ବାଂଲାପିଡିଆ

ଉଇକିପିଡ଼ିଆ‌ରୁ

ବାଂଲାପିଡିଆ ହେଉଛି ବାଂଲାଦେଶର ପ୍ରଥମ ରାଷ୍ଟ୍ରୀୟ ବିଶ୍ୱକୋଷ ।[୧] ଏହାର ମୁଦ୍ରିତ ଏବଂ ଅନଲାଇନ ସଂସ୍କରଣ ବ୍ୟତୀତ ଏହା ସିଡି-ରୋମ (CD-ROM)[୨] ମାଧ୍ୟମରେ ଉଭୟ ଇଂରାଜୀ ଏବଂ ବଂଗଳା ଭାଷାରେ ଉପଲବ୍ଧ ।[୩] ଏହି ମୁଦ୍ରିତ ସଂସ୍କରଣଟି ୫୦୦ ପୃଷ୍ଠା ସମ୍ବଳିତ ୧୦ଟି ଭାଗରେ ବିଭକ୍ତ । ଏହାର ପ୍ରଥମ ସଂସ୍କରଣ "ଏସିଆଟିକ ସୋସାଇଟି ଅଫ ବାଂଲାଦେଶ"ଦ୍ୱାରା ୨୦୦୩ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।[୪] ପ୍ରତି ଦୁଇ ବର୍ଷରେ ଏହାର ଅପଡେଟ କରିବା ଯୋଜନା ଥିବା ସ୍ଥଳେ ଏହାର ଦ୍ୱୀତିୟ ସଂସ୍କରଣ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା ।[୫] ବାଂଲାପିଡିଆକୁ ଏକ ସାଧାରଣ ଜ୍ଞାନକୋଷ ପରିବର୍ତ୍ତେ ବାଂଲାଦେଶ ସଂବନ୍ଧିତ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ବିଶ୍ୱକୋଷ ଭାବେ ଡିଜାଇନ କରାଯାଇଛି ।[୬]

ଏହି ଜ୍ଞାନକୋଷର ମୁଖ୍ୟ ସଂପାଦକ ହେଉଛନ୍ତି ସିରାଜୁଲ ଇସଲାମ ।[୭] ବାଂଲାଦେଶ ତଥା ଅନ୍ୟାନ୍ୟ ଦେଶର ୧୨୦୦ରୁ ଉର୍ଦ୍ଧ୍ୱ ଲେଖକ ଓ ବିଶେଷଜ୍ଞଙ୍କ ସହାୟତାରେ ଏହି ଜ୍ଞାନକୋଷ ସଂକଳିତ । ବାଂଲାପିଡିଆରେ ଛଅ ଗୋଟି ସଂପାଦକୀୟ ଶ୍ରେଣୀରେ ବିଭକ୍ତ ୫୭୦୦ରୁ ଅଧିକ ଲେଖା ରହିଛି ଏବଂ ପ୍ରତ୍ୟେକ ଶ୍ରେଣୀର ଲେଖା ପାଇଁ ଅନ୍ୟତଃ ଜଣେ ଜଣେ ବିଶେଷଜ୍ଞ ସଂପାଦକ କାର୍ଯ୍ୟରତ । ଏଥିସହ ଏହି ଜ୍ଞାନ କୋଷରେ ୨୦୦୦ରୁ ଅଧିକ ଏକକ ଏବଂ ଚତୁରଙ୍ଗୀ-ଚିତ୍ରଣ ସହ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ ରହିଛି ।

ଏହି ପରିଯୋଜନାଟିକୁ ବାଂଲାଦେଶ ସରକାର, କିଛି ବେସରକାରୀ ସଂଗଠନ ତଥା ଶୈକ୍ଷିକ ସଂସ୍ଥାନ ତଥା ୟୁନେସ୍କୋଦ୍ୱାରା ଅର୍ଥ ଯୋଗାଇଦିଆଯାଇଛି । ଏହାର ପ୍ରାରମ୍ଭିକ ଅଟକଳ ୮୦୦,୦୦୦ ଟାକା (ପ୍ରାୟ ୧୦ ହଜାର ଡଲାର) ଥିବା ସ୍ଥଳେ Asiatic Society ପକ୍ଷରୁ ଅନ୍ତତଃପକ୍ଷେ ଏହି ପରିଯୋଜନାରେ ୮୦ ମିଲିୟନ ଟାକା (ପ୍ରାୟ ୧ ମିଲିୟନ ଡଲାର) ଖର୍ଚ୍ଚ କରାଯାଇଛି ।[୭] ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ୱଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ୱେ ଏହାର ବଂଗଳା ଏବଂ ଇଂରାଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।

ଇତିହାସ ଏବଂ ବିକାଶ[ସମ୍ପାଦନା]

