ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ

ଉଇକିପିଡ଼ିଆ ରୁ
Jump to navigation Jump to search

ଭାରତର ଉଚ୍ଚତମ ନ୍ୟାୟାଳୟଙ୍କଦ୍ୱାରା ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ ଓ ଅନ୍ୟାନ୍ୟ (1985 SCR (3) 844) ମାମଲାରେ ଦିଆଯାଇଥିବା ଫଇସଲା , ଯାହାକି ଶାହା ବାନୁ ମାମଲା ଭାବେ ମଧ୍ୟ ସାରା ଭାରତରେ ପରିଚିତ, ଭାରତୀୟ ଆଇନ ସଂଦର୍ଭରେ ଭରଣ ପୋଷଣ ମାମଲା ସମ୍ପର୍କିତ ଏକ ବିବାଦାସ୍ପଦ ମାମଲା । ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଜଣେ ତଲାକ ଦିଆଯାଇଥିବା (ଛାଡପତ୍ର) ପୀଡିତା ମୁସଲିମ ମହିଳା ନିଜ ପୂର୍ବତନ ସ୍ୱାମୀଠାରୁ ଭରଣପୋଷଣ ପାଇବା ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ବସ୍ତୁତଃ ଭାରତୀୟଙ୍କଦ୍ୱାରା ଆଦୃତ ହେଲେ ବି ଭାରତରେ ରହୁଥିବା ଋଢୀବାଦୀ ମୁସଲିମ ସଂଗଠନ ଏହାର ଘୋର ବିରୋଧ କରିଥିଲେ । ଭାରତର ତତ୍କାଳୀନ କଂଗ୍ରେସ ସରକାର ଏହି ଅଳ୍ପସଂଖ୍ୟକ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ଅକାମୀ କରିଦେବାଭଳି ଆଉ ଏକ ମୁସଲିମ ବ୍ୟକ୍ତିଗତ ଅଧିନିୟମ "The Muslim Women (Protection of Rights on Divorce) Act 1986" କାର୍ଯ୍ୟକାରୀ କରାଇ ଭୀଷଣ ସମାଲୋଚନାର ଶିକାର ହୋଇଥିଲେ ।[୧]

ପୃଷ୍ଠଭୂମି[ସମ୍ପାଦନା]

