ହର୍ଷ ଭୋଗଲେ

ଉଇକିପିଡ଼ିଆ ରୁ
Jump to navigation Jump to search
ହର୍ଷ ଭୋଗଲେ
Harsha Bhogle.JPG
୨୦୧୪ ମସିହାରେ ଏକ କାର୍ଯ୍ୟକ୍ରମରେ ହର୍ଷା
ଜନ୍ମ ଓ ଜନ୍ମସ୍ଥାନ (1961-07-19) ୧୯ ଜୁଲାଇ ୧୯୬୧ (ବୟସ ୫୯)
ଶିକ୍ଷାଓସମାନିଆ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ
ଆଇଆଇଏମ ଅହମଦାବାଦ
ଜୀବିକାଟେଲିଭିଜନ ଭାଷ୍ୟକାର ଓ ଉପସ୍ଥାପକ
ଜୀବନସାଥିଅନୀତା
ସନ୍ତାନଚିନ୍ମୟ ଓ ସଚିତ
ୱେବସାଇଟwww.harshabhogle.com

ହର୍ଷ ଭୋଗଲେ (ଜନ୍ମ: ୧୯ ଜୁଲାଇ ୧୯୬୧) ଜଣେ ଭାରତୀୟ କ୍ରିକେଟ ଭାଷ୍ୟକାର, ସମୀକ୍ଷକ ତଥା ସାମ୍ବାଦିକ ଅଟନ୍ତି ।[୧] ସେ ହାଇଦ୍ରାବାଦର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଇଆଇଏମ ଉଦୟପୁରର ପରିଚାଳାନ ସମିତିର ସଭ୍ୟ ଅଟନ୍ତି ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହର୍ଷ, ଫରାସୀ ଭାଷା ସାହିତ୍ୟର ଅଧ୍ୟାପକ ଏଡି ଭୋଗଲେ ଏବଂ ମନସ୍ତତ୍ତ୍ୱ ଅଧ୍ୟାପକ ଶାଲିନୀ ଭୋଗଲେଙ୍କ ସନ୍ତାନ । ସେ ହାଇଦ୍ରାବାଦ ପବ୍ଲିକ ସ୍କୁଲ, ବେଗମପେଟରୁ ସ୍କୁଲ ଶିକ୍ଷା ସମାପ୍ତ କରି ହାଇଦ୍ରାବାଦର ଓସମାନିଆ ୟୁନିଭରସିଟି କଲେଜ ଅଫ ଟେକ୍ନୋଲୋଜିରୁ କେମିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଅହମ୍ମଦାବାଦରୁ ପିଜିଡିବିଏମ ପଢିଛନ୍ତି । ତା’ପରେ ସେ ଏକ ବିଜ୍ଞାପନ ଏଜେନ୍ସିରେ ଯୋଗ ଦେଇ ସେଠାରେ ଦୁଇ ବର୍ଷ ଓ ଏକ କ୍ରୀଡା ପରିଚାଳନା କମ୍ପାନୀରେ ଆଉ ଦୁଇ ବର୍ଷ ଚାକିରୀ କରିଥିଲେ ।[୩]

ବୃତ୍ତି[ସମ୍ପାଦନା]

