ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତି

ଉଇକିପିଡ଼ିଆ‌ରୁ
ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତି
ଦୁଇଟି ମଧ୍ୟରୁ ଉଚ୍ଚତର ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତି
Official name: Buddhas of Bamiyan
ପ୍ରକାରସାଂସ୍କୃତିକ
ମାନଦଣ୍ଡi, ii, iii, iv, vi
Reference no.001
ଦେଶଆଫଗାନିସ୍ତାନ
Continentଏସିଆ

ବାମିୟାନ୍‍ର ବୁଦ୍ଧ ପ୍ରତିମୂର୍ତ୍ତି (ଇଂରାଜୀରେ The Buddhas of Bamiyan, ପାରସୀ ଭାଷାରେ بت‌های باميانବୋଟ୍-ହାୟେ ବାମିୟାନ୍) ହେଉଛି ୬ଷ୍ଠ ଶତାବ୍ଦୀରେ[୧] କେନ୍ଦ୍ରୀୟ ଆଫଗାନିସ୍ତାନର ବାମିୟାନ୍ ପ୍ରଗଣାର ହଜାରାଜାତ୍ ଉପତ୍ୟକାର ଏକ ପାହାଡ଼ କାନ୍ଥରେ ଖୋଦିତ ବିଶାଳକାୟ ବୁଦ୍ଧ ପ୍ରତିମୂର୍ତ୍ତି । ଉକ୍ତ କଳାକୃତି ରାଜଧାନୀ କାବୁଲ୍‍ର ଉତ୍ତର-ପୂର୍ବକୁ ପ୍ରାୟ ୨୩୦ କିଲୋମିଟର୍ ଦୂରରେ ଅବସ୍ଥିତ ଓ ସମୁଦ୍ର ପତନରୁ ଏହାର ଉଚ୍ଚତା ପ୍ରାୟ ୨୫୦୦ ମିଟର୍ । ଖ୍ରୀ. ୫୦୭ (ଛୋଟ ପ୍ରତିମୂର୍ତ୍ତି) ଓ ଖ୍ରୀ. ୫୫୪ (ବଡ଼ ପ୍ରତିମୂର୍ତ୍ତି)[୧] ମସିହାରେ ନିର୍ମିତ ଏହି ବୁଦ୍ଧ ପ୍ରତିମୂର୍ତ୍ତି ମିଶ୍ରିତ ଗାନ୍ଧାର ସ୍ଥାପତ୍ୟ କଳାଶୈଳୀର ଶ୍ରେଷ୍ଠ ନିଦର୍ଶନ ।[୨] ଏହି ପ୍ରତିମୂର୍ତ୍ତି ଦୁଇଟିର ଉଚ୍ଚତା ଯଥାକ୍ରମେ ୩୫ ମିଟର୍ ଓ ୫୩ ମିଟର୍ ଥିଲା ।[୩]

ପାହାଡ଼ ପ୍ରାଚୀରର ବାଲିପଥରକୁ ଖୋଳି ସେଥିରୁ ମୂର୍ତ୍ତିଗୁଡ଼ିକର ଢାଞ୍ଚା ନିର୍ମିତ ହେବା ପରେ ତାହା ଉପରେ ମାଟି, ନଡ଼ା-କୁଟା ମିଶାଇ ଲେପ ଦିଆଯାଇଥିଲା । ଏହି ମାଟି ଉପରେ ମୂର୍ତ୍ତିର ମୁହଁ, ହାତ, ଲୁଗା ଇତ୍ୟାଦି ସୁନ୍ଦର ଭାବେ ଗଢ଼ାଯାଇ ମୂର୍ତ୍ତି ଉପରେ ରଙ୍ଗ ଚଢ଼ାଯାଇଥିଲା । ଏହି ମାଟି ଓ କାଦୁଅର ଲେପ ବହୁ ବର୍ଷ ଆଗରୁ ନଷ୍ଟ ହୋଇସାରିଥିଲା । ବଡ଼ ମୂର୍ତ୍ତିଟି ଲାଲ୍ ଓ ଛୋଟ ମୂର୍ତ୍ତିଟି ବିବିଧ ରଙ୍ଗରେ ରଞ୍ଜିତ ହୋଇଥିଲା ।[୪]

ମୂର୍ତ୍ତି ଦୁଇଟିର ହାତ ନଡ଼ା, ମାଟି ଇତ୍ୟାଦିରେ ଗଢ଼ା ହୋଇଥିଲା ଓ ଏକ କାଠ ତିଆରି ଛାଞ୍ଚ ଯୋଗୁଁ ଦୃଢ଼ ହୋଇ ରହିଥିଲା । ମୁହଁର ଉପର ପଟଟି ମଧ୍ୟ କାଠର ଛାଞ୍ଚରେ ନିର୍ମିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ମୂର୍ତ୍ତିର ଫଟୋରେ ପଥରରେ ଯେଉଁ ସବୁ ଛିଦ୍ର ଦେଖିବାକୁ ମିଳେ ସେଥିରେ କାଠର କିଳା ଖଞ୍ଜା ଯାଉଥିଲା ଯାହା ବାହାର ପଟର ଛାଞ୍ଚ ଓ ମାଟିର ଅଂଶକୁ ଦୃଢ଼ ଭାବେ ଧରି ରଖିବାରେ ସହାୟକ ହେଉଥିଲା ।

୨୦୦୧ ମସିହା ମାର୍ଚ୍ଚ ମାସରେ ତାଲିବାନ୍‍ର ମୁଖ୍ୟ ମୁଲ୍ଲା ମହମ୍ମଦ ଓମାରଙ୍କ ନିର୍ଦ୍ଦେଶ କ୍ରମେ ଡାଇନାମାଇଟ୍ ଲଗାଇ ଏହି ମୂର୍ତ୍ତିଗୁଡ଼ିକ ଧ୍ୱଂସ କରିଦିଆ ଯାଇଥିଲା ।[୫] ଇସ୍‍ଲାମରେ ମୂର୍ତ୍ତିପୂଜା ନିଷେଧ ଓ ଏହି କଳାକୃତି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ହୋଇଥିବାରୁ ତାଲିବାନ୍ ସରକାର ଏମାନଙ୍କୁ ଧ୍ୱଂସ କରିବାର ଆଦେଶ ଦେଇଥିଲେ ।[୬] ଆଫଗାନିସ୍ତାନରେ ମରୁଡ଼ି ପରିସ୍ଥିତି ଉପୁଜିଥିବା ସମୟରେ କେବଳ ଏହି ସବୁ ମୂର୍ତ୍ତିର ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ବହୁଳ ଅର୍ଥର ଅନୁଦାନକୁ ବିରୋଧ କରି ଏହି ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯାଇଥିଲା ବୋଲି ଏକ ଆମେରିକୀୟ ପ୍ରତିନିଧି ଦଳ କହିଥିଲା ।[୭] କିନ୍ତୁ ଆଫଗାନୀ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ଇସ୍‍ଲାମ ଧର୍ମ ବିରୋଧୀ ହୋଇଥିବାରୁ ଏମାନଙ୍କୁ ନଷ୍ଟ କରାଯାଇଥିଲା । ସମଗ୍ର ବିଶ୍ୱରେ ମୂର୍ତ୍ତି ନଷ୍ଟ କରିବାର ଏହି ପଦକ୍ଷେପର ସମାଲୋଚନା କରାଯାଇଥିଲା । ପରବର୍ତ୍ତୀ କାଳରେ ଏହି ଘଟଣାକୁ ଚରମପନ୍ଥୀ ତାଲିବାନ୍ ଗୋଷ୍ଠୀର ଧାର୍ମିକ ଅସହିଷ୍ଣୁତାର ପ୍ରମାଣ ଭାବେ ବିଶ୍ୱସାରା ନିନ୍ଦା କରାଗଲା । ଜାପାନସୁଇଜରଲ୍ୟାଣ୍ଡ ପରି ଦେଶ ଏହି ମୂର୍ତ୍ତିର ପୁନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇଥିଲେ ।[୮]

ଇତିହାସ[ସମ୍ପାଦନା]

୧୮୩୨ରେ ଆଲେକ୍‍ଜାଣ୍ଡାର୍ ବର୍ନ୍‍ସ୍ ବୁଲି ଦେଖିଥିବା ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତିର ଚିତ୍ର

ବାମିୟାନ୍ ଉପତ୍ୟକାରେ ହିନ୍ଦୁକୁଶ ପର୍ବତ ଦେଇ ପ୍ରାଚୀନ ରେଶମ ସଡ଼କ ଯାଇଥିଲା । ଚୀନ ଓ ପାଶ୍ଚାତ୍ୟର ବଜାର ଓ ବ୍ୟବସାୟ କେନ୍ଦ୍ରମାନ ଏହି ରେଶମପଥଦ୍ୱାରା ସଂଯୁକ୍ତ ହେଉଥିଲେ । ଏହି ମାର୍ଗରେ ଅନେକ ବୌଦ୍ଧ ବିହାର ରହିଥିଲା, ତେଣୁ ଧର୍ମ, ଦର୍ଶନ ଶାସ୍ତ୍ର ଓ କଳାର ଏହା ଏକ କେନ୍ଦ୍ରସ୍ଥଳୀ ହୋଇପାରିଥିଲା । ବାମିୟାନ୍ ପର୍ବତରେ ଖୋଳା ଯାଇଥିବା ଛୋଟ ବଡ଼ ଗୁମ୍ଫାରେ ଅନେକ ବୌଦ୍ଧ ଭିକ୍ଷୁ ଓ ଶ୍ରମଣ ବାସ କରୁଥିଲେ । ପ୍ରାୟ ସମସ୍ତ ବୌଦ୍ଧଭିକ୍ଷୁ ନିଜର ଗୁମ୍ଫାକୁ ଝୋଟି ସଦୃଶ ବିଭିନ୍ନ ଧାର୍ମିକ ଚିତ୍ର ଓ ରଙ୍ଗରେ ସଜ୍ଜିତ କରିଥିଲେ । ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରୁ ନେଇ ଇସ୍‍ଲାମୀୟ ଶକ୍ତିର ଅନୁପ୍ରବେଶ ପର୍ଯ୍ୟନ୍ତ ଏହା ଏକ ବୌଦ୍ଧ ଧାର୍ମିକ ପୀଠ ଥିଲା । ନବମ ଶତାବ୍ଦୀର ଇସ୍‍ଲାମୀୟ ଅନୁପ୍ରବେଶ ପୂର୍ବରୁ ବାମିୟାନ୍ ଅଞ୍ଚଳ ସହିତ ପ୍ରାଚୀନ ଗାନ୍ଧାରର ସାଂସ୍କୃତିକ ସାମଞ୍ଜସ୍ୟ ଥିଲା ।

୧୯୬୩ (ଧ୍ୱସ୍ତ ହେବା ପୂର୍ବରୁ) ଓ ୨୦୦୮ (ଧ୍ୱସ୍ତ ହେବା ପରେ) ମସିହାରେ ବଡ଼ ବୁଦ୍ଧ ମୂର୍ତ୍ତିର ଚିତ୍ର

ବାମିୟାନ୍‍ର ଦୁଇଟି ବିଶାଳ ଦଣ୍ଡାୟମାନ ପ୍ରତିମୂର୍ତ୍ତି ବୁଦ୍ଧଙ୍କର ବୌରୋଚ଼ନ ଓ ଶାକ୍ୟମୁନି ରୂପର ପ୍ରତୀକ । ମୂର୍ତ୍ତି ଦ୍ୱୟର ମୁଦ୍ରାରୁ ଏହି ଦୁଇଟି ରୂପ ସ୍ପଷ୍ଟ ଜଣାପଡ଼େ । ୫୩ ମିଟର୍ ଲମ୍ବା ମୂର୍ତ୍ତିଟି ସାଲ୍ସାଲ୍ ଓ ୩୫ ମିଟର୍ ଲମ୍ବା ମୂର୍ତ୍ତିଟି ଶାଃମାମା ନାମରେ ଖ୍ୟାତ ଥିଲା । ମୂର୍ତ୍ତିର ପୀଠକୁ ମିଶାଇ ମୂର୍ତ୍ତି ଦୁଇଟିର ଉଚ୍ଚତା ଯଥାକ୍ରମେ ୫୮ ମି. ଓ ୩୮ ମି. ଥିଲା ।[୩][୯] ୨୦୦୧ ମସିହାର ଧ୍ୱଂସ କାଣ୍ଡ ପୂର୍ବରୁ ଏହି ମୂର୍ତ୍ତି ଦ୍ୱୟ ବିଶ୍ୱର ସର୍ବୋଚ୍ଚ ଦଣ୍ଡାୟମାନ ଓ ପର୍ବତରେ ଖୋଦିତ ବୁଦ୍ଧ ପ୍ରତିମୂର୍ତ୍ତି ରୂପେ ପରିଚିତ ଥିଲେ । ଅଷ୍ଟମ ଶତାବ୍ଦୀରେ ନିର୍ମିତ ଲେଃଶାନ୍ ମହାନ ବୁଦ୍ଧ ପ୍ରତିମା ଉଚ୍ଚତର ଅଟେ କିନ୍ତୁ ସେଥିରେ ବୁଦ୍ଧ ଉପବିଷ୍ଟ ମୁଦ୍ରାରେ ରହିଛନ୍ତି ।[୧୦] ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତିକୁ ଧ୍ୱସ୍ତ କରିବା ପରେ ଆଫଗାନିସ୍ତାନର ବୌଦ୍ଧ ପରମ୍ପରାକୁ ଯୋଜନାବଦ୍ଧ ଭାବେ ବିନଷ୍ଟ କରାଯାଉଛି ବୋଲି ଚୀନ କଡ଼ା ଭର୍ତ୍ସନା କରିଥିଲା ଓ ପ୍ରସ୍ରବଣ ମନ୍ଦିର ବୁଦ୍ଧ ପ୍ରତିମୂର୍ତ୍ତି (ସ୍ପ୍ରିଂଗ୍ ଟେମ୍ପଲ୍ ବୁଦ୍ଧ) ନିର୍ମାଣ କରାଇବାର ଯୋଜନା କରିଥିଲା । ୧୨୮ ମିଟର୍ ଉଚ୍ଚ ଏହି ପ୍ରସ୍ରବଣ ମନ୍ଦିର ବୁଦ୍ଧ ପ୍ରତିମା ବିଶ୍ୱର ସର୍ବୋଚ୍ଚତମ ବୁଦ୍ଧ ପ୍ରତିମା ଅଟେ ।

ସାନ ବୁଦ୍ଧ ମୂର୍ତ୍ତିର ଚିତ୍ର (୧୯୭୭ ମସିହା)

