ମା ରାମଚଣ୍ଡୀ

ଉଇକିପିଡ଼ିଆ‌ରୁ

ମା’ ରାମଚଣ୍ଡୀ ଖୋର୍ଦ୍ଧାଠାରୁ ୨୦ କିମି ଦୂର ଗଡମାଣତୀର ଗ୍ରାମ‌ । ଏଠାରେ ଗୋଟେ କିମି ଦୂର ଏକ ଛୋଟ ପାହାଡ ଉପରେ ପ୍ରାୟ ୬୦ ଫୁଟ ଉଚ୍ଚତା ବିଶିଷ୍ଟ କଳା ମୁଗୁନି ଶିଳା ମା ରାମଚଣ୍ଡୀ ପ୍ରତୀକ ରୂପେ ପୂଜା ପାଉଛି । ଏହି ଶିଳାଟି ହଜାରହଜାର ବର୍ଷ ହେବ ସାମନା ପଟକୁ ଢଳି ରହିଛି । କିମ୍ବଦନ୍ତୀ କହେ ୧୬ଶହ ବର୍ଷ ପୂର୍ବେ ମା ପ୍ରଥମେ କନ୍ଧ ସମ୍ପ୍ରଦାୟଦ୍ୱାରା ପୂଜା ପାଉଥିଲେ । ଏବେ ବ୍ରାହ୍ମଣ ପୂଜକ ସହିତ କନ୍ଧଜାନୀ ବଂଶାନୁକ୍ରମିକ ଭାବେ ପୂଜା କରିଆସୁଛନ୍ତି । ଗଡମାଣତୀରର ରାମଚଣ୍ଡୀ,ରଣପୁରର ମଣୀନାଗ,ଓ ଖିଲାମୁଣ୍ଡା,ଲୋଧାଚୁଆଦହିଖାଇ ଓ ଭୁଷଣ୍ଡପୁର ତାରାଦେବୀ ପୀଠରେ କନ୍ଧଜାନୀଙ୍କ ପୂଜା ବହୁ କାଳରୁ ରହିଆସିଛି । ତଳୁ ୭୨ଟି ପାହାଚ ଉଠିଲାପରେ ପଡେ ମାଙ୍କ ଶିଳା । ମା ପିନ୍ଧିଛନ୍ତି କଳାମେଘି ଶାଢ଼ୀ,ଦୁଇ ପଟେ ଦୁଇଟି ସିଂହ ମୁର୍ତ୍ତି । ମାଙ୍କ ପାଖରେ ରହିଛି ତେନ୍ତୁଳି ଗଛ । ପ୍ରବାଦ ଅଛି ତେନ୍ତୁଳି ଗଛ ବଢ଼ିବା ସହ ମାଙ୍କ ଶିଳା ପଥରର ଲମ୍ବ ବୃଦ୍ଧି ପାଉଥିଲା । ପୂଜା ସମୟରେ ଅସୁବିଧା ହେବାରୁ ଜାନୀଙ୍କ ପ୍ରାର୍ଥନା ଯୋଗୁ ଶିଳା ଓ ତେନ୍ତୁଳି ଗଛ ଉଚତା ନ ବଢ଼ି ସୀମିତ ରହିଲା । ଏଠାରେ ଭୋଗ ମଣ୍ଡପ,ଦୋଳ ମଣ୍ଡପ,ଯଜ୍ଞ ମଣ୍ଡପ,ବୈଠକଖାନା ଓ ବାଘ ବଳଦ ସ୍ମୃତି ମନ୍ଦିର ରହିଛି । ବାଘ ବଳଦ ସ୍ମୃତି ମନ୍ଦିରର କିମ୍ବଦନ୍ତୀ କହେ ଥରେ ସେବକ କନ୍ଧଜାନୀଙ୍କ ଗୋଟିଏ ବଳଦକୁ ବାଘ ଖାଇ ଦେବାରୁ ବିଲ ଚାଷକରିବା ବନ୍ଦ ହୋଇଗଲା । ମା ରାମଚଣ୍ଡୀଙ୍କୁ ପାର୍ଥନା ଜଣାଇଲା । ମାଙ୍କ ଆଦେଶ ଅନୁସାରେ ପରଦିନ ସକାଳେ ସେବକ ତାର ଗୋଟେ ବଳଦକୁ ନେଇ ସେଠାରେ ଥିବା ବାଘ ସହ ଲଙ୍ଗଳ ଓ ଜୁଆଳିରେ ଯୋଚି ଚାଷ କରିଥିଲା । ସେଥିପାଇଁ ବାଘ ବଳଦ ସ୍ମୃତି ମନ୍ଦିରରେ ବାମ ପଟେ ବଳଦ ଓ ଡାହାଣ ପଟେ ବାଘ ଜୁଆଳିରେ ଯୋଚାହେବାର ଦୃଶ୍ୟ ରହିଛି । ମାଙ୍କ ଶିଳାପଥରରେ ବାମ ପଟ ତଳକୁ ଏକ କୋରଡ ବା ଗୁମ୍ଫା ଅଛି ତାକୁ ବାଘ ଗୁମ୍ଫାବୋଲି କୁହାଯାଏ । ରାଜ୍ୟସରକାର ୧୯୯୬ ମସିହାରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଗ୍ରହଣ କରିଛନ୍ତି । [୧]

ଆଧାର[ସମ୍ପାଦନା]

  1. ସମାଜ ଏପ୍ରିଲ ୧୫,୨୦୧୨ ପୃଷ୍ଠା ୪