ମୁସ୍ତାଙ୍ଗ ଗୁମ୍ଫା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମୁସ୍ତାଙ୍ଗ ଗୁମ୍ଫା
ମୁସ୍ତାଙ୍ଗ ଗୁମ୍ଫା is located in Nepal
ମୁସ୍ତାଙ୍ଗ ଗୁମ୍ଫା
ମୁସ୍ତାଙ୍ଗ ଗୁମ୍ଫା
ଉପର ମୁସ୍ତାଙ୍ଗ, ନେପାଳ ଯେଉଁଠାରେ ଆକାଶ ଗୁମ୍ଫାମାନ ଅବସ୍ଥିତ
Coordinates: 28°55′48″N 83°54′36″E / 28.93000°N 83.91000°E / 28.93000; 83.91000

ମୁସ୍ତାଙ୍ଗ ଗୁମ୍ଫା ବା ନେପାଳର ଆକାଶ ଗୁମ୍ଫା (ଇଂରାଜୀ ଭାଷାରେ Mustang Caves ବା Sky Caves of Nepal) ନେପାଳର ମୁସ୍ତାଙ୍ଗ ଜିଲ୍ଲାରେସ୍ଥିତ ପ୍ରାୟ ୧୦୦୦୦ଟି କୃତ୍ରିମ ଗୁମ୍ଫାର ସମାହାରକୁ ବୁଝାଇଥାଏ । ଏକ ପାହାଡ଼ର ଉପତ୍ୟକାରେ ପଥର ଚଟାଣକୁ ଖୋଳି ଏଗୁଡ଼ିକର ନିର୍ମାଣ କରାଯାଇଥିଲା ।[୧] ଅନେକ ପ୍ରତ୍ନତତ୍ତ୍ୱବିତ ଓ ଗବେଷକ ଏହି ଅଞ୍ଚଳର ସର୍ବେକ୍ଷଣ କରି ଏଠାରୁ ୨୦୦୦-୩୦୦୦ ବର୍ଷ ପ୍ରାଚୀନ ସଂରକ୍ଷିତ ମାନବ ଅବଶେଷ ଉଦ୍ଧାର କରିଛନ୍ତି ।[୨] ଏହା ବ୍ୟତୀତ ଏଠାରେ ହୋଇଥିବା ବିଭିନ୍ନ ସର୍ବେକ୍ଷଣରୁ ଖ୍ରୀଷ୍ଟାବ୍ଦ ଦ୍ୱାଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ କାଳର ବହୁ ମୂଲ୍ୟବାନ ବୌଦ୍ଧ ଚିତ୍ର, ମୂର୍ତ୍ତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ସାମଗ୍ରୀ ଆବିଷ୍କୃତ ହୋଇପାରିଛି ।[୩][୪] ଉପର ମୁସ୍ତାଙ୍ଗରେ କାଳୀ ଗଣ୍ଡକୀ ନଦୀର ଏକ ଗଭୀର ଉପତ୍ୟକାରେ ଏହି ଗୁମ୍ଫାଗୁଡ଼ିକ ଖୋଦିତ । ଏହି ଗୁମ୍ଫାମାନଙ୍କର ନିର୍ମାତା ବା ଗୁମ୍ଫା ନିର୍ମାଣର କାରଣ ଏଯାବତ ଗବେଷକମାନଙ୍କୁ ଜଣା ପଡ଼ିନାହିଁ । ୧୯୯୬ ମସିହାରୁ ଏହି ସ୍ଥାନକୁ ୟୁନେସ୍କୋ (UNESCO) ନିଜର ସମ୍ଭାବ୍ୟ ବା ପରୀକ୍ଷାମୂଳକ ସ୍ଥାନର ତାଲିକାରେ ସ୍ଥାନ ଦେଇଛି ।[୫]

ଇତିହାସ[ସମ୍ପାଦନା]

