ନ୍ୟାସନାଲ ସିିକ୍ୟୁରିଟି ଗାର୍ଡ

ଉଇକିପିଡ଼ିଆ ରୁ
Jump to navigation Jump to search

ସର୍ବତ୍ର ସର୍ବୋତ୍ତମ ସୁରକ୍ଷା, ନେଭର୍‌ ସେ ଗିଭ୍‌ ଅପ୍‌ । ଏ ନାରା ହେଉଛି ଭାରତର ସବୁଠାରୁ ଦକ୍ଷ କମାଣ୍ଡୋଙ୍କର । ଏମାନଙ୍କୁ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଏବଂ ଏନ୍‌ଏସ୍‌ଜି ମଧ୍ୟ କୁହାଯାଏ । ଏଥିରେ ସାମିଲ ହେବା ପାଇଁ ପ୍ରଥମେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀରୁ ଚୟନ କରାଯାଏ ବଛା ବଛା ଯବାନ । ସେନାର ଯବାନଙ୍କୁ ଅନ୍ତତଃ 3 ବର୍ଷ ଓ ଅର୍ଦ୍ଧସାମରିକ ବାହିନୀର ଯବାନ ନ୍ୟୁନତମ 5 ବର୍ଷ ତାଲିମ ନେଇଥିଲେ ଏନ୍‌ଏସ୍‌ଜିରେ ତାଲିମ ପାଇବା ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି । ଏନ୍‌ଏସ୍‌ଜି ହେଉଛି ଭାରତର ସ୍ପେଶାଲ୍‌ ଫୋର୍ସ, ଯାହାର ଜନ୍ମ ହୋଇଥିଲା 16 ଅକ୍ଟୋବର 1984ରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷା ଏବଂ 1984ର ବ୍ଲୁ-ଷ୍ଟାର ଅପରସେନ ଯୋଗୁଁ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା ଏନ୍‌ଏସ୍‌ଜି । ଗୃହ ବ୍ୟାପାର ମନ୍ତ୍ରାଳୟ ଅଧୀନରେ କାମ କରେ ଏହି କମାଣ୍ଡୋ ଦଳ । ଏହାର ମୂଳ ଲକ୍ଷ୍ୟ ଆତଙ୍କବାଦୀ ଆକ୍ରମଣର ପ୍ରତିରୋଧ, କମ୍ବାଟ୍‌ ଅପରେସନ ବା ସ୍ପେଶାଲ୍‌ ଅପରେସନକୁ ସଫଳତାର ସହ ଶେଷ କରିବା । ଏନ୍‌ଏସ୍‌ଜିର ମୁଖ୍ୟ ବା ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥାନ୍ତି ଭାରତୀୟ ପୋଲିସ ସେବାର ଜଣେ ବରିଷ୍ଠ ଅଧିକାରୀ । ଏମାନଙ୍କୁ ନିୟୋଜିତ କରାଯାଏ ଭିଆଇପି, ଭିଭିଆଇପି ବ୍ୟକ୍ତିଙ୍କ ସୁରକ୍ଷା ପାଇଁ, ବନ୍ଧକଙ୍କୁ ମୁକୁଳାଇବା ଅପରେସନ୍‌, ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନର ସୁରକ୍ଷା