Jump to content

ପୋଲାଭରମ ପ୍ରକଳ୍ପ

ଉଇକିପିଡ଼ିଆ‌ରୁ

ପୋଲାଭରମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶର ପୋଲାଭରମଠାରେ ଗୋଦାବରୀ ନଦୀ ଉପରେ କରାଯାଉଥିବା ଏକ ନଦୀବନ୍ଧ ତଥା ବହୁମୁଖି ଜଳଭଣ୍ଡାାର ପ୍ରକଳ୍ପ । ଏହି ପ୍ରକଳ୍ପଟିର ପରିକଳ୍ପନା ଦିନଠାରୁ ଏହା ବହୁ ବାଦ ବିବାଦ ମଧ୍ୟ ଦେଇ ଗତି କରୁଛି । ଏହି ପକଳ୍ପଟିଦ୍ୱାରା ଆନ୍ଧ୍ର, ଓଡ଼ିଶା ଏବଂ ଛତିଶଗଡ଼ର ବହୁ ଲୋକ ବିସ୍ଥାପିତ ହେଉଥିବାରୁ ଉଭୟ ଓଡ଼ିଶାଛତିଶଗଡ଼଼ଏହାକୁ ବିରୋଧ କରି ଆସୁଛନ୍ତି । ତେବେ ଏସବୁ ସତ୍ତ୍ୱେ ଏବେ ଏହି ବିବାଦୀୟ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । [୧]

ଇତିହାସ

[ସମ୍ପାଦନା]

୧୯୭୬ରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଭାରତୀୟ ଜଳ ସମ୍ପଦ ମନ୍ତ୍ରଣାଳୟଦ୍ୱାରା ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ମାଧ୍ୟମରେ ଦେଶରେ ଥବା ଚିରସ୍ରୋତା ତଥା ଜଳବହୁଳ ନଦୀଗୁଡିକୁ ଛୋଟ ଛୋଟ ନଦୀଗୁଡ଼ିକ ସହ ବିଭିନ୍ନ ଜଳଭଣ୍ଡାର ମାଧ୍ୟମରେ ସଂଯୋଗ କରି ଜଳାଭାବ ଥବା ଅଞ୍ଚଳଗୁଡିକୁ ଯୋଗାଇଦେବା ପାଇଁ ଏକ ଯୋଜନା ଭାରତ ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥଲା । ଏହି ଯୋଜନାରେ ୧୪,୯୦୦ କିଲୋମିଟର ପରିବ୍ୟାପ୍ତ ଦେଶର ପ୍ରାୟ ୩୦ଟି ନଦୀକୁ ସଂଯୋଗ କରାଯାଇଥଲା । ତେବେ ଏହି ଯୋଜନା ମାଧ୍ୟମରେ ଗୋଦାବରୀ ନଦୀକୁ ଏକ ଚିରସ୍ରୋତା ତଥା ଜଳବହୁଳ ନଦୀଭାବେ ବିଚାର କରାଯାଇ ଆନ୍ଧ୍ରପ୍ରଦେଶରେ ପ୍ରବାହିତ ହେଉଥିବା ଅନ୍ୟତମ ଛୋଟ ନଦୀ କ୍ରିଷ୍ଣା (ଜଳବହୁଳ) ସହ ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବହୁମୁଖୀ ଯୋଜନା ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ପୂର୍ବ ଏବଂ ପଶ୍ଚିମ ଗୋଦାବରୀ ଅଞ୍ଚଳ ତଥା କ୍ରିଷ୍ଣା ଜିଲ୍ଲାର ବହୁ ଅଞ୍ଚଳରେ ଜଳାଭାବ ଓ ବିଦ୍ୟୁତ ସମସ୍ୟାର ସମାଧାନ କରିବାକୁ ଆନ୍ଧ୍ର ଏବଂ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ ।

ପ୍ରସ୍ତାବ ଓ ପରିକଳ୍ପନା

[ସମ୍ପାଦନା]

୧୯୪୧ ମସିହାରେ ପ୍ରଥମ କରି ଗୋଦାବରୀ ନଦୀରେ, ଏହାର ଆଖପାଖ ଅଞ୍ଚଳର ବିକାଶ ନିମନ୍ତେ ଏକ ବହୁମୁଖୀ ଜଳଭଣ୍ଡାରର ଆବଶ୍ୟକତା ଅନୁଭୂତ ହୋଇଥଲା । ସେତେବେଳେ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଏଲ୍ ଭେଙ୍କଟକ୍ରିଷ୍ଣା ଆୟର ପ୍ରଥମ କରି ଗୋଦାବରୀ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଏଣୁ ପୂର୍ଣ୍ଣ ତଦାରଖ ପରେ ଶେଷରେ ୧୯୫୧ ମସିହାରେ ରାମପଦ ସାଗର ପ୍ରକଳ୍ପ ରିପୋର୍ଟରୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଗୋଦାବରୀର ପଥର ବିଚ୍ଛୁରିତ ଗଭୀର ନଦୀଶଯ୍ୟା ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବାଲି ରହିଥିବାରୁ ଏହି ପ୍ରକଳ୍ପଟି ପର ମୁହୂର୍ତ୍ତରେ ବହୁ ବ୍ୟୟସାପେକ୍ଷ ହୋଇଯାଇଥଲା । ଏହି ୧୫୦ ମେଗାୱାଟ ଜଳବିଦ୍ୟୁତ୍ ପ୍ରକଳ୍ପରେ ପ୍ରାୟ ୧୨୯ କୋଟି ଟଙ୍କାର ବ୍ୟୟବରାଦର ଆକଳନ କରାଯାଇଥିଲା । ଏଣୁ ଏହି ବ୍ୟୟବହୁଳ ପ୍ରକଳ୍ପକୁ ସେତେବେଳେ କାର୍ଯ୍ୟକାରୀ କରାଯାଇପାରିନଥିଲା । ମାତ୍ର ୧୯୫୩ ମସିହାରେ ଗୋଦାବରୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ବିଶାଖାପାଟଣା ତଥା ଆଖପାଖ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟିଥିଲା । ଯାହା ପର ମୁହୂର୍ତ୍ତରେ ଆନ୍ଧ୍ର ସରକାରଙ୍କୁ ଗୋଦାବରୀ ଉପରେ ଏକ ଡ୍ୟାମ ନିର୍ମାଣ କରିବା ନିତାନ୍ତ ଜରୁରୀ ବୋଲି ହୃଦୟଙ୍ଗମ କରାଇଥିଲା । ୧୯୭୬ ମସିହାରେ ସମୂର୍ଣ୍ଣ ଯାଞ୍ଚ ପରେ ଗୋଦାବରୀ ନଦୀ ଉପରେ ପୋଲାଭରମ ଜଳଭଣ୍ଡାର ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ଏବଂ ପରେ ପରେ ୧୯୭୮ ମସିହାରେ ଏହି ପ୍ରକଳ୍ପ ସମ୍ବନ୍ଧିତ ଏକ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ୧୯୭୮ ଏବଂ ୧୯୮୨ରେ ଦିଆଯାଇଥିବା ପ୍ରକଳ୍ପ ରିପୋର୍ଟକୁ ଯାଞ୍ଚ କରିବା ପରେ କେନ୍ଦ୍ରୀୟ ଜଳ କମିଶନ ପୋଲଭରମ ଜଳଭଣ୍ଡାରକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ୧୯୮୫-୮୬ରେ ଏହି ପ୍ରକଳ୍ପର ବ୍ୟୟ ପାଖାପାଖି ୨୬୬୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏତେ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେବେଠାରୁ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଏବଂ ସେହିଠାରୁ ହିଁ ପୋଲଭରମ ପ୍ରକଳ୍ପର ବିବାଦୀୟ ଅଧ୍ୟାୟର ପ୍ରାରମ୍ଭ ଘଟିଥିଲା ।

ଶିଳାନ୍ୟାସ

[ସମ୍ପାଦନା]

