Jump to content

ଅସହଯୋଗ ଆନ୍ଦୋଳନ

ଉଇକିପିଡ଼ିଆ‌ରୁ
(Non-cooperation movementରୁ ଲେଉଟି ଆସିଛି)
ଅସହଯୋଗ ଆନ୍ଦୋଳନ ସମୟରେ ବାଳକମାନଙ୍କୁ ତାଲିମ ଦେବା ଅବସରରେ ଭଗତ ସିଂହ (ଡାହାଣପଟୁ ଚତୁର୍ଥରେ ଛିଡ଼ାହୋଇଛନ୍ତି)

ଅସହଯୋଗ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା । କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ ।

ସୂତ୍ରପାତ

[ସମ୍ପାଦନା]

ପ୍ରଥମତଃ ଭାରତୀୟମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଇଂଲଣ୍ଡକୁ ଅକାରଣରେ ସାହାଯ୍ୟ କରିଥିଲେ । ତେଣୁ ଭାରତୀୟମାନେ ଆଶା କରିଥିଲେ ଯେ ବିଶ୍ୱଯୁଦ୍ଧ ପରେ ଇଂରେଜ ସରକାର ସ୍ୱାୟତ ଶାସନ ମାଧ୍ୟମରେ କିଛି ସଂସ୍କାର ପ୍ରଦାନ କରିବେ । କିନ୍ତୁ ଯୁଦ୍ଧ ଶେଷରେ ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ । ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ । ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ । ରାଓଲାତ୍ ଆଇନ ପରେ ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ, ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା । ୧୯୧୯ ମସିହା ଏପ୍ରିଲ ମାସରେ ପଞ୍ଜାବର ଜାଲିଆନାୱାଲାବାଗରେ ଜେନେରାଲ୍ ଡାୟାର ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ । ଗାନ୍ଧିଜୀ ଓ ଭାରତୀୟ ଜାତୀୟ କଂଗ୍ରେସ ଏହି ହତ୍ୟାକାଣ୍ଡର ନ୍ୟାୟ ବିଚାର ପାଇଁ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଶାସନର ଏକ ଅଙ୍ଗ ରୂପେ ଘୋଷଣା କରିଥିଲେ । ଏହି ଘଟଣାମାନ ଭାରତୀୟମାନଙ୍କର ବ୍ରିଟିଶ ଶାସନ ଉପରେ ଥିବା ବିଶ୍ୱାସକୁ ପରିବର୍ତ୍ତନ କଲା । ଇଂରେଜ ଜାତିର ଉଦାରତା ଉପରେ ଥିବା ଗାନ୍ଧିଙ୍କର ବିଶ୍ୱାସ ଲୋପ ପାଇବାରୁ ସେ ଦୃଢ଼ କଣ୍ଠରେ ଘୋଷଣା କଲେ, "ଜାତିର ସମ୍ନାନ ରକ୍ଷା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱରାଜ ସ୍ଥପନ" ।

୧୯୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବାଲ୍ ଗଙ୍ଗାଧର ତିଳକଙ୍କ ତିରୋଧାନ ହେତୁ ଉକ୍ତ ଅଧିବେଶନରେ ନେତୃତ୍ୱ ପଡିଥିଲା ଗାନ୍ଧିଜୀଙ୍କ ଉପରେ । ସେଠାରେ ସେ ପ୍ରସ୍ତୁତ କରିଥିବା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଅଧିବେଶନରେ ଉପସ୍ଥାପନ କରିଥିଲେ । ଏହା ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଜାତୀୟତାବାଦୀ ନେତାମାନଙ୍କଦ୍ୱାରା ସମର୍ଥନ ଲାଭ କରିଥିଲା । ଏହିପରି ଉପରୋକ୍ତ ଘଟଣାମାନଙ୍କଦ୍ୱାରା ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।

ଅସହଯୋଗ ଓ ଏହାର କାର୍ଯ୍ୟକ୍ରମ

[ସମ୍ପାଦନା]

ଅସହଯୋଗର ଅର୍ଥ ଓ ଏହାର ଲକ୍ଷ୍ୟ

[ସମ୍ପାଦନା]

