ପୌଷ ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପୌଷ ପୂର୍ଣ୍ଣିମା
ଅନ୍ୟ ନାମ ପୁଷ୍‌ପୁନି, ଛେର୍‌ଛେରା
ବିଶେଷତା ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ,
ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ,
ଧନୁଯାତ୍ରାରେ କଂସ ବଧ ଓ ଯାତ୍ରା ଶେଷ
ତାରିଖ ପୌଷ ପୂର୍ଣ୍ଣିମା
୨୦୧୬ ତାରିଖ ୨୪ ଜାନୁଆରୀ (ରବିବାର) [୧]
୨୦୧୭ ତାରିଖ ୧୨ ଜାନୁଆରୀ (ଗୁରୁବାର)

ପୌଷ ପୂର୍ଣ୍ଣିମା କୃଷି ସମ୍ୱନ୍ଧିତ ଏକ ସାମାଜିକ ପର୍ବ, ବ୍ରତ ବା ଓଷାପୂଜାର ଉପାଖ୍ୟାନ ଏହା ସହ ଜଡ଼ିତ ନଥାଏ । ପ୍ରଥମ ପାଚିଲା ଧାନକୁ ନେଇ ଓଡ଼ିଶାରେ ନୂଆଁଖାଇ ପାଳିତ ହେଲା ପରି ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍‌ପୁନି ବା ଛେର୍‌ଛେରା ଭାବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ଗଣପର୍ବ ରୂପେ ପାଳନ କରାଯାଏ । ପୂର୍ଣ୍ଣମୀ ରାତିସାରା ପଶ୍ଚିମ ଓଡ଼ିଶାର ଗାଁମାନଙ୍କରେ ନୃତ୍ୟ-ଗୀତର ଆସର ଜମିଥାଏ । ଏପ୍ରକାର ଆନନ୍ଦ ଉଲ୍ଲାସରେ ଆବାଳ ବୃଦ୍ଧବନିତା ଅଂଶୀଦାର ଥାଆନ୍ତି । ଏହା କୃଷକମାନଙ୍କ ପାଇଁ କୃଷିର ଶେଷପର୍ବ ଯାହାକି ଶସ୍ୟ ଅମଳ ପରେ ପାଳିତ ହୁଏ । ପୂର୍ଣ୍ଣିମାର ୫/୭ଦିନ ପୂର୍ବରୁ ବାଳକମାନେ ଦଳ ଦଳ ହୋଇ ଦ୍ୱାରଦ୍ୱାର ବୁଲି ବାଡ଼ି ଠକ୍‌ଠକ୍ କରି ଶବ୍ଦର ତାଳେ ତାଳେ ଗୀତ ଗାଇ ଚାନ୍ଦା ଆଦାୟ କରି ଥା’ନ୍ତି । ଗୀତରେ ବାରମ୍ବାର ଛେର୍‌ଛେରା ଶବ୍ଦ ଉଚ୍ଚାରିତ ହେଉଥାଏ । ଛେର୍ ଛେରା ଚାନ୍ଦାରେ ସାର୍ବଜନୀନ ଭୋଜି ଆୟୋଜନ ହୋଇଥାଏ । ଏହିଦିନ ସାହୁକାର ବା ବଡ଼ଚାଷୀମାନେ ସେମାନଙ୍କ ଖାତକ ବା ହଳିଆ ଓ ମୂଲିଆଙ୍କ ଘରକୁ ଅଡ଼ିଆ ପଠାଇଥା’ନ୍ତି । ଏ ଅଡ଼ିଆରେ ଥାଏ କିଛି ଅର୍ଥ, ନୂଆ ଲୁଗା, ଚାଉଳ, ଡାଲି ଓ କିଛି ପନିପରିବା । ଏହି ପୁଷ୍‌ପୁନିରେ ସାହୁକାର ନୂଆ କୃଷିଶ୍ରମିକ ନିୟୋଜିତ କରିବାର ସାମାଜିକ ଧାରା ମଧ୍ୟ ରହିଛି । [୨] ଏହି ଦିନ ବରଗଡ଼ରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରାର ପରିସମାପ୍ତି ଘଟିଥାଏ ।

