ସଂସ୍କୃତ ଭାଗବତ

ଉଇକିପିଡ଼ିଆ‌ରୁ

ସଂସ୍କୃତ ଭାଗବତ ସଂସ୍କୃତ ଭାଷାରେ ରଚିତ ଏକ ହିନ୍ଦୁ ଧର୍ମର ଗ୍ରନ୍ଥ । ଏହା ବ୍ୟାସଦେବଙ୍କଦ୍ୱାରା ରଚିତ ।

ଲିଖନ[ସମ୍ପାଦନା]

ଭାଦ୍ରପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ତିଥିରେ ସଂସ୍କୃତ ଭାଗବତ ଆରମ୍ଭ ହୋଇଥିବାରୁ ଏହି ତିଥି ଭାଗବତ ଜନ୍ମ ରୂପେ ପାଳିତ ହୋଇଆସୁଛି ।[୧]

କିମ୍ବଦନ୍ତୀ[ସମ୍ପାଦନା]

ସଂସ୍କୃତ ଭାଗବତର ଜନ୍ମ ସମ୍ପର୍କରେ ଏକ ପ୍ରାଚୀନ କାହାଣୀ ରହିଛି । କାହାଣୀର ପୃଷ୍ଠଭୂମି ଶ୍ରୀମଦ୍ ଭାଗବତ ମହାପୁରାଣର ମାହାତ୍ମ୍ୟ । ପୃଥିବୀର ହାଲଚାଲ ବୁଝିବା ପାଇଁ ଦିନେ ଦେବର୍ଷି ନାରଦଙ୍କର ମନ ବଳିଲା । ତେଣୁ ସେ ବୀଣାବାଦନ ସହ ନାରାୟଣ ନାମ ଉଚ୍ଚାରଣ ପୂର୍ବକ ଧରାବତରଣ କଲେ । ପୃଥିବୀ ପରିଭ୍ରମଣ କରୁଥିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟି ପଥାରୂଢ଼ ହେଲା । ଜନୈକା ସୁନ୍ଦରୀ ତରୁଣୀର ଉଭୟ ପାର୍ଶ୍ୱରେ ଶାୟିତ ଦୁଇଜଣ ବୃଦ୍ଧ । ଅବସ୍ଥା ଜୀବନ୍ମତ । ତରୁଣୀ ଥିଲେ ରୋରୁଦ୍ୟମାନା । ଦେବର୍ଷି ଏହି ବିରଳ ଦୃଶ୍ୟର ଅର୍ଥ ହଠାତ୍ ବୁଝିପାରିଲେ ନାହିଁ । ତରୁଣୀର ନିକଟବର୍ତ୍ତୀ ହୋଇ ଜିଜ୍ଞାସା କଲେ-‘କାହିଁକି କାନ୍ଦୁଛ ? ଏ ବୃଦ୍ଧଦ୍ୱୟ କିଏ ? ତରୁଣୀ କହିଲେ - ମୁଁ ହେଉଛି ‘ଭକ୍ତି’ ଓ ମୋର ଏହି ପୁତ୍ରଦ୍ୱୟ ହେଉଛନ୍ତି ‘ଜ୍ଞାନ ଓ ବୈରାଗ’ । ମୁଁ ମାତା ହୋଇ ମଧ୍ୟ ତରୁଣୀ, ଅଥଚ ମୋର ପୁତ୍ରଦ୍ୱୟ ବାର୍ଦ୍ଧକ୍ୟରେ ପ୍ରପୀଡ଼ିତ । ଏହାର ରହସ୍ୟ ଓ ମୁକ୍ତ ହେବାର ଉପାୟ ବତାଇ ଦିଅନ୍ତୁ ମୁନିବର ।’ ନାରଦ ଦିବ୍ୟ ଦୃଷ୍ଟିରେ ଭକ୍ତି ଦେବୀଙ୍କ ଦୁଃଖର କାରଣ ବୁଝିଲେ । ତେବେ ସନକାଦି ଋଷିମାନଙ୍କର ପରାମର୍ଶ ଥିଲା ଯେ ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରବଣ କଲେ ଭକ୍ତିଦେବୀଙ୍କ ପୁତ୍ରଦ୍ୱୟ ତାରୁଣ୍ୟ ଫେରିପାଇବେ । ସେମାନଙ୍କ ମୃତ ପ୍ରାୟ ଶରୀରରେ ସ୍ପନ୍ଦିତ ହେବ ନବଜୀବନ । ଭାଗବତ ଶ୍ରବଣମାତ୍ରକେ ତାହାହିଁ ଘଟିଲା । ଭାଗବତ ଶ୍ରବଣର ମହତ୍ତ୍ୱ ବିଷୟରେ ଏହିପରି ଅନେକ କାହାଣୀ ରହିଛି । ଭକ୍ତମାନଙ୍କ ପାଇଁ ଭଗବାନଙ୍କ କଣ୍ଠରୁ ଓମ୍ କାର ରୂପକ ତିନି ଅକ୍ଷର ସୃଷ୍ଟି ହେଲା ଓ ଏହା ଅନନ୍ତଙ୍କୁ ଅର୍ପିତ ହେଲା । ଅନନ୍ତ ଚବିଶ ଅକ୍ଷର ବିଶିଷ୍ଟ ଗାୟତ୍ରୀ ମନ୍ତ୍ର ସୃଷ୍ଟି କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସମର୍ପଣ କଲେ । ବ୍ରହ୍ମା ଚାରିଗୋଟି ଶ୍ଳୋକରେ ନାରାୟଣ ଋଷିଙ୍କୁ ପ୍ରଦାନ କଲେ । ଋଷି ଦଶଗୋଟି ଶ୍ଳୋକରେ ମହର୍ଷି ନାରଦଙ୍କୁ, ନାରଦ ଶହେ ଶ୍ଳୋକରେ ବ୍ୟାସଦେବଙ୍କୁ, ବ୍ୟାସ ଅଠର ହଜାର ଶ୍ଳୋକରେ ଶୁକମୁନିଙ୍କୁ ଅର୍ପଣ କରିଥିଲେ । ଶୁକମୁନି ପରୀକ୍ଷିତ ମହାରାଜାଙ୍କୁ ସପ୍ତାହବ୍ୟାପୀ ବୁଝାଇ ବ୍ରହ୍ମଲୀନ କରାଇଥିଲେ । ତା’ପରେ ଜନସାଧାରଣ ତାହାକୁ ଭାଗବତ ବୋଲି ଜାଣି ପୂଜାର୍ଚ୍ଚନା ଓ ଆଲୋଚନା କରିବାରେ ଲାଗିଲେ । ଷାଠିଏ ହଜାର ଋଷିଙ୍କ ପ୍ରତିନିଧି ସ୍ୱରୂପ ଶୌନକ ମୁନି ସୁତମୁନିଙ୍କୁ ଯେଉଁ ପ୍ରଶ୍ନମାନ ପଚାରିଥିଲେ ତାହାର ଉତ୍ତର ଭାଗବତର ପ୍ରଥମରୁ ଦ୍ୱାଦଶ ସ୍କନ୍ଧ ମଧ୍ୟରେ ବର୍ଣ୍ଣିତ ହୋଇଛି ।[୧]

କଥିତ ଅଛି ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଧର ଏକ ଟୀକା ଭାବେ ସନ୍ଥ ଏକନାଥ ନାଥ ଭାଗବତ ରଚନା କରିଥିଲେ ଯାହାକି ମରାଠୀ ଭାଷାରେ ଅତ୍ୟନ୍ତ ଲୋକପ୍ରିୟ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ସାହୁ, କାହ୍ନୁଚରଣ (9 September 2010). ସମାଜ. {{cite news}}: |access-date= requires |url= (help); Missing or empty |title= (help)
  2. "Saint Eknath". web.iiit.ac.in. Archived from the original on 6 June 2017. Retrieved 13 November 2018.