ସରସ୍ବତୀ ନଦୀ

ଉଇକିପିଡ଼ିଆ ରୁ
(ସରସ୍ଵତୀ ନଦୀ ରୁ ଲେଉଟି ଆସିଛି)
Jump to navigation Jump to search

ଋକବେଦରେ ବର୍ଣ୍ଣିତ ନଦୀମାନଙ୍କ ମଧ୍ୟରୁ ସରସ୍ବତୀ ନଦୀ ଅନ୍ୟତମ । ହିନ୍ଦୁଧର୍ମର ଅନେକ ଶାସ୍ତ୍ରରେ ଏହି ନଦୀର ଉଲ୍ଲେଖ ରହିଛି । ଋକବେଦର ରଚନା ବୈଦିକ ସଂସ୍କୃତ ଭାଷାରେ କରାଯାଇଛି ଏବଂ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ସହସ୍ରାବ୍ଦ ସମୟରେ ସରସ୍ବତୀ ନଦୀତଟରେ ବସବାସ କରୁଥିବା ଲୋକେ ଋକବେଦର କିଛି ଅଂଶର ରଚନା କରିଛନ୍ତି ବୋଲି ବିଶ୍ବାସ କରାଯାଏ । [୧]ହିନ୍ଦୁ ଧର୍ମରେ ବିଦ୍ୟା, ଜ୍ଞାନ ଓ ବାକ୍ର ଦେବୀ ସରସ୍ବତୀ, ପ୍ରଥମେ ଏହି ନଦୀରୂପକ ଦେବୀଭାବେ ଉଭା ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଦ୍ୟା ଓ ଭାଷାର ଦେବୀ ଭାବେ ପରିଚିତା ହେଲେ ।   

ଋକବେଦର ନଦୀସ୍ତୁତି ଶୁକ୍ତ ଅନୁସାରେ ଯମୁନା ଓ ଶତଦ୍ରୁ ନଦୀ ମଧ୍ୟରେ ସରସ୍ବତୀ ପ୍ରବାହିତ ହେବା କଥା ଉଲ୍ଲେଖ କରିଛି ।  କିନ୍ତୁ ଏହା ପରବର୍ତ୍ତୀ ସମୟରେ ରଚିତ ତାଣ୍ଡ୍ୟ ବ୍ରହ୍ମଣ, ଜୈମିନୀୟ ବ୍ରହ୍ମଣ, ମହାଭାରତ ଆଦିରେ ସରସ୍ବତୀ ନଦୀ ଶୁଷ୍କ ମରୁରେ ପାତାଳଗାମୀ ହେବାର ଉଲ୍ଲେଖ ରହିଛି । ଆକାଶ ଗଙ୍ଗାର ଏକ ନକ୍ଷତ୍ର ସଂରଚନାକୁ ସରସ୍ବତୀ ବୋଲି କୁହାଯାଏ । ଗଙ୍ଗା ଓ ଯମୁନା ନଦୀର ସଙ୍ଗମସ୍ଥଳ ତ୍ରିବେଣୀରେ ସରସ୍ବତୀ ମଧ୍ୟ ସମ୍ମିଳିତ ହୋଇଛି  ବୋଲି ବିଶ୍ବାସ କରାଯାଏ । 

ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବିଭିନ୍ନ ଗବେଷଣାର ଆଧାରରେ ଘଗ୍ଗର୍-ହାକ୍ରା ନଦୀ ହିଁ ବୈଦିକ ସରସ୍ବତୀ ବୋଲି କେତେକ ଗବେଷକ ନିରୂପିତ କରିଛନ୍ତି ।[୨] ଏହି ନଦୀ ଉତ୍ତର-ପୂର୍ବ ଭାରତରେ ପ୍ରବାହିତ ହୋଇ ପୂର୍ବ ପାକିସ୍ଥାନରେ ପ୍ରବେଶ କରିଛି । ସିନ୍ଧୁ ସଭ୍ୟତାର ଅନେକ ମହତ୍ତ୍ବପୂର୍ଣ୍ଣ ସହର ଯଥା ରାଜସ୍ଥାନର କାଳିବଙ୍ଗନ୍, ହରିଆଣାର ବନୱାଳି ଓ ରାଖିଗ୍ରାହୀ, ଗୁଜରାଟର ଢୋଲାଭିରା ଓ ଲୋଥାଲ୍ ଘଗ୍ଗର ନଦୀର କୂଳରେ ଗଢ଼ି ଉଠିଥିଲେ ।[୩][୪] ଅନ୍ୟ କିଛି ଗବେଷକଙ୍କ ମତରେ ଦକ୍ଷିଣ ଆଫଗାନିସ୍ଥାନର ହେଲମାଣ୍ଡ ନଦୀ ବେଦରେ ବର୍ଣ୍ଣିତ ସରସ୍ବତୀ ନଦୀ । [୫]

ଆଧୁନିକ ଭୂ-ଭୌତିକ ଗବେଷଣା ଅନୁସାରେ ଘଗ୍ଗର-ହାକ୍ରା ହିମାଳୟରୁ ଜାତ ନଦୀ ନୁହେଁ ବରଂ ଅନେକ କ୍ଷୁଦ୍ର କ୍ଷୁଦ୍ର ବର୍ଷା ପ୍ଳାବିତ ନଦୀର ଜଳଦ୍ବାରା ପରିପୁଷ୍ଟ ।[୬] ଆହୁରି ମଧ୍ୟ, ପାକିସ୍ଥାନର ଚୋଲିସ୍ଥାନ ମରୁଭୂମିରେ ଅନେକ ସ୍ଥାନରେ ଘଗ୍ଗର-ହାକ୍ରା ନଦୀର ପଥରେ ଶୁଷ୍କ ସ୍ରୋତମାନଙ୍କର ସନ୍ଧାନ ମିଳିଛି । ଏମାନଙ୍କ ମୃତ୍ତିକା ଅବଶେଷ ଯମୁନା ନଦୀ, ବେଆସ୍ ନଦୀ ବା ଶତଦ୍ରୁ ନଦୀ ସହ ତୁଳନୀୟ ।[୭] ଏହି କାରଣରୁ ପ୍ରାୟ ଖ୍ରୀଷ୍ଟପୂର୍ବ ୪୭,୦୦୦ରୁ ନେଇ ଖ୍ରୀଷ୍ଟପୂର୍ବ ୧୦,୦୦୦ ମଧ୍ୟରେ ଯମୁନା ନଦୀର ଏକ ମୁଖ୍ୟ ଧାରା ଘଗ୍ଶର ନଦୀଶଯ୍ୟାରେ ପଶ୍ଚିମାଭିମୁଖୀ ହୋଇ ଆରବ ସାଗରରେ ନିଷ୍କାସିତ ହେଉଥିଲା ବୋଲି ଅନୁମାନ କରାଯାଉଛି । 

ସରସ୍ବତୀ ନାମକରଣର ସମ୍ଭାବ୍ୟ କାରଣ[ସମ୍ପାଦନା]

