ବ୍ୟବହାରକାରୀ:ଜାନକୀବଲ୍ଲଭ ଛାଟୋଇ

ଉଇକିପିଡ଼ିଆ‌ରୁ

ଆଚାର୍ଯ୍ୟ ଥିଲେ ବୋଲି

ଶିରୋନାମ ଲେଖା[ସମ୍ପାଦନା]

|- ରାଜକିଶୋର ରାୟ

ତା: ଡିସେମ୍ବର୍ ୩୦, ୨୦୧୧ ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି୤ ତାଳଚେରଠାରୁ ରେଳ ଲାଇନ୍ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତିକରି ଆସୁଛି୤ ଏ ଲାଇନରେ ଗାଡିର ଗତି ବଡ ମନ୍ଥର୤ ପ୍ରତି ଧୁମ ଫୁତ୍କାରର ତାଳେ ତାଳେ କେତେଗୁଡିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡି ଆସୁଥିଲା୤

ଖଇରା ଭୁଇଁ ଉପରେ ରକ୍ତରଶ୍ମି ଝରାଇ ସୂର୍ଯ୍ୟ ତଳକୁ ଯାଉଥିଲେ୤ ଦୂର ପଲ୍ଲୀ ଭିତରେ ଗୋଟିଏ ଦୁଇଟି ଗୋଧନ ଦଳ ମାଟି ଉଡାଇ ଯାଉଥିବାର ଦୃଶ୍ୟ ଦିଶିଯାଉଥିଲା୤

ଟ୍ରେନ୍ ଭିତର କୋଠରୀ ଗୁଡିକରେ ପ୍ରଦୀପ ଜଳି ଉଠିଲାଣି୤ ଆରୋହୀମାନଙ୍କର ପୂର୍ବର ପାଉଁଶିଆ ମୁହଁ ଆଲୋକିତ ହୋଇଯାଇଛି୤

ଚିହ୍ନିଲି, ଓଡିଶାର କୌଣସି କଲେଜର ଜଣେ ବିଜ୍ଞାନ ଅଧ୍ୟାପକ, ଓଡିଶାର କୌଣସି ଗୋଟିଏ ଗଡ଼ଜାତର ଜଣେ ଦେବାନ, ଓଡ଼ିଶାର କୌଣସି ଗାନ୍ଧୀ ଆଶ୍ରମର ଜଣେ କଂଗ୍ରେସ କର୍ମୀ ଓ ଓଡ଼ିଶାର କୌଣସି ତେଲ ମିଲ୍‌ର ଜଣେ ପୁଞ୍ଜିପତି ମାରୁଆଡ଼ି୤ ଆରୋହୀ ଭିତରେ ଏମାନଙ୍କୁ ମୁଁ ଆଗରୁ ଚିହ୍ନିଥିଲି୤ ସେମାନଙ୍କ ସହିତ ମୁଁ ଆଳାପ କରିଥିଲି୤ ଅଚିହ୍ନା ଲୋକଙ୍କ ଭିତରେ ମାନ୍ୟବ୍ୟକ୍ତି ବୋଧହୁଏ ନ ଥିଲେ, ଗୁଣୀ ବ୍ୟକ୍ତି ବି ନଥିଲେ୤ ଯେଉଁମାନେ ଥିଲେ, ସେମାନେ ସବୁବେଳେ ନଥିଲା ପରି ଟ୍ରେନ୍‌ରେ ଯାତାୟାତ କରନ୍ତି୤ ଦେଖାଶୁଣା ଜୀବ ଏମାନେ; କିନ୍ତୁ କେହି କେବେ ଏମାନଙ୍କୁ ଦୃଷ୍ଟି ଦିଅନ୍ତି ନାହିଁ୤ ଆଳାପ କଥା ଦୂରେ ଥାଉ୤

ଢାଉ ରଙ୍ଗର ଆଣ୍ଠୁ ଉପରକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧି ଚାରି ପାଞ୍ଚ ଜଣ ପୁରୁଷ ଓ ତାଙ୍କ ସଙ୍ଗେ ସେହି ଭଳି ଦେହ ଘୋଡ଼ାଇ ଆଉ ଖଣ୍ଡେ ଖଣ୍ଡେ ଢାଉ ରଙ୍ଗର ଲୁଗା ପିନ୍ଧା ପିନ୍ଧି ମାଇପି କେତେଜଣ ବସିରହିଥିଲେ; ବେଞ୍ଚ ଉପରେ ନୁହେଁ, ତଳେ୤ ଅଧପୋଡା ବିଡି, ଖଙ୍କାର, କଦଳୀ ଚୋପା, କୋବିପତ୍ର, ପାନପିକ ଓ ସର୍ବୋପରି ନାକର ତରଳ ଦ୍ରବ୍ୟ ପଦାର୍ଥ ସମନ୍ବୟରେ ଯେଉଁଠି ଗୋଟିଏ ଶଯ୍ୟା ପଡ଼ିଥିଲା, ସେଇଠି, ତା’ରି ଉପରେ ସେମାନେ ବସିଥିଲେ୤

