Jump to content

ବ୍ୟବହାରକାରୀ:Pabitra mohan maharatha

ଉଇକିପିଡ଼ିଆ‌ରୁ

ଓଡ଼ିଶୀର ସଙ୍ଗୀତ ଶାସ୍ତ୍ରୀୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ! ପବିତ୍ର ମହାରଥା ଆବାହକ ଭାଷା ଆନ୍ଦୋଳନ , ଓଡିଶା

              ବିଶ୍ୱର ଅନ୍ୟତମ ପୁରାତନ ଭାଷା ହୋଇଥିବାରୁ  ତଥା ଶାସ୍ତ୍ରୀୟ ଭାଷାର ସମସ୍ତ ସର୍ତ୍ତ ପୂରଣ କରୁଥବା କାରଣରୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି | ଦିନଥିଲା, ଓଡ଼ିଆ ଭାଷାକୁ ପଡୋଶୀ  ବଙ୍ଗାଳୀ  ସାହିତ୍ୟିକ ମାନେ ' ଉଡି଼ଆ ଏକଟା ଭାଷା ନଏ  ' ବୋଲି କହୁଥଲେ | ସେହି ସମୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଠାରୁ ଆରମ୍ଭ କରି ବ୍ୟାସକବି ଫକୀର ମୋହନଙ୍କ ପର୍ଯ୍ୟନ୍ତ ଆମର ପୂର୍ବଜ ସାହିତ୍ୟିକ ମାନେ ଏପରି ବକ୍ତବ୍ୟର ଘୋର ପ୍ରତିବାଦ କରିଥିଲେ ଓ  ଓଡ଼ିଆ ଭାଷାର ପ୍ରତିଷ୍ଠା ଓ ପ୍ରଭୁତ୍ୱକୁ  ପ୍ରତିପାଦିତ କରିଥିଲେ | ପରବର୍ତୀ ସମୟରେ  ଓଡ଼ିଆ ଭାଷା ଗବେଷକମାନେ ଦୁଇ ହଜାରରୁ ଅଧିକ ବର୍ଷର ତଥ୍ୟଭିତ୍ତିକ ଇତିହାସକୁ ଉତ୍ଥାପନ କରି "ଓଡ଼ିଆ"ଯେ ଏକ ଶାସ୍ତ୍ରୀୟ ଭାଷା ତାହା  ସରକାରୀ ଭାବେ ସ୍ୱକୃତ କରାଇଲେ| ଯେଉଁମାନେ ଓଡ଼ିଆ ଭାଷାକୁ ନ୍ୟୁନ ଭାବୁଥିଲେ ସେମାନଙ୍କ ମାତୃଭାଷାର କବି ରବୀନ୍ଦ୍ର ନାଥ ଠାକୁର ନୋବେଲ ପୁରସ୍କାର ପାଇଥିବା ସତ୍ୱେ ଓଡ଼ିଆ ଭାଷାର ସମକକ୍ଷ ହେବାପାଇଁ ଯୋଗ୍ୟ ହୋଇ ପାରିଲେ ନାହିଁ | ଓଡି଼ଶାର ଭାଷା ସାହିତ୍ୟ, ସଂସ୍କୃତି, ପରମ୍ପରା ଜନଜୀବନରେ ଓତଃପ୍ରୋତ ଭାବେ ଜଡ଼ିତ ଥିବା ହେତୁ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲା ଭଳି ଓଡ଼ିଶୀ ସଙ୍ଗୀତ ଯେ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇବା ପାଇଁ ନିଶ୍ଚିତ ଯୋଗ୍ୟ, ଏଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ |
             ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ "ଓଡିଶା" |  ସ୍ୱତନ୍ତ୍ର ରାଜ୍ୟ ଗଠନର ଦୀର୍ଘ ଦିନପରେ ଭାଷା ଆନ୍ଦୋଳନ, ଓଡ଼ିଶାର ଦୀର୍ଘ ଦିନର ଆନ୍ଦୋଳନ ଯୋଗୁ  ବିଧାନ ସଭାରେ ସର୍ବସମ୍ମତ୍ତି  କ୍ରମେ ୧୯/0୯ /୨0୧୮ ରେ, "ଓଡ଼ିଆ ଭାଷାରେ ଓଡିଶା ଶାସନ" ପାଇଁ ପଥ  ପରିଷ୍କାର ହୋଇପାରିଥିଲା|୧୯୫୪ ମସିହାରେ ପାରିତ ଭାଷା ଆଇନ ସଂଶୋଧିତ ହୋଇ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ମଧ୍ୟ ମିଳିଲା |କେବଳ ସେତିକି ନୁହେଁ, ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନିର୍ଦେଶ ଏବଂ ମାନ୍ୟବର ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ  ୧୩ /0୮/୨0୧୯ରେ ନିୟମାବଳୀ ମଧ୍ୟ ପ୍ରଣୀତ ହୋଇ ଖିଲାପକାରୀଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା କରାଗଲା |
            ସେହିଭଳି ଓଡ଼ିଶୀ ସଙ୍ଗୀତ ଓଡ଼ିଶାରେ ଆରମ୍ଭ ହୋଇଥିବା ଏକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପାଞ୍ଚଟି ଶାଖା; ଅବନ୍ତୀ, ପାଞ୍ଚାଳୀ, ଓଡ୍ରମାଗଧୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ । ଏହି ମଧ୍ୟରୁ ଓଡ଼ିଶୀ ଉଡ୍ରମାଗଧୀ ଧାରା ଅଟେ । ଗାୟନ ପାଇଁ ଗୀତ ରଚନା କରୁଥିବା ଜୟଦେବଙ୍କ ସମୟରୁ ଓଡ଼ିଶୀ ସଙ୍ଗୀତ ଉନ୍ନତ ହୋଇ ବିକାଶଲାଭ କରିଥିଲା । ଓଡ଼ିଶୀ ସଙ୍ଗୀତ ଓଡ଼ିଆ ଭାଷାର ବିକାଶ ହେବା ଆଗରୁ ରହିଥିଲା ବୋଲି ଐତିହାସିକ ମାନେ ମତ ବ୍ୟକ୍ତ କରିଛନ୍ତି । ଖ୍ରୀ.ପୂ. ଦ୍ୱିତୀୟ ଶତକରେ କଳିଙ୍ଗର ଶାସକ ଖାରବେଳ ସଙ୍ଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିବାର ଦେଖିବାକୁ ମିଳୁଛି ।  ଓଡ଼ିଶାର ସଂସ୍କୃତି ଓ ସଙ୍ଗୀତର ପ୍ରମାଣ ବିଭିନ୍ନ ପ୍ରତ୍ନତାତ୍ୱିକ ଖନନରୁ ମଧ୍ୟ ମିଳିଛି । ବିଭିନ୍ନ ସ୍ଥାନରେ  ପ୍ରତ୍ନତ୍ୱାତ୍ଵିକ ଖନନରୁ ତାମ୍ର ଓ ପ୍ରସ୍ତର ଯୁଗର ପ୍ରମାଣ ରହିଛି ।  ମିଳିଥିବା ଶିଳାଖମ୍ବ ମାନଙ୍କରୁ ପୁରାତନ ବାଦ୍ୟଯନ୍ତ୍ରର ପ୍ରାମାଣିକ ତଥ୍ୟ ବି ହସ୍ତଗତ ହେଉଛି |
