ମୁମ୍ବାଇ ଡବାବାଲା

ଉଇକିପିଡ଼ିଆ ରୁ
Jump to navigation Jump to search
ମୁମ୍ବାଇ ଡବାବାଲା
ରେଳଗାଡ଼ିରେ ଟିଫିନ୍ ଡବା ଚଢ଼ାଉଥିବା ଡବାବାଲା

ମୁମ୍ବାଇ ଡବ୍ୱାୱାଲା ବା ମୁମ୍ବାଇ ଡବାବାଲା (ଈଂରାଜୀରେ dabbawalas ଓ ହିନ୍ଦୀରେ मुंबई डब्बावाला, ମରାଠୀରେ मुंबईतील डबेवाले) ଏକ ପ୍ରକାରର ଖାଦ୍ୟ ଯୋଗାଣ ବ୍ୟବସ୍ଥାର ମାଧ୍ୟମ । ଘରୁ ବା ଭୋଜନାଳୟରୁ କର୍ମରତ ଲୋକଙ୍କ ପାଖରେ ମଧ୍ୟାହ୍ନ ଭୋଜନର ଟିଫିନ୍ ବାକ୍ସ ପହଞ୍ଚାଇବା ଓ ପୁଣି ଯଥାସ୍ଥାନକୁ ଫେରାଇ ନେବା ଏମାନଙ୍କ କାମ । ଏମାନଙ୍କ ସେବା କେବଳ ମୁମ୍ବାଇ ନଗରର ସୀମା ମଧ୍ୟରେ ସୀମିତ । ଏମାନଙ୍କୁ କିଛି ସ୍ଥଳେ ଟିଫିନ୍‍ବାଲା ବୋଲି ମଧ୍ୟ ସମ୍ବୋଧିତ କରାଯାଇଥାଏ । ଖାଦ୍ୟ ଥିବା ବାକ୍ସ ବା ଟିଫିନ୍ ଡବାଗୁଡ଼ିକ ସକାଳେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଏ, ତାହା ପରେ ସାଇକେଲ୍ କିମ୍ବା ରେଳଗାଡ଼ି ସହାୟତାରେ ଲୋକଙ୍କ ପାଖରେ ପହଞ୍ଚାଯାଏ, ଅପରାହ୍ନରେ ପୁଣି ଖାଲି ଡବା ଫେରେଇ ନିଆଯାଏ ଏବଂ ଯେଉଁଠାରୁ ଆସିଥିଲା ସେଠାରେ ପହଞ୍ଚାଇ ଦିଆଯାଏ । ଭୋଜନାଳୟରୁ ଗ୍ରାହକମାନଙ୍କ ପାଖକୁ ଖାଦ୍ୟ ଯୋଗାଣ କରିବା ପାଇଁ ମଧ୍ୟ ଡବାବାଲା ମୁମ୍ବାଇରେ ମାଧ୍ୟମ ରୂପେ କାମ କରିଥାନ୍ତି ।[୧] ୨୦୧୩ ମସିହାରେ ମୁକ୍ତି ଲାଭ କରିଥିବା ବଲିଉଡ୍ ଚଳଚ୍ଚିତ୍ର ଦ ଲଞ୍ଚ୍ ବକ୍ସ (The Lunchbox)ର କାହାଣୀ ଡବାବାଲାଙ୍କ ସହାୟତାରେ ମିଳୁଥିବା ଟିଫିନ୍ ବାକ୍ସ ଯୋଗାଣ ସେବା ଉପରେ ପର୍ଯ୍ୟବେଶିତ ଥିଲା ।


ଆରମ୍ଭ[ସମ୍ପାଦନା]

ପ୍ରାୟ ୧୦୦ ଜଣ କର୍ମଚାରୀଙ୍କୁ ନେଇ ୧୮୯୦ ମସିହାରେ ତତ୍କାଳୀନ ବମ୍ବେ (ଆଧୁନିକ ମୁମ୍ବାଇ) ନଗରରେ ମହାଦେଓ ହାୱଜୀ ବଚ୍ଚେ ଏକ ମଧ୍ୟାହ୍ନ ଭୋଜନ ଯୋଗାଣ ସେବାର ଆରମ୍ଭ କରିଥିଲେ ।[୨] ୧୯୩୦ ମସିହାରେ ସେ ସମସ୍ତ ମଧ୍ୟାହ୍ନ ଭୋଜନ ଯୋଗାଣ ସେବାରେ ଥିବା ଲୋକଙ୍କୁ ବା ଡବାବାଲାଙ୍କୁ ଏକତ୍ରିତ କରି ଏକ ସଂଗଠନ ଗଢ଼ିବାର ପ୍ରୟାସ କରିଥିଲେ । ପରେ ୧୯୫୬ ମସିହାରେ ନୂତନ ମୁମ୍ବାଇ ଟିଫିନ୍ ବକ୍ସ ସପ୍ଲାୟର୍ସ୍ ଟ୍ରଷ୍ଟ୍ (Nutan Mumbai Tiffin Box Suppliers Trust) ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ପଞ୍ଜୀକରଣ କରାଯାଇଥିଲା ।[୩] ଏହି ଟ୍ରଷ୍ଟର ବ୍ୟାବସାୟିକ ଅଙ୍ଗକୁ ୧୯୬୮ ମସିହାରେ ମୁମ୍ବାଇ ଟିଫିନ୍ ବକ୍ସ୍ ସପ୍ଲାୟର୍ସ୍ ଏସୋସିଏସନ୍ (Mumbai Tiffin Box Supplier's Association) ନାମରେ ପଞ୍ଜୀକୃତ କରାଗଲା ।[ଆଧାର ଲୋଡ଼ା] ବର୍ତ୍ତମାନ ସମୟରେ ଭାଉ ସାହେବ କରବନ୍ଦେ ଏହି ସଂସ୍ଥାର ସଭାପତି ଓ ସୁଭାଷ ତାଲେକର୍ ଏହାର ପ୍ରବକ୍ତା ।[୪][୩]