ସେମାନେ ବଡ଼ କାକୁସ୍ଥ ଦେଖା ଯାଉଥିଲେ, ସତେ କି କେହି ତାଙ୍କୁ କରୁଣା ଦେଖାଇ ଏଡ଼େବଡ଼ ଯାନରେ ବସିବାକୁ ଆଜ୍ଞା ଦେଇଛି୤

ତାଙ୍କୁ ଦଣ୍ଡେ ମୁଁ ଚାହିଁ ରହିଥିଲି୤ ଏକ ପାଖେ ଅସ୍ତାୟମାନ ସୂର୍ଯ୍ୟର ରଶ୍ମି ସଞ୍ଚାରର ଅପୂର୍ବ ଶୋଭା, ଅନ୍ୟପାଖେ ଟ୍ରେନର ଏହି ଆରୋହୀ ଦଳ୤

ସମ୍ବଲପୁର ଲରି ଷ୍ଟାଣ୍ଡ ପାଖେ ଗଡ଼ଜାତର ଦେବାନଙ୍କ ସଙ୍ଗେ ପ୍ରଥମେ ଦେଖା ହୋଇଥିଲା୤ ସେ ମତେ ଚିହ୍ନି ନଥିଲେ, ପରେ ଚିହ୍ନିଲେ୤ ବୋଧହୁଏ କେହି ଜଣେ ସେଠାରେ ମୋର ପରିଚୟ କରାଇ ଦେଇଥିଲେ୤ ପରିଚୟ ଆଦ୍ୟପ୍ରାନ୍ତ ସୂକ୍ଷ୍ମଭାବରେ ଶେଷ ନ ହେଉଣୁ ଦେବାନ ସାହେବ ଏକପ୍ରକାର ଚିତ୍କାର କରି ଅତି ପାଖରେ ଛିଡ଼ା ହୋଇଥିବା ଜଣେ ଅଧୋବଦନା ଅଥଚ ଆଧୁନିକା ତରୁଣୀଙ୍କୁ ମତେ ଦେଖାଇ କହିଥିଲେ୤

“ଆଲୋ ଆଭା”, ଏ ଜଣେ ଲେଖକ୤ ନାଁ ବୋଧହୁଏ ଶୁଣିଥିବୁ୤ ଏ ହେଉଛନ୍ତି ଶ୍ରୀ….୤ ତୁ ବୋଧହୁଏ ତାଙ୍କର ବହି ତୁମ କ୍ଲାସରେ ପଢୁଥିବୁ୤ ଏହିଭଳି ଲୋକଙ୍କ ସଙ୍ଗେ ଦେଖାହେବା ଭାଗ୍ୟର କଥା୤”

ମୁଁ ଲଜ୍ଜିତ ହେଲି୤ ଆଭା ସଲଜ୍ଜ ଭାବ ଦେଖାଇଲେ୤ ତାଙ୍କର ବ୍ରୀଡ଼ାଭାବ କାଟିଦେବା ପାଇଁ ମୋ ପ୍ରତି ତାଙ୍କର ମୃଦୁ “ନମସ୍କାର” ଧ୍ବନି ତାଙ୍କୁ ସାହାଯ୍ୟ କଲା; ମୋର ସଙ୍କୋଚ ଭାବ କାଟିଦେବା ପାଇଁ ମୋର “ପ୍ରତିନମସ୍କାର” ବାଣୀ ବୋଧହୁଏ ମତେ ସାହାଯ୍ୟ କଲା୤

ସମୟ ଥିଲେ ଚିନ୍ତା କରିଥାନ୍ତି, ମୋର ନାମ ସହିତ ଓଡ଼ିଶାର ବାତାବରଣ ଭିତରେ ଯେ ଗୋଟିଏ ଛୋଟ ବାୟୁମଣ୍ଡଳ ସମ୍ପୃକ୍ତ ଓ ଯାହାର ଆକୁଞ୍ଚନ ଓ ସଙ୍କୁଞ୍ଚନ ଓଡ଼ିଶାର ବହୁ କ୍ଷେତ୍ରରେ ମାର୍ଜିତ ହେଉ ବା ଆମାର୍ଜିତ ହେଉ, ଦୃଷ୍ଟ ହୁଏ, ତାହା କେତେଦୂର ଆଭାର କୁସୁମ-କୋମଳ ହୃଦୟକୁ ବିମଥିତ କରିପାରିଚି୤

କିନ୍ତୁ ସମୟ ନ ଥିଲା୤ ଲରି ଛାଡିବା ସମୟ ହୋଇଥିଲା୤ ଆଭା ବସିଲା ମହିଳାସନରେ, ଆଉ ମୁଁ ଓ ଦେବାନ୍ ବସିଲୁ ପୁରୁଷାସନରେ୤

