ଡୋକଲାମ୍ ବିବାଦ

ଉଇକିପିଡ଼ିଆ ରୁ
Jump to navigation Jump to search
୨୦୧୭ର ଭାରତ-ଚୀନ୍ ମଧ୍ୟରେ ଡୋକଲାମ୍‍ ବିବାଦ
Chinese photograph of Indian troops at Doklam standoff.png
ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିତ୍ରରେ ଭାରତର ସୈନ୍ୟମାନେ ଡୋକଲାମ୍‍କୁ ଅନୁପ୍ରବେଶ କରିଛନ୍ତି ବୋଲି କୁହାଯାଇଥିଲା
Date ୧୬ ଜୁନ୍ ୨୦୧୭ରୁ ୨୮ ଅଗଷ୍ଟ ୨୦୧୭
Location ଡୋକଲାମ୍
Status ସୈନ୍ୟବିରତି
  • ଉଭୟ ପକ୍ଷ ଡୋକଲାମ୍‍ରୁ ନିଜ ସୈନ୍ୟବଳ ଫେରାଇ ନେଲେ
  • ଚୀନ୍ଦ୍ୱାରା ସଡକ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କରାଗଲା
  • ଚୀନ୍ ଏହି ଅଞ୍ଚଳ ଉପରେ ବର୍ତ୍ତମାନ ସୁଦ୍ଧା ନଜର ରଖିଛି ବୋଲି ଚୀନ୍ ଦାବୀ କରୁଛି
Belligerents
 ଭାରତ
( ଭୁଟାନର ମିତ୍ରଦେଶ ପ୍ରତିନିଧି)
 ଚୀନ
Casualties and losses
କିଛି ସୈନିକ ଆହତ ହେବା[୧] କିଛି ସୈନିକ ଆହତ ହେବା[୧]
ଡୋକଲାମ୍ ବିବାଦ ବିଷୟରେ ଚୀନ୍‍ର ଜାତୀୟ ଗଣମାଧ୍ୟମରେ ପ୍ରଚାର କରାଯାଇଥିବା ଚିତ୍ର

୨୦୧୭ ମସିହାରେ ଭାରତୀୟ ସେନା ଓ ଚୀନ୍‍ର ପିପୁଲ୍‍ସ୍ ଲିବରେସନ୍ ଆର୍ମି ମଧ୍ୟରେ ଡୋକଲାମ୍ ଅଞ୍ଚଳରେ ଏକ ବିବାଦ ସୃଷ୍ଟି ହୋଇଥିଲା । ଏହି ଅଞ୍ଚଳରେ ଚୀନୀ ସେନା ଏକ ସଡକର ସମ୍ପ୍ରସାରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା ଯାହା ଏହି ବିବାଦର ମୂଳ କାରଣ ଥିଲା । ଡୋକଲାମ୍ ଅଞ୍ଚଳ ଡୋଂଗ୍‍ଲାଂଗ୍ ବା ଡୋଂଗ୍‍ଲାଂଗ୍ ଚାଓଚାଂଗ୍ ନାମରେ ମଧ୍ୟ ପରିଚିତ । ଚାଓଚାଂଗ୍‍ର ଅର୍ଥ ହେଲା ତୃଣଭୂମି ବା ଚରାଭୂଈଁ । ୧୬ ଜୁନ୍ ୨୦୧୭ରେ ଚୀନୀ ସେନା ନିଜର ସଡକ ନିର୍ମାଣକାରୀ ଉପକରଣ ସହିତ ଡୋକଲାମ୍ ପହଞ୍ଚି ସେଠାରେ ଏକ ପୂର୍ବରୁ ଥିବା ଏକ ସଡକକୁ ଦକ୍ଷିଣ ପଟକୁ ସମ୍ପ୍ରସାରଣ କରିବା ଆରମ୍ଭ କଲେ । ଡୋକଲାମ୍ କ୍ଷେତ୍ରଟି ଉପରେ ଚୀନ୍ ଓ ଭୁଟାନ (ଭାରତର ପଡୋଶୀ ଓ ମିତ୍ରଦେଶ) ନିଜର ଅଧିକାର ଦାବୀ କରୁଥିବାରୁ ଏହା ଏକ ବିବାଦୀୟ କ୍ଷେତ୍ର । ୧୮ ଜୁନ୍ ୨୦୧୭ରେ ପ୍ରାୟ ୨୭୦ ସଂଖ୍ୟକ ଭାରତୀୟ ସୈନିକ ଅସ୍ତ୍ରଶସ୍ତ୍ର ଓ ସଡକ ଧ୍ୱଂସକ ବୁଲ୍ଡୋଜର୍ ଇତ୍ୟାଦି ସହ ଡୋକଲାମ୍‍ ଅଞ୍ଚଳରେ ପ୍ରବେଶ କଲେ । ୨୮ ଅଗଷ୍ଟ ୨୦୧୭ ଦିନ ଉଭୟ ଭାରତ ଓ ଚୀନ୍ ନିଜ ନିଜ ସୈନ୍ୟବଳ ଡୋକଲାମ୍ କ୍ଷେତ୍ରରୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଲା ।

ପୃଷ୍ଠଭୂମି[ସମ୍ପାଦନା]

ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ଓ ଡୋକଲାମ୍‍ର ଅବସ୍ଥିତି

ଛାଞ୍ଚ:OSM Location map ଭାରତ, ଚୀନ୍ ଓ ଭୁଟାନ୍‍ର ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁରେ ଡୋକଲାମ୍ ଅଞ୍ଚଳ ଅବସ୍ଥିତ ଓ ଏହା ଚୀନ୍ ଓ ଭୁଟାନ୍ ମଧ୍ୟସ୍ଥ ସୀମାରେଖାରେ ଏହା ଏହି ଦୁଇ ଦେଶଙ୍କ ପାଇଁ ଏକ ବିବାଦୀୟ ଅଞ୍ଚଳ ।[୨][୩] ଭାରତ ଡୋକଲାମ୍‍ର କୌଣସି କ୍ଷେତ୍ର ଉପରେ ନିୟନ୍ତ୍ରଣ ଦାବୀ କରେନାହିଁ କିନ୍ତୁ ଏହି କ୍ଷେତ୍ରରେ ଭାରତ ନିଜ ମିତ୍ରଦେଶ ଭୁଟାନ୍‍ର ସ୍ୱାର୍ଥ ବା ଅଧିକାରର ସମର୍ଥନ କରେ ।[୪][୫][୬]

୧୮୯୦ ମସିହାରେ ଚୀନ୍ ଓ ବ୍ରିଟେନ୍ ମଧ୍ୟରେ କଲିକତାରେ ହୋଇଥିବା ଏକ ଚୁକ୍ତିନାମାର ପ୍ରଥମ ଅନୁଚ୍ଛେଦକୁ ଭିତ୍ତିକରି ଚୀନ୍ ଡୋକଲାମ୍ ଅଞ୍ଚଳ ଉପରେ ନିୟନ୍ତ୍ରଣର ଅଧିକାର ଦାବୀ କରୁଛି । ଏହି ଚୁକ୍ତିନାମା ଅନୁସାରେ : ସିକ୍କିମ୍ ପଟକୁ ପ୍ରବାହିତ ତିସ୍ତା ନଦୀ ଓ ତିବ୍ୱତ୍‍ର ମୋଚୁ ଓ ଉତ୍ତର ପଟର ଅନ୍ୟ ନଦୀମାନଙ୍କୁ ପ୍ରବାହିତ ଜଳ ସମ୍ପଦକୁ ବିଭାଜିତ କରୁଥିବା ପର୍ବତଶ୍ରେଣୀ ସିକ୍କିମ୍ ଓ ତିବ୍ୱତ୍‍ର ସୀମାରେଖା ଭାବେ ପରିଗଣିତ ହେବେ । ଏହି ସୀମାରେଖା ଭୁଟାନ୍ ଅଞ୍ଚଳର ଗିପମୋଚି ପର୍ବତଠାରୁ ଆରମ୍ଭ ହୋଇ ଏହି ଜଳବିଭାଜିକା ପର୍ବତଶ୍ରେଣୀକୁ ଅନୁସରଣ କରି ନେପାଳର ସୀମାରେଖାଠାରେ ଶେଷ ହୋଇଛି ।