ନାମକରଣ[ସମ୍ପାଦନା]

ଟିଫିନ୍ ଡବା
ଟିଫିନ୍ ଡବାର ସଙ୍କେତୀକରଣ

“ଡବାବାଲା” ଶବ୍ଦର ଅର୍ଥ ହେଲା ଡବା ପରିବହନ କରୁଥିବା ବ୍ୟକ୍ତି । ପାରସୀ ଶବ୍ଦ " دَبّه"ରୁ ଉଦ୍ଧୃତ “ଡବ୍ୱା” ଶବ୍ଦ (ଓଡ଼ିଆ ଅପଭ୍ରଂଶ “ଡବା”) ସାଧାରଣତଃ ଆଲୁମିନିୟମ୍ ବା ଟିଣ ତିଆରି ସିଲିଣ୍ଡର୍ ଆକାରର ଟିଫିନ୍ ବାକ୍ସକୁ ବୁଝାଏ । ଧାରଣ କରୁଥିବା ବ୍ୟକ୍ତି ପାଇଁ “ୱାଲା” (ଓଡ଼ିଆ ଅପଭ୍ରଂଶ “ବାଲା”) ଏକ ପ୍ରତ୍ୟୟ ରୂପେ ଯୋଡ଼ାଯାଇଥାଏ ।[୫] ତେଣୁ ଟିଫିନ୍ ବାକ୍ସ ପରିବହନ ବା ଯୋଗାଣ କରୁଥିବା ବ୍ୟକ୍ତି ନିମନ୍ତେ ଏହି ଶବ୍ଦ ବ୍ୟବହୃତ ହୋଇ ଆସୁଛି ।

କାର୍ଯ୍ୟ ବିଧି[ସମ୍ପାଦନା]

ଟିଫିନ୍ ବାକ୍ସମାନଙ୍କ ଉପରେ ବିଭିନ୍ନ ଦାଗଦ୍ୱାରା ସଙ୍କେତୀକରଣ କରାଯାଏ ।[୬]

  1. କେଉଁଠାରୁ ଏମାନଙ୍କୁ ସଂଗ୍ରହ କରାଯିବ ତାହା ପାଇଁ କ୍ଷୁଦ୍ରରୂପ ସଙ୍କେତ
  2. ରଙ୍ଗଦ୍ୱାରା କେଉଁ ରେଳ ଷ୍ଟେସନ୍‍ରୁ ଡବା ପରିବହନ ହେବ ତାହାର ସଙ୍କେତ
  3. ଗନ୍ତବ୍ୟ ସ୍ଥଳ ବା ରେଳ ଷ୍ଟେସନ୍‍ର ସାଙ୍କେତିକ କ୍ରମାଙ୍କ(ନମ୍ବର)
  4. ଦାଗଦ୍ୱାରା କେଉଁ ଡବାବାଲାର ଦାୟିତ୍ତ୍ୱରେ ଯୋଗାଣ ହେବ ଓ ତାହା ସହିତ ଲକ୍ଷ୍ୟସ୍ଥଳ (କେଉଁ ଅଟ୍ଟାଳିକା, କେତେ ମହଲା, କେଉଁ ଘର) ପାଇଁ ସାଙ୍କେତିକ ଚିହ୍ନ

ଏକ ରଙ୍ଗ ସଙ୍କେତୀକରଣ ବ୍ୟବସ୍ଥା (Colour-Coding System)ଦ୍ୱାରା ଲକ୍ଷ୍ୟସ୍ଥଳ ଓ ସେବା ଗ୍ରାହକ ନିର୍ଣ୍ଣୟ କରାଯାଇଥାଏ । ପ୍ରତ୍ୟେକ ଡବାବାଲା ପାଖରେ ଦୁଇଟି ସାଇକେଲ୍, ଟିଫିନ୍ ଡବା ବହନ ପାଇଁ ଏକ ବଡ଼ କାଠପଟାର ବାକ୍ସ ରହିଥାଏ ଓ ସେମାନେ କପାରୁ ତିଆରି କୁର୍ତ୍ତା-ପାଇଜାମା, ଧଳା ଗାନ୍ଧୀ ଟୋପି ପରିଧାନ କରନ୍ତି । ପ୍ରତି ମାସ ଶେଷରେ ନଗରର ସବୁ ସ୍ଥାନରୁ ହୋଇଥିବା ସର୍ବମୋଟ ଆୟକୁ ଭାଗକରି ଡବାବାଲାଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ଡବାବାଲାଙ୍କୁ କର୍ତ୍ତବ୍ୟ ସମୟରେ ନିଶା ସେବନ, ପରିଧାନରେ ତ୍ରୁଟି ବିଚ୍ୟୁତି କିମ୍ବା ଅନୁପସ୍ଥିତି ପାଇଁ ଜରିମାନା ଦେବାକୁ ପଡ଼େ ।[୭]

ସଂଗ୍ରହକାରୀ ଡବାବାଲା ସାଇକେଲ୍ ଯୋଗେ ଡବାଗୁଡ଼ିକୁ ବିଭିନ୍ନ ଘରୁ ବା ଭୋଜନାଳୟରୁ ସଂଗ୍ରହ କରନ୍ତି । ସାଧାରଣତଃ ସଂଗ୍ରହକାରୀ ଡବାବାଲାମାନେ ଉଚ୍ଚ ଶିକ୍ଷିତ ହୋଇନଥିବାରୁ (ଡବାବାଲାଙ୍କ ହାରାହାରି ଶିକ୍ଷାଗତ ଯୋଗ୍ୟତା ଉଚ୍ଚ ମାଧ୍ୟମିକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର[୮]) ଡବାମାନଙ୍କ ଉପରେ ସାଙ୍କେତିକ ଚିହ୍ନ (ରଙ୍ଗ, ସଂଖ୍ୟା, ଅକ୍ଷର, ଚିହ୍ନ) ଆଦି ବ୍ୟବହାର କରାଯାଇଥାଏ ।[୯][୧୦][୧୧][୧୨]

ସଂଗ୍ରହ କଲା ପରେ ଡବାବାଲାମାନେ ଡବାଗୁଡ଼ିକୁ ସଜ କରିବା ସ୍ଥାନକୁ ନିଅନ୍ତି । ଏହି ସ୍ଥାନରେ ଡବାଗୁଡ଼ିକୁ ବିଭିନ୍ନ ଦଳ ବା ସମୂହରେ ବାଣ୍ଟି ଦିଆଯାଏ । ସବୁ ଡବାରେ ରହିଥିବା ରଙ୍ଗ ସଙ୍କେତରୁ ଗନ୍ତବ୍ୟ ସ୍ଥଳ ବା ଷ୍ଟେସନ୍ ସମ୍ପର୍କରେ ଜଣା ପଡ଼େ । ବର୍ଗୀକୃତ ଏହି ଡବାଗୁଡ଼ିକୁ ଯଥାନୁସାରେ ରେଳଗାଡ଼ିର ଡବା ପରିବହନ ପାଇଁ ଉଦ୍ଦିଷ୍ଟ ରେଳଡବାରେ ଚଢ଼ାଇ ଦିଆଯାଏ । ଡବାରେ ଥିବା ସାଙ୍କେତିକ ଚିହ୍ନରୁ କେଉଁ ରେଳ ଷ୍ଟେସନ୍‍ଠାରେ ଡବାଗୁଡ଼ିକୁ ଓହ୍ଲାଯିବ ଓ କେଉଁ ଅଟ୍ଟାଳିକାକୁ ଯୋଗାଇ ଦିଆଯିବ ତାହା ମଧ୍ୟ ଜଣା ପଡ଼ିଥାଏ । ଆଧୁନିକ ଯୁଗରେ “ନୱି ମୁମ୍ବାଇ ମେଟ୍ରୋ” ପରି ଦ୍ରୁତତର ପରିବହନ ମାଧ୍ୟମ ଥିଲେ ମଧ୍ୟ ଏଥିରେ ଶହ ଶହ ଡବା ପରିବହନ କରିବା ପାଇଁ ଅଲଗା ଜାଗା ନଥିବାରୁ କେବଳ ପାରମ୍ପରିକ ସ୍ଥାନୀୟ ରେଳଗାଡ଼ି (Local Trains) ହିଁ ବ୍ୟବହୃତ ହୁଅନ୍ତି ।[୧୩]

ପ୍ରତ୍ୟେକ ଷ୍ଟେସନରେ ସେଠାକାର ସ୍ଥାନୀୟ ଡବାବାଲାଙ୍କ ଦାୟିତ୍ତ୍ୱରେ ଡବା ଦିଆଯାଏ ଓ ସେମାନେ ଯୋଗାଣ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ମଧ୍ୟାହ୍ନ ଭୋଜନ ପରେ ଡବାଗୁଡ଼ିକୁ ପୁଣି ସଂଗ୍ରହ କରି ରଙ୍ଗ ସଙ୍କେତ ବ୍ୟବସ୍ଥାର ଅନୁସରଣ କରି ଯେଉଁଠାରୁ ଆସିଥିଲା ପୁଣି ସେହି ଘର ବା ଭୋଜନାଳୟକୁ ଫେରାଇ ନିଆଯାଏ । ମୋବାଇଲ୍ SMS (Short message service)ଦ୍ୱାରା ସୂଚୀତ କଲେ ବି ଡବାବାଲାମାନେ ଡବା ଯୋଗାଣ ସେବା ପ୍ରଦାନ କରିଥାନ୍ତି ।[୧୪]

ଡବାବାଲାଙ୍କ ନିଗମ ବ୍ୟବସ୍ଥାର ସଂସ୍କୃତି[ସମ୍ପାଦନା]

ଡବାବାଲାଙ୍କଦ୍ୱାରା ଯୋଗେଇ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ
୨୦୦୭ ମସିହାର ଏକ ଆକଳନ ଅନୁଯାୟୀ ଡବାବାଲା ଉଦ୍ୟୋଗ ପ୍ରତିବର୍ଷ ୫-୧୦% ହାରରେ ବଢ଼ୁଥିବା ଜଣା ପଡ଼ିଥିଲା ।[୧୫]

ଅଧିକାଂଶ ଡବାବାଲା ପରସ୍ପରର ସମ୍ବନ୍ଧୀୟ ଓ ମହାରାଷ୍ଟ୍ରର ୱର୍କାରୀ ସମ୍ପ୍ରଦାୟର ।[୧୬][୧୭] ଏହି ସମ୍ପ୍ରଦାୟ ପୁଣେ ସହରର ନିକଟବର୍ତ୍ତୀ ଏକ ଗ୍ରାମର । ବାର୍ଷିକୋତ୍ସବ ପାଳନ ପାଇଁ ଡବାବାଲାମାନେ ପ୍ରତିବର୍ଷ ଗାଁ ଓ ନିଜ ଘରକୁ ଯାଇଥାନ୍ତି ।[୧୮][୧୯][୨୦][୨୧][୨୨] ତେଣୁ ମାର୍ଚ୍ଚ ମାସରେ ପାଞ୍ଚ ଦିନ ପାଇଁ ଡବା ଯୋଗାଣ ସେବା ବନ୍ଦ ହୋଇଯାଇଥାଏ ।

ଅର୍ଥନୈତିକ ବିଶ୍ଳେଷଣ[ସମ୍ପାଦନା]

ଯୋଗାଣ ବ୍ୟବସ୍ଥାରେ ନିଜର ଭୂମିକା ନିର୍ବିଶେଷରେ ପ୍ରତ୍ୟେକ ଡବାବାଲାକୁ ହାରାହାରି ୮୦୦୦ ଟଙ୍କା (ପ୍ରାୟ ୧୧୦-୧୧୫ ଆମେରିକୀୟ ଡଲାର୍) ମାସିକ ଦରମା ମିଳେ । ପ୍ରତିଦିନ ପ୍ରାୟ ୪୫୦୦ରୁ ୫୦୦୦ ଡବାବାଲା ୧୭୫୦୦୦ରୁ ୨୦୦୦୦୦ ଡବା ପରିବହନ ଓ ବିତରଣ କରନ୍ତି । ଏହି ଡବାବାଲାମାନେ ସ୍ୱନିଯୁକ୍ତ କର୍ମଚାରୀ ପରି । କର୍ମଚାରୀ ସଂଘ ଆରମ୍ଭ କରିବା ପାଇଁ ୩୦୦୦୦ ଟଙ୍କା ଆବଶ୍ୟକ ଯାହା ଡବାବାଲାଙ୍କୁ ୫୦୦୦ ଟଙ୍କା ମାସିକ ବେତନ ସୁନିଶ୍ଚିତ ମିଳେ । ଜଣେ ଉପଭୋକ୍ତା ମାସକୁ ୧୫୦ ଟଙ୍କା ବ୍ୟୟରେ ମାସ ସାରା ଡବାବାଲା ଯୋଗାଣ ସେବା ଉପଭୋଗ କରିପାରିବେ (୨୦୦୨ ମସିହାର ଜୀବନ ଧାରଣ ମାନକ ଅନୁସାରେ) ।[୨୩][୨୪][୨୫]