ଖ୍ରୀଷ୍ଟାବ୍ଦ ତୃତୀୟରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ବାମିୟାନ୍ ଉପତ୍ୟକାର ପର୍ବତମାନଙ୍କରେ ଏହି ବୁଦ୍ଧ ପ୍ରତିମୂର୍ତ୍ତି ଖୋଦିତ ହୋଇଥିବାର ଅନୁମାନ କରାଯାଏ । ପୂର୍ବପଟକୁ ରହିଥିବା ଗୁମ୍ଫା ଓ ୩୮ ମିଟର୍ ଉଚ୍ଚତାବିଶିଷ୍ଟ ସାନ ବୁଦ୍ଧ ପ୍ରତିମା ତୃତୀୟରୁ ଚତୁର୍ଥ ଶତାବ୍ଦୀ ବେଳକୁ ନିର୍ମିତ ହୋଇଥିଲା । ୫୫ ମିଟର୍ ଉଚ୍ଚତାବିଶିଷ୍ଟ ବଡ଼ ବୁଦ୍ଧ ପ୍ରତିମା ପଞ୍ଚମରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଖୋଦିତ ହୋଇଥିବାର ଅନୁମାନ କରାଯାଏ । କିଛି ଐତିହାସିକ ଦସ୍ତାବିଜ ଅନୁସାରେ ଏଠାରେ ପାଳନ କରାଯାଉଥିବା ଉତ୍ସବରେ ବହୁ ତୀର୍ଥଯାତ୍ରୀ ଯୋଗ ଦେଉଥିଲେ ଏବଂ ଏହି ବିରାଟ ପ୍ରତିମୂର୍ତ୍ତିମାନଙ୍କ ଉଦ୍ଦେଶ୍ୟରେ ଭୋଗ ଓ ପ୍ରାର୍ଥନା କରାଯାଉଥିଲା । [୧୧]. ଏକ ସମୟରେ ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତି ଏହି ଅଞ୍ଚଳର ସାଂସ୍କୃତିକ ପରିଚୟ ସାଜିଥିଲା । ତେଣୁ ବାମିୟାନ୍ ଉପତ୍ୟକାର ସମଗ୍ର ସାଂସ୍କୃତିକ ଓ ପ୍ରତ୍ନତାତ୍ତ୍ୱିକ ବଳୟକୁ ୟୁନେଷ୍କୋ ଏକ ବିଶ୍ୱ ଐତିହ୍ୟ ସ୍ଥଳ ବୋଲି ଘୋଷଣା କରିଥିଲା । କ୍ରମେ ଏହି ଐତିହ୍ୟ ସ୍ଥଳର ପ୍ରତିମୂର୍ତ୍ତିମାନଙ୍କ ରଙ୍ଗ କ୍ଷୀଣ ହେବାକୁ ଲାଗିଥିଲା ।[୧୨]

ଚୀନୀ ବୌଦ୍ଧ ତୀର୍ଥଯାତ୍ରୀ ଓ ପରିବ୍ରାଜକ ହୁଏନ୍‍ସାଂ ଖ୍ରୀଷ୍ଟାବ୍ଦ ୬୩୦ ଅପ୍ରେଲ୍ ୩୦ ତାରିଖ ଦିନ ବାମିୟାନ୍ ଅଞ୍ଚଳ ପରିଭ୍ରମଣରେ ଯାଇଥିଲେ[୧୩][୧୪][୧୫] ଓ ଏହି ଅଞ୍ଚଳର ବିବରଣୀ ପ୍ରଦାନ କରି "ଦା ତାଂଗ୍ ହିୟୁ ଜି"ରେ ଲେଖିଛନ୍ତି ଯେ, ଦଶରୁ ଅଧିକ ବୌଦ୍ଧ ବିହାର ଓ ଦଶ ହଜାରରୁ ଅଧିକ ବୌଦ୍ଧଭିକ୍ଷୁ ରହୁଥିବା ଏହି ଅଞ୍ଚଳ ଏକ ଚଳଚଞ୍ଚଳ ବୌଦ୍ଧ ଧାର୍ମିକ ସ୍ଥଳୀ ଥିଲା । ବୁଦ୍ଧ ମୂର୍ତ୍ତିଗୁଡ଼ିକ ସୁନା ଓ ବିଭିନ୍ନ ରତ୍ନରେ ସଜ୍ଜିତ ହୋଇଥିଲା ବୋଲି ମଧ୍ୟ ସେ ଲେଖିଯାଇଛନ୍ତି (ରିଗିନ୍ସ, ୧୯୯୫) । ଆଉ ଏକ କୌତୁହଳର କଥା ଯେ ହୁଏନ୍‍ସାଂ ଏକ ତୃତୀୟ ବୃହତ୍ତର ଢଳାୟମାନ ବୁଦ୍ଧ ପ୍ରତିମୂର୍ତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଯାଇଛନ୍ତି ।[୪][୧୫] ଚୀନର ଗାନ୍ସୁ ପ୍ରଗଣାରେ ଥିବା ବିଂଲିଂ ଗୁମ୍ଫା ମନ୍ଦିରରେ ବାମିୟାନ୍ ପରି କିନ୍ତୁ ଉପବିଷ୍ଟ ମୁଦ୍ରାରେ ବୁଦ୍ଧଙ୍କର ଏକ ବିରାଟକାୟ ପ୍ରସ୍ତରଖୋଦିତ ମୂର୍ତ୍ତି ରହିଛି ।

ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତିର ଧ୍ୱଂସ କରିବା ଧର୍ମ ନାମରେ ଉତ୍ପୀଡ଼ନର ଏକ ଚିହ୍ନ ପରି ଲୋକେ ଗ୍ରହଣ କଲେ ଓ ଧାର୍ମିକ ଭାବନାର ପରିପ୍ରକାଶରେ ସ୍ୱାଧୀନତା ପାଇଁ ସଚେତନତା ସୃଷ୍ଟି ହେଲା । ଅଧିକାଂଶ ଆଫଗାନି ମୁସ୍‍ଲିମ୍ ହୋଇ ମଧ୍ୟ ବହୁ ଦିନରୁ ରହିଥିବା ନିଜର ସାଂସ୍କୃତିକ ପରିଚୟକୁ ଆଦରରେ ଆଲିଙ୍ଗନପୂର୍ବକ ଗ୍ରହଣ କରିଥିଲେ ଓ ଏହି ମୂର୍ତ୍ତି ଧ୍ୱଂସ କାଣ୍ଡ ସେମାନଙ୍କୁ ମଧ୍ୟ ବ୍ୟଥିତ ଓ ଆଚମ୍ବିତ କରିଥିଲା ।[୧୬][୧୭]

ବୁଦ୍ଧମୂର୍ତ୍ତି ଉପରେ ହୋଇଥିବା ଆକ୍ରମଣ[ସମ୍ପାଦନା]

ଏକାଦଶରୁ ବିଂଶ ଶତାବ୍ଦୀ ମଧ୍ୟରେ ହୋଇଥିବା ଆକ୍ରମଣ[ସମ୍ପାଦନା]

୧୨୨୧ ମସିହାରେ ଚେଙ୍ଗିଜ୍ ଖାଁଙ୍କ ଆଗମନ ଯୋଗୁଁ ବାମିୟାନ୍ ବୁଦ୍ଧ ପ୍ରତିମା ସଙ୍କଟାପନ୍ନ ହୋଇପଡ଼ିଥିଲା ।[୧୮][୧୯] କିନ୍ତୁ ଚେଙ୍ଗିଜ୍ ଖାଁ ସମୟରେ ମୂର୍ତ୍ତିମାନଙ୍କୁ କୌଣସି କ୍ଷତି ପହଞ୍ଚାଯାଇ ନଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀର ମୋଗଲ୍ ସମ୍ରାଟ ଔରଙ୍ଗଜେବ୍ ବହୁ ଗୋଳା ବାରୁଦ ବ୍ୟବହାର କରି ଏହି ମୂର୍ତ୍ତିଗୁଡ଼ିକୁ ନଷ୍ଟ କରିଦେବାକୁ ଚେଷ୍ଟା କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ ପାରସ୍ୟରେ ରାଜୁତି କରୁଥିବା ନାଦିର୍ ଶାହା ମଧ୍ୟ ମୂର୍ତ୍ତି ଉପରକୁ ତୋପ ଚଳାଇ ଏଗୁଡ଼ିକୁ ନଷ୍ଟ କରିଦେବାକୁ ଚେଷ୍ଟା କରିଥିଲେ ।[୨୦]

