ପରିସଂଖ୍ୟାନ

ଉଇକିପିଡ଼ିଆ‌ରୁ


ଏହି ବିଜ୍ଞାନ ଯୁଗରେ ପରିସଂଖ୍ୟାନର ବ୍ୟବହାର ବହୁ କ୍ଷେତ୍ରରେ ଦେଖାଯାଏ । କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ଶାସନ ଆଦି କ୍ଷେତ୍ରରେ ପରିସଂଖ୍ୟାନ ବିନା କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ସମ୍ଭବ ନୁହେଁ । ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics ଏବଂ ଏହି ଶବ୍ଦ ଲାଟିନ୍ ଶବ୍ଦ Status ଅଥବା ଇଟାଲୀୟ ଶବ୍ଦ Statistaରୁ ଉଦ୍ଭବ ବୋଲି ମନେହୁଏ । ଏହି ଦୁଇ ଶବ୍ଦର ଅର୍ଥ ହେଉଛି 'ରାଜନୈତିକ ଅବସ୍ଥା' ।

normal distribution ପ୍ରଦର୍ଶିତ କରାଯାଇଥିବା ଏକ ଲେଖ ଚିତ୍ର(ଗ୍ରାଫ୍)

ସଂଜ୍ଞା[ସମ୍ପାଦନା]

ପରିସଂଖ୍ୟାନର ବିଭିନ୍ନ ସଂଜ୍ଞାମାନଙ୍କ ମଧ୍ୟରୁ କ୍ରକ୍ସଟନ ଓ କାଓଡେନଙ୍କଦ୍ୱାରା ଦତ୍ତ ସଂଜ୍ଞା ସର୍ବୋତ୍କୃଷ୍ଟ ବିବେଚିତ ହୁଏ ।


"ସାଂଖ୍ୟିକ ତଥ୍ୟ ସଂଗ୍ରହ, ଏହାର ବିଶ୍ଲେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନ ହିଁ ପରିସଂଖ୍ୟାନ ।"


ଐତିହାସିକ ପୃଷ୍ଟଭୂମି[ସମ୍ପାଦନା]

ଭାରତବର୍ଷରେ ୨୦୦୦ ବର୍ଷପୂର୍ବେ ମଧ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନକାଳରେ (ଖ୍ରୀ.ପୂ. ୩୨୪ - ୩୦୦) ପରିସଂଖ୍ୟାନର ବହୁଳ ବ୍ୟବହାର ହୋଇଥିବାର ସୂଚନା ମିଳେ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ଖ୍ରୀ.ପୂ.୩୦୦ ବେଳକୁ ମଧ୍ୟ ଭରତ ଭୂଖଣ୍ଡରେ ଅତ୍ୟନ୍ତ ଉନ୍ନତ ଧରଣର ପରିସଂଖ୍ୟାନ ପଦ୍ଧତି ଅନୁସରଣ କରାଯାଉଥିବାର ଯଥେଷ୍ଟ ପ୍ରମାଣ ମିଳେ । ଆକବରଙ୍କ ରାଜତ୍ୱ କାଳରେ ତାଙ୍କ ରାଜସ୍ୱ ମନ୍ତ୍ରୀ ତୋଦରମଲ୍ଲ ଜମି ତଥା ଶସ୍ୟ ଉତ୍ପାଦନ ସମ୍ବନ୍ଧରେ ଅତ୍ୟନ୍ତ ଉନ୍ନତ ଧରଣର ପରିସଂଖ୍ୟାନ ସଂଗ୍ରହ କରୁଥିବା ସୂଚନା ଭାରତ ଇତିହାସରୁ ଜଣାଯାଏ । ରାଜ୍ୟ ଶାସନରେ ପରିସଂଖ୍ୟାନର ପ୍ରଭୃତ ବ୍ୟବହାର ଯୋଗୁଁ ଏହି ବିଷୟଟିକୁ ଅନେକ ରାଜକୀୟ ବିଜ୍ଞାନ (Science of Kings) ବୋଲି କହିଥାନ୍ତି ।


ପଞ୍ଚଦଶ ଶତାବ୍ଦୀରେ ଜର୍ମାନୀର ରାଜ୍ୟମାନଙ୍କର ଆପେକ୍ଷିକ ଶକ୍ତି କଳନା ଲକ୍ଷ୍ୟରେ ଜନ ଶକ୍ତି , ଶିଳ୍ପ ତଥା କୃଷି ଉତ୍ପାଦନ ଆଦିର କଳନା କରିବାର ବ୍ୟବସ୍ଥା ହୋଇଥିଲା । ଇଂଲଣ୍ଡରେ ନେପୋଲିୟନଙ୍କ ସମୟର ଯୁଦ୍ଧହିଁ ରାଜ୍ୟ ଶାସନରେ ଜନ ଶକ୍ତି , କୃଷିଜାତ ଦ୍ରବ୍ୟ, ଲୋକଙ୍କର ଆର୍ଥିକ ଅବସ୍ଥା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ସୃଷ୍ଟି କରିଥିଲା । ଏହିଭଳି ବହୁ ପୁରକାଳରୁ ମନୁଷ୍ୟ ପରିସଂଖ୍ୟାନକୁ ନିଜର ତଥାସମାଜର ସୁପରିଚାଳନାରେ ଲଗାଇ ଆସିଛି ।


ସାର୍ ରୋନାଲ୍ଡ (୧୮୯୦-୧୯୬୨) ପ୍ରଥମେ ପରିସଂଖ୍ୟାନର ବ୍ୟବହାରର ପରିସରକୁ ବହୁ ପରିମାଣରେ ବଢାଇଦେଇଥିବାରୁ ତାଙ୍କୁ 'ପରିସଂଖ୍ୟାନର ଜନକ' (Father of Statistics) ଆଖ୍ୟା ଦିଆଯାଏ ।


ଆଧାର[ସମ୍ପାଦନା]

  • ମାଧ୍ୟମିକ ବୀଜଗଣିତ , ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା , ୨୦୧୨


ଅଧିକ ଦେଖନ୍ତୁ[ସମ୍ପାଦନା]