ଅସହଯୋଗର ଅର୍ଥ ହେଉଛି ଇଂରେଜ ସରକାରଙ୍କଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିନେବା । ଗାନ୍ଧିଜୀ ହିଁ ଥିଲେ ଏହାର ମୁଖ୍ୟ ଯୋଜନାକାରୀ । ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ଥିଲା ଏହି ଅସହଯୋଗର ମୂଳନୀତି । ଏହା ଯଦି କାର୍ଯ୍ୟକାରୀ ହୋଇପାରି୍ବ ତାହାଲେ ଇଂରେଜ ସରକାରଙ୍କ ଶାସନ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେବ । ଏଥିସହିତ ଶାସନକାଳ ମଧ୍ୟ ଅଚଳ ହୋଇପଡିବ । ପୁନଶ୍ଚ ବିଦେଶୀ ଦ୍ରବ୍ୟ ବର୍ଜନଦ୍ୱାରା ବ୍ରିଟିଶର ଅର୍ଥନୀତି ଧ୍ୱଂସାଭିମୁଖୀ ହୋଇପଡିବ । ଫଳରେ ଇଂରେଜମାନେ ଭାରତ ଛାଡିବାକୁ ବାଧ୍ୟ ହେବେ । ଏହିପରି ରଣନୀତି ପ୍ରସ୍ତୁତ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଅସୋହଯୋଗ କାର୍ଯ୍ୟକ୍ରମ

[ସମ୍ପାଦନା]

ଅସହଯୋଗ କାର୍ଯ୍ୟକ୍ରମ ଦୁଇଗୋଟି ପର୍ଯ୍ୟାୟରେ ପର୍ଯ୍ୟବସିତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଥିଲା ସବୁକ୍ଷେତ୍ରରେ ଭାରତୀୟମାନେ ତାଙ୍କର ସମର୍ଥନ ପତ୍ୟାହାର କରିନେଇ ଭାରତରେ ବ୍ରିଟିଶ ଶାସନକୁ ଅଚଳ ଚରିଦେବେ । ସେଥିପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା ।

  1. ୧୯୧୯ ଭାରତ ସରକାର ଆଇନ ଅନୁଯାୟୀ କାର୍ଯ୍ୟ କରାଯାଉଥିବା ଆଗାମୀ ନିର୍ବାଚନକୁ ବର୍ଜନ କରାଯିବ ।
  2. ଆଇନଜୀବୀମାନେ ବିଚାରାଳୟକୁ ବାସନ୍ଦ କରିବେ ।
  3. ସଦସ୍ୟମାନେ ବିଧାନ ସଭା ବର୍ଜନ କରିବେ ।
  4. ଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ନିଜକୁ ପ୍ରତ୍ୟାହାର କରିବେ ।
  5. ସମ୍ମାନସୂଚକ ପଦବୀ ଓ ଉପାଧିଗୁଡିକ ଫେରସ୍ତ ଦିଆଯିବ ।
  6. ସରକାରଙ୍କଦ୍ୱାରା ଆୟୋଜିତ ଦରବାର ଓ ଉତ୍ସବାଦି ବର୍ଜନ କରାଯିବ ।
  7. ସୈନ୍ୟ, କିରାଣି ଓ ଶ୍ରମିକମାନେ ମେସୋପଟାମିଆ ସରକାରୀ କାର୍ଯ୍ୟରେ ଯୋଗ ଦେବେ ନାହିଁ ।
  8. ଏବଂ ପରିଶେଷରେ ବିଦେଶୀ ଦ୍ରବ୍ୟ ବର୍ଜନ କରାଯିବ ।

ଅସହଯୋଗ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ

[ସମ୍ପାଦନା]

ଦ୍ୱିତୀୟ ପର୍ଯ୍ୟାୟରେ କେତେକ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେଗୁଡିଚ ନିମ୍ନରେ ପ୍ରଦତ୍ତ ହୋଇଛି-

