ଭାରତରେ ଜନସ୍ୱାର୍ଥ ମାମଲା

ଉଇକିପିଡ଼ିଆ ରୁ
Jump to navigation Jump to search

ଜନସ୍ୱାର୍ଥ ମାମଲା (PIL) ଭାରତୀୟ ଆଇନ ବ୍ୟବସ୍ଥାରେ ସାର୍ବଜନିକ ହିତ ତଥା ଅଧିକାରର ରକ୍ଷା ନିମିତ୍ତ ମାମଲା ଦାୟର ପାଇଁଁ ଏକ ଆଇନଗତ ପ୍ରାବଧାନ । ଅନ୍ୟସବୁ ଅଦାଲତି ମାମଲା ଭଳି ଏହି ମାମଲାରେ ସର୍ବଦା ପୀଡିତ ପକ୍ଷ ନିଜେ ଅଦାଲତକୁ ଯିବା ଜରୁରୀ ନୁହେଁଁ । ଏହା ଭାରତର ଯେ କୌଣସି ନାଗରିକଦ୍ୱାରା ଏବଂ ଆବଶ୍ୟକ ସ୍ଥଳେ ସ୍ୱୟଂ ଅଦାଲତଦ୍ୱାରା ଆଗତ କରାଯାଇପାରିବ । ଭାରତରେ ଜନହିତ ମାମଲା ଜରିଆରେ ବହୁ କ୍ଷେତ୍ରରେ ଯେପରିକି ବିଚାରାଧୀନ ବନ୍ଦୀ, ବାଳଶ୍ରମିକ, ପର୍ଯ୍ୟାବରଣ, ଗ୍ରାହକ ସେବା, ଶିକ୍ଷା, ରାଜନୀତି, ନିର୍ବାଚନ, ମାନବାଧୀକାର ଏପରିକି ନ୍ୟାୟପାଳିକାକୁ ମଧ୍ୟ ପ୍ରଭାବିତ କରିପାରିଛି । ଭାରତର ସମ୍ବିଧାନରେ ଏହାର ପରିଭାଷା ଦେଖିବାକୁ ନ ମିଳିଲେ ମଧ୍ୟ ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ସାମ୍ବିଧାନିକ ବ୍ୟାଖ୍ୟାରୁ ଏହାର ବ୍ୟୁତ୍ପତ୍ତି ।

ଇତିହାସ[ସମ୍ପାଦନା]