         ସଙ୍ଗୀତକାର ଗଣ  ସେମାନଙ୍କର ସାଧନା ମାତୃଭୂମି , ମାତୃଭାଷା ର ପ୍ରସାର ଓ ପ୍ରଚାର ଦିଗରେ ଅଗ୍ରସର ହୋଇ ସଂସ୍କୃତି ଓ ପରମ୍ପରାର ସମନ୍ୱୟ ରକ୍ଷା କରି ମାତୃଭୁମିର ସେବାରେ ନିଜକୁ ଯେଭଳି ଉତ୍ସର୍ଗ କରିଛନ୍ତି ତାହାର ପଟାନ୍ତର ନାହିଁ | ସେମାନଙ୍କ ମଧ୍ୟରୁ ଜନ ମାନସରେ ଉଜ୍ଜଳ ନକ୍ଷତ୍ର ହୋଇ ରହିବେ ,ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ(କଣ୍ଠସଙ୍ଗୀତ) ତାରିଣୀଚରଣ ପାତ୍ର (କଣ୍ଠସଙ୍ଗୀତ), ବୀଣାକାର ,ସୁରମଣି ରଘୁନାଥ ପାଣିଗ୍ରାହୀ(କଣ୍ଠସଙ୍ଗୀତ) ରାମହରି ଦାଶ ,ବିଜୟ କୁମାର ଜେନା,କେଶବ ଚନ୍ଦ୍ର ରାଉତ,ଆଦିଗୁରୁ ଦେଶରଜା ମଉଡ଼ମଣି ,ସିଂହାରୀ ଶ୍ୟାମସୁନ୍ଦର କର,ଚନ୍ଦ୍ରମଣି ଲେଙ୍କା,ରାମାରାଓ ପାତ୍ର ବୀଣାକାର,ଭୁବନେଶ୍ୱର ମିଶ୍ର ବେହେଲା ବାଦକ,ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ କଣ୍ଠସଙ୍ଗୀତ,ଗୋକୁଳ ଶ୍ରୀଚନ୍ଦନ ,ଅପର୍ଣ୍ଣା (ଆପନ୍ନା) ପାଣିଗ୍ରାହୀ,ବାସୁଦେବ ମହାପାତ୍ର,ରାଜମଣି ପାତ୍ର,ଗୁଣ୍ଡି ନନ୍ଦ କଣ୍ଠସଙ୍ଗୀତ, ଭଜନ ସମ୍ରାଟ ଭିକାରୀ ଚରଣ ବଳ, ଶ୍ୟାମା ମଣି ଦେବୀ,ମିତାଳୀ ଚିନାରା ,ଆରତୀ ମିଶ୍ର,କ୍ଷେତ୍ରମଣି ଦେବୀ,ହରପ୍ରିୟା ଦେବୀ,ସଚ୍ଚିଦାନନ୍ଦ ରାଉତରାୟ ମର୍ଦ୍ଦଳ ବାଦକ,ଦାମୋଦର ହୋତା,ଲୋକନାଥ ପାଳ,ନୃସିଂହନାଥ ଖୁଣ୍ଟିଆ,ଲୋକନାଥ ରଥ,ଧୀରଜ ମହାପାତ୍ର,ଗୋପାଳ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ କର  ,ସଙ୍ଗୀତା ପଣ୍ଡା,ମହାପାତ୍ର ମିନତୀ ଭଞ୍ଜ,ଶ୍ୟାମସୁନ୍ଦର ଧୀର,କାଶୀନାଥ ପୂଜାପଣ୍ଡା,ବିଶ୍ୱନାଥ ପୂଜାପଣ୍ଡା,ଭୁବନେଶ୍ୱରୀ ମିଶ୍ର,ଘନଶ୍ୟାମ ପଣ୍ଡା ,ବିନୋଦ ବିହାରୀ ପଣ୍ଡା ,କାଳୀଚରଣ ପଟ୍ଟନାୟକ,ଙ୍କ ସମେତ ସଙ୍ଗୀତଜ୍ଞ ତା ଗବେଷକ କୀର୍ତନ ନାରାୟଣ ପାଢ଼ୀ  ପ୍ରମୁଖ | ଓଡିଶୀ ସଙ୍ଗୀତ  ପ୍ରତି ସେମାନଙ୍କର ମମତ୍ୱକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଦୃଢ ଭାବେ ସେମାନଙ୍କ ପଛରେ ଛିଡା ହେଲେ ଓଡିଶୀ ସଂଗୀତ ଶାସ୍ତ୍ରୀୟତା ମର୍ଯ୍ୟାଦା ପାଇବା ପାଇଁ କଷ୍ଟକର ହେବ ନାହିଁ | ଯେତେବେଳେ କି ଓଡ଼ିଆ ଭାଷା ଓ ଓଡିଶୀ ନୃତ୍ୟ ପୂର୍ବରୁ ଶାସ୍ତ୍ରୀୟତା ପାଇସାରିଛି |
