ଭରତ (ରାମାୟଣ)

ଉଇକିପିଡ଼ିଆ ରୁ
Jump to navigation Jump to search

ଭରତ, ଭାରତୀୟ ମହାକାବ୍ୟ ରାମାୟଣରେ ଚିତ୍ରିତ ହୋଇଥିବା ଏକ ଚରିତ୍ର । ରାମାୟଣର ବର୍ଣ୍ଣନା ଅନୁଯାୟୀ, ଭରତ ଥିଲେ ରାଜା ଦଶରଥଙ୍କ ଦ୍ୱିତୀୟ ପୁତ୍ର । ତାଙ୍କ ମାତା ଥିଲେ କୈକେୟୀ । ରାମ, ଲକ୍ଷ୍ମଣ ଏବଂ ଶତୃଘ୍ନ ତାଙ୍କର ଅନ୍ୟ ଭାଇମାନେ ଥିଲେ । ରାମାୟଣ ଅନୁଯାୟୀ ରାମ, ବିଷ୍ଣୁଙ୍କର ସପ୍ତମ ଅବତାର ହୋଇଥିବାବେଳେ ଲକ୍ଷ୍ମଣ, ଭରତ ଏବଂ ଶତୃଘ୍ନଙ୍କୁ ଯଥାକ୍ରମେ ଶେଷନାଗ, ଶଙ୍କର ଏବଂ ସୁଦର୍ଶନ ଚକ୍ରର ଅବତାର ଭାବରେ ବିବେଚନା କରାଯାଏ ।[୧]

ଭାରତରେ ଏକମାତ୍ର କେରଳରେ ଭରତଙ୍କୁ ପୂଜା କରାଯିବା ପରମ୍ପରା ରହିଛି ଏବଂ ଏହି ଉପଲକ୍ଷେ ଭରତଙ୍କୁ ସମର୍ପିତ ଏକ ମନ୍ଦିର କେରକରେ ରହିଛି ।

ଜନ୍ମ ଓ ବିବାହ[ସମ୍ପାଦନା]

ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୨] । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣଶତୃଘ୍ନ ଜନ୍ମ ଗ୍ରହଣ କଲେ[୩] । ଭରତ, ରାଜା ଜନକଙ୍କ କନିଷ୍ଠ ଭ୍ରାତା ରାଜା କୁଶଧ୍ୱଜଙ୍କ କନ୍ୟା ମାଣ୍ଡବୀଙ୍କୁ ବିବାହ କରିଥିଲେ । ତକ୍ଷ ଏବଂ ପୁଷ୍କଳ ନାମରେ ଦୁଇଟି ପୁତ୍ର ଥିଲେ ।[୪]

ପୌରାଣିକ ଗାଥା[ସମ୍ପାଦନା]

ରାମ ପିତୃ-ସତ୍ୟ ପାଳନ ନିମନ୍ତେ ବନବାସ ପାଇଁ ପ୍ରସ୍ତୁତ ହୁଅନ୍ତେ, ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ-ଭକ୍ତିର ଉଦାହରଣସ୍ୱରୂପ ଭରତ, ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।

ରାମ ଅଯୋଧ୍ୟାକୁ ଫେରିବା ପରେ ଭରତ ଏକ ଶୋଭାଯାତ୍ରାରେ ଯାଇ ରାମ,ସୀତା ଏବଂ ଭାଇ ଲକ୍ଷ୍ମଣଙ୍କୁ ଅଭିବାଦନ ଜଣାଇଲେ । ଯଦିଓ ରାମ ଲକ୍ଷ୍ମଣଙ୍କୁ ଯୁବରାଜ ଭାବେ ଘୋଷଣା କରିବାକୁ ଇଚ୍ଛା କରିଥିଲେ, ଲକ୍ଷ୍ମଣ ସୂଚାଇ ଦେଇଛନ୍ତି ଯେ ଅଯୋଧ୍ୟାର ପ୍ରଶାସକ ଭାବରେ ଭରତଙ୍କ ମହାନ ଗୁଣ ଏବଂ ବହୁ ବର୍ଷର ଅଭିଜ୍ଞତା ତାଙ୍କୁ ମହାନ କରିପାରିଛି । ଅତଏବ ଲକ୍ଷ୍ମଣଙ୍କ ବଦଲରେ ଭରତଙ୍କୁ ଯୁବରାଜ ଘୋଷଣା କରିବାକୁ ସେ ରାମଙ୍କୁ ନିବେଦନ କରିଥିଲେ । ତେଣୁ ରାମଙ୍କ ରାଜ୍ୟାଭିଷେକ ପରେ ଭରତ ହିଁ ତୁରନ୍ତ ରାମଙ୍କଦ୍ୱାରା ଯୁବରାଜ ଘୋଷିତ ହୋଇଥିଲେ ।[୫]

ଆଧାର[ସମ୍ପାଦନା]

  1. Naidu, S. Shankar Raju; Kampar, Tulasīdāsa (1971). A comparative study of Kamba Ramayanam and Tulasi Ramayan. Shank. University of Madras. pp. 44, 148. Retrieved 2009-12-21.
  2. "santkesavadas" ପୃ-୨୭
  3. "santkesavadas" ପୃ-29
  4. Ramayana – Conclusion, translated by Romesh C. Dutt (1899)
  5. "Bharat story -ideal character | Ramayan". India Forums (in ଇଂରାଜୀ). Retrieved 4 April 2021.