ଜନହିତ ମାମଲା ଅନ୍ୟ ସାଧାରଣ ଅଦାଲତି ମାମଲାଠାରୁ ଭିନ୍ନ । ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ପ୍ରାରମ୍ଭରୁ ଏହି ପ୍ରାବଧାନ ବା ବ୍ୟବସ୍ଥା ନ ଥିଲେ ବି ବିଭିନ୍ନ କାରଣରୁ ସତୁରୀ ଏବଂ ଅଶୀ ଦଶକ ମଧ୍ୟରେଏହାର ବିକାଶ ହୋଇଛି । ଡିସେମ୍ବର ୧୯୭୯ ମସିହାରେ ଆବେଦନକାରୀ କପିଲ ହିଙ୍ଗୋରାନୀ ବିହାରର ବିଭିନ୍ନ କାରାଗାରରେ ରହିଥିବା ବିଚାରାଧୀନ ବନ୍ଦୀମାନଙ୍କର ଦୁର୍ଦ୍ଦଶାକୁ ନେଇ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ମାମଲାଟି ପ୍ରକୃତରେ କୋଉଣସି ନିର୍ଦ୍ଦିଷ୍ଟ ବିଚାରାଧୀନ ବନ୍ଦୀ ଦାୟର କରି ନ ଥିଲେ ବରଂ ଏହା ଏକାଧିକ ବିଚାରାଧୀନ ବନ୍ଦୀଙ୍କଦ୍ୱାରା ଦାୟର କରାଯାଇଥିଲା । ଆବେଦନକାରୀଭାବେ ହୁସେନ୍‌ନାରା ଖାତୁନ କରିଥିବା ଏହି ମାମଲାଟି ବିଚାରପତି ଜଷ୍ଟିସ କ୍ରୀଷ୍ଣା ଆୟାରଙ୍କ୍ ଇଜଲାସରେ ଶୁଣାଣି ହୋଇଥିଲା । ପରବର୍ତ୍ତୀ ସମୟରେ ମାମଲାଟି ହୁସେନ୍‌ନାରା ଖାତୁନ ବନାମ ବିହାର ରାଜ୍ୟ ଭାବେ ଜ୍ଞାତ ହୋଇଥିଲା । ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କଲେ କି, ବିଚାରାଧୀନ ବନ୍ଦୀମାନେ ତ୍ୱରିତ ନ୍ୟାୟ ତଥା ଆଇନଗତ ସହାୟତା ପାଇବା ପାଇଁଁ ହକ୍‌ଦାର ଅଟନ୍ତି । ଅଦାଲତଙ୍କ ଏହି ରାୟ ଫଳରେ ବିହାର କାରାଗାରରେ ବିଚାରାଧୀନ ଅନେକ ବନ୍ଦୀ ଜେଲରୁ ମୁକୁଳିବା ସହ ଅନେକ ମାମଲାର ତ୍ୱରିତ ଫୈସଲା ହୋଇଥିଲା । ଏହି ରାୟ ଫଳରେ ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ନୂତନ ପରିଭାଷାର ସୂତ୍ରପାତ ହେଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ମାମଲା ଏସ୍. ପି. ଗୁପ୍ତା ବନାମ ଭାରତ ସରକାରରେ ଜନହିତ ମାମଲାର ସଜ୍ଞା ପରିଭାଷିତ କରିଥିଲେ । ଏହାଫଳରେ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ଜନହିତ ମାମଲା ସନ୍ଦର୍ଭରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଲା । [୧][୨]

ଜନହିତ ମାମଲାର ଏହି ନୂତନ ପରିଭାଷା ବାସ୍ତବରେ ଭାରତୀୟ ସମ୍ବିଧାନର ଧାରା ୩୯-(କ) ପ୍ରକାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁଁ ଉଦ୍ଦିଷ୍ଟ । ଅଶୀ ଦଶକ ପୂର୍ବରୁ କେବଳ ପୀଡିତ ହିଁଁ ବାଦୀ ଭାବେ ନ୍ୟାୟ ପାଇଁଁ ଅଦାଲତି ମାମଲା ଦାୟର କରିପାରୁଥିଲେ । କିନ୍ତୁ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନୂତନ ବିଧି ବ୍ୟବସ୍ଥା ଫଳରେ ବହୁଜନ ହିତ ସାଧନ ନିମିତ୍ତ ଏକ ମାମଲା ଭାରତର ଯେ କେହି ନାଗରିକ ବା ବେସରକାରୀ ସଂଗଠନ(NGO) ଦାୟର କରିପାରିବେ । ଏପରିକି ଅନେକ ସମୟରେ ଘଟଣର ଗୁରୁତ୍ୱ ଦୃଷ୍ଟିରୁ ନ୍ୟାୟାଳୟକୁ ପଠାଯାଇଥିବା ପତ୍ରଟିଏକୁ ମଧ୍ୟ ନ୍ୟାୟାଳୟ ଜନହିତ ମାମଲା ଭାବେ ଗ୍ରହଣ କରି ଏହାର ବିଚାର କରିଥାଆନ୍ତି ।[୩]

ବିଶେଷତ୍ୱ[ସମ୍ପାଦନା]