ଏହି ଚୁକ୍ତିନାମା ଭିତ୍ତିରେ ଚୀନ୍ ନିଜ ଯୁକ୍ତି ବାଢେ ଯେ ଭୁଟାନ୍‍ର ଗିପମୋଚି ପର୍ବତଠାରୁ ସିକ୍କିମ୍-ତିବ୍ୱତ୍‍ର ସୀମା ଆରମ୍ଭ ହୁଏ ଏବଂ ଏଥିରୁ ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁର ଅବସ୍ଥିତି ସୁନିଶ୍ଚିତ ହେଉଛି ।[୭] ଚୀନ୍‍ର ଯୁକ୍ତି ଅନୁସାରେ ସିକ୍କିମ୍‍ର ସୀମାରେ ଥିବା ତିବ୍ୱତ୍‍ର ଜିଗାଜେ ଅଞ୍ଚଳରେ ଡୋକଲାମ୍ ଅବସ୍ଥିତ ।[୮] ଭୁଟାନ୍ ଏହି ଚୁକ୍ତିନାମାରେ ଭାଗୀଦାର ହୋଇନଥିଲା ।

୧୯୪୯ ମସିହାରେ ଭୁଟାନ୍ ଓ ଭାରତ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ଅନୁସାରେ ଭୁଟାନ୍‍ର ରାଜନୈତିକ, କୂଟନୈତିକ ଓ ସାମରିକ ପ୍ରସଙ୍ଗରେ ଭାରତକୁ ଭୁଟାନ୍‍ର ପଥପ୍ରଦର୍ଶକ ହେବାର ପୂର୍ଣ୍ଣ ଅନୁମତି ମିଳିଲା ।[୯] ୨୦୦୭ ମସିହାରେ ଭାରତ ଓ ଭୁଟାନ୍ ମଧ୍ୟରେ ଆଉ ଏକ ମିତ୍ରତା ଚୁକ୍ତି ସ୍ୱାକ୍ଷରିତ ହେଲା ଯାହା ୧୯୪୯ର ଚୁକ୍ତିର କ୍ଷମତାକୁ ଅତିକ୍ରମ କରୁଅଛି । ନୂଆ ମିତ୍ରତା ଚୁକ୍ତି ଅନୁସାରେ ବୈଦେଶିକ ସମ୍ପର୍କ କ୍ଷେତ୍ରରେ ଭୁଟାନ୍ ଭାରତର ଦିଗ୍‍ଦର୍ଶନ ଗ୍ରହଣ କରିବାକୁ ବାଧ୍ୟ ଓ ଭାରତ ଭୁଟାନ୍‍କୁ ସୀମାରେଖା ସମ୍ବନ୍ଧୀୟ ସୁରକ୍ଷା ଯୋଗାଇଦେବ । ଏହି ମିତ୍ରତା ଚୁକ୍ତିର ଦ୍ୱିତୀୟ ଅନୁଚ୍ଛେଦ ଅନୁସାରେ[୧୦] : ଭାରତ ଓ ଭୁଟାନ୍ ମଧ୍ୟରେ ରହିଥିବା ଘନିଷ୍ଠ ବନ୍ଧୁତା ଓ ପରସ୍ପର ପ୍ରତି ସହାୟକ ମନୋବୃତ୍ତିକୁ ଦୃଷ୍ଟିରେ ରଖି ଭାରତର ଗଣତାନ୍ତ୍ରିକ ସରକାର ଓ ଭୁଟାନ୍‍ ରାଜ୍ୟର ସରକାର ନିଜର ରାଷ୍ଟ୍ରୀୟ ସ୍ୱାର୍ଥରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ପରସ୍ପର ସହିତ ସହଯୋଗ କରିବେ ।

ଡୋକଲାମ୍ ବିବାଦୀୟ କ୍ଷେତ୍ର ମଧ୍ୟରେ ଭୁଟାନ୍ ଓ ଚୀନ୍‍ର ବିବାଦ ରହିଛି । ଡୋକଲାମ୍‍ରୁ ଆଗକୁ ସଡକପଥ ରହିଲେ ଏହି ଅଞ୍ଚଳର ଯଥାସ୍ଥିତି ବଦଳିଯିବ ଓ ଚୀନ୍ ମନମୁତାବକ ସୀମାକ୍ଷେତ୍ର ନିୟନ୍ତ୍ରଣ କରିପାରିବ । ଡୋକଲାମ୍‍କୁ ସାମରିକ ଯୋଗାଣ ସୁବିଧା ହେଲେ ଚୀନ୍ ନାଥୁଲା ଗିରିପଥ ଦେଇ ସିଲିଗୁଡି କରିଡର୍ ଅକ୍ତିଆର କରି ଭାରତର ସାମରିକ ଶକ୍ତିକୁ ବଳହୀନ କରିଦେଇପାରେ ବୋଲି କେତେକ ରକ୍ଷା ବିଶେଷଜ୍ଞ ମତ ପୋଷଣ କରିଥିଲେ

୧୯୫୮ ପରଠାରୁ ଚୀନୀମାନେ ନିଜ ମାନଚିତ୍ରରେ ଭୁଟାନୀୟ କ୍ଷେତ୍ରର ଏକ ବଡ ଅଂଶ ନିଜର ବୋଲି ଦର୍ଶାଇ ଆସୁଥିଲେ ।[୧୧] ୧୯୬୦ ଦଶନ୍ଧିରେ ଅନେକ ସ୍ଥାନୀୟ ବିବାଦ ଦେଖାଦେଲା ଓ ୧୯୭୦ ଦଶନ୍ଧିରେ ଚୀନ୍‍, ଭୁଟାନ୍ ମଧ୍ୟରେ ବୁଝାମଣା ପାଇଁ ଆଲୋଚନା ଆରମ୍ଭ ହେଲା। ଏଥିରେ ଭାରତ ସହାୟକର ଭୂମିକାରେ ରହିଥିଲା କିନ୍ତୁ ଡୋକଲାମ୍ କ୍ଷେତ୍ରର ନିର୍ବିବାଦ ଅଧିକାର ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ । ୧୯୮୪ ମସିହାରୁ ଭୁଟାନ୍ ଓ ଚୀନ୍ ପ୍ରାୟ ୨୪ ଥର ବିଭିନ୍ନ ସୀମାରେଖା ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୧୯୮୮, ୧୯୯୮ ମସିହାରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ବୁଝାମଣା ମଧ୍ୟ ନିର୍ଣ୍ଣିତ ହୋଇଛି । କିନ୍ତୁ ଭୁଟାନ୍‍ର ଅସ୍ତ୍ର ବ୍ୟବହାର ନ କରିବାର ନୀତି ଉଭୟ ଦେଶଙ୍କୁ ଶାନ୍ତ କରି ରଖିଛି ।

୨୦୦୦ ଦଶନ୍ଧିର ପ୍ରଥମାର୍ଦ୍ଧରେ ନିଜର ନିର୍ବିବାଦୀୟ କ୍ଷେତ୍ର ସିଞ୍ଚେଲା ଗିରିପଥରୁ ବିବାଦୀୟ ଡୋକଲାମ୍ ମାଳଭୂମି ମଧ୍ୟଦେଇ ଡୋକା ଲା ଗିରିପଥ ଓ ତାହାପରେ ଭାରତୀୟ ସୀମାରେ ସିକ୍କିମ୍‍ର ସୀମାରେ ଥିବା ଛାଉଣୀଠାରୁ ୬୮ ମିଟର୍ ଦୂରତା ପର୍ଯ୍ୟନ୍ତ ଚୀନ୍ ଏକ ସଡକ ନିର୍ମାଣ କରିଥିଲା । ଏହି ସଡକଟି ୨୦୦୫ ମସିହାରୁ ରହିଛି[୧୨] ଓ ଏଠାରେ ଗାଡି ବୁଲିବା ଓ ଫେରିଯିବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଏହି ସଡକର ଦକ୍ଷିଣାଭିମୁଖୀ ସମ୍ପ୍ରସାରଣ ହିଁ ୨୦୧୭ରେ ଡୋକଲାମ୍ ବିବାଦର କାରଣ ବୋଲି କୁହାଯାଉଛି ।

ଘଟଣା କ୍ରମ[ସମ୍ପାଦନା]

୨୦୧୭ ଜୁନ୍ ୧୬ ତାରିଖ ଦିନ ଚୀନ୍‍ର ସେନା ସଡକ ନିର୍ମାଣକାରୀ ଯନ୍ତ୍ର ଓ ଗାଡି ନେଇ ଆଗରୁ ଥିବା ସଡକକୁ ଡୋକଲାମ୍‍ରୁ ଦକ୍ଷିଣ ଦିଗକୁ ସମ୍ପ୍ରସାରଣ କରିବା ଆରମ୍ଭ କଲେ ।

୨୦୧୭ ଜୁନ୍ ୧୮ ତାରିଖରେ ୨୭୦ ଜଣ ଭାରତୀୟ ସୈନିକ ଶସ୍ତ୍ର ଓ ସଡକ ଧ୍ୱଂସକାରୀ ଦୁଇଟି ବୁଲ୍ଡୋଜର୍ ସହିତ ଡୋକଲାମ୍‍ ପ୍ରବେଶ କଲେ ଓ ଚୀନ୍ ସୈନିକମାନଙ୍କୁ ସଡକ ତିଆରି କରିବାରୁ ଅଟକାଇଲେ ।