      ଏହି ସଫଳତା ଆଧାରରେ, ଓଡ଼ିଶୀ ସଙ୍ଗୀତକୁ ମଧ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା  ପ୍ରଦାନ ପାଇଁ ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ  ୨0୧୭  ମସିହାରୁ ଉଦ୍ୟମ ଜାରି ରହିଛି |  ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମର୍ଯ୍ୟାଦା  ପାଇବା ପାଇଁ କାହିଁକି ଯୋଗ୍ୟ, ତାହା ଉପରେ ସବିଶେଷ ବିବରଣୀ ଓ ତଥ୍ୟ,  ଭାଷା ଆନ୍ଦୋଳନ, ଓଡ଼ିଶାର ଉଦ୍ୟମରେ  ଓଡିଶୀ ସଙ୍ଗୀତ ଗବେଷକ ଡ଼ଃ କୀର୍ତନ ନାରାୟଣ ପାଢ଼ୀଙ୍କ ଦ୍ୱାରା ଉପାଦେୟ, ତଥ୍ୟ ଭିତ୍ତିକ, ଗବେଷଣାଲବ୍ଧ ଲିଖିତ ପୁସ୍ତକ The Classicality of Odishi Music  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ  ତା ୨୨/0୮/୨0୧୭ ରିଖ ଦିନ ଲୋକାର୍ପଣ କରାଯାଇଥିଲା I ଏହି ଅବସରରେ ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ଦାବି ଉପସ୍ଥାପନ କରିଯାଇଥିଲା କି  ରାଜ୍ୟସରକାର ଏହା ଉପରେ ପଦକ୍ଷେପ ନେଇ, କେନ୍ଦ୍ର ସରକାରଙ୍କୁ ଚିଠି ଲେଖନ୍ତୁ ଏବଂ ଏହି ତଥ୍ୟଭିତ୍ତିକ ସନ୍ଦର୍ଭ ପ୍ରଦାନ କରନ୍ତୁ | ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ଲେଖକ  ଡ଼ଃ ପାଢ଼ୀଙ୍କ ସମେତ  ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗଣେଶ ପ୍ରସାଦ ଦାସ, ପ୍ରଫେସର ରଘୁନାଥ ପଣ୍ଡା, ଦୂରଦର୍ଶନର ଉପନିର୍ଦେଶକ ରବୀନ୍ଦ୍ର ନାଥ ମିଶ୍ର ଓ ଭାଷା ଆନ୍ଦୋଳନ, ଓଡିଶାର ଆବାହକ ପବିତ୍ର ମହାରଥା ଅନ୍ୟମାନଙ୍କ ସହ  ଉପସ୍ଥିତ ଥିଲେ |  ପର୍ଯ୍ୟାୟ କ୍ରମେ ବିଭିନ୍ନ ସମୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିବା ବେଳେ 0୯/0୮/୨0୧୯ ରେ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣଙ୍କ ସହ ଭାଷା ଆନ୍ଦୋଳନ , ଓଡିଶା  ପକ୍ଷରୁ ଆବାହକ ପବିତ୍ର ମହାରଥା ଏବଂ ଜାନକୀଶ  ବଡ଼ପଣ୍ଡା ଆଲୋଚନା କରିଥିଲେ | ଧାର୍ଯ୍ୟ ସମୟ ମୁତାବକ ୧୩/0୮/୨0୧୯ ରେ  ମୁଖ୍ୟମନ୍ତ୍ରୀଙ୍କର  ପ୍ରତିଶ୍ରୁତିକୁ ମନେ ପକାଇ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଅନୁରୋଧ କରାଯାଇଥିଲା | ସେହି ଆଲୋଚନାରେ ଭାଷା ଆନ୍ଦୋଳନ ଆବାହକ ପବିତ୍ର ମହାରଥା, ଗବେଷକ ଡ଼ଃ ପାଢ଼ୀ, ଗୁରୁ ଗୋପାଳ ପଣ୍ଡା ଏବଂ ସଙ୍ଗୀତଜ୍ଞ ସଂଗୀତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ପୁନର୍ବାର ୧୪/0୮/୨0୧୯ ରିଖରେ ଏମାନଙ୍କ ସହିତ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ପ୍ରମୁଖ ଶାସନ  ସଚିବ  ଶ୍ରୀ ମନୋରଂଜନ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନିଷ୍ପତ୍ତି  ନିଆଯାଇଥିଲା | ଏଥିରେ ଡ଼ଃ  ପାଢ଼ୀ ଓ  ଜାନକୀଶ ବଡ଼ପଣ୍ଡାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  |  ଫଳରେ ପ୍ରଥମ ପଦକ୍ଷେପ ସ୍ୱରୂପ ସେପ୍ଟେମ୍ବର 0୨, ୨0୨0ରେ ରାଜ୍ୟ  ଐତିହ୍ୟ କ୍ୟାବିନେଟ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରିବା ସପକ୍ଷରେ ଏକ ସଂକଳ୍ପ ପାରିତ କରିଥିଲେ |
          ଦୁଇ ହଜାର ପାଞ୍ଚଶହ ବର୍ଷରୁ ଅଧିକ ସମୟ ହେବ  ଓଡ଼ିଶୀ ସଙ୍ଗୀତର ସୁଦୀର୍ଘ ପରମ୍ପରା, ସମୃଦ୍ଧ ଉତ୍ତରଣ,  ସମ୍ପନ୍ନ ଐତିହ୍ୟ ଏବଂ ଲିଖିତ ଇତିହାସ ରହିଛି | ରାଜଦରବାର ଏବଂ ସରକାରଙ୍କ ପୃଷ୍ଠପୋଷକତା ହେତୁ ଏହା ବିକଶିତ ହୋଇ ଅଭିବୃଦ୍ଧି ମଧ୍ୟ ହାସଲ କରିଛି । ଏଥିରେ ଲିପିବଦ୍ଧ ପ୍ରମାଣ ଏବଂ ଚମତ୍କାରତା ଅଛି | ଏହା ଶାସ୍ତ୍ରୀୟ ଓଡିଆ ଭାଷାରେ ରଚିତ ନାଟକ ଏବଂ ଗୀତି  ସାହିତ୍ୟ ଉପରେ ପ୍ରଭାବ ପକାଇଛି | ଓଡ଼ିଶୀ ସଂଗୀତ ତତ୍ତ୍ୱଗତ ନିୟମ ଏବଂ ବ୍ୟାକରଣଗତ ନିୟମ ପାଳନ କରେ | ସର୍ବୋପରି, ଶ୍ରୋତାମାନଙ୍କ ହୃଦୟରେ ଚିତ୍ତାକର୍ଷକ ପ୍ରଭାବ ସୃଷ୍ଟି କରୁଥିବା ଉନ୍ନତମାନର  ନିତ୍ୟନୂତନ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆବେଦନ ହେତୁ ପ୍ରଖ୍ୟାତ ସଂଗୀତ ଗୁରୁ ଓ ସଂଗୀତଜ୍ଞଙ୍କ ଦ୍ୱାରା ଉଚ୍ଚମାନର ନିୟମିତ ଗାୟନ, ବାୟନ ଏବଂ କ୍ରମାଗତ ପରିବେଷଣ ମଧ୍ୟ ଲାଗିରହିଛି |
