ଲାଞ୍ଜିଆ ସଉରା ଜନଜାତି
ଲାଞ୍ଜିଆ ସଉରା ଜନଜାତି ଏକ ଭାରତୀୟ ଜନଜାତି ଓ ଏକ ସଉରା ଉପଜାତି । ସେମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡ଼ ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି ।
ଗୃହ ଗଠନ ଶୈଳୀ
[ସମ୍ପାଦନା]ଲାଞ୍ଜିଆ ସଉରା ଜନଜାତିମାନଙ୍କ ପାରମ୍ପାରିକ ଘରକୁ ସଉରା ଭାଷାରେ "ସିହିଂ" ବୋଲି କୁହାଯାଏ । ଏହା ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି ହୋଇଥାଏ । ଘରର କାନ୍ଥରେ ଗୋବରର ଲେପ ଦିଆଯାଇଥାଏ । ଘରର ଲମ୍ବ ପ୍ରାୟତଃ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚ୍ଚତା ୫ଫୁଟ ହୋଇଥାଏ । ଘରର ମୁଖ୍ୟ ଦ୍ୱାର କାନ୍ଥର ମଝିଆ ମଝି ରହିଥାଏ । ଝରକାର ବନ୍ଧ କାଠ ବା ବାଁଉଶଦ୍ୱାରା ନିର୍ମିତ ହୋଇଥାଏ ଏବଂ ଏହାର ଆକାର ଗୋଲ ହୋଇଥାଏ । ପ୍ରତି ଘରକୁ ପଶିବା ପାଇଁ ଅଧା ପାହାଚ ରହିଥାଏ । ଘରର ଚାଳ ସାମନା ଭାଗ ନୁଆଁଣିଆ ହୋଇଥାଏ । ପ୍ରତ୍ୟକ ଘରର ବାହାର କାନ୍ଥରେ ଝୋଟି ଚିତ୍ର ଅଙ୍କା ହୋଇଥାଏ । ପ୍ରାୟତଃ ଏମାନେ ପଦ୍ମ ଓ ସ୍ୱସ୍ତିକ ଚିତ୍ର ଆଙ୍କିଥାନ୍ତି । ଝୋଟି ପକାଇବା ପାଇଁ ଏମାନେ ସାଧାରଣତଃ ଧଳା ପଥର ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତ୍ୟେକ ଘରର ବାହାର କାନ୍ଥରେ ନାଲି ମାଟିରେ ପାଢ଼ି ତିଆରି ହୋଇଥାଏ । ସାଧାରଣତଃ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରହେନାହିଁ । କବାଟ ରହିଲେ ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହେ । ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି । ଘର ଭିତରେ ଦୁଇ-ତିନିଟି ବଖରା ଓ ରୋଷେଇଶାଳ ଅଲଗା ଥାଏ । ଘରର ଭିତରେ ମାଟି ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଇଥାଏ । ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ, ଧାନ ଆଦି ସାଇତି ରଖିବା ପାଇଁ ବ୍ୟବହାର କରିଥାନ୍ତି । ରୋଷେଇଶାଳ ଭିତରେ କାଠ ପଟାରେ ଭାଡ଼ି ଗଢ଼ାଯାଇଥାଏ ଓ ଏହାକୁ "ଆଟୁ" କୁହାଯାଏ । ଏହି ଆଟୁରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ, ଶୁଖୁଆ ଆଦି ବହୁତ ଦିନ ଯାଏ ସାଇତିରଖନ୍ତି । ସେମାନେ ମାଟି ଚୁଲି ବ୍ୟବହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡ଼ା" ବୋଲି କୁହାଯାଏ । ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ । ଏହା ବିରି, କାନ୍ଦୁଲ, ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବହୃତ ହୋଇଥାଏ । ପିଣ୍ଡାରେ ବଡ଼ ଗାତ କରି କାଠର ଆବରଣ ଦିଆଯାଇଥାଏ । ତା' ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ । ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ । ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ତିଆରି ହୋଇଥିଲେ ହେଁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନଥାଏ । କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ ।
ବିଶ୍ୱାସ,ଅନ୍ଧବିଶ୍ୱାସ ଓ ବିଜ୍ଞାନ
[ସମ୍ପାଦନା]ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।ବର୍ଷା ପାଣି ଜମି ନ ରହି ସହଜରେ ଗଡ଼ି ଯିବା ପାଇଁ ଚାଳ ଖୁବ୍ ନୁଆଁଣିଆ ହୋଇଥାଏ।ମୁଖ୍ୟ ଦ୍ୱାରର ଉଚ୍ଚତା ଛୋଟ ହୋଇଥିବାରୁ ବର୍ଷା ପାଣି ଘର ଭିତରକୁ ପଶିପାରେ ନାହିଁ ଏବଂ ଝଡ଼ ବାତ୍ୟାରେ ମଧ୍ୟ ଘର ଭିତରର ଜିନିଷ ନଷ୍ଟ ହୁଏ ନାଁହି।ଘର ଭିତରେ ତିଆରି ହୋଇଥିବା "ମେର୍ଦା" ସେମାନଙ୍କୁ ଖରା ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡିପାରେ ନାଁହି।ଲାଞ୍ଜିଆ ସଉରାମାନେ ବିଶ୍ୱାସ କରନ୍ତି ଯେ ଘର ଭିତରେ କୌଣସି ଜୀବ ଜନ୍ତୁଙ୍କ ମାଂସ କାଟିଲେ ଅଶୁଭ ଫଳ ମିଳିଥାଏ । ତେଣୁ ଏହି କାମ ସେମାନେ ବାରିରେ କରିଥାନ୍ତି । ଜଦିଓ ଲାଞ୍ଜିଆ ସଉରା ଲୋକମାନେ ଶିକ୍ଷା ଓ ଆଧୁନିକତାଠାରୁ ବହୁ ଦୁରରେ ରହିଛନ୍ତି,ତଥାପି ସେମାନଙ୍କ ନିଆରା ଘର ତିଆରି ଶୈଳୀରୁ ଏହା ପ୍ରତୀତ ହେଉଛି ଯେ ସେମାନେ ଅତି କୁଶଳୀ ,ପରିଶ୍ରମୀ ଓ ବୁଦ୍ଧିମାନ । ନିଜର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ମାତା ସେମାନଙ୍କୁ ଯଥେଷ୍ଟ ଶିକ୍ଷା ଦାନ କରିଛି।ସେମାନଙ୍କ ପାଇଁ ଗୃହ ଯେ କେବଳ ଏକ ମୁଣ୍ଡ ଗୁଞ୍ଜିବା ସ୍ଥାନ ତା ନୁହେଁ ବରଂ ଏହା ଏପରି ଏକ ପବିତ୍ର ସ୍ଥାନ ଯାହା ତାକୁ ଓ ତା ପରିବାରକୁ ସମସ୍ତ ପ୍ରକାର ପ୍ରତିକୂଳତାରୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିଥାଏ।