ମୁକ୍ତି ବାହିନୀ
ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ବଙ୍ଗଳାଦେଶ ସ୍ୱାଧୀନତା ସଂଗ୍ରାମ ସମୟରେ ମୁକ୍ତି ବାହିନୀ ଗଠନ କରାଯାଇଥିଲା ।[୧] ୧୯୬୯ ମସିହାରେ ପାକିସ୍ତାନର ତତ୍କାଳୀନ ସାମରିକ ଶାସକ ଜେନେରାଲ ଆୟୁବଙ୍କ ବିରୋଧରେ ପୂର୍ବ ପାକିସ୍ତାନରେ ଅସନ୍ତୋଷ ବୃଦ୍ଧି ପାଇ ୧୯୭୦ରେ ଶେଖ ମୁଜିବୁର ରହମାନଙ୍କ ଆନ୍ଦୋଳନ ସମୟରେ ଏହା ଚରମ ରୂପ ନେଲା । ମୁକ୍ତି ବାହିନୀ ପାକିସ୍ତାନୀ ସେନା ବିରୋଧରେ ଗରିଲା ଯୁଦ୍ଧ କରୁଥିବା ଏକ ଗରିଲା ସଂଗଠନ ଥିଲା । ଭାରତୀୟ ସେନା ଦ୍ୱାରା ମୁକ୍ତି ବାହିନୀଙ୍କୁ ସମର୍ଥନ କରାଯାଇଥିଲା ।
ଇତିହାସ
[ସମ୍ପାଦନା]୧୪ ଅଗଷ୍ଟ ୧୯୪୭ରେ ପାକିସ୍ତାନ ଗଠନ କରାଯାଇଥିଲା, କିନ୍ତୁ ପଶ୍ଚିମ ଏବଂ ପୂର୍ବ ପାକିସ୍ତାନ ମଧ୍ୟରେ କୌଣସି ସମାନତା ନଥିଲା । ପୂର୍ବ ପାକିସ୍ତାନରେ ଅଧିକ ସମ୍ବଳ ଥିଲା, କିନ୍ତୁ ପଶ୍ଚିମ ଅଞ୍ଚଳର ନେତାମାନେ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଏହି କାରଣରୁ ୧୯୭୧ରେ ବାଂଲାଦେଶ ଗଠନ ହେଲା |[୨]
ପାକିସ୍ତାନ ଗଠନ ସମୟରେ ପଶ୍ଚିମ ଅଞ୍ଚଳରେ ବହୁ ସଂଖ୍ୟକ ସିନ୍ଧି, ପଠାଣ, ବାଲୁଚ ଏବଂ ମୁଜାହିଦ୍ ଥିବାବେଳେ ପୂର୍ବ ଅଞ୍ଚଳରେ ଅଧିକାଂଶ ବଙ୍ଗଭାଷି ରହିଥିଲେ । କିନ୍ତୁ ପୂର୍ବ ଭାଗ ସବୁବେଳେ ରାଜନୈତିକ ଦୃଷ୍ଟିକୋଣରୁ ଅବହେଳିତ ରହିଥିଲା । ଏହା ପୂର୍ବ ପାକିସ୍ତାନର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଏବଂ ଏହି ଅସନ୍ତୋଷକୁ ଆଧାର କରି ବାଂଲାଦେଶ ନେତା ଶେଖ ମୁଜିବୁର ରହମାନ ଆୱାମୀ ଲିଗ୍ ଗଠନ କରି ପାକିସ୍ତାନ ମଧ୍ୟରେ ଅଧିକ ସ୍ଵାଧୀନତା ଦାବି କରିଥିଲେ । ୧୯୭୦ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶେଖଙ୍କ ଦଳ ପୂର୍ବ ଅଞ୍ଚଳରେ ଆଶାତୀତ ସମର୍ଥନ ହାସଲ କରିଥିଲା । ତାଙ୍କ ଦଳ ମଧ୍ୟ ସଂସଦରେ ବହୁମତ ହାସଲ କରିଥିଲା କିନ୍ତୁ ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପରିବର୍ତ୍ତେ ତାଙ୍କୁ ଜେଲରେ ରଖାଯାଇଥିଲା । ଅତଏବ ଏଠାରୁ ପାକିସ୍ତାନର ବିଭାଜନର ଭିତ୍ତିପ୍ରସ୍ତର ସ୍ଥାପନ ହେଲା ।
୧୯୭୧ ମସିହାରେ ଜେନେରାଲ ୟାହିୟା ଖାନ ପାକିସ୍ତାନର ରାଷ୍ଟ୍ରପତି ଥିଲେ ଏବଂ ପୂର୍ବ ଭାଗରେ ବ୍ୟାପିଥିବା ଅସନ୍ତୋଷକୁ ହଟାଇବା ପାଇଁ ସେ ଜେନେରାଲ ଟିକ୍କା ଖାନଙ୍କୁ ଦାୟିତ୍ଵ ଦେଇଥିଲେ । କିନ୍ତୁ ଚାପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ତାଙ୍କର ପ୍ରୟାସ, ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା । ମାର୍ଚ୍ଚ ୨୫, ୧୯୭୧ରେ, ପାକିସ୍ତାନର ଏହି ଅଞ୍ଚଳରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ଘଟିଥିଲା । ଏହା ପାକିସ୍ତାନୀ ସେନାରେ କାର୍ଯ୍ୟ କରୁଥିବା ପୂର୍ବ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ବହୁତ ଆକ୍ରୋଶ ସୃଷ୍ଟି କରିଥିଲା ଏବଂ ସେମାନେ ଏକ ପୃଥକ ମୁକ୍ତି ବାହିନୀ ଗଠନ କରିଥିଲେ। ନିରୀହ, ଅସ୍ତ୍ରହୀନ ଲୋକଙ୍କ ଉପରେ ପାକିସ୍ତାନୀ ସେନାର ଅତ୍ୟାଚାର ଜାରି ରହିଲା ।