          ଅତୀତରେ ବିଶିଷ୍ଟ ଗାୟକ, ଗୁରୁ ଏବଂ ସଙ୍ଗୀତ-ବିଦ୍ୱାନମାନଙ୍କର ଏକ ଦଳ ୧୯ ଜୁନ୍, ୨00୭ ରେ  ରାଜ୍ୟ ସରକାରଙ୍କୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ସରକାର୨୯ ଫେବୃଆରୀ ୨00୮ରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଭାବରେ ଘୋଷଣା କରିଥିଲେ ହେଁ ବାସ୍ତବରେ ରାଷ୍ଟ୍ରୀୟ ସ୍ତରରେ କିଛି ପଦକ୍ଷେପ ନେଇନଥିଲେ | ଯଦିଓ ଓଡ଼ିଶୀ ନୃତ୍ୟକୁ ଦେଶର ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟର  ମାନ୍ୟତା ଦିଆଯାଇଛି ଏବଂ ଏହା ନିଜସ୍ୱ  ଚରିତ୍ର, ଭଙ୍ଗୀ, ଠାଣୀ, ଲାଳିତ୍ୟ ଓ ମୁଦ୍ରା ଇତ୍ୟାଦି ହେତୁ ସୁଖ୍ୟାତି ପାଇପାରିଛି, ବିଡମ୍ବନାର ବିଷୟ, ଓଡ଼ିଶୀ ସଙ୍ଗୀତକୁ ଜାତୀୟ ସ୍ତରରେ ସଂଗୀତର ଅନ୍ୟତମ ଶାସ୍ତ୍ରୀୟ ରୂପ ଭାବରେ କିନ୍ତୁ ସ୍ୱୀକୃତି ଦିଆଯାଇ ନାହିଁ |
          ଏହି ପ୍ରେକ୍ଷାପଟରେ 0୫/0୪/୨0୧୯  ଏବଂ 0୬/0୪/୨0୧୯ ରେ ଦିଲ୍ଲୀଠାରେ ସଙ୍ଗୀତଜ୍ଞ ଗୁରୁ ଗୋପାଳ  ପଣ୍ଡା ଏବଂ ସଙ୍ଗୀତା ପଣ୍ଡା "ଓଡ଼ିଶୀ ଏକାଡେମୀ" ମାଧ୍ୟମରେ ଦିଲ୍ଲୀରେ ଏକ ଅନ୍ତର୍ଜାତୀୟ ସେମିନାରର  ଆୟୋଜନ କରିଥିଲେ | ଏହି ଦୁଇଦିନିଆ କର୍ମଶାଳାରେ ଭାଷାବିତ ତଥା ସଂସ୍କୃତି ଗବେଷକ ଡ଼ କୀର୍ତନ ନାରାୟଣ ପାଢ଼ୀ, ଓଡିଶୀ ସଙ୍ଗୀତ କାହିଁକି ଶାସ୍ତ୍ରୀୟ ମର୍ଯ୍ୟାଦା ପାଇବା ଉଚିତ - ସେହି ବିଷୟ ଉପରେ ସାରଗର୍ଭକ ତଥ୍ୟ ଉପସ୍ଥାପନା କରି ଉପସ୍ଥିତ ଭିଭିନ୍ନ ରାଜ୍ୟର ସଙ୍ଗୀତଜ୍ଞ ମାନଙ୍କୁ  ମୁଗ୍ଧ ଚକିତ କରିଦେଇ ଥିଲେ | ଏହି କର୍ମଶାଳା ସଙ୍ଗୀତଜ୍ଞ ଗୁରୁ ଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳା କାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ପ୍ରଫେସର ଡ. ସୁନିରା କାଶଲିୱାଲ, ଦିଲ୍ଲୀ ବିଶ୍ଵବିଦ୍ୟଳୟ, ଡ .