ମଧ୍ୟ ପ୍ରଦେଶ ସ୍ଥିତ ଇନ୍ଦୋର ବାସିନ୍ଦା ମହମ୍ମଦ୍ ଅହମଦ ଖାଁ ନାମକ ଜଣେ ଧନୀ ଆଇନଜୀବୀ ୧୯୩୨ ମସିହାରେ ଶାହା ବାନୁ ନାମ୍ନୀ ଏକ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚୋଟି ସନ୍ତାନ ସନ୍ତତି ଥିଲେ । ବିବାହର ୧୪ ବର୍ଷ ପରେ ମହମ୍ମଦ୍ ଅହମଦ ଖାଁ ଆଉଜଣେ କମ ବୟସର ମହିଳାଙ୍କୁ ନିଜର ଦ୍ୱୀତୀୟ ପତ୍ନୀ ରୂପେ ଗ୍ରହଣ କଲେ । ଉଭୟ ପତ୍ନୀଙ୍କ ସହ କିଛିଦିନ ମିଳିମିଶି ଚଳିବା ପରେ ସ୍ୱାମୀ ଜଣକ ପ୍ରଥମ ପତ୍ନୀ ଶାହା ବାନୁଙ୍କୁ ତଲାକ (ଛାଡପତ୍ର) ଦେଲେ । ପାଞ୍ଚ ସନ୍ତନ ସନ୍ତତିଙ୍କୁ ଧରି ତଲାକର ଶୀକାର ହୋଇଥିବା ଶାହା ବାନୁଙ୍କ ବୟସ ଥିଲା ୬୨ ବର୍ଷ । ସାହା ବାନୁଙ୍କ ଅଭିଯୋଗ ଅନୁସାରେ ଖାନଙ୍କ ପ୍ରତିଶୃତି ମୁତାବକ ଯେତେବେଳେ ସେ ତାଙ୍କୁ ଭରଣପୋଷଣ ବାବଦକୁ ମାସିକ ୨୦୦ ଟଙ୍କା ଦେବା ବନ୍ଦ କରିଦେଲେ, ବଞ୍ଚିବାର ଅନ୍ୟ ରାହା ନ ପାଇ ସେ ଇନ୍ଦୋରର ସ୍ଥାନୀୟ ଅଦାଲତରେ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୨୫ ପ୍ରକାରେ ସ୍ୱାମୀଙ୍କ ବିରୁଦ୍ଧରେ ଭରଣ ପୋଷଣ ନିମିତ୍ତ ଏକ ମାମଲା ରୁଜ୍ଜୁ କଲେ ।[୨] ସ୍ୱାମୀ ଅଦାଲତରେ ନିଜ ପକ୍ଷ ରଖିଲେ କି, ସେ ଶାହ ବାନୁଙ୍କୁ ନଭେମ୍ବର ୧୯୭୮ରେ ତଲାକ ଦେଇଦେବା ପରେ ସେ ଆଉ ତାଙ୍କ ସ୍ତ୍ରୀ ନୁହନ୍ତି କି ଭରଣ ପୋଷଣର ହକଦାର ନୁହନ୍ତି । ସେ ମୁସଲିମ ବ୍ୟକ୍ତିଗତ ଆଇନ ପ୍ରକାରେ କେବଳ ଇଦ୍ଦତ ବାବଦକୁ ୫୪୦୦ ଟଙ୍କା ପାଇବାକୁ ହକଦାର । ତେବେ ସ୍ଥାନୀୟ ଅଦାଲତ ବାନୁଙ୍କ ପିଟିଶନ ଗ୍ରହଣ କରି ଶାହା ବାନୁଙ୍କୁ ମାସିକ ୨୫ ଟଙ୍କା ଭରଣ ପୋଷଣ ବାବଦକୁ ଦେବାପାଇଁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଲେ । ୧ ଜୁଲାଇ ୧୯୮୦ରେ ବାନୁ ଏହି ମାମଲାରେ ଭରଣପୋଷଣ ଟଙ୍କାର ପରିମାଣରେ ସନ୍ତୁଷ୍ଟ ନ ହୋଇ ଏକ ରିଭିଜନ ଦାଖଲ କରନ୍ତେ, ମଧ୍ୟ ପ୍ରଦେଶ ଊଚ୍ଚ ନ୍ୟାୟାଳୟ ଏହି ଭରଣ ପୋଷଣ ରାଶି ବୃଦ୍ଧି କରି ୧୭୯ ଟଙ୍କା ୨୦ ପଇସା କଲେ । ଏହା ପରେ ଖାନ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ଅପିଲ କରି ପକ୍ଷ ରଖିଲେ ଯେ ଦ୍ୱୀତୀୟ ବିବାହ କରିବା ପରେ ମୁସଲିମ ବ୍ୟକ୍ତିଗତ ଆଇନ ଅନୁସାରେ ସେ ପ୍ରଥମ ପତ୍ନୀଙ୍କୁ ଭରଣ ପୋଷଣ ଦେବାପାଇଁ ଆଇନତଃ ବାଧ୍ୟ ନୁହନ୍ତି ।[୩][୪]

ଅଦାଲତଙ୍କ ରାୟ[ସମ୍ପାଦନା]

୩ ଫେବୃଆରୀ ୧୯୮୧ରେ ଉଚ୍ଚତମ ନ୍ୟ୍ୟୟାଳୟର ଜଷ୍ଟିସ ସୟୀଦ ମୁର୍ତାଜ ଫଜଲ ଅଲ୍ଲୀ ଏବଂ ଜଷ୍ଟିସ ଏ. ବରଦାରାଜନଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ପ୍ରଥମେ ଏହାର ଶୁଣାଣି କରି ମତ ପୋଷଣ କଲେ ଯେ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ୧୨୫ ଧାରା ମୁସଲମାନ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ତେବେ ଉକ୍ତ ମାମଲାରେ ମୂଳ ଆଇନର ବ୍ୟାଖ୍ୟା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମାଧାନ ନିମିତ୍ତ ଏହା ଏକ ବୃହତ୍ତର ଖଣ୍ଡପୀଠ ଶୁଣାଣି କରିବା ଦରକାର ବୋଲି ତାଙ୍କ ରାୟରେ ଉଲ୍ଲେଖ କଲେ । ପରେ ପରେ ଉକ୍ତ ମାମଲାରେ ସର୍ବ ଭାରତୀୟ ମୁସଲିମ ପର୍ସନାଲ ଲା ବୋର୍ଡ ଏବଂ ଜାମିଆତ ଉଲେମା ଇ ହିନ୍ଦ ଉଭୟେ ମଧ୍ୟସ୍ଥ ଭାବେ ଉକ୍ତ ମାମଲାରେ ଯୋଗ ଦେଲେ । ମାମଲାଟିର ପରେ ଉଚ୍ଚତମ ନ୍ୟାୟାଳୟର ତତକାଳୀନ ମୁଖ୍ୟ ବିଚାରପତି ୱାଇ ଭି ଚନ୍ଦ୍ରଚୂଡ, ଜଗନ୍ନାଥ ମିଶ୍ର, ଡି ଏ ଦେଶାଇ, ଓ ଚିନ୍ନାପା ରେଡ୍ଡି ଏବଂ ଇ. ଏସ୍ ଭେକେଟରାମିୟାଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ଶୁଣାଣି ହେଲା । ୨୩ ଅପ୍ରେଲ ୧୯୮୫ରେ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ପାଞ୍ଚଜଣିଆ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ବାନୁଙ୍କ ସ୍ୱାମୀ କରିଥିବା ଅପିଲ ଖାରଜ କଲେ ।[୪]