୧୯୮୦ ମସିହାରେ ତତ୍କାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତାଙ୍ଗୁତୁରୀ ଆନଜୟା ପୋଲାଭରମ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ହେବାଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ପ୍ରକଳ୍ପଟି ବିଭିନ୍ନ କାରଣବଶତଃ ଅକାମୀ ହୋଇ ରହିଥିଲା । ତେବେ ୨୦୦୪ ମସିହାରେ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ସରକାର ଶାସନକୁ ଆସିବା ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଧ୍ର ସରକାର ୧୩.୨ ନିୟୁତ ଟଙ୍କା ମଞ୍ଜୁର କରିଥିଲେ । ତେବେ ଏହି ଅର୍ଥରାଶି ପ୍ରଥମେ ଜଳଭଣ୍ଡାରର ବାମପାର୍ଶ୍ୱରେ କେନାଲ ନିର୍ମାଣ ପାଇଁ ଟେଣ୍ଡର ମାଧ୍ୟମରେ ବ୍ୟୟବରାଦ କରାଗଲା ଏବଂ ପରେ ରାଜ୍ୟ ସରକାରଙ୍କଦ୍ୱାରା ଦକ୍ଷିଣ ପାର୍ଶ୍ୱର କେନାଲ ଖୋଦନ ପାଇଁ ମଧ୍ୟ ୧୩.୫୩ ନିୟୁତ ଟଙ୍କା ମଞ୍ଜୁର କରାଯାଇଥିଲା ।

ବିବାଦ

[ସମ୍ପାଦନା]

ପୋଲାଭରମକୁ ନେଇ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏହି ଲଢେଇ ନୂଆ ନୁହେଁ । ୧୯୭୬ ମସିହାରେ ଏହି ବହୁମୁଖି ଜଳଭଣ୍ଡାର ଯୋଜନାର ପରିକଳ୍ପନା ହେବା ଦିନଠାରୁ ପାଣିକୁ ନେଇ ଏହି ସଙ୍ଘର୍ଷ ଆରମ୍ଭ ହୋଇଥଲା ।

ପ୍ରାରମ୍ଭିକ ବିରୋଧ

[ସମ୍ପାଦନା]