ଡବାବାଲାମାନେ ପ୍ରତି ୬୦ ଲକ୍ଷ ଡବା ଯୋଗାଣରେ ୧ରୁ ମଧ୍ୟ କମ୍ ଭୁଲ ଭଟକା କରନ୍ତି[୨୬] ବୋଲି ଦାବୀ କରାଯାଏ ।[୧୬] ୧୯୯୮ ମସିହାରେ ମୁମ୍ବାଇ ଡବାବାଲା ସଙ୍ଗଠନର ତତ୍କାଳୀନ ସଭାପତି ରଘୁନାଥ ମେଡଗେ ଏହି ଦାବୀ କରିଥିଲେ ଓ କୌଣସି ଗବେଷଣାରୁ ଏହି ପରିସଂଖ୍ୟାନ ଗୃହୀତ ହୋଇନାହିଁ । ରଘୁନାଥ ଫୋର୍ବ୍ସର “ଫାଷ୍ଟ୍ ଫୁଡ୍” ଆର୍ଟିକଲ୍‍ର ଜଣାଶୁଣା ଲେଖକ ସୁବ୍ରତ ଚକ୍ରବର୍ତ୍ତୀଙ୍କ ସମ୍ମୁଖରେ ଏହି ଦାବୀ ପ୍ରଥମେ ବାଢ଼ିଥିଲେ ।[୨୭] ତାଙ୍କ ଦାବୀ ଥିଲା ଯେ ଡବାବାଲାମାନେ ପ୍ରାୟ କେବେ ବି ଭୁଲ ଭଟକା କରନ୍ତି ନାହିଁ (ଦୁଇ ମାସରେ ଗୋଟିଏ ଭୁଲ ଯୋଗାଣ) । ସୁବ୍ରତ ଏହି ଦାବୀରୁ ଏହି ନିଷ୍ପତ୍ତିରେ ଉପନୀତ ହେଲେ ଯେ, ପ୍ରାୟ ୮୦ ଲକ୍ଷ ଯୋଗାଣରେ ଗୋଟିଏ ଭୁଲ ବାକ୍ସ ଥାଏ ।[୨୮] ସୁବ୍ରତ ସେହି ଘଟଣା ସମ୍ପର୍କରେ ଏକ ସାକ୍ଷାତକାରରେ କହିଥିଲେ :