ଆକାଶ ଗୁମ୍ଫା
ଛୁସାଙ୍ଗ ଆକାଶ ଗୁମ୍ଫା
ଲୋମାନ୍ଥାଙ୍ଗର ଛୋସେର ଗ୍ରାମର ଆକାଶ ଗୁମ୍ଫା

ବର୍ତ୍ତମାନର ମୁସ୍ତାଙ୍ଗ ଅଞ୍ଚଳରେ ପୂର୍ବେ ଉତ୍ତର ନେପାଳର ଲୋ ସାମ୍ରାଜ୍ୟ ଗଢ଼ି ଉଠିଥିଲା ଯାହାର ରାଜଧାନୀ ଥିଲା ଲୋମାନ୍ଥାଙ୍ଗ । ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଏହି ରାଜ୍ୟ ନେପାଳରେ ସମ୍ମିଳିତ ହେଲା । ୧୯୯୨ ପର୍ଯ୍ୟନ୍ତ ଉପର ମୁସ୍ତାଙ୍ଗ ଏକ ଅଣସାମରିକ ସଂରକ୍ଷିତ ସ୍ଥଳ ଥିଲା । ପାରମ୍ପରିକ ତିବ୍ବତୀୟ ଭାଷାଭାଷୀ ଏଠାକାର ଅଧିବାସୀ ବାହ୍ୟ ଜଗତର ସଂସ୍ପର୍ଶରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚ୍ଛିନ୍ନ ରହି ନିଜର ସଂସ୍କୃତି ଓ ଜୀବନ ଶୈଳୀକୁ ବହୁ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିଥିଲେ ।[୬] ୨୦୦୮ ମସିହା ଅକ୍ଟୋବର ୭ ତାରିଖ ଦିନ ଏକ ଗଣତନ୍ତ୍ର ହେବା ପରେ ନେପାଳ ସରକାରଙ୍କ ଆଦେଶାନୁସାରେ ଏଠାରେ ରାଜକୀୟ ଶାସନର ଅନ୍ତ ଘଟିଲା ।[୭]

ମାନବ ଅବଶେଷ[ସମ୍ପାଦନା]

୧୯୯୦ ଦଶନ୍ଧିର ମଧ୍ୟ ଭାଗରେ କୋଲୋନ୍ ବିଶ୍ୱବିଦ୍ୟାଳୟ ଏବଂ ନେପାଳର କିଛି ପ୍ରତ୍ନତତ୍ତ୍ୱବିତ ଏହି ଗୁମ୍ଫାଗୁଡ଼ିକର ପରୀକ୍ଷଣ କରି ସେଥିରୁ ପ୍ରାୟ ୨୦୦୦ ବର୍ଷ ପୁରୁଣା ଅନେକ ସଂରକ୍ଷିତ ମାନବ କଙ୍କାଳ (ମମୀକୃତ ମାନବ ଅବଶେଷ) ପାଇଥିଲେ ।[୨]

୨୦୧୦ ମସିହାରେ ପର୍ବତାରୋହୀ ଓ ପ୍ରତ୍ନତତ୍ତ୍ୱବିତମାନଙ୍କ ଆଉ ଏକ ଦଳ ସାମଜୋଙ୍ଗ ନିକଟରୁ ଦୁଇଟି ବିରାଟ ଗୁମ୍ଫା ଓ ତନ୍ମଧ୍ୟରୁ ଆଉ ୨୭ଟି ମାନବ ଅବଶେଷ ଖୋଜି ପାଇଥିଲେ । ଏହି ସବୁ ଅବଶେଷ ପ୍ରାୟ ୩ୟରୁ ୮ମ ଶତାବ୍ଦୀ ସମୟର ଯେତେବେଳକୁ ବୌଦ୍ଧ ଧର୍ମ ମୁସ୍ତାଙ୍ଗରେ ପହଞ୍ଚି ନଥିଲା । ଏହି ସବୁ ହାଡ଼ରେ କଟା ଦାଗ ରହିଥିଲା । ତିବ୍ବତୀୟ ବୋନ ଧର୍ମ ବା ବୌଦ୍ଧ ଧର୍ମରେ ବା ମିଳିତ ପ୍ରଥାନୁଯାୟୀ ଆକାଶ ସମାଧିର ପ୍ରଥା ଯୋଗୁଁ ଏପରି ସମାଧି ନିର୍ମାଣ କରାଯାଇଥିବା ବିଭିନ୍ନ ବୈଜ୍ଞାନିକ ଅନୁମାନ କରନ୍ତି । ବର୍ତ୍ତମାନ ସୁଦ୍ଧା ମୁସ୍ତାଙ୍ଗରେ କୌଣସି ବ୍ୟକ୍ତି ପ୍ରାଣ ହରାଇଲେ ସେମାନଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିଦିଆଯାଏ ଯେପରିକି ଶାଗୁଣାମାନେ ସହଜରେ ଏଗୁଡ଼ିକୁ ଉଠାଇନେବେ । ମୁସ୍ତାଙ୍ଗର ଜୋମସୋମ ବିମାନବନ୍ଦରରୁ ଚାଲି ବାହାରିଲେ ୧୫ ମିନିଟ୍ ଦୂରରେ ମୁସ୍ତାଙ୍ଗ ଇକୋ ମ୍ୟୁଜିୟମ୍ ଅବସ୍ଥିତ । ଏହି ସଂଗ୍ରହାଳୟରେ ଗୁମ୍ଫାମାନଙ୍କରୁ ସଂଗୃହୀତ ଅନେକ ହାଡ଼, ମାଳି ଓ ଗଳା ହାର ଇତ୍ୟାଦି ରଖାଯାଇଛି ।[୮]