କୁକୁଡାବେକ ବୋଲାଉଥିବା ସିଲିଗୁଡି କରିଡର୍
ଭାରତ ପାଇଁ ସିଲିଗୁଡି କରିଡର୍‍ର ସାମରିକ ମହତ୍ତ୍ୱ

୨୦୧୭ ଜୁନ୍ ୨୯ ତାରିଖ ଦିନ ବିବାଦୀୟ କ୍ଷେତ୍ରରେ ଚୀନ୍ ବଳପୂର୍ବକ ସଡକ ତିଆରି କରୁଛି ବୋଲି ଭୁଟାନ୍ ଅଭିଯୋଗ କଲା ।[୧୩] ଭୁଟାନ୍ ସରକାର ମତ ରଖିଲେ ଯେ ପୂର୍ବରୁ ଡୋକା-ଲା ଗିରିପଥ ପାଖରେ ସମାପ୍ତ ହୋଇଥିବା ସଡକକୁ ଚୀନ୍ ଜାମ୍ଫେରୀ ନିକଟରେ ଥିବା ଜୋର୍ଣ୍ଣପେଲରିର ଭୁଟାନୀୟ ସୈନ୍ୟଶିବିର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ଉଦ୍ୟମ କରୁଥିଲା । ଏହି ଅଞ୍ଚଳକୁ ଉଭୟ ଭାରତ ଓ ଭୁଟାନ୍ ଭୁଟାନ୍‍ର ଅଂଶ ବୋଲି ମାନ୍ୟତା ଦେଇଥିବା ବେଳେ ଏହାକୁ ଚୀନ୍ ନିଜର କ୍ଷେତ୍ର ଭାବେ ଗଣନା କରେ । ଏହି କ୍ଷେତ୍ରରୁ ଅଳ୍ପ ଦୂରତାରେ ଭାରତର ଅତି ମହତ୍ତ୍ୱପୂର୍ଣ୍ଣ ସାମରିକ ସ୍ଥାନ “ସିଲିଗୁଡି କରିଡର୍” (କେତେଜଣ ଏହାକୁ କୁକୁଡାବେକ ବୋଲି ମଧ୍ୟ କୁହନ୍ତି) ଅବସ୍ଥିତ । ଡୋକଲାମ୍ ତ୍ରିରାଷ୍ଟ୍ରୀୟ ମିଳନସ୍ଥଳ ପର୍ଯ୍ୟନ୍ତ ସଡକ ପଥ ରହିଲେ ଚୀନ୍ ଆବଶ୍ୟକତା ଅନୁଯାୟୀ ସିଲିଗୁଡି କରିଡର୍ ଅକ୍ତିଆର କରି ସମସ୍ତ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ସହ ଭାରତରୁ ଯୋଗାଯୋଗ ବିଚ୍ଛିନ୍ନ କରିବାରେ ସଫଳ ହୋଇପାରିବ ।[୧୪] ତେଣୁ ୨୦୦୭ର ଭୁଟାନ୍ ସହ ହୋଇଥିବା ମିତ୍ରତା ଚୁକ୍ତିର ବ୍ୟବହାର କରି ଭାରତ ଭୁଟାନୀୟ ସୀମାରେ ପ୍ରହରି ବଢାଇବା ସହିତ ଏପରି ଚାପ ପରିସ୍ଥିତିରେ ସେ ଅଞ୍ଚଳର ସୁରକ୍ଷା ବଳକୁ ବୃଦ୍ଧି କଲା ।[୧୫]

ସେହି ଦିନ ଚୀନ୍‍ର ବିଦେଶ ମନ୍ତ୍ରଣାଳୟ ଡୋକଲାମ୍ ଚୀନ୍‍ର ଅଂଶ ବୋଲି ବିଜ୍ଞପ୍ତି ପ୍ରକାଶ କଲେ ଓ ଜାତୀୟ ଗଣମାଧ୍ୟମ ଏହାର ପ୍ରଚାର କଲା । ଏହି ମାନଚିତ୍ରକୁ ଆଧାର କରି ଚୀନ୍‍ର ପ୍ରବକ୍ତା ଲୁ କାଂଗ୍ ୧୮୯୦ ମସିହାର କଲିକତା ଚୁକ୍ତିନାମାର ଅନୁଚ୍ଛେଦ-୧ ପରେସ୍ ବିଜ୍ଞପ୍ତିରେ ପଢ଼ିଲେ ଓ କହିଲେ ଯେ ଡୋଂଗ୍‍ଲାଂଗ୍ ବା ଡୋକଲାମ୍ ଗିପମୋଚିର ଉତ୍ତରକୁ ରହିଛି ଓ ଏହା ଚୀନ୍‍ର କ୍ଷେତ୍ର । [୧୬]

ଜୁନ୍ ୩୦ ତାରିଖ ଦିନ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଡୋକଲାମ୍ ବିବାଦର ସ୍ଥିତି ଓ ନୂତନ ତଥ୍ୟ ସହିତ ଏକ ବିଜ୍ଞପ୍ତି ପ୍ରକାଶ କଲା ।[୧୭] ୨୦୧୨ ମସିହାରେ ଭାରତ ଓ ଚୀନ୍ ମଧ୍ୟରେ ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ସମ୍ପର୍କରେ ହୋଇଥିବା ବୁଝାମଣାକୁ ଚୀନ୍ ଉଲ୍ଲଂଘନ କରିଛି ଓ ଏହି ସ୍ଥାନର ଯଥାସ୍ଥିତି ବଦଳାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ଏହି ବିଜ୍ଞପ୍ତିରେ ଅଭିଯୋଗ କଲା । ତ୍ରିରାଷ୍ଟ୍ରୀୟ ମିଳନ ସ୍ଥଳରୁ ଭାରତର ସିଲିଗୁଡି କରିଡର୍ ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଚୀନ୍ ବିପଦ ସୃଷ୍ଟି କରୁଛି ବୋଲି ଭାରତ ସ୍ପଷ୍ଟ କଲା ।[୧୮] ବିଜ୍ଞପ୍ତିରେ ଭାରତ ସ୍ପଷ୍ଟୀକରଣ ଦେଲା ଯେ ଡୋକା-ଲା ଗିରିପଥରେ ନିଯୁକ୍ତ ଭାରତୀୟ ସୈନିକ ଭୁଟାନର ସହାୟତାରେ ଓ ଅନୁରୋଧ କ୍ରମେ ସଡକ ସମ୍ପ୍ରସାରଣ କରୁଥିବା ଚୀନ୍‍ର ସେନାକୁ ଯଥାସ୍ଥିତି ବଦଳାଇବାର ଚେଷ୍ଟାରୁ ଓହରିଯିବାକୁ ଅନୁରୋଧ ପୂର୍ବକ ପ୍ରାର୍ଥନା କରିଥିଲେ । [୧୭]

ଜୁନ୍ ୩୦ ତାରିଖରେ ଭୁଟାନ୍‍ର ବିରୋଧ ସମ୍ପର୍କୀୟ ଏକ ପ୍ରଶ୍ନର ଉତ୍ତର ଦେବା ଆଳରେ ନିଜର ସଡକ ନିର୍ମାଣ କାମର ବୈଧତା ଓ ଚୀନ୍‍ ନିଜର କ୍ଷେତ୍ର ବୋଲି ଭାବୁଥିବା ଡୋକଲାମ୍‍ର ଇତିହାସ ବିଷୟରେ ଚୀନ୍‍ର ପ୍ରବକ୍ତା ଲୁ କାଂଗ୍ ଚୀନ୍‍ର ପକ୍ଷ ରଖି କହିଥିଲେ ଯେ[୧୯] : ୧୯୬୦ ପୂର୍ବରୁ ଭୁଟାନ୍ ଓ ଚୀନ୍ ସୀମାବର୍ତ୍ତୀ ଅଧିବାସୀମାନେ ଡୋକଲାମ୍ ତୃଣଭୂମିକୁ ଗୋରୁ ଚରାଇବା ପାଇଁ ଚୀନ୍‍ର ଅନୁମତି ଲୋଡିଲେ ଓ ଘାସ ପାଇଁ ଉଦ୍ଦିଷ୍ଟ କର ଚୀନ୍ ନିକଟରେ ପୈଠ କରି ଆସୁଥିଲେ । ବର୍ତ୍ତମାନ ଜି ଜାଂଗ୍ ତିବ୍ୱତ୍ ଅଭିଲେଖାଗାରରେ ଏବେ ମଧ୍ୟ ଘାସକର ପୈଠର କେତେକ ରସିଦ ରହିଛି ବୋଲି ସେ କହିଲେ ।

୨୦୧୭ ମସିହା ଜୁଲାଇ ୩ ତାରିଖରେ ଚୀନ୍‍ର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଗେଂଗ୍ ଶୁଆଂଗ୍ ପୁଣି କହିଲେ ଯେ ୧୮୯୦ରେ ବ୍ରିଟେନ୍ ଓ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତିକୁ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ମଧ୍ୟ ମାନିଥିଲେ ।[୨୦] ଜବାହରଲାଲ୍ ନେହେରୁ ପୂର୍ବ ଚୀନୀ ପ୍ରଧାନମନ୍ତ୍ରୀ ଝୋଉ ଏନ୍‍ଲାଇଙ୍କୁ ଚିଠି ଲେଖି କହିଥିଲେ ଯେ “ସିକ୍କିମ୍ ଓ ଜି ଜାଂଗ୍ ମଧ୍ୟର ସୀମାରେଖା ୧୮୯୦ର ଚୁକ୍ତିରେ ସ୍ଥିର ହୋଇସାରିଛି, ୧୮୯୫ରେ ଏହାର ବାଡଘେରା ମଧ୍ୟ ସରିଛି । ତେଣୁ ସିକ୍କିମ୍ ଓ ତିବ୍ୱତ୍‍ (ଚୀନ୍)ର ଜି ଜାଂଗ୍ ମଧ୍ୟରେ କୌଣସି ସୀମା ସମ୍ବନ୍ଧୀୟ ବିବାଦ ନାହିଁ ।“

କିନ୍ତୁ ଭାରତର ଯୁକ୍ତି ଥିଲା ଯେ ୧୯୫୯ ମସିହା ସେପ୍ଟେମ୍ବର୍ ୨୬ ତାରିଖ ଦିନ ଜବାହରଲାଲ୍ ନେହେରୁ ଝୋଉଙ୍କୁ ଲେଖିଥିବା ଚିଠି ଝୋଉଙ୍କ ୮ ସେପ୍ଟେମ୍ବର୍‍ ଦିନ କରିଥିବା ଦାବୀକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଥିଲା । ଭାରତୀୟ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରାଯାଇଥିବା ଜବାହରଲାଲ୍ ନେହେରୁଙ୍କ ଚିଠି କିଛି ଏପରି ଥିଲା : ୧୮୯୦ର ରାଜିନାମାରେ ସିକ୍କିମ୍ ଓ ତିବ୍ୱତ୍‍ର ସୀମା ନିରୂପିତ ହୋଇଛି ଓ ୧୮୯୫ରେ ବାଡଘେରା କାମ ସରିଛି । ତେଣୁ ସିକ୍କିମ୍ ଓ ତିବ୍ୱତ୍‍ର ସୀମାକୁ ନେଇ କୌଣସି ବିବାଦ ନାହିଁ ।

ଚୀନ୍‍ର ବିଦେଶ ମନ୍ତ୍ରୀ ଗେଂଗ୍ ଶୁଆଂଗ୍ ତ୍ରିରାଷ୍ଟ୍ରୀୟ ମିଳନ ସ୍ଥଳ ସମ୍ପର୍କରେ ଭାରତୀୟ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର କିଛି ଏପରି ଭାବେ ରଖିଥିଲେ : ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ଏକ ବିନ୍ଦୁ, ରେଖା ନୁହେଁ, ତେଣୁ ଏକ ଅତି ଛୋଟ କ୍ଷେତ୍ର । ଭାରତ ଅନ୍ୟ କିଛି ଉଦ୍ଦେଶ୍ୟ ରଖି ଏହାକୁ ଏକ ଅଞ୍ଚଳ ଭାବେ ଚିନ୍ତା କରୁଛି । ବର୍ତ୍ତମାନ ଭାରତର ସୈନିକ ମାନେ ସିକ୍କିମ୍-ଚୀନ୍ ସୀମା ଲଂଘି ସେଠାରୁ ପ୍ରାୟ ୨୦୦୦ ମିଟର୍ ଭିତରକୁ ପଶି ଆସିଛନ୍ତି । ୧୮୯୦ର ଚୁକ୍ତି ଅନୁସାରେ ଗିପମୋଚି ପର୍ବତ ହେଉଛି ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ।

୨୦୧୭ ମସିହା ଜୁଲାଇ ୫ ତାରିଖରେ ଚୀନ୍‍ର ସରକାର କହିଲେ ଯେ ଗତ ୨୪ ମାସରୁ ଭୁଟାନ୍ ସହିତ ସହମତି କ୍ରମେ ଡୋକଲାମ୍ ଚୀନ୍‍ର ଅଂଶ ବୋଲି ଉଭୟେ ରାଜି ଅଛନ୍ତି । ଡୋକଲାମ୍‍କୁ ନେଇ ଚୀନ୍ ଓ ଭୁଟାନ୍ ମଧ୍ୟରେ କୌଣସି ବିବାଦ ନାହିଁ । [୨୧]

୨୦୧୭ ମସିହା ଜୁଲାଇ ୧୯ ତାରିଖରେ ଡୋକଲାମ୍‍ରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ଚୀନ୍ ପୁଣିଥରେ ଭାରତକୁ ଚେତାବନୀ ଦେଲା । [୨୨]

୨୦୧୭ ମସିହା ଜୁଲାଇ ୨୪ ତାରିଖରେ ଚୀନ୍‍ର ବିଦେଶ ମନ୍ତ୍ରୀ ୱାଂଗ୍ ୟି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଲେ ଯେ “ଡୋକଲାମ୍ ବିବାଦରେ କିଏ ଠିକ୍ ଓ କିଏ ଭୁଲ ତାହା ସ୍ପଷ୍ଟ । ଅଭିଜ୍ଞ ଭାରତୀୟ ଅଧିକାରୀମାନେ ମଧ୍ୟ ସାଧାରଣରେ କହିଛନ୍ତି ଯେ ଚୀନ୍ ସୈନ୍ୟମାନେ ଭାରତକୁ ପ୍ରବେଶ କରିନାହାନ୍ତି । ଏହାର ଅର୍ଥ ହେଲା ଭାରତ ସ୍ୱୀକାର କରୁଛି ଯେ ସେମାନେ ଚୀନ୍‍ର ସୀାରେ ପ୍ରବେଶ କରିଛନ୍ତି । ଏହି ସମସ୍ୟାର ସମାଧାନ ଅତି ସରଳ । ତାହା ହେଲା ସେମାନେ ନିଜ ବ୍ୟବହାର ଠିକ୍ କରି ନିଜ ସ୍ଥାନରୁ ପଛକୁ ଫେରିଯାଆନ୍ତୁ ।“

୨୦୧୭ ମସିହା ଅଗଷ୍ଟ ୨ ତାରିଖରେ ଚୀନ୍‍ର ବିଦେଶ ମନ୍ତ୍ରୀ ପୁଣି ଥରେ ୧୫ ପୃଷ୍ଠାର ଏକ ସରକାରୀ ଦସ୍ତାବିଜ ପ୍ରକାଶ କଲେ ଯେଉଁଥିରେ ସୀମାର ସାମ୍ପ୍ରତିକ ଅବସ୍ଥା, ଓ ଭାରତ ପ୍ରତି ଚୀନ୍‍ର ପ୍ରତିକ୍ରିୟା ଲିଖିତ ଥିଲା । ଏହି ଦସ୍ତାବିଜ ଅନୁସାରେ ଭାରତର ପ୍ରାୟ ୪୦ ସୈନିକ ବୁଲ୍ଡୋଜର୍ ସହିତ ଡୋକଲାମରେ ଉପସ୍ଥିତ ଥିଲେ । ଭୁଟାନ୍‍କୁ ଢାଲ ଭଳି ବ୍ୟବହାର କରି ଭାରତ ଚୀନ୍‍ର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି ଏବଂ ଚୀନ୍ ଓ ଭୁଟାନ୍‍ ମଧ୍ୟରେ ଚାଲିଥିବା ସାମା ସମ୍ବନ୍ଧୀୟ ଆଲୋଚନାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଭାରତର ଏପରି ଅନୁପ୍ରବେଶ ଚୀନ୍‍ର ସମ୍ମାନ ଓ ଅଧିକାର ଏବଂ ତା’ ସହିତ ଭୁଟାନ୍‍ର ସ୍ୱାଧୀନତାକୁ ମଧ୍ୟ କ୍ଷୁଣ୍ଣ କରୁଛି । ଚୀନ୍ ସେହି ୧୫ ପୃଷ୍ଠାରେ ଆହୁରି ମଧ୍ୟ ପ୍ରକାଶ କରିଥିଲା ଯେ ଚୀନ୍ ନିଜର ସ୍ୱାର୍ଥରକ୍ଷା ପାଇଁ କରିବାକୁ ଯାଉଥିବା ସଡକ ସମ୍ପ୍ରସାରଣ ପୂର୍ବରୁ ଭାରତକୁ ସୂଚନା ଦେଇଥିଲା ।