ଭୋଗଲେ ହାଇଦ୍ରାବାଦରେ ଡିଭିଜନ କ୍ରିକେଟ ଖେଳିଥିଲେ ଏବଂ ରୋହିଣ୍ଟନ ବାରିଆ ଟୁର୍ଣ୍ଣାମେଣ୍ଟରେ ଓସମାନିଆ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ । ୧୯ବର୍ଷ ବୟସରୁ ସେ ଆକାଶବାଣୀରେରେ ଭାଷ୍ୟକାର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୧୯୯୧-୯୨ ମସିହାରେ, ତାଙ୍କୁ ଅଷ୍ଟ୍ରେଲିଆ ବ୍ରଡକାଷ୍ଟିଂ କର୍ପୋରେସନ(ଏବିସି) ଏକ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜରେ ଭାଷ୍ୟକାର ଭାବରେ କାମ କରିବାକୁ ଆମନ୍ତ୍ରଣ କରିଥିଲା । ଏହି ଉପଲବ୍ଧୀ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଥିଲେ । ସେବେଠାରୁ ୮ ବର୍ଷ ଧରି, ହର୍ଷ ଏବିସିର ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସେ ଏବିସି ତରଫରୁ ୧୯୯୬ ବିଶ୍ୱକପ ଓ ୧୯୯୯ ବିଶ୍ୱକପରେ ଭାଷ୍ୟକାର ଭାବରେ କାମ କରିଥିଲେ । ୧୯୯୫ ମସିହାରୁ ସେ, ଇଏସପିଏନ ଷ୍ଟାର ସ୍ପୋର୍ଟସଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ 'ଫ୍ୟୁ ଗୁଡ଼ ମେନ'ର ଉପସ୍ଥାପକ ଭାବରେ କାମ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଆଲାନ ଉଇଲ୍କିନ୍ସ, ଜେଫରୀ ବୟକଟ, ନବଜୋତ ସିଂହ ସିଦ୍ଧୁ, ଇଆନ ଚାପେଲ ଓ ସଞ୍ଜୟ ମଞ୍ଜରେକର ଆଦି ଅନ୍ତର୍ଭୁକ୍ତ ଥିଲେ ।

୨୦୧୧-୧୨ବର୍ଷରେ ସେ କେବଳ ଏବିସି ପାଇଁ କାମ କରିଥିଲେ |[ଆଧାର ଲୋଡ଼ା] [ ଉଦ୍ଧୃତ ଆବଶ୍ୟକ ] ୨୦୦୯ରୁ ଭାରତୀୟ ପ୍ରିମିୟର ଲିଗ ଆରମ୍ଭ ସିଜିନରୁ, ହର୍ଷା ଏହି ମ୍ୟାଚ ଗୁଡିକରେ ଭାଷ୍ୟକାର ଓ ଉପସ୍ଥାପକ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଭାରତୀୟ ଖେଳାଳୀଙ୍କୁ ଅତ୍ୟଧିକ ସମାଲୋଚନା କରିଥିବାରୁ, ୨୦୧୬ସିଜିନରେ ବିସିସିଆଇ ତାଙ୍କୁ ଏହି କାମରୁ ନିବୃତ ରଖିଥିଲା ।

ଇଏସପିନ ଓ ଷ୍ଟାର ସ୍ପୋର୍ଟସ୍ ପାଇଁ ସେ ''ହର୍ଷ ଅନଲାଅନ'', ''ହର୍ଷ ଅନପ୍ଲଗଡ଼'' ଓ ''ସ୍କୁଲ କୁଇଜ ଅଲିମ୍ପିଆଡ'' ଭଳି ଟେଲିଭିଜନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଭୋଗଲେଙ୍କ ନାମରେ ଏକ ଟେଲିଭିଜନ କାର୍ଯ୍ୟକ୍ରମ ଥିଲା, "ହର୍ଷ କି ଖୋଜ" ("ହର୍ଷଜ କ୍ୱେଷ୍ଟ"), ଯାହା ଭାରତରେ ପ୍ରସାରଣ ପ୍ରତିଭା ଖୋଜିବା ପାଇଁ ଚେଷ୍ଟା କରାଯାଇଥିଲା । ୟୁଟ୍ୟୁବରେ ''ଆଉଟ ଅଫ ଦ ବକ୍ସ ଉଇଥ ହର୍ଷା ଭୋଗଲେ'' କାର୍ଯ୍ୟକ୍ରମ ମଧ୍ୟ ସେ ଉପସ୍ଥାପନ କରିଥିଲେ ।[୪] ''କ୍ରିକଇନ୍ଫୋ'' ଅନଲାଇନ ଖେଳ ପତ୍ରିକାଦ୍ୱାରା କରାଯାଇଥିବା ବିଶ୍ୱବ୍ୟାପି ଏକ ସର୍ଭେରେ ହର୍ଷାଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଭାଷ୍ୟକାର ଭାବରେ ଚୟନ କରାଯାଇଥିଲା ।[୫] 'ବିବିସି'ର ''ଟ୍ରାଭେଲ ଇଣ୍ଡିଆ'' ଓ 'ବିଜିନେସ ଟୁଡେ'ର ''ବିଜନେସ କୁଇଜ ଓ ଡିବେଟ କମ୍ପିଟିସନ''କୁ ମଧ୍ୟ ହର୍ଷା ଉପସ୍ଥାପନା କରିଥିଲେ । ୨୦୦୯ ମସିହାରେ 'ଦ ସ୍ପୋର୍ଟସ ଷ୍ଟାର'ରେ ସେ ''ହିଟିଙ୍ଗ ହାର୍ଡ଼'' ନାମରେ ଏକ ସ୍ତମ୍ଭ ଲେଖୁଥିଲେ । 'ଡିସକଭରୀ' ଓ 'ଟିଏଲସି' ଚ୍ୟାନେଲରେ ହର୍ଷା, ''ଟ୍ରାଭେଲ ଇଣ୍ଡିଆ ଉଇଥ ହର୍ଷା ଭୋଗଲେ'' ନାମକ କାର୍ଯ୍ୟକ୍ରମ ମଧ୍ୟ ଉପସ୍ଥାପନ କରିଛନ୍ତି । ୨୦୦୮ରେ ଆଇପିଏଲ ଦଳ ''ମୁମ୍ବାଇ ଇଣ୍ଡିଆନ୍ସ''ର ସେ ପରାମର୍ଶଦାତା ଥିଲେ ।[୬]


ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶରେ ଅନୁଷ୍ଠିତ ୨୦୧୧ ବିଶ୍ୱକପ, ଓ ୨୦୧୩ରେ ସଚିନ ତେନ୍ଦୁଲକରଙ୍କର ଅନ୍ତିମ ମ୍ୟାଚରେ ଅନ୍ତିମ ସାକ୍ଷାତକାର ଇତ୍ୟାଦି ତାଙ୍କଦ୍ୱାରା ଉପସ୍ଥାପିତ କିଛି ପ୍ରମୁଖ କ୍ରିକେଟ ମୁହୁର୍ତ୍ତ ଅଟେ ।[୭] ୨୦୧୫ରୁ, ଭୋଗଲେ ଷ୍ଟାର୍ ସ୍ପୋର୍ଟସରେ ପ୍ରସାରିତ "ଦିସ ଉଇକସ ସ୍ପେସିଆଲ" ନାମକ ଏକ ସାପ୍ତାହିକ କାର୍ଯ୍ୟକ୍ରମ ଉପସ୍ଥାପନା ଆରମ୍ଭ କରିଥିଲେ । ୧୦ ଏପ୍ରିଲ ୨୦୧୬ରେ ବିସିସିଆଇ ତାଙ୍କର ଆଇପିଏଲ ଚୁକ୍ତିନାମା ରଦ୍ଦ କରିଥିଲା । ଏହି ନିଷ୍ପତ୍ତି ହର୍ଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା କାରଣ ସେ ସେଇ ସିଜନର ଖେଳାଳୀ ନିଲାମ ପରିଚାଳନା କରିଥିଲେ । ତାଙ୍କ ନାମ ଆଇପିଏଲର ୫୧ଦିନିଆ ଡ୍ୟୁଟି ରୋଷ୍ଟରରେ ରହିଥିଲା ଏବଂ ଏପରିକି ତାଙ୍କର ବିମାନ ବୁକିଂ ମଧ୍ୟ ସରିଥିଲା । ସେ ୨୦୧୬ଠାରୁ ଟାଇମ୍ସ ଗ୍ରୁପର ସହାୟକ 'କ୍ରିକବଜ'ର ଏକ ଅଂଶ ରହିଆସିଛନ୍ତି ଏବଂ ଏହି ପତ୍ରିକାରେ ସେ ଭିଡିଓ ସମୀକ୍ଷା କରିବା ସହିତ ପ୍ରବନ୍ଧ ମଧ୍ୟ ଲେଖନ୍ତି ।[୮] ଭୋଗଲେ ବର୍ତ୍ତମାନ ଆଇଆଇଏମ ଉଦୟପୁରର ପରିଚାଳନା ସମିତିର ଜଣେ ସଭ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ଆଇସିସି ବିଶ୍ୱକପର ୨୪ଜଣ ଭାଷ୍ୟକାରଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ।

ରଚନାବଳୀ[ସମ୍ପାଦନା]