ସରସ୍ବତୀଙ୍କ ନାମ ବିଷୟରେ କରାଯାଇଥିବା ବିଭିନ୍ନ ବିବେଚନା 

୧. ଋକବେଦରେ ଦିବ୍ୟଜଳର ଧାରକ ପାଇଁ ଉଦ୍ଦିଷ୍ଟ ବିଶେଷଣ ସରସ୍ବନ୍ତ ଶବ୍ଦର ସ୍ତ୍ରୀ-ଲିଙ୍ଗ ଶବ୍ଦ[୮]

୨. ଯେ ଅନେକ ସର (ପୋଖରୀ ବା ହ୍ରଦ) ବିଶିଷ୍ଟା

୩. ଇରାନୀ ହରକ୍ସତୀ ଶବ୍ଦରୁ ସରସ୍ବତୀ ଶବ୍ଦର ଉତ୍ପତ୍ତି ବୋଲି କେତେକ ମତ ପୋଷଣ କରିଛନ୍ତି । 

ହିନ୍ଦୁ ଧର୍ମ ଓ ବୈଦିକ ସାହିତ୍ୟରେ ସରସ୍ବତୀ[ସମ୍ପାଦନା]

ସରସ୍ବତୀ ନଦୀ ଓ ଦୃଶଦ୍ବତୀ ନଦୀମାନଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳ ବ୍ରହ୍ମାବର୍ତ୍ତ ନାମରେ ଖ୍ୟାତ ଥିଲା ।[୯] ଏହି ନଦୀକୂଳରେ ବସବାସ କରୁଥିବା ମହାନ ଋଷିମାନଙ୍କଦ୍ବାରା ସଂସ୍କୃତ ଭାଷାର ଜନ୍ମ, ମନୁସ୍ମୃତି, ଋକବେଦ ଓ ଅନେକ ଉପନିଶଦର ରଚନା ହୋଇଥିଲା ।[୧୦] 

ଋକବେଦ[ସମ୍ପାଦନା]

ଋକବେଦରେ ସରସ୍ବତୀ ନଦୀକୁ ମାତା, ମହାମାତା, ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ବିଶୁଦ୍ଧକାରିଣୀ/ପାପନାଶିନୀ,  ଆଦି ବିଭିନ୍ନ ପ୍ରଶଂସାସୂଚକ ଶବ୍ଦରେ ମଣ୍ଡିତ କରାଯାଇଛି । ନଦୀସ୍ତୁତି ଶୁକ୍ତରେ ସିନ୍ଧୁ ନଦୀକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଅନ୍ୟ କେତେକ ଶ୍ଳୋକରେ ସରସ୍ବତୀ ନଦୀକୁ ଗୋମାତା ସହିତ ତୁଳନା କରାଯାଇଛି । ଋକବେଦରେ ପ୍ରାୟ ୫୦ଟି ଶ୍ଳୋକରେ ସରସ୍ବତୀ ଶବ୍ଦର ଉପଯୋଗ କରାଯାଇଛି । କେବଳ ଦୁଇଟି ଶ୍ଳୋକରେ ଏହା ନଦୀ ଅର୍ଥରେ ପ୍ରୟୋଗ କରାଯାଇଛି । ଅନ୍ୟ ସମସ୍ତ ଶ୍ଳୋକରେ ସରସ୍ବତୀଙ୍କୁ ଦେବୀଭାବେ ଆହ୍ବାନ କରାଯାଇଛି । ଋକବେଦରେ ଉଲ୍ଲିଖିତ ଅନ୍ୟ କେତେକ ବର୍ଣ୍ଣନା ହେଲା:

- ଦିବ୍ୟନଦୀ ରୂପେ ସରସ୍ବତୀଙ୍କ ଜନ୍ମ

- ଇନ୍ଦ୍ର ସୋମରସ ପାନ କଲା ବେଳେ ସରସ୍ବତୀଙ୍କଦ୍ବାରା ଶୁଦ୍ଧିଲାଭ କରିବାର ଉପମା

- ପୂର୍ବପୁରୁଷଙ୍କ ଦେବୀ ଭାବେ ସରସ୍ବତୀଙ୍କୁ ବର୍ଣ୍ଣନା କରିବା

- ସରସ୍ବତୀ ବୁଦ୍ଧି, ପୁଣ୍ୟ ବିଚାର ଓ ଭାବନା ପ୍ରଦାନ କରିବା[୧୧]

ବୈଦିକ କାଳରେ ସରସ୍ବତୀଙ୍କୁ ନଦୀର ଦେବୀ ଭାବେ ଅଭିହିତ କରାଯାଇଥିବା ବେଳେ ପୁରାଣମାନଙ୍କରେ ନଦୀ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା ପରି ଅନୁଭୂତ ହୁଏ । କିନ୍ତୁ ପୁରାଣଗୁଡିକରେ ସରସ୍ବତୀ ସଙ୍ଗୀତ, କଳା, ବୁଦ୍ଧି ଓ ଜ୍ଞାନର ଦେବୀଭାବେ ଉଭା ହୋଇଛନ୍ତି ।  କେତେକ ବ୍ରହ୍ମଣରେ ସରସ୍ବତୀଙ୍କୁ ବାଗ୍-ଦେବୀ ନାମରେ ଅଭିହିତ କରାଯାଇଛି । ଦୁଇଟି ଭିନ୍ନ ଦେବୀଙ୍କୁ ‍‌‍‌(ଜଣେ ନଦୀର ଦେବୀ ଓ ଅନ୍ୟଜଣେ ଭାଷା ଓ ବୁଦ୍ଧିର ଦେବୀ) ସମ୍ମିଳିତ କରି ପରବର୍ତ୍ତୀ ସମୟରେ ଦେବୀ ସରସ୍ବତୀ କୁହାଗଲା ବୋଲି ମଧ୍ୟ କେତେକ ଅନୁମାନ କରନ୍ତି ।

ଅନ୍ୟାନ୍ୟ ବୈଦିକ ବର୍ଣ୍ଣନା[ସମ୍ପାଦନା]

