ରଥଖଳା

ଉଇକିପିଡ଼ିଆ ରୁ
Jump to navigation Jump to search
ରଥଖଳାରେ ରଥ ନିର୍ମାଣ କାମ

ପବିତ୍ର ଘୋଷଯାତ୍ରା ପାଇଁ ରଥଖଳାରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କରାଯାଏ । ସିଂହଦ୍ୱାରାଠାରୁ ଅଳ୍ପ ଦୂରରେ ଦେବୀ ଚର୍ଚ୍ଚିକାଙ୍କ ପାଖରେ ରଥଖଳା ଅବସ୍ଥିତ ।

କିମ୍ବଦନ୍ତୀ[ସମ୍ପାଦନା]

ଓଡ଼ିଶାର ଆରାଧ୍ୟ ଦେବତା ତ‌ଥା ଜଗତରେ ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କରାଯାଏ । ଦେବୀ ଚର୍ଚ୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟଦେବୀ । ଶ୍ରୀନଅର ସମ୍ମୁଖରେ ଏହି ଦେବୀ ବିରାଜିତା । ତେଣୁ ସେହି ସ୍ଥାନରେ ରଥଖଳା କରାଯାଇ ରଥ ନିର୍ମାତା ବିଶ୍ୱକର୍ମା ଓ ସହଯୋଗୀ ମହାରଣାଙ୍କଦ୍ୱାରା କରାଯାଏ ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯାଏ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ରଥ ନିର୍ମଣ ସୁରୁଖୁରୁରେ ସଂପନ୍ନ ହେଇଥାଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ପ୍ରତ୍ୟେକ ରଥନିର୍ମାଣର ବିଶେଷ ବିଧି ରହି ଆସିଛି ।

ରଥ ନିର୍ମାଣ ବିଧି[ସମ୍ପାଦନା]

ଓଡ଼ିଶାର ବିଭିନ୍ନ ଜଙ୍ଗଲରୁ ଆବଶ୍ୟକୀୟ କାଷ୍ଠ ସଂଗ୍ରହ କରାଯିବା ପରେ ବସନ୍ତ ପଞ୍ଚମୀରେ ପୂଜା କରାଯାଇଥାଏ ।[୧] ଏହା ପରେ ଶ୍ରୀରାମ ନବମୀଠାରୁ ଏହି କାଠର ବକଳକୁ ବାହାର କରିଦିଆଯାଇ ଆବଶ୍ୟକ ମାପରେ ଚିରାଯାଇଥାଏ । ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାରୁ ଶୁଭାଆରମ୍ଭ ହୋଇଥାଏ । ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ କରାଯାଇଥାଏ । ରଥର ଆବଶ୍ୟକୀୟ ସମସ୍ତ ଉପକରଣ ତିଆରି ପରେ ଅନ୍ୟୁନ ୬ଟି ଚକର କାର୍ଯ୍ୟ ସମାପ୍ତି କରି ଭଉଁରୀ ଉତ୍ସବ ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗିକରାଯାଏ ।[୨] ବଢ଼େଇମାନେ ପ୍ରଥମେ ତିନି ରଥର ଚକ ପାଇଁ ଆବଶ୍ୟକୀୟ କାର୍ଯ୍ୟ ସମ୍ପନ୍ନ କରନ୍ତି ଏବଂ ଚକ‌କୁ ଅଖ ସ‌ହ ସଂଯୋଗ କରିଥାନ୍ତି । ଏହାପରେ ଦେବସ୍ନାନ ପୂର୍ଣ୍ଣିମାଦିନ ଚାରି ନାହକ ଡେରା ଅନୁକୂଳ କରାଯାଇଥାଏ । ଏବଂ ଶେଷରେ ରଥ ନିର୍ମାଣ କାର୍ଯ୍ୟ ସରିଲା ପରେ ଶ୍ରୀ ଗୁଣ୍ଡିଚାର ପୂର୍ବଦିନ ରଥକୁ ସିଂହଦ୍ୱାର ଯାଏ ଟାଣି ଟାଣି ନିଆଯାଏ ।

ରଥଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ

ରଥତ୍ରୟର ଏହି ନିର୍ମାଣ କାର୍ଯ୍ୟକୁ ପୁରୀ ପୂର୍ତ୍ତ ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର ଏବଂ ବିଶେଷଜ୍ଞ କମିଟି ତଦାରଖ କରିଥାନ୍ତି। ରଥଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପ୍ରଥା ଅନୁଯାୟୀ ଟ.୫୦/- ଫିସ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି।

ରଥରେ ଲାଗୁଥିବା ଘୋଡ଼ା ଏବଂ ପାର୍ଶ୍ୱଦେବତାମାନଙ୍କୁ ସବୁବର୍ଷ ତିଆରି କରିବା ପରିବର୍ତ୍ତେ ନବକଳେବର ବର୍ଷରେ ହେଉଥିବା ରଥଯାତ୍ରାରେ ନୂଆ କରି ନିର୍ମାଣ କରାଯାଇଥାଏ ଏବଂ ଅନ୍ୟ ବର୍ଷମାନଙ୍କରେ ଏହାକୁ ଚିତ୍ରକାର ସେବାୟତଙ୍କର ରଙ୍ଗକାମ ପରେ ରଥରେ ଖଞ୍ଜିଦିଆଯାଇଥାଏ ।[୩]

ଉପକରଣ[ସମ୍ପାଦନା]

