ପରୀକ୍ଷିତ

ଉଇକିପିଡ଼ିଆ‌ରୁ

ହିନ୍ଦୁ ମହାକାବ୍ୟ ମହାଭାରତ ଅନୁଯାୟୀ ପରୀକ୍ଷିତ, ଅଭିମନ୍ୟୁ (ଅର୍ଜୁନଙ୍କ ପୁତ୍ର)ଏବଂ ଉତ୍ତରାଙ୍କ ପୁତ୍ର ଏବଂ ଜନ୍ମେଜୟଙ୍କ ପିତା ଥିଲେ । ଯେତେବେଳେ ସେ ମାତାଙ୍କ ଗର୍ଭରେ ଥିଲେ, ଅଶ୍ୱତ୍‌ଥାମା ବ୍ରହ୍ମାଙ୍କ ଆଶୀର୍ବାଦରୁ ପ୍ରାପ୍ତ ଶକ୍ତିଶାଳୀ ଅସ୍ତ୍ର 'ବ୍ରହ୍ମାସ୍ତ୍ର' ପ୍ରୟୋଗ କରି ତାଙ୍କୁ ମାରିଦେବାକୁ ଚେଷ୍ଟା କରିଥିଲେ । ତେବେ ବ୍ରହ୍ମାସ୍ତ୍ର ପ୍ରୟୋଗ ପରେ ଯୋଗେଶ୍ୱର ଶ୍ରୀକୃଷ୍ଣ ତାଙ୍କର ଯୋଗ ଶକ୍ତି ବଳରେ ଉତ୍ତରାଙ୍କ ମୃତ ପୁତ୍ରକୁ ଜୀବିତ କରିଥିଲେ । ମହାଭାରତ ଯୁଦ୍ଧର ପରବର୍ତ୍ତୀ ସମୟରେ ଯୁଧିଷ୍ଠିରଙ୍କ ଉତ୍ତରାଧିକାରୀ ଭାବେ ସେ ହସ୍ତିନାପୁରର ସିଂହାସନ ଅଳଂକୃତ କରିଥିଲେ ।[୧]

ପୌରାଣିକ ଗାଥା[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧର କିଛି କାଳ ପରେ ଯୁଧିଷ୍ଠିର ରାଜଭୋଗ ତଥା ରାଜ୍ୟ ଶାସନ କାର୍ଯ୍ୟରେ ଅତ୍ୟନ୍ତ ଉଦାସୀନ ଥିଲେ ଏବଂ ତପସ୍ୟା କରିବାକୁ ଇଚ୍ଛା କରିଥିଲେ । ତେଣୁ ସେ ଶୀଘ୍ର ହସ୍ତିନାପୁରର ସିଂହାସନରେ ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତଙ୍କୁ ବସାଇ ଦ୍ରୌପଦୀ ସମତ ସମସ୍ତ ପାଣ୍ଡବ ତପସ୍ୟା କରିବାକୁ ବନ ଗମନ କଲେ । ପରୀକ୍ଷିତ ସିଂହାସନରେ ବସିବା ବେଳକୁ ମହାଭାରତ ଯୁଦ୍ଧ ଶେଷ ହେବାର କିଛି କାଳ ହିଁ ହୋଇଥାଏ । ସିଂହାସନ ପ୍ରାପ୍ତି ପରେ ସେ ଗଙ୍ଗା ନଦୀ ତଟରେ ତିନୋଟି ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଥିଲେ, ଯେଉଁଥିରେ ଶେଷ ଥର ଦେବତାମାନେ ସିଧାସଳଖ ଆସି ବଳିଦାନ ଗ୍ରହଣ କରିଥିଲେ ।

କିମ୍ବଦନ୍ତୀ[ସମ୍ପାଦନା]

ପରୀକ୍ଷିତଙ୍କ ସଂପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ତାଙ୍କ ରାଜତ୍ୱ ସମୟକୁ ଦ୍ୱାପର ଯୁଗର ଶେଷ ଏବଂ କଳୀ ଯୁଗର ଆରମ୍ଭ ବୋଲି ବିବେଚନା କରାଯାଏ । ଏହି ପରିପ୍ରେକ୍ଷୀରେ ଭାଗବତରେ ଏହି କାହାଣୀ ଅଛି ।[୨]