ପର-ବୈଦିକ କାଳର ସାହିତ୍ୟରେ ସରସ୍ବତୀ ନଦୀର ଉଭାନ ହେବା ବିଷୟ ସ୍ଥାନ ପାଇଛି । ସରସ୍ବତୀ ନଦୀର ଉତ୍ପତ୍ତି ପ୍ଳାକ୍ଷ ପ୍ରସ୍ରବଣରୁ ବୋଲି କୁହାଯାଇଛି । ଯଜୁର୍ବେଦର ଏକ ଅଧ୍ୟାୟରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ ଦୃଶଦ୍ବତୀ, ଶତଦୃ, ଚନ୍ଦ୍ରଭାଗା (ଚେନାବ୍), ବିପାଶା (ବେଆସ୍ ନଦୀ) ଓ ଈରାବତୀ (ରାଭି ନଦୀ) ପ୍ରବାହିତ ହୋଇ ସରସ୍ବତୀ ନଦୀସହିତ ସମ୍ମିଳିତ ହୁଅନ୍ତି । ତେଣୁ ଏଠାରେ ସରସ୍ବତୀ ନଦୀକୁ ସିନ୍ଧୁ ନଦୀ ସହ ତୁଳନା କଲାପରି ମନେ ହୁଏ । ଜୈମିନୀୟ ବ୍ରହ୍ମଣ ସରସ୍ବତୀ ନଦୀର ଉପମଜ୍ଜନ (ପାତାଳକୁ ଲମ୍ଫ ହେବା) ଓ ତାଣ୍ଡ୍ୟ ବ୍ରହ୍ମଣ ସରସ୍ବତୀ ନଦୀର ବିନାଶନ (ଅଦୃଶ୍ୟ ହୋଇଯିବା) କଥା ଉଲ୍ଲେଖ କରିଛନ୍ତି । ପ୍ଳାକ୍ଷ ପ୍ରସ୍ରବଣ ତଳ ହିମାଳୟର ଏକ ସ୍ରୋତ ବୋଲି ଅନୁମାନ କରାଯାଏ ।  ନଦୀର ଉତ୍ପତ୍ତି ଓ ବିନାଶନ ମଧ୍ୟବର୍ତ୍ତୀ ଦୂରତା ପ୍ରାୟ ୪୪ ଅଶ୍ବୀନ ବୋଲି ମଧ୍ୟ କୁହାଯାଇଛି ।[୧୨] ବେଦାଙ୍ଗରେ ବିନାଶନ ସ୍ଥଳ ପର୍ଯ୍ୟନ୍ତ ସରସ୍ବତୀକୁ ଚିରସ୍ରୋତା ବୋଲି କୁହାଯାଇଛି । ବିନାଶନ ସ୍ଥଳ ଦୃଶଦ୍ବତୀ ଓ ସରସ୍ବତୀର ମିଳନ ସ୍ଥାନର ପଶ୍ଚିମକୁ ଅଛି ବୋଲି ମଧ୍ୟ କୁହାଯାଇଛି । 

ବେଦର ପରବର୍ତ୍ତୀ ସମୟର ସାହିତ୍ୟରେ ସରସ୍ବତୀଙ୍କ ଉଲ୍ଲେଖ[ସମ୍ପାଦନା]

ମହାଭାରତ କାବ୍ୟ [ସମ୍ପାଦନା]

ଏହି କାବ୍ୟ ଅନୁସାରେ ବିନାଶନ ବା ଅଦର୍ଶନ ସ୍ଥଳରେ ସରସ୍ବତୀ ଅଦୃଶ୍ୟ ହୋଇ ଏବଂ ଅଦୃଶ୍ୟ ଅବସ୍ଥାରେ ସାଗରରେ ସମ୍ମିଳିତ ହୁଅନ୍ତି ବୋଲି କୁହାଯାଇଛି ।[୧୩][୧୪][୧୫] କୁରୁରାଜ୍ୟ ସରସ୍ବତୀର ଦକ୍ଷିଣ ଓ ଦୃଶଦ୍ବତୀର ଉତ୍ତର କୂଳ ମଧ୍ୟରେ ଅବସ୍ଥିତ ବୋଲି ମଧ୍ୟ କୁହାଯାଇଛି । ମହାଭାରତରେ ବର୍ଣ୍ଣିତ ଭୌଗୋଳିକ ବ୍ୟାଖ୍ୟା ସହ ଘଗ୍ଗର ନଦୀର ଶୁସ୍କ ନଦୀଶଯ୍ୟା ମଧ୍ୟରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ବଳରାମ ନିଜ ତୀର୍ଥଯାତ୍ରାରେ ବାହାରି ସରସ୍ବତୀ ନଦୀର କୂଳେ କୂଳେ ଦ୍ବାରକାରୁ ମଥୁରା ପର୍ଯ୍ୟନ୍ତ ଭ୍ରମଣ କରିଥିଲେ ।[୧୬][୧୭][୧୮][୧୯]

ପୁରାଣ [ସମ୍ପାଦନା]

ପୁରାଣମାନଙ୍କରେ ସରସ୍ବତୀ ନଦୀ ଅନେକ ହ୍ରଦ (ସରସ)ରେ ବିଖଣ୍ଡିତ ହେବା ବିଷୟ ଉଲ୍ଲିଖିତ ଅଛି ।[୨୦] ସ୍କନ୍ଦ ପୁରାଣରେ କଥିତ ଅଛି ଯେ ସରସ୍ବତୀ ବ୍ରହ୍ମାଙ୍କ କମଣ୍ଡଳୁରୁ ଜାତ ହୋଇ ହିମାଳୟର ପ୍ଳାକ୍ଷ ପ୍ରସ୍ରବଣ ହୋଇ ପ୍ରବାହିତ ହୁଏ ।[୨୧] କେଦାର ନିକଟରେ ଏହା ପଶ୍ଚିମ ଦିଗକୁ ବୁଲିଯାଇଛି ଓ ପରେ ଅଦୃଶ୍ୟ ହୋଇଯାଇଛି । ଏଥିରେ ସରସ୍ବତୀଙ୍କୁ ବ୍ରହ୍ମାଙ୍କ ସହଚରୀ ବ୍ରାହ୍ମୀଙ୍କର ଅବତାର ବୋଲି ମଧ୍ୟ କୁହାଯାଇଛି । ବାମନ ପୁରାଣ ଅନୁସାରେ ସରସ୍ବତୀଙ୍କ ଉତ୍ପତ୍ତି ପ୍ଳାକ୍ଷ ବୃକ୍ଷ ବା ପିପ୍ପଳ ଗଛରୁ ହୋଇଛି । ପଦ୍ମ ପୁରାଣ ଅନୁସାରେ ଗଙ୍ଗା, ଯମୁନା ଓ ସରସ୍ବତୀର ସଙ୍ଗମ ସ୍ଥାନରେ ସ୍ନାନ କଲେ ଓ ଏହାର ଜଳ ପାନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ । । 

ସ୍ମୃତି[ସମ୍ପାଦନା]

ମନୁସ୍ମୃତି ଅନୁଯାୟୀ ପ୍ରଳୟରୁ ମନୁ ଋଷି ନିଜ ଜୀବନ ରକ୍ଷା କଲେ ଓ ସରସ୍ବତୀ ଏବଂ ଦୃଶଦ୍ବତୀ ନଦୀକୂଳରେ ବୈଦିକ ସଭ୍ୟତାର ସ୍ଥାପନା କଲେ ।[୨୨] ସରସ୍ବତୀ ନଦୀ, ଦେବମାନଙ୍କଦ୍ବାରା ନିର୍ମିତ ବ୍ରହ୍ମାବର୍ତ୍ତର ପଶ୍ଚିମ ସୀମା ଥିଲା । ବଶିଷ୍ଠ ଧର୍ମ ସୂତ୍ରରେ ସରସ୍ବତୀର ବିନାଶନର ପୂର୍ବ ଦିଗରେ, କାଳକବଣର ପଶ୍ଚିମରେ, ପାରିଜାତ ଓ ବିନ୍ଧ୍ୟ ପର୍ବତର ଉତ୍ତରରେ ଏବଂ ହିମାଳୟର ଦକ୍ଷିଣରେ ଆର୍ଯ୍ୟାବର୍ତ୍ତର ଭୌଗୋଳିକ ଅବସ୍ଥିତି ବୋଲି କୁହାଯାଇଛି । ବୌଦ୍ଧାୟନ ଧର୍ମସୂତ୍ର ଓ ପତଞ୍ଜଳିଙ୍କ ଲିଖିତ ମହାଭାଷ୍ୟରେ ମଧ୍ୟ ଆର୍ଯ୍ୟାବର୍ତ୍ତର ଅନୁରୂପ ବ୍ୟାଖ୍ୟା ରହିଛି । 

ସମକାଳୀନ ଧାର୍ମିକ ଓ ରାଜନୈତିକ ମତ[ସମ୍ପାଦନା]

ଡାଏନା ଏକ୍କଙ୍କ ମତ ଅନୁସାରେ ତ୍ରିବେଣୀ ପରି ଭାରତରେ ଯେକୌଣସି ଦୁଇଟି ନଦୀର ସଙ୍ଗମସ୍ଥଳରେ ସରସ୍ବତୀଙ୍କ ସାଙ୍କେତିକ ଉପସ୍ଥିତି ଏହି ନଦୀର ପ୍ରଭାବ ଓ ମହତ୍ତ୍ୱକୁ ପରିବର୍ଦ୍ଧିତ କରିଛି । ଅଦୃଶ୍ୟ ତୃତୀୟ ନଦୀ ସରସ୍ବତୀ ଯୋଗୁଁ ସବୁ ସଙ୍ଗମର ଜଳ ଅତି ପବିତ୍ର । ସୋମନାଥ ନିକଟରେ ହିରଣ୍ୟ ଓ କପିଳ ନଦୀର ସଙ୍ଗମସ୍ଥଳରେ ଅଦୃଶ୍ୟ ସରସ୍ବତୀଙ୍କ ଯୋଗୁଁ ଏହି ସ୍ଥାନ ମଧ୍ୟ ତ୍ରିବେଣୀ ଭାବେ ପରିଚିତ । ଭାରତ ବର୍ଷରେ ଏହିଭଳି ଅନେକ ଦୁଇଟି ନଦୀର ସଙ୍ଗମସ୍ଥାନ ତ୍ରିବେଣୀ ପରି ପବିତ୍ର । ବୈଦିକ ସରସ୍ବତୀ ନଦୀର ଶଯ୍ୟା ଶୁଷ୍କ ହୋଇଯିବା ପରେ ଅନେକ ପୌରାଣିକ ଲୋକକଥାର ପରିକଳ୍ପନା ହୋଇଛି । ସରସ୍ବତୀ ନଦୀ ମରୁସ୍ଥଳୀରେ ଅଦୃଶ୍ୟ ହୋଇ ବିଭିନ୍ନ ଜାଗାରେ ପୁନରୁଦ୍ଭବ ହୋଇଛି । ପ୍ରତି ୧୨ ବର୍ଷରେ ତ୍ରିବେଣୀରେ କୁମ୍ଭମେଳା ଏହି ପରମ୍ପରାକୁ ଉଦ୍ଜୀବିତ ରଖିଛି ।[୨୩][୨୪][୨୫] ବ୍ରହ୍ମାଙ୍କ କମଣ୍ଡଳୁରୁ ସରସ୍ବତୀଙ୍କ ଜନ୍ମ, କୃଷ୍ଣଙ୍କ ଯମୁନା ନଦୀ କୂଳରେ ଲୀଳା ଓ ପୃଥିବୀରେ ଅବତରଣ ସମୟରେ ଶିବଙ୍କ ଜଟାରେ ଗଙ୍ଗା ବଦ୍ଧ ହେବା - ଏହି ତିନୋଟି ନଦୀଙ୍କର ହିନ୍ଦୁ ତ୍ରିମୁର୍ତ୍ତିଙ୍କ ସହିତ ସମ୍ପର୍କ ଏମାନଙ୍କ କୂଳରେ ହେଉଥିବା ଧାର୍ମିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହୋଇଛି ।[୨୬] 

ଐତିହାସିକା ଓ ଲେଖିକା ରୋମିଲା ଥାପରଙ୍କ ମତରେ ଏକ ନଦୀ ପୌରାଣିକ ଆଖ୍ୟା ପାଇଲା ପରେ ଏହାର ନାମ ଅନେକ ନଦୀରେ ପ୍ରତିବିମ୍ବିତ ହୁଏ । ବୈଦିକ ସରସ୍ବତୀକୁ ଅନୁସରଣ କରି ବର୍ତ୍ତମାନ ଭାରତ ବର୍ଷରେ ଅନେକ ନଦୀର ନାମ ରଖାଯାଇଛି ।[୨୭] 

- ଅମ୍ବାଲା ଜିଲ୍ଲାରେ ପ୍ରବାହିତ ସରସୁତି ଶାତରଣା ପାଖରେ ଘଗ୍ଗର ନଦୀ ସହିତ ମିଳିତ ହୁଏ । ହନୁମାନଗଡ ପାଖରେ ନୈୱାଲ ନାଳ ଓ ସୁରତଗଡ ପାଖରେ ଦୃଶଦ୍ବତୀ ନଦୀ (ଚୌତାଙ୍ଗ ନଦୀ) ଘଗ୍ଗର ନଦୀ ସହିତ ମିଳିତ ହୁଏ । 

- ଆରାବଳୀ ପ୍ରବତଶ୍ରେଣୀରୁ ଉଦ୍ଗତ, ସିଦ୍ଧପୁର ଓ ପଟଣ ଦେଇ କଚ୍ଛକୁ ପ୍ରବାହିତ ଏକ ନଦୀର ନାମ ମଧ୍ୟ ସରସ୍ବତୀ । 

- ବଦ୍ରିନାଥରୁ ବାହାରିଥିବା ଅଳକାନନ୍ଦାର ଏକ ଉପନଦୀର ନାମ ମଧ୍ୟ ସରସ୍ବତୀ । 

- ହୁଗୁଳି ନଦୀର ଏକ ଶାଖା ନଦୀର ନାମ ସରସ୍ବତୀ ଯାହା ଅନେକ ବର୍ଷ ପୂର୍ବରୁ ଶୁଷ୍କ ହୋଇଗଲାଣି ।  

ସରସ୍ବତୀ ନଦୀର ଶଯ୍ୟାତ୍ୟାଗ ଓ ଆର୍ଯ୍ୟମାନଙ୍କ ଭାରତ ଆଗମନ [ସମ୍ପାଦନା]