ସେ ଏବଂ ତାଙ୍କ ପତ୍ନୀ ଅନୀତା ଭୋଗଲେ ଖେଳ ଜଗତରୁ ଆହରିତ ବ୍ୟବସାୟିକ ଜ୍ଞାନକୁ ଆଧାର କରି ''ଦି ୱିନିଂ ୱେ'' ନାମକ ଏକ ପୁସ୍ତକ ଲେଖିଛନ୍ତି ।[୯] ସେ ମହମ୍ମଦ ଅଜହରୁଦ୍ଦିନଙ୍କ ଜୀବନୀ ମଧ୍ୟ ଲେଖିଛନ୍ତି ।[୧୦] ତାଙ୍କର ପ୍ରବନ୍ଧଗୁଡ଼ିକର ସଂଗ୍ରହ ଆଉଟ୍ ଅଫ୍ ଦି ବକ୍ସ ନାମକ ଏକ ପୁସ୍ତକରେ ପ୍ରକାଶିତ ହୋଇଛି ।[୧୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ହର୍ଷ, ତାଙ୍କ ଆଇଆଇଏମ ଅହମଦାବାଦର ସହପାଠୀ ଅନୀତାଙ୍କୁ ବିବାହ କରିଛନ୍ତି ।[୧୨] ତାଙ୍କର ଚିନ୍ମୟ ଓ ସଚିତ ନାମରେ ଦୁଇଟି ପୁଅ ଅଛନ୍ତି । ସେମାନେ ମୁମ୍ବାଇରେ ବସବାସ କରନ୍ତି ।[୧୩] ଏହି ଦମ୍ପତିଙ୍କର ପ୍ରୋସର୍ଚନାମକ ଏକ କ୍ରୀଡା ଭିତ୍ତିକ କନସଲଟାନ୍ସୀ କମ୍ପାନୀ ମଧ୍ୟ ଅଛି ।[୧୪]

ଆଧାର[ସମ୍ପାଦନା]

  1. Sai Teja Thumuluru (9 November 2018). Voice of Cricket: An Harsha Bhogle Biography. Independently Published. ISBN 978-1-73107-298-6.
  2. "Board of Governers". www.iimu.ac.in. IIM Udaipur. Retrieved 20 July 2020.
  3. "Happy Birthday, Harsha Bhogle! A chemical engineer who became 'Voice of Cricket'". www.thestatesman.com. The Statesman. Retrieved 20 July 2020.
  4. "Indian Cricket Commentators | Cricket Tweets, Blogs – Official Website Harsha Bhogle". Harsha Bhogle (in ଇଂରାଜୀ). 2013-12-16. Retrieved 2018-03-29.
  5. "Bhogle, Shastri, Benaud voted favourite commentators". Cricinfo (in ଇଂରାଜୀ). Retrieved 2018-03-29.
  6. Harsha Bhogle appointed as Mumbai IPL team advisor
  7. Cricbuzz (2016-11-26), Episode 1: The Little Master Bids Goodbye (English version), retrieved 2018-01-17
  8. "Harsha Bhogle's partnership with Cricbuzz hits the 100 million milestone". brandequity.economictimes.indiatimes.com. Economic Times. Retrieved 20 July 2020.
  9. Anita Bhogle; Harsha Bhogle (30 April 2011). The Winning Way. Westland Limited. ISBN 978-93-80658-32-2.
  10. Harsha Bhogle (30 March 2003). Azhar: The Authorized Biography Muhammad Azharuddin. Penguin Books India. ISBN 978-0-14-024595-0.
  11. Harsha Bhogle (2009). Out of the Box: Watching the Game We Love. Express Group. ISBN 978-0-670-08305-3.
  12. Jadhav, Prashant (24 May 2011). "Launch of Harsha Bhogle and wife Anita's book on cricket". DNA India. Retrieved 7 June 2012.
  13. Rajamani, Radhika (31 March 2004). "Shots of life: Catch Harsha Bhogle unplugged over soup and salad". The Hindu. Retrieved 7 June 2012.
  14. "About Us". www.prosearch.in/. www.prosearch.in. Retrieved 20 July 2020.

ବାହ୍ୟ ଆଧାର[ସମ୍ପାଦନା]