ଦିନେ ରାଜା ପରୀକ୍ଷିତ ଶୁଣିଲେ ଯେ କଳୀ ଯୁଗ ତାଙ୍କ ରାଜ୍ୟରେ ପ୍ରବେଶ କରିଛନ୍ତି ଏବଂ କ୍ଷମତା ହାସଲ କରିବାର ସୁଯୋଗ ଖୋଜୁଛନ୍ତି । ରାଜା ତାହାଙ୍କୁ ତାଙ୍କ ରାଜ୍ୟରୁ ତଡ଼ିବାପାଇଁ କଳୀର ସନ୍ଧାନ କରିବା ଉଦ୍ଦେଶ୍ୟରେ ବାହାରିଲେ । ଦିନେ ସେ ଦେଖିଲେ ଯେ ଗୋଟିଏ ଗାଈ ଏବଂ ଷଣ୍ଢ ଅନାଥ ଓ ଭୟଭୀତ ହୋଇ ଠିଆ ହୋଇଛନ୍ତି ଏବଂ ଏକ ଶୁଦ୍ର, ଯାହାର ପୋଷାକ ପରିପାଟି ରାଜାଙ୍କ ପରି, ସେ ସେହି ଗାଈ ଓ ଷଣ୍ଢକୁ ଏକ ବାଡ଼ିରେ ପ୍ରହାର କରୁଛି । ଷଣ୍ଢର ମାତ୍ର ଗୋଟିଏ ଗୋଡ ଥିଲା । ପଚାରିବା ପରେ ପରୀକ୍ଷିତଙ୍କୁ ଷଣ୍ଢ, ଗାଈ ଏବଂ ରାଜବେଶଧାରୀ ଶୁଦ୍ର ତିନିହେଁ ନିଜ ନିଜର ପରିଚୟ ଦେଲେ । ଗାଈଟି ଥିଲା ପୃଥିବୀ, ଷଣ୍ଢ ଥିଲା ଧର୍ମ ଏବଂ ରାଜ ବେଶଧାରୀ ଶୁଦ୍ର ଥିଲା କଳି ଯୁଗ । ରାଜା ପରୀକ୍ଷିତ ଏକଥା ମଧ୍ୟ ଜାଣିଲେ ଯେ ଷଣ୍ଢରୂପି ଧର୍ମର ସତ୍ୟ, ତପ ଓ ଦୟାରୂପି ତିନି ଗୋଡକୁ କଳିଙ୍କଦ୍ୱାରା ଭାଙ୍ଗିଦିଆଯାଇଛି । ତେଣୁ ସେ କେବଳ ଗୋଟିଏ ପାଦ ସାହାଯ୍ୟରେ ଦୌଡୁଥିଲେ, ହେଲେ କଳିଯୁଗ ଏହି ଶେଷ ଗୋଡ଼କୁ ମଧ୍ୟ ଭାଙ୍ଗିବା ପାଇଁ ଗୋଡ଼ାଉଥିଲେ । ଏହି କଥା ଜାଣି ପରୀକ୍ଷିତ କଳି ଯୁଗ ଉପରେ ଅତ୍ୟଧିକ କ୍ରୋଧିତ ହେଲେ ଏବଂ ତାଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଲେ । କିନ୍ତୁ କଳିର ଆତୁର ନିବେଦନ ପରେ ସେ ତାଙ୍କ ପ୍ରତି ଦୟା କଲେ ଏବଂ ସେ କଳିଙ୍କୁ କେବଳ ପାଞ୍ଚୋଟି ସ୍ଥାନରେ ରହିପାରିବେ ବୋଲି ଅନୁମତି ଦେଲେ । ସେହି ସ୍ଥାନଗୁଡ଼ିକ ହେଲା ଜୁଆ ଖେଳ, ମହିଳା, ମଦ୍ୟପାନ ସ୍ଥଳ, ହିଂସା ସ୍ଥଳ ଏବଂ ସୁନା । ଏହି ପାଞ୍ଚଟି ସ୍ଥାନ ବ୍ୟତୀତ କଳି ଅନ୍ୟ କୌଣସି ସ୍ଥାନରେ ନ ରହିବାକୁ ଶପଥ ନେଇଥିଲେ । ଏହି ଘଟଣାର କିଛି ସମୟ ପରେ ମହାରାଜା ପରୀକ୍ଷିତ ଦିନେ ଶିକାର କରିବାକୁ ଯାଇଥିଲେ । କଳି ଯୁଗ ସିନା ପରୀକ୍ଷିତଙ୍କୁ ଭୟ କରୁଥିଲା, ହେଲେ ଯେ କୌଣସି ମତେ ପୃଥିବୀରେ ସେ ତାର ରାଜତ୍ୱ ଆରମ୍ଭ କରିବାକୁ ଆଗହୀ ଥିଲା । ରାଜାଙ୍କ ମୁକୁଟରେ ସୁନା ଥିଲା, ଏହି ସୂଯୋଗରେ କଳି ଯୁଗ ଏହା ମାଧ୍ୟମରେ ରାଜାଙ୍କଠାରେ ପ୍ରବେଶ କରିଗଲା । ରାଜା ଗୋଟିଏ ହରିଣ ପଛରେ ଦୀର୍ଘ ସମୟ ଧରି ଗୋଡ଼ାଇବା ପରେ ମଧ୍ୟ ତାଙ୍କୁ ହରିଣଟି ତାଙ୍କୁ ଧରା ନ ଦେଇ ଦୌଡ଼ି ଚାଲିଗଲା । ଏଣେ ଥକାପଣ ଯୋଗୁଁ ତୃଷାର୍ତ୍ତ ରାଜା ଜଙ୍ଗଲ ମଧ୍ୟରେ ଜଣେ ଋଷିଙ୍କୁ (ଶମିକ) ବସିଥିବାର ଦେଖିଲେ । ରାଜା ତାଙ୍କୁ ପଚାରିଲେ ଯେ ହରିଣଟି କୁଆଡେ ଗଲା । ମୁନି ମୌନ ବ୍ରତ ଅବଲମ୍ବନ କରିଥିଲେ, ତେଣୁ ରାଜାଙ୍କ ପ୍ରଶ୍ନର କିଛି ଉତ୍ତର ଦେଇପାରିଲେ ନାହିଁ । କ୍ଳାନ୍ତ ଓ ତୃଷାର୍ତ୍ତ, ପରୀକ୍ଷିତ ମୁନିଙ୍କ ଆଚରଣରେ ବହୁତ ରାଗିଗଲେ । ସହଜେ ତ ତାଙ୍କ ମୁଣ୍ଡରେ କଳି ସବାର ହୋଇଥିଲା । କଳିର ପ୍ରଭାବରେ ରାଜା ପରୀକ୍ଷିତ ନିଷ୍ପତ୍ତି ନେଇଥିଲେ ଯେ ଘମଣ୍ଡି ଋଷି ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇଥିବାରୁ ଏହି ଅପରାଧ ପାଇଁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍ । ନିକଟରେ ଏକ ମୃତ ସାପ ପଡ଼ିଥିଲା । ରାଜା ତାଙ୍କୁ ଶର ମୂନରେ ଉଠାଇ ମୁନିଙ୍କ ବେକରେ ଲମ୍ବାଇଦେଇ ଚାଲିଗଲେ । ଋଷିଙ୍କର ଶୃଙ୍ଗୀ ନାମକ ଏକ ମହାନ ପୁତ୍ର ଥିଲେ । କୌଣସି କାର୍ଯ୍ୟ ହେତୁ ସେ ବାହାରକୁ ଯାଇଥିଲେ । ଫେରିବା ବାଟରେ ସେ ଶୁଣିଲେ ଯେ ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ବେକରେ ଏକ ମୃତ ସାପର ମାଳା ପିନ୍ଧାଇଛନ୍ତି । କ୍ରିଧରେ ଜର୍ଜରିତ ଶୃଙ୍ଗୀ ତାଙ୍କ ପିତାଙ୍କ ଏହି ଅପମାନ ଶୁଣିବା ମାତ୍ରେ ହାତରେ ଜଳ ନେଇ ଅଭିଶାପ ଦେଇଥିଲେ 'ଯେଉଁ ପାପୀ ମୋ ବାପାଙ୍କ ବେକରେ ମୃତ ସାପର ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି, ତାଙ୍କୁ ଆଜିଠାରୁ ସାତ ଦିନ ମଧ୍ୟରେ ତକ୍ଷକ ନାମକ ଏକ ବିଷଧର ସର୍ପ ଦଂଶନ କରୁ' । ଆଶ୍ରମରେ ପହଞ୍ଚି ଶୃଙ୍ଗୀ ପିତାଙ୍କୁ ଉପରୋକ୍ତ ଅଭିଶାପ ଦେବା ବିଷୟରେ କହିଥିଲେ । ଋଷି କିନ୍ତୁ ପୁତ୍ରର ଏତାଦୃଶ କାର୍ଯ୍ୟରେ ଦୁଃଖି ହୋଇ ରାଜା ପରୀକ୍ଷିତଙ୍କୁ ଜଣେ ଶିଷ୍ୟଙ୍କଦ୍ୱାରା ଡକାଇ ପଠାଇଲେ ଏବଂ ଅଭିଶାପର ବିଷୟରେ କହି ସତର୍କ ରହିବାକୁ ପରାମର୍ଶ ଦେଲେ । ପରୀକ୍ଷିତ ଜାଣିଥିଲେ ଯେ ଋଷିଙ୍କ ଅଭିଶାପ ଅଟଳ । ଅତଏବ ସେ ନିଜ ପୁତ୍ର ଜନ୍ମେଜୟକୁ ରାଜ୍ୟ ଶାସନ ଭାର ସମର୍ପି ଦେଇ ନିଜ ସୁରକ୍ଷା ନିମିତ୍ତ ଏକ ସ୍ତମ୍ଭ ଉପରେ ସୁରକ୍ଷିତ ରାଜପ୍ରାସାଦର ନିର୍ମାନ କରି ସେଥିରେ ନିରାପଦରେ ରହିବାକୁ ଲାଗିଲେ । ତଥାପି ସପ୍ତମ ଦିନରେ ତକ୍ଷକ ଆସି ତାଙ୍କୁ ଦଂଶନ କଲା ଯାହା ଫଳରେ ତାଙ୍କ ଶରୀର ଭସ୍ମୀଭୂତ ହୋଇଗଲା ।

କୀମ୍ବଦନ୍ତି କହେ,ଯେତେବେଳେ ତକ୍ଷକ ପରୀକ୍ଷିତଙ୍କୁ ଦଂଶନ କରିବାକୁ ବାହାରିଲା, ସେତେବେଳେ ସେ ରାସ୍ତାରେ କଶ୍ୟପ ଋଷିଙ୍କୁ ଭେଟିଲା । ପଚାରିବା ପରେ ସେ ଜାଣିବାକୁ ପାଇଲା ଯେ ଋଷି ପରୀକ୍ଷିତଙ୍କୁ ତକ୍ଷକର ବିଷରୁ ଉଦ୍ଧାର କରିବାକୁ ଯାଉଛନ୍ତି । ନିଜର ବିଷର ଭୟାବହତା ଦେଖାଇବାକୁ ଯାଇ ତକ୍ଷକ ଏକ ଗଛକୁ ଦଂଶନ କରନ୍ତେ, ଗଛଟି ସଙ୍ଗେ ସଙ୍ଗେ ପାଉଁଶ ହୋଇଗଲା । କଶ୍ୟପ ମଧ୍ୟ କମ ନୁହଁନ୍ତି । ସେ ମନ୍ତ୍ର ବଳରେ ସଂଗେ ସଂଗେ ଗଛଟିକୁ ଜୀବନ୍ତ କରିଦେଇ ତାଙ୍କ ଜ୍ଞାନରେ ତାଙ୍କୁ ପରାସ୍ତ କଲେ । ଏହା ଦେଖି ତକ୍ଷକ ତାଙ୍କୁ ବହୁତ ଧନ ସଂପତ୍ତି ଦେଇ ଫେରସ୍ତ କରିଥିଲେ ।

