ସାମୁଦ୍ରିକ କ୍ରୋନୋମିଟର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସାମୁଦ୍ରିକ କ୍ରୋନୋମିଟର

ସୀମାହୀନ ସମୁଦ୍ର ମଧ୍ୟରେ ଦୀର୍ଘ ଜଳଯାତ୍ରା ସମୟରେ ଜଳଭାଗ ମଧ୍ୟରେ ଜାହାଜର ଅବସ୍ଥିତି, ସମୟ, ଆଦି ଜାଣିବାକୁ ପଡ଼ିଥାଏ । ଜଳଭାଗ ମଧ୍ୟରେ ଜାହାଜର ଅବସ୍ଥିତି ନିରୂପଣ ପାଇଁ ସେହି ସ୍ଥାନଟିର ଅକ୍ଷାଂଶଦ୍ରାଘିମା ଜାଣିବାକୁ ପଡ଼େ । ମଧ୍ୟାହ୍ନ ସମୟରେ ଆକାଶରେ ସୂର୍ଯ୍ୟର ଅବସ୍ଥାନରୁ ସେହି ସ୍ଥାନର ଅକ୍ଷାଂଶ ନିର୍ଣ୍ଣୟ କରାଯାଏ । ମାତ୍ର ସ୍ଥାନର ଦ୍ରାଘ୍ରିମା ନିରୂପଣ କରିବାରେ ବିଶେଷ ଅସୁବିଧା ହୁଏ । ସମୁଦ୍ର ମଧ୍ୟରେ ସବୁ ସ୍ଥାନର ଅବସ୍ଥା ସମାନ ନଥାଏ । ବିଭିନ୍ନ ସ୍ଥାନର ତାପମାତ୍ରା ଓ ଚାପ ସମାନ ନଥାଏ । ତେଣୁ ସାଧାରଣ ଘଣ୍ଟା ଯୋଗେ ଠିକ୍ ସମୟ ପାଇବା ସହଜ ହୁଏ ନାହିଁ । ପୁଣି ଜାହାଜଟି ଜଳଭାଗରେ ଗତି କରୁଥିବାରୁ ପ୍ରତିମୂହୁର୍ତ୍ତର୍ରେ ସ୍ଥାନୀୟ ସମୟ ବଦଳୁଥାଏ । ଏଥିପାଇଁ ଆଗେ ଜଳଯାତ୍ରା ସମୟରେ ବହୁ ଅସୁବିଧା ହେଉଥିଲା । ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରକା ଆଦିର ଅବସ୍ଥିତିକୁ ଲକ୍ଷ୍ୟ କରି ସେତେବେଳେ ଜଳଯାତ୍ରା କରାଯାଉଥିଲା । ମାତ୍ର ଏଥିରୁ ନିର୍ଭୁଲ ତଥ୍ୟ ମିଳୁନଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ପୃଥିବୀର ବହୁ ଦେଶ ବୈଜ୍ଞାନିକମାନେ ଚେଷ୍ଟା ଆରମ୍ଭ କରିଥିଲେ ।

ଇଂରେଜ ସରକାର ୧୭୧୨ ମସିହାରେ ୨୦,୦୦୦ ଡଲାର ମୂଲ୍ୟର ଗୋଟିଏ ପୁରସ୍କାର ଘୋଷଣା କରିଥିଲେ । ସମୁଦ୍ର ମଧ୍ୟରେ ନିର୍ଭୁଲ ଦ୍ରାଘିମା ନିରୂପଣ କରିବା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଇଂଲଣ୍ଡର ୟର୍କସାୟାର ଅଞ୍ଚଳର ଜଣେ ବଢ଼େଇ ଏଥିପାଇଁ ଆଗେଇ ଆସିଲେ । ସେ ଥିଲେ ଜନ ହାରିସନ । ସେ ପ୍ରଥମେ ୧୭୩୦ ମସିହାରେ ଏଚ୧ (H1) ନାମରେ ଗୋଟିଏ କ୍ରୋନୋମିଟର ତିଆରି କରିଥିଲେ । ମାତ୍ର ସେଥିରେ ନିର୍ଭୁଲ ସମୟ ମିଳିପାରୁନଥିଲା ଏହା ପରେ ପରେ ସେ ଆଉ ଦୁଇଟି ଉନ୍ନତ କ୍ରୋନୋମିଟର ତିଆରି କରିଥିଲେ । ତାହାକୁ ମଧ୍ୟ କେହି ଗ୍ରହଣ କଲେ ନାହିଁ । ୧୭୬୧ ମସିହାରେ ସେ ଏଚ୪ ନାମରେ ଗୋଟିଏ ଛୋଟ ଓ ଉନ୍ନତ କ୍ରୋନୋମିଟର ବାହାର କରିଥିଲେ । ଏହାର ସମୟ ମାପ ନିର୍ଭୁଲ ଥିଲା । ତାଙ୍କର ଦୀର୍ଘ ୮୧ ଦିନର ଜଳଯାତ୍ରା ମଧ୍ୟରେ ଏହି କ୍ରୋନୋମିଟରଟିରେ ମାତ୍ର ୫ ସେକେଣ୍ଡ ଭୁଲ ବାହାରିଥିଲା । ସେଥିପାଇଁ ସେ ବର୍ଷ ହାରିସନଙ୍କୁ ଇଂରେଜ ସରକାର ୨୦,୦୦୦ ଡଲାର ଅର୍ଥ ପୁରସ୍କାର ଦେଇଥିଲେ । କ୍ରୋନୋମିଟରର ଇତିହାସ ସମ୍ପର୍କରେ ମନେ ପକାଇବା ବେଳେ ସମସ୍ତେ ହାରିସନଙ୍କ ୩୧ ବର୍ଷର ପରିଶ୍ରମକୁ ମନେ ପକାନ୍ତି । ଏହାପରେ ୧୭୭୨ ମସିହାରେ ସେ ଏଚ୫ ନାମରେ ଆଉ ଗୋଟିଏ କ୍ରୋନୋମିଟର ବାହାର କରିଥିଲେ ।

କ୍ରୋନୋମିଟର ଚାବିଦିଆ ଘଡ଼ିଠାରୁ ଟିକିଏ ବଡ଼ ହୋଇଥାଏ । ପ୍ରତ୍ୟେକ କ୍ରୋନୋମିଟରକୁ ସ୍ବିଜରଲାଣ୍ଡର ଉଙଉଝ ସଂସ୍ଥା ତରଫରୁ ସ୍ବୀକୃତି ମିଳିଥାଏ । ସାଧାରଣ ଘଣ୍ଟା ପରି ସ୍ଥାନ ଅନୁସାରେ ସମୟ ବଦଳି ନ ଯିବା ପାଇଁ ଏଥିରେ ସମସ୍ତ ବ୍ୟବସ୍ଥା ରହିଥାଏ । ତାପମାତ୍ରା ଓ ଚାପର ପ୍ରଭାବରୁ ମଧ୍ୟ ଏହାକୁ ମୁକ୍ତ ରଖାଯାଇଥାଏ । ପୂର୍ବେ ଜଳଯାତ୍ରା ସମୟରେ କ୍ରୋନୋମିଟରର ଆବଶ୍ୟକତା ଯଥେଷ୍ଟ ଥିଲା । ମାତ୍ର ପରେ ସମଗ୍ର ପୃଥିବୀରେ ରେଡ଼ିଓ ଯୋଗେ ନିର୍ଭୁଲ ସମୟ ପ୍ରଚାର କରାଯିବାରୁ ଏହାର ଗୁରୁତ୍ୱ କମିଗଲା । ୧୯୬୦ ମସିହା ପରଠାରୁ ଜଳଯାତ୍ରା ସମୟରେ କୃତ୍ରିମ ଉପଗ୍ରହ ଗୁଡ଼ିକର ସାହାଯ୍ୟ ନିଆଯାଉଛି ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]