"ଡବାବାଲାମାନେ ଏକ ସିକ୍ସ-ସିଗ୍ମା (୬-σ) ସଂସ୍ଥା ବୋଲି ଫୋର୍ବ୍ସ ଗ୍ରହଣ କରିନାହିଁ । ମୁଁ ମଧ୍ୟ କେବେ ସେ ଶବ୍ଦ ବ୍ୟବହାର କରିନାହିଁ । ସିକ୍ସ-ସିଗ୍ମା ବର୍ଗୀକରଣ ପଦ୍ଧତିଭିତ୍ତିକ ତଥ୍ୟରୁ ପ୍ରତିପାଦିତ ହୁଏ, ଏହା ପରିସଂଖ୍ୟାନଭିତ୍ତିକ ନୁହେଁ । ସାଧାରଣତଃ ୧୦୦ କୋଟି ବ୍ୟବସାୟିକ କ୍ରିୟାରେ ୧.୯ଟି ଭୁଲ ହେଲେ ସେ ବ୍ୟବସାୟିକ ସଂସ୍ଥାକୁ ସିକ୍ସ-ସିଗ୍ମା ବୋଲି କୁହାଯାଏ । ଡବାବାଲାଙ୍କ କ୍ଷେତ୍ରରେ ଏହି ପ୍ରକାରର ପରିସଂଖ୍ୟାନ ଦେଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଇପାରେ ।…. ଅଳ୍ପଶିକ୍ଷିତ ବା ଅପାଠୁଆ ଲୋକଙ୍କଦ୍ୱାରା ପ୍ରତିଦିନ ୧୭୫୦୦୦ ଟିଫିନ୍ ଡବା ସଂଗ୍ରହ, ସଜ କରିବା, ପରିବହନ କରିବା, ବିତରଣ କରିବା ଓ ଯଥାସ୍ଥାନକୁ ଫେରାଇ ନେବାର ଜଟିଳ ପ୍ରକ୍ରିୟା ଏତେ ସୁରୁଖୁରୁରେ ସମ୍ପାଦନ କରାଯାଉଥିବା ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହେଲି I ସେମାନେ କେତେଥର ଭୁଲଭାଲ ଡବା ପହଞ୍ଚାନ୍ତି ବୋଲି ମୁଁ ସେମାନଙ୍କ ତତ୍କାଳୀନ ସଂସ୍ଥା ମୁଖ୍ୟଙ୍କୁ ପଚାରିଲି । ସେ ତା’ର ଉତ୍ତର ଦେଇ କହିଥିଲେ ପ୍ରାୟ କେବେ ନୁହଁ, କିନ୍ତୁ ଦୁଇ ମାସରେ ଗୋଟିଏ ଭୁଲ ହୋଇଯାଏ । ଅଧିକ ଭୁଲ ହେବା ଗ୍ରାହକମାନଙ୍କ ନିକଟରେ ଏକ ଅକ୍ଷମଣୀୟ ଅପରାଧ । ମୁଁ ଗଣନା କରି ଦେଖିଲି ଯେ ପ୍ରତିଦିନ ୮୦ ଲକ୍ଷ ବା ଡବାଗୁଡ଼ିକ ପୁଣି ଫେରାଇ ନେଉଥିବାରୁ ୧୬୦ ଲକ୍ଷ ଯୋଗାଣରେ ଗୋଟିଏ ଭୁଲ ଡବା ପହଞ୍ଚେ । ମୁଁ ଏହି ପରିସଂଖ୍ୟାନକୁ ପ୍ରକାଶ କରିଥିଲି । ୨୦୦୨ ମସିହାରେ ଏକ ସମ୍ମିଳନୀରେ ଜଣେ ସାମ୍ବାଦିକ ଡବାବାଲା ସଂସ୍ଥାର ସଭାପତିଙ୍କୁ ପଚାରିଥିଲେ … ଯେ ଡବାବାଲାଙ୍କ ସଂସ୍ଥା ଏକ ସିକ୍ସ-ସିଗ୍ମା ସଂସ୍ଥା ନା ନୁହଁ ଯାହା ଉତ୍ତରରେ ସଭାପତି କହିଥିଲେ ଯେ ସିକ୍ସ୍-ସିଗ୍ମା କଣ ସେ ଜାଣନ୍ତି ନାହିଁ । ୧୦୦ କୋଟି କ୍ରିୟାରେ ୧.୯ଟି ଭୁଲର ପରିସଂଖ୍ୟାନ ବିଷୟରେ ଜଣାଇବାରୁ ସେ କହିଲେ ଯେ, “ସେପରି କହିଲେ ଆମେ ସିକ୍ସ୍-ସିଗ୍ମା ସଂସ୍ଥା । ଆପଣ ଫୋର୍ବ୍ସକୁ ପଚାରିପାରିବେ ।“ ସାମ୍ବାଦିକ ଜଣକ ମୋ ଆର୍ଟିକଲ୍ ନ ପଢ଼ି ପ୍ରକାଶ କଲେ ଯେ ଫୋର୍ବ୍ସ୍ ଡବାବାଲାଙ୍କୁ ଏକ ସିକ୍ସ୍-ସିଗ୍ମା ସଂସ୍ଥା ବୋଲି ମାନ୍ୟତା ଦେଇଛି । ପରେ ଅନ୍ୟ ସାମ୍ବାଦିକଙ୍କଦ୍ୱାରା ଏହା ଅତି ମାତ୍ରାରେ ପ୍ରଚାରିତ ହୋଇ ଲୋକମୁଖରେ ପ୍ରସିଦ୍ଧ ହୋଇଗଲା ।"
—ସୁବ୍ରତ ଚକ୍ରବର୍ତ୍ତୀ, [୨୮]

ଦ ନ୍ୟୁ ୟର୍କ୍ ଟାଇମ୍ସ୍ ୨୦୦୭ ମସିହାରେ ଏକ ରିପୋର୍ଟ୍ ପ୍ରକାଶ କରିଥିଲା ଯାହା ଅନୁସାରେ, ୧୨୫ ବର୍ଷ ପୁରୁଣା ଡବାବାଲା ଉଦ୍ୟୋଗ ପ୍ରତିବର୍ଷ ୫ରୁ ୧୦ ପ୍ରତିଶତ ହାରରେ ବଢ଼ୁଥିଲା ।[୧୫]

୨୦୧୧ ମସିହାରେ ୧୨୦ ବର୍ଷରେ ପ୍ରଥମ ଥର ପାଇଁ ଡବାବାଲାମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ଓହ୍ଲାଇଥିଲେ ଓ ମୁମ୍ବାଇର ଆଜାଦ୍ ମୈଦାନରେ ଆନ୍ନା ହଜାରେଙ୍କ ଦୁର୍ନୀତି-ବିରୋଧୀ ଆନ୍ଦୋଳନର ସମର୍ଥନ କରି ଏକ ରାଲିରେ (ଶୋଭାଯାତ୍ରା) ଯୋଗଦାନ କରିଥିଲେ ।[୨୯]

ଡବାବାଲାଙ୍କ ଉପରେ ଆଧାରିତ ଅଧ୍ୟୟନ, ସର୍ବେକ୍ଷଣ କୀର୍ତ୍ତିମାନ ଓ ପ୍ରଶଂସା[ସମ୍ପାଦନା]

ଡବାବାଲାଙ୍କୁ ନେଇ ଅନେକ ଅଧ୍ୟୟନ ଓ ଶୌଧ କରାଯାଇଛି :