ସ୍ଥାନୀୟ ଲୋକଙ୍କ ଗହଣରେ ପୁରୁଷ ରୂପେ ପରିଚିତ ସାଲ୍ସାଲ୍ (ଅର୍ଥାତ୍ – ବ୍ରହ୍ମାଣ୍ଡବ୍ୟାପୀ ଆଲୋକ) ଓ ପ୍ରକୃତି ରୂପେ ପରିଚିତ ଶାଃମାମାଙ୍କ (ଅର୍ଥାତ୍ – ରାଣୀ ମାତା)[୨୧] ବିଶାଳକାୟ ପ୍ରତିମୂର୍ତ୍ତି ବିଭିନ୍ନ ଇସ୍‍ଲାମୀୟ ଲେଖକଙ୍କ କାଳ୍ପନିକ ଚରିତ୍ରଚିତ୍ରଣର ମାଧ୍ୟମ ପାଲଟି ଯାଇଥିଲେ । ମଧ୍ୟଯୁଗୀୟ ତୁର୍କୀ ଗଳ୍ପରେ ବିଶାଳକାୟ ସାଲ୍ସାଲ୍ ପ୍ରତିମୂର୍ତ୍ତିକୁ ଏକ ଦୁଷ୍ଟ ଦାନବ ବୋଲି ଅଭିହିତ କରାଯାଇଥିଲା ।[୨୨]

ଆଫଗାନି ରାଜା ଅବଦୁର୍ ରେହେମାନ୍ ଖାଁ ଶିଆ ହଜାରା ବିପ୍ଳବକୁ ଦମନ କରିବା କାଳରେ ଯେଉଁ ସବୁ ସେନା ଅଭିଯାନ କରାଇଥିଲେ ସେଥିରେ ପ୍ରତିମୂର୍ତ୍ତିର ମୁହଁ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା ।[୨୩] ୧୮୪୭ ମସିହାରେ ଜଣେ ଫରାସୀ ନାଗରିକ ଡୁର୍ୟୁ ଏହାର ଫଟୋଚିତ୍ର ଉତ୍ତୋଳନ କରିଥିଲେ ।[୨୪]

୧୯୯୭-୨୦୦୧ ମସିହାରେ ତାଲିବାନ୍ ଗୋଷ୍ଠୀଦ୍ୱାରା କରାଯାଇଥିବା ଆକ୍ରମଣ[ସମ୍ପାଦନା]

ଅବଦୁଲ୍ ୱହିଦ୍ ନାମକ ଜଣେ ତାଲିବାନ୍ ସେନାଧ୍ୟକ୍ଷ ବାମିୟାନ୍ ଉପତ୍ୟକା ଅଞ୍ଚଳର ନିୟନ୍ତ୍ରଣ କରୁଥିଲେ । ଏହି ଅଞ୍ଚଳର ଅଧିକାର କରିବା ପୂର୍ବରୁ ୧୯୯୭ ମସିହାରେ ଅବଦୁଲ୍ ୱହିଦ୍ ବାମିୟାନ୍ ବୁଦ୍ଧ ପ୍ରତିମାଗୁଡ଼ିକୁ ଧ୍ୱଂସ କରିବା ବିଷୟ ଘୋଷଣା କରିଥିଲେ । ୧୯୯୮ ମସିହାରେ ୱହିଦ୍ ହିଜ୍‍ବ୍-ଇ-ୱହାଦତ୍ ବିଦ୍ରୋହୀ ଦଳର ଦମନ କରି ଏହି ଅଞ୍ଚଳ ଅଧିକାର କରିନେଲେ । ତାହାପରେ ବାମିୟାନ୍ ବୁଦ୍ଧମୂର୍ତ୍ତିର ମୁଣ୍ଡରେ ବିସ୍ଫୋରକ ଖଞ୍ଜିବା ପାଇଁ ଗାତମାନ କରାଗଲା । ଏପରି ନ କରିବାକୁ ସ୍ଥାନୀୟ ଗଭର୍ଣ୍ଣର ଓ ମହମ୍ମଦ ଓମାର୍‍ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବୁଦ୍ଧଙ୍କ ମୁଣ୍ଡରେ ଟାୟାର୍ ଜଳାଗଲା ।[୨୫] ୧୯୯୯ ମସିହା ଜୁଲାଇ ମାସରେ ମୁଲ୍ଲା ମହମ୍ମଦ ଓମାର୍ ଏକ ନିୟମ ପ୍ରଚଳନ କଲେ ଯାହା ଅନୁସାରେ ବାମିୟାନ୍ ବୁଦ୍ଧ ମୂର୍ତ୍ତିଗୁଡ଼ିକର ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିଲା । ଆଫଗାନିସ୍ତାନରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ କମିଯାଇଥିବାରୁ ଓ ଏହି ମୂର୍ତ୍ତିଗୁଡ଼ିକ ଆଉ ପୂଜିତ ହେଉନଥିବାରୁ ଏହାର ସଂରକ୍ଷଣ ଜରୁରୀ ଥିଲା । ବାମିୟାନ୍ ପ୍ରତିମୂର୍ତ୍ତିଗୁଡ଼ିକ ବହୁସଂଖ୍ୟକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବାରୁ ଆଫଗାନିସ୍ତାନ ପାଇଁ ଖଜଣାର ଉତ୍ସ ହୋଇପାରିବ, ତେଣୁ ଏମାନଙ୍କୁ ଧ୍ୱଂସ ନୁହଁ ବରଂ ସଂରକ୍ଷିତ କରି ରଖାଯିବା ଆବଶ୍ୟକ ବୋଲି ସେ ମତ ପୋଷଣ କରିଥିଲେ ।[୨୬] ବୁଦ୍ଧ ମୂର୍ତ୍ତିର ପାର୍ଶ୍ୱରେ ରହିଥିବା ଜଳ ନିଷ୍କାସନ ବ୍ୟବସ୍ଥାର ମରାମତି ପାଇଁ ୨୦୦୦ ମସିହାର ପ୍ରଥମାର୍ଦ୍ଧରେ ତାଲିବାନ୍ ମିଳିତ ଜାତିସଂଘକୁ ଆର୍ଥିକ ସହାୟତା ମାଗିଥିଲା ।[୨୭]

କିନ୍ତୁ ସେତେବେଳକୁ ଆଫଗାନିସ୍ତାନର ନୈଷ୍ଠିକ ଇସ୍‍ଲାମୀୟ ଗୋଷ୍ଠୀ ଅଣ-ଇସ୍‍ଲାମୀୟ ସଂସ୍କୃତିର ମୂଳୋତ୍ପାଟନ କରିବା ଦିଗରେ କାର୍ଯ୍ୟରତ ଥିଲା । ଶାରିଆର ଏକ ପ୍ରକାରର କଠୋରପନ୍ଥୀ ମତବାଦ, ଯାହା ଅନୁସାରେ ମୂର୍ତ୍ତି, ଚିତ୍ର, ସଙ୍ଗୀତ, କ୍ରୀଡ଼ା, ଟେଲିଭିଜନ୍ ପ୍ରଭୃତି ଅଣ-ଇସ୍‍ଲାମୀୟ, ତାହା ଅବଲମ୍ବନ କରାଯାଇ କଳା ଶୈଳୀମାନଙ୍କ ଉପରେ ନିଷେଧାଦେଶ ଜାରୀ କରାଯାଇଥିଲା ।[୨୮]

