ଶ୍ରୀମନ୍ଦିର ବେଢ଼ା-ଦେବାଦେବୀ

ଉଇକିପିଡ଼ିଆ‌ରୁ

ଅରୁଣ ସ୍ତମ୍ଭ[ସମ୍ପାଦନା]

ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ୨୫ ଫୁଟ୍୨ ଇଞ୍ଚ ସ୍ତମ୍ଭଟି ପୀଠର ଉପରଠାରୁ ଅରୁଣଙ୍କ ପାଦ ପର୍ଯ୍ୟନ୍ତ ଓ ପୀଠର ପତନଠାରୁ ଅରୁଣଙ୍କ ଶିଖା ପର୍ଯ୍ୟନ୍ତ ଉଚ୍ଚତା ୩୩ ଫୁଟ୍ ୮ ଇଞ୍ଚ, ଗୋଟିଏ ମୁଗୁନି ପଥରରେ ଗଢ଼ା।ଷୋହଳଟି କୋଣ (ମୁହଁ ପଗ ପାଗ) ଅଛି । ସୂର୍ଯ୍ୟ ଦେବଙ୍କ ସାରଥୀ ଅରୁଣ ଯୋଡ଼ହସ୍ତରେ ଉପବିଷ୍ଟ କ୍ଷୁଦ୍ର ମୂର୍ତ୍ତି ବିଶାଳ ଉପରେ ଉପବିଷ୍ଟ।ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମରହଟ୍ଟା ରାଜତ୍ୱ ସମୟରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟିକୁ ନିଖୁଣ ଅବସ୍ଥାରେ କୋଣାର୍କରୁ ଅଣାଇ ପୁରୀ ଶ୍ରୀମନ୍ଦିରଠାରେ ପ୍ରତିଷ୍ଠିତ କରାଇଥିଲେ।ଅନ୍ୟ ଐତିହାସିକ ମତାନୁଯାୟୀ ମରହଟ୍ଟା ଶାସକ ବାଲବ୍ରହ୍ମଚାରୀ ଏହାକୁ କୋଣାର୍କରୁ ସ୍ଥାନାନ୍ତରିତ କରି ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନା କରିଥିଲେ । ଅରୁଣ ସ୍ତମ୍ଭ ଅରୁଣ ବା ଜ୍ୟୋତିର ପ୍ରତୀକ।ଶକ୍ତି ପ୍ରଦାୟକ।ଭକ୍ତ ମନରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶକ୍ତି ସଂଚାରିତ ହୋଇଥାଏ।ଏହାକୁ ସ୍ପର୍ଶ କରିବା ମାତ୍ରେ କାୟ-ମନ-ବାକ୍ୟକୁ ଏହା ଶକ୍ତ କରିଥାଏ ।

ମେଘନାଦ ପାଚେରୀ[ସମ୍ପାଦନା]

ଏହା ଶ୍ରୀମନ୍ଦିର ବାହାର ବେଢ଼ା ପ୍ରାଚୀର ଅଟେ।୧୦୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀ ନିର୍ମାଣ କରାଇଥିଲେ।ଏହାର ଦୈର୍ଘ୍ୟ ୬୬୫ ଫୁଟ୍, ୬୪୦ ଫୁଟ୍ ପ୍ରସ୍ଥ, ଉଚ୍ଚତା ୨୨ଫୁଟ୍ ଓ ସ୍ଥାନେ ସ୍ଥାନେ ୨୦ରୁ ୨୪ ଫୁଟ୍ ଉଚ୍ଚତା।

କୂର୍ମ ବେଢ଼ା[ସମ୍ପାଦନା]

ମେଘନାଦ ପାଚେରୀ ପରେ କୂର୍ମ ବେଢ଼ା ପାଚେରୀ ଶ୍ରୀମନ୍ଦିରର ଶୋଭା ବର୍ଦ୍ଧନ ଓ ସୁରକ୍ଷାରେ ବହୁତ ସହାୟକ ହୋଇ ଆସିଛି । ଏହାର ଦୈର୍ଘ୍ୟ ୪୨୦ ଫୁଟ୍, ୩୫୦ ଫୁଟ୍ ପ୍ରସ୍ଥ ୨୦ ଫୁଟ୍ ଉଚ୍ଚତାରେ ନିର୍ମିତ ହୋଇଛି।

ସିଂହଦ୍ୱାର[ସମ୍ପାଦନା]

ଏହାକୁ ଧର୍ମ ବା ମୋକ୍ଷ ଦ୍ୱାର ବୋଲି କୁହାଯାଏ।ଏହି ଦ୍ୱାରର ଦ୍ୱାରପାଳ ହନୁମାନ ଅଟନ୍ତି।ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ ଅଙ୍କରେ ଏହି ସିଂହଦ୍ୱାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ୱରେ ଦୁଇଟି ବୃହତ୍ ସିଂହ ମୂର୍ତ୍ତି ରହିଛି।ଗୋଲାକାର ସ୍ଥମ୍ଭ ସଂଲଗ୍ନିତ ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟିର ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ୱାର(ମୁଖ୍ୟ ଦ୍ୱାର)ରେ ଲାଗି ରହିଛି, ଯାହାର ଉଚ୍ଚତା ଅଢ଼େଇ ଫୁଟ୍ ଓ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି । ସିଂହଦ୍ୱାରର ଉପର ପାର୍ଶ୍ୱରେ ଦଶାବତାର ଓ ଦ୍ୱାରର ନିମ୍ନ ଦେଶରୁ ୨୨ ଫୁଟ୍ ଉଚ୍ଚରେ ଠିକ୍ ମଧ୍ୟ ଭାଗରେ ମା'ଲକ୍ଷ୍ମୀ (କ୍ଷେତ୍ରାଧିଶ୍ୱରୀ-ଅନ୍ନପୂର୍ଣ୍ଣା) ପ୍ରତିଷ୍ଠିତା ।

ପତିତପାବନ[ସମ୍ପାଦନା]

ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ ଅଟେ।ସିଂହଦ୍ୱାର ଗୁମୁଟ ଭିତରେ ଡାହାଣ ପଟରେ ବିଦ୍ୟମାନ।ଯେଉଁମାନେ ଧର୍ମାନ୍ତର ହେଉଥିଲେ ,ସେମାନେ ମନ୍ଦିର ନ ଯାଇପାରି ଅରୁଣ ସ୍ତମ୍ଭରୁ ପତିତପାବନଙ୍କୁ ଦର୍ଶନ କରିପାରୁଥିଲେ।ପରମ୍ପରା ଅନୁଯାୟୀ ପତିତପାବନଙ୍କର ଅଣସର ବିଧି, ଦୁଆର ଫିଟା, ମଙ୍ଗଳ ଆଳତୀ, ବିଭିନ୍ନ ବେଶ ପ୍ରମୁଖ କରାଯାଏ । ପୂର୍ବାଭିମୁଖୀ ଶ୍ରୀପତିତପାବନ ବିଗ୍ରହଙ୍କୁ ଦର୍ଶନ କରି ଭକ୍ତ ଭକ୍ତି ଭାବରେ ସାକ୍ଷାତ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ ଧନ୍ୟ ହୋଇଥାଏ ।[୧]

  1. https://www.tourmyindia.com/pilgrimage/puri.html