ତଥା ଆତଙ୍କବାଦୀ ଆକ୍ରମଣକୁ ନିଷ୍କ୍ରିୟ କରିବା କାମରେ । ଏନ୍‌ଏସ୍‌ଜିରେ ଅଛନ୍ତି ମୋଟ୍‌ 14 ହଜାର 500 ଯବାନ । ମୋଟ୍‌ ସଂଖ୍ୟାର 53% ସେନାରୁ ଓ ବଳକା 47% ଆସିଥାନ୍ତି 4ଟି ଅର୍ଦ୍ଧସାମରିକ ବାହିନୀରୁ । ଏସବୁ ଅର୍ଦ୍ଧସାମରିକ ବାହିନୀ ହେଉଛି ସିଆର୍‌ପିଏଫ୍‌. ଆଇଟିବିପି, ଆର୍‌ଏଏଫ୍‌, ବିଏସ୍‌ଏଫ୍‌ । ଏମାନଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ହୋଇଥାଏ । ପାଞ୍ଚ ବର୍ଷ ଏନ୍‌ଏସ୍‌ଜିରେ କାମ କରିବା ପରେ ଏମାନେ ନିଜ ମୂଳ ବାହିନୀକୁ ଫେରିଯାଆନ୍ତି । ଏଥିପାଇଁ ବୟସ ସୀମା ରହିଛି 35 । 12 ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିବା ଏହି କଠିନ ଟ୍ରେନିଂରେ କଠୋର ଶାରୀରିକ ଓ ମାନସିକ ପରୀକ୍ଷା ଦେଇ ଯିବାକୁ ପଡ଼େ । 18 ମିନିଟ୍‌ରେ 26 ପ୍ରକାର କାରନାମା ଦେଖାଇବାକୁ ପଡ଼େ । ତାଛଡ଼ା ପାର କରିବାକୁ ପଡ଼େ 780ଟି ବିଭିନ୍ନ ପ୍ରକାର ବାଧା । 25 ମିନିଟ୍‌ ମଧ୍ୟରେ ଏସବୁ କରିନପାରିଲେ ଯବାନ ବିଫଳ ବୋଲି ପରଗଣିତ ହୁଅନ୍ତି । ପୁଣି ଫାୟାରିଂ ତାଲିମର ପରୀକ୍ଷାରେ 25 ସେକେଣ୍ଡରେ 14ଟି ବିଭିନ୍ନ ଟାର୍ଗେଟ୍‌କୁ ସଫଳତାର ସହ ଭେଦ କରିବାକୁ ହୁଏ । ଏମାନଙ୍କୁ ଏହି ତାଲିମ ସମୟତକ ସାରା ଦୁନିଆରୁ ଅଲଗା ହୋଇ ରଖାଯାଏ । ଏହାର ହେର୍ଡକ୍ୱାର୍ଟରସ ରହିଛି ମେହରମ୍‌ ନଗର ପାଲମ୍‌ରେ। ଏନ୍‌ଏସ୍‌ଜି ଡିଜିଙ୍କ ସହ ଭାରତୀୟ ପୋଲିସ୍‌ ସର୍ଭିସ୍‌ର ଆଇଜି ପାହ୍ୟର 4 ଅଧିକାରୀ ଡେପୁଟି ଭାବେ କାମ କରିଥାନ୍ତି । ଆର୍ଥିକ ପରାମର୍ଶଦାତା ଭାବେ ଭାରତୀୟ ରାଜସ୍ୱ ସେବାର ଅଧିକାରୀ କାମ କରିଥାନ୍ତି । ଯବାନଙ୍କ ଟ୍ରେନିଂ ହୁଏ ଆର୍ମି ମେଜର୍‌ ଜେନେରାଲଙ୍କ ଅଧୀନରେ । ଯାହାଙ୍କୁ ମିଳିଥାଏ ଆଇଜି ପଦବୀ । ଯାହାଙ୍କୁ ସହଯୋଗ କରିଥାନ୍ତି ଭାରତୀୟ ସେନାର ଦୁଇ ଜଣ ବ୍ରିଗେଡିୟର ।