୨୦୦୧ ମସିହା ମାର୍ଚ୍ଚ ମାସରେ ତାଲିବାନ୍ ମୁଖିଆ ମୁଲ୍ଲା ଓମାରଙ୍କ ନିର୍ଦ୍ଦେଶକ୍ରମେ ବାମିୟାନ୍ ବୁଦ୍ଧ ମୂର୍ତ୍ତିମାନଙ୍କୁ ଧ୍ୱଂସ କରିଦିଆଗଲା । ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯିବାର କାରଣ ଦର୍ଶାଇ ମୁଲ୍ଲା ଓମାର୍ ଏକ ସାକ୍ଷାତକାରରେ ନିମ୍ନ ମତ ରଖିଥିଲେ :

ମୁଁ ବାମିୟାନ୍ ବୁଦ୍ଧ ମୂର୍ତ୍ତିକୁ ଧ୍ୱଂସ କରିବାକୁ ଚାହିଁନଥିଲି । କିଛି ବିଦେଶୀ ମୋ ସହିତ ଦେଖାକରି ଏହି ବର୍ଷାପାଣି ଯୋଗୁଁ କ୍ଷତିଗ୍ରସ୍ତ ମୂର୍ତ୍ତିଗୁଡ଼ିକର ମରାମତି କରାଇବାର ଇଚ୍ଛା ପ୍ରକାଶ ମଧ୍ୟ କରିଥିଲେ । ଏହା ମୋତେ ଆଚମ୍ବିତ କରିଥିଲା । ମୁଁ ଭାବିଲି ଯେ ଏହି ନିର୍ଦ୍ଦୟ ଲୋକଙ୍କୁ ଭୋକ, ଅଭାବରେ ମୃତ୍ୟୁବରଣ କରୁଥିବା ଶହଶହ ଆଫଗାନି ଲୋକଙ୍କ କଷ୍ଟ ଦେଖାଯାଉନାହିଁ କିନ୍ତୁ ଏକ ନିର୍ଜୀବ ବୁଦ୍ଧ ପ୍ରତିମାର ନଷ୍ଟ ହେବାର ଚିନ୍ତା ଏମାନଙ୍କୁ ବ୍ୟଥିତ କରୁଛି । ଏପରି ଚିନ୍ତାଧାରା ନିନ୍ଦନୀୟ ଥିଲା । ତେଣୁ ମୁଁ ଏହି ବୁଦ୍ଧ ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିବାର ଆଦେଶ ଦେଇଥିଲି । ସେମାନେ ଯଦି ମାନବିକତା ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଇଚ୍ଛା ବ୍ୟକ୍ତ କରିଥାନ୍ତେ, ମୁଁ କେବେ ବୁଦ୍ଧ ମୂର୍ତ୍ତି ଧ୍ୱଂସ କରିବାର ଆଦେଶ ଦେଇନଥାନ୍ତି ।[୨୯]

ବୁଦ୍ଧ ମୂର୍ତ୍ତି ଅଣ-ଇସ୍‍ଲାମୀୟ ବୋଲି ଆଫଗାନିସ୍ତାନର ୪୦୦ଟି ଧାର୍ମିକ ଗୋଷ୍ଠୀ ନେଇଥିବା ନିଷ୍ପତ୍ତିକୁ ତତ୍କାଳୀନ ସୂଚନା ଓ ସଂସ୍କୃତି ମନ୍ତ୍ରୀ କାଦ୍ରାତୁଲ୍ଲା ଜମାଲ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇ କହିଥିଲେ ଯେ , "ବୁଦ୍ଧ ପ୍ରତିମା ଇସ୍‍ଲାମ୍ ବିରୋଧୀ ବୋଲି ସେମାନେ ଏକମତ ।"

UNESCOର ମୁଖ୍ୟ ନିର୍ଦ୍ଦେଶକ କୋଇଶିରୋ ମାତ୍ସୁରା ଇସ୍‍ଲାମୀୟ ସଙ୍ଗଠନର (Organisation of Islamic Cooperation - OIC) ୫୪ଟି ସଦସ୍ୟ ଦେଶର ରାଜଦୂତଙ୍କ ମଧ୍ୟରେ ଏକ ସଭାର ଆୟୋଜନ କରାଇଥିଲେ । ତାଲିବାନ୍ ସରକାରକୁ ସମର୍ଥନ କରୁଥିବା ତିନି ରାଷ୍ଟ୍ର ଆରବ ଏମିରେଟ୍ସ, ପାକିସ୍ତାନ ଓ ସାଉଦି ଆରବଙ୍କ ସମେତ ଅନ୍ୟ ସମସ୍ତ ଇସ୍‍ଲାମୀୟ ରାଷ୍ଟ୍ର ମଧ୍ୟ କଳାକୃତିକୁ ନଷ୍ଟ କରିବାର ବିରୋଧ ତଥା ନିନ୍ଦା କରିଥିଲେ ।[୩୦] ମୂର୍ତ୍ତି ଧ୍ୱଂସ କରାଯିବା ପରେ ସାଉଦି ଆରବ ଓ ଆରବ ଏମିରେଟ୍ସ ଏହାକୁ ଏକ "ବର୍ବରୋଚିତ" କାର୍ଯ୍ୟକଳାପ ବୋଲି ନିନ୍ଦା କରିଥିଲେ ।[୩୧] ଭାରତ ସରକାର ଆଫଗାନିସ୍ତାନର ତାଲିବାନ୍ ସରକାରକୁ ମାନୁନଥିଲେ କିନ୍ତୁ ସମସ୍ତ କଳାକୃତିକୁ ସଂରକ୍ଷିତ ଓ ନିରାପଦରେ ରଖିବା ପାଇଁ ଆଫଗାନିସ୍ତାନରେ ରହିଥିବା ସମସ୍ତ ଅଣ-ଇସ୍‍ଲାମୀୟ କଳାକୃତିକୁ ଭାରତ ପଠାଇଦେବାକୁ ପ୍ରସ୍ତାବ ଦେଇଥିଲେ । ତାଲିବାନ୍ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।[୩୨] ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ପରଭେଜ ମୁଶରଫ୍ ମୋଇନୁଦ୍ଦିନ୍ ହାଇଦରଙ୍କୁ ଦୂତ ଭାବେ କାବୁଲ୍ ପଠାଇଥିଲେ ଓ ଏହି ମୂର୍ତ୍ତି ନଷ୍ଟ କରିବାର ନିନ୍ଦନୀୟ କାର୍ଯ୍ୟକୁ ଅଣ-ଇସ୍‍ଲାମୀୟ ବୋଲି କହି ରୋକିବାର ଚେଷ୍ଟା କରିଥିଲେ ।[୩୩] ମୂର୍ତ୍ତି ନଷ୍ଟ କରିବାକୁ ବିରୋଧ କରି UNESCO ତାଲିବାନ୍ ସରକାରଙ୍କୁ ୩୬ ଥର ଲେଖିଥିବା ବିଷୟ ତାଲିବାନ୍ ମନ୍ତ୍ରୀ ଅବଦୁଲ୍ ସଲାମ୍ ଜୈଫ୍ କହିଥିଲେ । ଚୀନ, ଜାପାନଶ୍ରୀଲଙ୍କା ପରି ବୌଦ୍ଧ ଧର୍ମାବଲମ୍ବୀ ରାଷ୍ଟ୍ରମାନେ ମୂର୍ତ୍ତିକୁ ସଂରକ୍ଷଣ ପ୍ରଦାନ କରିବା ପାଇଁ କହିଆସୁଥିଲେ । ମୂର୍ତ୍ତିଗୁଡ଼ିକୁ ଘୋଡ଼ାଇ ଦେବା, ଜାପାନକୁ ସ୍ଥାନାନ୍ତର କରିବା, ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଦେବା ଏପରି ଅନେକ ପ୍ରସ୍ତାବ ଜାପାନ ଦେଇଥିଲା ବୋଲି ସେ ପ୍ରକାଶ କରିଥିଲେ ।[୩୪][୩୫] ତୁର୍କିସ୍ତାନ ଇସ୍‍ଲାମୀୟ ପାର୍ଟିର ପତ୍ରିକା "ଇସ୍‍ଲାମିକ୍ ତୁର୍କିସ୍ତାନ"ର ଦ୍ୱିତୀୟ ସଂସ୍କରଣରେ ବୌଦ୍ଧଧର୍ମ ବିଷୟରେ ଏକ ଲେଖା ପ୍ରକାଶ ପାଇଥିଲା । ଏଥିରେ ଜାପାନର ସମସ୍ତ ଚେଷ୍ଟା ସତ୍ତ୍ୱେ ମୂର୍ତ୍ତି ନଷ୍ଟ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା ।[୩୬]

