ଲୋକ ଅଦାଲତ

ଉଇକିପିଡ଼ିଆ ରୁ
Jump to navigation Jump to search

ଲୋକ ଅଦାଲତ ହେଉଛି ମାମଲାର ତ୍ୱରିତ ସମାଧାନ ପାଇଁ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାର ଏକ ବିକଳ୍ପ ପନ୍ଥା[୧] । ନ୍ୟାୟୀକ ବ୍ୟବସ୍ଥାରେ ଏହାର ଅବଦାନ ଅତୁଳନୀୟ [୨] । ଭାରତରେ ପ୍ରାଚୀନ କାଳରୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ଆଶୁ ସମାଧାନ କରୁଥିବାର ନଜିର ରହିଛି । "ଲୋକ ଅଦାଲତ" ବାସ୍ତବରେ ପୂରାତନ ଗ୍ରାମ ପଞ୍ଚାୟତର ପଞ୍ଚପରମେଶ୍ୱରଙ୍କ ଆଧାରରେ ଥିବା ବ୍ୟବସ୍ଥା ବା ଲୋକଙ୍କ ଅଦାଲତର ଏକ ପରିବର୍ତ୍ତିତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ [୩]। ଭାରତର ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ପି.ଏନ୍. ଭଗବତୀ ହେଉଛନ୍ତି "ଲୋକ ଅଦାଲତ" ଚିନ୍ତାଧାରାର ପ୍ରବର୍ତ୍ତକ । ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବାଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ତ୍ୱରିତ ସମାଧାନ କରାଯାଇପାରୁଛି[୪] । ଭାରତରେ ଏବେ ପ୍ରତି ମାସରେ ଲୋକ ଅଦାଲତ ଗୁଡିକ ଜରିଆରେ ବହୁ ଦେବାନୀ ତଥା ଫୌଜଦାରୀ ମାମଲାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ହୋଇପାରୁଛି[୫] । ଦେଶର ପ୍ରଥମ ଲୋକ ଅଦାଲତ ମାର୍ଚ୍ଚ୍ ୧୪, ୧୯୮୨ରେ ଗୁଜରାଟ୍‌ରେ ହୋଇଥିଲା । ତେବେ ଆଇନ ସେବା ପ୍ରାଧୀକରଣ ଆଇନ (LEGAL SERVICES AUTHORITY ACT, 1987)[୬] ମାଧ୍ୟମରେ ଏହି ବ୍ୟବସ୍ଥାକୁ ବିଧି ସମ୍ମତ କରାଯାଇଛି ।

ଲକ୍ଷ୍ୟ[ସମ୍ପାଦନା]

ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ତ୍ୱରିତ ସମାଧାନ ହେଉଛି ଲୋକ ଅଦାଲତର ମୂଳ ଲକ୍ଷ୍ୟ । ଆପୋଷ ସମାଧାନ ହୋଇ ନ ପାରିଲେ ମାମଲାଟି ପୁଣି ଅଦାଲତକୁ ବିଚାର ନିମନ୍ତେ ଫେରିଯାଏ । ତେବେ ଲୋକ ଅଦାଲତରେ ମାମଲାର ସମାଧାନ ହେଲେ ଦୁଇ ପକ୍ଷ ମଧ୍ୟରେ ସୁସଂପର୍କ ବଜାୟ ରହିବା ସହିତ ଅତି କମ୍ ସମୟ ମଧ୍ୟରେ ଉଭୟ ପକ୍ଷ ନ୍ୟାୟ ଲାଭ କରନ୍ତି । ଏଥିପାଇଁ ଓକିଲ ଆବଶ୍ୟକ ପଡେନି ଏବଂ ପୂର୍ବରୁ ଯଦି କୋର୍ଟ ଫି ଦାଖଲ ହୋଇଥାଏ ତେବେ ଲୋକ ଅଦାଲତରେ ମାମଲାର ସମାଧାନ ହେଲେ ଆବେଦନକାରୀ ପକ୍ଷ ସେହି କୋର୍ଟ ଫି ବାବଦ ଟଙ୍କା ଫେରି ପାଇବାର ବ୍ୟବସ୍ଥା ମଧ୍ୟ ରହିଛି । ଲୋକ ଅଦାଲତରେ ମିଳୁଥିବା ଡିକ୍ରୀ ମାନ୍ୟତାପ୍ରାପ୍ତ ଅଦାଲତର ଡିକ୍ରୀଠାରୁ କୌଣସି ଗୁଣରେ କମ୍ ନୁହେଁ ।

ସ୍ଥାୟୀ ଲୋକ ଅଦାଲତ[ସମ୍ପାଦନା]

ଅନ୍ୟ ପ୍ରକାରର ଲୋକ ଅଦାଲତ ହେଉଛି "ସ୍ଥାୟୀ ଲୋକ ଅଦାଲତ", ଯାହା ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ର ଧାରା ୨୨-ବି ଅଧୀନରେ ସଂଗଠିତ ହୋଇଛି । ସ୍ଥାୟୀ ଲୋକ-ଅଦାଲତଗୁଡିକ ସ୍ଥାୟୀ ପ୍ରାଧିକରଣ ଭାବରେ ଏକ ଅଧ୍ୟକ୍ଷ ଏବଂ ଦୁଇଜଣ ସଦସ୍ୟଙ୍କ ସହିତ ନିଶ୍ଚିତ ପ୍ରାକ୍-ମକଦ୍ଦମା ପ୍ରଣାଳୀ ଯୋଗାଇବା ପାଇଁ ପ୍ରତିଷ୍ଠା କରାଯାଇଛି । ପରିବହନ, ଡାକ, ଟେଲିଗ୍ରାଫ୍ ଇତ୍ୟାଦି ସର୍ବ ସାଧାରଣ ସେବା ସହ ଜଡିତ ମାମଲାଗୁଡ଼ିକର ଆପୋଷ ବୁଝାମଣା ଏବଂ ସମାଧାନ ପାଇଁ ଏଠାରେ ଯଦି ପକ୍ଷଗୁଡିକ ଏକ ଅପୋଷ ସମାଧାନରେ ପହଞ୍ଚିବାରେ ବିଫଳ ହୁଅନ୍ତି ଏବଂ ଏହି ବିବାଦ କୌଣସି ଅପରାଧ ନ ହୋଇଥିଲେ ସେଭଳି ସ୍ଥଳେ ସ୍ଥାୟୀ ଲୋକ ଅଦାଲତକୁ ବିବାଦର ନିଷ୍ପତ୍ତି ନେବାକୁ ଅଧିକାର ପ୍ରଦାନ କରାଯାଇଥାଏ । ଅଧିକନ୍ତୁ, ସ୍ଥାୟୀ ଲୋକ ଅଦାଲତର ଫଳାଫଳ ବା ନିଷ୍ପତ୍ତି ସମସ୍ତ ପକ୍ଷ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ | ସ୍ଥାୟୀ ଲୋକ ଅଦାଲତର ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବିବାଦର ସମାଧାନ କରିବା କ୍ଷମତା ରହିଛି ।[୭]

ଆଧାର[ସମ୍ପାଦନା]

  1. "Concept & nature of Lok Adalat"shodhganga
  2. "Lok Adalat System in India"academia.edu
  3. "Lok Adalat"legalserviceindia
  4. "Organisation of Lok Adalat"oslsa.in
  5. "lok-adalat"thehindu
  6. "NALSA"nalsa.gov.in]
  7. "Permanent Lok Adalat". nalsa.gov.in (in ଇଂରାଜୀ). 26 February 2019. Retrieved 10 September 2020.

ଆହୁରି ପଢ଼ନ୍ତୁ[ସମ୍ପାଦନା]