ନ୍ୟାସନାଲ ସିକ୍ୟୁରିଟି ଗାର୍ଡ

ଏନ୍‌ଏସ୍‌ଜିର ମୂଳ ଲକ୍ଷ୍ୟ[ସମ୍ପାଦନା]

  • ଆତଙ୍କବାଦୀଙ୍କ ଚେତାବନୀର ନିରାକରଣ
  • ସ୍ଥଳ ଓ ଆକାଶରେ ଅପହରଣ ମାମଲାରେ କାର୍ଯ୍ୟାନୁଷ୍ଠାନ
  • ବୋମା ସନ୍ଧାନ, ଯାଂଚ ଏବଂ ନିଷ୍କ୍ରିୟ
  • ପିବିଆଇ ଅର୍ଥାତ ପୋଷ୍ଟ ବ୍ଲାଷ୍ଟ ଯାଂଚ କରିବା
  • ଆତଙ୍କବାଦୀଙ୍କୁ ଭ୍ରମିତ କରିବା ଓ କାର୍ଯାନୁଷ୍ଠାନ ନେବା
  • ବନ୍ଧକଙ୍କୁ ମୁକୁଳାଇବା

ବିଭାଗ[ସମ୍ପାଦନା]

ଏନ୍‌ଏସ୍‌ଜିର ଦୁଇ ପ୍ରମୁଖ ବିଭାଗ ସ୍ପେଶାଲ ଆକ୍ସନ ଗ୍ରୁପ୍‌ ଓ ସ୍ପେଶାଲ୍‌ ରେଞ୍ଜର ଗ୍ରୁପ୍‌ । ଏସ୍‌ଏଜି ହେଉଛି ଏନ୍‌ଏସ୍‌ଜିର ମୁଖ୍ୟ ବିଭାଗ । ଯେଉଁଥିରେ ଭାରତୀୟ ସେନାରୁ ବଛାବଛା ଯବାନଙ୍କୁ ସାମିଲ୍‌ କରାଯାଏ । ହେର୍ଡକ୍ୱାର୍ଟର୍ସ, ସପୋର୍ଟ ୟୁନିଟ୍‌, ଟ୍ରେନିଂ ୱିଙ୍ଗ୍‌ ପାଇଁ ବି ଏଥିରୁ ହିଁ ଯବାନ୍‌ଙ୍କୁ ସାମିଲ୍‌ କରାଯାଏ । ଏସ୍‌ଏଜିର ରହିଛି ଦୁଇଟି ବିଭାଗ । 51 ସ୍ପେଶାଲ ଆକ୍ସନ ଗ୍ରୁପ୍‌ ଓ 52 ସ୍ପେଶାଲ ଆକ୍ସନ ଗ୍ରୁପ୍‌ । ଆତଙ୍କବାଦ ମୁକାବିଲା, ହାଇଜାକ୍‌ ପରି ମାମଲାରେ ଏମାନଙ୍କ ବ୍ୟବହାର କରାଯାଏ । ସବୁଠାରୁ ଛୋଟ ଏସ୍‌ଏଜିକୁ କହାଯାଏ ହିଟ୍‌ । ଯାହାର ନେତୃତ୍ୱ ନେଇଥାନ୍ତି ଜଣେ ଏନ୍‌ସିଓ । ଗୋଟିଏ ହିଟ୍‌ରେ ରହିଥାନ୍ତି 5 ଜଣ ସଦସ୍ୟ । 2 ପେୟାର କମାଣ୍ଡୋ ଏବଂ ଟେକ୍‌ନିକାଲ ସପୋର୍ଟ ସଦସ୍ୟ । ବନ୍ଧକଙ୍କୁ ମୁକ୍ତ କରିବା କ୍ଷେତ୍ରରେ ଏହାର ସଂଖ୍ୟା 50ରୁ 90 ହୋଇପାରେ । ଏହି ସ୍ୱତନ୍ତ୍ର କମାଣ୍ଡୋଙ୍କ ପାଇଁ ରହିଛି ଆଇଏଲ୍‌-76 ଏମ୍‌ଡି ଏୟାରକ୍ରାଫ୍ଟ୍‌ । ଯାହା 30 ମିନିଟ୍‌ ମଧ୍ୟରେ ଯେକୌଣସି ସ୍ଥାନକୁ ଅପରେସନ୍‌ ପାଇଁ ଯିବାକୁ ପ୍ରସ୍ତୁତ ହୋଇପାରେ ।

ସ୍ପେଶାଲ ରେଞ୍ଜର ଗ୍ରୁପ୍‌ ଏସ୍‌ଆର୍‌ଜି... ଏନ୍‌ଏସ୍‌ଜିରେ ରହିଛି 3 ଏସ୍‌ଆର୍‌ଜି । ଏସ୍‌ଆର୍‌ଜି-11,12 ଏବଂ 13 । ଏମାନଙ୍କୁ ଭିଆଇପି, ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜନ କରାଯାଏ । ଅବଶ୍ୟ 2013 ପରଠାରୁ ଏମାନଙ୍କୁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ମଧ୍ୟ ବ୍ୟବହାର କରାଯାଉଛି ।

ନ୍ୟାସନାଲ ବମ୍‌ ଡାଟା ସେଣ୍ଟର 1988ରୁ ଆରମ୍ଭ 2000 ମସିହାରେ ପୁନଃଗଠନ । ଦେଶରେ ବମ୍‌ ନିରୀକ୍ଷଣ, ରେକର୍ଡିଂ, ସମୀକ୍ଷା କରିବା ହେଉଛି ବିଭାଗର କାମ । କେବଳ ଦେଶ ନୁହେଁ ବିଦେଶରେ ହେଉଥିବା ବୋମା ବିସ୍ଫୋରଣ ଉପରେ ବି ନଜର ରଖିଥାଏ ଏନ୍‌ବିଡିସି । ଯାହା ଉପରେ ନିର୍ଭର କରିଥାଏ ଦେଶର ସବୁ ସୁରକ୍ଷା ଏଜେନ୍ସି । ଯାହାର ମୁଖ୍ୟ ହୋଇଥାନ୍ତି ଭାରତୀୟ ଆର୍ମି କ୍ରପ୍‌ସ ଅଫ୍‌ ଇଂଜିନିୟର୍ସର ଜଣେ କର୍ଣ୍ଣେଲ ।


ଆଧାର[ସମ୍ପାଦନା]

[୧]

  1. "The National Security Guard Act, 1986 (47 of 1986)" (PDF).