ଭିକ୍ଷା ଯେଉଁ ଭିକ୍ଷୁକ ମାଗେ, ସେ ଯେ କାହିଁକି ଲରି ଛାଡ଼ିବା ବେଳକୁ, ଟ୍ରେନ୍ ଡବା ଭିତରେ, ପରୀକ୍ଷା ଦେଇଗଲା ବେଳକୁ, ହୋଟେଲ ଦୁଆର ମୁହଁରେ, ସିନେମା ଗୃହ ଆଗରେ ହାତ ପତେଇଦିଏ, ତାହା ବୁଝିବା ମନସ୍ତାତ୍ତ୍ବିକମାନଙ୍କ ପକ୍ଷରେ ସହଜ ହୋଇପାରେ୤ ପ୍ରାଚୁର୍ଯ୍ୟ ଓ ତୃପ୍ତି ପାଖେ ଦୈନ୍ୟ ଓ ଅଭାବ କର ପତେଇ ଯେଉଁ ଅଭିଯୋଗ ବାଢ଼େ, ସେଥିରେ ରହସ୍ୟ ଅଛି, ଗ୍ଲାନି ବି ଅଛି୤

ବସ୍‌ର ଚାରିଟା ଚକ ଘୂରିବାକୁ ଆରମ୍ଭ କରିଛି କି ନାହିଁ ଗୋଟିଏ ପଙ୍ଗୁ, ଦେବାନ ବାବୁଙ୍କୁ ହାତ ପତେଇ ଦେଇଛି୤ ଅଥର୍ବ ସେ, ପଡ଼ିଯିବାର ଭୟ ତାହାର ଥିଲା୤ ସେହି ଭୟକୁ ଭ୍ରୁକ୍ଷେପ ନ କରି ସେ ଦଉଡ଼ି ଦଉଡ଼ି ଯୋଡ଼ ହାତରେ ମାଗୁଥାଏ “ପଇସାଟିଏ, ଗୋଟିଏ ପଇସା- ହେ, ବାବା୤”

ଦେବାନଙ୍କ ମୁହଁରେ ବିରକ୍ତି ଓ କ୍ରୋଧର ଚିହ୍ନ୤ ଶେଷ ମୁହୂର୍ତ୍ତକୁ ସେ ଆବିଷ୍କାର କଲେ ଯେ, ଟିଫିନ ବାକ୍‌ସ ଆଭା ସଜାଡ଼ି ଆଣିଛି, ଅଥଚ ଷ୍ଟେଟ୍‌ର ପ୍ରସିଦ୍ଧ ରାଜୋଦ୍ୟାନ କୂପର ସ୍ବଚ୍ଛ ନୀର ସେ ସୋରେଇରେ ଆଣିପାରି ନାହିଁ୤ ଆଭାକୁ ସେ ସେଇଠି ଚେତେଇ ଦେଇଥିଲେ ଯେ, ବମ୍ବେ ବା କଲିକତା ଗଲେ ମଧ୍ୟ ରାଜକୂପର ଜଳ ନେବାକୁ ସେ ଭୁଲନ୍ତି ନାହିଁ୤ କାରଣ ବାଟରେ ଘାଟରେ ଯାହା ତାହା ପାଣି ପିଇବା ଅର୍ଥ ମୃତ୍ୟୁ୤ ତା’ପରେ ଏହି ପଙ୍ଗୁଭଳି ଭିଖାରୀଗୁଡ଼ାକ ସଂସ୍ରବରେ ଯେଉଁ ମାଟିପାଣି ଆସୁଛି, ତାହା ସହିତ ସୁସ୍ଥ ଜୀବ ସଂଯୋଗ ରଖିଲେ ପ୍ରାଣ ଆଉ ରହିବ ନାହିଁ୤

ଡ୍ରାଇଭର୍ ବସ୍ ଛାଡ଼ିପାରୁ ନାହିଁ୤ ଦେବାନଙ୍କର ଅସୁବିଧା ହୋଇଛି୤ ବସ୍ ବି ସେହି ଷ୍ଟେଟ୍ ଭିତରେ ଯାଏ୤ ଡ୍ରାଇଭରର ମନ ଖରାପ୤ ପ୍ରଥମେ ହାତ ଯୋଡି ସେ ଷ୍ଟିଅରିଂ ଚକ୍ରକୁ ନମସ୍କାର କରିସାରିବା ପରେ ଏ ଯେଉଁ ଦୁର୍ଯୋଗ, ସେଥିରେ ତାର ରାଗ ହେଲା ବିଚାରା ଭିଖାରୀ ଉପରେ୤ ଅକଥ୍ୟ ଭାଷାରେ ସେ କହିବାକୁ ଆରମ୍ଭ କରିଛି୤ ଦେବାନ ବାବୁ ବି ସମର୍ଥନ କଲେ୤

“ଏଗୁଡ଼ାକ ଚୋର, ବଦମାସ, ବ୍ୟବସାୟ ଖୋଲିଛନ୍ତି- ବାହାର, ବାହାର୤”