ବେଦ ଓ ପୁରାଣରେ ଲିଖିତ ସରସ୍ବତୀ ନଦୀର ଶୁଷ୍କ ହେବା ଓ ପାତାଳରେ ନିମଗ୍ନ ହେବାକୁ ଅନୁଶୀଳନ କରି ହରପ୍ପା ସଭ୍ୟତାର ସମୟ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରାଯାଇଛି ।[୨୩] କେତେକଙ୍କ ମତରେ ଘଗ୍ଗର-ହାକ୍ରା ନଦୀ ହିଁ ସରସ୍ବତୀ ନଦୀ । ମିଶେଲ୍ ଡାନିନୋଙ୍କ ମତରେ ବେଦର ରଚନା ଖ୍ରୀଷ୍ଟପୂର୍ବ ତୃତୀୟ ସହସ୍ରାବ୍ଦର ଶେଷ ଭାଗରେ ହୋଇଥିଲା । ତେଣୁ ଖ୍ରୀଷ୍ଟପୂର୍ବ ୧୫୦୦ରେ ଆର୍ଯ୍ୟ ଜାତିର ସ୍ଥାନାନ୍ତରଣ ଓ ଭାରତ ଆଗମନ ବିଶ୍ବାସଯୋଗ୍ୟ ନୁହେଁ । ଡାନିନୋ ଋକବେଦରେ ଉଲ୍ଲେଖ ହୋଇଥିବା ତଥ୍ୟକୁ ବିଶ୍ବାସ କରି କହିଛନ୍ତି ଯେ ଖ୍ରୀଷ୍ଟପୂର୍ବ ତୃତୀୟ ସହସ୍ରାବ୍ଦର ଶେଷ ଭାଗରେ ସରସ୍ବତୀ ଶୁଷ୍କ ହେବା ସତ୍ୟ ନ ହୋଇପାରେ । ବରଂ, ବୈଦିକ ସାହିତ୍ୟିକମାନେ ଖ୍ରୀଷ୍ଟପୂର୍ବ ତୃତୀୟ ସହସ୍ରାବ୍ଦ ବେଳକୁ ଉତ୍ତର ଭାରତରେ ରହୁଥିଲେ । ଭାରତୀୟ ପ୍ରତ୍ନତତ୍ତ୍ବବିତ୍ ଏହାର ସମର୍ଥନ କରୁଥିବାବେଳେ ପାଶ୍ଚାତ୍ୟ ପ୍ରତ୍ନତତ୍ତ୍ବବିତ୍ ଏହି ଉପସଂହାରକୁ ଖାରଜ କରିଛନ୍ତି । ଆର୍ଯ୍ୟମାନଙ୍କ ଆକ୍ରମଣରେ ଧ୍ବସ୍ତ ନଗରର ଅନୁପସ୍ଥିତି, ସମଗ୍ର ଅଞ୍ଚଳରେ ଏକ ପ୍ରକାରର ସାଂସ୍କୃତିକ ପରମ୍ପରା, ଖନନରୁ ମିଳିଥିବା ସମସ୍ତ ଖପୁରିରୁ ଯୁଦ୍ଧଜନିତ ମୃତ୍ୟୁ ପ୍ରମାଣିତ ନ ହେବା ଆର୍ଯ୍ୟ ସ୍ଥାନାନ୍ତରଣ କଥାର ବିପରୀତ ପ୍ରମାଣ ଦିଏ । କିନ୍ତୁ ସରସ୍ବତୀ ନଦୀ ସମ୍ବଳିତ କଥା ସବୁ ପଢିଲେ ଜଣାଯାଏ ଯେ ଖ୍ରୀଷ୍ଟପୂର୍ବ ତୃତୀୟ ସହସ୍ରାବ୍ଦରୁ ବୈଦିକ ସଭ୍ୟତା ଭାରତରେ ଉପସ୍ଥିତ ରହିଥିଲା । 

ଆନ୍ନେଟ୍ଟ୍ ୱିଲ୍କେଙ୍କ ମତରେ କାଳକ୍ରମେ ଶୁଷ୍କ ହୋଇଯାଇଥିବା ଐତିହାସିକ ସରସ୍ବତୀ ନଦୀ ବୈଦିକ ସାହିତ୍ୟର ମହାନ ଗ୍ରନ୍ଥଗୁଡିକର ରଚନା ପୂର୍ବରୁ କ୍ଷୀଣସ୍ରୋତା ହୋଇଯାଇଥିଲା । ସେହି କାରଣରୁ ଅନେକ ପର-ବୈଦିକ ସାହିତ୍ୟିକ ରଚନାରେ ସରସ୍ବତୀର ଶୁଷ୍କ ହେବା ବିଷୟ ସ୍ଥାନ ପାଇଛି ଓ ସରସ୍ବତୀଙ୍କୁ ନଦୀ ପରିବର୍ତ୍ତେ ଭାଷାର ଦେବୀ ଭାବେ ଅଭିହିତ କରାଯାଇଛି । ମାଇକେଲ୍ ୱିଟ୍ଜେଲ୍ କୁହନ୍ତି ଯେ ସରସ୍ବତୀ ନଦୀ ତାର ମୁଖ୍ୟ ସ୍ରୋତ ହରାଇବା ଓ  କୌଣସି ଏକ ହ୍ରଦରେ ସମ୍ମିଳିତ ହେବାର ପ୍ରମାଣ ହେଉଛି ଋକବେଦ ।

ସରସ୍ବତୀ ନଦୀର ପୁନରୁଦ୍ଧାର[ସମ୍ପାଦନା]

କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଏହି ହୃତନଦୀକୁ ପୁଣି ଲୋକଲୋଚନକୁ ଆଣିବା ପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି ।[୨୮] ଏହି ଅଞ୍ଚଳର ଗବେଷଣା ଓ ସାଟେଲାଇଟ୍ ଚିତ୍ର ସହାୟତାରେ ଶୁଷ୍କ ନଦୀଶଯ୍ୟାର ନିରୂପଣ ହୋଇପାରିଛି ବୋଲି ହରିଆଣା ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରକାଶ । ଯମୁନା ନଗର ନିକଟବର୍ତ୍ତୀ ଅଞ୍ଚଳରେ ଶୁଷ୍କ ନଦୀଶଯ୍ୟାର ଖନନରୁ ସେଠାରେ ପାଣିର ସନ୍ଧାନ ମିଳିଛି । ସରସ୍ବତୀ ପରମ୍ପରା ବିକାଶ ବୋର୍ଡର ଗଠନ କରାଯାଇଛି । ତା୩୦ ଜୁଲାଇ ୨୦୧୬ରିଖ ଦିନ ଏହି ଶୁଷ୍କ ଶଯ୍ୟାରେ ଯମୁନା ନଗରର ଉଂଚା ଚନ୍ଦନା ଗ୍ରାମ ପାଖରୁ  ୧୦୦ କ୍ୟୁସେକ୍ ପାଣି ଛଡାଗଲା । ୪୦ କି.ମି. ଦୂରରେ ଅବସ୍ଥିତ କୁରୁକ୍ଷେତ୍ର ପର୍ଯ୍ୟନ୍ତ ଶଯ୍ୟାରେ କୌଣସି ପ୍ରତିବନ୍ଧକ ଅଛି ନା ନାହିଁ ଜାଣିବା ପାଇଁ ଏପରି ପରୀକ୍ଷା କରାଯାଇଥିଲା । [୨୯]