ତାଲିବାନ୍ ସରକାରଙ୍କଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଇସ୍‍ଲାମୀୟ ନିୟମର ବିରୋଧୀ ବୋଲି ମୂର୍ତ୍ତି ଧ୍ୱଂସ କରାଯିବାର ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ପାଇଥିଲା ।[୩୭] ଶେଷରେ ଧାର୍ମିକଗୁଣର ପ୍ରଚାର ଓ ଦୁରାଚାରର ନିବାରଣ ଦାୟିତ୍ୱରେ ଥିବା ମନ୍ତ୍ରୀ ଅବଦୁଲ୍ ୱାଲି ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆଦେଶ ଦେଇଥିଲେ ବୋଲି ଅବଦୁଲ୍ ସଲାମ୍ ଜୈଫ୍ କହିଛନ୍ତି ।[୩୮]

୨୦୦୧, ତାଲିବାନ୍ଦ୍ୱାରା ମୂର୍ତ୍ତି ବିଧ୍ୱସ୍ତ ହେବା[ସମ୍ପାଦନା]

ସମ୍ପୂର୍ଣ୍ଣ ଧ୍ୱସ୍ତ ବଡ଼ ବୁଦ୍ଧ ପ୍ରତିମାର ଆସ୍ଥାନ
ଧ୍ୱସ୍ତ ସାନ ବୁଦ୍ଧ ପ୍ରତିମାର ଆସ୍ଥାନ (୨୦୦୫ ମସିହାର ଚିତ୍ର)

୨୦୦୧ ମସିହା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ କରି ଅନେକ ସପ୍ତାହ ଧରି ଚାଲିଥିବା ଏହି ଧ୍ୱଂସଲୀଳାରେ ବୁଦ୍ଧ ମୂର୍ତ୍ତିଟି ବାରମ୍ବାର ଡାଇନାମାଇଟ୍ ବିସ୍ଫୋରଣର ସମ୍ମୁଖୀନ ହୋଇଥିଲା ।[୩୯][୪୦] ବିଭିନ୍ନ ସୋପାନରେ ଏହି ଧ୍ୱଂସଲୀଳା ସମାହିତ ହୋଇଥିଲା । ପ୍ରଥମ ସୋପାନରେ ଉଡ଼ାଯାହାଜ ପ୍ରତିରୋଧକ ତୋପ ଓ ଟ୍ୟାଂକ୍ ଇତ୍ୟାଦି ବ୍ୟବହାର କରି ମୂର୍ତ୍ତି ଉପରକୁ ଗୋଳାବର୍ଷଣ କରାଯାଇଥିଲା । ଏହା ମୂର୍ତ୍ତିମାନଙ୍କୁ ପ୍ରବଳ କ୍ଷତି ପହଞ୍ଚାଇଥିଲା କିନ୍ତୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରିନଥିଲା । ଧ୍ୱଂସ କାର୍ଯ୍ୟ ଚାଲିଥିବା ସମୟରେ "ଏହି ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିବା ଅତି ସହଜ ବୋଲି ଲୋକଙ୍କ ମନରେ ରହିଥିବା ଧାରଣା ଭୁଲ, କାରଣ ଏଗୁଡ଼ିକ ପାହାଡ଼ ଗର୍ତ୍ତରେ ଦୃଢ଼ ଭାବେ ସଂଲଗ୍ନ ହୋଇ ନିର୍ମିତ ହୋଇଛନ୍ତି" ବୋଲି ମନ୍ତ୍ରୀ କୁଦ୍ରତୁଲ୍ଲା ଜମାଲ୍ କହିଥିଲେ ।[୪୧] ଟ୍ୟାଂକ୍ ପାଇଁ ଉଦ୍ଦିଷ୍ଟ ଭୂତଳ ବୋମା ଖଞ୍ଜାଯାଇ ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିବାକୁ ଚେଷ୍ଟା କରାଯାଇଥିଲା । ପରେ ପାହାଡ଼ ଉପରୁ ତାଲିବାନର ପ୍ରଶିକ୍ଷିତ ଆରୋହଣକାରୀ ଦଉଡ଼ି ମାଧ୍ୟମରେ ମୂର୍ତ୍ତି ଉପରକୁ ଅବତରଣ କରି ତାହାର ବିଭିନ୍ନ ଅଙ୍ଗରେ ବୋମା ଖଞ୍ଜିଥିଲେ ।[୪୨] ଏତେ ବିସ୍ଫୋରଣ ପରେ ମଧ୍ୟ ମୂର୍ତ୍ତିର ମୁହଁ ନଷ୍ଟ ନ ହେବାରୁ ଏକ ପ୍ରକ୍ଷେପାସ୍ତ୍ର ବ୍ୟବହାର କରି ମୂର୍ତ୍ତିର ମୁଣ୍ଡଟିକୁ କଣା କରିଦିଆଗଲା ।[୪୩]

୨୦୦୧ ମସିହା ମାର୍ଚ୍ଚ ୬ ତାରିଖରେ ଦ ଟାଇମ୍‍ସ୍ ପତ୍ରିକାରେ ମୁଲ୍ଲା ମହମ୍ମଦ ଓମାର୍‍ଙ୍କ ଏକ ମତ ପ୍ରକାଶ ପାଇଥିଲା । ମୂର୍ତ୍ତି ଧ୍ୱଂସ କରି ମୁସ୍‍ଲିମ୍‍ମାନେ ଗର୍ବିତ ହେବା ଉଚିତ୍ କାରଣ ମୂର୍ତ୍ତି ଧ୍ୱଂସକରି ଆମେ ଅଲ୍ଲାଙ୍କୁ ସମ୍ମାନିତ କରିଛୁ ବୋଲି ଓମାର୍ କହିଥିଲେ ।[୪୪] ଜାପାନର ମାଇନିଚି ଶିଂବୁନ୍‍ଙ୍କୁ ଦେଇଥିବା ୧୩ ମାର୍ଚ୍ଚରେ ଦେଇଥିବା ଏକ ସାକ୍ଷାତକାରରେ ଆଫଗାନ ମନ୍ତ୍ରୀ ୱକିଲ୍ ଅହମଦ୍ ମୁତାୱକେଲ୍ ମତ ରଖିଥିଲେ ଯେ ଅନ୍ତର୍ଜାତୀୟ ଆର୍ଥିକ ସହାୟତାକୁ ବିରୋଧ କରି ନୁହେଁ ବରଂ ଇସ୍‍ଲାମୀୟ ପରମ୍ପରାର ବିରୋଧୀ ମୂର୍ତ୍ତିକୁ ଧ୍ୱଂସ କରାଯାଇଥିଲା ଓ ଏହା କେବଳ ଏକ ଧାର୍ମିକ ସମସ୍ୟା ଥିଲା ।