  • ଜନହିତ ମାମଲା ବସ୍ତୁତଃ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ସରକାରୀ କିମ୍ବା ବେସରକାରୀ ସଂସ୍ଥା ବିରୁଦ୍ଧରେ ଦାୟର ହୋଇପାରିବ । ଏହା କେହି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦାୟର ନ ହେଲେ ବି ବ୍ୟକ୍ତି ବିଶେଷ ଏହି କ୍ଷେତ୍ରରେ ପ୍ରତିବାଦୀ ହୋଇପାରିବେ ।
  • ଜନହିତ ମାମଲା ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଅଧିକାର ପାଇଁଁ ନ ହୋଇ ବହୁଜନ ହିତାୟ ବା ସାର୍ବଜନିକ ହିତ/ଅଧିକାର ସକାଶେ ଦାୟର ହେବା ଜରୁରୀ ।[୪]
  • ଜନହିତ ମାମଲା ବିଚାର ସାଧାରଣତଃ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଉଚ୍ଚ ନ୍ୟାୟାଳୟରେ କିମ୍ବା ସମ୍ବିଧାନର ଧାରା ୩୨ ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟରେ ହିଁଁ ଦାୟର କରାଯାଇପାରିବ ।[୫]
  • ଜନହିତ ମାମଲାର ସୁପରିଚାଳନା ନିମିତ୍ତ ଅନେକ ସମୟରେ ସଂପୃକ୍ତ ଉଚ୍ଚନ୍ୟାୟାଳୟ କିମ୍ବା ଉଚ୍ଚତମ ନ୍ୟାୟାଳୟ ଆବଶ୍ୟକୀୟ ଆଇନ ପ୍ରଣୟନ କରିଥାନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏ ସଂକ୍ରାନ୍ତରେ "Orissa High Court Public Interest Litigation rules, 2010" ପ୍ରଣୟନ କରିଛନ୍ତି ।[୬]

କେତେକ ଐତିହାସିକ ଜନହିତ ମାମଲା[ସମ୍ପାଦନା]

  • Vishaka v. State of Rajasthan

କର୍ମ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ବିରୁଦ୍ଧରେ ଏହି ମାମଲା Bhanwari Deviଙ୍କଦ୍ୱାରା ଭାରତର ଉଚ୍ଚତମ ନ୍ୟାୟାଳୟରେ ଆଗତ କରାଯାଇଥିଲା । ଏହି ମାମଲାର ରାୟ ଫଳରେ କର୍ମ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନକୁ ବ୍ୟକ୍ତି ବିଶେଷର ସାମ୍ବିଧାନିକ ଅଧିକାରର ହନନ ବୋଲି ମାନ୍ୟ ହେଲା ଏବଂ ଏହା ରୋକିବା ପାଇଁଁ ଉଚ୍ଚତମ ନ୍ୟାୟାଳୟ ବିଧିବଦ୍ଧ ଦିଶାନିର୍ଦ୍ଦେଶ ଜାରୀ କରିଛନ୍ତି ।[୭]

  • M. C. Mehta v. Union of India

ଉକ୍ତ ଜନହିତ ମାମଲା ଉଚ୍ଚତମ ନ୍ୟାୟାଳୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାୟ ସହ ଏକାଧିକ ଆଦେଶ ଜାରି କରିଛନ୍ତି । ପରିବେଶକୁ ପ୍ରହୁଷଣ କରୁଥିବା ଅନେକ କଳ କାରଖାନା ବନ୍ଦ ହେବା ସହ ପ୍ରଦୁଷଣ ରୋକିବା ଦିଗରେ ଏହି ରାୟ ସୁଦୂର ପ୍ରସାରୀ ପ୍ରଭାବ ପକାଇପାରିଛି ।[୮]

ଆଧାର[ସମ୍ପାଦନା]

  1. "What is a PIL". Retrieved 10 May 2018.
  2. "PIL-A boon or bane". Retrieved 10 May 2018.
  3. "What is PIL". Retrieved 10 May 2018.
  4. "Public Interest Litigation (PIL) in India". Retrieved 10 May 2018.
  5. "History of PIL in India". Retrieved 10 May 2018.
  6. "Orissa High Court Public Interest Litigation rules, 2010" (PDF). www.orissahighcourt.nic.in. Retrieved 29 October 2018.
  7. "Vishaka & Ors vs State Of Rajasthan & Ors on 13 August, 1997". Retrieved 10 May 2018.
  8. "M.C. Mehta vs Union Of India & Others on 22 September, 1987". Retrieved 10 May 2018.