  • ପି. ଏଚ୍. ଡି. (ଡକ୍ଟରେଟ୍ ଡିଗ୍ରୀ) ପାଇଁ ୨୦୦୧ ମସିହାରେ ପବନ ଜି. ଅଗ୍ରୱାଲ ଡବାବାଲାଙ୍କ ଉପରେ ଗବେଷଣା କରିଥିଲେ ଯାହା A Study & Logistics & Supply Chain Management of Dabbawala in Mumbai (ଅର୍ଥାତ୍ - ମୁମ୍ବାଇ ଡବାବାଲାଙ୍କ ପରିବହନ ଓ ଯୋଗାଣ କଡ଼ି ସଞ୍ଚାଳନ ବ୍ୟବସ୍ଥା ସମ୍ପର୍କରେ ଶୌଧ) ନାମକ ଗବେଷଣାତ୍ମକ ଲେଖାଦ୍ୱାରା ପ୍ରକାଶିତ ହୋଇଥିଲା । ଡବାବାଲାଙ୍କ କାର୍ଯ୍ୟକ୍ଷମତା ଓ ସଞ୍ଚାଳନ ନିପୁଣତା ସମ୍ପର୍କରେ ସେ ସଂଗ୍ରହ କରିଥିବା ତଥ୍ୟ ପ୍ରକାଶ କଲେ ।[୩୦]
  • ୨୦୦୫ ମସିହାରେ ଅହମଦାବାଦସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (Indian Institute of Management, Ahmedabad) ମୁମ୍ବାଇ ଡବାବାଲାଙ୍କ ଯୋଗାଣ ବ୍ୟବସ୍ଥାର ସୁସଞ୍ଚାଳନ ସମ୍ପର୍କରେ ଏକ କେସ୍ ଷ୍ଟଡ଼ି (Case Study) ପ୍ରକାଶ କରିଥିଲେ ।[୩୧]
  • ୨୦୧୦ ମସିହାରେ ହାର୍ଭାର୍ଡ୍ ବିଜନେସ୍ ସ୍କୁଲ୍ (Harvard Business School) ଅଳ୍ପ ଖର୍ଚ୍ଚରେ ଓ ସରଳ ବ୍ୟବସ୍ଥା ଅନୁସରଣ କରି ଉଚ୍ଚମାନର ସେବା ଯୋଗାଉଥିବା ମୁମ୍ବାଇ ଡବାବାଲାଙ୍କ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ The Dabbawala System: On-Time Delivery, Every Time ନାମକ ଆଉ ଏକ କେସ୍ ଷ୍ଟଡ଼ି (Case Study) ନିଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଥିଲେ ।[୩୨]
  • ୨୦୧୪ ମସିହାରେ ଉମା ଏସ୍. କୃଷ୍ଣନ୍ "A Cross-Cultural Study of the Literacy Practices of The Dabbawalas: Towards a New Understanding of Non-mainstream Literacy and its Impact on Successful Business Practices." ନାମକ ପ୍ରସଙ୍ଗରେ ନିଜର ପି. ଏଚ୍. ଡି. ଗବେଷଣା କରିଥିଲେ ।[୩୩]

୨୦୧୧ ମସିହା ମାର୍ଚ୍ଚ ୨୧ ତାରିଖରେ ପ୍ରକାଶ ବାଲ୍ ବଚ୍ଚେ ନିଜ ମୁଣ୍ଡରେ ତିନୋଟି କାଠ ତିଆରି ତିନୋଟି ବଡ଼ ଡବାବାହୀ ଝୁଡ଼ି ବୋହି ଗିନିସ୍ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଥିଲେ ।[୩୪]

ଆଧାର[ସମ୍ପାଦନା]