ମୋ ପାଖରେ ଦୋପଇସିଟିଏ ନ ଥିଲା୤ ଚାରଣି - ସେତିକି ବଢେଇ ଦେଲି୤ ବସ୍ ଚାଲିଲା୤

ଆଠମଲ୍ଲିକ-

ଖରା, ଧୂଳି ଓ ଆଣ୍ଠୁଯାକି ବସି ରହିବାର କଷ୍ଟରୁ ମୁଁ ତ୍ରାହି ପାଇଲି୤ ଘନଛାୟା ତଳେ ମୁଁ ବିଶ୍ରାମ କଲି୤ ଦେଖିଲି, ମୋର ଜଣେ ଅଧ୍ୟାପକ ବନ୍ଧୁ ଆଠମଲ୍ଲିକ ବସ୍‌ରେ ଯାଉଛନ୍ତି୤ ଆଳାପ ହେଲା୤ ବିଜ୍ଞାନର ଅଧ୍ୟାପକ ସେ, ତେଣୁ କଥା କଥାକେ ତାଙ୍କ ତୁଣ୍ଡରୁ ବାହାରେ ଆମେରିକା-ଆମେରିକାର ସଭ୍ୟତା, ଆମେରିକାର ସ୍ଲାଇସ୍କ୍ରେପର (ନଭଶ୍ଚୁମ୍ବୀ ଅଟ୍ଟାଳିକା), ଆମେରିକାର ପୁରୁଷ ଓ ସ୍ତ୍ରୀ, ଆମେରିକାର ଉଦ୍ଭିଦ, ଆମେରିକାର ଜାନ୍ତବ, ଆମେରିକାର ଫ୍ରି ଲଭ୍ (ଶସ୍ତା ପ୍ରଣୟ) ଇତ୍ୟାଦି୤

ମତେ ସେଇଠି ସେ କହିଲେ-

“ଆଜି ଗୋଟାଏ ଆମେରିକାନ୍ ମାଗାଜିନରୁ ମୁଁ ପଢ଼ିଛି, ପୁରୁଷ ଓ ସ୍ତ୍ରୀର କେଶରାଶିରୁ ଉତ୍କୃଷ୍ଟ ବିସ୍‌କିଟ୍ ଓ ପାଉଁରୁଟି ତିଆରି ହୋଇପାରୁଛି୤ ତେଣୁ ନେହେରୁ ସରକାର ତଥା ମହତାବ ସରକାର (ଓଡିଶା ସରକାର ସେ କହନ୍ତି ନାହିଁ, କାରଣ ବ୍ୟକ୍ତିବିଶେଷର ନାମ ଧରିଲେ ଯେ ବ୍ୟକ୍ତିତ୍ବର ପରିସ୍ଫୁରଣ ହୁଏ, ତାହା “ଓଡିଶା” ବା “ଭାରତ” କହିବା ଦ୍ୱାରା ପ୍ରକଟିତ ହେବ ନାହିଁ୤) ନାପିତମାନଙ୍କ ଦ୍ୱାରା କେଶ ସଂଗ୍ରହାଳୟ ସ୍ଥାପନ କରି ସେଥିରୁ ବିସ୍‌କିଟ୍ ଓ ପାଉଁରୁଟି ଆମଦାନୀ କରି ଦେଶକୁ ଖାଦ୍ୟ ସଙ୍କଟରୁ ରକ୍ଷା କରନ୍ତୁ୤”

“-ବାବୁ, କିଛି ଖାଇନି, କିଛି ଦିଅ ବାବୁ, ଭଗବାନ ଭଲ କରିବେ୤”

ବଡ଼ ପିଲାଟି ତୁଣ୍ଡରୁ ଏ କଥା ବାହାରିଛି, ସାନ ପିଲା କନାଖଣ୍ଡେ ଦେଖାଇ ଭିକ୍ଷା ଚାହୁଁଛି୤

ବିଜ୍ଞାନ ଅଧ୍ୟାପକ କେଶ ସଂଗ୍ରହ ବ୍ୟବସ୍ଥାରୁ ଏପରି ଦାନ ଦାକ୍ଷିଣ୍ୟ ଦେଖାଇବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ୤ ତା’ପରେ ଦୁଇ ଭିକ୍ଷୁ ବାଳକଙ୍କର ମୁଣ୍ଡରେ କେଶର ଚିହ୍ନବର୍ଣ୍ଣ ବି ନାହିଁ୤ ରୋଗ ଓ ଖାଦ୍ୟାଭାବ, ଅଧ୍ୟାପକଙ୍କର କେଶ ସଂଗ୍ରହ ବ୍ୟବସ୍ଥାକୁ ଆଗରୁ କାର୍ଯ୍ୟକାରୀ କରିଦେଇଛି୤

ଅଧ୍ୟାପକ ଆରମ୍ଭ କଲେ-”ହୋପ୍‌ଲେଶ, ଏମାନଙ୍କ ଯୋଗୁଁ ଦେଶ କ୍ରମେ ଅବନତି ଆଡ଼କୁ ଯାଉଛି୤ ଆପଣ ଜାଣନ୍ତି, ଆମେରିକାରେ ଭିକ୍ଷୁକ ସମସ୍ୟା ନାହିଁ୤ ସମସ୍ତେ କର୍ମଠ, ଉପାର୍ଜନକ୍ଷମ୤ ଏମାନଙ୍କୁ କିଛି ଦେବା ଅର୍ଥ ଦେଶର ଉନ୍ନତି ଉପରେ କୁଠାରାଘାତ କରିବା୤”