ସରସ୍ବତୀର ପରିଚୟର ସନ୍ଧାନ[ସମ୍ପାଦନା]

ଏହି ବିଷୟରେ ଦୁଇଟି ମତ ଉଲ୍ଲିଖିତ ଅଛି । ପ୍ରଥମ ମତାନୁସାରେ ଘଗ୍ଗର-ହାକ୍ରା ନଦୀ ହିଁ ସରସ୍ବତୀ ନଦୀ ।[୩୦][୩୧][୩୨] ଅନ୍ୟ ଏକ ମତାନୁସାରେ ଆଫଗାନିସ୍ଥାନର ହିନ୍ଦୁକୁଶ ପର୍ବତରୁ ବାହାରିଥିବା ହେଲମାଣ୍ଡ ନଦୀ ହିଁ ସରସ୍ବତୀ ନଦୀ । [୫][୩୩]

ଋକବୈଦିକ ସରସ୍ବତୀ[ସମ୍ପାଦନା]

ସରସ୍ବତୀ, ଦୃଶଦ୍ବତୀ ଓ ଆପୟା ନଦୀର ଗତିପଥ, ଉପନଦୀମାନେ ସରସ୍ବତୀର ସ୍ରୋତକୁ ସମୃଦ୍ଧ କରିବା, ସରସ୍ବତୀକୁ ସପ୍ତ ସିନ୍ଧୁର ଅଂଶ ବୋଲି ବିବେଚିତ କରିବା, ନଦୀସ୍ତୁତି ଶୁକ୍ତରେ ନଦୀମାନଙ୍କ ସ୍ଥିତି ବର୍ଣ୍ଣନାର ଅବଲୋକନ କଲେ ସରସ୍ବତୀ ନଦୀର ଗତିପଥ ସହିତ ବର୍ତ୍ତମାନ ସମୟର ଘଗ୍ଗର୍-ହାକ୍ରା ନଦୀର ଭୌଗୋଳିକ ସ୍ଥିତି ଏକ ବୋଲି ଜଣାପଡେ । 

ଅନ୍ୟ ପକ୍ଷରେ ଆଫଗାନିସ୍ଥାନର ହେଲମାଣ୍ଡ୍ ନଦୀ ସହିତ ସମ୍ପୃକ୍ତ କେତେକ ସଂକେତ ମଧ୍ୟ ଋକବେଦରେ ରହିଛି । ଋକବେଦରେ ସରସ୍ବତୀକୁ ଚିରସ୍ରୋତା ବୋଲି କୁହାଯାଇଛି । ଘଗ୍ଗର୍-ହାକ୍ରାର ନଦୀଶଯ୍ୟା ମୌସୁମୀ ବର୍ଷାଦ୍ବାରା ପ୍ଳାବିତ ହୁଏ । ଅନ୍ୟ ସମୟରେ ଏହା ଶୁଷ୍କ ଥାଏ । ଅପରପକ୍ଷେ ହେଲମାଣ୍ଡରେ ସର୍ବଦା ଜଳଧାରା ରହିଥାଏ । ଋକବେଦରେ ଥିବା ସମସ୍ତ ସରସ୍ବତୀ ବର୍ଣ୍ଣନା ମଧ୍ୟରୁ ସର୍ବପ୍ରଥମେ ରଚିତ ଶ୍ଳୋକ ହେଲମାଣ୍ଡ ସହ ସାମଞ୍ଜସ୍ୟ ସୂଚାଏ । ଏହି ନଦୀ ଆୱେସ୍ତାରେ ହରଖ୍ବତୀ ନାମରେ ପରିଚିତ । 

ପାହାଡ ଓ ପର୍ବତ ଗହ୍ବରେ ସରସ୍ବତୀ ନଦୀର ଜନ୍ମ ବୋଲି ଋକବେଦରେ ବର୍ଣ୍ଣିତ ।

ଘଗ୍ଗର-ହାକ୍ରା ନଦୀ[ସମ୍ପାଦନା]

ବର୍ଷାଋତୁରେ, ଭାରତ ଓ ପାକିସ୍ଥାନ ଦେଇ ପ୍ରବାହିତ ଏହି ନଦୀର ଶଯ୍ୟାରେ, ଜଳ ପ୍ରବାହିତ ହୁଏ । ଅନ୍ୟ ସମୟରେ ଏହା ପ୍ରାୟ ଶୁଷ୍କ ଥାଏ । 

ସରସ୍ବତୀ ନଦୀର ସମ୍ଭାବ୍ୟ ପରିଚୟ[ସମ୍ପାଦନା]

ଅନେକ ଗବେଷକ ଓ ଭୂଭୌତିକ ବିଜ୍ଞାନୀ ଘଗ୍ଗର-ହାକ୍ରା ନଦୀକୁ ହିଁ ସରସ୍ବତୀ ବୋଲି କହିଛନ୍ତି ।[୩୦][୩୧][୩୨][୩୪][୩୫][୩୬][୩୭][୩୮][୩୯] ସିନ୍ଧୁର ପୂର୍ବଦିଗରେ ଘଗ୍ଗର-ହାକ୍ରାର ଭୌଗୋଳିକ ଅବସ୍ଥିତି, ପାତାଳଗାମୀ ସରସ୍ବତୀ ଓ ମରୁ ଅଞ୍ଚଳରେ ଘଗ୍ଗର ଅଦୃଶ୍ୟ ହେବା ଏହି ମତର ପୃଷ୍ଠପୋଷକ । ଉନବିଂଶ ଓ ବିଂଶ ଶତାବ୍ଦୀର ଅନେକ ଗବେଷକ ଯଥା ଖ୍ରୀଷ୍ଟିୟାନ୍ ଲାସେନ୍, ମ୍ୟାକ୍ସ୍ ମ୍ୟୁଲ୍ଲର୍, ମାର୍କ୍ ଅଉରେଲ୍ ଷ୍ଟାଇନ୍, ସି. ଏଫ୍. ଓଲ୍ଡହାମ୍, ଜେନ୍ ମାକିଣ୍ଟୋଶ୍ ସମସ୍ତେ ଏହି ମତ ସହିତ ଏକମତ । ମିଶେଲ୍ ଡାନିନୋଙ୍କ ମତରେ ବର୍ତ୍ତମାନ ସମୟର ପ୍ରାୟ ସମସ୍ତ ଗବେଷକ ଏଥିରେ ଏକମତ । 

ଐତିହାସିକା ରୋମିଲା ଥାପରଙ୍କ ମତାନୁସାରେ ଋକବେଦର ସରସ୍ବତୀଙ୍କ ବର୍ଣ୍ଣନା, ପର୍ବତ ଗର୍ଭରୁ ପ୍ରବାହିତ ହେବା ଆଫଗାନିସ୍ଥାନର ହରଖ୍ବତୀ ସହିତ ଅଧିକ ସାମଞ୍ଜସ୍ୟ ଥିଲାପରି ବୋଧ ହୁଏ । 

ଘଗ୍ଗର ଓ ହାକ୍ରାର ନଦୀଶଯ୍ୟା[ସମ୍ପାଦନା]

ସରସ୍ବତୀ ନଦୀ ଓ ସେ ସମୟର ଅନ୍ୟ ନଦୀମାନଙ୍କର ସମ୍ଭାବ୍ୟ ଗତିପଥ
1=ପୁରାତନ ନଦୀପଥ 2=ବର୍ତ୍ତମାନର ନଦୀପଥ 3=ବର୍ତ୍ତମାନର ଥାର୍ ମରୁଭୂମି
4=ପ୍ରାଚୀନ କାଳରେ ସମୁଦ୍ରକୂଳର ସ୍ଥିତି 5=ବର୍ତ୍ତମାନର ସହର

ବୈଦିକ ସରସ୍ବତୀ ନଦୀ ଘଗ୍ଗର-ହାକ୍ରା ନଦୀର ଶଯ୍ୟାରେ ଓ ପାକିସ୍ଥାନର ସିନ୍ଧ ଅଞ୍ଚଳରେ ନାରା ନାଳର ଶଯ୍ୟାରେ ପ୍ରବାହିତ ହେଉଥିବା ଅନୁମାନ କରାଯାଏ । ସରସ୍ବତୀ ନଦୀର ଦୁଇଟି ଶାଖା ଥିଲା । ପୂର୍ବ ଶାଖା ସରସୁତି-ମାର୍କଣ୍ଡ ଓ ପଶ୍ଚିମ ଶାଖା ଘଗ୍ଗର-ପଟିଆଲି ଶାଖା ଶାତରଣା ନିକଟରେ ମିଳିତ ହୋଇ ଏକ ବଡ ନଦୀ ଆକାରରେ ପ୍ରବାହିତ ହେଉଥିଲା ବୋଲି ଭାରତୀୟ ସରକାରଙ୍କଦ୍ବାରା ଗଠିତ ଏକ ସମିତି ୨୦୧୬ ମସିହାରେ ପ୍ରକାଶ କରିଥିଲା । 

ପ୍ରାୟ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ସହସ୍ରାବ୍ଦର ଶେଷ ଆଡକୁ ଘଗ୍ଗର ନଦୀ ଶୁଷ୍କ ହେବାକୁ ଲାଗିଲା । ଏହା ଯୋଗୁଁ ହରପ୍ପା ସଭ୍ୟତାର କ୍ରମଶଃ ଅବକ୍ଷୟ ଘଟିଲା । ଏହି ଅଞ୍ଚଳର ନଦୀ ସବୁ ହିମାଳୟର ବରଫର ତରଳୀକରଣଦ୍ବାରା ନୁହେଁ ବରଂ ବର୍ଷା ଯୋଗୁଁ ଜଳ ପାଇଥାନ୍ତି ବୋଲି ଜଣାଯାଏ । ବର୍ଷାର ଅଭାବରେ ସିନ୍ଧୁ ସଭ୍ୟତାର ବିଲୟ ଘଟିଲା ଓ ସେଠିକାର ବସବାସୀ ପୂର୍ବ ଭାରତରେ ଗାଙ୍ଗେୟ ସମତଳକୁ ସ୍ଥାନାନ୍ତରିତ ହେଲେ ।    

ପ୍ରାୟ ଖ୍ରୀଷ୍ଟପୂର୍ବ ୧,୦୦୦ ସମୟର ମାଟିପାତ୍ରର ଅବଶେଷ ଘଗ୍ଗର-ହାକ୍ରାର ନଦୀଶଯ୍ୟାରୁ ମିଳିଛି । ନଦୀ କୂଳରୁ ନ ମିଳି ନଦୀ ଶଯ୍ୟାରୁ ମିଳିବା ଏହା ସଙ୍କେତ ଦିଏ ଯେ ଖ୍ରୀଷ୍ଟପୂର୍ବ ୧,୦୦୦ ପୂର୍ବରୁ ନଦୀ ଶୁଖି ଯାଇଥିଲା । ଏକ ମତାନୁଯାୟୀ ଯମୁନା ଏବଂ ଶତଦୃ ନଦୀମାନଙ୍କର ଦୁଇଟି ଶାଖା ସରସ୍ବତୀରେ ମିଳିତ ହେଉଥିଲେ ଓ ବିଭିନ୍ନ ପ୍ରାକୃତିକ କାରଣରୁ (ଯଥା ଭୂମିକମ୍ପର ପ୍ରଭାବରେ) ଏହି ଦୁଇ ସ୍ରୋତ ଦିଗ ପରିବର୍ତ୍ତନ କରି ଗୋଟିଏ ଗଙ୍ଗା ଆଡକୁ ଓ ଅନ୍ୟଟି ସିନ୍ଧୁ ନଦୀ ଆଡକୁ ପ୍ରବାହିତ ହୋଇ ସରସ୍ବତୀର ଶଯ୍ୟା ଶୁଷ୍କ ହେବାକୁ ଲାଗିଲା । ଭୂ-ଭୌତିକବିତ୍ ପୁରି ଓ ବର୍ମାଙ୍କ ମତରେ ହିମାଳୟରେ ବଟ ଓ ମାର୍କଣ୍ଡ ନଦୀଦ୍ବୟ ସରସ୍ବତୀ ନଦୀକୁ ପ୍ରବାହିତ ହେଉଥିଲେ । କିନ୍ତୁ ସମ୍ଭବତଃ ଭୂସ୍ଖଳନ ଯୋଗୁଁ ପଶ୍ଚିମାଭିମୁଖୀ ସ୍ରୋତ ବନ୍ଦ ହୋଇ ନିକଟବର୍ତ୍ତୀ ପୂର୍ବାଭିମୁଖୀ ଯମୁନାଦ୍ବାରା ନିଷ୍କାସିତ ହେବାକୁ ଲାଗିଲା । ସେ ଯାହା ହେଉ, ସରସ୍ବତୀର ଶୁଷ୍କ ହେବା ଯୋଗୁଁ ଥାର୍ ମରୁଭୂମି ସୃଷ୍ଟି ହେଲା ଏବଂ ଏହି ଅଞ୍ଚଳର ସବୁଜିମା ନଷ୍ଟ ହେଲା । 

ହେଲମଣ୍ଡ ନଦୀ[ସମ୍ପାଦନା]

ହେଲମଣ୍ଡ ନଦୀର ଅବବାହିକା

ଆଫଗାନିସ୍ଥାନରେ ପ୍ରବାହିତ ହେଲମଣ୍ଡ ନଦୀ ଓ ସିନ୍ଧୁ ନଦୀ ମଧ୍ୟରେ ସାଙ୍ଗଲାଖ ପର୍ବତଶ୍ରେଣୀ ଦଣ୍ଡାୟମାନ । ଏହି ନଦୀକୁ ଆୱେସ୍ତାରେ ହରଖ୍ବତୀ ବୋଲି କୁହାଯାଇଛି । ବେଦର ବର୍ଣ୍ଣନା ସହ ଏହି ନଦୀର ପୁରାତନ ବର୍ଣ୍ଣନାର ସାମଞ୍ଜସ୍ୟ ରହିଛି । କୋଚ୍ଚରଙ୍କ ମତରେ, ବୈଦିକ ଶୁକ୍ତର ଅନେକ ବର୍ଷ ପରେ ନଦୀସ୍ତୁତି ଶୁକ୍ତର ରଚନା ହୋଇଥିବା ସମ୍ଭବପର । ଗାଙ୍ଗେୟ ଉପତ୍ୟକାକୁ ସ୍ଥାନାନ୍ତରଣ ବେଳେ ଘଗ୍ଗରର ଅଦୃଶ୍ୟ ହେବା ସହିତ ସରସ୍ବତୀର ନଦୀକୁ ସଂଯୋଜିତ କରାଗଲା (୧୯୯୯) । 