ଦେବୀ ଭାଗବତର ବର୍ଣ୍ଣନା ଅନୁସାରେ ଅଭିଶାପର ଖବର ପାଇବା ପରେ ପରୀକ୍ଷିତ ତକ୍ଷକଠାରୁ ନିଜକୁ ରକ୍ଷା କରିବା ପାଇଁ ଏକ ସାତ ମହଲା ଉଚ୍ଚ ଗୃହ ନିର୍ମାଣ କରିଥିଲେ ଏବଂ ତାଙ୍କ ଚାରିପାଖରେ ଭଲ ସର୍ପ-ମନ୍ତ୍ର-ଜ୍ଞାନୀ ଜଗାଇ ରଖିଥିଲେ । ଯେତେବେଳେ ତକ୍ଷକ ଏହା ଜାଣିଲା, ସେ ଭୟଭୀତ ହେଲା । ଶେଷରେ ତକ୍ଷକ ଅପରୀକ୍ଷିତଙ୍କ ନିକଟରେ ପହଞ୍ଚିବା ପାଇଁ ସେ ଏକ ଉପାୟ ପାଇଲେ । ସେ ତାଙ୍କର ସ୍ୱଜାତୀୟ ଏକ ସର୍ପକୁ ଏକ ଛଦ୍ମ ଋଷି ବେଶରେ ତାଙ୍କ ହାତରେ କିଛି ଫଳ ଦେଇ ପରୀକ୍ଷିତଙ୍କ ନିକଟକୁ ପଠାଇଲେ । ତେବେ ସେହି ଫଳ ମଧ୍ୟରେ ସେ ଏକ ଅତି କ୍ଷୁଦ୍ର କୀଟ ଆକାରରେ ଲୁଚି ରହିଲେ । ଛଦ୍ମବେଶୀ ସର୍ପ ରାଜଙ୍କ ମହଲ ନିକତରେ ସିନା ପହଞ୍ଚିଲା, ସୁରକ୍ଷାରେ ନିୟୋଜିତ ସୈନ୍ୟମାନେ ତାଙ୍କୁ ଭିତରକୁ ଯିବାକୁ ବାରଣ କଲେ । କିନ୍ତୁ ରାଜା ଏହା ଜାଣିବା ପରେ ତାହାଙ୍କୁ ଡାକିଲେ ଏବଂ ଫଳ ଗ୍ରହଣ କଲେ । ଜଣେ ତପସ୍ୱୀ ମୋତେ ଏହି ଫଳ ଦେଇଛନ୍ତି, ତେଣୁ ଏହାକୁ ଖାଇବା ନିଶ୍ଚିତ ଭାବରେ ମୋ ପାଇଁ ଶୁଭଦାୟକ ହେବ, ଏହାଭାବି ସେ ମନ୍ତ୍ରୀମାନଙ୍କ ଆଉ ଅଧିକ ଫଳ ବଣ୍ଟନ କରି ତପସ୍ୱୀ ଦେଇଥିବା ଫଳଟି ନିଜ ପାଇଁ ରଖିଲେ । ସେଥିରୁ ଏକ ଛୋଟ ପୋକ ବାହାରିଲା ଯାହାର ରଙ୍ଗ କଳା ଏବଂ ଆଖି କଳା ଥିଲା । ଶାପର ପରାଭୟ ବେଳା ସମାପ୍ତ ହେବାକୁ ଆଉ ମାତ୍ର ଅଳ୍ପ ସମୟ ଅଛି, ପରୀକ୍ଷିତ ମନ୍ତ୍ରୀମାନଙ୍କୁ କହିଥିଲେ - ସୂର୍ଯ୍ୟ ଅସ୍ତ ହେଉଛନ୍ତି, ବର୍ତ୍ତମାନ ମୋର ତକ୍ଷକଙ୍କୁ ଭୟ ନାହିଁ । କିନ୍ତୁ ବ୍ରାହ୍ମଣଙ୍କ ଅଭିଶାପର ମାନ ରକ୍ଷା କରିବା ଉଚିତ୍ । ସେଥିପାଇଁ ମୁଁ ଏହି କୀଟ ମାଧ୍ୟମରେ ଦଂଶନ ବିଧି ସମାପ୍ତ କରିବାକୁ ଚାହୁଁଛି । ଏହା କହି ପରୀକ୍ଷିତ ତାଙ୍କ ଗଳାରେ କୀଟଟିକୁ ଛୁଆଁଇବା ମାତ୍ରେ ସେହି ଛୋଟ କୀଟ ଏକ ତକ୍ଷକ ଭଳି ଭୟଙ୍କର ସାପ ହୋଇଗଲା ଏବଂ ଦଂଶନ କରିବା ମାତ୍ରେ ପରୀକ୍ଷିତଙ୍କ ଶରୀର ନଷ୍ଟ ହୋଇଗଲା । ପରୀକ୍ଷିତଙ୍କ ମୃତ୍ୟୁ ପରେ, କଳୀ ଯୁଗର ଆଗମନକୁ ରୋକିବା ପାଇଁ କେହି ନଥିଲେ । ଫଳରେ ସେହି ଦିନଠାରୁ କଳୀ ତାଙ୍କ ଶାସନ ଆରମ୍ଭ କରିଦେଇଥିଲେ ।