ଅଧ୍ୟାପକଙ୍କଠାରୁ ନାସ୍ତିବାଣୀ ଶୁଣି ଭିଖାରୀ ଦୁଇଟି ମତେ ଚାହିଁଲେ୤ କାରଣ ଅଧ୍ୟାପକଙ୍କର ବିମୁଖଭାବ ତାଙ୍କର ଆଶା ଉପରେ କୁଠାରାଘାତ କରି ସାରିଥିଲା୤

ପାଖ ପିଜୁଳି ଦୋକାନୀକୁ ଆଠଣିଟାଏ ଭଙ୍ଗେଇବାକୁ ଦେଇ ସେଥିରୁ ଦୁଇଅଣା ଦୁହିଙ୍କୁ ମୁଁ ଦେଇଦେଲି୤

ସମୟ ହୋଇଥିଲା୤ ବସ୍‌କୁ ଆସିଲି୤ ଅଧ୍ୟାପକ ବନ୍ଧୁ ବିଦାୟ ଘେନି ଅନ୍ୟ ବସ୍‌ରେ ବସିଲେ୤

ପର ବିଶ୍ରାମସ୍ଥଳ ହେଉଛି ଅନୁଗୋଳ୤ ଯାନରୁ ଓହ୍ଲାଇ ମୁଁ ଦେଖିଲି, ଆଭା ଝାଉଁଳିବା ଭାବରେ ରହିଚି୤ ଦେବାନ ବାବୁଙ୍କର ଉପଭୋଗ ପାଇଁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିଲେ ବି ସେହି ରାଜୋଦ୍ୟାନର ଜଳ ଅଭାବରୁ ତାହା ଏ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ନାହିଁ୤

ସ୍ବାସ୍ଥ୍ୟ ବିଷୟରେ ଏତେ ସତର୍କ ଥିବା ଦେବାନ୍ ବାବୁଙ୍କୁ ମୁଁ ପ୍ରଶଂସା ନ କରି ରହିପାରିଲି ନାହିଁ ୤ କୌଣସି ବନ୍ଧୁଙ୍କ ଘରୁ ଭଲ ପାଣି ମଗାଇ ତାଙ୍କୁ ବ୍ୟବହାର କରିବାକୁ କହିଲି୤ ଆଭା ଯେପରି ପ୍ରାଣ ଫେରିପାଇଛି୤ ଅନିଚ୍ଛାସତ୍ତ୍ବେ ଦେବାନ୍ ବାବୁ ତାହା ଗ୍ରହଣ କରିବାକୁ ରାଜି ହେଲେ୤

ନାଲି ରାସ୍ତା ଉପରେ ମୁଁ ଟିକିଏ ପାଦ ଖେଳେଇ ଆଣୁଛି; ଶୁଣିଲି ସେହି ଚିରଶ୍ରୁତ କାକୁବାଣୀ-

“ଦିଅ ବାବୁ, ଅନ୍ଧୁଣୀ, ପୁଅ ଗେରସ୍ତ କେହି ନାହାନ୍ତି, ଦିଅ ବାବୁ ପଇସା ଅଧଲାଏ୤ ଗରିବର ଦୁଃଖ ବୁଝ୤”

ମୁଁ ଫେରି ଚାହିଁଲି୤ ଗୋଟିଏ ଅନ୍ଧୁଣୀ ବୁଢୀ ବିଖ୍ୟାତ ତୈଳବୀଜ ବ୍ୟବସାୟୀ ମାରୁଆଡ଼ିକୁ ହାତ ପତେଇ ନିଜର ଦୁଃଖ ଜଣାଉଛି୤

“-ହଟ୍‌ଯାଓ, କୁଛ ନେହିଁ, ଉଡ଼ିଶ୍ୟା କଙ୍ଗାଳ ଦେଶ୍୤”

ଶେଠଜୀ ଏତକ କହି କମର ଉପର ଲୁଗାକୁ ଆଉରି ଭିଡ଼ରେ ବାନ୍ଧିଦେଲେ୤

ଅନ୍ଧୁଣୀକୁ ଅଣିଏ ପଇସା ବଢେଇ ଦେଇ ମୁଁ ଶେଠଜୀଙ୍କୁ ଦଣ୍ଡେ ଚାହିଁଲି୤ ମୋର ଏ ଦାନକୁ ଗୋଟାଏ ତାଚ୍ଛିଲ୍ୟମିଶ୍ରିତ ଚାହାଣିରେ କରୁଣାସିକ୍ତ କରି ଦୁଇ ରୁକ୍ଷ ଅଧର ଉପର ଉପରେ ଟିକିଏ ହସ ଖେଳେଇଆଣି ଶେଠଜୀ ଆବୃତ୍ତି କଲେ- ଉଡ଼ିଶ୍ୟା କଙ୍ଗାଳ ଦେଶ୤

ଟିକିଏ ଦୂରକୁ ଖଣ୍ଡିଏ ଓଡ଼ିଆ ସମ୍ବାଦପତ୍ର ଖୋଲି ଜଣେ ଟୋପିଧାରୀ ଝୁଲାହସ୍ତ କଂଗ୍ରେସକର୍ମୀ ମାହାତ୍ମା ଗାନ୍ଧିଙ୍କର ପ୍ରାୟୋପବେଶନର ବାର୍ତ୍ତା ବୋଧହୁଏ ପଢ଼ୁଥିଲେ୤ ଜଣାଯାଉଥିଲା, ଯେପରି ଅଭିନିବେଶ ଟିକିଏ ବେଶୀ ହୋଇଯାଇଛି୤

“ବାବୁ, ଅନ୍ଧୁଣୀ ବୁଢ଼ୀ, କଅଣ ଦିଅ ବାବୁ !”