ଏହି ଜଣଭଣ୍ଡାର ଆରମ୍ଭ ହେବାର କିଛିଦିନ ମଧ୍ୟରେ କେତେକ ମାନବାଧିକାର କର୍ମୀମାନଙ୍କଦ୍ୱାରା ଏହି ପ୍ରକଳ୍ପକୁ ବିରୋଧ କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆନ୍ଧ୍ରପ୍ରଦେଶର ୩ଟି ଜିଲ୍ଲାରେ ବସବାସ କରୁଥିବା ପାଖାପାଖି ୨୭୬ଟି ଗାଁର ୪୪.୫୭୪ ଗୋଟି ପରିବାରଙ୍କୁ ନିଜର ଭିଟାମାଟି ଛାଡ଼ିବାକୁ ପଡ଼ିବ । ଏହି ଲୋକମାନଙ୍କ ମଧ୍ୟରୁ ପ୍ରାୟ ୫୦ ଭାଗ ହେଉଛନ୍ତି ଆଦିବାସୀ । ସରକାର କେବଳ ସହର କଥା ଚିନ୍ତା କରି ଆଦିବାସୀ ଗରିବ ଲୋକମାନଙ୍କୁ ଶୋଷଣ କରୁଛନ୍ତି ବୋଲି କହି ଏହି କର୍ମୀମାନେ ପୋଲାଭରମ ଜଳଭଣ୍ଡାର ପ୍ରକଳ୍ପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆରମ୍ଭ କରିଥିଲେ । ସେତେବେଲେ ଏହି ପ୍ରକଳ୍ପକୁ ନେଇ ବିଭିନ୍ନ ଦାବି ମୁଣ୍ଡ ଟେକିଥିଲା । ଏପରିକି ନଦୀଗୁଡିକର ସଂଯୋଗୀକରଣ ପ୍ରକ୍ରିୟା ତେଲେଙ୍ଗାନା ଏବଂ ରୟାରସୀମା ଅଞ୍ଚଳଗୁଡିକୁ ପ୍ରଭାବିତ କରିବ ବୋଲି କିଛି ଲୋକ ମଧ୍ୟ ଏହାକୁ ବିରୋଧ କରୁଥିଲେ । ଏହି ପ୍ରକଳ୍ପ କେବଳ ଯେ କିଛି ଗରିବ ଆଦିବାସୀଙ୍କୁ ବିସ୍ଥାପିତ କରିବ ତାହା ନୁହେଁ, ପୋଲାଭରମ ଜଳଭଣ୍ଡାର ହେବାଦ୍ୱାରା ବହୁ ପ୍ରତ୍ନତତ୍ତ୍ୱଭିତ୍ତିକ ସ୍ଥାନ, କୋଇଲା ଖଣି, ବନ୍ୟପ୍ରାଣୀ ତଥା ବହୁ ଏକର ଉର୍ବର ଚାଷଜମି ମଧ୍ୟ ନଷ୍ଟ ହୋଇଯିବ ବୋଲି ପରିବେଶବିଦ ମେଧା ପାଟେକର ଆଶଙ୍କା ପ୍ରକଟ କରି କହିଥିଲେ । ଦୀର୍ଘ ୬୪ ବର୍ଷର ବ୍ୟବଧାନ ପରେ ଆନ୍ଧ୍ର ସରକାରଙ୍କୁ ଏହି ପ୍ରକଳ୍ପ ନିମନ୍ତେ ୨୦୦୫ରେ କେନ୍ଦ୍ରୀୟ ଏଜେନ୍ସିଠାରୁ ପରିବେଶ ମଞ୍ଜୁରୀ ମିଳିଥିଲା । ଆନ୍ଧ୍ର ସରକାର ଜମିଗୁଡିକର ପୁନରୁଦ୍ଧାର ଏବଂ ବାସହରାମାନଙ୍କ ପାଇଁ ୪,୫୦୦ କୋଟି ଟଙ୍କାର ଏକ ପରିଚାଳନା ଯୋଜନା କାର୍ଯ୍ୟାକାରୀ କରିବା ପରେ, ତାଙ୍କୁ ଏହି ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏହି ଯୋଜନା ମୁତାବକ ବାସହରାମାନଙ୍କୁ ୪୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଦେବାପାଇଁ ସରକାର ସ୍ଥିର କରିଥିଲେ । ମାତ୍ର ପରିବେଶ ମଞ୍ଜୁରୀ ସତ୍ତ୍ୱେ ପୋଲାଭରମକୁ ନେଇ ବିବାଦ ପ୍ରଶମିତ ହେଲାନାହିଁ । ଏହାକୁ ନେଇ ମୁଣ୍ଡଟେକିଲା ରାଜନୈତିକ ବିରୋଧ । ଜଣଭଣ୍ଡାରରେ ଲୀନ ହେଉଥିବା ଚାଷଜମିଗୁଡିକୁ ନେଇ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କ୍ସବାଦୀ) ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରିବାକୁ ଆରମ୍ଭ କରିଥିଲେ । ତେବେ ଏତେ ସବୁ ବାଦବିବାଦ ପରେ ମଧ୍ୟ ଜଳଭଣ୍ଡାରର କାର୍ଯ୍ୟ ଏପ୍ରିଲ ୨୦୦୪ରେ ଆରମ୍ଭ କରାଗଲା ଏବଂ ଫେବୃଆରୀ ୨୦୦୭ ମଧ୍ୟରେ ଏହାକୁ ସମୂର୍ଣ୍ଣ କରିବାକୁ ସ୍ଥିର କରାଗଲା । କିନ୍ତୁ ୩୦ ପ୍ରତିଶତ ଡ୍ୟାମ କାର୍ଯ୍ୟ ଏବଂ ୧୫ ପ୍ରତିଶତ କେନାଲ ଖନନ ଶେଷ ହୋଇଥିବାବେଳେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ମଞ୍ଜୁରୀକୁ ନେଇ ପ୍ରକଳ୍ପ କାର୍ଯ୍ୟକୁ ୨୦୦୬ ମଇ ମାସରେ ସ୍ଥଗିତ ରଖିବାକୁ ପଡ଼ିଥିଲା ।

ଓଡ଼ିଶା ଓ ଛତିଶଗଡ଼଼ର ହସ୍ତକ୍ଷେପ

[ସମ୍ପାଦନା]