ତକ୍ଷକଦ୍ୱାରା ପିତାଙ୍କର ମୃତ୍ୟୁର ପ୍ରତିଶୋଧ ନେବାକୁ ପୁତ୍ର ଜନ୍ମେଜୟ ସର୍ପଯଜ୍ଞ ଅନୁଷ୍ଠାନ କରିଥିଲେ, ଯେଉଁଥିରେ ସମଗ୍ର ଜଗତର ବହୁ ସଂଖ୍ୟକ ସର୍ପମାନେ ଟାଣି ହୋଇ ଆସି ଯଜ୍ଞକୁଣ୍ଡରେ ବଳିଦାନ ଭାବେ ଭସ୍ମୀଭୂତ ହୋଇଥିଲେ ।

ଐତିହାସିକ ତଥ୍ୟ[ସମ୍ପାଦନା]

ଉପର ବର୍ଣ୍ଣିତ ପରୀକ୍ଷିତଙ୍କ ବ୍ୟତୀତ ଏହି ନାମରେ ଅନ୍ୟ ଚାରିଜଣ ରାଜା ମଧ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ହେଉଛନ୍ତି କୁରୁବଂଶୀ ଏବଂ ଜଣେ ଇକ୍ଷ୍ୱାକୁ ବଂଶୀ । ପ୍ରଥମ ତିନିଜଣଙ୍କ ମଧ୍ୟରେ ପ୍ରଥମ ଜଣକ ଏକ ବୈଦିକ ରାଜା ଥିଲେ । ଦ୍ୱିତୀୟ ଜଣକ ରାଜା ଅରୁଗ୍‌ବତ୍‌ ତଥା ମାଗଧୀ ଅମୃତାଙ୍କ ପୁତ୍ର ଆଉ ଶାନ୍ତନୁଙ୍କ ପ୍ରପିତାମହ ଥିଲେ । ତୃତୀୟ ଜଣକ କୁରୁ ଅବିକ୍ଷିତ ଏବଂ ବାହିନିଙ୍କ ପୁତ୍ର ଥିଲେ ଏବଂ ଚତୁର୍ଥ ଜଣକ ଅଯୋଧ୍ୟାର ଇକ୍ଷ୍ୱାକୁ ବଂଶୀୟ ନରେଶ ଥିଲେ ।

ଆଧାର[ସମ୍ପାଦନା]

  1. "The Kuru Lineage - What happened after Mahabharata War?". VedicFeed. 27 August 2019. Retrieved 29 December 2020.
  2. "The story of Raja Parikshit and snake sacrifice by Janmejaya". Indian mythology. 5 December 2013. Retrieved 29 December 2020.