୨୦୧୭ ମସିହା ଅଗଷ୍ଟ ୩ ତାରିଖରେ ଚୀନ୍ ପୁଣି ଭାରତକୁ ଚାରୋଟି କାରଣ ଦେଇ ଓ ବନ୍ଧୁକମୁନରେ ଭାରତକୁ ରଖି କହିଲା ଯେ ଭାରତ କେବଳ କଥାରେ ଶାନ୍ତି ଶବ୍ଦର ପ୍ରୟୋଗ କରୁଛି କିନ୍ତୁ ପ୍ରକୃତରେ ସେ ଶାନ୍ତି ଚାହୁଁନାହିଁ । ୨୦୧୭ ଅଗଷ୍ଟ ୪ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚୀନ୍‍ର ସଡକ ସମ୍ପ୍ରସାରଣର ପୂର୍ବ ସୂଚନା ବିଷୟରେ ପଚରାଯାଇଥିବା ପ୍ରଶ୍ନର କୌଣସି ସ୍ପଷ୍ଟୀକରଣ ଦେଲାନାହିଁ । ଯଦି ଭାରତକୁ ପ୍ରାକ୍-ସୂତନା ମିଳିଥାଏ ତେବେ ସେ ରାଜନୈତିକ ଓ କୂଟନୈତିକ ସ୍ତରର ସଠିକ୍ ଉପଯୋଗ କରିନାହିଁ ବୋଲି ଅନେକ ମତ ଦେଲେ ।

୨୦୧୭ ମସିହା ଅଗଷ୍ଟ ୮ ତାରିଖରେ ଚୀନୀ କୂଟନୀତିଜ୍ଞ ୱାଂଗ୍ ୱେନ୍‍ଲି ଦାବୀ କରିଥିଲେ ଯେ ଭୁଟାନ୍ ରାଜନୈତିକ ସ୍ତରରେ ଚୀନ୍‍କୁ ଜଣାଇଛି ଯେ ଯେଉଁ ଇଲାକାରେ ବଳପୂର୍ବକ ପ୍ରବେଶ ହୋଇଛି ତାହା ଭୁଟାନ୍‍ର କ୍ଷେତ୍ର ନୁହେଁ । କିନ୍ତୁ ତା’ର ଆସନ୍ତା ଦିନ ଏହା ଚୀନ୍‍ର ମିଥ୍ୟା ଦାବୀ ଓ ଭୁଟାନ୍ ଏପରି କୌଣସି ଟିପ୍ପଣୀ ଦେଇନାହିଁ ବୋଲି ଭୁଟାନ୍ ସରକାର ସ୍ପଷ୍ଟୀକରଣ ଦେଲେ । ଦୂରଭାଷରେ ସାକ୍ଷାତ୍‍କାର ସମୟରେ ଏହି ଚୀନ୍‍ର ଦାବୀକୁ ଖଣ୍ଡନ କରି ଡୋକଲାମ୍ ବିଷୟରେ ଆମ ମତ ସ୍ୱଚ୍ଛ ଓ ସ୍ପଷ୍ଟ ବୋଲି ଭୁଟାନ୍ ସରକାରଙ୍କ ପ୍ରତିନିଧି କହିଲେ ।

୨୦୧୭ ମସିହା ଅଗଷ୍ଟ ୧୫ ତାରିଖରେ ଚୀନ୍ ଓ ଭାରତ ସୀମାରେ ଥିବା ପାଂଗୋଂଗ୍ ତ୍ସୋରେ ଚୀନ୍ ସୈନିକଙ୍କ ବଳପୂର୍ବକ ଲଦାଖ୍ ମଧ୍ୟକୁ ଅନୁପ୍ରବେଶର ଉଦ୍ୟମ ସମୟରେ ଉଭୟ ପକ୍ଷର ଅନେକ ସୈନ୍ୟ ଆହତ ହୋଇଥିଲେ । ଜଣେ ଭାରତୀୟ ଗୁଇନ୍ଦା ଅଫିସରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତୀୟ ସୈନ୍ୟମାନେ ଚୀନୀ ଅନୁପ୍ରବେଶକାରୀଙ୍କୁ ଅଟକାଇବା ପରେ ଖରାପ ପାଗ ଯୋଗୁଁ ଅନୁପ୍ରବେଶ ଉଦ୍ୟମ ସଫଳ ହୋଇପାରିଲା ନାହିଁ । ୨୦୧୭ ମସିହା ଅଗଷ୍ଟ ୧୬ ତାରିଖରେ ଚୀନ୍‍ର ସରକାରୀ ଗଣମାଧ୍ୟମ ନିଜ କାର୍ଯ୍ୟକ୍ରମରେ “ଦ ସ୍ପାର୍କ୍” ନାମକ ଏକ ଭାଗର ପ୍ରଯୋଜନା କରି ଟ୍ୱିଟର୍ ଜରିଆରେ ପ୍ରଚାର କରାଇଲା । “ସେଭେନ୍ ସିନ୍‍ସ୍ ଅଫ୍ ଇଣ୍ଡିଆ (ଭାରତର ୭ଟି ପାପ)” ନାମକ ଏହି ଭିଡିଓରେ ଚୀନ୍‍ର ଭାରତ ପ୍ରତି ନିକୃଷ୍ଟ ଜାତିଆଣ ଭାବର ପ୍ରଦର୍ଶନ ରହିଛି । ଏକ ପଗଡି ଓ ଲମ୍ବା ଦାଢି ରଖିଥିବା ଓ ଆଞ୍ଚଳିକ ଶୈଳୀରେ ଈଂରାଜୀ କହୁଥିବା ଏକ ଚରିତ୍ରକୁ ପ୍ରଦର୍ଶିତ କରି, ଭାରତୀୟମାନେ ଡୋକଲାମ୍ ଅନୁପ୍ରବେଶ ସମୟରେ ଶୋଇବାର ନାଟକ କରିବା, ଭାରତୀୟମାନଙ୍କ ଚମଡା ମୋଟା (ସେମାନେ ନିର୍ଲଜ୍ଜ) ଇତ୍ୟାଦି ଅନେକ ଅପମାନଜନକ ଶବ୍ଦର ପ୍ରୟୋଗ କରାଯାଇଥିଲା । ଏହି ଭିଡିଓରେ ଭାରତ ଭୁଟାନ୍‍କୁ ଡରାଇ ରଖିଥିବା କଥାର ଉଲ୍ଲେଖ ମଧ୍ୟ ରହିଛି । ସେଥିରେ ଭାରତକୁ ଏକ “ଚୋର ଯିଏ କବାଟ ତାଡି ଘରକୁ ପଶେ ଓ ଘରୁ ବାହାରକୁ ଯାଏନାହିଁ” ବୋଲି ଅଭିହିତ କରାଯାଇଥିଲା । ଏହି ଭିଡିଓରେ ଅନେକ ତଥ୍ୟକୁ ଭାଙ୍ଗିମୋଡି ଦର୍ଶାଯାଇଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଭିଡିଓକୁ ପ୍ରବଳ ବିରୋଧ କରାଯାଇଥିଲା ।

ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ସେନାର ଡୋକଲାମରେ ସଡକ ସମ୍ପ୍ରସାରଣ ରୋକିବାଦ୍ୱାରା ଚୀନ୍‍ର ଏକଚାଟିଆ ଯଥାସ୍ଥିତି ପରିବର୍ତ୍ତନର ପ୍ରଚେଷ୍ଟାକୁ ବନ୍ଦ କରିଦିଆଯିବା କଥା କହିଥିଲେ । ସୀମା ବିବାଦରେ ସମ୍ପୃକ୍ତ ସମସ୍ତ ଦେଶ ନିଜ ନିଜ ପାଖରେ ରଖିଥିବା ଦସ୍ତାବିଜକୁ ନେଇ ଦାବୀ ଉପସ୍ଥାପନ କରନ୍ତି । ଏପରି କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା ସଫଳ ହୋଇପାରୁନଥିବାରୁ ଯଥାସ୍ଥିତି ବଜାୟ ରହିବା ହିଁ ପ୍ରକୃତ ପନ୍ଥା ଓ ଏକଚାଟିଆ ଭାବେ ଯଥାସ୍ଥିତି ପରିବର୍ତ୍ତନ କରିବା ଗ୍ରହଣୀୟ ନୁହେଁ ବୋଲି କେତେକ ବିଶେଷଜ୍ଞ ପ୍ରକାଶ କରିଥିଲେ । ଅନ୍ୟ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଭାରତ ଏବଂ ଚୀନ୍ ମଧ୍ୟରେ ଏସୀୟ ମହାଶକ୍ତି ହେବାର ପ୍ରତିଯୋଗିତା ଡୋକଲାମ୍ ବିବାଦର କାରଣ ବୋଲି ପ୍ରକାଶ କରିଥିଲେ । ଚୀନ୍ ଏକ ଏସୀୟ ମହାଶକ୍ତି ଓ ଭାରତ ମଧ୍ୟ ବିକାଶପଥରେ ଥିବା ଏକ ମହାଶକ୍ତି । ଦକ୍ଷିଣ ଚୀନ୍ ସମୁଦ୍ରରେ ଚୀନ୍‍ର ଏକଚାଟିଆ ବ୍ୟବସାୟ ସ୍ୱାର୍ଥ ବିରୁଦ୍ଧରେ ଭାରତ ନିଜ ମିତ୍ରଦେଶଙ୍କ ସ୍ୱାର୍ଥକୁ ସମର୍ଥନ କରିଆସିଛି । ନିଜର ଅନେକ ପଡୋଶୀ ଦେଶଙ୍କ ସହିତ ଚୀନ୍‍ର ସୀମା ବିବାଦ ରହିଛି । “ନ୍ୟୁକ୍ଳୀୟ ଯୋଗାଣକାରୀ ଦେଶସମୂହ – NSG”ରେ ଭାରତର ପ୍ରାର୍ଥିତ୍ୱକୁ ଚୀନ୍ ବିରୋଧ କରିଆସୁଛି । ତେଣୁ ଡୋକଲାମ୍ କ୍ଷେତ୍ରରେ କିଏ ମାନସିକ ବିଜୟ ଲାଭ କରୁଛି ତାହା ସେହି ରାଷ୍ଟ୍ରର ମନୋବଳ ଅଧିକ ବଢାଇବାରେ ସାହାଯ୍ୟ କରିବ ବୋଲି ମଧ୍ୟ କୁହାଗଲା ।

ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦ ଯୋଗୁଁ ଯୁଦ୍ଧର ସମ୍ଭାବନା ସୃଷ୍ଟି ହୋଇଥିଲା ସତ କିନ୍ତୁ ଯୁଦ୍ଧ ହୋଇନଥିଲା । ଚୀନ୍‍ର ଗଣମାଧ୍ୟମ ବାରମ୍ବାର ଅତୀତ ଯୁଦ୍ଧର ଉଦାହରଣ ଦେଇ ଧମକାଇବାକୁ ଚେଷ୍ଟା କରିଥିଲା ଓ ସମୟ ମଧ୍ୟ ଦେଇଥିଲା । ଭାରତ ନିଜ ସୀମା ସୁରକ୍ଷା ସମ୍ପର୍କୀୟ ମତକୁ ନେଇ ଅଟଳ ରହିଲା । ଭାରତର ମିତ୍ରଦେଶଙ୍କ ଗଣମାଧ୍ୟମରେ ଭାରତର ଧୈର୍ଯ୍ୟର ପ୍ରଶଂସା ମଧ୍ୟ କରାଯାଇଥିଲା । ଦୁଇ ଦେଶର ରାଜନେତାଙ୍କ ମଧ୍ୟରେ ବାକ୍‍ଯୁଦ୍ଧ ଲାଗିରହିଥିଲା । କିଛି ଦିନ ଧରି ଭାରତରେ ସାମାଜିକ ଗଣମାଧ୍ୟମରେ ଚୀନ୍ ସାମଗ୍ରୀ ବର୍ଜ୍ଜନ କରିବାପାଇଁ ବାର୍ତ୍ତା ପ୍ରଚାର ଚାଲିଲା ।

ଭୁଟାନୀୟ ପ୍ରତିକ୍ରିୟା[ସମ୍ପାଦନା]

ଜୁନ୍ ୨୯ ତାରିଖରେ ଭୁଟାନ୍‍ର ସରକାର ଗଣମାଧ୍ୟମଙ୍କ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ଓ ଏହାପରେ ଭୁଟାନ୍ ସରକାର ଓ ଗଣମାଧ୍ୟମ ଏହି ବିଷୟରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ । ଭୁଟାନ୍ ଏଥିରେ ସ୍ପଷ୍ଟୀକରଣ ଦେଇଥିଲା ଯେ ଚୀନ୍ ଭୁଟାନ୍‍ର କ୍ଷେତ୍ରରେ ସଡକ ନିର୍ମାଣ କରୁଥିଲା ଓ ଏହି ଅଞ୍ଚଳକୁ ନେଇ ରହିଥିବା ବିବାଦ ସମ୍ପର୍କରେ ଚୀନ୍ ଓ ଭୁଟାନ୍ ମଧ୍ୟରେ ଆଲୋଚନା ଚାଲିଥିଲା ।[୨୩] ଭୁଟାନ୍ ନିଜର ନିରବତା ନୀତି ସପକ୍ଷରେ ମଧ୍ୟ ଜବାବ ରଖିଥିଲା ଯେ “ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ହେଉ ବୋଲି ଭୁଟାନ୍ ଚାହୁଁନାହିଁ । ତେଣୁ ଭୁଟାନ୍ ଏପରି ସମୟରେ ନିଜର ପ୍ରତିକ୍ରିୟା ରଖି ଖରାପ ହୋଇସାରିଥିବା ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚାହୁଁନାହିଁ ।”[୨୪] ଏନୋଡୋ ଗ୍ଲୋବାଲ୍ (ENODO Global) ନାମକ ଏକ ସଂସ୍ଥା ସେ ସମୟରେ ସାମାଜିକ ମାଧ୍ୟମରେ ଭୁଟାନ୍‍ର ଲୋକଙ୍କ ପ୍ରତିକ୍ରିୟାର ବିଶ୍ଳେଷଣ କରି ପ୍ରସ୍ତାବ ଦେଇଥିଲା ଯେ, ଭୁଟାନ୍‍ର ସରକାର ନିଜ ଦେଶର ନାଗରିକଙ୍କ ସହିତ ପ୍ରତ୍ୟକ୍ଷରେ ଆଲୋଚନା କରୁ ଓ ସେମାନଙ୍କ ମତ ଗ୍ରହଣ କରୁ । ଏପରି କରିବାଦ୍ୱାରା ନାଗରିକ ଓ ଦେଶର ନେତାଙ୍କ ମଧ୍ୟରେ ଥିବା ମତାନ୍ତର ଦୂର ହେବ । ଭୁଟାନ୍‍ର ଅଧିବାସୀଙ୍କ ମଧ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଓ ୧୯୫୧ର ତିବ୍ୱତ୍ ପରି ଚୀନ୍‍ର ବଳପୂର୍ବକ ଭୁଟାନୀୟ କ୍ଷେତ୍ର ଅଧିକାରର ସମ୍ଭାବନାକୁ ନେଇ ବ୍ୟଗ୍ରତା ଥିବା ଏନୋଡୋ ଜାଣିବାକୁ ପାଇଥିଲା । ଏପରି ସମୟରେ ରାଷ୍ଟ୍ରୀୟ ଇଚ୍ଛାଶକ୍ତି, ଜାତୀୟତା ଭାବ ଓ ପରିଚୟକୁ ସୁଦୃଢ କରିବା ଓ ଦୁଇ ଏସୀୟ ମହାଶକ୍ତିଙ୍କ ମଧ୍ୟରେ ବର୍ଜ୍ୟବସ୍ତୁ ପରି ଗଣିତ ନ ହେବା ମନୋଭାବ ଏନୋଡୋ ଭୁଟାନୀୟ ଲୋକଙ୍କ ମଧ୍ୟରେ ଥିବା ଅନୁଭବ କରିଥିଲା । [୨୫][୨୬]

ଦ ନ୍ୟୁୟର୍କ୍ ଟାଇମ୍‍ସ୍ କିନ୍ତୁ ମତ ରଖିଥିଲା ଯେ ଚୀନ୍‍ ଅପେକ୍ଷା ଭାରତ କଣ କରୁଛି ଭୁଟାନ୍‍ର ଲୋକେ ତାହା ଉପରେ ଅଧିକ ନଜର ରଖିଥିଲେ । ସୀମା ବିବାଦ ଜଟିଳ ହେଲେ ଚୀନ୍ ସହିତ ଭୁଟାନ୍‍ର ବାଣିଜ୍ୟ, ଆମଦାନୀ-ରପ୍ତାନୀ ଓ ରାଜନୈତିକ ସମ୍ପର୍କ କ୍ଷତିଗ୍ରସ୍ତ ହେବ ବୋଲି ମଧ୍ୟ ଲୋକଙ୍କ ମନରେ ଚିନ୍ତା ଥିଲା ।[୨୭] ଏନୋଡୋ ଏହି ନିର୍ଦ୍ଦିଷ୍ଟ ବିଷୟରେ କୌଣସି ମତ ରଖିନଥିଲା । ବରଂ ଏନୋଡୋ କହିଥିଲା ଯେ ଟ୍ୱିଟର୍ ବ୍ୟବହାରକାରୀମାନେ ଭାରତ ସପକ୍ଷରେ ଏକତ୍ରିତ ହୋଇ ଅନେକ ହାସ୍‍ଟ୍ୟାଗ୍ ଆରମ୍ଭ କରିଥିଲେ ଓ ଚୀନ୍ ତରଫରୁ ପ୍ରକାଶିତ “7 sins (୭ଟି ପାପ)” ଭିଡିଓକୁ ଘୋର ବିରୋଧ କରାଯାଇଥିଲା ।[୨୬] ରୁଦ୍ର ଚୌଧୁରୀ ନାମକ ଜଣେ ବିଜ୍ଞବ୍ୟକ୍ତି ଭୁଟାନ୍‍ର ସବୁ ଅଞ୍ଚଳ ପରିଭ୍ରମଣ କରି ମତ ଦେଇଥିଲେ ଯେ ଡୋକଲାମ୍ ସମସ୍ୟା ଦଶ ବର୍ଷ ପୂର୍ବେ ଭୁଟାନ୍ ପାଇଁ ସମସ୍ୟାଥିଲା କିନ୍ତୁ ଏବେ ଚୀନ୍ ସହିତ ଆଲୋଚନା କରି ଭୁଟାନ୍ ନିଜର ଭବିଷ୍ୟତ ପାଇଁ ଏହି ସୀମା ବିବାଦର ସମାଧାନ କରିବାକୁ ଚାହୁଁଛି । “ଚୀନ୍ ସମର୍ଥକ”, “ଭାରତ ବିରୋଧୀ” ଶବ୍ଦ ଏହି ପରିପ୍ରେକ୍ଷୀରେ ବ୍ୟବହୃତ ହୁଏ ଓ ଅର୍ଥକୁ କଦର୍ଥ କରି ଏଗୁଡିକ ପ୍ରକାଶିତ ହୋଇଥାଏ ବୋଲି ମଧ୍ୟ ସେ କହିଥିଲେ ।[୨୮]

ସୈନ୍ୟବିରତି[ସମ୍ପାଦନା]

୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ ଉଭୟ ଭାରତ ଓ ଚୀନ୍ ଘୋଷଣା କଲେ ଯେ ଦୁଇ ଦେଶ ଡୋକଲାମ୍‍ରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ଦିବସାନ୍ତ ସୁଦ୍ଧା ଏହି ବିରତି ସମାପ୍ତ ହୋଇଥିବାର ମଧ୍ୟ ପ୍ରକାଶ ପାଇଥିଲା । [୨୯][୩୦]

ଭାରତୀୟ ସୈନିକମାନେ ନିଜର ପୂର୍ବ ସ୍ଥାନ ଡୋକା-ଲା ଗିରିପଥକୁ ଚାଲିଗଲେ । ମାଳଭୂମିର ଗଡାଣିଠାରୁ ୫୦୦ ମିଟର୍ ଉଚ୍ଚରେ ରହିଥିବା ଡୋକା-ଲା ସାମରିକ ଦୃଷ୍ଟିରୁ ଭୁଟାନ୍ ସୀମାରେ ଏକ ସୁବିଧାମୟ ସ୍ଥାନ । ଦ ଟାଇମ୍‍ସ୍ ଅଫ୍ ଇଣ୍ଡିଆ କେତେକ ବିଶେଷ ସୂତ୍ରରୁ ଖବର ପାଇ ପ୍ରକାଶ କରିଥିଲା ଯେ ଯଦି ପିପୁଲ୍‍ସ୍ ଲିବରେସନ୍ ଆର୍ମି ପୁଣି ଥରେ ଏକଚାଟିଆ ଭାବେ ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁଠାରେ ସଡକ ନିର୍ମାଣ କରି ଏହି ସ୍ଥାନର ଯଥାସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରେ ତେବେ ଯେ ଉପରେ ବସିଥିବା ଭାରତୀୟ ସୈନ୍ୟମାନେ ଜୁନ୍ ପରି ପୁଣି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । [୩୧]

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କଲା ଯେ ଭାରତ ଓ ଚୀନ୍ ପରସ୍ପର ବୁଝାମଣା ପରେ ଅସ୍ତ୍ରବିରତି ଓ ଡୋକଲାମ୍‍ରୁ ହଟିଯିବାର ନିଷ୍ପତ୍ତି ନେଇଛନ୍ତି । ଭାରତ ଓ ଚୀନ୍ ଗତ କିଛି ଦିନ ଧରି କୂଟନୈତିକ ସ୍ତରରେ ଏହି ପ୍ରସଙ୍ଗରେ ଆଲୋଚନା କରିଆସୁଥିଲେ । ଭାରତ ଚୀନ୍‍କୁ ନିଜର ରାଷ୍ଟ୍ରୀୟ ସ୍ୱାର୍ଥ ବୁଝାଇ ମନାଇବାରେ ସମର୍ଥ ହେଲା । ଅପର ପକ୍ଷେ ବେଜିଂରେ ଚୀନ୍‍ର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଥିଲେ ଯେ ଚୀନ୍‍ର ସେନା ପୁଷ୍ଟି କରିଛି ଯେ ଭାରତୀୟ ସେନାମାନେ ପଛକୁ ହଟିଗଲେଣି ଓ ତେଣୁ ଚୀନ୍ ମଧ୍ୟ ଡୋକଲାମ୍‍ ଅଞ୍ଚଳରୁ ନିଜ ସୈନ୍ୟସଂଖ୍ୟା କମ୍ କରିଦେବ । ସେ ଆହୁରି ମଧ୍ୟ କହିଥିଲେ ଯେ ଚୀନ୍ ସୈନିକମାନେ ନିରନ୍ତର ଏହି ଅଞ୍ଚଳର ନିରୀକ୍ଷଣ କରିବା ଜାରି ରଖିବେ ଓ ଚୀନ୍‍ର ଅଧିକାର କ୍ଷୁଣ୍ଣ ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସେ କିନ୍ତୁ ସଡକ ସମ୍ପ୍ରସାରଣ ବିଷୟରେ କିଛି କହିନଥିଲେ । ଦ ଡିପ୍ଲୋମାଟ୍ ପ୍ରକାଶ କରିଥିବା ସମ୍ପାଦକୀୟ ଅନୁସାରେ ଚୀନୀ ବିଦେଶ ମନ୍ତ୍ରଣାଳୟର ଏପରି ବୟାନ ଏହି ବିବାଦୀୟ ପରିସ୍ଥିତିର ଲଜ୍ଜାରୁ ଚୀନ୍‍ର ସମ୍ମାନ ବଞ୍ଚାଇ ବାହାରିଯିବାର ଏକ ପ୍ରୟାସ ଥିଲା ।[୩୨] ସେହି ଦିନ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରବର୍ତ୍ତୀ ସମୟରେ ଆଉ ଏକ ବୟାନ ଜାରି କରି କହିଥିଲା ଯେ ଉଭୟ ପକ୍ଷରୁ ନିରୀକ୍ଷଣମୂଳକ ସୈନ୍ୟବିରତି ହୋଇଅଛି । ଏନ୍. ଡି. ଟି. ଭି. (NDTV) ନାମକ ଏକ ଭାରତୀୟ ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ କଲା ଯେ ବିବାଦୀୟ ସ୍ଥାନରୁ ଦିବସାନ୍ତ ସୁଦ୍ଧା ଚୀନ୍ ନିଜର ସଡକ ନିର୍ମାଣକାରୀ ଯନ୍ତ୍ର ହଟାଇ ସାରିଥିଲା । ରକ୍ଷା ବିଶେଷଜ୍ଞମାନେ ମତ ରଖିଥିଲେ ଯେ ଏହି ବିରତିରେ ଅଧିକ ଖୁସି ହେବାର କୌଣସି କାରଣ ନାହିଁ ଓ ଏପରି ବିବାଦ ପୁଣି ଥରେ ମଧ୍ୟ ଉପୁଜିବାର ସମ୍ଭାବନା ରହିଛି । [୩୦]