ବାଂଲାଦେଶର ଏସିଆଟିକ ସୋସାଇଟିଦ୍ୱାରା "ବାଂଲାଦେଶର ଇତିହାସ, ୧୭୦୪-୧୯୭୧" ନାମକ ସଂସ୍କରଣର ପ୍ରକାଶନ ନିମନ୍ତେ ବିଭିନ୍ନ ତଥ୍ୟ ଅଧ୍ୟୟନ ବେଳେ ବାଂଲାପିଡିଆ ପରିଯୋଜନାର ଶୁଭାରମ୍ଭ ହୋଇଥିଲା । ଉକ୍ତ ପରିଯୋଜନାର ସଂପାଦକ ମଣ୍ଡଳୀ ଏଥିପାଇଁ ଏକ ମାନକ ତଥ୍ୟ ସଂବଳିତ ସଂଦର୍ଭ ଡେସ୍କର ଆବଶ୍ୟକତା ଅନୁଭବ କଲେ । କାରଣ ଏହି ପ୍ରକାଶନ ନିମନ୍ତେ ଅଧିକରୁ ଅଧିକ ମାନକ ତଥ୍ୟ ପାଇଁ ପାଠାଗାରରୁ ଲବ୍ଧ ତଥ୍ୟ ଯଥେଷ୍ଟ ନ ଥିଲା । ଏଭଳି ଏକ ପରିପ୍ରେକ୍ଷୀରେ ସିରାଜୁଲ ଇସଲାମ ଓ ତାଙ୍କର କିଛି ସହଯୋଗୀଦ୍ୱାରା ପ୍ରସ୍ତୁତ ଏକ ଅବଧାରଣା ପତ୍ର ଏସିଆଟିକ ସୋସାଇଟିକୁ ଦିଆଗଲା । ଫଳରେ ୧୯ ଫେବୃଆରୀ ୧୯୯୭ରେ ଏହି ଅବଧାରଣା ପତ୍ର ଗ୍ରହଣ ପୂର୍ବକ ଇସଲାମଙ୍କୁ ଏହି ପରିଯୋଜନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଗଲା । ପରିଯୋଜନାର ମୁଖ୍ୟ ଭାବେ ଇସଲାମଙ୍କର କାର୍ଯ୍ୟ ଥିଲା ଯେ ସେ ପରିଯୋଜନାର ବିତ୍ତୀୟ ଯୋଜନା ତଥା ପ୍ରବନ୍ଧନ କରିବେ । ଯୋଜନା ମୁତାବକ, ଏହି ଜ୍ଞାନକୋଷରେ ବିଭିନ୍ନ ଲେଖାର ଚୟନ ନିମନ୍ତେ ପ୍ରାୟ ତିନିରୁ ଚାରି ଲୋକଙ୍କୁ ନେଇ ପ୍ରାୟ ତିନି ଡଜନ ସମିତି ଗଠନ କରାଗଲା । କମିଟିଦ୍ୱାରା ପ୍ରାୟ ୨୭,୦୦୦ ଲେଖା ଚୟନ ହେବା ସ୍ଥଳେ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏହି ଲେଖା ସଂଖ୍ୟା ୬୦୦୦କୁ ଖସି ଆସିଲା । ତେବେ ୧୯୯୮ରେ ଔପଚାରିକ ଭାବେ ଏହି ପରିଯୋଜନା ଗତିଶୀଳ ହେଲା ।

ତଥ୍ୟ[ସମ୍ପାଦନା]

ବାଂଲାପିଡିଆରେ ୫୭୦୦ରୁ ଅଧିକ ଲେଖା ରହିଛି । ଏସବୁକୁ ଛଅଟି ଶ୍ରେଣୀରେ ବିଭକ୍ତ କରାଯାଇଛି , ଯଥା କଳା ଓ ମାନବୀୟ, ଇତିହାସ ଏବଂ ପରମ୍ପରା, ରାଜ୍ୟ ଓ ଶାସନ, ସମାଜ ଓ ଅର୍ଥନୀତି, ପ୍ରାକୃତିକ ବିଜ୍ଞାନ ଏବଂ ଜୈବ ବିଜ୍ଞାନ । ପ୍ରତ୍ୟେକ ଲେଖା ଅନ୍ତତଃ ଜଣେ ଲେଖକ ତଥା ବିଶେଷଜ୍ଞଙ୍କଦ୍ୱାରା ସଂପାଦିତ । ଏହି ଜ୍ଞାନକୋଷରେ ୨୦୦୦ରୁ ଅଧିକ ଏକରଂଗୀ ତଥା ଚତୁରଙ୍ଗୀ ଚିତ୍ରଣ ବଂଲାଦେଶର ଦୈନନ୍ଦିନ ଜୀବନ, ଗ୍ରାମ୍ୟ ଜୀବନ, କଳା ତଥା ସଂସ୍କୃତିର ଚିତ୍ର ବହନ କରେ । ଏଥିରେ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ, ମାନଚିତ୍ରକଳା, ସାରଣୀ ତଥା ପରିସଂଖ୍ୟାନ ସନ୍ନିବେଶିତ ।

ଆଧାର[ସମ୍ପାଦନା]

  1. "Banglapedia". Bangladesh. Asia Pacific Cultural Centre for UNESCO. Archived from the original on 7 June 2007. Retrieved 2007-06-07.
  2. Staff Correspondent (2004-01-02). "Banglapedia on CD-Rom to hit market by February". The New Age. Archived from the original on 2005-02-07. Retrieved 2007-07-23.
  3. Iqbal, Iftekhar (2006-11-16). "The case for Bangladesh Studies". The Daily Star. Retrieved 2007-06-07.
  4. UNB (2003-03-24). "Compilation of Banglapedia completed". General news. Sustainable Development Networking Programme (SDNP). Archived from the original on 2012-03-03. Retrieved 2008-01-19.
  5. Akkas, Abu Jar M (2004-05-23). "Banglapedia edition every 2 years". The Weekly Holiday. Archived from the original on 2005-12-13. Retrieved 2007-06-07.
  6. Sirajul Islam and Ahmed A. Jamal, ed. (2012), "Welcome to Banglapedia", Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
  7. ୭.୦ ୭.୧ "New Age New Year Special 2006". web.archive.org. 11 May 2007. Archived from the original on 11 May 2007. Retrieved 20 September 2019.