ପ୍ରରମ୍ଭିକ ସ୍ଥିତି
[ସମ୍ପାଦନା]ମାର୍ଚ୍ଚ ୨୫ରେ ସାମରିକ ଆଇନ ଘୋଷଣା କରାଯାଇଥିଲା ଏବଂ ଶେଖ ମୁଜିବୁର ରହମାନଙ୍କୁ ଗିରଫ କରାଯାଇଥିଲା । ପୂର୍ବ ପାକିସ୍ଥାନରେ ଅପରେସନ୍ ସର୍ଚ୍ଚ ଲାଇଟ୍ ଆରମ୍ଭ ହୋଇଥିଲା। ବିଦେଶୀ ସାମ୍ବାଦିକମାନଙ୍କୁ ବହିଷ୍କାର କରାଯାଇଥିଲା ଏବଂ ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆୱାମି ଲିଗ୍, ପୂର୍ବ ପାକିସ୍ତାନ ରାଇଫଲ୍ସ,, ପୂର୍ବ ବଙ୍ଗଳା ରେଜିମେଣ୍ଟ ପାକିସ୍ତାନ ପ୍ରତି ଅବିଶ୍ୱାସୀ ବୋଲି ଭାବି ପାକିସ୍ତାନୀ ସେନା ଦ୍ୱାରା ସେମାନଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ବଞ୍ଚିଥିବା ବ୍ୟକ୍ତିମାନେ ମୁକ୍ତିବାହିନୀର ମେରୁଦଣ୍ଡ ଗଠନ କଲେ । ଯେତେବେଳେ ପାକିସ୍ତାନୀ ସେନା ବଙ୍ଗୀୟ ଜନସଂଖ୍ୟା ଉପରେ ସାମରିକ କଟକଣା ଆରମ୍ଭ କଲା, ସେମାନେ ଦୀର୍ଘ ମିଆଦି ସାମରିକ ଅତ୍ୟାଚାର ଆଶା କରିନଥିଲେ ।[୩] ପୂର୍ବବଙ୍ଗଳା ରେଜିମେଣ୍ଟର ପାଞ୍ଚ ବାଟାଲିୟନ ବିଦ୍ରୋହ କରି ବାଂଲାଦେଶ ମୁକ୍ତି ପାଇଁ ଯୁଦ୍ଧ ଆରମ୍ଭ କଲେ ।
ପୂର୍ବ ପାକିସ୍ତାନର ସ୍ଥିତିକୁ ସୁଧାରିବା ପାଇଁ ଭାରତ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଥିଲା, କିନ୍ତୁ କୌଣସି ଦେଶ ଏଥିପ୍ରତି ଧ୍ୟାନ ଦେଇନଥିଲେ ଏବଂ ଯେତେବେଳେ ବିସ୍ଥାପିତ ଲୋକମାନେ ଭାରତକୁ ଆସିବାରେ ଲାଗିଲେ, ଏପ୍ରିଲ ୧୯୭୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁକ୍ତି ବାହିନୀକୁ ସମର୍ଥନ କରି ବାଂଲାଦେଶକୁ ମୁକ୍ତ କରିଥିଲେ ।[୪]
ଯୁଦ୍ଧୋତ୍ତର ସ୍ଥିତି
[ସମ୍ପାଦନା]ବାଂଲାଦେଶ ସଶସ୍ତ୍ର ବାହିନୀ, ବାଂଲାଦେଶ ରାଇଫଲ୍ସ ଏବଂ ବାଂଲାଦେଶ ପୋଲିସର ସହାୟତା ଫଳରେ ମୁକ୍ତିବାହିନୀ ସଫଳ ହୋଇଥିଲା । ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ଚାକିରୀ ଏବଂ ବିଶ୍ୱବିଦ୍ୟାଳୟରେ ସଂରକ୍ଷଣ ସମେତ ଅନେକ ସୁବିଧା ପ୍ରଦାନ କରାଯାଇଥିଲା । ମୁକ୍ତି ବାହିନୀ ସଦସ୍ୟଙ୍କ କଲ୍ୟାଣ ପାଇଁ ବାଂଲାଦେଶ ମୁକ୍ତି ଯୁଦ୍ଧ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଲେ । ତେବେ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଅସ୍ତ୍ରଶସ୍ତ୍ରର ବ୍ୟାପକ ଉପଲବ୍ଧତା ବାଂଲାଦେଶ ସରକାରଙ୍କ ପାଇଁ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା ।
ଆଧାର
[ସମ୍ପାଦନା]- ↑ "Mukti Bahini - Banglapedia". en.banglapedia.org (in ଇଂରାଜୀ). Retrieved 9 November 2024.
- ↑ "Mukti Bahini: A force for freedom". www.telegraphindia।com. Retrieved 9 November 2024.
- ↑ Pakistan Defence Journal, 1977, Vol 2, p2-3
- ↑ "BSF helped form the first Mukti Bahini group 51 years ago along Tripura border". The Economic Times. 8 May 2022. Retrieved 9 November 2024.