ଥରେ ନୁହେଁ, ବହୁଥର ଏ ମର୍ମସିକ୍ତ ବାଣୀ କଂଗ୍ରେସକର୍ମୀଙ୍କର କାନରେ ପଡ଼ିଛି; କିନ୍ତୁ ମହାତ୍ମାଙ୍କର ଅନଶନ ସମ୍ବାଦରେ ତାଙ୍କର ମତି ଏତେ ବିହ୍ବଳ ହୋଇଛି ଯେ, ବୁଢୀର ବିଳାପ କାନକୁ ଯାଉ ନାହିଁ୤ କେତେବେଳକୁ ବିରକ୍ତିରେ ସେ କହିଲେ-

“ଓଃ, କେତେ ବକ୍ ବକ୍ କରୁଛୁ୤ ରହ, ବିଡ଼ିଟା ଲଗାଏଁ୤ କିଲୋ ବୁଢୀ, ନିତି ଯଦି ତୁ ଇମିତି ଭିଖ ମାଗିବୁ, ତେବେ ସମାଜର ସଂସ୍ଥା ରହିବ କିପରି?” ଏହା କହି କର୍ମୀ ଜଣକ ମୋ ଉପରେ ଦୃକ୍‌ପାତ କରି “ସମାଜ-ସଂସ୍ଥା” ଭଳି ଗୋଟାଏ ରାଜନୀତିକ ଶବ୍ଦ ଶୁଣାଇ ପାରିଛନ୍ତି ବୋଲି ଆତ୍ମତୃପ୍ତିରେ ଟିକିଏ ହସିଲେ୤

ବୁଢ଼ୀ ସେଠାରୁ ଶୂନ୍ୟହସ୍ତରେ ଫେରିଆସିଲା୤ କର୍ମୀଙ୍କର ମୁହଁରେ ବିଡ଼ିଟା ବସ୍ ରାସ୍ତାର ମୋଡ଼ ବୁଲିବା ପର୍ଯ୍ୟନ୍ତ ଅଗ୍ନିକଣା ଝରାଉଥାଏ୤

ଟ୍ରେନ୍‌ର ପ୍ରକୋଷ୍ଠ ଭିତରେ ଦେବାନଠାରୁ ଆରମ୍ଭ କରି ସେହି କଂଗ୍ରେସକର୍ମୀ ପର୍ଯ୍ୟନ୍ତ ମୋର ଯାତ୍ରାସଙ୍ଗୀ ରହିଛନ୍ତି୤

ଶୀତ ସନ୍ଧ୍ୟାର ଶୀତଳ ବାୟୁ କ୍ରମେ ସୁଶୀତଳ ହୋଇଯାଉଛି୤ ଟ୍ରେନର ଗତି କମିଆସିଲା୤

ବିଜ୍ଞାନ ଅଧ୍ୟାପକ ସେତେବେଳକୁ ସିଗାରେଟ୍‌ରେ ନିଆଁ ଧରାଇଛନ୍ତି୤ ଦେୱାନ ବାବୁ ପାଇପରେ ଅଭ୍ୟସ୍ତ ୤ ତେଣୁ ତାଙ୍କ ପାଇପରୁ ସ୍ଫୁଲିଙ୍ଗ ବାହାରୁଛି୤ କର୍ମୀଙ୍କର ବିଡ଼ି ଲିଭି ନାହିଁ୤ ଗୋଟାକ ପରେ ଗୋଟାଏ ଚାଲିଛି୤ ତୈଳବୀଜ ବ୍ୟବସାୟୀ ଶେଠଜୀ ଚିଲମରେ ଖଇନ୍ ଦେଇ ଖୁଁ ଖୁଁ କରି ଟାଣି ଯାଉଛନ୍ତି୤

ଅନ୍ଧକାରର ମସୀ ତଳେ ମୋର ପ୍ରଲୁବ୍‌ଧ ଆତ୍ମା ଆଲୋକ ଖୋଜୁଛି୤ ମୁଁ କୃଷ୍ଣା ପ୍ରକୃତିକୁ ଚାହିଁ ରହିଥିଲି୤ ଦିଗ୍‌ବଳୟ ତଳେ ଗୋଟିଏ ନକ୍ଷତ୍ର ଜଳୁଥିଲା୤

ଷ୍ଟେସନ….