  1. ଗ୍ରାମାଞ୍ଚଳରେ ପଞ୍ଚାୟତ ଅଦାଲତ ପ୍ରତିଷ୍ଠା କରାଯାଇ ସେଠାରେ ସମସ୍ତ ମାଲିମୋକଦ୍ଦମା ବିଚାର କରାଯିବ ।
  2. ଛାତ୍ରମାନଙ୍କୁ ଶିକ୍ଷାଦେବା ନିମନ୍ତେ ଜାତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପିତ ହେବ ।
  3. ହାତକଟାଓ ହାତବୁଣା ଖଦି ସମେତ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରାଯିବ ।
  4. ସାମ୍ପ୍ରଦାୟିକ ଐକ୍ୟ ଓ ଅସ୍ପୃଶ୍ୟତା ଦୂରୀକରଣ ଉପରେ ଗୁରୁତ୍ୱ ଦିଆଯିବ ।

ଅସହଯୋଗ ଆନ୍ଦୋଳନର ଅଗ୍ରଗତି

[ସମ୍ପାଦନା]

ଅସହଯୋଗ ଆନ୍ଦୋଳନ ଆଶାତୀତ ଭାବେ ସଫଳତା ହାସଲ କରିଥିଲା । ଏଥିରେ ସହସ୍ର ସହସ୍ର ଜନତା ଯୋଗଦେଇ ଏହାଚୁ ସାଫଲ୍ୟମଣ୍ଡିତ କରିଥିଲେ । ବିଭିନ୍ନ ପଦକ୍ଷେପମାନ ସଫଳ ହୋଇଥିଲା, ଯଥା:-

  • ବିଦ୍ୟାଳୟମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କଦ୍ୱାରା ବର୍ଜନ କରାଯାଇଥିଲା ।
  • ଅଧିକାଂସ ସ୍ଥାନରେ ଇଂରେଜ ତିଆରି ବସ୍ତ୍ରଗୁଡିକ ସର୍ବସାଧାରଣରେ ପୋଡ଼ି ଦିଆଯାଇଥିଲା ।
  • ସମ୍ମାନସୂଚକ ଉପାଧିଗୁଡିକ ମଧ୍ୟ ଇଂରେଜ ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା । ଗାନ୍ଧିଜୀ ନିଜେ ତାଙ୍କର କିଇଜର-ଇ-ହିନ୍ଦ ଉପାଧି ଫେରସ୍ତ ଦେଇଥିଲେ ।

ଏଥି ସହିତ କେତେକ ଗଠନମୂଳକ କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା । ବଙ୍ଗୀୟ ଜାତୀୟ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ ବିଦ୍ୟାପୀଠ, ଲାହୋର ଜାତୀୟ ବିଦ୍ୟାଳୟ ପରି କେତେକ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା । ସ୍ୱଦେଶୀ ବସ୍ତ୍ର ଉପାଦନ ପାଇଁ, ୨୦,୦୦୦ ଚରଖା ନିର୍ମିତ ହୋଇଥିଲା । ସେହି ଦିନଠାରୁ ଚରଖା ଜାତୀୟ ଆନ୍ଦୋଳନର ପ୍ରତୀକ ଭାବେ ଗ୍ରହଣ କରାଯାଇ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା । ସେବେଠାରୁ ମଧ୍ୟ ନିଜେ ଗାନ୍ଧିଜୀ କୁର୍ତ୍ତା ପରିଧାନ ପରିହର କରି କେବଳ ଧୋତି ପରିଧାନ କରିଥିଲେ । ଏହି ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ "ତିଳକ ସ୍ୱରାଜ୍ୟ ଫଣ୍ଡ' ଗଠିତ ହୋଇଥିଲା ଏବଂ ସ୍ୱଲ୍ପ ସମୟ ମଧ୍ୟରେ ବିପୁଳ ଟଙ୍କା ଉକ୍ତ ଫଣ୍ଡରେ ଜମା କରି ରଖାଯାଇଥିଲା । ମହିଳାମାନେ ନିଜ ନିଜର ଅଳଙ୍କାର ବିନା ଦ୍ୱିଧାରେ ଦାନ କରିଥିଲେ ।

ଅସହଯୋଗ ଆନ୍ଦୋଳନ ପ୍ରତି ଦମନନୀତି ପ୍ରୟୋଗ ଓ ତାର ପ୍ରତିକ୍ରିୟା

[ସମ୍ପାଦନା]