ଉଭୟ ସରସ୍ବତୀ ଓ ହେଲମାଣ୍ଡ ନଦୀର ଭୌଗୋଳିକ ଅବସ୍ଥା ଏକ ପ୍ରକାରର । ଉଭୟେ ହ୍ରଦରେ ନିଷ୍କାସିତ ହୁଅନ୍ତି । ବୈଦିକ ଯୁଗର ପରବର୍ତ୍ତୀ ସମୟରେ ସରସ୍ବତୀ ମରୁସ୍ଥଳରେ ଅଦୃଶ୍ୟ ହେବା କଥା କୁହାଯାଇଥାଇପାରେ । 

ଆଧାର[ସମ୍ପାଦନା]

  1. Global Warming Trends: Ecological Footprints, by Julie Kerr Casper
  2. Vedic River Sarasvati and Hindu Civilization, edited by S. Kalyanaraman (2008), ISBN 978-81-7305-365-8 PP.308
  3. Mythical Saraswati River | "The work on delineation of entire course of Sarasvati River in North West India was carried out using Indian Remote Sensing Satellite data along with digital elevation model. Satellite images are multi-spectral, multi-temporal and have advantages of synoptic view, which are useful to detect palaeochannels. The palaeochannels are validated using historical maps, archaeological sites, hydro-geological and drilling data. It was observed that major Harappan sites of Kalibangan (Rajasthan), Banawali and Rakhigarhi (Haryana), Dholavira and Lothal (Gujarat) lie along the River Saraswati." — Department of Space, Government of India.
  4. "Saraswati – The ancient river lost in the desert" | A.V.Shankaran.
  5. ୫.୦ ୫.୧ Kochhar, Rajesh (1999), "On the identity and chronology of the Ṛgvedic river Sarasvatī", in Roger Blench; Matthew Spriggs, Archaeology and Language III; Artefacts, languages and texts, Routledge, ISBN 0-415-10054-2 
  6. Maemoku, Hideaki; Shitaoka, Yorinao; Nagatomo, Tsuneto; Yagi, Hiroshi (2013), "Geomorphological Constraints on the Ghaggar River Regime During the Mature Harappan Period", in Giosan, Liviu; Fuller, Dorian Q.; Nicoll, Kathleen, Climates, Landscapes, and Civilizations, American Geophysical Union Monograph Series 198, John Wiley & Sons, ISBN 978-1-118-70443-1 
  7. Clift, Peter D.; Carter, Andrew; Giosan, Liviu; Durcan, Julie (2012). "U-Pb zircon dating evidence for a Pleistocene Sarasvati River and capture of the Yamuna River" (PDF). Geology. 40 (3): 211–214. doi:10.1130/g32840.1. 
  8. e.g. 7.96.4, 10.66.5
  9. Manu (2004). Olivelle, Patrick, ed. The Law Code of Manu. Oxford University Press. p. 24. ISBN 978-0-19280-271-2.
  10. Bridget Allchin, Raymond Allchin, The Rise of Civilization in India and Pakistan, Cambridge University Press, 1982, P.358.
  11. translation by Sri Aurobindo, op.cit.
  12. D.S. Chauhan in Radhakrishna, B.P. and Merh, S.S. (editors): Vedic Saraswati 1999. According to this reference, 44 asvins may be over 2600 km
  13. Mhb. 3.82.111; 3.130.3; 6.7.47; 6.37.1-4., 9.34.81; 9.37.1-2
  14. Mbh. 3.80.118
  15. Mbh. 3.88.2
  16. [୧]
  17. [୨]
  18. [୩]
  19. Studies in Proto-Indo-Mediterranean culture, Volume 2, page 398
  20. D.S. Chauhan in Radhakrishna, B.P. and Merh, S.S. (editors): Vedic Saraswati, 1999, p.35-44
  21. compare also with Yajurveda 34.11, D.S. Chauhan in Radhakrishna, B.P. and Merh, S.S. (editors): Vedic Saraswati, 1999, p.35-44
  22. Manusmriti 2.17-18
  23. ୨୩.୦ ୨୩.୧ The Editors of Encyclopædia Britannica, Sarasvati, Encyclopædia Britannica
  24. Ludvík 2011, p. 1
  25. At the Three Rivers TIME, February 23, 1948
  26. Eck p. 149
  27. Romila Thapar (୨୦୦୪). Early India: From the Origins to AD ୧୩୦୦. University of California Press. p. ୪୨. ISBN ୯୭୮-୦-୫୨୦-୨୪୨୨୫-୮. 
  28. Special Report - Battling for India's soul, state by state. Reuters. Accessed 13 October 2015.
  29. Zee Media Bureau (August 6, 2016). "'Lost' Saraswati river brought 'back to life'". Zee Media. http://zeenews.india.com/news/india/lost-saraswati-river-brought-back-to-life_1915729.html. Retrieved 19 August 2016. 
  30. ୩୦.୦ ୩୦.୧ Pushpendra K. Agarwal; Vijay P. Singh (୧୬ May ୨୦୦୭). Hydrology and Water Resources of India. Springer Science & Business Media. pp. ୩୧୧–୨. ISBN ୯୭୮-୧-୪୦୨୦-୫୧୮୦-୭. 
  31. ୩୧.୦ ୩୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Singh2008 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  32. ୩୨.୦ ୩୨.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Maisels2003 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  33. Darian p. 59
  34. Darian p. 58
  35. "Proceedings of the second international symposium on the management of large rivers for fisheries: Volume II". Fao.org. 2003-02-14. Retrieved 2012-07-12. 
  36. Mughal, M. R. Ancient Cholistan. Archaeology and Architecture. Rawalpindi-Lahore-Karachi: Ferozsons 1997, 2004
  37. J. K. Tripathi et al., "Is River Ghaggar, Saraswati? Geochemical Constraints," Current Science, Vol. 87, No. 8, 25 October 2004
  38. "Press Information Bureau English Releases". Retrieved 2016-10-18. 
  39. PTI. "Government-constituted expert committee finds Saraswati river did exist". PTI. Indian Express. http://indianexpress.com/article/india/india-news-india/goverment-constituted-expert-committee-finds-saraswati-river-did-exist-3084722/. Retrieved 19 October 2016. 

Sources[ସମ୍ପାଦନା]

Further reading[ସମ୍ପାଦନା]

External links[ସମ୍ପାଦନା]