୨୦୦୧ ମସିହା ମାର୍ଚ୍ଚ ୧୮ ତାରିଖରେ ଦ ନ୍ୟୁୟର୍କ୍ ଟାଇମ୍ସ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଲେଖାଥିଲା ଯେ ବିଦେଶୀ ସଂଗଠନମାନେ ମୂର୍ତ୍ତିର ସଂରକ୍ଷଣ ପାଇଁ ଆର୍ଥିକ ସହାୟତାର ପ୍ରସ୍ତାବ ରଖିଥିବାରୁ ଇସ୍‍ଲାମୀୟ ସରକାର ବୁଦ୍ଧ ମୂର୍ତ୍ତିକୁ ନଷ୍ଟ କରିବାର ନିଷ୍ପତ୍ତି ନେଇଥିଲେ । ବିଭିନ୍ନ ଆଫଗାନି ଇସ୍‍ଲାମୀୟ ସଂସ୍ଥା ଏହି ମୂର୍ତ୍ତିକୁ ଅଣ-ଇସ୍‍ଲାମୀୟ ଓ ତେଣୁ ଧ୍ୱଂସ କରାଯିବା ଉଚିତ ବୋଲି ଅନେକ ମାସ ଧରି ଆଲୋଚନା କରୁଥିବା ବିଷୟ ମଧ୍ୟ ଏହି ରିପୋର୍ଟରେ ଉଲ୍ଲିଖିତ ଥିଲା ।[୪୫]

ତାଲିବାନ୍ ମହାରାଜଦୂତ ସୈଦ ରହମତୁଲ୍ଲା ହାଶେମି ମତ ରଖିଥିଲେ ଯେ ସ୍ୱିଡେନ୍ ଦେଶର ଏକ କଳାକୃତି ସଂରକ୍ଷଣ ଗୋଷ୍ଠୀ ବାମିୟାନ୍ ବୁଦ୍ଧଙ୍କ ମୁଣ୍ଡର ସଂରକ୍ଷଣ ଓ ମରାମତି କାର୍ଯ୍ୟର ଦାୟିତ୍ୱ ନେବାକୁ ଚାହିଁଥିଲେ ଓ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଆଫଗାନି ସଂସ୍ଥାଙ୍କଦ୍ୱାରା ମୂର୍ତ୍ତିକୁ ନଷ୍ଟ କରିବାର ନିଷ୍ପତ୍ତି ନିଆଯାଇଥିଲା । ବାମିୟାନ୍ ବୁଦ୍ଧ ମୂର୍ତ୍ତିର ରକ୍ଷଣାବେକ୍ଷଣ ପରିବର୍ତ୍ତେ ଆଫଗାନି ଶିଶୁଙ୍କ ଭୋକ ଓ ଅନଟନ ଦୂର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଶ୍ରେୟସ୍କର ବୋଲି ଆଫଗାନି ସଂସ୍ଥାମାନେ କହିଥିଲେ । ପ୍ରତ୍ୟୁତ୍ତରରେ ସ୍ୱିଡେନ୍‍ର ସଂସ୍ଥା କହିଥିଲା ଯେ ଆର୍ଥିକ ସହାୟତା କେବଳ ମୂର୍ତ୍ତିର ରକ୍ଷଣାବେକ୍ଷଣ ପାଇଁ, ଶିଶୁଙ୍କ ଖାଦ୍ୟ ପାଇଁ ନୁହେଁ । ଏପରି ଉତ୍ତର ଯୋଗୁଁ ମୂର୍ତ୍ତିକୁ ଧ୍ୱଂସ କରିବାର ନିଷ୍ପତ୍ତି ନିଆଗଲା ବୋଲି ହାଶେମି କହିଥିଲେ । କିନ୍ତୁ ମୂର୍ତ୍ତିର ବିକ୍ରୟ କଲେ ତାହା ବଦଳରେ ମିଳିବାକୁ ଥିବା ଅର୍ଥ ମଧ୍ୟ ଶିଶୁଙ୍କ ଖାଦ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇପାରିବ ବୋଲି ବିଦେଶୀ ସଂଗ୍ରହାଳୟ ରଖିଥିବା ଅନ୍ୟ ଏକ ପ୍ରସ୍ତାବ ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ।[୪୬]

ଅନ୍ତର୍ଜାତୀୟ ବିରୋଧ ସତ୍ତ୍ୱେ ମୂର୍ତ୍ତିମାନଙ୍କ ଧ୍ୱଂସ କରାଯିବା ବିଶ୍ୱ ସାଂସ୍କୃତିକ ଐତିହ୍ୟ ଉପରେ ଆକ୍ରମଣ ବୋଲି ମିଖାଏଲ୍ ଫାଲ୍ସର୍ ନାମକ ଜଣେ ଜର୍ମାନ ସଂସ୍କୃତିବିତ୍ କହିଥିଲେ ।[୪୭] ଏହା ସଂସ୍କୃତି ବିରୋଧୀ ଏକ ଅପରାଧିକ କାର୍ଯ୍ୟ ଏବଂ କେବଳ ଆଫଗାନ ନୁହେଁ ବରଂ ସମଗ୍ର ମାନବ ଜାତି ଉଦ୍ଦେଶ୍ୟରେ ନିର୍ମିତ ଏକ ସାଂସ୍କୃତିକ ଐତିହ୍ୟକୁ ନଷ୍ଟ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି UNESCO ମହାନିର୍ଦ୍ଦେଶକ କୋଇଶିରୋ ମାତ୍ସୁରା କହିଥିଲେ ।[୪୮]

ପୁନରୁଦ୍ଧାର ପାଇଁ ଚେଷ୍ଟା[ସମ୍ପାଦନା]

ଦୁଇଟି ଯାକ ବିରାଟ ବୁଦ୍ଧ ପ୍ରତିମୂର୍ତ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ କିନ୍ତୁ ତେବେ ବି ମୂର୍ତ୍ତିର କିଛି ଅବଶେଷ ଓ ବାହ୍ୟ ସୀମା ଏବେ ମଧ୍ୟ ଦୃଶ୍ୟମାନ । ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ପାହାଡ଼ ଗର୍ତ୍ତରେ ରହିଥିବା ଆବାସ ସ୍ଥଳୀ ଓ ସେମାନଙ୍କୁ ସଂଯୁକ୍ତ କରୁଥିବା ମାର୍ଗ ବର୍ତ୍ତମାନ ସୁଦ୍ଧା ଅକ୍ଷତ । ତାଲିବାନ୍ ଶାସନର ଦମନ ପରେ ଜାପାନ ସରକାର, ସ୍ୱିଜରଲ୍ୟାଣ୍ଡର ବୁବେନ୍‍ଡର୍ଫ୍ ଆଫଗାନି ଅନୁଷ୍ଠାନ ଏବଂ ଜୁରିକ୍ ନଗରର ବିଶ୍ୱବିଦ୍ୟାଳୟ ଏଟେହା (ETH - Eidgenössische Technische Hochschule Zürich) ଇତ୍ୟାଦିଙ୍କ ମିଳିତ ଉଦ୍ୟମରେ ମୂର୍ତ୍ତିମାନଙ୍କ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା ।


ଫଟୋ ଗ୍ୟାଲେରି[ସମ୍ପାଦନା]


ଆଧାର[ସମ୍ପାଦନା]