ଅସହଯୋଗ ଆନ୍ଦୋଳନ ଅପ୍ରତ୍ୟାଶିତ ସଫଳତା ହାସଲ କରୁଥିବାର ଦେଖି ଇଂରେଜ ସରକାର ଏହାର ଦମନ ପାଇଁ କେତୋଟି ପଦକ୍ଷେପମାନ ଗ୍ରହଣ କରିଥିଲେ । ଆନ୍ଦୋଳନର ସୂତ୍ରପାତ ହେବାର ଠିକ୍ ପରେ ପରେ ନେତାମାନଙ୍କୁ ଜେଲଖାନାରେ ରଖାଯାଇଥିଲା । ମାତ୍ର ସରକାରଙ୍କ ଏତାଦୃଶ କାର୍ଯ ଆନ୍ଦୋଳନର ନିର୍ବିପାତ କରିବା ପରିବର୍ତ୍ତେ ଏହାକୁ ଇନ୍ଧନ ଯୋଗାଇଥିଲା । ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସରକାରଙ୍କର ଏହି କାର୍ଯ୍ୟକଳାପକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ଓ୍ବେଲସର ଯୁବରାଜଙ୍କ ଭାରତ ପରିଦର୍ଶନକୁ ବର୍ଜନ କରିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲେ । ୧୯୨୧ ମସିହା ନଭେମ୍ବର ୧୭ ତାରିଖ ଦିନ ସେ ବମ୍ବେଠାରେ ପଦାର୍ପଣ କରିବା ମାତ୍ରେ ତାଙ୍କୁ ହରତାଳ ମାଧ୍ୟମରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏଥିରେ କ୍ରୋଧାନ୍ୱିତ ହୋଇ ଇଂରେଜମାନେ ୫୦ ଜଣଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ୪୦୦ ଲୋକଙ୍କୁ ଆହାତ କରିଥିଲେ । ଫଳରେ ବମ୍ବେର ହରତାଳ କ୍ରମଶଃ ଅନ୍ୟ ଆଡକୁ ସଂକ୍ରାମିତ ହୋଇଥିଲା । ରାଜକୁମାର ପରିଦର୍ଶନ କରିଥିବା ସବୁ ଅଞ୍ଚଳରେ ଅନୁରୂପ ହରତାଳ ପାଳନ କରାଯାଇଥିଲା । ତେଣୁ ଇଂରେଜ ସରକାର ଆରମ୍ଭ କରିଥିଲେ ଦମନ ତାଣ୍ଡବଲୀଳା । ଗୁଳି ଓ ଲାଠି ଚାଳନା ନିତ୍ୟ ନୈମିତ୍ତିକ ଘଟଣା । ସର୍ବସାଧାରଣ ସଭା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା । ବ୍ୟାପକ ଗିରଫ କରି ୩୦,୦୦୦ ପର୍ଯ୍ୟନ୍ତ ଭାରତୀୟଙ୍କୁ କାରାଗାର ମଧ୍ୟରେ ନିକ୍ଷପ କରାଯାଇଥିଲା । ଗାନ୍ଧିଜୀଙ୍କ ବ୍ୟତୀତ ମୋତିଲାଲ୍ ନେହେରୁ, ଲାଜପତ ରାୟ, ଆବୁଲ କାଲାମ ଆଜାଦ ଏବଂ ଅନ୍ୟ କେତେକ ତୃଙ୍ଗ ନେତ୍ରୁବର୍ଗଙ୍କୁ ବନ୍ଦୀଶାଳାରେ ରଖାଯାଇଥିଲା । ମାତ୍ର ଏସବୁ ପ୍ରତିଷେଧମୂଳକ ଦମନଲୀଳା ସତ୍ତ୍ୱେ ଏହି ଆନ୍ଦୋଳନ ବନାଗ୍ନି ସଦୃଶ ପ୍ରସାରଲାଭ କରିଥିଲା ।

ଆନ୍ଦୋଳନ ସ୍ଥଗିତ

[ସମ୍ପାଦନା]

