ୟାମ ଯାତ୍‍ଦ

ଉଇକିପିଡ଼ିଆ‌ରୁ
(ୟାମାୟଣରୁ ଲେଉଟି ଆସିଛି)
ବ୍ରହ୍ମଦେଶୀୟ ଚିତ୍ରରେ ରାମାୟଣ କଥା: ସୁବର୍ଣ୍ଣ ମୃଗ ସୀତାଙ୍କ ନିକଟକୁ ପଠାଇବା (ଉପର), ଭିକ୍ଷୁ ବେଶରେ ରାବଣ ସୀତାଙ୍କ ନିକଟକୁ ଆସିବା (ମଝି), ବାନର ସେନାଦ୍ୱାରା ସେତୁ ନିର୍ମାଣ (ତଳ)

ୟାମ ଯାତ୍‍ଦ (ଇଂରାଜୀରେ Yama Zatdaw, ବ୍ରହ୍ମଦେଶୀୟ ଭାଷାରେ ရာမဇာတ်တော်) ବ୍ରହ୍ମଦେଶର ଜାତୀୟ ମହାକାବ୍ୟ ପରି ଓ ଏହା ରାମାୟଣର ବ୍ରହ୍ମଦେଶୀୟ ରୂପାନ୍ତରଣ । ବ୍ରହ୍ମଦେଶୀୟ ଭାଷାରେ ଏହି କାବ୍ୟକୁ ୟାମାୟଣ କୁହନ୍ତି । ୟାମ ଯାତ୍‍ଦ ନାମରେ ୟାମ ଶବ୍ଦ ରାମକୁ ବୁଝାଉଥିବା ବେଳେ ଯାତ୍‍ଦ ଶବ୍ଦ ତେରବାଦ ବୌଦ୍ଧ ପରମ୍ପରାର ଜାତକ କଥାରୁ ଗୃହୀତ । ୟାମ ଯାତ୍‍ଦ ଓ ମୂଳ ରାମାୟଣର କଥା, ବିଷୟ ବସ୍ତୁ ଏକା ହୋଇଥିବା ବେଳେ କେବଳ ଚରିତ୍ରମାନଙ୍କ ନାମରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ।

ରାଜା ଅନୋରଥଙ୍କ ରାଜୁତି କାଳରେ ବ୍ରହ୍ମଦେଶର ମୌଖିକ ଶିକ୍ଷା ପରମ୍ପରାରେ ୟାମ ଯାତ୍‍ଦ ପ୍ରଥମେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । କିନ୍ତୁ ସେହି କାବ୍ୟ ବାଲ୍ମିକୀଙ୍କ ସଂସ୍କୃତ ରାମାୟଣରୁ ଉଦ୍ଧୃତ ବା ତାହା ସହ କେତେ ସମାନ ଥିଲା ତାହା ଅଜଣା । ବାଗାନ ନଗରୀର ନାଥଲୌଂଗ ବିଷ୍ଣୁ ମନ୍ଦିରରେ ନିର୍ମିତ କିଛି ପ୍ରସ୍ତର ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ରାମଚନ୍ଦ୍ରଙ୍କର । ବ୍ରହ୍ମଦେଶୀୟ ସାହିତ୍ୟକୁ ଅନୁଧ୍ୟାନ କଲେ ୧୫୨୭ ଖ୍ରୀଷ୍ଟାବ୍ଦ ପୂର୍ବରୁ ହନୁମାନଙ୍କ ଉଲ୍ଲେଖ ବିଭିନ୍ନ ରଚନାରେ ରହିଥିବା ଜଣାପଡ଼େ ।

ଅୟୁଥୟା ସାମ୍ରାଜ୍ୟ ବ୍ରହ୍ମଦେଶୀଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । କୋନାବୌଂଗ ବଂଶର ରାଜାମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁଁ ରାମାକିଅନର କଥା ଓ ତରିତ୍ରମାନ ବ୍ରହ୍ମଦେଶର ରାମାୟଣ କାବ୍ୟରେ ପ୍ରବେଶ କରିଥିଲା । ୧୭୭୫ ମସିହାରେ ୟୁ ଔଂଗ ଫ୍ୟୋ ରାମ ସାକ୍ଷନ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ଏହା ବାଲ୍ମିକୀ ରାମାୟଣ ପରି ବାଳ କାଣ୍ଡରେ ଆରମ୍ଭ ହୋଇଯୁଦ୍ଧ କାଣ୍ଡରେ ଶେଷ ହୁଏ । ଏହା ଛଡ଼ା ବ୍ରହ୍ମଦେଶର ଅନ୍ୟାନ୍ୟ ସାହିତ୍ୟିକ ରଚନା ଓ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ରାମାୟଣର ଛାପ ଦେଖିବାକୁ ମିଳେ । ୟୁ ତୋଙ୍କଦ୍ୱାରା ରଚିତ ୟାମ ୟାକାନ - ရာမရကန် (ରାମଙ୍କ ଗୀତ) ଓ ଥୀଦା ୟାକାନ – သီတာရကန် (ସୀତାଙ୍କ ଗୀତ) ୧୭୮୪ ମସିହାର ରଚନା । ୟାମ ପ୍ୟାଜାତ୍ – Yama pyazat – ရာမပြဇာတ် (ରାମାୟଣ ନାଟକ) ଏବଂ କାଲୟ ୟାମ ୱୁଥୁ – ကလေးရာမဝတ္ထု (ରାମଙ୍କ ବାଲ୍ୟ/ତରୁଣ ଜୀବନ) ଯଥାକ୍ରମେ ୧୭୮୯ ଓ ୧୮୦୦ ମସିହାରେ ରଚିତ ହୋଇଥିଲା ।[୧]