ଧାର୍ମିକ ମହତ୍ତ୍ୱ[ସମ୍ପାଦନା]

୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି ଓ ନେପାଳର ବିଭିନ୍ନ ଅନୁସନ୍ଧାନକାରୀ ଲୋମାନ୍ଥାଙ୍ଗ ନିକଟସ୍ଥ ଗୁମ୍ଫାମାନଙ୍କରୁ ତ୍ରୟୋଦଶ ଶତାବ୍ଦୀ କାଳର ଅନେକ ବୌଦ୍ଧ ଚିତ୍ର, ପାଣ୍ଡୁ ଲିପି, ମୃତ୍ତିକା ପାତ୍ରର ଅବଶେଷ ଓ କାରୁକାର୍ଯ୍ୟ ବିଶିଷ୍ଟ ବସ୍ତୁର ସନ୍ଧାନ ପାଇଥିଲେ ।[୩] ୨୦୦୮ ମସିହାରେ ହୋଇଥିବା ଅନ୍ୟ ଏକ ସର୍ବେକ୍ଷଣରେ ୬୦୦ ବର୍ଷ ପୁରୁଣା ମାନବ କଙ୍କାଳ, କିଛି ଚିତ୍ର ଓ ବୋନ-ବୌଦ୍ଧ ଧର୍ମର କିଛି ଲେଖା ମଧ୍ୟ ମିଳିଥିଲା ।[୯]

ବ୍ୟବହାର[ସମ୍ପାଦନା]

ବୈଜ୍ଞାନିକମାନଙ୍କ ମତରେ ଉପର ମୁସ୍ତାଙ୍ଗର ଗୁମ୍ଫାମାନ ୩ଟି ବିଭିନ୍ନ ସମୟରେ ବ୍ୟବହୃତ ହୋଇଛି । ଖ୍ରୀଷ୍ଟପୂର୍ବ ୧୦୦୦ ସମୟରୁ ଏହି ଗୁମ୍ଫାଗୁଡ଼ିକୁ ସମାଧିସ୍ଥଳ ଭାବେ ବ୍ୟବହାର କରାଯାଉଥିଲା । ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ଅନେକ ଯୁଦ୍ଧ ଘଟିଯାଇଥିବାରୁ ଲୋକେ ଏଠାରେ ନିଜ ପରିବାର ସହିତ ସୁରକ୍ଷିତ ରହିବା ପାଇଁ ଲୁଚି ରହୁଥିଲେ । ୧୪୦୦ ଶତାବ୍ଦୀ ବେଳକୁ ଏହି ଗୁମ୍ଫାଗୁଡ଼ିକ ଧ୍ୟାନ ପ୍ରକୋଷ୍ଠ, ଆଧ୍ୟାତ୍ମିକତା ତଥା ସାମରିକ ଦ୍ରବ୍ୟ ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ହେଉଥିଲା ।

ଆଧାର[ସମ୍ପାଦନା]

  1. Finkel, Michael. "Sky Caves of Nepal". National Geographic. Archived from the original on 12 June 2013. Retrieved 27 August 2013.
  2. ୨.୦ ୨.୧ BBC. "The ancient mysteries of Mustang's caves". BBC. Retrieved 29 December 2016.
  3. ୩.୦ ୩.୧ Sharma, Gopal. "Explorers find ancient caves and paintings in Nepal". Reuters. Retrieved 3 January 2017.
  4. Rahman, Maseeh. "Shepherd leads experts to ancient Buddha cave paintings". The Guardian. Retrieved 3 January 2017.
  5. "Cave architecture of Muktinath Valley of Mustang". UNESCO World Heritage Centre.
  6. Kaushik. "The mysterious caves of Mustang, Nepal". Amusing Planet. Retrieved 29 December 2016.
  7. Xinhua News Agency. "Nepali deputy PM asks district "king" to step down". China View News. Retrieved 3 January 2017.
  8. "ABC Travel Guide: Museums of Nepal".
  9. Owen, James. ""Shangri-La" caves yield treasures, skeletons". National Geographic. Retrieved 3 January 2017.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]