ଲାଞ୍ଜିଆ ସଉରା ଜନଜାତି

ଉଇକିପିଡ଼ିଆ ରୁ
Jump to navigation Jump to search

ଲାଞ୍ଜିଆ ସଉରା ଜନ‌ଜାତି ସଂପ୍ରଦାୟର ଆଦିବାସୀ ମାନେ ମୂଖ୍ୟତଃ ଓଡ଼ିଶାର ଗଜପ‌ତି ଜିଲ୍ଲାରେ ବସ‌ବାସ କରନ୍ତି।

ପ୍ରତ୍ୟେକ ମନୁଷ୍ୟ ନିଜର ସୁରକ୍ଷା ପାଇଁ ଗୃହର ଆବଶ୍ୟକତା ଅନୁଭବ କରିଥାଏ । ଗୃହ ମନୁଷ୍ୟକୁ ପ୍ରତିକୂଳ ପରିବେଶ ତଥା ଶତୃ ଦାଉରୁ ରକ୍ଷା କରିଥାଏ । ଆଜିର ବିଜ୍ଞାନ ଯୁଗରେ ମନୁଷ୍ୟ ଯେ କେବଳ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଗୃହ ନିର୍ମାଣ କରୁଛି ତା ନୁହେଁ ବରଂ ଆଜି ଗୃହ ବିଳାସ ଏବଂ ସଂଭ୍ରାନ୍ତତାର ପ୍ରତୀକରେ ପରିଣତ ହୋଇଛି । ଏହି ବିଜ୍ଞାନ ଯୁଗରେ ମଧ୍ୟ ଲାଞ୍ଜିଆ ସଉରା ଆଦିମ ଜନ ଜାତିର ଆଦିବାସୀ ମାନେ ସଭ୍ୟତା ଠାରୁ ବହୁତ ଦୂରରେ ରହିଛନ୍ତି । ଯଦିଓ ସେମାନେ ନିରକ୍ଷର, ତଥାପି ସେମାନଙ୍କର ଗୃହ ଓ ଏହାର ନିର୍ମାଣ ଶୈଳୀ ଦେଖିଲେ ମନେ ହୁଏ ସତେ ଯେପରି ପ୍ରକୃତି ସେମାନଙ୍କୁ ବିଜ୍ଞାନର ସମସ୍ତ କଳା ଓ କୌଶଳ ନିଜର ସ୍ୱତନ୍ତ୍ର ଶୈଳୀରେ ଶିଖାଇ ଦେବାର ଦାୟିତ୍ୱ ବ‌ହ‌ନ କରିଛି ।

ଗୃହ ଗଠନ ଶୈଳୀ[ସମ୍ପାଦନା]

"ପ୍ରିମିଟିଭ‌‌‌୍ ଟ୍ରାଇବ୍" ବା ଆଦିମ ଜନ ଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଏମାନଙ୍କର ଘରକୁ ସଉରା ଭାଷାରେ "ସିହିଂ" ବୋଲି କୁହାଯାଏ।ଏହା ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି ହୋଇଥାଏ। ଘରର କାନ୍ଥରେ ଗୋବରର ଲେପ ଦିଆଯାଇଥାଏ। ଘରର ଲମ୍ବ ପ୍ରାୟତଃ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚ୍ଚତା ୫ଫୁଟ ହୋଇଥାଏ । ଘରର ମୂଖ୍ୟ ଦ୍ୱାର କାନ୍ଥର ମଝିଆ ମଝି ରହିଥାଏ । ଝରକାର ବନ୍ଧ କାଠ ବା ବାଁଉଶଦ୍ୱାରା ନିର୍ମିତ ହୋଇଥାଏ ଏବଂ ଏହାର ଆକାର ଗୋଲ ଅଟେ । ପ୍ରତି ଘରକୁ ପ୍ରବେଶ କରିବା ପାଇଁ ୧/୨ ପାହାଚ ରହିଥାଏ । ଘରର ଚାଳ ସାମନା ଭାଗ ନୁଆଁଣିଆ ହୋଇଥାଏ । ପ୍ରତ୍ୟକ ଘରର ବାହାର କାନ୍ଥରେ ଝୋଟି ଚିତ୍ର ଅଙ୍କା ହୋଇଥାଏ । ପ୍ରାୟତଃ ଏମାନେ ପଦ୍ମ ଓ ସ୍ୱସ୍ତିକ୍ ଚିତ୍ର ଆଙ୍କିଥାନ୍ତି । ଝୋଟି ପକାଇବା ପାଇଁ ଏମାନେ ସାଧାରଣତଃ ଧଳା ପଥର ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତ୍ୟେକ ଘରର ବାହାର କାନ୍ଥରେ ନାଲି ମାଟିରେ ପାଢି ବନା ହୋଇଥାଏ ।ସାଧାରଣତଃ ଲାଞ୍ଜିଆ ସଉରା ଜନ ଜାତିର ଆଦିବାସୀ ମାନେ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରଖନ୍ତି ନାହିଁ । ଯଦି କବାଟ ରହିବ ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହିବ । ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀ ମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି ।ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ। ଘରର ଭିତର ପାର୍ଶ୍ୱରେ ମାଟିର ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଇଥାଏ।ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ,ଧାନ ଆଦି ସାଇତି ରଖିବା ପାଇଁ ବ୍ୟବ‌ହାର କରିଥାନ୍ତି।ରୋଷେଇଶାଳ ଭିତରେ କାଠ ପଟାରେ ଭାଡି ନିର୍ମାଣ କରାଯାଇଥାଏ,ଏହାକୁ "ଆଟୁ" ବୋଲି କୁହାଯାଏ।ଏହି "ଆଟୁ"ରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ,ଶୁଖୁଆ ଆଦି ବ‌ହୁତ ଦିନ ଯାଏ ସାଇତି ରଖନ୍ତି।ସଉରା ମାନେ ମାଟି ଚୁଲି ବ୍ୟବ‌ହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡା" ବୋଲି କୁହାଯାଏ। ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ।ଏହା ବିରି,କାନ୍ଦୁଲ,ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବ‌ହୃତ ହୋଇଥାଏ।ଆହୁରି ମଧ୍ୟ ପିଣ୍ଡାରେ ବଡ ଗାତ କରି କାଠର ଆବରଣ ଦିଆଯାଇଥାଏ। ତା ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ।ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ। ଯଦିଓ ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ହିଁ ତିଆରି ହୋଇଥାଏ କିନ୍ତୁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନ‌ଥାଏ। କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ।ଲାଞ୍ଜିଆ ସଉରା ମାନେ ଖୁବ୍ ଠାକୁର ବିଶ୍ୱ୍ୱାସୀ। ପ୍ରତ୍ୟକଙ୍କ ଘରେ ବିଭିନ‌୍ନ ଦେବାଦେବୀ ବିଶେଷ ଭାବରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ଫଟୋ ବା ପ୍ରତିମୂ୍ର୍ତ୍ତି ପୁଜା ପାଇଥାଏ।