  1. "In Pictures: Tiffin time in Mumbai". BBC news. 16 February 2014. Retrieved 2 May 2014.
  2. "Bombay Dabbawalas go high-tech". Physorg.com. Retrieved 2011-09-15.
  3. ୩.୦ ୩.୧ Roncaglia, Sara (1 January 2013). "Feeding the city : work and food culture of the Mumbai dabbawalas". OpenBook Publishers. Retrieved 2 May 2017 – via Internet Archive.
  4. Nair, Supriya. "The Tiffin History of Mumbai - Livemint". www.livemint.com. Retrieved 8 April 2017.
  5. Pathak R.C. (1946, Reprint 2000). The Standard Dictionary of the Hindi Language, Varanasi: Bhargava Book Depot, pp.300,680
  6. Thakker, Pradip. "Mumbai's amazing dabbawalas". specials.rediff.com. Retrieved 8 April 2017.
  7. TEDx Talks (24 February 2011). "TEDxSSN - Dr. Pawan Agrawal - Mumbai Dabbawalas". Retrieved 3 May 2017 – via YouTube.
  8. Agrawal, Dr. Pawan. "Dabbawallahs - A talk by Dr. Pawan Agrawal". Ted X SSN Talks. You Tube. Retrieved 2 May 2014.
  9. magazine, Works That Work. "Dabbawallas: Delivering Excellence by Meena Kadri (Works That Work magazine)". worksthatwork.com. Retrieved 2 May 2017.
  10. PTI (13 July 2014). "NDMC launches new project to make unemployed women self-reliant". thehindubusinessline.com. Retrieved 2 May 2017.
  11. Bureau, Our (20 July 2012). "Taking the story of Mumbai's dabbawalas to IIM Calcutta". thehindubusinessline.com. Retrieved 2 May 2017.
  12. PTI (2 June 2013). "Mumbai dabbawalas to share success mantra in Dubai". thehindubusinessline.com. Retrieved 2 May 2017.
  13. Ramper, Johnny. "Dabbawalas: Preserving Tradition in Modern India". Z.E.N. Foods. Retrieved 8 April 2017.
  14. "BBC NEWS - Business - India's tiffinwalas fuel economy". news.bbc.co.uk. Retrieved 2 May 2017.
  15. ୧୫.୦ ୧୫.୧ In India, Grandma Cooks, They Deliver from The New York Times
  16. ୧୬.୦ ୧୬.୧ Indian Summer Festival Canada (23 July 2014). "Lunchbox Legends: The Dabbawalas of Mumbai". Retrieved 3 May 2017 – via YouTube. at Indian Summer Festival Vancouver
  17. Parmar, Beena (2 July 2014). "Mumbai's dabbawalas up delivery charges by ₹100". thehindubusinessline.com. Retrieved 2 May 2017.
  18. Bureau, Our (26 November 2013). "More lunch box ladies to deliver food cooked with love". thehindubusinessline.com. Retrieved 2 May 2017.
  19. Bureau, Our (2 April 2014). "Dabbawalas to deliver WHO's word". thehindubusinessline.com. Retrieved 2 May 2017.
  20. "nomadlife - an international nomads community". wayback.archive.org. Archived from the original on 16 December 2005. Retrieved 3 May 2017.CS1 maint: BOT: original-url status unknown (link)
  21. "DINODIA Photo Library - The largest collection of Indian photographs online". wayback.archive.org. Archived from the original on 9 August 2003. Retrieved 3 May 2017.CS1 maint: BOT: original-url status unknown (link)
  22. "BBC NEWS - South Asia - Tiffin time for Charles and Camilla". news.bbc.co.uk. Retrieved 3 May 2017.
  23. Harding, Luke (24 June 2002). "A Bombay lunchbox". Retrieved 2 May 2017 – via The Guardian.
  24. PTI (2 July 2014). "'Dabbawalas' hike delivery charges to meet rising inflation". thehindubusinessline.com. Retrieved 2 May 2017.
  25. "Upper Crust ::: India's food, wine and style magazine". wayback.archive.org. Archived from the original on 22 October 2002. Retrieved 3 May 2017.CS1 maint: BOT: original-url status unknown (link)
  26. The Guardian. A Bombay lunchbox (24 June 2002).
  27. Chakravarty, Subrata N. "Fast food." Forbes. 10 Aug. 1998. Forbes Magazine. 21 Sept. 2013 https://www.forbes.com/global/1998/0810/0109078a.html
  28. ୨୮.୦ ୨୮.୧ Pathak, Gauri Sanjeev. "Delivering the Nation: The Dabbawalas of Mumbai." South Asia: Journal of South Asian Studies 33.2 (2010): 235-257.
  29. Sheth, Priya; Ganguly, Nivedita (18 August 2011). "Dabbawalas to strike for the first time in 120 years". The Hindu Business Line (in ଇଂରାଜୀ). Retrieved 8 April 2017.
  30. "Dr. Pawan Agrawal". Kaizer. Archived from the original on 9 April 2014. Retrieved 2 May 2014.
  31. Ravichandran, N. (1 September 2005). World class logistics operations : The case of Bombay dabbawallahs (PDF). Ahmedabad: Indian Institute of Management. Archived from the original (PDF) on 24 September 2015. Retrieved 2 May 2014.
  32. Thomke, Stefan H.; Sinha, Mona (February 2010). The Dabbawala System: On-Time Delivery, Every Time (Case 610-059). Harvard, Ma.: Harvard Business School.
  33. S, Krishnan, Uma (1 January 2014). "A Cross Cultural Study of the Literacy Practices of the Dabbawalas: Towards a New Understanding of Nonmainstream Literacy and its Impact on Successful Business Practices". ohiolink.edu. Retrieved 2 May 2017.
  34. "Most dabbawala tiffin crates carried on the head". Guinness world records. Retrieved 2 May 2014.

ଆହୁରି ପଢ଼ନ୍ତୁ[ସମ୍ପାଦନା]