ ରେଣ୍ଡୋ ମାଝି ଆଦିବାସୀ ସମ୍ପ୍ରଦାୟକୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ । କନ୍ଧମାନେ ପ୍ରଥମେ ମଦନପୁର ରାମପୁର ରାଜାଙ୍କ ବିରୋଧରେ ଯାଇ ଲୁବେନଗଡ଼ଠାରେ ଆକ୍ରମଣ କରିବା ସହ ଧନୁ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧପରାୟଣ ଲେଫ୍ଟନାଣ୍ଟ ମ୍ୟାକନିଏଲ କନ୍ଧମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଏକ କାରାଗାରରେ ବନ୍ଦୀ କରିବା ସହ ରେଣ୍ଡୋ ମାଝିଙ୍କୁ ଗୁଳି କରି ହତ୍ୟା କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଓଡ଼ିଶାରେ ହେବ". ଓଡ଼ିଶା ଟାଇମ୍. 30 April 2017. Retrieved 13 August 2018.
  2. "ନିର୍ମାଣ ହେବ ଶହୀଦ ସ୍ମୃତିସ୍ତମ୍ଭ - Dharitri.Com". Dharitri.com (in ଇଂରାଜୀ). Retrieved 13 August 2018.
  3. ୩.୦ ୩.୧ ୩.୨ "ରେଣ୍ଡୋ ମାଝି". ସୂର୍ଯ୍ୟପ୍ରଭା. 10 December 2011. {{cite news}}: |access-date= requires |url= (help)