ପୂର୍ବେ ରାଜାମାନଙ୍କ ଶାସନ ସମୟରେ ଏହିଦିନ ରାଜାମାନଙ୍କର ବନ୍ଦାପନା ହେଉଥିଲା । ରାଜା ଓ ପ୍ରଜା ସମସ୍ତେ ଉପବୀତ ଧାରଣ କରୁଥିଲେ । ଏବେମଧ୍ୟ ଆମ ଗାଁମାନଙ୍କରେ ନୂତନ ପଇତା ଗ୍ରହଣ କରିବା ବିଧି ପ୍ରଚଳନ ଅଛି । ଅନେକ ସ୍ଥାନରେ ଦେବତାମାନଙ୍କୁ ମଧ୍ୟ ସ୍ୱର୍ଣ୍ଣ ଉପବୀତରେ ଭୂଷିତ କରାଯାଏ । କୁହାଯାଏ ଯେ ହିନ୍ଦୁ ସଂସ୍କୃତିକୁ ଏକତା ସୂତ୍ରରେ ବାନ୍ଧି ରଖିବାହିଁ ହେଉଛି ସାମଗ୍ରିକ ଭାବେ ଉପବୀତ ଗ୍ରହଣ କରିବା । ଏହିଦିନ ନାନା ସୁଖାଦ୍ୟ: ମଣ୍ଡା, କାକରା, ଲଡୁ ଓ ମୁଆଁ ଆଦି ଦେବତାଙ୍କୁ ଭୋଗ କରାଯାଏ ଏବଂ ସମର୍ପିତ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଏ । ଏହି ଦିନ ଉତ୍କଳର ଜାତୀୟବାଦ୍ୟ ତେଲଙ୍ଗା ବାଦ୍ୟ ମଧ୍ୟ ଅନୁକୂଳ ହୁଏ । ବାଜାବାଲାମାନେ ଦ୍ୱାରଦ୍ୱାର ବୁଲି ମଧୁରଧ୍ୱନିରେ ଜନସମୁଦ୍ରକୁ ମୁଗ୍ଧକରିଥାଆନ୍ତି । ଗୃହିଣୀମାନେ ସେମାନଙ୍କ ବାଜାଶୁଣି ଏମାନଙ୍କୁ ଉଣାଅଧିକେ ଶସ୍ୟଦାନ କରିଥାଆନ୍ତି । ଜାତି-ବର୍ଣ୍ଣ-ନିର୍ବିଶେଷରେ ସମସ୍ତେ ଏହିପର୍ବ ସହିତ ସାମିଲ ହୋଇଥାଆନ୍ତି ।

ପୁଷ୍ୟାଭିଷେକ[ସମ୍ପାଦନା]

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି: "ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ । ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ ॥

ଏହି ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ଵସ୍ତିବାଚନ, ମଙ୍ଗଳାରୋପଣ, ଯଜ୍ଞୋପବୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ବିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପବୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାବିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ । ନୀଳାଦ୍ରୀ ମହୋତ୍ସବରେ ଲେଖାଅଛି: “ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ । ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥ ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ବାନକାମାନ ପରଂଲବ୍‌ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥”[୩] ଏହି ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ ।

ଆଧାର[ସମ୍ପାଦନା]

  1. "2016 Paush Purnima date". drikpanchang.com. Retrieved ୬ ଜାନୁଆରୀ ୨୦୧୫.  Check date values in: |accessdate= (help)
  2. ସମ୍ବାଦ, ପୃଷ୍ଠା- ୨, ୨୩.୧. ୨୦୧୩
  3. ମହାନ୍ତି, ବିପିନବିହାରୀ. "ପୁଷ୍ୟାଭିଷେକ-ପୁଷ୍-ପୁନି" (PDF). ପର୍ଯ୍ୟବେକ୍ଷକ. Retrieved 6 January 2015.