ସ୍ଥାନୀୟ ମୋନ ଲୋକଙ୍କ ରାମାୟଣକୁ ଲୋଇକ୍ ସାମୋଇଂଗ୍ ରାମ କୁହାଯାଏ । ଉତ୍ତମ ନାମକ ଜଣେ ବୌଦ୍ଧ ସନ୍ୟାସୀ ୧୮୩୪ ମସିହାରେ ଏହାର ରଚନା କରିଃଥିଲେ । ବ୍ରହ୍ମଦେଶର ରାଜଧାନୀରେ ୟାମ ଯାତ୍‍ଦ ଅତି ଲୋକପ୍ରିୟ ହୋଇଥିବାରୁ ଲୋଇକ୍ ସାମୋଇଂଗ୍ ରାମର ରଚୟିତା ସେଥିରୁ ଅନୁପ୍ରାଣିତ ହୋଇ ନିଜର ରଚନା କରିଥିବା ନିଜେ ଉପକ୍ରମରେ କହିଛନ୍ତି । କିନ୍ତୁ ରାମାୟଣର ମୋନ ରୂପାନ୍ତରରେ ଥାଇ, ଜାଭା ଓ ମାଳୟ ଭାଷାର ରାମାୟଣ ସହିତ କିଛି ସାମଞ୍ଜସ୍ୟ ରହିଥିବାର ଦେଖାଯାଏ । ପୁଣି ଅନ୍ୟ ସବୁ ରାମାୟଣରେ ନଥିବା କିଛି ସ୍ୱତନ୍ତ୍ର ଅଧ୍ୟାୟ ମଧ୍ୟ ମୋନ ରାମାୟଣରେ ରହିଛି ।[୨]

ଚରିତ୍ରାବଳୀ[ସମ୍ପାଦନା]

ୟାମ ଯାତ୍‍ଦର ଚରିତ୍ରଗୁଡ଼ିକ ମୂଳ ରଚନାର ଚରିତ୍ର ପରି । କିନ୍ତୁ ନାଟକ ରୂପେ ପ୍ରଦର୍ଶିତ ହେଉଥିବା ସମୟରେ ଚରିତ୍ରମାନଙ୍କୁ ବାମାର ଓ ଥାଇ ବେଶଭୂଷାରେ ଦେଖାଯାଇପାରିବ । ଚରିତ୍ରମାନଙ୍କ ନାମ ସଂସ୍କୃତ ନାମର ବ୍ରହ୍ମଦେଶୀୟ ରୂପାନ୍ତର ବା ଅପଭ୍ରଂଶ ବୋଲି କୁହାଯାଇପାରେ ।

  • ରାମ ଚରିତ୍ରକୁ ଏଥିରେ ୟାମ (ရာမ) ବୋଲି କୁହାଯାଇଛି ।
  • ସୀତା ଚରିତ୍ରର ବ୍ରହ୍ମଦେଶୀୟ ରୂପ ହେଲା ଥୀଦା (မယ်သီတာ) ।
  • ଲକ୍ଷ୍ମଣଙ୍କ ଚରିତ୍ରର ନାମ ହୋଇଛି ଲଖାନା (လက္ခဏ) ।
  • ହନୁମାନଙ୍କ ଚରିତ୍ରର ନାମ ହନୁମାନ (ဟနူမာန်) ବୋଲି ଅପରିବର୍ତ୍ତିତ ରହିଛି ।
  • ପରଶୁରାମଙ୍କ ନାମ ହୋଇଛି ପଶ୍ୟୁୟାମ (ပသျှူးရာမ) ।
  • ରାବଣଙ୍କ ନାମ ହୋଇଛି ୟାୱନ (ရာဝဏ) ବା ଦଥାଗିରି (ဒဿဂီရိ) ।
  • ବାଳୀଙ୍କ ଚରିତ୍ର ନାମ ଅପରିବର୍ତ୍ତିତ ହୋଇ ବାଳି (ဘာလိ) ରହିଛି ।
  • ମାରିଚ ଚରିତ୍ର ବ୍ରହ୍ମଦେଶୀୟ ରୂପାନ୍ତରଣ ପରେ ମାରିଜ୍ଜ (မာရဇ) ନାମ ଧାରଣ କରିଛି ।
  • ବିଭୀଷଣ ଚରିତ୍ରର ନାମ ହୋଇଛି ବିବିଥନା (ဘိဘိသန) ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]