ରଥ ନିର୍ମାଣ କରିବା ପାଇଁ ମୁଖ୍ୟତଃ ମହାରଣା ତ‌ଥା ବିଶ୍ୱକର୍ମା ସେବାୟତମାନେ କୌଣସି ଅତ୍ୟାଧୁନିକ ଯନ୍ତ୍ରପାତି(ଡrilling machines or nail guns, Electronic Wood Cutter) ମାନଙ୍କର ବ୍ୟବ‌ହାର କରନ୍ତି ନାହିଁ ବରଂ ପୁରାତନ ଯୁଗରୁ ବ୍ୟବ‌ହାର ହୋଇ ଆସିଥିବା ନିହାଣ, କରତ, ବାରିସି, ରଞ୍ଜା, ହାତୁଡ଼ି, ଆଗଡ଼ ଆଦିର ବ୍ୟବ‌ହାର କରଥାନ୍ତି ।[୨]

ସବୁଠାରୁ ଆଶ୍ଚର୍ଯ୍ୟର କଥାଯେ, ରଥ ନିର୍ମାଣରେ ନିୟୋଜିତ ମହାରଣା ତ‌ଥା ବିଶ୍ୱକର୍ମା ସେବକମାନେ ମାପିବା ପାଇଁ କୌଣସି ମାପକ ଯନ୍ତ୍ରର ବ୍ୟବ‌ହାର କରନ୍ତି ନାହିଁ । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ ସମସ୍ତ ମାପକୁ ସେମାନେ ହାତ ଆଙ୍ଗୁଳି ମାପ ଭାବରେ ବ୍ୟବ‌ହାର କରିଥାନ୍ତି ।[୨] ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ ସମସ୍ତ ତ‌ଥ୍ୟ ଏକ ନଥିରେ ଏହି ସେବାୟତ ମାନଙ୍କର ପୂର୍ବଜମାନେ ଉଲ୍ଲେଖ କରିଯାଇଛନ୍ତି । ଏବଂ ପ୍ରତ୍ୟେକ ବର୍ଷ ରଥ ନିର୍ମାଣ ସମୟରେ ଏହିସବୁ ନଥିକୁ ବ୍ୟବ‌ହାର କରି ନିୟୋଜିତ ସେବାୟତ ମାନେ ସୂଚାରୁରୂପେ ରଥ ନିର୍ମାଣ କରିଥାନ୍ତି । ସେଥିପାଇଁ ସେମାନେ ରଥ ନିର୍ମାଣ କରିବା ବେଳେ ଆଧୁନିକ ସାମଗ୍ରୀର ଆବଶ୍ୟକତା ମନେ କରନ୍ତି ନାହିଁ । ମୁଖ୍ୟତଃ ପୂର୍ବଜମାନଙ୍କର ଦିଗ ତ‌ଥା ରଥ ନିର୍ମାଣର ଶୈଳୀକୁ ଅନୁଧ୍ୟାନ କରି ରଥ ନିର୍ମାଣ କରିବାର କାର୍ଯ୍ୟ ଅନେକ ବର୍ଷରୁ ଚାଲିଆସିଛି ଏବଂ ଏହା ପିଢ଼ୀ ପିଢ଼ୀ ଧରି ଚାଲିଛି ।

ରଥଖଳାରେ ରଥ ନିର୍ମାଣ ପାଇଁ ନିୟୋଜିତ ସେବାୟତ ଗଣ[ସମ୍ପାଦନା]

ରଥଯାତ୍ରା ପାଇଁ ବ୍ୟବ‌ହୃତ ତିନି ରଥର ନିର୍ମାଣ ପାଇଁ ରଥଖଳାରେ ମୁଖ୍ୟତଃ ୫୫ ଜଣ ମହାରଣା ସେବୟତ ନିୟୋଜିତ ହୋଇଥାନ୍ତି, ଯେଉଁମାନେ ରଥ ନିର୍ମାଣର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ରଥ ନିର୍ମାଣରେ କାଠ ଆଦି ପ୍ରଦାନ କରିବାକୁ ୫୦ ଜଣ ଭୋଇ ସେବକଙ୍କର ଆବଶ୍ୟକ ପଡ଼ିଥାଏ । କାଠଗୁଡ଼ିକୁ ଆବଶ୍ୟକୀୟ ଆକାର ଅନୁସାରେ କାଟିବା ପାଇଁ ୪ ଜଣ ଦକ୍ଷ କରତିଆଙ୍କର ନିୟୋଜନ ହୋଇଥାଏ । ରଥରେ ଲାଗୁଥିବା ସମସ୍ତ ଲୌହ ଉପକରଣ ୧୦ ଜଣ କମାର ସେବକଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ରଥକୁ ଆକର୍ଷଣୀୟ କରିବା ପାଇଁ ମୁଖ୍ୟତଃ ବିଭିନ୍ନପ୍ରକାରର ପ୍ରତିକୃତି ମାନ ଖଞ୍ଜାଯାଇଥାଏ, ରଙ୍ଗରେ ବିଭିନ୍ନ କାରାକର୍ଯ୍ୟ କରାଯାଇଥାଏ । ଏହି ସବୁ କାରୁକାର୍ଯ୍ୟ କରିବା ପାଇଁ ୧୫ ଜଣ ରୂପକାର ଏବଂ ଚିତ୍ରକର ସେବକଙ୍କ ଆବଶ୍ୟକ ପଡ଼ିଥାଏ । ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି ।

ଆଧାର[ସମ୍ପାଦନା]

  1. "Wood worshiped at Ratha Khala on the auspicious day of Sri Basanta Panchami". Puri Waves. Retrieved 18 July 2016.
  2. ୨.୦ ୨.୧ ୨.୨ PANDA, NAMITA (29 May 2013). "Rath job rolls on in Puri". The Telegraph. Retrieved 18 July 2016.
  3. Sahu, Diana (18 July 2015). "Craftsmen of the Gods". The New Indian Express. Retrieved 18 July 2016.