ସ୍ବାଭାବିକ କୋଳାହଳ୤

ଦୁଇ ମୁହୂର୍ତ୍ତ ଭିତରେ ଷ୍ଟେସନର କୋଳାହଳ ଯେପରି ସ୍ଥିର ହୋଇ ଆସିଲା୤

କିଏ ମ ? କିଏ ସେ ? କ୍ଷୀଣ କଣ୍ଠରେ କିଏ କହିଲା- “ଆଚାର୍ଯ୍ୟ”! ସେ କଣ୍ଠ ପୁଣି ସ୍ପଷ୍ଟ ଶୁଣାଗଲା-”ଆଚାର୍ଯ୍ୟ ମହାଶୟ !” ସେ ସ୍ପଷ୍ଟ କଣ୍ଠ ପୁଣି ସ୍ପଷ୍ଟତର ଶୁଣାଗଲା୤ “ଆଚାର୍ଯ୍ୟ ହରିହର”୤

ଅନ୍ୟ ଜଣେ କିଏ କହିଲା-”ଋଷିପ୍ରତିମ”୤ ମୁଣ୍ଡିଆ- ପ୍ରଣାମ- ମୁଣ୍ଡିଆ- ଜୁହାର- ପାଦଧୂଳି ଦିଅନ୍ତୁ-

ଉତ୍ତର ଶୁଭିଲା- ହଉ ବାବା, ଭଲ ଅଛ ? ଢେଙ୍କାନାଳରେ କାମ ଥିଲା, ଯାଇଥିଲି୤ ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ କହିଲି, ମୋ କଥା ପିଲାଏ ଶୁଣିଛନ୍ତି୤ ସେହି ମୋର ଶାନ୍ତି୤ ହଁ, ସତ୍ୟବାଦୀରେ ବ୍ରାହ୍ମଣେ ହଳ କଲେ୤ ମୋ ଉପରକୁ ସମସ୍ତେ ଖପ୍‌ପା୤ ହଉ ବାବା, ଭଲ ଅଛ ? ସୂତା କାଟୁଛ ତ ? ଗୀତା ପଢ଼ିବ୤ ଯେ ଯେଉଁ ନୀତିରେ ଯାଅ, ସେ ବୁଢ଼ା ଜନନାୟକଙ୍କୁ ମନରେ ରଖିଥିବ୤ କେଉଁ ଡବାରେ ବସିବା ? ଏଇଠି ବସିଗଲେ ହେବ୤ ସାରଙ୍ଗ, ତମେ ଟିକଟ ଆଣ୤

ଉତ୍କଳର ଚିର ପରିଚିତ ସେହି ପୁରୁଷକୁ ନ ଚିହ୍ନେ କିଏ ? ହାତରେ ଖଣ୍ଡିଏ ମାତ୍ର ଶଯ୍ୟାସନ ଝୁଲାଇ କାନ୍ଧରେ ଖଣ୍ଡିଏ ମୁଣା ରଖି ସେ ଉଠିଆସିଲେ ଆମରି ଡବା ଭିତରକୁ୤

ପ୍ରସନ୍ନ କାନ୍ତି, ଅନାଡମ୍ବର ଶୌର୍ଯ୍ୟ, ମୁଖ୍ୟରେ ସେହି ସାତ୍ତ୍ବିକ ହସ!!

“-ଆରେ ବାବା, ଏଇଠି ସବୁ ବସିଛ, ହଉ ବସ ବସ୤”

ଦେବାନଙ୍କ ପାଇପ ମୁହଁରୁ ଖସି ପଛ ଆଡ଼କୁ ଆଉଜି ଯାଉଛି୤ ଅଧ୍ୟାପକଙ୍କର ସିଗାରେଟ୍ ଝରକା ବାଟେ ତଳେ ପଡ଼ିଲାଣି୤ ମାରୁଆଡ଼ି ଚିଲମଟାକୁ ତଳେ ଗଡ଼େଇ ଦେଇଛନ୍ତି୤ ବିଚାରା କର୍ମୀଙ୍କର ଅବସ୍ଥା ସବୁଠୁଁ ଉଦ୍‌ବେଗଜନକ୤ ସେ କିଛିକ୍ଷଣ ନିଶ୍ଚଳ ହୋଇ ରହିଗଲେ୤ ତେଣୁ ତାଙ୍କର ଅଧରରେ ଅମାନିଆ ବିଡ଼ିଟା ଲାଗି ରହିଥିଲା୤

“କିଓ ଭାନୁଶଙ୍କର, ଧୂଆଁ ଅଭ୍ୟାସ କଲ କାହିଁକି?”

ମୁଁ ଦୂରରୁ ଦେଖୁଥାଏ, କର୍ମୀଙ୍କର ସମାଜ-ସଂସ୍ଥା ଏତିକିରେ ଭାଙ୍ଗିପଡ଼ିଲା୤ ସେ ଅସ୍ତବ୍ୟସ୍ତ ହୋଇ “ଢୁ” କରି ଗୋଟାଏ ମୁଣ୍ଡିଆ ମାରିଦେଲେ୤ ବିଜ୍ଞାନ ଅଧ୍ୟାପକ ହଠାତ୍ ଆରମ୍ଭ କରିଦେଲେ- “ଆଜ୍ଞା, ଭାରତ କଅଣ ମୌଳିକ ଶିକ୍ଷା ଯୋଜନାକୁ ଶୀଘ୍ର ଗ୍ରହଣ କରିପାରିବ?”