ବିଶ୍ୱାସ,ଅନ୍ଧବିଶ୍ୱାସ ଓ ବିଜ୍ଞାନ[ସମ୍ପାଦନା]

ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।ବର୍ଷା ପାଣି ଜମି ନ ରହି ସ‌ହଜରେ ଗଡି ଯିବା ପାଇଁ ଚାଳ ଖୁବ୍ ନୁଆଁଣିଆ ହୋଇଥାଏ।ମୁଖ୍ୟ ଦ୍ୱାରର ଉଚ୍ଚତା ଛୋଟ ହୋଇଥିବାରୁ ବର୍ଷା ପାଣି ଘର ଭିତରକୁ ପଶିପାରେ ନାହିଁ ଏବଂ ଝଡ ବାତ୍ୟାରେ ମଧ୍ୟ ଘର ଭିତରର ଜିନିଷ ନଷ୍ଟ ହୁଏ ନାଁହି।ଘର ଭିତରେ ତିଆରି ହୋଇଥିବା "ମେର୍ଦା" ସେମାନଙ୍କୁ ଖରା ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡିପାରେ ନାଁହି।ଲାଞ୍ଜିଆ ସଉରା ମାନେ ବିଶ୍ୱାସ କରନ୍ତି ଯେ ଘର ଭିତରେ କୌଣସି ଜୀବ ଜନ୍ତୁଙ୍କ ମାଂସ କାଟିଲେ ଅଶୁଭ ଫଳ ମିଳିଥାଏ । ତେଣୁ ଏହି କାମ ସେମାନେ ବାରିରେ କରିଥାନ୍ତି । ଜଦିଓ ଲାଞ୍ଜିଆ ସଉରା ଲୋକମାନେ ଶିକ୍ଷା ଓ ଆଧୁନିକତା ଠାରୁ ବହୁ ଦୁରରେ ରହିଛନ୍ତି,ତଥାପି ସେମାନଙ୍କ ନିଆରା ଘର ତିଆରି ଶୈଳୀରୁ ଏହା ପ୍ରତୀତ ହେଉଛି ଯେ ସେମାନେ ଅତି କୁଶଳୀ ,ପରିଶ୍ରମୀ ଓ ବୁଦ୍ଧିମାନ । ନିଜର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ମାତା ସେମାନଙ୍କୁ ଯଥେଷ୍ଟ ଶିକ୍ଷା ଦାନ କରିଛି।ସେମାନଙ୍କ ପାଇଁ ଗୃହ ଯେ କେବଳ ଏକ ମୁଣ୍ଡ ଗୁଞ୍ଜିବା ସ୍ଥାନ ତା ନୁହେଁ ବରଂ ଏହା ଏପରି ଏକ ପବିତ୍ର ସ୍ଥାନ ଯାହା ତାକୁ ଓ ତା ପରିବାରକୁ ସମସ୍ତ ପ୍ରକାର ପ୍ରତିକୂଳତାରୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିଥାଏ।


ଆଧାର[ସମ୍ପାଦନା]