ଅସହଯୋଗ ଆନ୍ଦୋଳନ କ୍ରମେ ସଫଳତା ଆଡକୁ ଗତି କରୁଥିବା ସମୟରେ ହଠାତ୍ ଗାନ୍ଧିଜୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଥିଲେ । କାରଣ କେତେକ ସ୍ଥାନରେ ତାଙ୍କର ଅହିଂସା ଓ ଅସହଯୋଗ ନୀତିକୁ ଆନ୍ଦୋଳନକାରୀମାନେ ଉଲଂଘନ କରିଥିଲେ । ବିଶେଷତଃ ୧୯୨୨ ମସିହା ଫେବୃୟାରୀ ୫ ତାରିଖ ଦିନ ଉତ୍ତର-ପ୍ରଦେଶସ୍ଥ ଗୋରଖପୁର ଜିଲ୍ଲାର ଚୌରିଚୌରାଠାରେ ଉତ୍ତ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରିଦେବାରୁ ୨୧ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ଗାନ୍ଧିଜୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାପରେ ମଧ୍ୟ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଗାନ୍ଧିଜୀଙ୍କୁ ବନ୍ଦୀ କରାଯାଇଥିଲା । ସେ ୬ ବର୍ଷ କାରାବରଣ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ମାତ୍ର ୧୯୨୪ ଫେବୃୟାରୀ ୫ ତାରିଖ ଦିନ ଅସୁସ୍ଥତା ପାଇଁ ତାଙ୍କୁ ମୁକ୍ତି ଦିଆଯାଇଥିଲା ।

ଅସହଯୋଗ ଆନ୍ଦୋଳନର ଫଳାଫଳ

[ସମ୍ପାଦନା]

ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଅସହଯୋଗ ଆନ୍ଦୋଳନ ଥିଲା ଏକ ଜାଜ୍ୱଲ୍ୟମାନ ଅଧ୍ୟାୟ । ଏହା ଆଶୁ ଫଳପ୍ରଦ ହୋଇନଥିଲେ ମଧ୍ୟ ଭବିଷ୍ୟତ ପାଇଁ ବହୁ ଆର୍ଶିବାଦ ଆଣିପାରିଥିଲା । ଭାରତୀୟଙ୍କ ହୃଦୟରେ ଏହା ଏକ ନୂତନ ଚେତନା ସୃଷ୍ଟି କରିଥିଲା । ସେମାନେ ଏହାପରେ ଅଧିକ ନିର୍ଭିକ ଓ କର୍ମତତ୍ପର ହୋଇ ଉଠିଥିଲେ । ସେମାନଙ୍କ ମଧ୍ୟରେ ମଧ୍ୟ ଅଧିକ ଆତ୍ମବିଶ୍ୱାସ ଭାବ ଜାଗ୍ରତ ହୋଇଥିଲା । ପୁନଶ୍ଚ ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକଳାପରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଥିଲା । ବିଶେଷତଃ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ପନ୍ଥାରେ ଏକ ପରିବର୍ତ୍ତନ ଦେଖାଯାଇଥିଲା । ତା ପରଠାରୁ କେବଳ ସ୍ୱରାଜ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ । ସେହିପରି ଆବେଦନ ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟ ଗ୍ରହଣ ହେଲା ଏହି ଲକ୍ଷ୍ୟ ହାସଲ କରିବାର ପନ୍ଥା । ତା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ କେବଳ ଶିକ୍ଷିତମାନଙ୍କ ଅନୁଷ୍ଠାନ ହୋଇ ରହିନଥିଲା । ଆନ୍ଦୋଳନରେ ସର୍ବସାଧାରଣ ଜନତା ବହୁସଂଖ୍ୟାରେ ଯୋଗଦେବା ଫଳରେ ଏହା ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା । ପୁନଶ୍ଚ ଏହି ଆନ୍ଦୋଳନ ପରେ ହିଁ ସ୍ୱଦେଶୀ ବସ୍ତ୍ର ଲୋକପ୍ରିୟ ହୋଇଥିଲା ।ଫଳରେ ବହୁ ବୁଣାକାରଙ୍କୁ ଏହା କର୍ମସଂସ୍ଥାନ ଯୋଗାଇଥିଲା । ପରେ ପରେ ଖଦଡ ଲୋକମାନଙ୍କ ମଧ୍ୟରେ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କର ଏହା ସମ୍ମାନଜନକ ପୋଷାକ ହୋଇଥିଲା ।