-”ଦାତାମାନେ, ଏ ଅନ୍ଧକୁ ଦୟାକର୤ ନିଆଶ୍ରିକ ମାଗୁଛି, ପଇସା ଅଧଲାଏ ଦିଅ୤ ଭଗବାନ ଦୟା କରିବେ୤ ଦିଅ ବାବା୤”

ଅନ୍ଧ ଗୀତ ଧରିଛି୤

ଛଳଛଳ ଆଖିରେ ଉତ୍କଳର ଋଷି ବାରଣ କଲେ-”ନାହିଁ ବାବା, ଗୀତ ବୋଲ ନାଇଁ, କଷ୍ଟ ହେବ୤ ହେଇଟି ନିଅ, କହି ଆଚାର୍ଯ୍ୟେ ଦୁଇଅଣିଟିଏ ଅନ୍ଧକୁ ବଢ଼ାଇ ଦେଲେ୤”

ସାଙ୍ଗେ ସାଙ୍ଗେ ଦେବାନ୍ କହିଲେ- “ନେ, ନୋଟଟାଏ, ଦେଖି ରଖ୤” ଅଧ୍ୟାପକ ମନିବ୍ୟାଗରୁ ଅଣ୍ଡାଳି ଆଣିଲେ ଟଙ୍କାଟିଏ, କହିଲେ-”ନେ ଟଙ୍କାଟା; ସାଇତି କରି ରଖ୤ ଆହା! ଏମାନେ ଦରିଦ୍ରନାରାୟଣ୤ ଆମେରିକାରେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ବହୁ ପ୍ରକାରର ପାଣ୍ଠି ରହିଛି୤” ମାରୁଆଡ଼ି ଖୋସଣୀ ଫିଟାଇ କହିଲେ- “ଲେଓ, ଆଠ ଆନା, ହାମରା ଗୋଦାମକୁ ଗଇଲେ କିଛୁ ବେଶୀ ମିଳିବ ରେ୤” ଶେଷରେ କର୍ମୀ ପକେଟରୁ ବାହାର କଲେ ଚାରିଅଣା ପଇସା; କହିଲେ -”ନେ ବାବା, ନେ, ସମାଜର ସଂସ୍ଥା ରଖିବାକୁ ହେଲେ ତୁମକୁ ହିଁ ଆଗ ଦେଖିବାକୁ ହେବ୤”

ଏ ଭିତରେ ଦୁଇଟି ଷ୍ଟେସନ ପାର ହୋଇଯାଇଛି୤ ମୁଁ ଚିତ୍ରପ୍ରତିମା ଭଳି ବସି ରହିଥାଏ୤ ଦେବାନ ସାହେବ ପାଖକୁ ଆସି ମତେ ହଲେଇ ଦେଇ କହିଲେ

-”ଆପଣ କଅଣ ଦେଖୁଛନ୍ତି?”

ମୁଁ ଉତ୍ତର ଦେଲି- “ପ୍ରକୃତି୤” ସେ ହସିଲେ; କହିଲେ- “ଅନ୍ଧକୁ କିଛି ଦେଲେ ନି?” ମୁଁ ଉତ୍ତର ଦେଲି-”ନାଁ”୤ ଦେବାନ୍ କହିଲେ “କିନ୍ତୁ ସବୁଠାରେ ମୁଁ ଦେଖିଲି ଆପଣ ଦେଇ ଆସିଛନ୍ତି୤”

ମୁଁ କହିଲି- “ହଁ, କିନ୍ତୁ ଏଠାରେ ପାରିଲି ନାହିଁ୤” “କାରଣ?”

“-ଆଚାର୍ଯ୍ୟେ ଥିଲେ ବୋଲି…” ସେ ମୋର କାନ୍ଧ ଉପରେ ସ୍ନେହରେ ହାତ ରଖି କହିଲେ- “ମୁଁ ଶିଖିଲି୤”

ମୁଁ ପୁଣି କହିଲି- “ମୋର ସେହି ଏକା ଉତ୍ତର; ଆଚାର୍ଯ୍ୟେ ଥିଲେ ବୋଲି….”

ଦେବାନ୍‌ବାବୁ ଏଥର ମତେ ଭଲ ଭାବରେ ଚାହିଁଲେ, ଆଉ କହିଲେ-

“ସତେ, ଆପଣ କବି ଭାବର ଲୋକ…୤”

ଟ୍ରେନ୍ ଚାଲିଥାଏ୤ ଦୂର ଚକ୍ରବାଳ ତଳେ ଏକାକୀ ସେହି ନକ୍ଷତ୍ରଟି ଆହୁରି ଦୀପ୍ତ ଦେଖାଯାଉଥାଏ୤

ମୁଁ ମୁହଁ ଫେରାଇ ଦେଖିଲି, ଆଭା କଅଣ ଲେଖୁଛି -ତାର ଅଙ୍କ ଉପରେ ତାହାରି ଡାଏରିଟି ଢଳି ପଡ଼ିଥିଲା୤