ଦ ୱାଶିଂଟନ୍ ପୋଷ୍ଟ୍ ଏହି ସମ୍ପର୍କରେ ମତ ଦେଇ କହିଥିଲା ଯେ ଭାରତ ଓ ଚୀନ୍ ମଧ୍ୟରେ କଣ ବୁଝାମଣା ହୋଇଛି ତାହା ସ୍ପଷ୍ଟ ହେଲାନାହିଁ କିନ୍ତୁ ଏହା ସହଜରେ ଅନୁମେୟ ଯେ ଉଭୟ ନିଜର ମାନରକ୍ଷା କରି ବିବାଦରୁ ହଟିଯାଇଛନ୍ତି । ତଥାପି ଚୀନ୍‍ ନିଜର ଆକ୍ରାମକ ମନ୍ତବ୍ୟ ଦେବା ଜାରି ରଖିଥିଲା ।[୨୯][୩୩] ଅଲ୍ ଜଜୀରା କହିଥିଲା ଯେ ଆଲୋଚନା ପରେ ଚୀନ୍ ନିଜର ଐତିହାସିକ କ୍ଷେତ୍ର ନିୟନ୍ତ୍ରଣ ବନ୍ଦ କରିବ ନାହିଁ ଓ ଏହା ଭାରତଠାରୁ ଏହି ସମ୍ପର୍କରେ ତା’ର ଅଧିକାରକୁ ସମ୍ମାନ ପ୍ରଦର୍ଶନ ଆଶା କରେ ।[୩୪] ଟେଲର୍ ଫ୍ରାଭେଲ୍ ନାମକ ଜଣେ ବିଶେଷଜ୍ଞ ମତ ରଖିଲେ ଯେ ଚୀନ୍ ଏହି ଅଞ୍ଚଳରେ ସଡକ ନିର୍ମାଣ ନକରି ଅନ୍ୟ ଉପାୟରେ ମଧ୍ୟ ଜୋର ଦେଖାଇପାରିବ ।[୩୫]

ଅଗଷ୍ଟ ୨୯ ତାରିଖରେ ଉଭୟ ପକ୍ଷର ସୈନ୍ୟବିରତିକୁ ଭୁଟାନ୍ ସ୍ୱାଗତ କରିଥିଲା ଓ ଆଶା ପ୍ରକଟ କଲା ଯେ ଏହି ବିରତି ଯୋଗୁଁ ବିବାଦୀୟ ଅଞ୍ଚଳରେ ଶାନ୍ତି ସ୍ଥାପନା ହେବ ଓ ଯଥାସ୍ଥିତିରେ କୌଣସି ପରିବର୍ତ୍ତନ ହେବନାହିଁ । [୩୬]

୫ ସେପ୍ଟେମ୍ବର୍ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜି ଜିନ୍‍ପିଂଗ୍ ବ୍ରିକ୍‍ସ୍ ସମ୍ମିଳନୀ ଅନ୍ତରାଳରେ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିଲେ । ଉଭୟେ ପୂର୍ବ କଥା ଭୁଲି ଅଗ୍ରମୁଖୀ ଚିନ୍ତାଧାରା ସହିତ ପରସ୍ପରର ସହଯୋଗ କାମନା କଲେ ଓ ଡୋକଲାମ୍ ପରି ବିବାଦରୁ ଦୂରେଇ ରହିବାକୁ ଚେଷ୍ଟିତ ହେବେ ବୋଲି ପଣ କଲେ । ସୀମାରେ ଶାନ୍ତି ଉଭୟ ଦେଶର ସମ୍ପର୍କ ରକ୍ଷା ଓ ବିକାଶରେ ସହାୟକ ହେବ ବୋଲି ଦୁଇ ନେତା ଦୃଢମତ ରଖିଲେ ।[୩୭]

୭ ସେପ୍ଟେମ୍ବର୍ କେତେକ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଉଭୟ ସେନାବାହିନୀ ବିବାଦୀୟ ଅଞ୍ଚଳରୁ ଅଳ୍ପ କିଛିଦୂର ପଛକୁ ହଟି ଏବେ ମଧ୍ୟ ଏହି ସ୍ଥାନ ଉପରେ ନିଜର ନିରୀକ୍ଷଣ ବଜାୟ ରଖିଛନ୍ତି ।[୩୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "India, China soldiers involved in border altercation: Indian sources". Reuters. 18 August 2017.
  2. "Doklam Standoff: Beyond Border Dispute - Mainstream Weekly". www.mainstreamweekly.net. Retrieved 10 August 2017.
  3. Mitra, Devirupa (5 July 2017). "Expert Gyan: On India, China Stand-Off At Border Tri-Junction With Bhutan". The Wire. Retrieved 11 August 2017.
  4. Barry, Steven Lee Myers, Ellen; Fisher, Max (26 July 2017). "How India and China Have Come to the Brink Over a Remote Mountain Pass". The New York Times. Retrieved 11 August 2017 – via NYTimes.com.
  5. "Sikkim standoff: Beijing should realise Bhutan is as important to India as North Korea is to China". Firstpost. 30 June 2017. Retrieved 11 August 2017.
  6. Staff (28 June 2017). "Indian bunker in Sikkim removed by China: Sources". The Times of India. Archived from the original on 6 July 2017.
  7. CGTN (2017-08-14), 'The Border': A debate between China & India, retrieved 2017-08-19
  8. "关系:洞郎地区 (3964647)S". OpenStreetMap. Retrieved 7 August 2017.
  9. Som, Vishnu (29 June 2017). Shukla, Shuchi, ed. "At Heart Of India-China Standoff, A Road Being Built: 10 Points". NDTV. Archived from the original on 9 August 2017.[not in citation given]
  10. https://mea.gov.in/ (2007-03-02). "INDIA-BHUTAN FRIENDSHIP TREATY" (PDF). Retrieved 2017-08-13.
  11. Sandeep Bharadwaj, Doklam may bring Bhutan closer to India, livemint, 9 August 2017.
  12. Ankit Panda, The Political Geography of the India-China Crisis at Doklam, The Diplomat, 13 July 2017.
  13. "Press Release – Ministry of Foreign Affairs". 2017-08-21. Retrieved 2017-08-24.
  14. Shaurya Karanbir Gurung Behind China's Sikkim aggression, a plan to isolate Northeast from rest of India, Economic Times, 3 July 2017.
  15. "Bhutan issues scathing statement against China, claims Beijing violated border agreements of 1988, 1998". Firstpost. 30 June 2017. Retrieved 2017-06-30.
  16. "EXCLUSIVE: China releases new map showing territorial claims at stand-off site". Retrieved 6 July 2017.
  17. ୧୭.୦ ୧୭.୧ "Recent Developments in Doklam Area". mea.gov.in (in ଇଂରାଜୀ). Retrieved 2017-08-16.
  18. Diplomat, Ankit Panda, The. "What's Driving the India-China Standoff at Doklam?". The Diplomat (in ଇଂରାଜୀ). Retrieved 2017-08-17.
  19. "Foreign Ministry Spokesperson Lu Kang's Regular Press Conference on June 30, 2017". Retrieved 2017-08-25.
  20. "Foreign Ministry Spokesperson Geng Shuang's Regular Press Conference on July 3, 2017". www.fmprc.gov.cn. Retrieved 2017-08-16.
  21. PTI (5 July 2017). "No dispute with Bhutan in Doklam: China". Retrieved 6 July 2017 – via The Economic Times.
  22. "China holds live-fire drills in disputed Himalayan territory, tells India to withdraw". 19 July 2017. Retrieved 19 July 2017.
  23. Tenzing Lamsang, Understanding the Doklam border issue, The Bhutanese, 1 July 2017.
  24. Tenzing Lamsang, The Third Leg of Doklam, The Bhutanese, 5 August 2017.
  25. Akilesh Pillalamarri & Aswin Subanthore, What Do the Bhutanese People Think About Doklam?, The Diplomat, 14 August 2017.
  26. ୨୬.୦ ୨୬.୧ Conflict Resolution: A Population-Centric Approach to Manage Regional Instability – Real-Time Social Media Analysis of the Standoff in Bhutan, ENODO GLobal, August 2017.
  27. Steven Lee Myers (15 August 2017). "Squeezed by an India-China Standoff, Bhutan Holds Its Breath". New York Times.
  28. Rudra Chaudhuri, Looking for Godot, The Indian Express, 3 September 2017.
  29. ୨୯.୦ ୨୯.୧ India, China agree to pull back troops to resolve tense border dispute, The Washington Post, 28 August 2017
  30. ୩୦.୦ ୩୦.୧ China and India Agree to Ease Tensions in Border Dispute, The New York Times, 28 August 2017.
  31. Pandit, Rajat (29 August 2017). "Indian soldiers withdraw but hold vantage point, ready to step in again". The Times of India. Retrieved 3 September 2017.
  32. "What China Learned About India at Doklam". The Diplomat. 31 August 2017. Retrieved 3 September 2017.
  33. Who blinked in the China-India military standoff?, The Washington Post, 30 August 2017
  34. India and China agree on Doklam troop 'disengagement', Al Jazeera, 28 August 2017.
  35. Taylor Fravel, Why India Did Not ‘Win’ the Standoff with China, War on the Rocks, 1 September 2017.
  36. Bhutan welcomes end of Doklam standoff, The Times of India, 29 August 2017.
  37. Doklam discussed, Pakistan skipped: Here's what happened at the 1 hour meet between Xi and Modi, The Economic Times, 5 September 2017.
  38. "troops steeped back 150 meters each".