ଅପରପକ୍ଷରେ ପଡୋଶୀ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼଼ଦ୍ୱାରା ଏହି ଜଳଭଣ୍ଡାରରେ ନିଜ ନିଜ ରାଜ୍ୟର କିଛି ଅଂଶ ଜଳମଗ୍ନ ହେବାକୁ ନେଇ ଆନ୍ଧ୍ର ସରକାରଙ୍କ ସହ ମଳିତ ଭାବେ ଆଲୋଚନାର ପ୍ରସ୍ତାବ ରଖାଗଲା । ସେହିପରି ନିଜ ରାଜ୍ୟର ଜଳମଗ୍ନ ହେଉଥିବା ଅଞ୍ଚଳର ଲୋକମାନଙ୍କର ଥଇଥାନ ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରକୁ ପ୍ରସ୍ତାବ ଦେଲେ । ମାତ୍ର ପୋଲାଭରମ ଜଳଭଣ୍ଡାରର ନିର୍ମାଣଦ୍ୱାରା ଓଡ଼ିଶା କିମ୍ବା ଛତିଶଗଡ଼ର କୌଣସି ଅଂଶ ଜଳମଗ୍ନ ହେବନାହିଁ ବୋଲି ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ରାଜଶେଖର ରେଡ୍ଡୀ ପରେ ନିଜର ସ୍ପଷ୍ଟୀକରଣ ଦେଇଥିଲେ । ମାତ୍ର ନବୀନ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ଜଳକୁ ନେଇ ଏହି ବିବାଦ ଘନୀଭୂତ ହେବାକୁ ଲାଗିଲା । ୨୦୧୦ ମସିହା ପର୍ଯ୍ୟନ୍ତ ଏହି ବିବାଦ ଲାଗି ରହିବା ପରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କଦ୍ୱାରା ସୁପ୍ରିମ କୋର୍ଟରେ ପୋଲାଭରମ ଜଳଭଣ୍ଡାରପ୍ରକଳ୍ପ ବିରୋଧରେ ଗୋଟିଏ ଲେଖାଏଁ ପିଟିସନ୍ ଦାୟର କରାଗଲା । ପରିବେଶ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ କମିଶନଙ୍କ ଉପଯୁକ୍ତ ମଞ୍ଜୁରୀ ବିନା ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢ଼େଇ ଚାଲିଛନ୍ତି ବୋଲି ଏହି ପିଟିସନରେ ଅଭିଯୋଗ କରାଯାଇଥିଲା । ପରେ ପରେ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ(ଜିଡବ୍ଲ୍ୟୁଡିଟି) ଅନ୍ତର୍ଗତ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଏକ ରାଜିନାମା ସ୍ୱାକ୍ଷର କଲେ । ଏହି ରାଜିନାମା ଫଳରେ ପୋଲାଭରମ ପ୍ରକଳ୍ପକୁ ସାଧାରଣ ସମୁଦ୍ର ପତ୍ତନଠାରୁ ୧୫୦ ଫୁଟ୍ ଉଚ୍ଚତାରେ ପୂର୍ଣ୍ଣ ଜଳଭଣ୍ଡାର ସ୍ତରରେ (ଏଫ୍ ଆର୍ ଏଲ) କରିବାକୁ ଆନ୍ଧ୍ରକୁ ଅନୁମତି ମିଳିଲା । ମାତ୍ର ପରେ ଓଡ଼ିଶା ଏହି ଜଳଭଣ୍ଡାରର ଜଳଧାରଣା କ୍ଷମତା ଉପରେ ପ୍ରଶ୍ନ ଉଠାଇ ପୁଣିଥରେ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ତ ହେଲା । ଏହି ଜଳଭଣ୍ଡାରଟି 5 ଅୟୁତ କ୍ୟୁସେକ୍ ଜଳଧାରଣା କ୍ଷମତା ରଖିଥିବାବେଳେ ଏତେ ମାତ୍ରାର ଜଳ ବହୁମାତ୍ରାରେ କିଛି ଅଞ୍ଚଳକୁ ସର୍ବାଦା ଜଳ ପ୍ଲାବିତ କରି ରଖିବ ବୋଲି ଓଡ଼ିଶା ନିଜର ଯୁକ୍ତି ବାଢିଥିଲା । ଚିରସ୍ରୋତା ଗୋଦାବରୀକୁ ମିଳୁଥିବା ଜଳର କମ୍ ବ୍ୟବହାର ହେତୁ ଆନ୍ଧ୍ରପ୍ରଦେଶରେ ବନ୍ୟା ଆସିଥାଏ । ଏବଂ ପ୍ରତି ଦଶନ୍ଧି ମଧ୍ୟରେ ଅତି କମରେ ଥରେ ଏହି ବନ୍ୟା କରାଳ ରୂପ ଧାରଣ କରି ବିଶାଖପାଟନମ୍ ଏବଂ ଏହାର ଆଖାପାଖ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟାଇଥାଏ । ତେବେ ୧୯୫୩ମସିହାଠାରୁ ୨୦୧୧ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ବନ୍ୟାଦ୍ୱାରା ୫୫୮ ନିୟୁତ ଟଙ୍କାର କ୍ଷତି ଘଟିଛି, ଯାହାକି ଭାରତର ମୋଟ ବନ୍ୟା କ୍ଷତିର ୨୬ ପ୍ରତିଶତ । ଏଣୁ ଆନ୍ଧ୍ରରେ ବନ୍ୟାକୁ ରୋକିବା ପାଇଁ ପୋଲାଭରମଠାରେ ଜଳଭଣ୍ଡାରକୁ ସାଧାରଣ ଜଳପତ୍ତନଠାରୁ ଅଧିକ କରାଯିବା ଉଚିତ୍ ବୋଲି ଆନ୍ଧ୍ର ନିଜ ଯୁକ୍ତିରେ ଦର୍ଶାଇ ଆସିଛି । ଅନ୍ୟପଟେ ଓଡ଼ିଶା ଏବଂ ଛତିଶଗଡ଼ ନିଜ ନିଜ ଅଞ୍ଚଳକୁ ନେଇ ଚିନ୍ତିତ । ୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନ ଅଧ୍ୟକ୍ଷ ମଣ୍ଟେକ୍ ସିଂହ ଆଲୁୱାଲିଆଙ୍କୁ ଚିଠି ଲେଖି ସେଥିରେ ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଣୁ ଯେପର୍ଯ୍ୟନ୍ତ ରାୟ ପ୍ରକାଶ ନ ପାଇଛି ସେତେବେଳ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇଥିଲେ । ଏହାଛଡା ଏହି ପ୍ରକଳ୍ପଦ୍ୱାରା ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ତରଫରୁ ଜନଶୁଣାଣି କରାଯିବାର ମଧ୍ୟ ଶ୍ରୀ ପଟ୍ଟନାୟକ ନିଜ ଚିଠିରେ ଲେଖିଥିଲେ । ତେବେ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ସର୍ତ୍ତଗୁଡିକୁ ଠିକଭାବେ ଯାଞ୍ଚ ନ କରାଯାଇ କେନ୍ଦ୍ରୀୟ ଜଳ କମିଶନ ଓ ଯାନ୍ତ୍ରୀକ ଉପଦେଷ୍ଟା କମିଟିଦ୍ୱାରା ପୋଲାଭରମକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ବିସ୍ଥାପିତମାନଙ୍କ ପୂର୍ଣ୍ଣ ଥଇଥାନ ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ଦିଆଯିବା ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ଓଡ଼ିଶା ବିରୋଧ କରିବ ବୋଲି ପଟ୍ଟନାୟକ ବିବିନ୍ନ ଗଣମାଧ୍ୟମରେ ମଧ୍ୟ କହିଥିଲେ । ଅପରପକ୍ଷରେ ଯଦି ଜଳଭଣ୍ଡାରଟି ସମୁଦ୍ରପତ୍ତନଠାରୁ ଏତେ ଉପରେ କରାଯାଏ, ତେବେ ଓଡ଼ିଶାର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ତେବେ କିଛିଦିନ ତଳେ କୋଣ୍ଟାଠାରେ(ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ମିଳନସ୍ଥଳ) ସାବରୀ ନଦୀ ଉପରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଶା ଏବଂ ଛତିଶଗଡ଼ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ମାତ୍ର ଏହାକୁ ଆହୁରି ତଳକୁ ଖସାଇ ଆନ୍ଧ୍ର ସୀମା ମଧ୍ୟରେ କରିବାକୁ ଆନ୍ଧ୍ର ପ୍ରସ୍ତାବ ଦେଇଛି । ଯାହା ଫଳରେ ପୋଲୀଭରମ୍ ମଧ୍ୟରେ ପ୍ରବେଶ କରୁଥିବା ମାତ୍ରଧିକ ଜଳରାଶି ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇ ପାରିବ । ତେବେ ଏତେ ସବୁ ପରେ ପୋଲାଭରମକୁ ନେଇ ନାନା ସମୟରେ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ବିବାଦ ଲାଗିରହିଛି । ମାତ୍ର ଗତମାସରେ କେନ୍ଦ୍ର ସରକାର ପୋଲାଭରକୁ ସ୍ୱକୃତି ପ୍ରଦାନ କରିଛନ୍ତି ।

  1. "Agitation against Polavaram, SANDRP" (PDF). Archived from the original (PDF) on 26 June 2015. Retrieved 7 May 2014.

ବାହାର ତଥ୍ୟ

[ସମ୍ପାଦନା]