  1. ୧.୦ ୧.୧ Gall, Carlotta (5 December 2006). "Afghans consider rebuilding Bamiyan Buddhas". International Herald Tribune/The New York Times. Retrieved 8 March 2014.
  2. Morgan, Kenneth W. The Path of the Buddha. Google Books. Retrieved 2 June 2009. {{cite book}}: |work= ignored (help)
  3. ୩.୦ ୩.୧ Research of state and stability of the rock niches of the Buddhas of Bamiyan in "Completed Research Results of Military University of Munich" Archived 4 March 2016 at the Wayback Machine.
  4. ୪.୦ ୪.୧ Gall, Carlotta (6 December 2006). "From Ruins of Afghan Buddhas, a History Grows". The New York Times. Retrieved 6 January 2008.
  5. "Bamiyan Valley – Afghanistan".
  6. "Why the Taliban are destroying Buddhas". Usatoday.com. 22 March 2001. Retrieved 9 October 2013.
  7. "Taliban Explains Buddha Demolition". The New York Times.
  8. Waduge, Shenali (14 March 2008). "Afghans destroy Buddhas, but cry foul over cartoons". The Nation. Retrieved 29 April 2008.
  9. "Computer Reconstruction and Modeling of the Great Buddha Statue in Bamiyan, Afghanistan" (PDF). Archived from the original (PDF) on 16 December 2013. Retrieved 9 October 2013.
  10. UNESCO World Heritage Centre. "Mount Emei Scenic Area, including Leshan Giant Buddha Scenic Area". Whc.unesco.org. Retrieved 9 October 2013.
  11. http://whc.unesco.org/uploads/nominations/208rev.pdf
  12. "Bamiyan Buddhas Once Glowed in Red, White and Blue". Sciencedaily.com. 25 February 2011. Retrieved 9 October 2013.
  13. Yamada, Meiji (2002). Buddhism of Bamiyan, Pacific World, 3rd series 4, 109-110
  14. "Bamiyan and Buddhist Afghanistan". Depts.washington.edu. Retrieved 9 October 2013.
  15. ୧୫.୦ ୧୫.୧ "Xuan Zang and the Third Buddha". Laputanlogic.com. 9 ମାର୍ଚ୍ଚ 2007. Archived from the original on 27 ଜାନୁଆରୀ 2013. Retrieved 9 ଅକ୍ଟୋବର 2013.
  16. "Buddhas of Bamiyan". Hazaristantimes.wordpress.com. Retrieved 9 October 2013.
  17. TIM MCGIRK/Bamiyan (20 May 2002). "What Lies Beneath". Time.com. Archived from the original on 24 August 2013. Retrieved 9 October 2013.
  18. "Bamiyan and Buddhism Afghanistan". Depts.washington.edu. Retrieved 9 October 2013.
  19. "Remembering Bamiyan". Kashgar.com.au. Archived from the original on 4 ଅକ୍ଟୋବର 2013. Retrieved 9 ଅକ୍ଟୋବର 2013.
  20. Asian Art, chap. "History of attacks on the Buddhas"
  21. "booklet web E.indd" (PDF). Retrieved 9 October 2013.
  22. Laban Kaptein, Eindtijd en Antichrist, p. 127. Leiden 1997. ISBN 90-73782-89-9
  23. "Ancient Buddhas Will Not Be Rebuilt – UNESCO". Ipsnews.net. Archived from the original on 13 ସେପ୍ଟେମ୍ବର 2011. Retrieved 9 ଅକ୍ଟୋବର 2013.
  24. "Photogrammetric Reconstruction of the Great Buddha of Bamiyan" (PDF). Archived from the original (PDF) on 24 ଅଗଷ୍ଟ 2015. Retrieved 27 ସେପ୍ଟେମ୍ବର 2015.
  25. Semple, Michael Why the Buddhas of Bamian were destroyed Archived 2011-07-07 at the Wayback Machine., Afghanistan Analysts Network 2 March 2011
  26. Harding, Luke (3 ମାର୍ଚ୍ଚ 2001). "How the Buddha got his wounds". London: The Guardian. Archived from the original on 28 ଫେବୃଆରୀ 2006. Retrieved 23 ମାର୍ଚ୍ଚ 2008.
  27. Semple, Michael Why the Buddhas of Bamian were destroyed Archived 2011-07-07 at the Wayback Machine., Afghanistan Analysts Network 2 March 2011
  28. Vawda, Moulana Imraan. "The Destruction of Statues Displayed in an Islamic State". Ask-Imam.com. Retrieved 6 January 2008.
  29. Mohammad Shehzad (3 March 2001). "The Rediff Interview/Mullah Omar". The Rediff. Kabul. Retrieved 27 October 2010.
  30. "World appeals to Taliban to stop destroying statues". CNN. 3 March 2001. Archived from the original on 24 December 2007. Retrieved 6 January 2008.
  31. Bearak, Barry (4 March 2001). "Over World Protests, Taliban Are Destroying Ancient Buddhas". The New York Times. Archived from the original on 2 March 2014. Retrieved 13 July 2008.
  32. "General Assembly "Appalled" By Edict On Destruction of Afghan Shrines; Strongly Urges Taliban To Halt Implementation". Un.org. 2 January 2013. Retrieved 9 October 2013.
  33. Zaeef, Abdul Salam, My Life with the Taliban eds Alex Strick van Linschoten and Felix Kuehn, p.120, C Hurst & Co Publishers Ltd, ISBN 1-84904-026-5
  34. Abdul Salam Zaeef (7 January 2011). My Life with the Taliban. Oxford University Press. pp. 127–. ISBN 978-1-84904-152-2.
  35. "Japan offered to hide Bamiyan statues, but Taliban asked Japan to convert to Islam instead". JAPANTODAY. 27 February 2010.
  36. محمد ضياء الرحمن الأعظمي (ذو القعدة 1429). "الدبانا البوذية" (PDF). تركستان الإسلامية. No. السنة الأولى: العدد الثاني. pp. 46–49. Archived from the original (PDF) on 2018-09-23. {{cite magazine}}: Check date values in: |date= (help)
  37. "Destruction of Giant Buddhas Confirmed". AFP. 12 March 2001. Retrieved 6 January 2008.
  38. Zaeef p.126
  39. Domingo, Plácido (December 2016). "End the International Destruction of Cultural Heritage". Vigilo. Din l-Art Ħelwa: National Trust of Malta (48): 30–31. ISSN 1026-132X.
  40. Shah, Amir (3 March 2001). "Taliban destroy ancient Buddhist relics – International pleas ignored by Afghanistan's Islamic fundamentalist leaders". The Independent. Archived from the original on 6 January 2011.
  41. "Photos document destruction of Afghan Buddhas". Archived from the original on 13 March 2007. Retrieved 2007-03-13.
  42. "Destruction and Rebuilding of the Bamyan Buddhas". Slate Magazine.
  43. Bergen, Peter. "The Osama bin Laden I Know", 2006. p. 271
  44. Markos Moulitsas Zúniga (2010). American Taliban: How War, Sex, Sin, and Power Bind Jihadists and the Radical Right. Polipoint Press. ISBN 1-936227-02-9.
  45. Crossette, Barbara (19 March 2001). "Taliban Explains Buddha Demolition". The New York Times. Archived from the original on 3 May 2009. Retrieved 6 January 2008.
  46. Kassaimah, Sahar (12 January 2001). "Afghani Ambassador Speaks At USC". IslamOnline. Archived from the original on 8 October 2007. Retrieved 6 January 2008.
  47. Falser, Michael. "The Bamiyan Buddhas, performative iconoclasm and the 'image' of heritage". In: Giometti, Simone; Tomaszewski, Andrzej (eds.): The Image of Heritage. Changing Perception, Permanent Responsibilities. Proceedings of the International Conference of the ICOMOS International Scientific Committee for the Theory and the Philosophy of Conservation and Restoration. 6–8 March 2009 Florence, Italy. Firenze 2011: 157-169.
  48. U.N. Confirms Destruction of Afghan Buddhas, 12 March 2001, ABC News.

ଆହୁରି ପଢ଼ିପାରିବେ[ସମ୍ପାଦନା]

ବାହାର ଲିଂକ୍[ସମ୍ପାଦନା]