କେ ଭଗେଶ, ଲୀଲା ଭେଙ୍କଟରମଣ ଓ ଡ଼ ଭଗବାନ ପ୍ରକାଶ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ | ହିନ୍ଦୁସ୍ତାନୀ ସଙ୍ଗୀତରେ ଦିଲ୍ଲୀର ଶାଶ୍ଵତୀ ମଣ୍ଡଳ, କର୍ଣ୍ଣାଟକୀରେ ସୁଧା ରଘୁରମଣ ଓ ଓଡ଼ିଶୀରେ ସଙ୍ଗୀତା  ପଣ୍ଡା ଗାୟନ କରିଥିଲାବେଳେ ଗୀତ ଗୋବିନ୍ଦ ଗାନ କରିଥିଲେ  ମିତାଲି ଚିନ୍ନାରା, ମଞ୍ଜରୀ ସିହ୍ନା ପ୍ରମୁଖ ସଙ୍ଗୀତଜ୍ଞ | ଏହି କର୍ମଶାଳାରେ ସଙ୍ଗୀତଜ୍ଞ ସଙ୍ଗୀତା  ପଣ୍ଡା, ସରିତା ପଣ୍ଡା, ଅଚ୍ୟୁତ ମହାରଣା ପ୍ରମୁଖ ଗାୟନ କରିଥିବାବେଳେ ବାଦ୍ୟରେ ନିରଞ୍ଜନ ସାହୁ ପ୍ରମୁଖ ଭାଗ ନେଇଥିଲେ | ପଦ୍ମଶ୍ରୀ ମାଧଵୀ  ମୁଦଗଲ ଓ  ଜ୍ୟୋତି ଶ୍ରୀବାସ୍ତବଙ୍କ ସମେତ ପ୍ରାୟ ୧୫ ଜଣ ନୃତ୍ୟଶିଳ୍ପୀ ମଧ୍ୟ ଏଥିରେ ଭାଗ ନେଇଥିଲେ, ଯାହାକି ଓଡ଼ିଶୀ ସଂଗୀତ ପ୍ରତି ଏହି କାର୍ଯ୍ୟକ୍ରମଟି ଉତ୍ସାହ ପ୍ରଦାନ କରିଥିଲା |
           ଓଡିଶୀ ସଙ୍ଗୀତ ନିଜର ହକ୍ ପାଇଲେ, ଅଧିକ ଛାତ୍ରଛାତ୍ରୀ ବୃତ୍ତିପାଇ ଓଡିଶୀ ସଙ୍ଗୀତ ଶିଖିବେ। ଏହା ଅଭ୍ୟାସ କଲେ ଆଧୁନିକ ଗୀତ ଠାରୁ ପଲ୍ଲୀଗୀତ, ଜଣାଣ ଭଜନ ଗାୟନ ସୁଲଳିତ ହେବ। ଏବେ ଆମ ପିଲାଏ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଶିଖୁଛନ୍ତି । ମାନ୍ୟତା ମିଳିଲେ ଦେଶୀ ବିଦେଶୀ ଛାତ୍ରଛାତ୍ରୀ ଓଡିଶୀ ସମେତ ତିନୋଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଯେ କୌଣସି ଗୋଟିଏ ସଙ୍ଗୀତରେ  ଶିକ୍ଷାଲାଭ କରିପାରିବେ। ପ୍ରଶିକ୍ଷିତ ସଙ୍ଗୀତ ଶିଳ୍ପୀ ଯେ କୌଣସି ଭାଷାର ଗୀତ ଯେ କୌଣସି ତାଳ, ରାଗ ଓ ତାନରେ ସହଜରେ ଗାନ କରି ପାରିବେ। ମା ସରସ୍ୱତୀଙ୍କ ଆରାଧନା ପାଇଁ ସଙ୍ଗୀତର ବିକଳ୍ପ ନାହିଁ । ଯେ କୌଣସି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା, ଉନ୍ନୟନ, ଗବେଷଣା ତଥା ବିବର୍ତ୍ତନ ଧାରା ପାଇଁ କେନ୍ଦ୍ର ସରକାର ବୃତ୍ତି, ଅନୁଦାନ ତଥା ପୁରସ୍କାର ଦେଇଥାଆନ୍ତି। ସଂଗୀତ ଶାସ୍ତ୍ରୀମାନେ ଓଡିଶୀ ସଙ୍ଗୀତର ବ୍ୟାକରଣ, ରାଗ, ତାଳ, ବାଦ୍ୟ ଜାଣନ୍ତି। ସେମାନଙ୍କ ପାଖରୁ ଶିକ୍ଷା ପାଇଥିବା ଛାତ୍ରଛାତ୍ରୀ ଚଳଚିତ୍ର, ବେତାର, ଟିଭି ଓ ସଙ୍ଗୀତ ସଭାରେ ଗୀତ ଗାଇପାରିବେ। ଶାସ୍ତ୍ରୀୟ ସଙ୍ଗୀତ ଭାବେ କେବଳ କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ସଙ୍ଗୀତ ମାନ୍ୟତାପ୍ରାପ୍ତ ହୋଇଥିବାରୁ, ସେହି ଦୁଇ ପ୍ରକାର ସଙ୍ଗୀତ ଶିକ୍ଷା ସହିତ ସମ୍ପର୍କିତ ହେତୁ ଭାଷା ଗୁଡିକ ମଧ୍ୟ ଲୋକପ୍ରିୟ  ହୋଇପାରିଛି । ରାଗ ଆଧାରିତ ଭଜନ, ଜଣାଣ, ଆଧୁନିକ ଗୀତ କେବଳ ଯେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିବା ବ୍ୟକ୍ତି ସଠିକ ଓ ସୁମଧୁର ଭାବେ ଗାନ କରିପାରିବେ, ଏହା ନିଃସନ୍ଦେହରେ କୁହାଯାଇପାରେ |
        ସଙ୍ଗୀତପ୍ରେମୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଚିଠିଲେଖି ଓଡ଼ିଶୀ ସଙ୍ଗୀତ (ଉଭୟ କଣ୍ଠଦାନ ଏବଂ ବାଦ୍ୟଯନ୍ତ୍ର) କୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତା୨୫/0୯/୨0୨0 ରିଖରେ ଲେଖାଯାଇଥିବା ଚିଠିଟି ଦୀର୍ଘ ପ୍ରତୀକ୍ଷିତ  ସମ୍ମାନ ପାଇବା ପାଇଁ ଏକ ବଳିଷ୍ଠ ପଦକ୍ଷେପ । "ଭାଷା ଆନ୍ଦୋଳନ ଓଡ଼ିଶାର"ର ଦାବି  ଓ ବହୁଦିନର ସ୍ୱପ୍ନ ପୂରଣ ଦିଗରେ ଏହା ଏକ ମାଇଲ ଖୁଣ୍ଟ | ଓଡ଼ିଆ ଭାଷା, ସାହିତ୍ୟ , ସଙ୍ଗୀତ ଏବଂ ସଂସ୍କୃତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବଳିଷ୍ଠ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ଯେ ନୂତନ ଆଶା ସଞ୍ଚାର କରିଛି ଏଥିରେ ସନ୍ଦେହ ନାହିଁ  |
          କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସଙ୍ଗୀତ ବିଶାରଦମାନେ ଯେପରି ସଠିକ ଆକଳନ ଓ ମୂଲ୍ୟାୟନ କରି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବେ, ସେଥିପାଇଁ ଓଡ଼ିଶୀ ସଂଗୀତଜ୍ଞ, ଗବେଷକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ସଂଗୀତ ମହାବିଦ୍ୟାଳୟ ଏବଂ କଳା ଓ ସଂସ୍କୃତି ପରାମର୍ଶଦାତାମାନଙ୍କୁ ଏକାଠି ବସି ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିବାକୁ ହେବ | ରାଜ୍ୟ ସରକାର ଚାହିଁଲେ ଭାଷା ଆନ୍ଦୋଳନ, ଓଡ଼ିଶା ଏ ଦିଗରେ ସୁପରାମର୍ଶ ଦେଇପାରିବ ଓ ସମସ୍ତଙ୍କୁ ଗୋଟିଏ ମଞ୍ଚକୁ ମଧ୍ୟ ଆଣିପାରିବ | ବନ୍ଦେ ଉତ୍କଳ ଜନନୀ