ଉଚ୍ଚତମ ନ୍ୟାୟାଳୟ ଉକ୍ତ ରାୟରେ ଉଲ୍ଲେଖ କଲେ କି ଫୌଜଦାରୀ କାର୍ଯ୍ୟବିଧି ସଂହିତାର ୧୨୫ ଧାରା ଏବଂ ମୁସଲିମ ପରସନାଲ ଆଇନରେ ଥିବା ଭରଣ ପୋଷଣ ସମ୍ବନ୍ଧୀୟ ପ୍ରାବଧାନରେ କୌଣସି ମତଭେଦ ବା ଦ୍ୱନ୍ଦ ନାହିଁ । ଏଥି ସହିତ ଉକ୍ତ ରାୟରେ କୋରାନର ଉଲ୍ଲେଖ କରି କୁହାଗଲା ଯେ କୋରାନର ବାଣୀ ଅନୁସାରେ ମଧ୍ୟ ତଲାକ ଦିଆଯାଇଥିବା ଏବଂ ଅନ୍ୟ କୌଣସି ରାହା ନ ଥିବା ଏକ ସ୍ତ୍ରୀର ଭରଣପୋଷଣ ଦାୟୀତ୍ୱ ସେହି ପୂର୍ବତନ ସ୍ୱାମୀ ଉପରେ ନ୍ୟସ୍ତ ଅଟେ ।

ଶାହା ବାନୁଙ୍କ ଏହି ମାମଲାରେ ଅନ୍ତିମ ରାୟ ଆସିବାକୁ ପ୍ରାୟ ସାତବର୍ଷ ସମୟ ଲାଗିଗଲା । ଉଚ୍ଚତମ ନ୍ୟାୟାଳୟ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ୧୨୫ ଧାରାର ପ୍ରଜୁଯ୍ୟତା ସମ୍ପର୍କରେ ଏହି କଥା ସ୍ପଷ୍ଟ କଲେ ଯେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଏହି ପ୍ରାବଧାନ ସମସ୍ତ ମହିଳାଙ୍କ ପାଇଁ ପ୍ରଜୁଯ୍ୟ ।

ନୂତନ ଅଧିନିୟମର ବୈଧତା[ସମ୍ପାଦନା]

"The Muslim Women (Protection of Rights on Divorce) Act 1986"କୁ ଅସାମ୍ବିଧାନିକ ଆଧାରରେ ଏହାର ବୈଧତା ରଦ୍ଦ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ଅଦାଲତରେ ଶାହା ବାନୁର ଓକିଲଙ୍କଦ୍ୱାରା ଏକ ମାମଲା (Danial Latifi & Anr v. Union Of India) ୨୦୦୧ ମସିହାରେ ଦାୟର କରାଗଲା । ମୁସଲିମ ପରସନାଲ ଲ ବୋର୍ଡ ଅଦାଲତରେ ଯୁକ୍ତି ଉପସ୍ଥାପନା କଲେ କି କୌଣସି ଧାର୍ମିକ ଗ୍ରନ୍ଥର ବାଣୀକୁ ବ୍ୟାଖ୍ୟା କରିବାର ଅଧିକାର ଉଚ୍ଚତମ ନ୍ୟାୟାଳୟଙ୍କ ନାହିଁ ।[୧] ତେବେ ଉଚ୍ଚତମ ନ୍ୟାୟାଳୟ ଉକ୍ତ ମାମଲାରେ ପୂର୍ବ ମାମଲା ଆଧାରରେ ଏକଥା ପୁଣି ସ୍ପଷ୍ଟ କଲେ ଯେ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ୧୨୫ ଧାରା ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତ ମହିଳାଙ୍କ ପାଇଁ ପ୍ରଜୁଯ୍ୟ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "The Shah Bano legacy". The Hindu. 2003-08-10. Retrieved 2018-07-25.
  2. Khan, Saeed (11 November 2011). "'My mother was wronged, gravely wronged'". Hindustan Times. Retrieved 25 July 2018.
  3. Seyla Benhabib 2002, p. 91-92.
  4. ୪.୦ ୪.୧ "Mohd. Ahmed Khan and Shah Bano Begum and Others". Supreme Court Reports. 1985. 3: 844. 23 April 1985.
  5. "Danial Latifi & Anr vs Union Of India on 28 September, 2001". indiankanoon.org. Retrieved 25 July 2018.

ବାହାର ଲିଙ୍କ[ସମ୍ପାଦନା]