ମଧ୍ୟସ୍ଥତା (ଆଇନଗତ)

ଉଇକିପିଡ଼ିଆ ରୁ
Jump to navigation Jump to search

ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତାଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |[୧]

ଭାରତରେ ଏହି ପ୍ରକ୍ରିୟାର ବିକାଶ[ସମ୍ପାଦନା]

ଭାରତରେ ଆର୍ବିଟ୍ରେସନର ପ୍ରାରମ୍ଭିକ ବିକାଶ ବା ପ୍ରମାଣ ହିନ୍ଦୁ ନିୟମ ଅନୁଯାୟୀ "ବୃହତ ଆରଣ୍ୟକ ଉପନିଷଦ"ରୁ ମିଳିପାରିବ । ଏହା ମୁଖ୍ୟତଃ ତିନୋଟି ପ୍ରାଥମିକ ସଂସ୍ଥାକୁ ନେଇ ଗଠିତ ଥିଲା[୨]:

୧) ସ୍ଥାନୀୟ ଅଦାଲତ ଗୁଡିକ ।

୨) ସମାନ ବ୍ୟବସାୟ କିମ୍ବା ବୃତ୍ତିରେ ନିୟୋଜିତ ଲୋକମାନେ ।

୩) ପଞ୍ଚାୟତଗୁଡିକ ।

  • ପଞ୍ଚାୟତର ସଦସ୍ୟମାନେ ପଞ୍ଚ ବା ପଞ୍ଚ ପରମେଶ୍ୱର ଭାବରେ ଜଣାଶୁଣା ଥିଲେ । ସେହି ସମୟରେ ସେହି ପଞ୍ଚ ହିଁ ମଧ୍ୟସ୍ଥି ବା ଆର୍ବିଟ୍ରେଟର ଥିଲେ, ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ବିବାଦର ସମାଧାନ କରୁଥିଲେ ।
  • ତେବେ ଏହା ପରେ ବ୍ରିଟିଶ ଭାରତ ପାଇଁ ପ୍ରଥମ ବିଧାନ ପରିଷଦ ଗଠନ ହେଲା ଏବଂ ଆର୍ବିଟ୍ରେସନ୍ ଉପରେ ଭାରତରେ ଏହାର ଏ ସମ୍ପର୍କିତ ପ୍ରଥମ ଅଧିନିୟମ ପ୍ରଣୟନ ହେଲା, ଯାହା "ଇଣ୍ଡିଆନ୍ ଆର୍ବିଟ୍ରେସନ୍ ଆକ୍ଟ" (Indian Arbitration Act,1899) ଭାବରେ ଜଣାଶୁଣା । କିନ୍ତୁ ଏହି ନିୟମ କେବଳ ପ୍ରେସିଡେନ୍ସି ସହର ଅର୍ଥାତ୍ ତତକାଳୀନ କଲିକତା, ବମ୍ବେ ଏବଂ ମାଡ୍ରାସ ପାଇଁ ପ୍ରଯୁଜ୍ୟ ଥିଲା । ଏହି ଅଧିନିୟମ ମୁଖ୍ୟତଃ ବ୍ରିଟିଶ ଆର୍ବିଟ୍ରେସନ୍ ଆକ୍ଟ, ୧୮୮୯ ଉପରେ ଆଧାରିତ ଥିଲା ।
  • ଏହା ପରେ ଆର୍ବିଟ୍ରେସନ୍ ଆକ୍ଟ, ୧୯୪୦ ଆସିଥିଲା ​​ଯାହା ପାକିସ୍ଥାନ ଏବଂ ବାଲୁଚିସ୍ତାନ ସମେତ ସମଗ୍ର ଭାରତ ପାଇଁ ପ୍ରଯୁଜ୍ୟ ଥିଲା । ଅବଶ୍ୟ, ସ୍ୱାଧୀନତା ପରେ ସେହି ଅଧିନିୟମକୁ ସଂଶୋଧନ କରାଯାଇଥିଲା ।
  • ୧୯୪୦ ମସିହାର ଅଧିନିୟମରେ ବିଭିନ୍ନ ତ୍ରୁଟି ଥିବା ହେତୁ ଏହି ଅଧିନିୟମକୁ ଏକ ନୂତନ ଅଧିନିୟମ "ଆର୍ବିଟ୍ରେସନ୍ ଆଣ୍ଡ କନ୍ସିଲିଏସନ୍ ଆକ୍ଟ, ୧୯୯୬" ପ୍ରଣୟନ ପୂର୍ବକ ବଦଳାଇଦିଆଗଲା ।

ଉପଯୋଗୀତା[ସମ୍ପାଦନା]

ଆର୍ବିଟ୍ରେସନ୍ ସ୍ୱେଚ୍ଛାକୃତ ହୋଇପାରେ (ପକ୍ଷମାନେ ଏହା କରିବାକୁ ରାଜି ହୁଅନ୍ତି) କିମ୍ବା ବାଧ୍ୟତାମୂଳକ (ଆଇନ ଅନୁଯାୟୀ ଆବଶ୍ୟକ) ହୋଇପାରେ । ଅଧିକାଂଶ ଚୁକ୍ତିନାମାରେ ଆର୍ବିଟ୍ରେସନ୍ ପାଇଁ ଏକ ସର୍ତ୍ତ ରହିଥାଏ କାରଣ ପକ୍ଷଗୁଡିକ ଏକ ଆର୍ବିଟ୍ରେସନ୍ ଧାରା ଅନ୍ତର୍ଭୂକ୍ତ କରିଥିଲେ ହିଁ ଚୁକ୍ତିନାମା ଅନୁଯାୟୀ କିମ୍ବା "ଉତ୍ପନ୍ନ” ବିବାଦର ସମାଧାନ କରିବାକୁ ମଧ୍ୟସ୍ଥି ଆବଶ୍ୟକ ହୁଏ । ତଥାପି, ନିମ୍ନ ସମ୍ବନ୍ଧୀୟ ବିବାଦ କିମ୍ବା ଦାବିଗୁଡିକ ଥିଲେ ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା ସମ୍ଭବ ନୁହେଁ:

  • ପାରିବାରିକ ନିୟମ
  • ରହିବା ପାଇଁ ଭଡା ଚୁକ୍ତିନାମା, ଏହିପରି ଚୁକ୍ତିଗୁଡ଼ିକର ବୈଧତା, ସମାପ୍ତି ଏବଂ ଯୋଗ୍ୟତା ସହିତ ବିବାଦର ଅନ୍ତର୍ଭୁକ୍ତ ହୋଇଥାଏ
  • ପୈତୃକ ସମ୍ପତ୍ତି ଅଧିକାର
  • ଦେବାଳିଆ ଘୋଷଣା ସମ୍ବନ୍ଧୀୟ ମାମଲା
  • ସାର୍ବଜନୀନ ଅଧିକାର କ୍ଷେତ୍ରରେ ସମ୍ପତ୍ତିର ଭାଗବଣ୍ଟା
  • ଜୀବନ ଏବଂ ସ୍ୱାସ୍ଥ୍ୟ
  • ବୌଦ୍ଧିକ ସମ୍ପତ୍ତିର ଅଣ-ସମ୍ପତ୍ତି ଅଧିକାର
  • ଅନ୍ୟାନ୍ୟ ମକଦ୍ଦମା ଯେଉଁଥିରେ ଆଇନ ଅଦାଲତର ସ୍ୱତନ୍ତ୍ର ଅଧିକାରଦ୍ୱାରା ପରିଚାଳିତ

ଭାରତରେ ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତାର ଫାଇଦା[ସମ୍ପାଦନା]

୧) ବୈଷୟିକ ପ୍ରସଙ୍ଗରେ ପାରଦର୍ଶୀତା: ଜଣେ ଆର୍ବିଟ୍ରେଟର ବା ମଧ୍ୟସ୍ଥି ସହଜରେ ବୈଷୟିକ ବିଷୟଗୁଡିକ ସହିତ ମୁକାବିଲା କରିପାରିବେ ଯାହା ବିଜ୍ଞାନ ସମ୍ମତ ଅଟେ କାରଣ ସାଧାରଣତ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ଏବଂ ଦକ୍ଷତା ଉପରେ ଆଧାର କରି ଆର୍ବିଟ୍ରେଟରମାନଙ୍କୁ ନିଯୁକ୍ତ କରାଯାଇଥାଏ । ଏହିପରି ଭାବରେ ବିବାଦଗୁଡିକ ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷତାର ସହିତ ସମାଧାନ ହୁଏ ।

୨) ଆଇନ ଅଦାଲତରେ ବିବାଦର ସମାଧାନର ପାରମ୍ପାରିକ ଉପାୟ ଅପେକ୍ଷା ଆବେଦନ ପ୍ରକ୍ରିୟା କମ ବ୍ୟୟରେ ହୋଇପାରିବା ସହ କମ୍ ସମୟ ସାପେକ୍ଷ ହୋଇଥାଏ ।

୩) ପକ୍ଷମାନଙ୍କର ସୁବିଧା ଅନୁଯାୟୀ ସେମାନେ ପ୍ରକ୍ରିୟାର ଭାଷା, ସ୍ଥାନ ଏବଂ ସମୟ ଉପରେ ନିଷ୍ପତ୍ତି ନେଇପାରନ୍ତି |

୪) ବିବାଦର କୌଣସି ଅନାବଶ୍ୟକ ପ୍ରଚାର ନ ଥିବାରୁ ପକ୍ଷମାନଙ୍କର ଗୋପନୀୟତା ବଜାୟ ରହେ ।

୫) ଅଦାଲତର ପ୍ରକ୍ରିୟା ଅପେକ୍ଷା ଆର୍ବିଟାଲ୍ ପ୍ରକ୍ରିୟା ଅଧିକ ନମନୀୟ ଅଟେ କାରଣ ଆର୍ବିଟାଲ୍ ପ୍ରକ୍ରିୟା ଅନୁଯାୟୀ ଏଠାରେ ଅଦାଲତର କଠୋର ନିୟମାବଳୀକୁ ଅନୁସରଣ କରିବାକୁ ପଡେ ନାହିଁ | ଏହାର କାରଣ ହେଉଛି ଯେ ପକ୍ଷଗୁଡିକ ପ୍ରକ୍ରିୟାର ନିୟମ ଏବଂ ନିୟମାବଳୀ ସ୍ଥିର କରନ୍ତି |[୨]

ଆଧାର[ସମ୍ପାଦନା]

  1. "Arbitration | law". Encyclopedia Britannica (in ଇଂରାଜୀ). Retrieved 6 October 2020.
  2. ୨.୦ ୨.୧ "Kinds of Arbitration". www.legalserviceindia.com. Retrieved 7 October 2020.

ଆହୁରି ପଢ଼ନ୍ତୁ[ସମ୍ପାଦନା]